ମାଦଳାପାଞ୍ଜି

ଲେଖା: ନିରଞ୍ଜନ ସାହୁ

~ ମାଦଳାପାଞ୍ଜିର ରଚନାକାଳ ~     
ବିଭିନ୍ନ ସମାଲୋଚକଗଣ ସେମାନଙ୍କ ସନ୍ଦର୍ଭ ମାନଙ୍କରେ ପ୍ରମାଣିତ କରି ସାରିଛନ୍ତି ଯେ, ମାଦଳାପାଞ୍ଜି ଏକ ପର୍ଯ୍ୟାୟକ୍ରମିକ ରଚନା । ସେଥିପାଇଁ ଓଡ଼ିଶାରେ ପ୍ରଚଳିତ ବିଭିନ୍ନ ଶବ୍ଦମାନଙ୍କର ବ୍ୟବହାର (ସମୟକ୍ରମେ) ଏଥିରେ ଦେଖିବାକୁ ମିଳିଥାଏ । ତେବେ ଏହା ନିଶ୍ଚିତ ଯେ, ଏହା ଏକ ପ୍ରାଚୀନତମ ଗଦ୍ୟ ସୃଷ୍ଟି । ମାଦଳାପାଞ୍ଜିର ଆରମ୍ଭ କାଳ ନିର୍ଣ୍ଣୟ କରି ଗବେଷକ, ଐତିହାସିକ, ସାହିତ୍ୟିକ ଓ ସମାଲୋଚକଗଣ ବିଭିନ୍ନ ମତ ପୋଷଣ କରିଛନ୍ତି । କେତେକ ସମାଲୋଚକ ଏହାକୁ ଏକାଦଶ, ଦ୍ଵାଦଶ, ତ୍ରୟୋଦଶ ଶତାବ୍ଦୀର କହିବା ବେଳେ ଅନେକେ ଏହାକୁ ପଞ୍ଚଦଶ, ଷୋଡ଼ଶ ଶତକ ବୋଲି ମତପୋଷଣ କରିଛନ୍ତି। ଏମିତିକି ଏହା ଉନ୍ନବିଂଶ ଶତାବ୍ଦୀର ବୋଲି ମତପ୍ରକାଶ କରିଛନ୍ତି କିଛି ସମାଲୋଚକ । ତାମ୍ରଲେଖ, ଶିଳାଲେଖପ୍ରତ୍ନତାତ୍ବିକ ଅବଶେଷରୁ ଇତିହାସ ରଚନାର ଧାରା ଓଡ଼ିଶାରେ ପ୍ରତିଷ୍ଠିତ ହେବା ପୂର୍ବରୁ ପ୍ରାୟ ପ୍ରତ୍ୟେକ ଐତିହାସିକ ମାଦଳାପାଞ୍ଜିକୁ ଓଡ଼ିଶା ଇତିହାସର ଉପାଦାନ ରୂପେ ବ୍ୟବହାର କରିଛନ୍ତି । 

ମାଦଳାପାଞ୍ଜିକୁ ସର୍ବପ୍ରଥମେ ଆଲୋଚନାର ପରିସରକୁ ଆଣିଲେ ବ୍ରିଟିଶ ଐତିହାସିକ ଷ୍ଟର୍ଲିଂ ସାହେବ ୧୮୨୨ ମସିହାରେ । ଏଥିରେ ଥିବା ତଥ୍ୟାବଳୀ ଉପରେ ନିର୍ଭର କରି ଓଡ଼ିଶାର ରାଜନୈତିକ ଇତିହାସ ରଚନା କରିବାକୁ ପ୍ରୟାସ କଲେ । ଷ୍ଟର୍ଲିଂ ସାହେବଙ୍କ ତଥ୍ୟାବଳୀ ସହିତ ଆଉ କିଛି ମିଶାଇ ବଙ୍ଗଳା ଐତିହାସିକ ଭବାନୀ ଚରଣ ବନ୍ଦୋପାଧ୍ୟାୟ ୧୮୪୩ ଖ୍ରୀଷ୍ଟାବ୍ଦରେ ପୁରୁଷୋତ୍ତମ ଚନ୍ଦ୍ରିକା ଗ୍ରନ୍ଥ ରଚନା କଲେ। ଏହି ଦ୍ଵୟଙ୍କ ପଦାଙ୍କ ଅନୁସରଣ କରି ୧୮୭୨ ମସିହାରେ ହଣ୍ଟର ସାହେବ ମଧ୍ୟ ମାଦଳାପାଞ୍ଜି ଅନୁସରଣରେ ଓଡ଼ିଶା ଇତିହାସ ରଚନା କରିବାକୁ ଚେଷ୍ଟିତ ହେଲେ । ଏହି ପଚାଶ ବର୍ଷ ମଧ୍ୟରେ ଆରମ୍ଭ ହୋଇଥିବା ଗବେଷଣା ଆଗକୁ ବଢି଼ଲା । ପ୍ରଥମ ଓଡି଼ଆ ଭାବେ ୧୮୭୯ ଖ୍ରୀଷ୍ଟାବ୍ଦରେ ପ୍ୟାରୀମୋହନ ଆଚାର୍ଯ୍ୟ ତାଙ୍କର ଓଡ଼ିଶାର ଇତିହାସ ବହିରେ ଆଲୋକପାତ କଲେ ମାଦଳାପାଞ୍ଜି ସମ୍ପର୍କରେ:

“ଓଡ଼ିଶାର ପୂର୍ବତନ ଇତିହାସ ସଂଗ୍ରହ କରିବା ବିଷୟରେ ଜଗନ୍ନାଥ ମନ୍ଦିରରେ ରକ୍ଷିତ ହୋଇଥିବା ମାଦଳାପାଞ୍ଜି ନାମକ ପଞ୍ଜିକା ବିଶେଷ ସାହାଯ୍ୟକାରୀ ଅଟଇ । ଏଥିରେ ଓଡ଼ିଶା ରାଜାମାନଙ୍କର ଦୈନିକ ଇତିବୃତ୍ତ ସଂକଳିତ ହୋଇଅଛି । ପ୍ରାୟ ତ୍ରୟୋଦଶ ଶତାବ୍ଦୀରୁ (ଯେଉଁ ସମୟରେ କି ଗଙ୍ଗବଂଶୀୟ ରାଜାମାନେ ଓଡ଼ିଶାରେ ରାଜପଣ କରୁଥିଲେ) ଏ ପଞ୍ଜିକା ଲିଖନ ଆରମ୍ଭ ହୋଇଥିବାର ଏଥିର ଭାଷା (ଓଡ଼ିଆ) ଓ ଲିଖନରୀତିରୁ ପ୍ରତୀୟମାନ ହେଉଅଛି । କିନ୍ତୁ ମାଦଳାପାଞ୍ଜି ଲେଖକମାନେ କଳିଯୁଗ ଆରମ୍ଭରୁ ରାଜାମାନଙ୍କ ନାମ ନିର୍ଦ୍ଦେଶ କରିବା ବିଷୟରୁ ସଙ୍କୁଚିତ ହୋଇ ନାହାଁନ୍ତି । ଖ୍ରୀଷ୍ଟପୂର୍ବ ୩୧୦୧ ବର୍ଷରୁ ଖ୍ରୀଷ୍ଟାବ୍ଦ ୭୮ ବର୍ଷ ପର୍ଯ୍ୟନ୍ତ ୪ ଜଣ ରାଜା ଓଡ଼ିଶାରେ ରାଜତ୍ୱ କରିଥିବାର ଲିଖିତ ହୋଇଅଛି । ତଦନନ୍ତର ଖ୍ରୀଷ୍ଟାବ୍ଦ ୭୮ ବର୍ଷରୁ ଖ୍ରୀଷ୍ଟାବ୍ଦ ୪୭୪ ବର୍ଷ ପର୍ଯ୍ୟନ୍ତ ସାତ ଜଣ ନରପତି ଓ ଯବନମାନେ ଓଡ଼ିଶା ରାଜ୍ୟ ଭୋଗ କରିଥିବାରୁ ବର୍ଣ୍ଣନା ଦୃଷ୍ଟିଗୋଚର ହୁଅଇ । ଉଲ୍ଲିଖିତ ରାଜାଙ୍କ ନିର୍ଘଣ୍ଟରୁ ବୋଧ ହୁଅଇ ଯେ କେତେକ ନାମ ମହାଭାରତରୁ ଓ କେତେକ ବଡ଼ ବଡ଼ ଲୋକଙ୍କ ନାମକୁ ଅବଲମ୍ବନ କରି ସଂଗୃହୀତ ହୋଇଅଛି । ପ୍ରତ୍ୟେକ ରାଜା ହାରାହାରିରେ ଏକାଦଶ ବର୍ଷ ରାଜତ୍ୱ କରିଥିବାର ଜଣା ଯାଉଅଛି । ଏହି ରାଜାଙ୍କ ମଧ୍ୟରୁ କେହି କେହି ୫୦୦/୭୦୦ ବର୍ଷ କରି ରାଜତ୍ଵ କରିଥିବାର ସୁଦ୍ଧା ପଞ୍ଜିକାରେ ଲିଖିତ ଅଛି ।

ତେବେ ଯେତେବେଳେ ଭାରତବର୍ଷରେ ବେଦ ସଙ୍ଗୀତ ହେଉଥିଲା ସେତେବେଳେ ଲୋକେ କାତର ସ୍ଵରରେ “ଶତହିମ” (ଶତବର୍ଷ) ପରମାୟୁ ଦେବତାଙ୍କୁ ପ୍ରାର୍ଥନା କରୁଥିଲେ । ପଞ୍ଜିକାଲିଖିତ ରାଜାଏ କଳିକାଳର ନରପତି। ଏମାନଙ୍କର ଶତବର୍ଷ ପରମାୟୁରେ ସୁଦ୍ଧା ଅଧିକାର ନାହିଁ । ଏଣୁକରି ଏମାନଙ୍କର ଏତେ ଅଧିକ କାଳ ରାଜତ୍ଵ କରିଥିବାର ଯାହା ଲିଖିତ ଅଛି, ତାହା ସମ୍ପୂର୍ଣ୍ଣ ରୂପେ କାଳ୍ପନିକ ମାତ୍ର । ସୁତରାଂ ଆମ୍ଭେମାନେ ପଞ୍ଜିକା ଲେଖକଙ୍କର ଏହି ଅତି ପୂର୍ବ କାଳର ରାଜନିର୍ଘଣ୍ଟରେ ବିଶ୍ଵାସ ସ୍ଥାପନ କରି ନପାରି ତାହାକୁ ଏହି ପୃଷ୍ଠା ମାନଙ୍କରୁ ବିସର୍ଜନ ଦେଲୁଁ ।”

ମାଦଳାପାଞ୍ଜିର ରଚନା କାଳ ଉପରେ ବିଭିନ୍ନ ଐତିହାସିକ ମାନଙ୍କର ଗବେଷଣା ଲବ୍ଧ ତଥ୍ୟକୁ ନିମ୍ନ ମତେ ଉପସ୍ଥାପିତ କରୁଅଛୁ:

~ ୧୧ଶ ଶତାବ୍ଦୀର ରଚନା ~
ଇଂରେଜ ଐତିହାସିକ ହଣ୍ଟର ସାହେବ, ଭିଷାତତ୍ତ୍ଵବିଦ୍ ଗୋପାଳଚନ୍ଦ୍ର ପ୍ରହରାଜ ଏବଂ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ମତାମତ ଦିଅନ୍ତି ଯେ, ଏହି ମାଦଳାପାଞ୍ଜି ରଚନା ଏକାଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା ।

୧. ହଣ୍ଟର ସାହେବ:  History of Orissa
୨. ଗୋପାଳ ଚନ୍ଦ୍ର ପ୍ରହରାଜ: ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମୁଖବନ୍ଧରେ ଏକାଦଶ ଶତାବ୍ଦୀର ରଚନା ବୋଲି ବର୍ଣ୍ଣିତ କରିଛନ୍ତି ।
୩. ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ: ଓଡ଼ିଆ ସାହିତ୍ୟର ପରିଚୟ ଗ୍ରନ୍ଥରେ ଚୋଡ଼ଗଙ୍ଗ ଦେବଙ୍କ ରାଜୁତି (୧୦୭୬ ମସିହା) ରେ ଲିଖିତ ହୋଇଛି ବୋଲି ମତ ଦିଅନ୍ତି ।

~ ଦ୍ଵାଦଶ ଶତାବ୍ଦୀର ରଚନା ~
ଇଂରେଜ ଐତିହାସିକ ଫ୍ଲିଟ୍ ସାହେବ, ଡଃ ଆର୍ତ୍ତବଲ୍ଲଭ ମହାନ୍ତି, ଐତିହାସିକ କୃପାସିନ୍ଧୁ ମିଶ୍ର, ଡଃ ମାୟାଧର ମାନସିଂହ, ଐତିହାସିକ ସୁନୀତି ଚାଟାର୍ଜୀ ଓ ଗବେଷକ ଅନିରୁଦ୍ଧ ଦାସ

୧. ଫ୍ଲିଟ୍ ସାହେବ:  Epigraphica Indica ପ୍ରବନ୍ଧରେ ଏହାର ଐତିହାସିକ ଗୁରୁତ୍ଵ ଥିବା ଦର୍ଶାଇ କହନ୍ତି ଯେ , ଏହା ୧୨ଶ ଶତାବ୍ଦୀର ରଚନା ।

୨. ଡଃ ଆର୍ତ୍ତବଲ୍ଲଭ ମହାନ୍ତି: ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ ଗ୍ରନ୍ଥର ମୁଖବନ୍ଧରେ ଏହା ୧୨ଶ ଶତାବ୍ଦୀର ରଚନା ବୋଲି ମତ ଦିଅନ୍ତି,
“The Language of the Panji does not seem to be older than that of the Eleventh or Twelfth century. The Language of the records of Jajati, is not difficult to see belongs to the same period. The thing is that the Language under went change at the hands of the seribes or later date when they transcribed the same form the old and worm eaten Panjis . From the 12 th century onwards the development , the Language is traceable .”

୩. ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ‘ଓଡ଼ିଆ ସାହିତ୍ୟର ଇତିହାସ’ ଗ୍ରନ୍ଥରେ ଏହା ଚୋଡ଼ଗଙ୍ଗ ଦେବଙ୍କ ରାଜତ୍ଵ କାଳ ଦ୍ଵାଦଶ ଶତାବ୍ଦୀର ବୋଲି ଉଲ୍ଲେଖ କରିଛନ୍ତି ।

୪. ଡଃ ମାୟାଧର ମାନସିଂହ:  History of Orissa Literature ଗ୍ରନ୍ଥରେ ଏହା ଦ୍ଵାଦଶ ଶତାବ୍ଦୀର/ଗଙ୍ଗବଂଶର ପ୍ରଥମ ରାଜା ଚୋଡ଼ଗଙ୍ଗ ଦେବଙ୍କଠାରୁ ଆରମ୍ଭ ବୋଲି ମତ ଦିଅନ୍ତି ।

୫. ଡଃ ସୁନୀତି ଚାଟାର୍ଜୀ: It is believed to have started as early the 12th century AD. When the temple of Jagannath at Puri was created (or rather rebuilt) on the completion of the temple towards the end of the 12th century may be the account given of this event.” (Available Mohanty Memorial Lectures) 

୬. ଗବେଷକ ଅନିରୁଦ୍ଧ ଦାସ: ‘ମୁଦ୍ଦଲ ସିଦ୍ଧି’ ଗନ୍ଥରୁ ମାଦଳା ଶବ୍ଦଟି ୧୨ ଶ ଶତାବ୍ଦୀରେ ଆନୀତ, ଯାହା ନେପାଳ ରାଜପରିବାର ସହିତ ସମ୍ବନ୍ଧରୁ ସୃଷ୍ଟି ହୋଇଛି ।

~ ୧୩ଶ ଶତାବ୍ଦୀର ରଚନା ~
୧. ୧୮୨୨ ଖ୍ରୀଷ୍ଟାବ୍ଦରେ ଷ୍ଟର୍ଲିଂ ସାହେବ ମାଦଳାପାଞ୍ଜି ଉପରେ ପ୍ରଥମେ ଆଲୋଚନା କଲେ ଏବଂ ଏହା ୧୩ଶ ଶତାବ୍ଦୀରୁ ଆରମ୍ଭ ବୋଲି ମତ ଦେଇଥିଲେ ।

୨. ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟ ତାଙ୍କର ପୁସ୍ତକ ଓଡ଼ିଶାର ଇତିହାସରେ ଏହାର ଆରମ୍ଭ ୧୩ଶ ଶତାବ୍ଦୀରୁ ହୋଇଥିବାର ମତ ଦେଇଛନ୍ତି ।

~ ଷୋଡ଼ଶ ଶତାବ୍ଦୀର ରଚନା ~
ଆଲୋଚକଗଣ: ଡଃ ହରେକୃଷ୍ଣ ମହତାବ, ପଣ୍ଡିତ ନୀଳକଣ୍ଠ ଦାସ, ଡଃ କୁଞ୍ଜବିହାରୀ ତ୍ରିପାଠୀ, ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଡଃ ଗୋପାଳଚନ୍ଦ୍ର ମିଶ୍ର, ପଦ୍ମଶ୍ରୀ ସଚି ରାଉତରାୟ  ।

୧. ଓଡ଼ିଶା ଇତିହାସ ଗ୍ରନ୍ଥରେ ଡଃ ମହତାବ ମତ ପୋଷଣ କରିଛନ୍ତି ଯେ, ଏହି ପାଞ୍ଜି ଷୋଡ଼ଶ ଶତାବ୍ଦୀର ରଚନା । ତାଙ୍କ ମତରେ:

“ମାଦଳାପାଞ୍ଜି ଲେଖା ୧୬ଶ ଶତାବ୍ଦୀରେ ଓଡ଼ିଶା ମୋଗଲମାନଙ୍କ ଦ୍ଵାରା ଅଧିକୃତ ହେବା ପରେ ଆରମ୍ଭ ହୋଇଛି, ଏହାର ପ୍ରସ୍ତୁତି ସୂଚନା ସେହି ମାଦଳାପାଞ୍ଜିରୁ ହିଁ ମିଳେ । ଭବାନୀଚରଣଙ୍କ ଲେଖାରୁ ଜଣାଯାଏ ଖୋର୍ଦ୍ଧାର ରାଜା ରାମଚନ୍ଦ୍ର ଦେବ ତାଙ୍କ ଦ୍ଵିତୀୟ ଅଙ୍କରେ ବଟକୃଷ୍ଣ ମହାନ୍ତିଙ୍କୁ ମାଦଳାପାଞ୍ଜି ଲେଖିବାକୁ ଆଦେଶ ଦେଲେ । ଏହି ରାମଚନ୍ଦ୍ର ଦେବଙ୍କୁ ମୋଗଲ ଶାସକ ମାନସିଂହ ଓଡ଼ିଶାର ରାଜା ବୋଲି ସ୍ଵୀକାର କରିଥିଲେ । ସେତେବେଳେ ଓଡ଼ିଶାର ରାଜସିଂହାସନର ଉତ୍ତରାଧିକାରୀ ଘେନି ବିବାଦ ଲାଗିବାରୁ ମୋଗଲ ବାଦଶାହାଙ୍କ ସ୍ଵୀକୃତି ବଳରେ ରାମଚନ୍ଦ୍ର ଦେବ ରାଜା ହେଲେ । ଏଥିରୁ ଅନୁମାନ କରାଯାଏ ଯେ, ଉତ୍ତରାଧିକାରୀ ପ୍ରମାଣ ପାଇଁ କାଗଜପତ୍ର ପ୍ରସ୍ତୁତ କରିବାକୁ ମାଦଳା ପାଞ୍ଜିରେ ରାଜାମାନଙ୍କ ବିବରଣ ଲେଖାର ଆରମ୍ଭ ହେଲା । ପୁଣି ୧୮୦୩ ସାଲରେ ଇଂରେଜମାନେ ଯେତେବେଳେ ଓଡ଼ିଶା ଅଧିକାର କରି ପୁରୀର ମନ୍ଦିର ଉପରେ ହସ୍ତକ୍ଷେପ କଲେ, ଖୋର୍ଦ୍ଧା ରାଜାଙ୍କ ଅଧିକାର ସ୍ଵୀକାର କଲେ ନାହିଁ; ସେତେବେଳକୁ ପୁଣି ଆଉ ଏକ ପରସ୍ତ ମାଦଳାପାଞ୍ଜି ବୋଲନ୍ତେ ଏକ ପ୍ରକାର ଲେଖା ଗୋଟିଏ ପୋଥି ନୁହେଁ, ଏକ ବିଷୟ ବିଭିନ୍ନ ଭାବରେ ଲେଖା ହୋଇ ଭିନ୍ନ ଭିନ୍ନ ସ୍ଥାନରେ ରହି ସମୁଦାୟଟା ମାଦଳାପାଞ୍ଜି ବୋଲି ଅଭିହିତ ହୁଏ । ଏଥିରୁ ବିଚାର କଲେ ପୂର୍ବ ମୋଗଲ ସମୟର ଓଡ଼ିଶାର ଇତିହାସ ପାଇଁ ମାଦଳାପାଞ୍ଜି ଉପରେ ନିର୍ଭର କରି ହେବନାହିଁ। କିନ୍ତୁ ଏପରିକି କୁହାଯାଇ ପାରେ ଯେ, ଯେତେବେଳେ ପାଞ୍ଜି ଲେଖା ଆରମ୍ଭ ହୋଇଥିଲା, ସେତେବେଳେ ଯେଉଁ ସବୁ ଜନଶ୍ରୁତି ପୁରୁଷାନୁକ୍ରମେ ଗଡ଼ି ଆସୁଥିଲା, ତାହାକୁ ହିଁ ତାଳପତ୍ରରେ ଲିପିବଦ୍ଧ କରିଦିଆ ହୋଇଛି ।”

୨. ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କର ‘ଓଡ଼ିଆ ସାହିତ୍ୟର କ୍ରମ ପରିଣାମ’ ଗ୍ରନ୍ଥରେ ମାଦଳାପାଞ୍ଜି ଭୋଇ ବଂଶ ରାଜା ପ୍ରଥମ ରାମଚନ୍ଦ୍ର ଦେବ (୧୫୯୨- ୧୬୦୭) ସମୟରେ ଲିଖିତ ବୋଲି ମତ ଦିଅନ୍ତି । ଏହି ମତକୁ ଐତିହାସିକ ପରମାନନ୍ଦ ଆଚାର୍ଯ୍ୟ ମଧ୍ୟ ପୋଷଣ କରିଛନ୍ତି ।

୩. ଡଃ କୁଞ୍ଜବିହାରୀ ତ୍ରିପାଠୀ Indian History Congress Proceedings of the 12th session ରେ ପ୍ରକାଶିତ The Chronicles of the Jagannath Temple of Puri ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି, “At least a copy of a part of the Panji was made during the reign of Ramachandra Deva of the last decade of the 16th century.”

୪. ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କହନ୍ତି – “ମାଦଳାପାଞ୍ଜି ଭୋଇ ବଂଶ ରାଜତ୍ଵ କାଳରେ ଅର୍ଥାତ୍ ଷୋଡ଼ଶ ଶତାବ୍ଦୀର ଶେଷ ଆଡ଼କୁ ଲିଖିତ । ମୁକୁନ୍ଦଦେବଙ୍କ ପୁତ୍ର ଏବଂ ଦନାଇ ବିଦ୍ୟାଧରଙ୍କ ମଧ୍ୟରେ ସିଂହାସନ ପ୍ରାପ୍ତି ଉଦ୍ଦେଶ୍ୟରେ ଯେଉଁ ବିବାଦ ହୋଇଥିଲା, ତାକୁ କେନ୍ଦ୍ର କରି ମାଦଳାପାଞ୍ଜିର ସୃଷ୍ଟି ହୋଇ ଥାଇପାରେ ।”

୫. ଡଃ ଗୋପାଳ ଚନ୍ଦ୍ର ମିଶ୍ର ତାଙ୍କର ବହି ‘ଓଡ଼ିଆ ଗଦ୍ୟର ବିକାଶ ଧାରା’ର ଏକ ପ୍ରବନ୍ଧରେ ମାଦଳାପାଞ୍ଜି ଷୋଡ଼ଶ ଶତାବ୍ଦୀର ରଚନା ବୋଲି ମତ ଦିଅନ୍ତି ।

୬. ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ସଚି ରାଉତରାୟ ମାଦଳାପାଞ୍ଜିକୁ ଭୋଇ ବଂଶର ରାଜତ୍ଵ ପରବର୍ତ୍ତୀ ସମୟରେ ରଚିତ ହୋଇଥିଲା ବୋଲି ମତ ଦିଅନ୍ତି ।

~ ସପ୍ତଦଶ ଶତାବ୍ଦୀର ରଚନା ~
୧. ପଣ୍ଡିତ ବିନାୟକ ମିଶ୍ର ତାଙ୍କର ‘ଓଡ଼ିଆ ସାହିତ୍ୟର ଇତିହାସ’ ଗ୍ରନ୍ଥରେ ମାଦଳାପାଞ୍ଜି ମୋଗଲମାନଙ୍କ ରାଜୁତି କାଳରେ ଅର୍ଥାତ ୧୭ଶ ଶତାବ୍ଦୀର ରଚନା ବୋଲି ମତ ଦିଅନ୍ତି ।

୨) ପଣ୍ଡିତ ମିଶ୍ରଙ୍କର ଏହି ମତ ସହିତ ଏକ ମତ ହୋଇଛନ୍ତି ସମାଲୋଚକ ରମା ପ୍ରସାଦ ଚାନ୍ଦ ।

~ ମୋଗଲ ଶାସନ କାଳୀନ ରଚନା ~
୧. ଐତିହାସିକ ମନମୋହନ ଚକ୍ରବର୍ତ୍ତୀ Language and Literature of Orissa ପ୍ରବନ୍ଧରେ ମାଦଳାପାଞ୍ଜିକୁ ମୋଗଲ ଶାସନ କାଳୀନ ରଚନା ମତ ଦେଇଛନ୍ତି, “It is not known when these records began to be kept but from the fact that a large number of details date from the time of Ananga Bhima Deva , the system would appear to have been established by him ss a rule the later the accounts the more reliable they are.”

୨. ସମାଲୋଚକ ଡଃ ବଂଶୀଧର ମହାନ୍ତି ମାଦଳାପାଞ୍ଜି ମୋଗଲମାନଙ୍କ ରାଜୁତି ସମୟର ବୋଲି ମତ ଦିଅନ୍ତି । ଏହାର ମୋଗଲ ଶବ୍ଦକୁ ନେଇ ତଥା ଶବ୍ଦ ଓ ବାକ୍ୟ ଗଠନ ଶୈଳୀ ଯୋଗୁଁ ଏପରି ଲେଖା ସେ ସମୟର ବୋଲି ତାଙ୍କର ମତ ଦୃଢ଼ ଭାବରେ ଦେଇଛନ୍ତି ।

~ ଊନବିଂଶ ଶତାବ୍ଦୀର ରଚନା ~
ଐତିହାସିକ ଡଃ ନବୀନ କୁମାର ସାହୁ ମାଦଳାପାଞ୍ଜି ଊନବିଂଶ ଶତାବ୍ଦୀର ଆରମ୍ଭରୁ ରଚିତ ହୋଇଆସୁଛି ବୋଲି ମତ ଦିଅନ୍ତି। ତାଙ୍କ ମତରେ ଏହା ୧୮୧୭/୧୮ ମସିହାରେ ଆରମ୍ଭ ହୋଇଥିଲା ।

ମାଦଳାପାଞ୍ଜିର ସତ୍ୟତା ଓ ରଚନାକାଳ ଉପରେ ଅନେକ ମତ ପାର୍ଥକ୍ୟ ପରିଲକ୍ଷିତ ହୁଏ । କେତେକ ଗବେଷକ ଏହାକୁ ଅସ୍ବୀକାର କରିବା ବେଳେ, ଅନେକ ଏହାର ସାହିତ୍ୟିକ ଓ ଐତିହାସିକ ମୂଲ୍ୟବୋଧ ଉପରେ ଗୁରୁତ୍ବ ଦେଇଛନ୍ତି । ତେବେ ଏହା ଉଲ୍ଲେଖଯୋଗ୍ୟ ଯେ, ଏତେ ଗୁଡ଼ିଏ ସାହିତ୍ୟିକ, ଗବେଷକ ଓ ଐତିହାସିକମାନଙ୍କୁ ମାଦଳାପାଞ୍ଜି ଯେମିତି ଏହାର ସତ୍ୟତା ନିର୍ଦ୍ଧାରଣ କରିବା ପାଇଁ ଗୋଲକଧନ୍ଦାରେ ପକାଇ ଦେଇଛି !! କିଛି ମୁଷ୍ଟିମେୟ ସବଜାନତା ବ୍ୟକ୍ତି ଏବେ ବି କହିଚାଲିଛନ୍ତି, ମାଦଳାପାଞ୍ଜି ଗୋଟିଏ ମିଥ୍ୟା ଉପରେ ଆଧାରିତ । ଏହିଠାରେ ଓଡ଼ିଆ ଅସ୍ମିତାର ପ୍ରତୀକ ରୂପେ ଆସନ୍ତି ପୂଜ୍ୟମଣିଷ ଜଗବନ୍ଧୁ ସିଂହ । ଏହି କ୍ରମରେ ତାଙ୍କର ଉକ୍ତିକୁ ଗ୍ରହଣ କରିବା ସର୍ବାଦୌ ଆବଶ୍ୟକ ମନେ କରୁଛୁ –

“ମାଦଳାପାଞ୍ଜି ଯେ ଭ୍ରମ ନଥିବ ବା ନାହିଁ, ଏକଥା ମୁଁ କହୁନାହିଁ । ମାଦଳାପାଞ୍ଜି ଅପେକ୍ଷା ଅନ୍ୟ ଅକାଟ୍ୟ ପ୍ରମାଣ ପାଇଲେ ମାଦଳାପାଞ୍ଜି ଲିଖିତ ବିଷୟକୁ ଯେ ତ୍ୟାଗ କରିବାକୁ ହେବ ନାହିଁ, ମୁଁ ଏକଥା କହୁ ନାହଁ । କିନ୍ତୁ ଅନ୍ୟ କୌଣସି ବିଶ୍ଵାସଯୋଗ୍ୟ ପ୍ରମାଣ ନଥିଲେ ମାଦଳାପାଞ୍ଜିକୁ ଅବିଶ୍ବାସ କରିବାର କାରଣ ନାହିଁ ।” (ପ୍ରାଚୀନ ଉତ୍କଳ)

ଏ ସମ୍ପର୍କରେ ଓଡ଼ିଆ ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ, ବିଶିଷ୍ଟ ସାହିତ୍ୟିକ, ସମାଲୋଚକ ଶ୍ରୀଯୁକ୍ତ ପଠାଣି ପଟ୍ଟନାୟକଙ୍କ ଉକ୍ତି ଉପରେ ଟିକେ ନଜର ପକେଇବା, “ମାଦଳାପାଞ୍ଜିର ପୂର୍ଣ୍ଣାଙ୍ଗ ଉଦ୍ଧାର କାର୍ଯ୍ୟ ସହିତ ବୈଜ୍ଞାନିକ ରୀତିରେ ଅନୁଶୀଳନ ଓ ସମ୍ପାଦନା ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ । ତେଣୁ ମାଦଳାପାଞ୍ଜି ବିଷୟରେ ପ୍ରଦତ୍ତ ମତ ଗୁଡ଼ିକ ଶେଷ କଥା ଭାବରେ ଗ୍ରହଣୀୟ କିପରି ହେବ ? ଓଡ଼ିଆ ଭାଷା ଓ ଓଡ଼ିଆ ଗଦ୍ୟରଚନାର ବିକାଶକ୍ରମ ସମାଲୋଚନା କାଳରେ ମାଦଳାପାଞ୍ଜିର ଭୂମିକା ଆଦୌ ଅବହେଳିତ ନୁହେଁ । ଶ୍ରୀମନ୍ଦିରର ବହୁଶତ ବର୍ଷର ଧାରାବାହିକ ଗଦ୍ୟ ରଚନା ଭାରତୀୟ ଗଦ୍ୟ ସାହିତ୍ୟର ଏକ ଗୌରବମୟ ଅଧ୍ୟାୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।”(ଅଗ୍ରଲେଖ, ଡଃ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମାଦଳାପାଞ୍ଜି )

ଆଧାର: ମାଦଳାପାଞ୍ଜି, ଡଃ ଆର୍ତ୍ତବଲ୍ଲଭ ମହାନ୍ତି;
ଓଡ଼ିଆ ସାହିତ୍ୟର ଇତିହାସ, ଡଃ ବାଉରୀବନ୍ଧୁ କର;
ଓଡ଼ିଆ ସାହିତ୍ୟର ଇତିହାସ, ଡଃ ସୁରେନ୍ଦ୍ର ମହାରଣା;
ପ୍ରାଚୀନ ଉତ୍କଳ, ଜଗବନ୍ଧୁ ସିଂହ, ଇଉନିକ୍ ପବ୍ଲିଶର୍ସ, କଟକଙ୍କ ସମ୍ପାଦିତ ପ୍ରବନ୍ଧ;
ଓଡ଼ିଶାର ଇତିହାସ, ପ୍ୟାରୀମୋହନ ଆଚାର୍ଯ୍ୟ

Leave a Comment

Your email address will not be published. Required fields are marked *

Scroll to Top