ଲେଖା: ଅମୃତେଶ ଖଟୁଆ
ସତ୍ୟାସତ୍ଯର ସପ୍ରମାଣ ଉଦ୍ଘାଟନ ସହ ଏକାଧିକ ବିଚାରର ଚର୍ଚ୍ଚା ଓ ପ୍ରତିଷ୍ଠା ପାଇଁ ଆଜୀବନ ଅବ୍ଯାହତ ରଖି ଲୋକସାହିତ୍ଯର ହୃଦୟଗ୍ରାହୀ ଉପଜୀବ୍ଯକୁ ମାଧ୍ୟମ କରି ସମ୍ଵାଦ ପରିବେଷଣ ଓ ଉପସ୍ଥାପନାରେ ଅନ୍ୟତମ ଥିଲା – ‘ବାଲେଶ୍ଵର ସମ୍ଵାଦବାହିକା‘।
“ଅବନି ମଦନି ପାଳାଃ ପାନ୍ତୁ ବୃଷ୍ଟିଂ ବିଧତ୍ତା
ଜଗତୀ ଜଳଧାରାଳୀ ଶସ୍ଯ ପୂର୍ଣ୍ଣାସ୍ତୁ ଭୂମିଃ।।”
“ସମ୍ବାଦବାହିକାର ପୁନର୍ଜନ୍ମ” (୧ ଅଗଷ୍ଟ ୧୮୭୪)
“ଆମ୍ଭେମାନେ ପୁନର୍ବାର ଆଜିଠାରୁ ସମ୍ବାଦବାହିକାକୁ ପାଠକମାନଙ୍କ ହସ୍ତରେ ସମର୍ପଣ କଲୁଁ। ସନ ୧୮୭୩ ମସିହା ନଭେମ୍ବର ମାସ ଆଦ୍ୟରୁ ୧୮୭୪ ମସିହା ଜୁଲାଇ ଶେଷ ପର୍ଯ୍ୟନ୍ତ ୯ ମାସ କାଳ, ସମ୍ବାଦବାହିକା ପକ୍ଷରେ କାଳସ୍ଵରୂପ ହୋଇଛି। ଯେ ପ୍ରକାର ଘଟନା ଘଟିଥିଲା, ଏଥିରେ ସମ୍ବାଦ ବାହିକା ଯେ ପୁନର୍ବାର ପ୍ରକାଶିତ ହେବ ଏହା ଆମ୍ଭେମାନେ ସ୍ଥିର କରିପାରିନଥିଲୁଁ। କିନ୍ତୁ, କରୁଣାମୟ ପରମେଶ୍ବରଙ୍କ କୃପାରୁ ପୁନର୍ବାର ପ୍ରକାଶ କରିବାକୁ ସାହସୀ ହେଲୁଁ। “
ପ୍ରଥମୋକ୍ତ ଶ୍ଳୋକ ମାଧ୍ୟମରେ ପୃଥିବୀର ସୁଖ ଓ ଶାନ୍ତି ଆବଶ୍ୟକ ବୋଲି ନିର୍ଣ୍ଣୟ ହୋଇଛି। ‘ଉତ୍କଳପ୍ରାଣ’ କର୍ମବୀର ଗୌରୀଶଙ୍କର ରାୟଙ୍କ ପ୍ରତିଷ୍ଠିତ ‘ଉତ୍କଳ ଦୀପିକା’ ସମକାଳୀନ ସମ୍ବାଦପତ୍ରମାନଙ୍କ ମଧ୍ୟରେ ‘ସମ୍ଵଲପୁର ହିତୈଷିଣୀ’, ‘ପ୍ରଜାତନ୍ତ୍ର’, ‘ଆଶା’, ‘ସତ୍ୟ ସମାଚାର’, ‘ବାଲେଶ୍ଵର ସମ୍ଵାଦବାହିକା’ ଇତ୍ୟାଦିଙ୍କ ଭୂମିକା ଏକ ଐତିହାସିକ କାଳ ଥିଲା।
ଆଜିର ଆଧୁନିକ ସାମ୍ଵାଦିକତା ସଂଜ୍ଞାରେ ଏହା ସେତେବେଳେ ଏକ micro-journalismର ଉଦାହରଣ ଥିଲା। ଜନୈକ ସାମ୍ବାଦିକ କହିଥିଲେ, “One of the things we are supposed to do as journalist is take people where they can’t go.” ଆଉ ଏହି ସୂତ୍ରରେ ସେତେବେଳେ ‘ଉତ୍କଳ ଦୀପିକା’ ସହ ଯେଉଁ ସମ୍ବାଦପତ୍ରର ଆବିର୍ଭାବ ଘଟିଥିଲା, ତାହାର କର୍ଣ୍ଣଧାର ଥିଲେ ସ୍ଵୟଂ ବ୍ୟାସକବି ଫକୀରମୋହନ ସେନାପତି। ଫକୀରମୋହନ ଓ ତାଙ୍କ ଉତ୍ତରଦାୟିତ୍ଵ-ଅବଧାରକ ରୂପେ ଗୋବିନ୍ଦଚନ୍ଦ୍ର ପଟ୍ଟନାୟକଙ୍କ ଭୂମିକା ମଧ୍ୟ ତଦନୁରୂପ ଗୁରୁତ୍ଵପୂର୍ଣ୍ଣ ଥିଲା। ଆଉ ସେତେବେଳେ ଲୋକସାହିତ୍ଯର ହୃଦୟଗ୍ରାହୀ ଉପଜୀବ୍ଯକୁ ମାଧ୍ୟମ କରି ସମ୍ଵାଦ ପରିବେଷଣ ଓ ଉପସ୍ଥାପନାରେ ଅନ୍ୟତମ ଥିଲା – ‘ବାଲେଶ୍ଵର ସମ୍ଵାଦବାହିକା’।
(Image: odiabibhaba.in)
୧୮୬୮ ମସିହା ଶ୍ରାବଣ ଓ ଭାଦ୍ରବର ମଧ୍ୟାନ୍ତର। ସେତେବେଳେ ଇତିହାସର ଗଢଣ ସବୁଠାରୁ ଦ୍ରୁତ ଓ ଅନନ୍ୟ ଶୈଳୀରେ ହେଉଥାଏ। କହିବାର ତାତ୍ପର୍ଯ୍ୟ ଏହିକି ସେ ସମୟରେ ଓଡ଼ିଆ ମାଟିରେ ୧୮୬୬ ମସିହା ଦୁର୍ଭିକ୍ଷ ପରେ ଆଧୁନିକ ମୁଦ୍ରଣାଳୟ, ସମ୍ବାଦପତ୍ର, ପୁସ୍ତକାଦିର ପ୍ରକାଶନ ସହ ଇଂରେଜ ସରକାରଙ୍କ ଖଳ ଶାସନ ଉପରେ ତୀକ୍ଷ୍ଣ ଦୃଷ୍ଟିପାତ ରଖିବା।
ବାଲେଶ୍ଵରରେ ବ୍ୟାସକବି ନିଜର ଛଅଜଣ ସହଯୋଗୀ ଓ ସହରର କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଅଂଶଧନ ସହାୟତାରେ ଗଢିଲେ ‘ପି. ଏମ୍. ସେନାପତି ଏଣ୍ଡ୍ କୋଃ’ ନାମକ ଏକ କମ୍ପାନୀ ଆଉ ଏହିଠୁ ଆରମ୍ଭ ହୁଏ ‘ବୋଧଦାୟିନୀ ଓ ବାଲେଶ୍ଵର ସମ୍ଵାଦବାହିକା’। ଏହି ପତ୍ରିକାର ଆଦ୍ଯ ସଂଖ୍ୟାଗୁଡିକ ଦୁଷ୍ପ୍ରାପ୍ୟ। ଏହା ସେତେବେଳେ ମାସିକ ପତ୍ରିକା ରୂପେ ପ୍ରଚଳିତ ଥିଲା। ନିଜ ଆତ୍ମଚରିତରେ ଫକୀରମୋହନ ଲେଖିଛନ୍ତି ଯେ ସେ ମିଶନ ସ୍କୁଲରେ ପଢାଉଥିବା କାଳରେ ପ୍ରିଣ୍ଟିଂ ପ୍ରେସ୍ ସ୍ଥାପନ କରିବା ସହ ପୁରାତନ ପୋଥିପତ୍ରର ମୁଦ୍ରଣ ପାଇଁ କାୟମନୋବାକ୍ୟରେ ଚେଷ୍ଟିତ ଥିଲେ।
ସେତେବେଳେ, ଯେଉଁ ପ୍ରତିଷ୍ଠିତ ବ୍ୟକ୍ତିମାନେ ସାହାଯ୍ୟ କରିଥିଲେ, ସେମାନଙ୍କ ମାଧ୍ୟମରେ ସେ ଚାରିମାସରେ ଅଢେଇ ଶତ ଟଙ୍କା ମୂଳଧନ ସଂଗ୍ରହ କରିଥିଲେ। ପ୍ରତ୍ୟହ ରାତି ସାତଟାରୁ ମଧ୍ୟରାତି ପର୍ଯ୍ୟନ୍ତ ‘ରସକଲ୍ଲୋଳ’ର ଟୀକା ଲେଖୁଥିବେ। ଆଉ ସେଥିପାଇଁ ସେ ବାଲେଶ୍ଵରର ମୋତିଗଞ୍ଜଠାରେ ପ୍ରଥମ ମୁଦ୍ରଣାଳୟ ସ୍ଥାପନ କରିଥିଲେ – ‘ଉତ୍କଳ ପ୍ରେସ୍’।
ସେତେବେଳେ ଅନିୟମିତ ଆଲେଖ୍ୟ ଆସୁଥିବାରୁ ସବୁଥରକ ଏହାର ପ୍ରକାଶନ ସମ୍ଭବ ହେଉନଥିଲା। ଫକୀରମୋହନ କହନ୍ତି ଯେ ସେତେବେଳେ ପ୍ରାୟ ଚାଳିଶ-ପଞ୍ଚାଶ ଜଣ ଗ୍ରାହକ ଥାଇ ସୁଦ୍ଧା ମାତ୍ର, ଆଠଜଣ ହିଁ ମୂଲ୍ୟ ଦେଉଥିଲେ। ଡାକ ମାହାସୁଲ ସହିତ ଏହାର ବାର୍ଷିକ ଓ ଷାଣ୍ମାସିକ ମୂଲ୍ୟ ଯଥାକ୍ରମେ ୨ ଓ ୧ ଟଙ୍କା ଥିଲା। ହେଲେ, ତତ୍କାଳୀନ ଗୁଣଗ୍ରାହୀ ବାଲେଶ୍ଵର କଲେକ୍ଟର ଜନ୍ ବୀମ୍ସ ଓ କମିଶନର୍ ଟି.ଇ. ରେଭେନ୍ସାଙ୍କ ଅନୁମୋଦନ କ୍ରମେ ବଙ୍ଗ ସରକାରଙ୍କ ପକ୍ଷରୁ ଦୁଇ ସମ୍ଵାଦପତ୍ର – ‘ଉତ୍କଳ ଦୀପିକା’ ଓ ‘ବାଲେଶ୍ଵର ସମ୍ଵାଦବାହିକା’କୁ ବାର୍ଷିକ ଶହେ ଟଙ୍କାର ଅନୁଦାନ ଘୋଷଣା କରାଯାଏ !
କବିବର ରାଧାନାଥ ରାୟ ଏକଦା ଫକୀରମୋହନଙ୍କୁ କହିଥିଲେ, “ଆପଣ ଯେଉଁ ଭାବରେ ପ୍ରେସ୍ କମ୍ପାନୀ ସ୍ଥାପନ କରିଅଛନ୍ତି, ତାହା ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲିଖିତ ରହିବା ଉଚିତ୍।” କେବଳ ଯେ ଏତିକି ନୁହେଁ, ବ୍ୟାସକବିଙ୍କ ଏମିତି ଅନେକ ଅନ୍ୟାନ୍ୟ ବଦାନ୍ୟ କାର୍ଯ୍ଯ ନିମନ୍ତେ ମହାରାଜା ବୈକୁଣ୍ଠନାଥ ଦେ ସମସ୍ତ ବ୍ୟୟ ଏକାକୀ କରିବା ସକାଶେ ପ୍ରସ୍ତୁତ ହୋଇ ଏକବର୍ଷର ଖର୍ଚ୍ଚ ପାଇଁ ଫକୀରମୋହନଙ୍କୁ ଅଗ୍ରୀମ ୩୦୦୧ ଟଙ୍କା ପ୍ରଦାନ କରିଥିଲେ।
ଏହାପରେ ୧୮୭୨ ମସିହାରୁ ଏହା କେବଳ ‘ବାଲେଶ୍ଵର ସମ୍ଵାଦବାହିକା’ ରୂପେ ପ୍ରକାଶିତ ହେଲା। ଆଉ, ସେତେବେଳେ କମିଶନରଙ୍କ ସର୍ତ୍ତ ଅନୁଯାୟୀ ପ୍ରତ୍ୟହ ଜନହିତକର କାର୍ଯ୍ଯକ୍ରମ ବା ବିଧାନକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ଵ ନେଇ ଏହି ‘ବାଲେଶ୍ଵର ସମ୍ବାଦବାହିକା।’ ଏହା ଦ୍ଵାରା ସେତେବେଳେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ଯୋଗସୂତ୍ର ଓ ବୁଝାମଣାର ସ୍ଥାପନା ହୁଏ। କଲେକ୍ଟର ଜନ୍ ବୀମ୍ସଙ୍କ ପୃଷ୍ଠପୋଷକତାରେ ୧୮୭୨ରୁ ଅଗଷ୍ଟ ୧୮୭୩ ମସିହା ପର୍ଯ୍ୟନ୍ତ ଏହା ପାକ୍ଷିକ ପତ୍ରିକା ହେଇସାରିଥିଲା।
ହେଲେ, ବୀମ୍ସଙ୍କ ପ୍ରସ୍ଥାନ ପରେ ଏହାକୁ ଉପଯୁକ୍ତ ପୃଷ୍ଠପୋଷକତା ମିଳେନାହିଁ। କାରଣ, ସେତେବେଳେ ୧୮୭୩ ମସିହା ନଭେମ୍ବର ମାସରେ କମ୍ପାନୀର ଅନ୍ତର୍ଦ୍ବନ୍ଦ୍ଵ କାରଣରୁ ଏହାର ସ୍ଵତ୍ତ୍ଵାଧିକାର ମହାରାଜା ବୈକୁଣ୍ଠନାଥ ଦେଙ୍କ କରଗତ ହୁଏ। ଫଳତଃ, କିଛି ମାସ ପାଇଁ ଏହାର ପ୍ରକାଶନ ବନ୍ଦ ରହିଥିଲା। ହେଲେ, ଫକୀରମୋହନ ଓ ଗୋବିନ୍ଦଚନ୍ଦ୍ର ପଟ୍ଟନାୟକଙ୍କ ନିକଟତମ ବନ୍ଧୁ ମଦନ ମୋହନ ଦାସ ତଥା କିଶୋରୀ ମୋହନ ଦାସଙ୍କ ଦ୍ଵାରା ୧୮୭୪ ମସିହାରେ ଅଗଷ୍ଟ ପହିଲାରୁ ପୁନର୍ବାର ‘ଉତ୍କଳ ପ୍ରିଣ୍ଟିଂ କମ୍ପାନୀ’ ନାମକ ଆଉ ଏକ ପ୍ରେସ୍ ଖୋଲାଯିବା ସହ ପୁଣିଥରେ ପ୍ରକାଶ ପାଏ ‘ବାଲେଶ୍ଵର ସମ୍ବାଦବାହିକା’।
ନିଜ ଆଧୁନିକ ପ୍ରକାଶନ ସହ ଆଭିମୁଖ୍ୟ ପ୍ରକଟନ କରି ଏହା ଉଲ୍ଲେଖ କରେ – “ସମ୍ଵାଦବାହିକାର କଳେବର ପୂର୍ବଏ ଯେରୂପ ଥିଲା, ବର୍ତ୍ତମାନ ମଧ୍ୟ ସେହିରୂପ। × × × ବାଲେଶ୍ଵର ସମ୍ଵାଦବାହିକା, ପୂର୍ବେ ଯେ ରୂପେ ଦୁଃଖୀ ପ୍ରଜାଙ୍କ ଗୁହାରି ରାଜପୁରୁଷଙ୍କ ଛାମୁରେ ଜଣାଉ ଥିଲା ବର୍ତ୍ତମାନ ମଧ୍ୟ ସେହି ରୂପେ ଜଣାଇବ। ବାଲେଶ୍ଵର ସମ୍ଵାଦବାହିକା, ଉତ୍କଳୀୟଙ୍କ ସ୍ଵରଦାନରେ ଆଗେ ଯେ ରୂପେ ଚିତ୍କାର କରୁଥିଲା ଏବେ ମଧ୍ୟ ସେହି ରୂପେ ଚିତ୍କାର କରିବ। ବାଲେଶ୍ଵର ସମ୍ଵାଦବାହିକା, ଉତ୍କଳୀୟଙ୍କ ଅବମାନନାରେ ଆଗେ ଯେ ରୂପେ ଶୋକାକୁଳ ହେଉଥିଲା, ଏବେ ମଧ୍ୟ ସେହି ରୂପେ ଶୋକାକୁଳ ହେବ . . . “
ଫକୀରମୋହନ ସେତେବେଳେ ଅନେକ ଗଡ଼ଜାତ ରାଜ୍ୟମାନଙ୍କରେ ଦେବାନ ରୂପେ ନିଯୁକ୍ତି ପାଇଥାଆନ୍ତି। ଆଉ ସେତେବେଳେ, ତାଙ୍କ ଦକ୍ଷ ସହଯୋଗୀ ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ ଏହାର ମାନ ଓ କଳେବରରେ ଯଥାର୍ଥ ସମ୍ପ୍ରସାରଣ ଆଣିବା ସହ ଏହାକୁ ସାପ୍ତାହିକ ପତ୍ରିକାରେ ପରିଣତ କରିବାରେ ସକ୍ଷମ ହୋଇଥିଲେ। ସେହି ସମୟରେ ‘ଉତ୍କଳ ଦୀପିକା’ ସହ ଏହାର ଭୂମିକା ସବୁଠାରୁ ମର୍ଯ୍ୟାଦାପୂର୍ଣ୍ଣ ଥିଲା। ଏହାର ମୁଖ୍ୟ କାରଣ ଥିଲା ଖବର ପରିବେଷଣର ଅନନ୍ଯ ଗଦ୍ୟଶୈଳୀ।
ଫକୀରମୋହନଙ୍କ ଗଳ୍ପ ଓ ଉପନ୍ୟାସ ରଚନାର ପାଟବ ଫିଟିନଥାଏ, ହେଲେ, ସେତେବେଳେ ବଙ୍ଗୀୟମାନଙ୍କ ଚକ୍ରାନ୍ତ ପ୍ରତି ସେ ଯଥେଷ୍ଟ ବିମୃଶ୍ୟକାରୀ ଓ ସତର୍କ ଥିଲେ। ଆଉ ସେଥିପାଇଁ ସେ ନିଜର ଏହି ପ୍ରେସ୍ ମାଧ୍ୟମରେ ମଧ୍ୟ ଅନେକ ଛୋଟ ଛୋଟ ପାଠ୍ୟପୁସ୍ତକ ସହ ‘ଭାରତୀୟ ଇତିହାସ’ ଭଳି ଚଟି ବହିମାନ ନିଜେ ଲେଖି ପ୍ରକାଶନ କରାଉଥା’ନ୍ତି।
ତାଙ୍କର ‘ବାଲେଶ୍ଵର ସମ୍ଵାଦବାହିକା’ର ଅନନ୍ଯ ଗଦ୍ୟଶୈଳୀ ଫକୀରମୋହନଙ୍କ ସ୍ଵୀୟ ଗଦ୍ୟଶୈଳୀ ସହ ବେଶ୍ ସାମଞ୍ଜସ୍ୟ ରଖୁଥିଲା, ଯାହା ଫଳରେ ସମଗ୍ର ଓଡିଶାରେ, ବିଶେଷ କରି ଉତ୍ତର ଓଡିଶାର ଶିକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ପର୍ଯ୍ୟନ୍ତ ସବୁର ବିଶଦ ପରିବେଷଣ କରାଉଥିଲା।
‘ଉତ୍କଳ ଦୀପିକା’ ପରେ ଏହା ଏକମାତ୍ର ସମ୍ବାଦପତ୍ର ଥିଲା, ଯାହା ପ୍ରାକ୍-ସ୍ଵାଧୀନତା ଯୁଗରେ ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ଵ କାଳ ତିଷ୍ଠି ପାରିବାରେ ସକ୍ଷମ ହୋଇଥିଲା। ଆଉ, ଏହାର ଏକ ବିଶେଷତ୍ଵ ଥିଲା ଯେ ସେତେବେଳେ ଏହାର ପୃଷ୍ଠପୋଷକତା କୌଣସି ରାଜନ୍ୟବ୍ଯକ୍ତି କରୁନଥିଲେ, ବରଂ, କେବଳ ତିନିଜଣ ହିଁ ନିଜର ଏକନିଷ୍ଠ ଉଦ୍ୟମରେ ମାନ୍ୟତା ବୃଦ୍ଧି କରିଥିଲେ – ବ୍ୟାସକବି ଫକୀରମୋହନ, ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ ଏବଂ ରାଧାଗୋବିନ୍ଦ ଦାସ। ଆଉ, ସେତେବେଳେ, ଇଂରେଜ ସରକାରଙ୍କ ଅତ୍ୟାଚାର, ଶାସନ-ପ୍ରଣାଳୀର ଦୁରଭିପ୍ରେତ ମାନସିକତାକୁ ଯଥେଷ୍ଟ ସମାଲୋଚନା କରିଥିଲା ଏହା ନିଜର ନିରପେକ୍ଷ ସମ୍ବାଦ ପରିବେଷଣ ମାଧ୍ୟମରେ।
ଆଉ ସେତେବେଳେ, ଏକ ଉଲ୍ଲେଖଯୋଗ୍ୟ ବିବାଦ ଥିଲା ବୈକୁଣ୍ଠନାଥ ଦେଙ୍କ ଗୋଷ୍ଠୀ ଓ ଫକୀରମୋହନ ଓ ବ୍ରାହ୍ମ ଗୋଷ୍ଠୀ ବିବାଦ। ଏହି ବିବାଦ ସେତେବେଳେ, ନବେ ଦଶନ୍ଧିର ପ୍ରଥମ ଭାଗରେ ଚରମ ସୀମା ସ୍ପର୍ଶ କରିବା ସହ ପରସ୍ପର ପ୍ରତି କୁତ୍ସାରଟନା କରି ଲେଖୁଥିଲେ। ଏହାର ଏକ ପ୍ରାଥମିକ ଉଦାହରଣ ଦେଖିବାକୁ ମିଳିଥିଲା ୧୮୭୪ ମସିହାର ଅକ୍ଟୋବର ମାସରେ, ଯେତେବେଳେ କଟକ ସ୍ଥିତ ବ୍ରାହ୍ମସମାଜ ଗୋଷ୍ଠୀ ପ୍ରତି କେତୋଟି ମଦ୍ୟପାୟୀ ଗୋଷ୍ଠୀ ଅତ୍ୟାଚାର ଆରମ୍ଭ କରିଥିଲେ। କେବଳ ଏତିକି, ପୂର୍ବରୁ ଯାହା ବର୍ଣ୍ଣନା କରାଯାଇଛି, ସେତେବେଳେ ଶିକ୍ଷାନୀତିର ଅବ୍ୟବସ୍ଥା ସହ ଅନ୍ୟାନ୍ୟ ଶାସନାବସ୍ଥାର ଅପାରଗତା ସ୍ପଷ୍ଟ ଚିତ୍ରିତ ହେଉଥିଲା।
ଥରେ, ଏକ ଭୀଷଣ ଝଡ଼ବାତ୍ୟା ଯୋଗୁଁ ଜଳେଶ୍ବର ଓ ବାଲିଆପାଳ ଥାନାର ସମସ୍ତ ଗ୍ରାମ ଯେପରି ଧ୍ଵଂସସ୍ତୂପ ପାଲଟିଯାଇଥିଲା। ଏପରିକି ବାଁଶଡିହା, ଭୋଗରାଇ ପରି ସ୍ଥାନରେ ଲୋକ ମରଣାତୀତ କଷ୍ଟ ନିପୀଡିତ। ତତ୍କାଳୀନ ପରିଦର୍ଶକ ଥାଆନ୍ତି ଅତୁଲଚନ୍ଦ୍ର ଚାଟାର୍ଜୀ। ଆଉ ଏହି ବାତ୍ୟାର ଏକ ମର୍ମସ୍ପର୍ଶୀ ବିବରଣୀ ପ୍ରକାଶନ ପରେ ଦୁର୍ଭିକ୍ଷ ପାଣ୍ଠି ପାଇଁ ଅନେକ ବ୍ୟକ୍ତି ଦାନ କରିବା ସହ ତତ୍କାଳୀନ ବଦାନ୍ୟ ବ୍ୟକ୍ତି ଶ୍ଯାମାନନ୍ଦ ଦେ, ମଦନ ମୋହନ ଦାସ ସମେତ ଅନେକ ବ୍ଯକ୍ତିବିଶେଷ ପାଣ୍ଠିକି ବିଶେଷ ଭାବରେ ଅର୍ଥ ଦାନ କରିଥିଲେ।
ଏହି ପତ୍ରିକାର ଆୟୁ ଥିଲା ପଞ୍ଚାବନ ବର୍ଷ, ଉତ୍ଥାନ-ପତନର କ୍ରମଶଃ ସାଙ୍ଗଠନିକତା ଦୁର୍ବଳ ହୋଇପଡୁଥିଲେ ମଧ୍ୟ ଫକୀରମୋହନ ଏହାର ହୃତଗୌରବ ସବୁବେଳେ ବଜାୟ ରଖିଛନ୍ତି। ଗୋବିନ୍ଦ ଚନ୍ଦ୍ରଙ୍କ ସମ୍ପାଦନା ଥିଲା ନିରପେକ୍ଷ, ନିର୍ଭୀକ ଏବଂ ପ୍ରମାଦମୁକ୍ତ। ଏପରିକି ଦୁର୍ନୀତିଗ୍ରସ୍ମ କର୍ମଚାରୀଙ୍କ ଜନସ୍ଵାର୍ଥବିରୋଧୀ କାର୍ଯ୍ୟକଳାପ ସହ ଅନେକ ଅନ୍ୟାୟକୁ ସେ ସ୍ପଷ୍ଟବାଦୀ ହୋଇ ବିରୋଧ କରି ଲେଖିଛନ୍ତି। ଆଉ ସେଥିପାଇଁ ସାଧାରଣ ଜନତାଙ୍କ ଠାରୁ ଅମଲାତନ୍ତ୍ରୀର ରୋଷ ସମ୍ଵରଣ କରିବାକୁ ପଡିଛି। ତାଙ୍କ ଘର ଜାଳି ଦିଆଗଲା, ବାରମ୍ବାର ଜୀବନହାନିର ଧମକ ସତ୍ତ୍ଵେ ସେ ଆଦର୍ଶଚ୍ୟୁତ ହୋଇନଥିଲେ !
ଏପରିକି ବିଦେଶୀ ସରକାରଙ୍କ ଚାଷ, ଶିକ୍ଷା, ବାଣିଜ୍ୟ ଓ ପ୍ରାଶାସନିକ ପ୍ରଣାଳୀର ତୀବ୍ର ସମାଲୋଚନା କରୁଥିଲେ। ଏଥିପାଇଁ ଓଡିଶାର ସମକାଳୀନ ସମ୍ପାଦକମାନଙ୍କ ମଧ୍ୟରେ ତାଙ୍କୁ କୁହାଗଲା “Establishment ବିରୋଧୀ” ! ସେତେବେଳେ, ସାହିତ୍ୟିକ ବିଚାରବିମର୍ଶ ସ୍ତରରେ ପ୍ରଗତିଶୀଳ ଆଭିମୁଖ୍ୟକୁ ସବୁବେଳେ ଉଦାରତାର ସହ ଗ୍ରହଣ କରିଆସିଛି ବାଲେଶ୍ଵର ସମ୍ବାଦବାହିକା। ଯେ କୌଣସି ପ୍ରାଦେଶିକ ସମସ୍ଯା ଚର୍ଚ୍ଚା କାଳରେ ସମ୍ଵାଦବାହିକା ସ୍ଥଳବିଶେଷରେ ଦୀପିକାର ବିମୁଖ ସ୍ରୋତ ପରି ବୋଧ ହୋଇଥିଲେ ମଧ୍ୟ ଗୌରୀଶଙ୍କର ଓ ସମ୍ଵାଦବାହିକା ସମ୍ପାଦକ ଗୋବିନ୍ଦଚନ୍ଦ୍ର ପରସ୍ପର ବିଚାରବୋଧ ପ୍ରତି ସମ୍ମାନ ରଖିଛନ୍ତି।
ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ଏହାର ଗ୍ରନ୍ଥ ଅବମୂଲ୍ୟାୟନ, ଭାଷାଗତ ଆଲୋଚନା ଏବଂ ଜ୍ଞାନବିଜ୍ଞାନ ବିଷୟସମ୍ଵଳିତ ଚିନ୍ତାମୂଳକ ମୌଳିକ ପ୍ରବନ୍ଧମାନକୁ ଯଥେଷ୍ଟ ସ୍ଵୀକୃତି ଦେଇଛି। କୌଣସି ମତର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଧର୍ମୀୟ ସମସ୍ୟା ଓ ବ୍ୟକ୍ତିର ମାନସିକତାକୁ ଯେତେ ସରଳ, ଯୁକ୍ତିନିଷ୍ଠ ଓ ସର୍ବଜନବୋଧ୍ୟ ଶୈଳୀରେ ଚର୍ଚ୍ଚା କରିବାରେ ଏହାର ସମ୍ପାଦକୀୟ ସ୍ତମ୍ଭ ଦୃଷ୍ଟାନ୍ତମୂଳକ। ଢଗ, ପ୍ରବଚନ, କାହାଣୀ ତଥା ସଂଳାପ ଧର୍ମୀ ଭଳି ସାଧାରଣ କଥନ ଶୈଳୀରେ ସମ୍ଵାଦ ସବୁକୁ ପାଠକୀୟତା ପାଇଁ ଋଦ୍ଧିମନ୍ତ କରିଛି।
ଓଡ଼ିଆ ସାମ୍ବାଦିକତାକୁ ଏକ ସୃଜନଶୀଳ, ସତ୍ୟନିଷ୍ଠ ତଥା ବ୍ୟଙ୍ଗାତ୍ମକ ଶୈଳୀରେ ପରିବେଷଣ କରିବାରେ ଫକୀରମୋହନ ଉଭୟ ସ୍ରଷ୍ଟା ରୂପେ ଓ ଆଦର୍ଶ ସାମ୍ବାଦିକତାର ପରାକାଷ୍ଠା ରୂପେ ଲୋକାଭିମୁଖୀ କରିପାରିଥିଲେ। ଆଉ ଏହା ପରେ ତାଙ୍କର ପରବର୍ତ୍ତୀ ଗଳ୍ପ, ଉପନ୍ୟାସ ଓ କାବ୍ୟଶୈଳୀ ଏହି ସାମ୍ବାଦିକ ରୂପେ କାଳାତିପାତ କରିଥିବା ସ୍ରଷ୍ଟାଜୀବନରୁ ହିଁ ଯେ ଲୋକମାନଙ୍କ ସୌହାର୍ଦ୍ଦ୍ୟ ଓ ଅସଲ ସମସ୍ଯାକୁ ହୃଦବୋଧ କରିବାରେ ଯଥେଷ୍ଟ ଥିଲା, ଏହା ସ୍ଵତଃସିଦ୍ଧ। ଏଥିରୁ ଓଡ଼ିଆ ମାଟି ପ୍ରତି ଫକୀରମୋହନଙ୍କ ବହୁମୁଖୀ ଅବଦାନ ଅବିସ୍ମରଣୀୟ।