ବିଛନ୍ଦ ଚରଣ ପଟ୍ଟନାୟକ

ଲେଖା: ନିରଞ୍ଜନ ସାହୁ
ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ପରମ୍ପରାର ସଂରକ୍ଷକ ଭାବେ ନିଜକୁ ସମର୍ପିତ କରିଦେଇଥିବା ଓଡ଼ିଆ ମଣିଷ ବିଛନ୍ଦ ଚରଣ ପଟ୍ଟନାୟକ ଏ ଜାତିର ଚିରନମସ୍ୟ । 
“ଜ୍ଞାନର କି ଆଶ୍ଚର୍ଯ୍ୟ ପ୍ରଭାବ ! ବିଦ୍ୟାର କି ମନୋହର ମୂର୍ତ୍ତି ! ବିଦ୍ୟାହୀନ ମନୁଷ୍ୟ, ମନୁଷ୍ୟ ନୁହେଁ । ବିଦ୍ୟାହୀନର ମନରେ ଗୌରବ ନାହିଁ । ମାନବ ଜାତି ପଶୁ ଜାତି ଅପେକ୍ଷା ଯେତେ ଉତ୍କୃଷ୍ଟ, ଜ୍ଞାନ ଜନିତ ବିଶୁଦ୍ଧ ସୁଖ, ଇନ୍ଦ୍ରିୟ ଜନିତ ସାମାନ୍ୟ ସୁଖ ଅପେକ୍ଷା ତେତେ ଉତ୍କୃଷ୍ଟ ।” ଏହି ମନ୍ତବ୍ୟ ଥିଲା ଜଣେ ଓଡ଼ିଆ ମହାମନିଷୀ, ସାହିତ୍ୟିକ, ପୂର୍ବ ସଂସ୍କୃତି ଉଦ୍ଧାରକଙ୍କର ଉନ୍ନବିଂଶ ଶତାବ୍ଦୀର ପ୍ରଥମ ଓ ଦ୍ବିତୀୟ ଭାଗରେ । ସେ ଭଲ ଭାବରେ ବୁଝିଥିଲେ,
“ପୂର୍ବ ପୁରୁଷର ପବିତ୍ର ଶ୍ମଶାନ
ଦେଶର ଜାତିର ଗଉରବ ଗାନ ।
ପୁଣ୍ୟ ଜନ୍ମଭୂମି ପୁଣ୍ୟ ଦେବାଳୟ
ଉଦ୍ଧରିବା ଲାଗି କଲେ ତନୁ କ୍ଷୟ ।
ମାନବ ଜୀବନ ହୁଅଇ ସଫଳ
ଏ ମହାଦୀକ୍ଷା କି ବୁଝିବ ଉତ୍କଳ ?”
“ଗୋପବନ୍ଧୁଙ୍କର ଏହି ମହତ ବାଣୀକୁ ବୁଝାଇବାକୁ ପଡ଼ିବ । ଉତ୍କଳର ଲକ୍ଷ ଲକ୍ଷ କିଶୋରଙ୍କ ମଧ୍ୟରେ ଭରିଦେବାକୁ ହେବ ଜ୍ଞାନ । ସେମାନଙ୍କ ହୃଦୟର ରୁଦ୍ଧ ପ୍ରକୋଷ୍ଠକୁ ଖୋଲି ଦେବାକୁ ହେବ ଗବାକ୍ଷ ମାଧ୍ୟମରେ । ବାହାର ରଶ୍ମୀରେ ଆଲୋକିତ ହେବ ସେମାନଙ୍କ ଜୀବନ, କାରଣ ବିଦ୍ୟାହୀନ ମନୁଷ୍ୟ, ମନୁଷ୍ୟ ନୁହେଁ । ତେବେ ଏ ବିଦ୍ୟାର ପରିପ୍ରକାଶ ହେବ ଇତିହାସ, ଭୂଗୋଳ , ବିଜ୍ଞାନ, ସାହିତ୍ୟ ମାଧ୍ୟମରେ, ଉଜ୍ଜୀବିତ ହେବ ପୂଜ୍ୟପୂଜା ମାଧ୍ୟମରେ, ବ୍ୟାପ୍ତ ହେବ ଅତୀତର ଗୌରବମୟ ମହାପୁରୁଷ ମାନଙ୍କର ଜୀବନୀ ପାଠ ମାଧ୍ୟମରେ । କିନ୍ତୁ ଉତ୍କଳରେ ତ ପାଠ୍ୟ ପୁସ୍ତକର ଅଭାବ ! ଉତ୍କଳଖଣ୍ଡ ତ ଅନେକ ବିଶ୍ଵ ବନ୍ଦିତ କବି ମାନଙ୍କର ଏନ୍ତୁଡ଼ିଶାଳ !! ସେହି କବିମାନଙ୍କ ପୋଥି ଆଦି ଏବେ କୀଟ ଦ୍ରଂଷ୍ଟ !! ଏହାର ପ୍ରଚାର ପ୍ରସାର ସହ ଜ୍ଞାନବୃଦ୍ଧି ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ !” ଏହି ଭଳି ବହୁ ଚିନ୍ତା ଆସିଥିଲା ଜଣେ ଶିକ୍ଷିତ ତରୁଣଙ୍କର ଉନବିଂଶ ଶତାବ୍ଦୀର ପ୍ରଥମ ପାଦରେ । ସେହି ତରୁଣ ବିଦ୍ୱାନ ଉଦ୍ଧାରକ #ବିଛନ୍ଦ #ଚରଣ #ପଟ୍ଟନାୟକ — ଓଡ଼ିଆ ସାହିତ୍ୟରେ ଅନୁବାଦ ଯୁଗର #ଅଧିନେତା ଏବଂ #ଭଞ୍ଜ #ଭଗୀରଥ । ଆଜି କବିସମ୍ରାଟ ଉପେନ୍ଦ୍ରଙ୍କୁ ପଢ଼ିଲେ ପ୍ରଥମେ ମନେ ପଡ଼ନ୍ତି ବିଛନ୍ଦ ଚରଣ ପଟ୍ଟନାୟକ, ଆଜି ଅନୁବାଦ ସାହିତ୍ୟ କଥା ଉଠିଲେ ପ୍ରଥମେ ସ୍ମୃତିରେ ଆସନ୍ତି ବିଛନ୍ଦ ଚରଣ ପଟ୍ଟନାୟକ । 
~ ଜନ୍ମ ବୃତ୍ତାନ୍ତ ~
ବିଛନ୍ଦ ଚରଣ ପଟ୍ଟନାୟକ । ଜନ୍ମ ୧୯୦୧ ମସିହା ଜାନୁଆରୀ ମାସ ୨୦ ତାରିଖ, ଦେହାବସାନ ୧୯୬୧ ମସିହା ଜାନୁଆରୀ ମାସ ୧୪ ତାରିଖ, ପବିତ୍ର ପଣା ସଂକ୍ରାନ୍ତି । ଜନ୍ମ ସ୍ଥାନ ଖୋର୍ଦ୍ଧା ଜିଲ୍ଲାର ଜାଆଁଳା । ପରିବାର ଆଧ୍ୟାତ୍ମମାର୍ଗୀ । ତେଣୁ ପିଲାଦିନରୁ ବାପାଙ୍କ ଆଧ୍ୟାତ୍ମିକ ଓ କଳାନୁରାଗ ଗୁଣରେ ପ୍ରଭାବିତ । ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ବୃତ୍ତିରେ ମଧ୍ୟପ୍ରଦେଶ ସମ୍ବଲପୁର ଡିଭିଜନ ବିଦ୍ୟାଳୟ ସମୂହର ଡେପୁଟି ଇନସ୍ପେକ୍ଟର । ସାହିତ୍ୟ ସର୍ଜନା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ମୁଖ୍ୟବୃତ୍ତି । ପ୍ରାଣରେ ଓଡ଼ିଆ ଓ ଓଡ଼ିଶା । 
~ ଅନୁବାଦକ ବିଛନ୍ଦ ଚରଣ ପଟ୍ଟନାୟକ ~
ଜାତି ଚିତ୍ତରେ ବୌଦ୍ଧିକତା ଓ ମୌଳିକ ଚିନ୍ତାଧାରାର ଉପଯୁକ୍ତ ଅଭାବ ପରିଲକ୍ଷିତ ହୋଇଥିଲା ଓଡ଼ିଆ ସାହିତ୍ୟରେ ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗ ଯାଏଁ । ସେତେବେଳକୁ ବଙ୍ଗଳାରେ ‘କଲିକତା ସ୍କୁଲ ବୁକ୍ ସୋସାଇଟି’ ପ୍ରତିଷ୍ଠିତ ହୋଇ ସାରିଥିଲା । ବଙ୍କଳା ସାହିତ୍ୟରେ ଇଂରେଜଙ୍କ ଦ୍ବାରା ପ୍ରଭାବିତ ହୋଇ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର, ଅକ୍ଷୟ କୁମାର ଦତ୍ତ, ନୀଳମଣି ବସାକ୍, କେଦାରନାଥ ଦତ୍ତ ଆଦି ସାହିତ୍ୟିକ ମାନେ ଛାତ୍ରଛାତ୍ରୀମାନଙ୍କ ପାଇଁ ଇତିହାସ ରଚନାରେ ମଗ୍ନ । ଇଂରାଜୀ ଭାବଧାରା ପ୍ରଭାବିତ କ୍ରମୋନ୍ନତ ବଙ୍କଳା ସାହିତ୍ୟର ଆଦର୍ଶ ହେତୁ ବଙ୍ଗଳାରୁ ଅନୁବାଦ ଅବ୍ୟାହତ ରହିଥିଲା ଓଡ଼ିଶାରେ । ଆଦ୍ୟକାଳରେ ଫକୀରମୋହନ ଓ ବିଛନ୍ଦ ପଟ୍ଟନାୟକଙ୍କ ନାମ ବିଶେଷ ଭାବେ ଉଲ୍ଲେଖ୍ୟ । ବିଦ୍ୟାସାଗରଙ୍କ ‘ଜୀବନ ଚରିତ’ (୧୮୪୯) ଫକୀରମୋହନ ଅନୁବାଦ କରିଥିବା ବେଳେ , ୧୮୬୯ ଓ ୧୮୭୦ରେ ଲେଖିଥିଲେ ଭାରତବର୍ଷର ଇତିହାସ (ଦୁଇ ଭାଗ)। ପୁସ୍ତକ ବିଶେଷରୁ ଅନୁବାଦ ନ ହେଲେହେଁ ବଙ୍ଗଳାର “ବିବିଧାର୍ଥ ସଂଗ୍ରହ” ପତ୍ରିକାରୁ ଏହାର ବିଷୟବସ୍ତୁ ସଂଗୃହୀତ । 
ତେବେ ଏହାର ଅନେକ ବର୍ଷ ପରେ ଅନୁବାଦ କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି ହେବା ବିଚିତ୍ର ! ଓଡ଼ିଶାରେ ପାଠ୍ୟ ପୁସ୍ତକ ଅଭାବ ଓ ବାଳକ ମାନଙ୍କର ପାଠୋପଯୋଗୀ ସୁପ୍ରଣାଳୀସିଦ୍ଧ ପୁସ୍ତକ ଅଭାବ ମୋଚନ ଉଦ୍ଦେଶ୍ୟରେ ବଙ୍ଗଳା ପୁସ୍ତକର କିଛି ଅନୁବାଦ ଓଡ଼ିଆ ଭାଷାରେ କରିଥିବା ବିଛନ୍ଦ ପଟ୍ଟନାୟକଙ୍କ ସ୍ଵୀକୃତି । ଏଥିରେ ବିଜ୍ଞାନ, ଭୂଗୋଳ, ଜ୍ୟୋତିର୍ବିଦ୍ୟା ସମ୍ପର୍କୀୟ ବିଶ୍ଵଜଗତର ଘଟଣାବଳୀ ଛାତ୍ର ମାନଙ୍କ ପାଇଁ ଚିତ୍ତାକର୍ଷୀ ଭାଷାରେ ପ୍ରକାଶିତ । 
ଏହି କ୍ରମରେ ଶ୍ରୀ ଅକ୍ଷୟ କୁମାର ଦତ୍ତ ରଚିତ ‘ଚାରୁପାଠ’ (ତିନି ଭାଗ), ଈଶ୍ଵରଚନ୍ଦ୍ର ବିଦ୍ୟାସାଗର କୃତ ‘ବୋଧୋଦୟ’, ନୀଳମଣି ବସାକଙ୍କ #ଭାରତବର୍ଷର #ଇତିହାସ (ତିନି ଭାଗ), ଗୋପାଳ ବସୁଙ୍କ #ଭୂଗୋଳ #ସୂତ୍ର, ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ #ସୀତା #ବନବାସ, ତାରା ଶଙ୍କର ତର୍କରତ୍ନଙ୍କ #କାଦମ୍ବରୀ, ଚନ୍ଦ୍ରକାନ୍ତ ତର୍କଭୂଷଣଙ୍କ #ରଘୁବଂଶ କ୍ରମାନ୍ୱୟରେ ଅନୁଦିତ ଓ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ସ୍ଥାନିତ ।
କ. ଚାରୁପାଠ 
ଅନୁବାଦ କୌଶଳରେ ସିଦ୍ଧ ବିଛନ୍ଦ ଚରଣ ପଟ୍ଟନାୟକ ଥିଲେ ଓଡ଼ିଶାର ଛାତ୍ରଙ୍କର ପରମ ହିତାକାଙକ୍ଷୀ, ପୁଣି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବିପୁଳ ଭଣ୍ଡାର ସୃଷ୍ଟି କରିବାକୁ ପ୍ରୟାସୀ । ଇଉରୋପୀୟ ଜ୍ଞାନବିଜ୍ଞାନ ପାଠ କରି ଜ୍ଞାନବାଦୀ ଓ ମାନବବାଦୀ ହେବା ଯୁବକ ଓ ଛାତ୍ରମାନଙ୍କର ଶ୍ରେୟଃ । ବାହ୍ୟବସ୍ତୁ ସହ ମାନବ ପ୍ରକୃତିର ସମ୍ପର୍କ ନିରୂପଣରେ ପ୍ରୟାସୀ ବଙ୍ଗଳା ସାହିତ୍ୟିକ ଥିଲେ ଅକ୍ଷୟ କୁମାର ଦତ୍ତ । ତେଣୁ ବହୁ ଇଂରାଜୀ ସାହିତ୍ୟ ପୁସ୍ତକରୁ ଜ୍ଞାନବିଜ୍ଞାନ ସମ୍ବନ୍ଧୀୟ ଲେଖା ସମ୍ବଳିତ କରି ରଚନା କଲେ ଚାରୁପାଠ ତିନୋଟି ଭାଗରେ । ବିଜ୍ଞାନ ଓ ମାନବବାଦ ଜ୍ଞାନରେ ପ୍ରବୃତ୍ତ ହୁଅନ୍ତୁ ଯୁବପିଢି, ଏହାହିଁ ଥିଲା ଏକମାତ୍ର ଲକ୍ଷ୍ୟ । ଓଡ଼ିଆ ପିଲାଏ ଏଭଳି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ – ଏହି ଲକ୍ଷ୍ୟରେ ଅନୁଦିତ ହେଲା ଚାରୁପାଠ ବିଛନ୍ଦ ପଟ୍ଟନାୟକଙ୍କ ଦ୍ବାରା । ତାଙ୍କର ଉକ୍ତି ଥିଲା – “ସଂସ୍କୃତ ବ୍ୟବସାୟୀ ପଣ୍ଡିତମାନେ ଅକିଞ୍ଚିତକର ଗଳ୍ପପାଠ କରିବାକୁ ପ୍ରିୟକର ବୋଧକରନ୍ତି । କିନ୍ତୁ ବିଶ୍ଵର ନିୟମ ଓ ପଦାର୍ଥ ଗୁଣାଗୁଣ ଶିକ୍ଷା ଦେବାରେ ଅନୁରକ୍ତ ନୁହନ୍ତି । ଭାଷା ଶିକ୍ଷା ସଙ୍ଗେ ସଙ୍ଗେ ପ୍ରକୃତ ପଦାର୍ଥ ଓ ପ୍ରାକୃତିକ ନିୟମାଦି ବିଷୟ ବାଳକମାନଙ୍କୁ ଶିକ୍ଷା କରାଇବା ଆବଶ୍ୟକ । “
ଜ୍ଞାନ ପ୍ରତି ପ୍ରବଣତା, ବହିର୍ବିଶ୍ଵର ଘଟଣାବଳୀ ସମ୍ବନ୍ଧରେ କୌତୁହଳ ସଞ୍ଚାର ହିଁ ବିଛନ୍ଦ ଚରଣ ଅନୁଦିତ #ଚାରୁପାଠର ବିଶିଷ୍ଟତା !! 
ଖ. ବୋଧୋଦୟ 
ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଶିଶୁ ଶିକ୍ଷା ନିମନ୍ତେ ଚେମ୍ବର୍ସଙ୍କ Rudimentary of Knowledge ଗ୍ରନ୍ଥ ଅବଲମ୍ବନ ସହ ଅନ୍ୟ ସୂତ୍ରରୁ ସଂଗ୍ରହ ପୂର୍ବକ ରଚନା କରିଥିଲେ ‘ବୋଧୋଦୟ’ । ପାଶ୍ଚାତ୍ୟ ଜ୍ଞାନ ବିଜ୍ଞାନ ସମୁଦ୍ରରେ ଅବଗାହନ ପୂର୍ବକ ଏ ଦେଶର ଛାତ୍ରଛାତ୍ରୀ ରତ୍ନ ଆହରଣ କରିବା ଏ ପୁସ୍ତକର ବୈଶିଷ୍ଟ୍ୟ । ଅମୂଳକ ଗଳ୍ପପାଠ ଅପେକ୍ଷା ଅଧିକ ଉପକାର ପାଇବେ ଛାତ୍ରମାନେ , ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଏହା ଥିଲା ବିଦ୍ୟାସାଗରଙ୍କ ମନ୍ତବ୍ୟ । ପରିଦୃଶ୍ୟମାନ ବହିର୍ବିଶ୍ଵ ସମ୍ବନ୍ଧରେ ଜ୍ଞାତବ୍ୟ ତଥ୍ୟ ପାଇଁ ଏ ପୁସ୍ତକ ହୋଇଥିଲା ଭାରତବର୍ଷରେ ବିଦିତ ।ଅନ୍ୟ ଭାଷାରେ ଭାଷାନ୍ତର ହୋଇଥିବା ବେଳେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଅବିକଳ ଅନୁବାଦ କରି , ରଚନାଗତ ବିଭବକୁ ଅକ୍ଷୁର୍ଣ୍ଣ ରଖି ଓଡ଼ିଆ ସାହିତ୍ୟକୁ ସମର୍ପି ଦେଇଥିଲେ ବିଛନ୍ଦ ଚରଣ। ଓଡ଼ିଶାରେ ରେନେସାଁର ପଦଧ୍ଵନିରେ ଯୋଡ଼ି ହୋଇ ଯାଇଥିଲା ବିଛନ୍ଦ ପଟ୍ଟନାୟକଙ୍କ ଏହି ଅନବଦ୍ୟ ଅନୁବାଦ ପୁସ୍ତକ #ବୋଧୋଦୟ । 
ଗ. ଅନୁଦିତ ‘ସୀତା ବନବାସ’ 
ଭାରତୀୟ ଦର୍ଶନ, ସଂସ୍କୃତି, ସାହିତ୍ୟ ବୋଧ ସହିତ ଇଉରୋପୀୟ ଜ୍ଞାନ ବିଜ୍ଞାନ ସମନ୍ଵୟର ପକ୍ଷପାତୀ ଈଶ୍ଵରଚନ୍ଦ୍ର । ଯୁବପ୍ରାଣର ତୀବ୍ର ଆତ୍ମସଚେତନତା, ଆତ୍ମ ପ୍ରତ୍ୟୟ ଓ ଆତ୍ମ ସମୀକ୍ଷା ହିଁ ରେନେସାଁର ମୂଳମନ୍ତ୍ର । ସେହି ଦୃଷ୍ଟିରୁ ଭାରତୀୟ ସଂସ୍କୃତି, ସାହିତ୍ୟ, ପ୍ରାଚୀନତାକୁ ଆଧାର କରି ରାମାୟଣ ମହାକାବ୍ୟର #ସୀତା #ବନବାସ ଗ୍ରନ୍ଥ ରଚିତ ବିଦ୍ୟାସାଗରଙ୍କ ଦ୍ଵାରା, ଯାହା ଭାରତୀୟ ସାହିତ୍ୟରେ ଏକ ପ୍ରତିଷ୍ଠିତ ଓ ପ୍ରସିଦ୍ଧ ଗ୍ରନ୍ଥ । କରୁଣ ରସୋଦବୋଧକ ‘ସୀତା ବନବାସ’ ଅତ୍ୟନ୍ତ ମର୍ମସ୍ପର୍ଶୀ ଯାହା ଆଠୋଟି ପରିଚ୍ଛେଦ ବିଶିଷ୍ଟ । ଏହି ଗ୍ରନ୍ଥର ଅନୁବାଦରେ ବିଛନ୍ଦ ଚରଣ ଯେମିତି ଅନୁବାଦ ସାହିତ୍ୟରେ ଶୀର୍ଷ ସ୍ଥାନରେ ପ୍ରତିଷ୍ଠିତ ! ମୂଳ ସାହିତ୍ୟରେ ଲେଖକଙ୍କ ଚିନ୍ତାଧାରା, ଶବ୍ଦ ବିନ୍ୟାସ ଅକ୍ଷୁର୍ଣ୍ଣ ରହିଲେ ସିନା ଅନୁବାଦ ! ମୂଳ ରଚନାର ଧାରା ବଜାୟ ରଖିବା ହିଁ ଯୋଗ୍ୟତମ ଅନୁବାଦକର କାର୍ଯ୍ୟ ! ଆସନ୍ତୁ ମୂଳ ବଙ୍ଗଳା ରଚନା ଓ ଓଡ଼ିଆ ଭାଷାନ୍ତରକୁ ଲକ୍ଷ୍ୟ କରିବା:
“ବସ୍ତୁତଃ ଉଭୟେର ଏକ୍ ମନ, ଏକ୍ ପ୍ରାଣ୍, କେବଳ ଶରୀର ମାତ୍ର ଭିନ୍ନ ଭିନ୍ନ । ସୀତା ଯେ ରୂପ ସାଧୁଶୀଳା ଓ ସରଳାନ୍ତକରଣା, ରାମ ଓ ସର୍ବାଂଶେ ସେଇ ରୂପ ଛିଲେନ୍ , ସୀତା ଯେ ରୂପ ପ୍ରତିପାଣା, ପତିହିତୈଷୀ ଓ ପତି ସୁଖସୁଖିନୀ, ରାମ ଓ ସେଇ ରୂପ୍ ସୀତାଗତପ୍ରାଣା; ସୀତାହିତାକାଙକ୍ଷୀ ଓ ସୀତା ସୁଖେ ସୁଖୀ ଛିଲେନ୍ ।” (ବଙ୍ଗଳା)
“ଅର୍ଥାତ୍ ଉଭୟଙ୍କ ଏକ ମନ, ଏକ ପ୍ରାଣ, କେବଳ ଶରୀର ମାତ୍ର ଭିନ୍ନ ଥିଲା । ସୀତା ଯେପରି ସାଧୁଶୀଳା ଓ ସରଳାନ୍ତକରଣା, ରାମ ମଧ୍ୟ ସର୍ବାଂଶରେ ତଦ୍ରୁପ ଥିଲେ । ସୀତା ଯେପରି ପତିପ୍ରାଣା, ପରହିତୈଷିଣୀ ଆଉ ପତି ସୁଖରେ ସୁଖିନୀ ରାମଚନ୍ଦ୍ର ସୁଦ୍ଧା ସେହିପରି ସୀତାଗତ ପ୍ରାଣ , ସୀତା ହିତାକାଙକ୍ଷୀ ଓ ଜାନକୀ ସୁଖରେ ସୁଖୀ ଥିଲେ ।” ( ଓଡ଼ିଆ/ବିଛନ୍ଦ ଚରଣ) 
ସେଇଥିପାଇଁ ଭାରତୀୟ ସାହିତ୍ୟ କ୍ଷେତ୍ରରେ ଜଣେ ଶ୍ରେଷ୍ଠ ଅନୁବାଦକ ବିଛନ୍ଦ ଚରଣ ପଟ୍ଟନାୟକ ମହୋଦୟ । ଆଉ ଟିକିଏ ଦେଖିବା ! ବିଶ୍ଵ ବ୍ରହ୍ମାଣ୍ଡର ମହାନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଷ୍ଟକମ୍ ଯାହା ଶ୍ରୀଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ସଂସ୍କୃତରେ ଲିଖିତ ତାହାର ଓଡ଼ିଆ ଅନୁବାଦ ତୁଳନା କରନ୍ତୁ ତ ଥରେ !!
” हर त्वं संसारं द्रुततरमसारं सुरपते
हर त्वं पापानां बिततिमपरां यादव पते
अहो दीनेनाथे निहित चरणं निश्चित पदं
जगन्नाथ स्वामी नयनपथगामी भबतुमे “
” ଅସାର ସଂସାର ବନ୍ଧ ଛେଦ ମୋ’ ଖରେ ମୁକୁନ୍ଦ
ଅଥଳ ପାପପୟୋଧି ଦିଅ ଶୁଖାଇ
ହେ ନାଥ ! ଦୀନ ଅନାଥ ପାଇଁ ଶାଶ୍ଵତ ନିଶ୍ଚିତ
ପ୍ରେମ ପତ୍ର କ୍ଷେତ୍ରେ ଏଥି ଅଛ ରୁହାଇ
ପଥୁକୀ ମୋ ନୟନ ପଥେ
ହୁଅନ୍ତୁ ପ୍ରାଣସ୍ଵାମୀ ମୋ’ ସେ ଜଗନ୍ନାଥେ ।” 
~ ଅନୁବାଦ ଉପରେ ମତ ~
ଅନୁବାଦ ମୂଳକ ପାଠ୍ୟ ପୁସ୍ତକ ପ୍ରଣୟନରେ ବିଛନ୍ଦ ଚରଣଙ୍କ ନେତୃତ୍ଵ ସେ କାଳରେ ସ୍ଵୀକୃତ । ସାହିତ୍ୟ ପତ୍ରିକା #ସେବକ ଲେଖିଥିଲେ —
“ଅନୁବାଦ ଯୁଗର ଅଧିନେତା ବିଛନ୍ଦଙ୍କ ବଙ୍ଗଳା ବୋଧୋଦୟର ଉତ୍କଳାନୁବାଦ, ଭୋଳାନାଥଙ୍କ ହିତବୋଧ, କପିଳେଶ୍ୱରଙ୍କ ବୋଧାଙ୍କୁର, ଚତୁର୍ଭୁଜଙ୍କର ଜ୍ଞାନାଙ୍କୁର ଏବଂ ପାଠମାଳା ପ୍ରାୟ ଏକ #ଜାତୀୟ ପୁସ୍ତକ ଅଟେ । ଏପରି ପୁସ୍ତକମାନଙ୍କ ସଂଖ୍ୟା ଦିନୁଦିନ ବୃଦ୍ଧି ହେବା ଆନନ୍ଦର ବିଷୟ ।” (ସେବକ, ପ୍ରଥମ ବର୍ଷ )
~ ଭଞ୍ଜ ଭଗୀରଥ ~
ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ସଂରକ୍ଷକ, ପ୍ରଚାରକ ଥିଲେ ବିଛନ୍ଦ ଚରଣ ପଟ୍ଟନାୟକ । ପରମ୍ପରା ଗତ ଜାତୀୟ ସାହିତ୍ୟର ସର୍ଜନା ଓ ପୁନରୁଦ୍ଧାର ପାଇଁ ସଂକଳ୍ପବଦ୍ଧ ଏହି ମହାନ୍ ସାଧକ ଗଢ଼ିଥିଲେ ‘ଉତ୍କଳ ସାହିତ୍ୟ’‘କଳିଙ୍ଗ ଭାରତୀ’ ଅନୁଷ୍ଠାନ । ଓଡ଼ିଆ ସାହିତ୍ୟାକାଶରୁ ଲିଭି ଲିଭି ଆସୁଥିବା ବିଶ୍ଵବନ୍ଦିତ କବିସାର୍ବଭୌମ ଉପେନ୍ଦ୍ର ଭଞ୍ଜ, ଭକ୍ତକବି ଦୀନକୃଷ୍ଣ, କବିସୂର୍ଯ୍ୟ ବଳଦେବ, ବିଦଗ୍ଧକବି ଅଭିମନ୍ୟୁପଞ୍ଚସଖାଙ୍କ ସୃଷ୍ଟିର ବୈଶିଷ୍ଟ୍ୟ ପ୍ରତି ସେ ଯୁବପିଢୀକୁ ଉଦବୁଦ୍ଧ କରୁଥିଲେ। ପାରମ୍ପାରିକ ଛାନ୍ଦ, ଓଡ଼ିଶୀ, ଚମ୍ପୁ, ରାଗରାଗିଣୀ ଓଡ଼ିଶାର ନିଜସ୍ଵ । ଏ ସବୁର ସ୍ଥିତିରେ ଓଡ଼ିଆ ସାହିତ୍ୟ ଓ କଳାର ବିସ୍ତୃତି । ଏହାହିଁ ଥିଲା ପ୍ରଚାରକ ବିଛନ୍ଦ ଚରଣଙ୍କ ଦୃଢ଼ ମତ । ଏହାର ପ୍ରଚାର ପାଇଁ ତାଙ୍କ ଦ୍ଵାରା ଗଠିତ ‘କଳିଙ୍ଗ ଭାରତୀ’ ତାଙ୍କରି ନେତୃତ୍ୱରେ ଓଡ଼ିଶାର ବିଭିନ୍ନ ପୁରପଲ୍ଲୀ ସହ ଗସ୍ତ କରିଥିଲେ କଲିକତା, ଦିଲ୍ଲୀ, ମାଡ୍ରାସ, ବମ୍ବେ, ଖଡ଼ଗପୁର, ବସ୍ତର ଆଦି ବହୁ ଅଞ୍ଚଳ । ଏହି ଅନୁଷ୍ଠାନକୁ ଅକୁଣ୍ଠ ସମର୍ଥନ ଦେଇଥିଲେ ଡ. ଆର୍ତ୍ତବଲ୍ଲଭ ମହାନ୍ତି, ସେବକ ଲକ୍ଷ୍ମୀନାରାୟଣ ସାହୁ, ସ୍ଵାଧୀନତା ସଂଗ୍ରାମୀ ପ୍ରାଣନାଥ ମହାନ୍ତି, ପଣ୍ଡିତ ନୀଳକଣ୍ଠ ଦାସ, ଡ. ହରେକୃଷ୍ଣ ମହତାବ, ସର୍ବତ୍ୟାଗୀ ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ ପ୍ରମୁଖ । ୧୯୪୩ ମସିହା ମଇ ମାସ ୧୬ ତାରିଖ ଦିନ ଓଡ଼ିଶାର ଗଭର୍ଣ୍ଣର Howthorne Lewisଙ୍କ ଦ୍ଵାରା ‘କଳିଙ୍ଗ ଭାରତୀ’ ହୋଇଥିଲା ଉଦ୍ଘାଟିତ । ସେହିଦିନ ଠାରୁ କଳିଙ୍ଗ ଭାରତୀ ବଞ୍ଚିଛି ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟାଲୋଚନା ଓ ଗବେଷଣା କାର୍ଯ୍ୟରେ। ମନେ ହୁଏ ବିଛନ୍ଦ ଚରଣ ନଥିଲେ ଆମେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପରିଚୟ ଖୋଜୁଥାଆନ୍ତେ ଏବଂ କାହାକୁ ବି ପଚାରୁଥାନ୍ତେ ‘ଉପେନ୍ଦ୍ର ଭଞ୍ଜ କିଏ ?’ (ହାୟରେ ମୋ ଦୁର୍ଭାଗା ଜାତି !!) 
~ ଆଉ କିଛି ସର୍ଜନା ~
ଦେଶାତ୍ମବୋଧ ଓ ପ୍ରେମ ନେଇ ଶତାଧିକ କବିତା ରଚନା ତାଙ୍କର । ଏହାର ବିଶେଷତ୍ଵ ହେଉଛି ପୁରାତନକୁ ଜାବୁଡ଼ି ନ ଧରି ନୂତନ ଭାବଧାରା ଓ ବୈଜ୍ଞାନିକ ଚିନ୍ତାକୁ ରାଗରାଗିଣୀରେ ପ୍ରକାଶ କରିବା। କବିତା କୁମୁଦ, ପ୍ରେମ କବିତା ସଙ୍କଳନ, ଭାବିନୀ ଭାବନା, ବହୁ ଜନାଦୃତ ୧୦୮ଟି ପାରମ୍ପରିକ ଭକ୍ତି ରସାତ୍ମକ ଜଗନ୍ନାଥ ଜଣାଣର ସଙ୍କଳନ ଏବଂ ଅସମ୍ପୂର୍ଣ୍ଣ ଆତ୍ମଜୀବନୀ ସାହିତ୍ୟ ପାଇଁ ସଂଗ୍ରାମ ସୃଷ୍ଟି କରି ଓଡ଼ିଆ ସାହିତ୍ୟକୁ ଦାନ ଦେଇଯାଇଛନ୍ତି ବିଛନ୍ଦ ଚରଣ । ସେ ଥିଲେ ଦୈନିକ ଖବରକାଗଜ ‘ଆଶା’ର ସମ୍ପାଦକ । ବିଜୁବାବୁଙ୍କ ଦୈନିକ ଖବରକାଗଜ ‘କଳିଙ୍ଗ’ ପାଇଁ ସମ୍ପାଦକ ହେବାର ଚୁକ୍ତି ସ୍ବାକ୍ଷରିତ ହେବା ପରେ ପରେ ସେ ଉତ୍କଳ ଭାରତୀଙ୍କ କୋଳରେ ସବୁ ଦିନ ପାଇଁ ବିଶ୍ରାମ ନେଇଗଲେ ମାତ୍ର ଏକଷଠି ବର୍ଷ ବୟସରେ ।
ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ପରମ୍ପରାର ସଂରକ୍ଷକ ଭାବେ ନିଜକୁ ସମର୍ପିତ କରିଦେଇଥିବା ଓଡ଼ିଆ ମଣିଷ ବିଛନ୍ଦ ଚରଣ ପଟ୍ଟନାୟକ ଏ ଜାତିର ଚିରନମସ୍ୟ । 
ଆଧାର: ଭଞ୍ଜପ୍ରଭା, ଡ. ଶ୍ରୀନିବାସ ମିଶ୍ର; ଡ. ଶୈଳେଶ୍ଵର ନନ୍ଦ

1 thought on “ବିଛନ୍ଦ ଚରଣ ପଟ୍ଟନାୟକ”

  1. Niranjan Sahu

    ବିଛନ୍ଦ ପଟ୍ଟନାୟକ ନଥିଲେ ଉପେନ୍ଦ୍ର ଭଞ୍ଜ କିଏ ବୋଲି ସତରେ ପ୍ରଶ୍ନ ଆସିଥାନ୍ତା !!

Leave a Comment

Your email address will not be published. Required fields are marked *

Scroll to Top