ଉପସ୍ଥାପନା: ଅରକ୍ଷିତ ପୃଷ୍ଟି
ପୁଣ୍ୟଭୂମି ଉତ୍କଳର ମାଟି, ପାଣି, ପବନ, କଳାସଂସ୍କୃତି, ସାହିତ୍ୟ, ପରମ୍ପରା, ଭାଷା ପ୍ରଭୃତିକୁ ଅତିରୁ ଅତି ଭଲ ପାଉଥିବା, ଉତ୍କଳ ଜନନୀର ପ୍ରାଣ ସ୍ପନ୍ଦନକୁ ମର୍ମେ ମର୍ମେ ଅନୁଭବ କରିପାରୁଥିବା, ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅତୁଳନୀୟ-ତ୍ୟାଗୀପ୍ରବର-ସ୍ୱାଧୀନଚେ
ମହାରାଜା ବୈକୁଣ୍ଠନାଥ ଦେବ ଜନ୍ମ ନିଅନ୍ତି ୧୮୫୨ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ। ତାଙ୍କର ପିତା ହେଉଛନ୍ତି ରାଜା ଶ୍ୟାମାନନ୍ଦ ଦେବ । ସେ ଜଣେ ବିଶିଷ୍ଟ ଜମିଦାର ଥିଲେ । ସେ ମଧ୍ୟ ସୁପରିଚିତ ଥିଲେ ଜଣେ ପରୋପକାରୀ ଓ ଦେଶ ହିତୈଷୀ ବ୍ୟକ୍ତି ଭାବରେ ।
ସ୍ୱତନ୍ତ୍ର ଓଡ଼ିଶା ଗଠନରେ ବୈକୁଣ୍ଠନାଥ ଦେବଙ୍କ ଭୂମିକା ଥିଲା ବିଶେଷ ଗୁରୁତ୍ଵପୂର୍ଣ୍ଣ। ସେ ଓଡ଼ିଶାର ପ୍ରଥମ ବ୍ୟକ୍ତି, ଯେକି ବଙ୍ଗୀୟ ବ୍ୟବସ୍ଥାପକ ସଭାକୁ ଓଡ଼ିଶାରୁ ପ୍ରଥମେ ମନୋନୀତ ହୋଇଥିଲେ । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ନିର୍ଭୟରେ ସେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ।
କଟକଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ସପ୍ତମ ଅଧିବେଶନରେ ସେ ସଭାପତିତ୍ବ କରିଥିଲେ । ଅଦ୍ୟାପି ବାଲେଶ୍ବରର ବାରବାଟୀ ଅଞ୍ଚଳରେ ତାଙ୍କର ଉତ୍ତୁଙ୍ଗ ରାଜବାଟୀ କେବଳ ମୌନସାକ୍ଷୀ ଭାବେ ଦଣ୍ଡାୟମାନ। ସମୟର କଷଟିରେ କିନ୍ତୁ ମ୍ଳାନ ହୋଇନାହିଁ ତାଙ୍କ ଆଭା, କେବଳ ଓଡ଼ିଆ ଜୀବନ ଭିତରେ କ୍ଷୀଣ ତାଙ୍କର ଚର୍ଚ୍ଚା । ତଥାପି ସେହି ଅଖଣ୍ଡ ଦୀପଶିଖା ଓଡ଼ିଆ ଜାତିକୁ ସଦା ଆଲୋକିତ କରିଥିବା ଏକ ଅମ୍ଳାନ ଜ୍ୟୋତିଷ୍କ।
ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋପ ପାଇବାକୁ ଯାଉଥିବା ଓଡ଼ିଆ ଭାଷାକୁ ରକ୍ଷା କରିବା ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରୀକରଣ କରିବା ଦିଗରେ ତାଙ୍କର ବଳିଷ୍ଠ ପଦକ୍ଷେପ ଇତିହାସର ଏକ ଗୌରବୋଜ୍ଜ୍ଵଳ ଅଧ୍ୟାୟ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ମୂଳରେ ତାଙ୍କର ଅବଦାନ ମଧ୍ୟ କୌଣସି ଗୁଣରେ ନ୍ୟୂନ ନଥିଲା ।
ନ’ଅଙ୍କ ଦୁର୍ଭିକ୍ଷ ସମୟରେ ସେ ବହୁ ଲୋକଙ୍କୁ ମାଗଣା ଅନ୍ନଦାନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ସାହାଯ୍ୟ କାର୍ଯ୍ୟ କରିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଗଭୀର ମମତା ଥିଲା। ସେ ୧୮୭୩ ମସିହାରେ ବାଲେଶ୍ବରରେ ‘ଦେ ପ୍ରେସ୍’ ନାମକ ଗୋଟିଏ ଛାପାଖାନା ପ୍ରତିଷ୍ଠାକରି ଓଡ଼ିଆରେ ‘ସମ୍ବାଦ ବାହିକା’ ନାମକ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲେ। ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଏହାରି ମାଧ୍ୟମରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ପରିପୁଷ୍ଟ କରାଇ ବିଦ୍ୟାଳୟମାନଙ୍କରେ ବଙ୍ଗଳାଭାଷା ପ୍ରବର୍ତ୍ତନ ବିରୋଧରେ ଜନମତ ସୃଷ୍ଟି କରିବା। ସୁତରାଂ ସେ ଓଡ଼ିଶାରେ ଏକପ୍ରକାର ବୌଦ୍ଧିକ ଜାଗରଣ ସୃଷ୍ଟି କରିଥିଲେ ।
୧୮୭୪ ମସିହାରେ ବଙ୍ଗଳାର ଛୋଟ ଲାଟ୍ ସାର୍ ରିର ଟେମ୍ପୁଲଙ୍କ ବାଲେଶ୍ବର ଆଗମନ ସମୟରେ ବୈକୁଣ୍ଠନାଥ ଦେବ ଓ ଆଦିନେତା ବାବୁ ବିଚିତ୍ରାନନ୍ଦ ଦାସ ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହାଥିଲା ବୋଧେ ତାଙ୍କ ଜାତିପ୍ରାଣତାର ଆଦ୍ୟ ଅର୍ଘ୍ୟ। ଓଡ଼ିଆ ଜାତିର ଇତିହାସରେ ଏହା ଅବିସ୍ମରଣୀୟ ହୋଇ ରହିବ ।
୧୮୮୧ ମସିହା ଜାନୁଆରୀ ମାସରେ ବାଲେଶ୍ବର ସହରର ବାରବାଟୀଠାରେ ସେ ପ୍ରଥମେ ଏକ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ । ଏଥିସହିତ ବିଦ୍ୟାଳୟରେ ପଠନପାଇଁ ‘ବାଳିକା ପାଠ’ ନାମରେ ସେ ନିଜେ ଓଡ଼ିଆ ଭାଷାରେ ଏକ ପୁସ୍ତକ ପ୍ରଣୟନ କରିଥିଲେ । ଏହା ବ୍ୟତୀତ ସେ ଅନ୍ୟାନ୍ୟ ସ୍ଥାନରେ ବହୁ ବିଦ୍ୟାଳୟ ପ୍ରତିଷ୍ଠା କରି ଓଡ଼ିଆ ଭାଷାରେ ଶିକ୍ଷାଦାନ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଓଡ଼ିଆ ଭାଷାରେ ସେ ମଧ୍ୟ ଏକ ମାନଚିତ୍ର ପ୍ରଣୟନ କରିଥିଲେ । ଏଥିପାଇଁ ୧୮୮୩-୮୪ ମସିହାରେ କଲିକତାରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ ପ୍ରଦର୍ଶନୀରେ ତାଙ୍କୁ ଏକ ମେରିଟ୍ ସାର୍ଟିଫିକେଟ୍ ସହ ଏକ ବ୍ରୋଞ୍ଜ ପଦକ ଉପାୟନ ସ୍ୱରୂପ ପ୍ରଦାନ କରାଯାଇଥିଲା । ୧୮୮୨ ମସିହାରେ ଓଡ଼ିଶାରେ ରେଳପଥ ନିର୍ମାଣ କରିବା ପାଇଁ ସେ ବାଲେଶ୍ବରରେ ଏକ କମିଟି ସ୍ଥାପନ କରିଥିଲେ ଏବଂ ଏଥିପାଇଁ ଏକ ମୁଦ୍ରିତ ସ୍ମାରକୀ ଇଂରେଜ ସରକାରଙ୍କୁ ଦେଇଥିଲେ।
୧୮୮୩ ମସିହାରେ ବୈକୁଣ୍ଠନାଥ ବଙ୍ଗଳା ଲେଜିସ୍ଲେଟିଭ କାଉନ୍ସିଲ୍କୁ ସଦସ୍ୟ ରୂପେ ମନୋନୀତ ହୋଇଥିଲେ। ଏହି ମହାନ୍ ଗୌରବର ଅଧୁକାରୀ ହେବାରେ ଓଡ଼ିଶାରୁ ସେ ହେଲେ ପ୍ରଥମ ବ୍ୟକ୍ତି । ସେଠାରେ ସେ ଓଡ଼ିଶା ବିଷୟରେ ବିଭିନ୍ନ ସମସ୍ୟା ଓ ପ୍ରଶ୍ନ ଉତ୍ଥାପନ କରିଥିଲେ।
୧୮୮୪ ମସିହା ଏପ୍ରିଲ୍ ୬ ତାରିଖ ଦିନ ବାଲେଶ୍ବର ନଗରବାସୀ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରି ତାଙ୍କୁ ଏକ ମାନପତ୍ର ପ୍ରଦାନ କରିଥିଲେ । ସେଥିରେ ଲେଖାଥିଲା, “ବିଦ୍ୟାଳୟ ଓ ମୁଦ୍ରାଯନ୍ତ୍ର ସଂସ୍ଥାପନ ଏବଂ ନାନାବିଧ ପୁସ୍ତକ, ପତ୍ରିକା ଓ ମାନଚିତ୍ର ଆଦି ପ୍ରଚାର ଦ୍ଵାରା ଆପଣ ଶିକ୍ଷା ବିସ୍ତାର ଓ ତହିଁ ସଙ୍ଗେ ସଙ୍ଗେ ଓଡ଼ିଆ ସାହିତ୍ୟର ବିଶେଷ ଉନ୍ନତି କରିଛନ୍ତି ।” ବାସ୍ତବପକ୍ଷେ ଉପରୋକ୍ତ ପଦକ୍ଷେପଗୁଡ଼ିକ ଗ୍ରହଣ କରି ସେ ଓଡ଼ିଆଭାଷାକୁ ବଞ୍ଚାଇବା ସଙ୍ଗେସଙ୍ଗେ ଏହାର ମାନବୃଦ୍ଧି କରାଇ ପରୋକ୍ଷରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ। କେବଳ ସେତିକି ନୁହେଁ, ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଦିଗରେ ରାଜା ବୈକୁଣ୍ଠନାଥ ଦେବଙ୍କର ଅବଦାନ କୌଣସି ଗୁଣରେ ନ୍ୟୂନ ନଥିଲା । ଏହା ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ୧୮୭୯ ମସିହାରେ ବାଲେଶ୍ୱରଠାରେ ‘ଜାତୀୟ ସଂସଦ’ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କରି ୧୮୮୪ ମସିହାରେ ସେ ଏହାର ସଭାପତି ଆସନ ଅଳଙ୍କୃତ କରିଥିଲେ।
ତରୁଣ ବୟସରେ ଥିବାବେଳେ ରେମୁଣାଠାରେ ଗୋଟିଏ ସ୍କୁଲ ବସାଇବା ପାଇଁ ଫକୀରମୋହନ ତାଙ୍କୁ ପ୍ରସ୍ତାବ ଦିଅନ୍ତି। ଏଥିରେ ସମ୍ମତି ପ୍ରକାଶ କରି ବୈକୁଣ୍ଠନାଥ ସମସ୍ତ ବ୍ୟୟ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇ ସଙ୍ଗେ ସଙ୍ଗେ ଫକୀରମୋହନଙ୍କ ହାତରେ ତିନିଶହ ଟଙ୍କା ଦାନ କରିଥିଲେ । ଏହା ତାଙ୍କର ମହାନୁଭବତାକୁ ସୂଚିତ କରିଥାଏ ।
ଭାରତର ବଡ଼ଲାଟ୍ ଲାନସ୍ ଡ଼ାଉନ୍ ୧୮୮୯ ମସିହା ଜାନୁଆରୀ ୧ ତାରିଖରେ ବୈକୁଣ୍ଠନାଥଙ୍କୁ ‘ରାଜାବାହାଦୁର’ ପଦବୀରେ ଅଂଳକୃତ କରିଥିଲେ ତାଙ୍କର ସଂସ୍କାରମୂଳକ, ଗଠନମୂଳକ ତଥା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅବଦାନ ପାଇଁ ।
ଭାରତର ତତ୍କାଳୀନ ବଡ଼ଲାଟ୍ ଲର୍ଡ କର୍ଜନଙ୍କ ନିକଟରେ ୧୯୦୨ ମସିହା ଡ଼ିସେମ୍ବର ୧୫ ତାରିଖ ଦିନ ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ବଙ୍ଗଳାର ଶାସନାଧୀନ କରିବା ପାଇଁ ସେ ଯୁକ୍ତି ବାଢିଥିଲେ । ଓଡ଼ିଶା କହିଲେ ପ୍ରକୃତ ପକ୍ଷେ କେଉଁ କେଉଁ ଅଞ୍ଚଳକୁ ବୁଝାଉଛି ସେ ତାହାର ଏକ ତାଲିକା ଏଥିରେ ସଂଲଗ୍ନ କରିଥିଲେ । ସେ ଦର୍ଶାଇଥିବା ଅଞ୍ଚଳ ଗୁଡ଼ିକ ହେଲା – ବାଲେଶ୍ଵର, କଟକ, ପୁରୀ, ଅନୁଗୁଳ ଓ ୧୮ଟି ଗଡ଼ଜାତ ରାଜ୍ୟ, ଯେଉଁ ଗୁଡ଼ିକୁ ନେଇ ତତ୍କାଳୀନ ଓଡ଼ିଶା ଗଠିତ । ଏଥି ସହିତ ସମ୍ବଲପୁର, ବାମଣ୍ଡା, ବରଗଡ଼, ରାୟଗଡ଼, କଳାହାଣ୍ଡି, ରେଢାଖୋଲ, ପାଟଣା ଓ ସୋନପୁର, ସାରଙ୍ଗଗଡ଼, ଗଞ୍ଜାମ, ବ୍ରହ୍ମପୁର, ଚିକାକୋଲ୍ ଓ ଘୁମୁସର ଆଦି ଓଡ଼ିଆ ଭାଷାଭାଷୀ ଅଞ୍ଚଳ । ଏହାକୁ ଓଡ଼ିଶାରେ ଅନ୍ତର୍ଭୁକ୍ତ କରିବା ପାଇଁ ସେ ସ୍ମାରକପତ୍ରରେ ଲେଖିଥିଲେ । ଏହି ଦାବି ପତ୍ରଟିରେ ଏକ ଲକ୍ଷ ଲୋକଙ୍କର ସ୍ବାକ୍ଷର ସେ ସଂଗ୍ରହ କରିଥିଲେ ଏବଂ ଏହାକୁ ସେ ତାଙ୍କ ଦ୍ବାରା ପ୍ରକାଶିତ ସମ୍ବାଦପତ୍ରରେ ପ୍ରକାଶିତ କରାଇ ଏହାର ବହୁଳ ପ୍ରଚାର କରିଥିଲେ। ଏହିଭଳି ଉଦ୍ୟମ ଫଳରେ ୧୯୦୫ ମସିହାରେ ଇଂରେଜ ସରକାର ସମ୍ବଲପୁର ଜିଲ୍ଲାକୁ ଓଡ଼ିଶା ସହ ମିଶାଇ ଦେଇଥିଲେ।
ଇଂରେଜ ସରକାରଙ୍କ ଦ୍ଵାରା ନିମନ୍ତ୍ରିତ ହୋଇ ୧୯୦୩ ମସିହାରେ ମହାରାଜା ବୈକୁଣ୍ଠନାଥ ଦେବ ଦିଲ୍ଲୀରେ ଅନୁଷ୍ଠିତ ରାଜସୂୟ ଦରବାରରେ ଯୋଗ ଦେଇଥିଲେ । ଏହାଥିଲା ବୈକୁଣ୍ଠନାଥ ଦେଙ୍କର ଜୀବନର ଏକ ସ୍ମରଣୀୟ ଘଟଣା।
୧୯୦୬ ମସିହା ଏପ୍ରିଲ୍ ୧୩ ଓ ୧୪ ତାରିଖରେ ବାଲେଶ୍ଵରର ପରମିଟ୍ ପଡ଼ିଆରେ ଉତ୍କଳ ସମିଳନୀର ତୃତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । କଟକ ବାହାରେ ଏହାଥିଲା ସମ୍ମିଳନୀର ପ୍ରଥମ ଅଧିବେଶନ । ରାଜା ବୈକୁଣ୍ଠ ନାଥ ଦେବଙ୍କ ପ୍ରଚେଷ୍ଟା ଏବଂ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପୃଷ୍ଠପୋଷକତା ଯୋଗୁଁ ଏହା ସମ୍ଭବ ହୋଇଥିଲା । ଉତ୍କଳ ସମ୍ମିଳନୀର ଏହି ଅଧିବେଶନ ସହିତ ଏହାର ସାଖା ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ତୃତୀୟ ଅଧିବେଶନ ମଧ୍ୟ ବୈକୁଣ୍ଠନାଥଙ୍କ ଗୃହରେ ଅନୁଷ୍ଠିତ ହୋଇଥିଲା । ୧୯୧୦ ମସିହା ଡ଼ିସେମ୍ବର ୩୦ ଓ ୩୧ ତାରିଖରେ କଟକଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ସପ୍ତମ ଅଧିବେଶନରେ ସେ ସଭାପତିତ୍ବ କରିଥିଲେ ।
ଏହାପରେ ଇଂରେଜ ସରକାର ୧୯୧୨ ମସିହା ଅଗଷ୍ଟ ୧ ତାରିଖ ଦିନ ଓଡ଼ିଶାକୁ ବଙ୍ଗଳାରୁ ନେଇ ବିହାର ସହିତ ମିଶାଇ ‘ବିହାର–ଓଡ଼ିଶା’ ନାମରେ ଏକ ସ୍ବତନ୍ତ୍ର ପ୍ରଦେଶ ଗଠନ କରିଥିଲେ । ଏହାର ନବଗଠିତ ବ୍ୟବସ୍ଥାପକ ସଭାକୁ ବୈକୁଣ୍ଠ ନାଥଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ସେଠାରେ ମଧ୍ୟ ସେ ‘ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ‘ ଗଠନ ପାଇଁ ବାରମ୍ବାର ଦାବି ଜଣାଇଥିଲେ। କିନ୍ତୁ ୧୯୩୬ ମସିହା ଏପ୍ରିଲ ପହିଲାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ସ୍ଵୀକୃତି ଲାଭ କଲା ବେଳକୁ ସେ ଆଉ ଇହଧାମରେ ନଥିଲେ ।
ଆପଣା ଦକ୍ଷତା ବଳରେ ଦେଶ ହିତକର ଏବଂ ବିବିଧ ଜନହିତକର କାର୍ଯ୍ୟକରି ୧୯୧୩ ମସିହାରେ ବ୍ରିଟିଶ ସରକାରଙ୍କଠାରୁ ସେ “ମହାରାଜା” ଉପାଧି ଲାଭ କରିଥିଲେ । ସେ ଜଣେ ଦାନଶୀଳ ରାଜା ଥିଲେ। ତାଙ୍କର ବହୁ ବଦାନ୍ୟ କର୍ମ ସଂପର୍କରେ ‘ଷ୍ଟାର ଅଫ ଉତ୍କଳ’ ତା୦୧/୧୨/୧୯୦୬ରୁ ଅନେକ ସୂଚନା ମିଳେ ।
୧୯୧୩ ମସିହାରେ ସେ କଲିକତା ଯାତ୍ରାକଲେ। ଯିବା ପୂର୍ବରୁ ରୋଗଶଯ୍ୟାରେ ପଡ଼ିଥିବା ବ୍ୟାସକବି ଫକୀରମୋହନଙ୍କୁ ଦେଖାକରି କହିଥିଲେ, “ଫକୀରମୋହନ ବାବୁ, ମୁଁ କାଲି କଲିକତା ଯାଉଛି, ବାହୁଡ଼ି ଆସିଲେ ଦେଖାହେବ।” କିନ୍ତୁ ଦୁର୍ଭାଗ୍ୟ, ସେ ଆଉ ବାହୁଡ଼ିଲେ ନାହିଁ। ସେହିଠାରେ ରୋଗଗ୍ରସ୍ତ ହୋଇ ୧୯୧୩ ମସିହା ଡିସେମ୍ବର ୭ ତାରିଖରେ ଶେଷ ନିଃଶ୍ବାସ ତ୍ୟାଗ କଲେ । ତାଙ୍କର ଆକସ୍ମିକ ମୃତ୍ୟୁ ବାସ୍ତବିକ ଏ ଜାତିପାଇଁ ଥିଲା ଗଭୀର ଦୁଃଖଦାୟକ ।
“ଉତ୍କଳ ଦର୍ପଣ“ ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟ ପତ୍ରିକା । ଦେ’ଙ୍କ ଉତ୍କଳ ପ୍ରେସରେ ମୁଦ୍ରିତ ଏହି ପତ୍ରିକାର ମୁଦ୍ରାକର, ପ୍ରକାଶକ, ପୃଷ୍ଠପୋଷକ ଓ ପରିଚାଳକ ଥିଲେ ରାଜା ବୈକୁଣ୍ଠନାଥ ଦେବ। ପ୍ରକାଶନର ପଶ୍ଚାତରେ ଥିଲେ କବି ରାଧାନାଥ ରାୟ ଓ ପ୍ରଶାସକ ଜନ୍ ବୀମସ୍। ଦୁଇବର୍ଷ ମାସିକ (୧୮୭୩ – ୭୫) ଭାବରେ ପ୍ରକାଶିତ ହୋଇ ପରେ, ଏହା ସମ୍ବାଦପତ୍ରରେ ରୂପାନ୍ତରିତ ହୋଇଛି। ପତ୍ରିକାର ପ୍ରମୁଖ ଲେଖକ ଥିଲେ – ରାଧାନାଥ ରାୟ, ମଧୁସୂଦନ ରାଓ, ଜୟକୃଷ୍ଣ ଚୌଧୁରୀ, ଭୋଳାନାଥ ସାମନ୍ତରାୟ, ଭୋଳାନାଥ ରାୟ ଓ ଅନ୍ୟମାନେ। ଗୋଟିଏ ଗୋଟିଏ ସଂଖ୍ୟାରେ ଜଣେ ଲେଖକଙ୍କର ଏକାଧିକ ଲେଖା ପ୍ରକାଶପାଇଛି ଏବଂ ଲେଖାରେ ସେମାନଙ୍କ ନାମର ସୂଚନା ଦିଆଯାଇନାହିଁ। ବିଶେଷତଃ ରାଧାନାଥ ଓ ମଧୁସୂଦନଙ୍କ ଅଧିକାଂଶ ଗଦ୍ୟ ରଚନା ଓ ଅନୁବାଦ (ରାଧାନାଥଙ୍କ ବିବେକୀ, ଆମ୍ଭମାନଙ୍କ ଗୃହ, ଇତାଲୀୟ ଯୁବା, କାଳିଦାସ, ମେଘଦୂତ: ମଧୁସୂଦନଙ୍କ ଚନ୍ଦ୍ର ଓ ତାରା, ଚନ୍ଦ୍ରଗ୍ରହଣ, ଗ୍ରହମାନେ ପ୍ରାଣୀମାନଙ୍କର ଆବାସ ଭୂମି କି ନା ? ଅର୍ଥ ଏବଂ ମୁଦ୍ରା, ଶାସନ ପ୍ରଣାଳୀ, ଉଲକାପିଣ୍ଡ, ବୁଦ୍ଧଦେବ, ମାତୃଭାଷା, ବିଦ୍ୟାନୁଶୀଳନ, ମାଇକେଲ ମଧୁସୂଦନ ଦତ୍ତ, ବୁଦ୍ଧଦେବ, ସକ୍ରେଟିସ୍, ନାକ୍ଷତ୍ରିକ ଜଗତ, ମନୋବିଜ୍ଞାନ (କୌଣସି ଅଜ୍ଞାତ ଲେଖକଙ୍କର ଉପନ୍ୟାସ) ଧନଞ୍ଜୟ ସିଂ, ବଳରାମ ଦାସଙ୍କ ଅନୁଦିତ କାଳିଦାସଙ୍କ କୁମାର ସମ୍ଭବ, ହଣ୍ଟରଙ୍କ ଓଡ଼ିଆ ଇତିହାସ ଗ୍ରନ୍ଥର ସମୀକ୍ଷା’ ଏବଂ ସଂସ୍କୃତି, ସାହିତ୍ୟ, ଶିକ୍ଷା, ସମାଜ ବ୍ୟବସ୍ଥା ବିଷୟକ କେତେକ ପତ୍ର ଏଥିରେ ପ୍ରକାଶିତ। ଏହାର ପ୍ରଥମରୁ ଷଷ୍ଠ ସଂଖ୍ୟା ମଧ୍ୟରେ ମୁଦ୍ରିତ ରହସ୍ୟ ଶୀର୍ଷକ ରଚନାଗୁଡ଼ିକ ସ୍ୱତନ୍ତ୍ର ପ୍ରକାରର । ପୁନଶ୍ଚ ପ୍ରତ୍ୟେକ ସଂଖ୍ୟାର ଶେଷରେ ‘ବିବିଧ ସମ୍ବାଦ’ ଶୀର୍ଷକରେ କେତୋଟି ଗୁରୁତ୍ଵପୂର୍ଣ୍ଣ ସମ୍ବାଦ ପ୍ରକାଶ କରାଯାଇଛି । ସାହିତ୍ୟ ପତ୍ରିକାରେ ସମ୍ବାଦର ସଂଯୋଜନ ଦ୍ଵାରା ସମକାଳୀନ ସାଂସ୍କୃତିକ, ରାଜନୈତିକ ଓ ସାମାଜିକ ଘଟଣାବଳୀ ସମ୍ପର୍କରେ ପାଠକମାନଙ୍କୁ ଅବଗତ କରିବାର ଉଦ୍ଦେଶ୍ୟ ସୁସ୍ପଷ୍ଟ। ସାମଗ୍ରିକ ଭାବେ, ଉତ୍କଳ ଦର୍ପଣ ସମ୍ପର୍କରେ ଏତିକି କୁହାଯାଇପାରେ ଯେ, ଆଧୁନିକ ଓଡ଼ିଆ ଗଦ୍ୟରୀତି ଗଢ଼ଣରେ ଏହାର ଭୂମିକା ଗୁରୁତ୍ଵପୂର୍ଣ୍ଣ।
ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପର କଥା ଇତିହାସ ସ୍ୱଳ୍ପ ସ୍ମରଣ କରିଛି ଏପରି ଜଣେ ମହମାନବଙ୍କୁ। ଉତ୍କଳୀୟ ମାନଙ୍କ ନିକଟରେ ସେ ଆଜି ଏକପ୍ରକାର ବିସ୍ମୃତ କହିଲେ ଚଳେ ! ଯାହାଙ୍କ ମହନୀୟତା ବ୍ୟାସକବି ଫକୀରମୋହନଙ୍କ ନିମ୍ନୋକ୍ତ ପଦ୍ୟରୁ ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ !
“ହେ ରାଜା ବୈକୁଣ୍ଠନାଥ ତୁମେ ହିଁ କେବଳ
ଜନ୍ମିଛ ଉତ୍କଳେ ସାଧୁ ଦୃଷ୍ଟାନ୍ତର ସ୍ଥଳ,
ଦେଶବାସୀ ନରନାରୀ ମଙ୍ଗଳ କାରଣ
ଧନ ମାନ ପ୍ରାଣ ସର୍ବ କରିଛ ଅର୍ପଣ,
ଯେ ନାମ ଅଙ୍କିତ କଲ ପୁରାଣ ଗ୍ରନ୍ଥରେ
ଗାଇବେ ଉତ୍କଳବାସୀ ଯୁଗ ଯୁଗାନ୍ତରେ” ।।
ହେ ପ୍ରିୟ ପାଠକ ବନ୍ଧୁ ! ଆସନ୍ତୁ, ବାସ୍ତବରେ ଉତ୍କଳ ଜନନୀଙ୍କୁ ପ୍ରାଣଠାରୁ ଅଧିକ ଭଲପାଉଥିବା ସେହି ନିରଳସ ସାଧକଙ୍କ ପାଦରେ କୋଟି ପ୍ରଣାମ ଜଣାଇ ତାଙ୍କ ମହାନତା ସମ୍ବନ୍ଧରେ ଉତ୍କଳୀୟ ଭ୍ରାତାଭଗ୍ନୀଗଣଙ୍କୁ ଜାଣିବାର ସୁଯୋଗ ଦେଇ ନିଜକୁ ଧନ୍ୟ ମନେ କରିବା।
(ତଥ୍ୟସୂତ୍ର: ସମ୍ପୂର୍ଣ ଆଲେଖ୍ୟଟି ମାନନୀୟ ଶ୍ରୀଯୁକ୍ତ ନୃସିଂହ ଚରଣ ସାହୁଙ୍କ ଲିଖିତ “ଆମେ ଓଡ଼ିଆ (ଭାଗ-୧)” ମହାନ ଗ୍ରନ୍ଥର ଅନୁସରଣରେ ଲିଖିତ)
ଫଟୋ: ଶ୍ରୀଯୁକ୍ତ ନୃସିଂହ ଚରଣ ସାହୁ, ଶ୍ରୀଯୁକ୍ତ ଅଂଶୁମାନ ମହାରଣା
ସୁନ୍ଦର ଉପସ୍ଥାପନା