ବାରଙ୍ଗ ଗୋସାଇଁ

ଉପସ୍ଥାପନା: ତ୍ରିଲୋଚନ ସ୍ୱାଇଁ
~ ବାରଙ୍ଗ ଗୋସାଇଁ ~
ଓଡ଼ିଶା ସିଦ୍ଧ ସାଧୁସନ୍ଥଙ୍କର ଭୂଇଁ – ଅନାଦି କାଳରୁ ଶ୍ରୀଜଗନ୍ନାଥ ଓଡ଼ିଶା ଓ #ଜଗତର_ଦେବତା ରୂପେ ପୂଜା ପାଇ ଆସୁଛନ୍ତି । ତାଙ୍କୁ ଆଶ୍ରୟ କରି ବିଭିନ୍ନ ସମୟରେ ବହୁ ସିଦ୍ଧ ସାଧକ ଓ ଭକ୍ତ ତାଙ୍କର ମହିମା ଗାନ କରି ଯାଇଛନ୍ତି । ସେମାନଙ୍କର ମରଶରୀର ଆଉ ନାହିଁ – ଅଛନ୍ତି ତାଙ୍କର ଆରାଧ୍ୟ ଦେବତା – ତାଙ୍କ ସମୟରେ ଗଢ଼ିଉଠିଥିବା ଶିଉଳିବୋଳା ପୁରୁଣା ମଠମନ୍ଦିର ପଡ଼ିରହିଛି – ପୁଣି ରହିଛି କେଉଁ କାଳର ତାଙ୍କର ସମାଧି ଓ ଗାଁ ଗହଳିର #ଭାଗବତ_ଗାଦିରେ ତାଙ୍କର ସାହିତ୍ୟ । ଲୋକମୁଖରେ କେତେ ସୁନ୍ଦର ସୁନ୍ଦର କାହାଣୀ ରହିଛି ସେହି ସାଧୁସନ୍ଥଙ୍କ ସମ୍ବନ୍ଧରେ, ତାହା ସଂଗ୍ରହ କରୁଛି କିଏ ? 
ଆମ ଓଡ଼ିଶାର ଅଧିକାଂଶ ମଠ, ମନ୍ଦିର ଓ ଆଶ୍ରମ ବିଭିନ୍ନ ନଈଗୁଡ଼ିକର କୂଳରେ ରହିଥିଲା – ବୈତରଣୀ, ମହାନଦୀ, ଚିତ୍ରୋତ୍ପଳା, ପ୍ରାଚୀ ଓ ଋଷିକୁଲ୍ୟା ପ୍ରଭୃତି ନଦୀଗୁଡ଼ିକର ତଟ ଦେଶରେ ବହୁ ସିଦ୍ଧ ସାଧକମାନଙ୍କର ପୀଠସ୍ଥଳୀ ଓ ଆଶ୍ରମ ରହିଅଛି । ବର୍ତ୍ତମାନ ସେହି ସ୍ଥାନ ରହିଛି, କିନ୍ତୁ ଅଳକା ନଦୀର ସେ ସ୍ବଚ୍ଛ ତରଳ ପ୍ରବାହ ଆଉ ନାହିଁ । ତାହା ଏକ ବାଲିକୁଦରେ ପରିଣତ ହୋଇଛି । କିନ୍ତୁ ଏହି ସ୍ଥାନଟି ବୃକ୍ଷଲତା ପରିପୂର୍ଣ୍ଣ ନିକାଞ୍ଚନ ସ୍ଥାନ – ଜନଗହଳି ଠାରୁ ବହୁତ ଦୂରରେ ରହିଛି ପ୍ରାଚୀନର ସେହି ଋଷି ଆଶ୍ରମର ସମସ୍ତ ପବିତ୍ରତା ଓ ଶାନ୍ତ ବାତାବରଣ ନେଇ ! 
ଆଜିକି ପାଞ୍ଚଶ ବର୍ଷ ତଳେ ସେହିପରି ଏକ ସିଦ୍ଧ ସାଧକଙ୍କର ଆବିର୍ଭାବ ଘଟିଥିଲା ଓଡ଼ିଶା ଭୂଇଁରେ ! ସେ #ସିଦ୍ଧବାରଙ୍ଗ ବା #ବାରଙ୍ଗ_ଗୋସାଇଁ ଭାବରେ ସୁପରିଚିତ । ଜଗତସିଂହପୁର ଠାରୁ ପ୍ରାୟ ତିନି କିଲୋମିଟର ପଶ୍ଚିମକୁ ଗଲେ ପୁଣ୍ୟସ୍ରୋତା ଅଳକା ନଦୀର କୂଳରେ ସିଦ୍ଧବାରଙ୍ଗ ପୀଠ ବିଦ୍ୟମାନ । ଏପରି ଏକ ଅଳ୍ପଜ୍ଞାତ ଐତିହାସିକ ମଠର ସୂଚନା ପାଇ ଆମେ ଯାଇଥିଲୁ ଆମର ଅନ୍ତରଙ୍ଗ କଳିଙ୍ଗର ଐତିହ୍ୟ ଯାତ୍ରାର ପରବର୍ତ୍ତୀ ପର୍ବ ଭାବେ ! ନୂତନ ସ୍ଥାନକୁ ଯିବା ପାଇଁ ବେଶୀ ସଂଖ୍ୟକ ବନ୍ଧୁ ଯାଇ ନ ଥିଲେ ମଧ୍ୟ ସ୍ଥାନୀୟ କିଛି ବନ୍ଧୁଙ୍କ ଉପସ୍ଥିତି ଆମର ଜଗତସିଂହପୁର ଜିଲ୍ଲାରେ ପ୍ରଥମ ଐତିହ୍ୟ ଯାତ୍ରାକୁ କରିଥିଲା ଅବିସ୍ମରଣୀୟ !
ଦିନେ ଏଇ ପବିତ୍ର #ବାରଙ୍ଗ_ଆଶ୍ରମ ଅଳକା ନଦୀର କୂଳରେ ଅବସ୍ଥିତ ଥିଲା । ଏ ପୀଠରେ ପୂଜାପାଆନ୍ତି ଶ୍ରୀଜଗନ୍ନାଥ, ହନୁମାନ, ମହାଦେବ ଏବଂ ବାରଙ୍ଗ ଗୋସାଇଁ ! ପ୍ରାକୃତିକ ଦୃଶ୍ୟ ପରିପୂର୍ଣ୍ଣ ଏପରି ଏକ ପ୍ରାଚୀନ ଧର୍ମପୀଠକୁ ଯିବା ପାଇଁ ଯାନବାହନ ଚଳାଚଳ ଉପଯୋଗୀ ରାସ୍ତାଟିଏ ନାହିଁ ! ପୁଣି ଭ୍ରମଣକାରୀମାନଙ୍କ ପାଇଁ ଏହି ସ୍ଥାନର ଅନେକ ମହତ୍ତ୍ବ ରହିଛି, କିନ୍ତୁ ବହୁକାଳରୁ ଏହି ମହାନ ପୀଠ ହୋଇଆସିଛି ଅବହେଳିତ ! ଆଜି ଯୁଆଡ଼େ ଇଚ୍ଛା ସିଆଡ଼େ ରାସ୍ତା ପଡ଼ୁଛି, କିନ୍ତୁ ଆଧ୍ୟାତ୍ମିକତା ଆଡ଼କୁ ଯେପରି ରାସ୍ତାଘାଟ ନାହିଁ ! ସବୁ ଯେପରି କିଏ କରିଛି ଅବରୋଧ !
କଥିତ ଅଛି ଯେ ଜଗତସିଂହପୁର ଗୁରୁକୁଳ ମଠର ପ୍ରତିଷ୍ଠାତା #ମୁଚୁକୁନ୍ଦ_ଗୋସ୍ବାମୀ ଗୁଜୁରାଟର କମା ବ୍ରାହ୍ମଣ କୁଳରେ ଜନ୍ମଗ୍ରହଣ କରିଥିଲେ ଓ ବ୍ରତୋପନୟନ ଦିନ ତ୍ରିରେଖା ଅତିକ୍ରମ କରି ବ୍ରହ୍ମଚାରୀ ହୋଇଥିଲେ । #ସୋମନାଥଙ୍କ ଭକ୍ତ ମୁଚୁକୁନ୍ଦ ଶ୍ରୀଜଗନ୍ନାଥଙ୍କର ମାହାତ୍ମ୍ୟ ଶୁଣି ଦର୍ଶନ ନିମିତ୍ତ ଶ୍ରୀକ୍ଷେତ୍ର ଆସିଥିଲେ- ସେ ସ୍ବପ୍ନାବିଷ୍ଟ ହୋଇ ସୋମନାଥ ମନ୍ଦିର ପଛପଟୁ ଏକ ଶିବଲିଙ୍ଗଙ୍କୁ ଲାଭ କରିଥିଲେ; ସେ ଶିବଲିଙ୍ଗଙ୍କୁ ନେଇ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ ।
May be an image of 1 person and sky
May be an image of 1 person and outdoors
(ମୁଚୁକୁନ୍ଦ ସୋମନାଥ ମନ୍ଦିର)
କେଜାଣି କେତେ ମାସ ବାଟରେ ବିତିଗଲା । ଶେଷରେ ସେ ଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । କଥିତ ଅଛି, ଯେ ଶ୍ରୀକ୍ଷେତ୍ରରେ ମୁଚୁକୁନ୍ଦଙ୍କ ସହିତ #ସିଦ୍ଧବାଉଳି ଓ ବାରଙ୍ଗ ଗୋସାଇଁଙ୍କର ସାକ୍ଷାତ ଘଟିଥିଲା । ଏମାନଙ୍କ ଭିତରେ ଘନିଷ୍ଠତା ବଢିବାରୁ ସେମାନେ ଏକ ସ୍ଥାନରେ ରହିବା ନିମିତ୍ତ ସ୍ଥିର କଲେ । ନୀଳାଚଳ ଧାମରେ ଏମାନେ ଥିବା ଅବସ୍ଥାରେ ଏକଦା #ଝଙ୍କଡବାସିନୀ ମା’ ସାରଳାଙ୍କୁ ଦର୍ଶନ କରିବାର ଇଚ୍ଛା ସେମାନଙ୍କ ମନରେ ଜାଗ୍ରତ ହୋଇଥିଲା ଓ ଦିନେ ସେମାନେ ଶ୍ରୀକ୍ଷେତ୍ର ଛାଡ଼ି ଝଙ୍କଡ଼ ଅଭିମୁଖେ ଯାତ୍ରା କଲେ । ବାଟରେ ସେମାନେ #ଅଳକା ନଦୀ ପାର ହେଲେ ଓ ନଈପାର ହେବାପରେ ମୁଚୁକୁନ୍ଦ ତାଙ୍କର ଶିବଲିଙ୍ଗଙ୍କୁ ଭୂସ୍ପର୍ଶ କରାଇ ଦେବାରୁ ଲିଙ୍ଗ ପାତାଳଗାମୀ ହେଲେ ଓ ସେ ସ୍ଥାନ ଆଉ ତ୍ୟାଗ କରିବେ ନାହିଁ ବୋଲି ତାଙ୍କୁ ସ୍ବପ୍ନାଦେଶ ଦେଇଥିଲେ ତାଙ୍କର ଇଷ୍ଟ ଦେବତାଙ୍କୁ ସେ ଛାଡ଼ିକରି ପଦେମାତ୍ର ଆଗକୁ ଗଲେ ନାହିଁ । ମୁଚୁକୁନ୍ଦ ହରିହରପୁରରେ ଏକ ମଠ ସ୍ଥାପନ କରି ରହିଲେ ଓ ତାଙ୍କର ଇଷ୍ଟ ଦେବତା ସୋମନାଥ ଅଳକା ନଦୀ ତୀରରେ #ମୁଚୁକୁନ୍ଦ_ସୋମନାଥ ନାମରେ ପ୍ରତିଷ୍ଠିତ ହେଲେ । ଆଜି ସେସବୁ ସ୍ମୃତିର ସ୍ମାରକ ହୋଇ ରହିଛି ସୋମନାଥ ହାଟସ୍ଥ ମୁଚୁକୁନ୍ଦ ସୋମନାଥ ମନ୍ଦିର ! ପ୍ରତିବର୍ଷ ଏହି ସ୍ଥାନରେ #ମକରବୁଡ଼ ମେଳା ଅନୁଷ୍ଠିତ ହୋଇ ଆସୁଅଛି। ଏଥିରୁ ସ୍ପଷ୍ଟ ଯେ, ବାରଙ୍ଗ, ବାଉଳି ଓ ମୁଚୁକୁନ୍ଦ ସମସାମୟିକ ଥିଲେ, ଯାହାର ଉଲ୍ଲେଖ #ଅଚ୍ୟୁତାନନ୍ଦଙ୍କ #ଶୂନ୍ୟସଂହିତାରେ ରହିଅଛି । ମୁଚୁକୁନ୍ଦ ମଧ୍ୟ ବାରଙ୍ଗ ଗୋସାଇଁଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । 
ଲୋକମୁଖରେ ପ୍ରଚଳିତ କିମ୍ବଦନ୍ତୀରୁ ଜଣାଯାଏ ଯେ ବାଉଳି ଗୋସାଇଁ ମାର୍କଣ୍ଡପୁରଠାରେ ଏବଂ ବାରଙ୍ଗ ଗୋସାଇଁ #ପୂର୍ଣ୍ଣଗ୍ରାମ (ଆଧୁନିକ #ପୁନଙ୍ଗ, ଜଗତସିଂହପୁର ସହର ଉପକଣ୍ଠର ଐତିହାସିକ ଗ୍ରାମ, #ଜାତୀୟକବି #ବୀରକିଶୋରଙ୍କ ଜନ୍ମଭୂମି, #କବିବରଙ୍କ #ଦରବାର କାବ୍ୟ ଯେଉଁ ଭୂମିର ମହିମା ଗାଏ) ଠାରେ ଆଶ୍ରମ ପ୍ରତିଷ୍ଠା କରିଥିଲେ । 
ବାରଙ୍ଗ ଗୋସାଇଁ ସାଧନା କରି ପୂର୍ଣ୍ଣତା ଓ ସିଦ୍ଧିଲାଭ କରିଥିବାରୁ ଏହାର ନାମ #ପୂର୍ଣ୍ଣଗ୍ରାମ ବୋଲି ଅଭିହିତ କରିଥିଲେ । କାହାରି କାହାରି ମତରେ ଏଠାରେ ମାର୍ଗଶୀର ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜଗନ୍ନାଥ ପୂର୍ଣ୍ଣବ୍ରହ୍ମରେ ଅବତରଣ କରୁଥିବାରୁ ଓ ସେଦିନ ମହାପ୍ରସାଦ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଏହି ସ୍ଥାନକୁ ପୂର୍ଣ୍ଣଗ୍ରାମ କୁହାଯାଏ । ମହାପୁରୁଷ ଅଚ୍ୟୁତାନନ୍ଦ ଏ ଗ୍ରାମର ବର୍ଣ୍ଣନା କରିଛନ୍ତି #ନିର୍ଘଣ୍ଟ_ଗୀତାଭବିଷ୍ୟତ ରେ:
“ଶାରଳା ମଣ୍ଡଳେ #ହରିହରପୁର ଗ୍ରାମ
#ବରାହମଣ୍ଡଳ ସେହି ନାମରେ ପ୍ରମାଣ,
ବିଦିତ ମାର୍କଣ୍ଡପୁର ନାମରେ ବିଖ୍ୟାତ
ପୂର୍ଣ୍ଣଗ୍ରାମ ବୋଲିକରି ବାରଙ୍ଗ ସିଦ୍ଧାନ୍ତ ।”
ବାରଙ୍ଗ ଗୋସାଇଁ ବାରମ୍ବାର ପୁରୀକୁ ଯାଇ ସେଠାରେ ଶ୍ରୀଜଗନ୍ନାଥ ଦର୍ଶନ ଓ ଶ୍ରୀମହାପ୍ରସାଦ ସେବନ କରି ସ୍ବସ୍ଥାନକୁ ଫେରୁଥିଲେ । ତାଙ୍କ ବିଷୟରେ ଅନେକ ଅଲୌକିକ କାହାଣୀ ଶୁଣାଯାଏ ! ସେ ଶୂନ୍ୟସାଧକ ଥିବାରୁ ଶୂନ୍ୟ ମାର୍ଗରେ ପ୍ରତ୍ୟହ ପୁରୀଧାମକୁ ଯାଇ ପାରୁଥିଲେ । ତାଙ୍କ ନିଷ୍ଠା ଓ ଭକ୍ତିରେ ପ୍ରସନ୍ନ ହୋଇ ଶ୍ରୀଜଗନ୍ନାଥ ତାଙ୍କୁ ନିଜ ଧାମ ପୂର୍ଣ୍ଣଗ୍ରାମଠାରେ ପ୍ରତିଦିନ #ଶ୍ରୀକ୍ଷେତ୍ର_ଦର୍ଶନର ଫଳ ପ୍ରଦାନ କରିବାକୁ ବର ଦେଇଥିଲେ । ତେଣୁ ବାରଙ୍ଗ ଏଠାରେ ଦାରୁବିଗ୍ରହ ପ୍ରତିଷ୍ଠା କରିଥିଲେ ଏବଂ ମାର୍ଗଶୀର ଶୁକ୍ଳ ଚତୁର୍ଦ୍ଦଶୀରେ ମହାପ୍ରସାଦ ଲାଗି କରାଇ ଶ୍ରୀକ୍ଷେତ୍ରୋତ୍ସବ ପାଳନ କରାଇଲେ । ତତ୍କାଳୀନ ଗଜପତି ମହାରାଜା ଶ୍ରୀ ଶ୍ରୀ #ପ୍ରତାପରୁଦ୍ର_ଦେବ ଶ୍ରୀଜଗନ୍ନାଥଙ୍କ ସ୍ବପ୍ନାଦେଶ ପାଇ #ଦାରୁବିଗ୍ରହଙ୍କ ନିମିତ୍ତ ପୂର୍ଣ୍ଣଗ୍ରାମଠାରେ ଏକ କାଷ୍ଠମନ୍ଦିର ନିର୍ମାଣ କରାଇ ସେବାପୂଜା ନିମିତ୍ତ ଜମିବାଡ଼ି ଖଞ୍ଜା କରାଇ ଦେଇଥିଲେ । 
(କାଷ୍ଠ ନିର୍ମିତ ମନ୍ଦିର)
ସିଦ୍ଧ ବାରଙ୍ଗ ପୀଠର ନିକଟରେ ବାରଙ୍ଗ ଗାଦିର ସେବକ ଖୁଣ୍ଟିଆ ବଂଶ ରହିଅଛନ୍ତି । ସେମାନେ ଗାଦି ଗୋସାଇଁଙ୍କର ସେବା କରିବା ସହିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସେବାପୂଜାର ତତ୍ତ୍ବ ନିଅନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃପା ଲାଭ କରି ବାରଙ୍ଗ ଗୋସାଇଁ ପ୍ରତି ବର୍ଷ ମାର୍ଗଶୀର ମାସ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଶ୍ରୀକ୍ଷେତ୍ରୋତ୍ସବ ପାଳନ କଲେ । ଏହି ଶ୍ରୀକ୍ଷେତ୍ରୋତ୍ସବ ‘ବାରଙ୍ଗଭୋଜି’ ନାମରେ ଲୋକମୁଖରେ ଖ୍ୟାତ ହେଲା !
ଶ୍ରୀକ୍ଷେତ୍ରୋତ୍ସବ ଦିନ ବାରଙ୍ଗ ପୀଠରେ ଶ୍ରୀଧାମରୁ ପୂର୍ଣ୍ଣବ୍ରହ୍ମଙ୍କର ଅବତରଣ ଘଟେ ! ସେଦିନ ହଜାର ହଜାର ଲୋକଙ୍କର ସମାଗମ ହୁଏ । ସାଧୁ, ସନ୍ନ୍ୟାସୀ ଓ ଭକ୍ତମାନେ ଭକ୍ତିଭରା କଣ୍ଠରେ ଖଞ୍ଜଣି ଭଜନ ଓ କୀର୍ତ୍ତନପୂର୍ବକ ପ୍ରଭୁଙ୍କର ନାମଗାନରେ ସାରାରାତି ବିତାଇ ଦିଅନ୍ତି । ସ୍ଥାନେ ସ୍ଥାନେ ଧର୍ମାଲୋଚନା ସଭାମାନ ଅନୁଷ୍ଠିତ ହୁଏ ।
ଦିନରେ ଗାଦି ସମ୍ମୁଖରେ ଧୂନିକୁଣ୍ଡରେ ଅଗ୍ନିସ୍ଥାପନ କରାଯାଏ ଏବଂ ଏହି ଧୂନି ମାଘ ଅଗ୍ନି ଉତ୍ସବ ପୂର୍ଣ୍ଣିମା ପର୍ଯ୍ୟନ୍ତ ନିର୍ବାପିତ ନ ହୋଇ ଅଖଣ୍ଡ ଭାବରେ ରହିଥାଏ । ରାତିରେ ପୂର୍ଣ୍ଣଗ୍ରାମସ୍ଥ ମାଳି ଘରୁ ୫/୬ ହାତ ଉଚ୍ଚତା ବିଶିଷ୍ଟ ତୁଳସୀ ଏବଂ ଫୁଲମାଳଚୂଳ ଶୋଭାଯାତ୍ରାରେ ଅଣାଯାଇ ବାରଙ୍ଗ ଗାଦିରେ ଅର୍ପଣ କରାଯାଏ । ମୁଚୁକୁନ୍ଦ ମଠର ମହନ୍ତ ଅନ୍ୟ ଏକ ମାଳଚୂଳ ଧରି ଶୋଭାଯାତ୍ରାରେ ଆସନ୍ତି । ତାଙ୍କୁ ଆସନ ପ୍ରଦାନ ପୂର୍ବକ ଯଥୋଚିତ ସମ୍ମାନ ଦିଆଯାଏ । ନିକଟସ୍ଥ ବାଉଳି ବାବା ଓ ବାଳକ ଭାରତୀଙ୍କ ମଠର ପ୍ରତିନିଧୂମାନେ ମଧ୍ୟ ଆସି ନିଜ ନିଜ ଆସ୍ଥାନରେ ବସି ସମ୍ମାନ ପାଆନ୍ତି । ନାନା ଜାତିର ଲୋକମାନଙ୍କର ଜାତିଆଣ ସଭା ବସେ । 
ରାତିର ଶେଷ ପ୍ରହରରେ ବାରଙ୍ଗ ଗୋସାଇଁଙ୍କର ଗାଦି ମନ୍ଦିରରେ ଖୁଣ୍ଟିଆ ବଂଶର ମୁଖ୍ୟ ବୟୋଜ୍ୟେଷ୍ଠ ବ୍ୟକ୍ତି ଦଣ୍ଡାୟମାନ ହୋଇ ନାମ ଉଚ୍ଚାରଣ ପୂର୍ବକ ଆଗାମୀ ବର୍ଷ ପାଇଁ ଆଶୀର୍ବାଦ ଧଣ୍ଡା ବିତରଣ କରନ୍ତି । ଜଗତର ମଙ୍ଗଳ ପାଇଁ ହରିବୋଲ ହୁଳହୁଳି ଦିଆଯାଏ । ଏହାପରେ ଗାଦିରୁ ମାଳଚୂଳଙ୍କୁ ଅବତରଣ କରାଇ ଖୁଣ୍ଟିଆମାନେ ବହୁ ସାବଧାନତା ସହକାରେ ପୀଠମଧ୍ୟସ୍ଥ ଏକ ନିର୍ଜନ ସ୍ଥାନ (ବଣରେ) ହାଣ୍ଡି ଉପରେ ହାଣ୍ଡି ବସି ପ୍ରସ୍ତୁତ ହୋଇଥିବା ମହାପ୍ରସାଦ ଚୂଲା ପାଖକୁ ନେଇଥାନ୍ତି । ଏହି ଅବସରରେ ଶ୍ରୀଜଗନ୍ନାଥଙ୍କ ସେବକ ପୂଝାରୀ ସେଠାରୁ ଅତି ଗୋପନରେ ଅନ୍ନବ୍ୟଞ୍ଜନର ଅଗ୍ରଭାଗ ଆଣି ଶ୍ରୀଜଗନ୍ନାଥଙ୍କ ଠାରେ ନୈବେଦ୍ୟ କରିଥାନ୍ତି । ମାଳଚୂଳ ଯିବା ବାଟରେ ମଳିକମାନେ ସ୍ବହସ୍ତରେ ପ୍ରସ୍ତୁତ କରିଥିବା ଖେଚେଡ଼ି ଅନ୍ନକୁ ମାଳଚୂଳଙ୍କୁ ସମର୍ପଣ କରିଥାନ୍ତି । ମାଳଚୂଳ ମହାପ୍ରସାଦ ଚୂଲା ପାଖରେ ପହଞ୍ଚିବା ପରେ ମହାପ୍ରସାଦ ବିତରଣ କରାଯାଏ ଏବଂ ମାଳଚୂଳଙ୍କର ଅଗ୍ରଭାଗ ‘ଛଡ଼ି’ ଖଣ୍ଡିକ ମୁଚୁକୁନ୍ଦ ମଠର ମହନ୍ତ ମୁଚୁକୁନ୍ଦ ମଠକୁ ଗୁରୁ ଆଶୀର୍ବାଦର ସଙ୍କେତ ରୂପେ ଘେନିଯାନ୍ତି । ମୁଚୁକୁନ୍ଦ ମଠରେ ଏହି ମାଳଚୂଳ ମୁଚୁକୁନ୍ଦ ଗୋସାଇଁଙ୍କର ଗାଦି ମନ୍ଦିରରେ ମାଣ୍ଡି ତକିଆ ସୁସଜ୍ଜିତ ଏକ ଖଟୁଲିରେ ରହି ବର୍ଷକ ପର୍ଯ୍ୟନ୍ତ ପୂଜା ପାଆନ୍ତି । ଅନ୍ୟ ଭାଗଟି ଖୁଣ୍ଟିଆ ଘରେ ସେହିପରି ବର୍ଷକ ପର୍ଯ୍ୟନ୍ତ ପୂଜା ପାଇଥାନ୍ତି । 
ଜାତି, ଧର୍ମ ନିର୍ବିଶେଷରେ ଏହି ଯେଉଁ ମହାପ୍ରସାଦ ବିତରଣ କରାଯାଏ, ତାହା ସମସ୍ତେ ଏକତ୍ର ଭୋଜନ କରି ନିଜ ନିଜର ଅନ୍ୟାୟ ଅପକର୍ମର କାଳିମାରୁ ମୁକ୍ତ ଓ ଆବ୍ରାହ୍ମଣଚଣ୍ଡାଳ ସମସ୍ତେ ଏକ ଜାତିରେ ପରିଣତ ହୁଅନ୍ତି ! ବଡ଼ସାନର ଭେଦ ଓ ଅହମିକାର ସମ୍ପୂର୍ଣ୍ଣ ବିଲୋପ ଘଟେ !
ଓଡ଼ିଶାରେ ଏହି ଶ୍ରୀଜଗନ୍ନାଥ ପୀଠଟି ଆବହମାନ କାଳରୁ ଶ୍ରୀଜଗନ୍ନାଥ ସଂସ୍କୃତିର ଆଲୋକଶିଖା ଏହି ଅଞ୍ଚଳରେ ଜାଳି ଦେଇଛି, କିନ୍ତୁ ଦୁଃଖର କଥା ଯେ ଏହି ମହାନ ଜାତୀୟ ପୀଠର ମହତ୍ତ୍ବ ଲୋକଲୋଚନକୁ ଆସି ପାରିନାହିଁ । 
(କୋଇଲି ବୈକୁଣ୍ଠ)
୧୯୭୭ ମସିହା ଜୁଲାଇ ମାସରେ ଶ୍ରୀଧାମରେ ଶ୍ରୀଜଗନ୍ନାଥଙ୍କ ନବକଳେବର ଶୁଭ ତିଥିରେ ଏହି ପୀଠରେ ବାରଙ୍ଗ ଗୋସାଇଁଙ୍କ ସମୟରୁ ପୂଜିତ ହୋଇ ଆସୁଥିବା ଦୀର୍ଘ ପାଞ୍ଚଶହ ବର୍ଷର ଜୀର୍ଣ୍ଣ ଦାରୁବିଗ୍ରହ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କର ନବକଳେବର, ଉନ୍ନୟନ କମିଟି ଆନୁକୂଲ୍ୟରେ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ନବକଳେବରଠାରୁ ପ୍ରତି ବର୍ଷ ରଥଯାତ୍ରା ଧର୍ମୀୟ ଉତ୍ସାହର ସହିତ କରାଯାଉଛି ।
ତଥ୍ୟ ଆଧାର: ସିଦ୍ଧ ବାରଙ୍ଗଙ୍କ ବିରଚିତ “ବ୍ରହ୍ମକୁଣ୍ଡଳୀ ଗୀତା”, ସଙ୍କଳକ ପ୍ରଫେସର ଡ. ବଂଶୀଧର ମହାନ୍ତି;
କୃତଜ୍ଞତା: ପୀଠପୂଜକ ଶ୍ରୀ ଦେବାଶିଷ ପଣ୍ଡା; ଶ୍ରୀ ମହେନ୍ଦ୍ର ମଲ୍ଲିକ, ଅନ୍ୟାନ୍ୟ କର୍ମକର୍ତ୍ତା ଓ ଗ୍ରାମବାସୀ

Leave a Comment

Your email address will not be published. Required fields are marked *

Scroll to Top