ବ୍ରଜସୁନ୍ଦର ଦାସ 

ଲେଖା: ଅମ୍ରିତେଶ ଖଟୁଆ
“ଅଶରୀରୀ,
ସଞ୍ଜ ପବନ ବଂଶଧାରା ନଈ ସେପାରିରୁ ବହି ଆଣୁଛି ତୁମରି ବାଣୀ – ‘ବାବା ସରି ନାହିଁ ତ।’
ନିର୍ଜନ ଏହି ଦି’ ତାଲାର କୋଠରୀ। କାହାର ଏ ସ୍ଵର? ପୁଣି ବାଜୁଛି କାନରେ, ‘ବାବା ସରିନାହିଁ ତ।’
ତୁମେ ତେବେ ଅଛ?
କାଲିପରି ଲାଗୁଛି ହେ ବ୍ରଜସୁନ୍ଦର*, ନିଜ ହାତରେ ସତୀ ଚଉରା ମଶାଣିରେ ତୁମର ମରଦେହଟାକୁ ପୋଡି ପାଉଁଶ କରିଦେଲି। ତୁମେ ତେବେ ଅଛ, ମୋ ଦେଶର ପାଣି-ପବନରେ, ମୋ ଦେଶର ପ୍ରତି ମନରେ?
କେତେ ହସିଲା ସଞ୍ଜ ତୁମରି ପାଖରେ କଟାଇଛି, ବାବା ଡାକ ଶୁଣିଛି। ମୁଁ ଅକିଞ୍ଚନ, ତଥାପି କାହିଁକି ମୋ ଆଗରେ ତମ ମନର ବେଦନା, ଅପୂର୍ଣ୍ଣ ବାସନା ବଖାଣୁଥିଲା – ବାବା, ଦେଶ ମୋର ଖଣ୍ଡିଆ , ସାହିତ୍ୟ ମୋର ଅଧା, ଦେଶର ପିଲା ଭୋକିଲା ଏମିତି କେତେ କଥା।
ଆଖି ହୁଏ ଛଳ ଛଳ, ଆତ୍ମା ଉଠେ ବାହୁନି, କହ, ବ୍ୟର୍ଥ ମୋର ଜୀବନ, ବେଳ କାଳ ସରି ଆସିଲା ବାବା, କିଛି କରି ପାରିଲି ନାହିଁ।
ହେ ଦେଶ ଗୌରବ! ତୁମେ ସିନା ତୁମକୁ କୁହ, ମୋତେ ରଖ ସାକ୍ଷୀ। ମୁଁ ଜାଣେ, ତୁମେ ଫେରି ଆସିବ, ଗୋଟିଏ ରୂପରେ ନୁହେଁ, ମୋ ମାଆର ଦେଢକୋଟି ପିଲାଙ୍କ ଭିତରେ ଆତ୍ମପ୍ରକାଶ କରିଛ। ଜାଗିଲେଣି ସଭିଏଁ । ତୁମେ ହିଁ ଜାଗିଛ । ଅଧା କାମ ଶେଷ କରିବ, ମୋର ଦେଢ କୋଟି ଭାଇଙ୍କ ମୁହଁରେ ହସ ଫୁଟାଇବ, ପୁଣି ଦେଢ କୋଟି କଣ୍ଠରେ କହିବ – ବାବା, ସରି ନାହିଁ ତ, କାହିଁ ଗଙ୍ଗା, କାହିଁ ଗୋଦାବରୀ – କାହିଁ ମୋର ସିଂହଭୂଇଁ?
ହେ ସାହିତ୍ୟରଥି, ତୁମର ସ୍ନେହ ମୋ ଉପରେ ଅଜାଡି ଦେଇଥିଲ, ଏତେ ସ୍ନେହର କଣ ମୁଁ ଯୋଗ୍ୟପାତ୍ର? ଆଜି ଆସିଛ ମୋର ଏଇ ନିରୋଳା କୋଠରୀକୁ, ସଞ୍ଜ ପବନରେ, ଏତେ ଭଲ ପାଅ !
ଅଧମ ସନ୍ତାନ ମୁଁ, ସାହିତ୍ୟ ଗଢି ନାହିଁ, ଗଢିଛି କିମ୍ଭୂତ। ତୁମର ଅଶରୀରୀ ହାତରେ ଏଇ ‘ଶାସ୍ତି‘ ଟେକି ଦେବାକୁ ସାହସ ହେଉନାହିଁ । ତୁମେ ନିଜ ନିଅ ପିତା, ଯଦି ଏତେ ଭଲ ପାଅ, ପୁଣି ନିଅ ମୋର ପ୍ରଣତି? “
– କାହ୍ନୁଚରଣ ( ଗୁଣପୁର, ୬/୧୦/୧୯୪୫ )
କଥିତବ୍ଯ “ଋଷୟଃ ମନ୍ତ୍ରଦ୍ରଷ୍ଟାରଃ ! “କିନ୍ତୁ, କାହ୍ନୁଚରଣ ମହାନ୍ତି ଥିଲେ ଓଡ଼ିଆ ମାଟିର ନିର୍ମଳତାର ମନ୍ତ୍ରଦ୍ରଷ୍ଟା ! ଓଡ଼ିଆ ଜନଜୀବନକୁ  ନିର୍ମାୟାମାନ ମଧ୍ୟରେ ତାଙ୍କର ଯେଉଁ ଉପନ୍ୟାସ ସମଗ୍ର ସମ୍ଭୂତ ହୁଏ, ତହିଁରୁ ଏହି ‘ଶାସ୍ତି’ ଉପନ୍ୟାସ ଗୋଟିଏ ଥିଲା ! ଏହାର ମୁଖବନ୍ଧରେ ତାଙ୍କ ସହୃଦୟ ‘ଦେଶପ୍ରାଣ’ଙ୍କ ସହ ଆତ୍ମିକତାର ବର୍ଣ୍ଣନା କରିବା ମଧ୍ୟରେ ଯେପରି ଲାଗେ ଦୁଇ ଦେହଧାରୀ ଦିନେ ଏକାତ୍ମ ହେଇପଡିଥିଲେ – ମାଟିରେ ଆଉ ମାଟିର ପାଇଁ !
‘ଦେଶପ୍ରାଣ’ ବ୍ରଜସୁନ୍ଦର ଦାସ ! ଓଡ଼ିଆ ମାଟିର ବଦାନ୍ୟ ବ୍ୟକ୍ତିତ୍ଵ । ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟ ବେଳକୁ ଅବୟିତ ପୂର୍ଣ୍ଣାଙ୍ଗ ଉତ୍କଳ ପ୍ରଦେଶ ଗଠନ ପାଇଁ ଚାଲିଥାଏ ସଂଗ୍ରାମର ନିନାଦ । ସାହିତ୍ୟ,  ସଂସ୍କୃତି ଓ ଅର୍ଥନୀତିର ଶୈଥିଲ୍ଯ ସେତେବେଳକୁ ଅନେକଙ୍କୁ ବ୍ୟଥିତ କରିଥିଲା। ଆଉ ସେହି ସମୟରେ ‘ଦେଶପ୍ରାଣ‘ ବ୍ରଜସୁନ୍ଦର ଉତ୍କଳ ସମ୍ମିଳନୀର ଏକ ଅଧିବେଶନରେ ଗାନ କରିଲେ –
“ମାଆ ମାଆ ବୋଲି ଡାକୁଛ କି ମୋତେ
ଆରେ ମୋ ଦୁଃଖ ପାସୋରା,
କାହିଁ ପାଇଁ ଚେଇଁ ଶୋଇଥିଲ ବାପ
ମୋ ମନ-ନୟନ ତାରା।
*** ** *
ଦିଏ ନୀର କ୍ଷୀର ରୂପେ ମୋ ରୁଧିର
ବିଦାରି ହୃଦୟ ଯୋଗାଏଁ ଆହାର,
ମୋ ସୁଖ ସମ୍ପଦ କରିଅଛି ଦୂର
ଭୁଲି ଯାଉଅଛ ପରା ।।” (ମାତାର ଖେଦ)
ଯାଜପୁର ଜିଲ୍ଲାର ବିଞ୍ଝାରପୁର ମୌଜାର ସୟଦପୁର ସ୍ଥିତ ଏକ ଜମିଦାରୀ ପରିବାରରେ ୧୮୮୦ ମସିହା ଜୁଲାଇ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ଶ୍ୟାମସୁନ୍ଦର ଦାସ ଏବଂ ମାତା ପୁଣ୍ୟପ୍ରଭା ଦେବୀ। ତାଙ୍କର ଜେଜେ ହରେକୃଷ୍ଣ ଦାସ, ଜଣେ ଡେପୁଟି ମାଜିଷ୍ଟ୍ରେଟ୍ ଥିଲେ। ପିଲାଦିନେ ପତ୍ରକୁ ପିକା କରି ସେ ଥରେ ଧୂମପାନ କରୁଥିବାର ଦେଖି ତାଙ୍କ ମା’ ତାଙ୍କ ମୁହଁକୁ ଚୁଲିକି ଦେଖେଇ ଦେଲେ ଯେ ସେ ଆଜୀବନ ନିଶାତ୍ୟକ୍ତ ରହିଥିଲେ !
ଆବାଲ୍ୟ ସାହିତ୍ୟପ୍ରିୟ ଥିଲେ । ଛୋଟ ବେଳୁ ସେ ଅନେକ କାବ୍ୟାଦି ଗ୍ରନ୍ଥ ପଢୁଥିଲେ। ବ୍ରଜନାଥ ବଡ଼ଜେନାଙ୍କ “ସମର ତରଙ୍ଗ” କାବ୍ୟ ତାଙ୍କର ଅତିପ୍ରିୟ ଥିଲା। ଅଳ୍ପବୟଃ ବ୍ରଜସୁନ୍ଦରଙ୍କ ପିତାମାତାଙ୍କ ତିରୋଧାନ ଅନ୍ତେ ତାଙ୍କ ମୁରବି ହରିବଲ୍ଲଭ ବସୁ ତାଙ୍କର ଲାଳନ ପାଳନ ଦାୟିତ୍ୱ ନ୍ୟସ୍ତ ରହିଥିଲେ। କଣ୍ଟାବଣିଆ ପ୍ରାଥମିକ ସ୍କୁଲରୁ ଶିକ୍ଷା ସମାପ୍ତ କରି କଟକର ରେଭେନ୍ସା କଲେଜରୁ ଫାଷ୍ଟ ଆର୍ଟ୍ସ (ଏଫ୍.ଏ) ଉତ୍ତୀର୍ଣ୍ଣ ହୋଇଥିଲେ।
୧୯୦୦ ମସିହାର କଥା। କଟକର ଯାଉଁଳିଆପଟିରେ ତାଙ୍କର ନିଜର ଛୋଟ ଦୋ’ତାଲା ଘର। ତାଙ୍କ ପିତାଙ୍କର ଜଣେ ଅତିବିଶ୍ଵସ୍ତ ସହକାରୀଙ୍କ ଅଧୀନରେ ସେ ପଢୁଥିଲେ। କଟକର ହରିବଲ୍ଲଭ ବାବୁ ତାଙ୍କର ସରକାରୀ ଅଭିଭାବକ ରୂପେ ନିଯୁକ୍ତ ଥିଲେ; କିନ୍ତୁ, ବ୍ରଜସୁନ୍ଦର ଦାସଙ୍କ ଛାତ୍ର ଜୀବନ ନିରଙ୍କୁଶ ଥିଲା। ଅନେକ ଶିରଯନ୍ତ୍ରଣା ଓ ଅସୁସ୍ଥତା ସତ୍ତ୍ୱେ ସେ ସେହି ମସିହାରେ ଏଫ୍.ଏ ଉତ୍ତୀର୍ଣ୍ଣ ହୋଇ କଲିକତାର ପ୍ରେସିଡେନ୍ସି କଲେଜରେ ବି.ଏ. ପଢିବା ପାଇଁ ନାମ ଲେଖାଇଲେ।
ସମ୍ୟକ୍ ଯନ୍ତ୍ରଣାର ଉପଶମ ହେଇସାରିଥିଲେ ମଧ୍ୟ ପ୍ରତ୍ୟହ ନିଜ ବନ୍ଧୁବର୍ଗଙ୍କ ସାହଚର୍ଯ୍ୟ ଲୋଡା ହେଉଥିଲା। ନିଜ ବସା ଶାମବଜାରରୁ ଇଡେନ୍ ହିନ୍ଦୁ ହଷ୍ଟେଲକୁ ଆସି ବୈଦ୍ୟନାଥ ମିଶ୍ରଙ୍କ ସହ ନିତ୍ୟ ପାଠାଭ୍ଯାସ କରୁଥିଲେ। ୧୯୦୨ ମସିହାରେ ବି.ଏ. ସଫଳତାର ସହ କୃତୀତ୍ଵ ଅର୍ଜନ କରି ଉତ୍ତୀର୍ଣ୍ଣ ହୋଇଥିଲେ। ସେ ହୋଇଗଲେ ଓଡ଼ିଶାର ତୃତୀୟ ଗ୍ରାଜୁଏଟ୍ !
କେବଳ ସେତିକି ନୁହେଁ, ମହାଭାରତୀୟ ଅନ୍ତଃକରଣର ପ୍ରଜାବେଦୀରେ ଦଣ୍ଡାୟମାନ ହୋଇ ସେ ଓଡ଼ିଆ ଜାତି ପାଇଁ ତାଙ୍କ ସେବାବୃତ୍ତ ହେବାର ଉପପାଦ୍ୟକୁ ହୃଦୟଙ୍ଗମ କରିଥିଲେ। ଛାତ୍ରାବସ୍ଥାରେ ୧୮୯୪ ମସିହାରେ ‘ହରିଭକ୍ତି ପ୍ରଦାୟିନୀ ଶିକ୍ଷା ବିବର୍ଦ୍ଧନୀ’, ୧୮୯୬ ମସିହାରେ ‘ଅବଜରଭର୍ କ୍ଲବ୍’ରେ ସେ ଯୋଗ ଦେଇ ନିଜ ସାଙ୍ଗଠାନିକ ଦକ୍ଷତା ପ୍ରତିପାଦିତ କରିପାରିଥିଲେ। 
କଟକରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସଂସ୍ପର୍ଶରେ ଆସି ଅନ୍ୟ କେତେକ ମୈତ୍ରମାନଙ୍କ ଗହଣରେ ବିନୋଦବିହାରୀ ମନ୍ଦିରଠାରେ ୧୯୦୨ ମସିହାରେ ଗଢିଥିଲେ ‘କର୍ତ୍ତବ୍ୟ ବୋଧିନୀ ସମିତି‘ ! ଉତ୍କଳମଣିଙ୍କ ସହ ବ୍ରଜସୁନ୍ଦର ଦାସଙ୍କ ପ୍ରତ୍ୟକ୍ଷ ଓ ସକ୍ରିୟ ସାଙ୍ଗଠାନିକତାର ପରିଚିତି ଯୋଗୁଁ ତାଙ୍କ ନେତୃତ୍ବ ଶକ୍ତି ସଶକ୍ତ ଓ ଦୃଢୀଭୂତ ହୋଇଥିଲା ! ଏଥିରେ ତାଙ୍କ ସହ ଅଭିରାମ ଭଞ୍ଜ, କାମପାଳ ମିଶ୍ର, ବୈଦ୍ୟନାଥ ମିଶ୍ର ପ୍ରଭୃତି ମଧ୍ୟ ନିଜର ପ୍ରଭୂତ ଅବଦାନ ଦେଇଛନ୍ତି ।
ବ୍ରଜସୁନ୍ଦରଙ୍କ ପିତା ମଧ୍ୟ ଥିଲେ ଜଣେ ଡେପୁଟି ମାଜିଷ୍ଟ୍ରେଟ୍। ତାଙ୍କର ମଧ୍ୟ ବଂଶାନୁଗତ ଜମିଦାରୀ ସତ୍ତ୍ୱେ, ଜମିଦାରୀର ମୋହମୟିତା ତାଙ୍କ ପାଖରେ ତୁଚ୍ଛା କ୍ଷଣେ ଥିଲା ! ଆଭିଜାତ୍ୟର ବଡିମା, କ୍ଷମତାପିଷ୍ଟ ଭୋଗୀର ଆତ୍ମମ୍ଭରିତା, ସ୍ଵାର୍ଥାନ୍ଧତା ତ୍ୟାଗ କରି ସେ ଆବୋରି ଥିଲେ ସହୃଦୟର ପ୍ରୀତି, ଦୟାଳୁର ସମବେଦନା ଏବଂ ସର୍ବୋପରି ରସାମୋଦ ଓଠରେ ଖିଲିପାନ ଖାଉଥିଲେ ସିନା, କିନ୍ତୁ ତାଙ୍କ କରୁଣା ପାଟବରେ ସେ ଥିଲେ ଅଜାତଶତ୍ରୁ ବ୍ରଜସୁନ୍ଦର ଦାସ  !
ସେଥିପାଇଁ ବ୍ୟାସକବି ଫକୀରମୋହନ ଲେଖିଦେଲେ ‘ଉତ୍କଳ ଭ୍ରମଣଂ‘ ରେ –
“ହେ ବ୍ରଜସୁନ୍ଦର ବାବୁ ବି.ଏ ପାଶ୍ କରି,
ଆଚ୍ଛା କଥା କଲ ଯାହା ନ କଲ ନୌକରି।
ଥୁଆ ଅଛି ଜମିଦାରୀ ଖଜଣା ସଲାମି,
କଥା କି କରିବ ଯାଇ ପରର ଗୋଲାମି।
କରି ନିତ୍ୟ ମାତୃଭାଷା ଉନ୍ନତି କାମନା,
‘ମୁକୁର’ ପ୍ରେସକୁ ଦେଖିଅଛ ଭଲ ଜଣା।”
ମଧୁବାବୁଙ୍କ ଅତୀବ ଅନ୍ତରଙ୍ଗ ଥିଲେ ବ୍ରଜସୁନ୍ଦର ଦାସ। କଟକରେ ତାଙ୍କ ଘର ଥିଲା ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ନିତ୍ୟ ଏକ ବୈଠକଖାନା ! ସବୁ ଦେଶପ୍ରେମୀ ମାନଙ୍କ ମିଳନପୀଠ ଥିଲା। ସେ କହୁଥିଲେ – “ହାତରୁ ଖାଇ ଦେଶ ସେବା କରିବି” । ନିଜେ ଭୋଜ୍ୟ ଯାହା ମଣିବା ପ୍ରାୟେ ସହକର୍ମୀ ଓ ସମଧର୍ମାମାନଙ୍କୁ ମଧ୍ୟ ନିଜର ଭୋଗ୍ୟ ଦେଉଥିଲେ। ଜମିଦାରିର ଆୟ, ଖର୍ଚ୍ଚ ସମସ୍ତ ଓଡ଼ିଶାର ଉନ୍ନତି ପାଇଁ ଭୋଗ୍ୟ ! ବୀରଭୋଗ୍ୟ ବସୁନ୍ଧରା ! 
୧୯୦୩ ମସିହା ଡିସେମ୍ବର ମାସରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ଏହାର କାର୍ଯ୍ୟନିର୍ବାହୀ ସମିତିର ସଭ୍ୟ ରୂପେ ରହିଲେ। ପୁରପଲ୍ଲୀରେ ସ୍ଵତନ୍ତ୍ର ଉତ୍କଳର ନବଜାଗରଣ ଏବଂ ଅନ୍ୟାନ୍ୟ ପ୍ରଦେଶର ଅର୍ଥନୀତି, ସାମାଜିକ ଉନ୍ନତି, ଶିକ୍ଷା ସମକକ୍ଷ କରାଇବାରେ ତାଙ୍କର ଉଦ୍ୟମ ଅବିସ୍ମରଣୀୟ। 
ଯାଜପୁର ଲୋକାଲ୍ ବୋର୍ଡ, କଟକ ଇଞ୍ଜିନିୟରଂ ଓ ମେଡିକାଲ ସ୍କୁଲ ମେନେଜିଂ କମିଟି, କଟକ ମ୍ୟୁନିସିପାଲିଟି, କଟକ ଜିଲ୍ଲାବୋର୍ଡ, ଓଡ଼ିଶା ଆଥ୍ଲେଟିକ୍ ଆସୋସିଏସନ୍ ପ୍ରଭୃତି ଅନେକ ଲୋକହିତକର ଅନୁଷ୍ଠାନ ସହ ତାଙ୍କର ସଂପୃକ୍ତି ଥିଲା। 
୧୯୦୫ ମସିହା ଏପ୍ରିଲ ମାସରେ ତାଙ୍କରି ସମୁଦ୍ୟମରେ ପ୍ରକାଶ ପାଇଲା ‘ମୁକୁର‘ ପତ୍ରିକା। ୧୯୧୦ ମସିହାରେ ‘ମୁକୁର ପ୍ରେସ୍’ ପ୍ରତିଷ୍ଠା ହୋଇ ନିୟମିତ ମୁଦ୍ରଣ ହେଲା। ଓଡ଼ିଆ ଭାଷା ସାହିତ୍ୟର ତଥା ରାଜ୍ୟର ବିବିଧ ଅସୁବିଧା ଦୂରୀକରଣ ଏହାର ଏକ ପ୍ରମୁଖ ଅଭିପ୍ରାୟ ଥିଲା। ଜଗବନ୍ଧୁ ସିଂହ, ମୃତ୍ୟୁଞ୍ଜୟ ରଥ, ଗୋପୀନାଥ ନନ୍ଦ, ନନ୍ଦକିଶୋର ବଳ, ସତ୍ୟବାଦୀ ଗୋଷ୍ଠୀର ଲେଖକ, ଫକୀର ମୋହନ ସେନାପତି ପ୍ରଭୃତିଙ୍କ ଅଧିକାଂଶ ଆଲେଖ୍ୟ ପ୍ରକାଶ ପାଏ ଏଥିରେ। 
ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉତ୍କଳ’ , କୁନ୍ତଳା କୁମାରୀ ସାବତଙ୍କ ‘ପରଶମଣି’, କବିଶେଖର ଚିନ୍ତାମଣିଙ୍କ ‘ବୁଲା ଫକୀର’, ଚିନ୍ତାମଣି ଆଚାର୍ଯ୍ୟଙ୍କ ‘ସଫଳ ସ୍ଵପ୍ନ’, ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀଙ୍କ ‘ପ୍ରମାଦ’, ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କର ‘ଯୁବତୀ ବିବାହ’ ଓ ‘ସ୍ତ୍ରୀ ଶିକ୍ଷା’; ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘ମୋ ନିଶ’ ଓ ‘ନିଶ’ ; ଉତ୍କଳମଣି ଗୋପବନ୍ଧୁଙ୍କ ‘ବିବାହରେ ଅର୍ଥପ୍ରସଙ୍ଗ’, ‘ମଧୁବାବୁଙ୍କ ଜାତୀୟତାମୂଳକ ଉଦବୋଧନୀ, ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ବନ୍ଦେ ଉତ୍କଳ ଜନନୀ’ ଗାନ ଭଳି ଚର୍ଚ୍ଚିତ ଲେଖା ପ୍ରକାଶ ପାଇଥିଲା। 
ଏହିପରି ଯେଉଁ ଯେଉଁ ସାହିତ୍ୟଜଡିତ ଆଲେଖ୍ୟ ମୁକୁରରେ ପ୍ରକାଶିତ ହେଲା, ୧୯୨୪ ମସିହାରେ ‘ମୁକୁର ଉପନ୍ୟାସ ଗ୍ରନ୍ଥମାଳା‘ ତତ୍ସହିତ ପ୍ରବର୍ତ୍ତିତ ହୁଏ। ଏପରିକି ସ୍ଵୟଂ ବ୍ରଜସୁନ୍ଦରଙ୍କ ‘ମାଧବୀ ଦାସୀ‘ ପ୍ରବନ୍ଧ, ‘ଉତ୍କଳ ଭାରତୀ‘ ଭଳି କବିତା ପ୍ରକାଶ ପାଇ କାବ୍ଯସମଗ୍ରକୁ ଭାବୋଦ୍ଦୀପକ କରାଇ ପାରି ଜନାଦୃତ ହୋଇପାରିଥିଲା । ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ସୁଲକ୍ଷଣା’ କାବ୍ୟଟି ମଧ୍ୟ ସଂଗୃହୀତ ହୋଇ ‘ମୁକୁର’ରେ ପ୍ରକାଶ ଲାଭ କରେ। 
ଏଥିସହ ୧୯୧୭ ମସିହାରେ ‘ଦି ଓଡ଼ିଆ‘ ଏବଂ ୧୯୧୮ ମସିହାରେ ‘ଚିଅର୍‘ ନାମକ ଦୁଇଟି ଇଂରାଜୀ ସାପ୍ତାହିକୀ ମଧ୍ୟ ପ୍ରକାଶିତ କରେଇଥିଲେ। ଏହି ‘ଦି ଓଡ଼ିଆ’ର ପ୍ରଥମ ସମ୍ପାଦନା କରୁଥିଲେ ମଧୁବାବୁ! ଯାହା ପରବର୍ତ୍ତୀ ସମୟରେ ବ୍ରଜସୁନ୍ଦର ଦାସ ନିର୍ବାହ କରିଥିଲେ। ଏଥି ସହ ୧୯୧୮ ମସିହାରେ ଅନୁଷ୍ଠିତ କଟକ ମ୍ୟୁନିସିପାଲିଟିରେ ‘ଉତ୍କଳ ସମ୍ମିଳନୀ’ରେ ଯେତେବେଳେ ମଣ୍ଟେଗୁ-ଚେମ୍ସଫୋର୍ଡ ପରିଯୋଜନା ଅନ୍ତର୍ଗତ ପ୍ରସ୍ତାବ ପରେ ସ୍ଵତନ୍ତ୍ର ଉତ୍କଳ ଗଠନ ଉପରେ ସୁଦୀର୍ଘ ବକ୍ତବ୍ୟ ଦେଇଥିଲେ ବ୍ରଜସୁନ୍ଦର ଦାସ।
ପାଟନା ବିଶ୍ଵବିଦ୍ୟାଳୟର ଫେଲୋ ଓ ସିଣ୍ଡିକେଟ୍ ସଭ୍ଯ (୧୯୧୭-୨୫) ରହିବା ସହ ଉତ୍କଳ ସଙ୍ଗୀତ ସମାଜ ସହିତ ମଧ୍ୟ ସେ ସମ୍ପୃକ୍ତ ଥିଲେ। ସଂଗୀତ ପ୍ରେମୀ ବ୍ରଜସୁନ୍ଦର ଥିଲେ ଅତୀବ ପରିଚିତ। ଓଡିଶୀ, ଚମ୍ପୂ, ପାଲା, ଚଉତିଶା, ଭଜନ, ଜଣାଣ, ଦାସକାଠିଆ, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ରୁଚି ଥିବା ସହ ସେ “ଲକ୍ଷ୍ମୀକାନ୍ତ ସଙ୍ଗୀତ ବିଦ୍ୟାଳୟ” ସହିତ ମଧ୍ୟ ସେ ସମ୍ପୃକ୍ତ ଥିଲେ। ଆଉ ତାଙ୍କରି ଆନୁକୂଲ୍ୟରେ ଏକାଧିକ ସଙ୍ଗୀତ ନାଟ୍ଯ କଳାକାର ନିଜ ଜୀବିକା ଅର୍ଜନର ସୁଯୋଗ ପ୍ରଥମ କରି ଲାଭ କରିଥିଲେ !
୧୯୩୭ ରୁ ୧୯୪୧ ମଧ୍ୟରେ ସେ ଓଡ଼ିଶା ଆସେମ୍ବଲିକୁ ନିର୍ବାଚିତ ହୋଇ ଓଡିଶାରେ ଯେଉଁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି କରିଥିଲେ, ତାହାର ଫଳଶ୍ରୁତି ଥିଲା ‘ଉତ୍କଳ ବିଶ୍ଵବିଦ୍ୟାଳୟ’ ! ଏଥିପୂର୍ବରୁ ସେ ୧୯୧୬ ରୁ ୧୯୨୦ ପର୍ଯ୍ୟନ୍ତ ବିହାର-ଓଡିଶା କାଉନସିଲ୍ ର ସଭ୍ୟ ରହିବା ସହ ମଣ୍ଟେଗୁ-ଚେମ୍ସଫୋର୍ଡ ପରିଯୋଜନା ଅନ୍ତର୍ଗତ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭା ପାଇଁ ଓଡ଼ିଶା ପକ୍ଷରୁ ଯାଇଥିଲେ।
ଆଉ ସେତେବେଳେ ୧୯୨୪ ମସିହାରେ ସରକାରଙ୍କ ସଙ୍ଗତରେ ଦାବି ଜଣାଇବାରୁ ‘ଫିଲିଫ୍ ଡଫ୍ କମିଟି‘ ଗଠିତ ହୋଇଥିଲା। ‘ଫିଲିଫ୍ ଡଫ୍ କମିଟି’ରେ ଦାବି ଉଠିଲା – ତତ୍କାଳୀନ ମାନ୍ଦ୍ରାଜ୍ ପ୍ରଦେଶରେ ଥିବା ଓଡ଼ିଆ ଭାଷାଭାଷୀଙ୍କୁ ଏକାଠି କରିବା ସହ ଓଡ଼ିଶା ଡିଭିଜନରେ ରହିବ। ସେତେବେଳେ ଗଞ୍ଜାମ, ଜୟପୁର (କୋରାପୁଟ) ଏବଂ ନବରଙ୍ଗପୁରର ଲୋକ ସହମତ ଥିଲେ ମଧ୍ୟ ୧୯୨୯ ମସିହାର ସାଇମନ୍ କମିଶନ ଆଗମନ ପୂର୍ବରୁ ଏହାକୁ ଚପେଇ ଦିଆଗଲା ! 
୧୯୨୯ ମସିହାରେ ସେ ଥାଆନ୍ତି ‘ଉତ୍କଳ ୟୁଥ୍ ଆସୋସିଏସନ୍‘ର ମୁଖ୍ୟ ଅବଧାରକ। ସେତେବେଳେ ସମସ୍ତ ସୀମା ନିର୍ଦ୍ଧାରଣ କମିଟି ସଭ୍ୟଙ୍କ ସହ ସହଯୋଗ କରିଥିଲେ ବ୍ରଜସୁନ୍ଦର ଦାସ। ନଭେମ୍ବର ସାତ ତାରିଖରେ ଯେତେବେଳେ ‘ସାଇମନ୍ କମିଶନ’ ଭାରତକୁ ଆସିଲା, ବ୍ରଜସୁନ୍ଦର ଦାସ, ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତି ଓ କନିକା ରାଜା (ସମଗ୍ର ଭାରତବର୍ଷରେ ମାତ୍ର ଏହି ତିନିଜଣ ! ) ପାଟନା ଷ୍ଟେସନରେ ‘ସାଇମନ କମିଶନ‘ଙ୍କୁ ସ୍ଵାଗତ ଜ୍ଞାପନ କରିଥିଲେ। 
ସାଇମନ୍ କମିଶନର ଅନୁକୂଳ ମନ୍ତବ୍ୟ ପରେ ଯେଉଁ ସୀମା ନିର୍ଦ୍ଧାରଣ କମିଟି ‘ଓଡ଼ନେଲ୍ କମିଟି’ ଗଠିତ ହୋଇଥିଲା, ସେଥିରେ ଅକାତରେ ସମସ୍ତ ଶ୍ରମ ଓ ଅର୍ଥବ୍ୟୟ କରି ଅନେକ ଦେଶପ୍ରେମୀ ଯୁବକ ଯୁବତୀଙ୍କୁ ଯୋଗଦାନ କରାଇ ଓଡ଼ିଶାର ସୀମା ସଂକ୍ରାନ୍ତରେ ଏକାଧିକ ଅନୁକୂଳ ପ୍ରସ୍ତାବ ଅନୁଗୃହୀତ କରିଥିଲେ। ଏପରିକି ସେ ସମୟରେ (୧୫/୮/୧୯୩୪) ଓଡ଼ିଶା ବିଧାନସଭାର ବିଧାୟକ ଥାଇ କୋର୍ଟ କଚେରୀରେ ଓଡ଼ିଆ ଭାଷାର ଔପଚାରିକ ପ୍ରୟୋଗ ପାଇଁ ପ୍ରଥମ କରି ଏହି ବ୍ୟବସ୍ଥାର ସୂତ୍ରପାତ କରେଇଥିଲେ !
ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ସମସ୍ତ ଜମିଦାରୀକୁ ତତ୍କାଳୀନ ତାଲଚେରର ପଟ୍ଟାୟତଙ୍କ ପାଖରେ ବନ୍ଧା ପକାଇ ପଚାଶ ହଜାର ଟଙ୍କାର କରଜ ଆଣିଥିଲେ। ମାତ୍ର, ସେ ବହୁବର୍ଷ ଅତିବାହିତ ହୋଇଯିବା ସତ୍ତ୍ୱେ ସମସ୍ତ କରଜ ସୁଧ ପୈଠ କରିପାରିନଥିଲେ।  କୋର୍ଟ ଅଫ୍ ୱାର୍ଡସ୍ ତାଙ୍କୁ ମାତ୍ର ୫୦୦ ଟଙ୍କା ଭତ୍ତା ଦେଇଥିଲେ। ସେଥିପାଇଁ ତାଙ୍କ ଋଣଭାର ପୈଠ କରିବା ଏକା ବାର ଅସମ୍ଭବ ହୋଇପଡିଲା। 
ଶେଷରେ ଏହି ଋଣଭାର ପୈଠ ନିମନ୍ତେ ସମସ୍ତ ଜମିଦାରୀକୁ ସେ ନିଲାମ କରି ଦେଇଥିଲେ। ଓଡ଼ିଆ ଜାତି ଓ ଓଡ଼ିଆ ମା’ ପାଇଁ ଯିଏ ସବୁ ଦେଇଥିଲା ଅଜାଡି, ଆଜି ତା’ର ସମସ୍ତ ସମ୍ପଦ ଟେକି ହେଇଗଲା ସେହି ମା’କୁ ! ଧନ୍ଯ ସେ ମାଟି ଯା କ୍ରୋଡମଣ୍ଡନ କରିଥିଲେ ଏହି ମହୀୟାନ୍ ସହୃଦୟ ବଦାନ୍ୟ ମହାମାନବ !
୧୯୪୪ ମସିହାରେ ଜୁନ୍ ୯ ତାରିଖରେ ଦିବା ୧୧ଟା ଘଟିକାରେ ୬୫ ବର୍ଷରେ କଟକଠାରେ ଡବଲ ନିମୋନିଆ ରୋଗ ଫଳରେ ତାଙ୍କ ହୃଦପିଣ୍ଡ ଅତି ଦୁର୍ବଳ ହୋଇଯିବାରୁ ତିରୋଧାନ ଘଟିଲା। ତାଙ୍କ ତିରୋଧାନ ଅନ୍ତେ ଏକାଧିକ ସ୍ଥାନରେ ନୀରବ ପ୍ରାର୍ଥନା ଓ ସ୍ତୁତିଗାନ ରଚନା କରାଗଲା। ବିଶିଷ୍ଟ ମାନ୍ୟଗଣଙ୍କ ମଧ୍ୟରେ ତାଙ୍କ ପାର୍ଥିବ ଶରୀରକୁ ବିରାଟ ପଟୁଆରରେ ପାଛୋଟି ନିଆଯାଇଥିଲା ସତୀଚଉରା ମଶାଣିକୁ ! 
ହେଲେ, ସେ ସମୟରେ ଦେଶ ଦେଶରେ ଶୋକ ଖେଳିଗଲା। କଲିକତାର ବିଭିନ୍ନ ଖବରକାଗଜ, ବରେଣ୍ୟ ବ୍ଯକ୍ତିତ୍ଵ, ଏପରିକି ବ୍ରିଟିଶ ଶାସନ ପ୍ରଧାନମନ୍ତ୍ରୀ ତାଙ୍କୁ ଶୋକ ପ୍ରକାଶ କରି ଏକ ସ୍ଵହସ୍ତରେ ଶୋକ ପତ୍ର ଲେଖିଥିଲେ। ଏହି ବଦାନ୍ୟ ମହାମହିମଙ୍କୁ ଔପନ୍ୟାସିକ କାହ୍ନୁଚରଣ ସେଥିପାଇଁ ନିଜର ‘ଶାସ୍ତି’ ଉପନ୍ଯାସକୁ ଉତ୍ସର୍ଗ କରିଦେଇଥିଲେ ତାଙ୍କରି ନାମରେ !

1 thought on “ବ୍ରଜସୁନ୍ଦର ଦାସ ”

Leave a Comment

Your email address will not be published. Required fields are marked *

Scroll to Top