ଲେଖା: ଦେଵ ତ୍ରିପାଠୀ
ମୟୁର କେଶ ତୋଳି ମୟୁରୀକୁ ପ୍ରଲୁବ୍ଧ କରେ, ସିଂହର କେଶର ତାକୁ ଦିଏ ପୁରୁଷାକାର, ଶୁଆର ହରିତପକ୍ଷ ଠାରୁ ପ୍ରଜାପତିର ବିଚିତ୍ର ରଙ୍ଗୀନ ଡ଼େଣା ଯାଏଁ ବର୍ଣ୍ଣବିଭା ଜଙ୍ଗଲରୁ ଜୀବନ ଆରମ୍ଭିଥିବା ମନୁଷ୍ୟକୁ ଯେପରି ମୁଗ୍ଧ ଓ ଆକର୍ଷିତ କରିଆସିଛି, କୋଇଲିର କୂଜନଠାରୁ ବାଘର ହେଣ୍ଟାଳ ତାକୁ କେବେ ବିଭୋର ତ କେବେ ତ୍ରସ୍ତ କରିଛି I କିନ୍ତୁ ଅନ୍ୟକୁ ଅକ୍ତିଆର କରିବା ମଣିଷର ଏକ ସହଜାତ ପ୍ରବତ୍ତି I ବାଘ, ସିଂହ ପରି ହିଂସ୍ରମାନଙ୍କୁ କେବେ ସେ ସର୍କସରେ ନଚାଇଛି ତ କେବେ ସବୁଠାରୁ ଶକ୍ତିଶାଳୀ ଦେବୀଙ୍କର ବାହନ ବନାଇଛି I ଆଧୁନିକ ବିଜ୍ଞାନ ମଧ୍ୟ ପଶୁପକ୍ଷୀଙ୍କ ଉପରେ ଗବେଷଣା ଓ ଅନୁଶୀଳନ ଅବ୍ୟାହତ ରଖିଛି I ତେବେ ଆମ ବଣମୁଲକର ସବୁଠାରୁ ବଳବାନ, ଦୁର୍ଦ୍ଦାନ୍ତ ଓ କମନୀୟ ଚିତ୍ରିତ ପୋଷାକଧାରୀ ମହାରାଜା-ବାଘର ସ୍ଥାନ ଜହ୍ନ ଓ ପୁଲିସ ପରି ମାମୁଁ ସ୍ଥାନରେ- ସେ ‘ବାଘମାମୁଁ’ I ତାକୁ ନେଇ ଆମର ଲୋକଗୀତ ଓ କାହାଣୀ ଯେପରି ପରିପୁଷ୍ଟ, ସେପରି ରହିଛି ଆମରି ଲୋକନାଟ I
ବାଘ ପରି ନିଜକୁ ସଜାଇ, ହେଣ୍ଟାଳ ମାରି ନାଚ କରିବାର ପରମ୍ପରା ଓଡ଼ିଶାର ବହୁ ସ୍ଥାନରେ ପ୍ରଚଳିତ I ଦେଶର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଚଳନ ଥିଲେ ହେଁ ଓଡ଼ିଶାର ବାଘନୃତ୍ୟ ପରମ୍ପରାରେ କେତେକ ମୌଳିକତା ଓ ବିଶେଷତ୍ୱ ଦେଖାଯାଏ I ଦଶହରା ସମୟରେ ଆରମ୍ଭ ହେଉଥିବା ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରାଧାନ୍ୟ ଲଭିଥିବା ବାଘନାଟ ଏକ ଆନ୍ତର୍ଜାତୀୟ ସ୍ତରର ନୃତ୍ୟକଳା I
ବ୍ରହ୍ମପୁର ସମେତ ଦକ୍ଷିଣ ଓଡ଼ିଶାର ସମସ୍ତ ଅଞ୍ଚଳରେ ବିଶେଷ ଭାବରେ ଠାକୁରାଣୀଯାତ୍ରା ସମୟରେ ଅନୁଷ୍ଠିତ ହେଉଥିବା ଯାତ୍ରାରେ କେବଳ ମାନସିକ କରିଥିବା ବ୍ୟକ୍ତି ହିଁ ବାଘବେଶରେ ଅବତୀର୍ଣ୍ଣ ହୁଅନ୍ତି I ଓଡ଼ିଶାରେ ମୁଖ୍ୟତଃ ତିନି ପ୍ରକାରର ବାଘନୃତ୍ୟ ଦେଖିବାକୁ ମିଳେ, ଏକକ, ଦ୍ବୈତ ଏବଂ ତ୍ରୟୋଧିକ । ଏକକ ଶୈଳୀରେ ଜଣେ ବ୍ୟକ୍ତି ନିଜକୁ ବାଘରଙ୍ଗାକୃତି ସଦୃଶ ନିଜକୁ ଚିତ୍ରିତ କରି ବାଘର ବିଭିନ୍ନ ଅଙ୍ଗଭଙ୍ଗୀ କରିଥାଏ । ଦ୍ବିତୀୟଶୈଳୀରେ ଏକ ବିରାଟ ବାଘାକୃତି (ପ୍ରାୟ ୧୦ ଫୁଟ ଲମ୍ବ ଓ ୬ ଫୁଟ ଉଚ୍ଚତା) ମଧ୍ୟରେ ଦୁଇଜଣ ବ୍ୟକ୍ତି ରହି ବାଘର ହେଣ୍ଟାଳ ଓ ବିଭିନ୍ନ ଆଚରଣ ପ୍ରଦର୍ଶନ କରନ୍ତି । ତୃତୀୟ ଶୈଳୀରେ ଜଣେ ବାଘବେଶୀ ବ୍ୟକ୍ତିର ଅଣ୍ଟାକୁ ୫/୬ଜଣ ବ୍ୟକ୍ତି ଲୁହା ଶିକୁଳି ଓ ମୋଟା ଦଉଡ଼ିରେ ବାନ୍ଧି ନାଚ କରନ୍ତି । ସେମାନଙ୍କ ହାତରେ ଶୋଭାପାଇଥାଏ ବର୍ଚ୍ଛା କିମ୍ବା ଫାର୍ସା । ଏଇ ନାଚକୁ ଶୀକାରକାଳୀନ ନାଚର ପ୍ରତୀକଭାବେ ଗ୍ରହଣ କରାଯାଇଛି । ଏଥିରେ ବାଘର ଆତ୍ମରକ୍ଷା କୌଶଳ, ଆକ୍ରମଣ, ଗର୍ଜନ, ମୃତ୍ୟୁକାଳୀନ ଯନ୍ତ୍ରଣା ଇତ୍ୟାଦି ଅଭିନୟ ଦେଖିବାକୁ ମିଳେ । ଆହୁରି ମଧ୍ୟ ଅଭିନୟର ପରିସୀମାକୁ ବିଭିନ୍ନ କୌଶଳରେ ପରିବ୍ୟାପ୍ତ କରି, ଲୁଚି ରହିବା, ଆକ୍ରମଣ ପାଇଁ ପ୍ରସ୍ତୁତି, ମନ୍ଥର ଗତି, ଲମ୍ଫ, ଆକ୍ରମଣ, ହେଣ୍ଟାଳ ଆଦି ଅଭିନୟକୁ ଯୋଡାଯାଇପାରେ । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଧାରା ନଥାଏ, ଏଥିରେ ନୃତ୍ୟଶିଳ୍ପୀ କେବଳ ବାଘର ଆଚରଣସବୁକୁ ଅନୁକରଣ କରିଥା’ନ୍ତି ।
ବାଘବେଶୀ ବ୍ୟକ୍ତି ସର୍ବପ୍ରଥମେ ନିଜ ଶରୀରରୁ ସମସ୍ତ ଲୋମକୁ କ୍ଷୁର ଦ୍ବାରା ସଫାକରି ଗାଢ ହଳଦିଆ ବାର୍ଣିସ୍ ରଙ୍ଗର ପ୍ରଲେପ ଦେଇଥାନ୍ତି, ତା’ପରେ ଶରୀରର ବିଭିନ୍ନ ସ୍ଥାନରେ, କଳା ବାର୍ଣିସ୍ ରଙ୍ଗରେ ବାଉଁଶ ପତ୍ର ଆକୃତିର ଚିତ୍ରମାନ ଅଙ୍କାଯାଇ ଥାଏ । ଗୋଟିଏ ବାଘମୁଖାକୁ ଦେବୀଙ୍କ ନିକଟରେ ଭୌତିକ ରୀତି ଓ ତନ୍ତ୍ର ସମ୍ବଳିତ ପୂଜା ଦ୍ବାରା ଅଭିମନ୍ତ୍ରିତ କରି ତାକୁ ମସ୍ତକରେ ଧାରଣ କରି ଥା’ନ୍ତି । ବ୍ୟକ୍ତିଙ୍କର ଅଣ୍ଟାରେ କପଡାରେ ପ୍ରସ୍ତୁତ ଲାଙ୍ଗୁଡ ଯୋଡା ହୋଇଥାଏ । ସମ୍ପୂର୍ଣ୍ଣ ରୂପେ ବାଘବେଶ ହୋଇ ସାରି ଦେବୀଙ୍କ ଠାରେ ଭକ୍ତି ଓ ନୈବେଦ୍ୟ ଅର୍ପଣ କରି ଅଭିନୟ ପ୍ରଦର୍ଶନରେ ବାହାରିଥା’ନ୍ତି ।
ଦ୍ୱୈତ ଓ ତ୍ରୟୋଧିକ ପ୍ରକାରର ବାଘନୃତ୍ୟ ଅପେକ୍ଷା ଏକକ ବାଘବେଶୀ ନାଟ ଅଧିକ ଲୋକପ୍ରିୟ I ଏ ନୃତ୍ୟରେ ବାଘବେଶୀ ବାଘର ସମସ୍ତ ଆଚରଣକୁ ଅନୁକରଣ କରିଥା’ନ୍ତି I କୌଣସି ଅର୍ଥପ୍ରାପ୍ତିର ଆଶା ନ ରଖି କେବଳ ମାନସିକଧାରୀମାନେ ହିଁ ଏଇ ନୃତ୍ୟରେ ଅଭିନୟ କରିଥା’ନ୍ତି । ଏଇ ଅନୁକରଣଧର୍ମୀ ନୃତ୍ୟ ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହେଲେ ନୃତ୍ୟଶିଳ୍ପୀର ଆତ୍ମସନ୍ତୋଷ I ଖୁବ କମ ବ୍ୟକ୍ତି ଏଇ ନାଟ ମାଧ୍ୟମରେ ଅର୍ଥ ରୋଜଗାର କରନ୍ତି I ମନାସୀ ଥିବା ବ୍ୟକ୍ତି ନିଜର ବନ୍ଧୁବାନ୍ଧବ ପ୍ରିୟପରିଜନଙ୍କ ଦ୍ୱାରା ଅଭିନୟରୁ ପ୍ରାପ୍ତ ଅର୍ଥକୁ ଭୋଗ ମାଧ୍ୟମରେ ଦେବୀଙ୍କୁ ଅର୍ପଣ କରିଥାନ୍ତି I ଜନପ୍ରିୟତା ଦଷ୍ଟିରୁ ବର୍ତ୍ତମାନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଯେ କୌଣସି ବ୍ୟକ୍ତି ଏଇ ବେଶ ଧାରଣ କରୁଥିବା ଦେଖାଯାଉଛି I
ଏହି ଆବେଗଧର୍ମୀ ଲୋକନାଟରେ ଭୟ, ବୀରଭାବ ଓ ରୋମାଂଚ ଦର୍ଶକଙ୍କୁ ବିଭୋର କରେ I କୌଣସି ଶାସ୍ତ୍ରୀୟ ପଦ୍ଧତି ଅନୁସତ ହେଉ ନ ଥିବା ଏଇ ଲୋକନାଟରେ ଦେଶୀୟ କାରିଗରୀରେ ନିର୍ମିତ ଚାଙ୍ଗୁବାଦ୍ୟର ଉପଯୋଗ ଓ ଉପଲବ୍ଧି ଖୁବ ଗୁରୁତ୍ୱପୂର୍ଣ୍ଣ I
ଆଦିବାସୀ ସଂସ୍କୃତି ଓ ପରମ୍ପରାରୁ ଆନୀତ ଓ ଶାବରୀ ସଂସ୍କୃତିରେ ବହୁଧା ପ୍ରଭାବିତ ଏଇ ବାଘନାଟରେ ଅପକୌଶଳର ପ୍ରୟୋଗ ପରମ୍ପରା ପ୍ରତି ଆହ୍ୱାନ ଓ ଆସ୍ଫାଳନ I ତେବେ ଧାର୍ମିକ ପରମ୍ପରା ସହିତ ଜଡ଼ିତ ନ ଥିଲେ କେଉଁକାଳୁ ବାଘନୃତ୍ୟ ‘ହିପ୍ ହପ୍’ ସଂସ୍କୃତି ମଧ୍ୟରେ ଶ୍ୱାସରୁଦ୍ଧ ହୋଇସାରନ୍ତାଣି I
Image Courtesy: mybrahmapur.com
ReplyForward
|