ମନମୋହନ ଚୌଧୁରୀ

ଲେଖା: ନିରଞ୍ଜନ ସାହୁ
୧୯୨୪ ମସିହା ଏପ୍ରିଲ ମାସ ତିନି ତାରିଖ । କଟକ ଟାଉନହଲ୍’ରେ ପାଳିତ ହେଉଥାଏ ବ୍ରିଟିଶ ସରକାରଙ୍କ ନାରକୀୟ ହତ୍ୟାକାଣ୍ଡ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଦିବସ । ସଭାସ୍ଥଳ ଭରପୂର ।
ଗୋଟିଏ ନଅ ବର୍ଷର ବାଳକ ତା’ର ସାତ ବର୍ଷର ଭଉଣୀକୁ ସାଙ୍ଗରେ ଧରି ଆଗଧାଡିର ଶ୍ରୋତା । ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଶ୍ରୀ ରାଜକୃଷ୍ଣ ବୋଷ ବର୍ଣ୍ଣନା କରୁଛନ୍ତି ଭାଷଣ ମାଧ୍ୟମରେ ଏହି ନାରକୀୟ ହତ୍ୟାକାଣ୍ଡ ସମ୍ପର୍କରେ । ଉପସ୍ଥିତ ଲୋକ ମାନଙ୍କର ରକ୍ତ ତାତି ଉଠିବାର ସମୟ । ଦୁଇ ଭାଇଭଉଣୀ ଭାଷଣ ଶୁଣି ଉତ୍ତେଜିତ ହୋଇ ଉଠିଛନ୍ତି । ଇଂରେଜ ସରକାରଙ୍କ ବିରୁଦ୍ଧରେ କ୍ଷୋଭ ଜାଗ୍ରତ ହୋଇଥାଏ । ଶପଥ ନେଲେ ଦୁହେଁ ସେଇଠି — “ଦେଶର ସ୍ଵାଧୀନତା ପାଇଁ ଜୀବନ ଉତ୍ସର୍ଗ କରିବା, ଦେଶକୁ ସ୍ବାଧୀନ କରିବା ଓ ଗାନ୍ଧୀଙ୍କ ଆହ୍ବାନରେ ଝାସ ଦେବା ଆନ୍ଦୋଳନରେ ।”
ଏହି ଭାଇଭଉଣୀ ହେଉଛନ୍ତି ଶ୍ରୀ ମନମୋହନ ଚୌଧୁରୀ ଓ ଅନ୍ନପୂର୍ଣ୍ଣା ଚୌଧୁରୀ (ମହାରଣା) । ଗାନ୍ଧୀମଣିଷ ଗୋପବନ୍ଧୁ ଚୌଧୁରୀ, ମା’ ରମାଦେବୀ ଚୌଧୁରୀଙ୍କ ପୁତ୍ର କନ୍ୟା, ଦାଦା (କକା) ଶ୍ରୀ ନବକୃଷ୍ଣ ଚୌଧୁରୀ, ଖୁଡ଼ି ମାଳତୀ ଚୌଧୁରୀ ଓ ଅଜା କୁଳବୃଦ୍ଧ ମଧୁସୂଦନଗୋପାଳବଲ୍ଲଭ ଦାସ (ମଧୁସୂଦନଙ୍କ ସାନଭାଇ )।
ସେଦିନର ଶପଥ ନେଇଥିବା ବାଳକ ହେଉଛନ୍ତି ମନମୋହନ ଚୌଧୁରୀ । ପ୍ରେରଣା ପାଇଥିଲେ ପିଲାଟି ଦିନରୁ ବାପା,ମାଆ, କକା ଓ ଖୁଡ଼ିଙ୍କ ଠାରୁ ଜଣେ ଆଦର୍ଶ ମଣିଷ, ଗାନ୍ଧୀବାଦୀ ହେବା ପାଇଁ । ଜନ୍ମ ତାଙ୍କର ହୋଇଥିଲା ୧୯୧୫ ମସିହା ଅକ୍ଟୋବର ମାସ ପନ୍ଦର ତାରିଖ ଦିନ ‌। ପିଲାଟି ଦିନରୁ ଗାନ୍ଧୀ ବୋଲି ଡାକୁଥିଲେ ସହପାଠୀମାନେ, କାରଣ ଥିଲା ଖଦଡ଼ ଲୁଗା ପିନ୍ଧିବା ନେଇ । କୌଣସି ବିଧିବଦ୍ଧ ଭାବେ ପଢ଼ି ନଥିଲେ ମନମୋହନ । କିନ୍ତୁ ନିଜ ଅଧ୍ୟବ୍ୟସାୟ ଫଳରେ ବହୁ ଭାଷାରେ ବିଦ୍ୱାନ ଥିଲେ ସେ । ଏକାଧିକ ଭାରତୀୟ ଭାଷାରେ ପାଣ୍ଡିତ୍ୟ ଥିଲା ତାଙ୍କର ।
ସ୍ଵାଧୀନତା ସଂଗ୍ରାମରେ ପ୍ରତ୍ୟକ୍ଷ ଭାବେ ଯୋଗ ଦେଇ ମହାତ୍ମାଗାନ୍ଧୀ, ବିନୋବା ଭାବେ, ଜୟପ୍ରକାଶ ନାରାୟଣ ଓ ରବୀନ୍ଦ୍ରନାଥ ଠାକୁରଙ୍କର ଅତି ପ୍ରିୟପାତ୍ର ହୋଇପଡ଼ିଥିଲେ ଓ ସେମାନଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିଥିଲେ । ସତ୍ୟାଗ୍ରହୀ ମନମୋହନ ତାଙ୍କ ପିତାଙ୍କ ପ୍ରତିଷ୍ଠିତ #ବରି #ଆଶ୍ରମ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାରକ ଭାବେ କାର୍ଯ୍ୟରତ ଥିଲେ ବହୁଦିନ ପର୍ଯ୍ୟନ୍ତ । ଅନେକଥର ଜେଲଦଣ୍ଡ ଭୋଗି ସ୍ଵାଧୀନତା ସଂଗ୍ରାମୀ ଭାବେ ସେ ଓଡ଼ିଶା ଭୂଖଣ୍ଡରେ ସର୍ବତ୍ର ପରିଚିତ । ମହାତ୍ମାଗାନ୍ଧୀଙ୍କ ତିରୋଧାନ ପରେ କଂଗ୍ରେସ ଛାଡି଼ ବିନୋବା ଓ ପିତା ଗୋପବନ୍ଧୁ ଚୌଧୁରୀଙ୍କ ସର୍ବୋଦୟ ଆନ୍ଦୋଳନରେ ଯୋଗ ଦେଇ ଭୂଦାନ କାର୍ଯ୍ୟକ୍ରମରେ ଗାଁ ଗାଁ ବୁଲି ଲୋକଙ୍କ ଦୁଃଖ ସହ ସାମିଲ୍ ହୋଇଯାଇଥିଲେ ଓ ତୃଣମୂଳ ସ୍ତରରୁ ଆରମ୍ଭ କରିଥିଲେ ଗାଁ’ର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ । ବିବାହ ପରେ ପତ୍ନୀ ସୁମିତ୍ରା ଚୌଧୁରୀ ସହଯୋଗୀ ହୋଇଉଠିଲେ ସତ୍ୟାଗ୍ରହୀ ମନମୋହନ ଚୌଧୁରୀଙ୍କର । ଆଉ ବିରାମ ନଥିଲା ସାମାଜିକ ଓ ସ୍ଵାଧୀନତା କାର୍ଯ୍ୟକ୍ରମ ପାଇଁ ।
ଜଣେ ଜଣାଶୁଣା ଓଡ଼ିଆ ସାହିତ୍ୟିକ ଥିଲେ ମନମୋହନ ଚୌଧୁରୀ । ଓଡ଼ିଆ, ହିନ୍ଦୀ, ଇଂରାଜୀ ଭାଷାରେ ସାହିତ୍ୟ ସର୍ଜନା କରିବା ସହ ଅନେକ ଅନୁବାଦ ମଧ୍ୟ କରିଛନ୍ତି। ‘ହାଟ- ବଜାରରେ ବ୍ରହ୍ମଜ୍ଞାନ’, ‘ପରଶମଣିର ସନ୍ଧାନେ’, ‘ବିଦେଶୀ ଯନ୍ତାରେ ଭାରତ’, ‘ଏକତ୍ର ଆହ୍ୱାନ’, ‘ଜନତା କା ରାଜ୍’ (ହିନ୍ଦୀ), ‘Exploring Gandhi’ (English), ‘ଭ୍ରମଣ କାହାଣୀ’ ‘ୟୁରୋପ ଯାତ୍ରୀର ଡାଏରୀ’ ଓ ଅନ୍ୟାନ୍ୟ ରଚନା ତାଙ୍କର ଅବଦାନ ପାଇଁ ଲୋକପ୍ରିୟ ସେ । ଏସବୁ ସାହିତ୍ୟ ସୃଷ୍ଟି ତାଙ୍କୁ ଜଣେ ସୁଲେଖକର ମାନ୍ୟତା ଦିଏ । ତାଙ୍କର ଆତ୍ମ ଚରିତ ‘କସ୍ତୁରୀ ମୃଗସମ’ ପାଇଁ ସେ ସର୍ବବିଦିତ । ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସମ୍ମାନଜନକ ଶାରଳା ପୁରସ୍କାରରେ ସମ୍ମାନିତ ମନମୋହନ ଏକାଧାରରେ ଜଣେ ସମ୍ପାଦକ, ସାହିତ୍ୟିକ, ସ୍ଵାଧୀନତା ସଂଗ୍ରାମୀ ଓ ସର୍ବୋଦୟ ନେତା ଭାବେ ପରିଚିତ ।
ସେ ଥିଲେ ସବୁ କ୍ଷେତ୍ରରେ ଜଣେ ସଫଳ ବ୍ୟକ୍ତିତ୍ଵ । ବାଖରାବାଦ୍ ସ୍ଥିତ ଘରଛାତ ଉପରେ ଏକ ମାନମନ୍ଦିର ପ୍ରତିଷ୍ଠା କରି ବହୁ ଚର୍ଚ୍ଚିତ ହୋଇଥିଲେ, ଯାହା ତାଙ୍କ ବୈଜ୍ଞାନିକ ଦୃଷ୍ଟିକୋଣର ଏକ ଗୁରୁତ୍ବପୂର୍ଣ୍ଣ ଉଦାହରଣ । ଓଡ଼ିଶାର ଏହା ଥିଲା ପ୍ରଥମ । ଏହା ବ୍ୟତୀତ ନିଜେ ଯୋତା ତିଆରି କରିବା ଠାରୁ ଚଣ୍ଡୀପାଠ ପର୍ଯ୍ୟନ୍ତ ସବୁ କିଛି ସେ ନିଜେ ହିଁ କରୁଥିଲେ । ଷୋହଳ ବର୍ଷ ବୟସରେ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ଜେଲ୍ ଯିବା, ତାଙ୍କ ଦେଶପ୍ରେମର ବଳିଷ୍ଠ ଉଦାହରଣ ।
ଦୀର୍ଘ ସତାଅଶୀ ବର୍ଷର ଜୀବନ ଯାତ୍ରା ଶେଷ ହୋଇଗଲା ୧୧/୬/୨୦୦୩ ଦିନ । କଟକର ‘ସର୍ବୋଦୟ ଭବନ’ (ଗୁଣନିଧି ଭବନ’) ରେ ଆଦର୍ଶ, ସ୍ଵାର୍ଥହୀନ ମଣିଷଙ୍କର ଦୀପ ଲିଭିଗଲା ।
ଉତ୍କଳମାତାର ଯୋଗ୍ୟସନ୍ତାନ ମନମୋହନ ଚୌଧୁରୀ ! ‘ଅନ୍ତରଙ୍ଗ କଳିଙ୍ଗ’ର ଦଣ୍ଡବତ ପ୍ରଣାମ ! 

Leave a Comment

Your email address will not be published. Required fields are marked *

Scroll to Top