ବାଗ୍ମୀ ହରିହର ଦାଶ

ଲେଖା: ଦେଵ ତ୍ରିପାଠୀ

ମୁକୁନ୍ଦଦେବଙ୍କ ରାଜତ୍ୱ ଶେଷ ପରେ ଓଡିଆ ଜାତି ବିଭିନ୍ନ ଅବିବେକୀ ଶାସକମାନଙ୍କ ଅତ୍ୟାଚାରରେ ଲାଂଚ୍ଛିତ, ଅତ୍ୟାଚାରିତ ଓ ନିର୍ଯ୍ୟାତିତ ହୋଇ ମୁମୂର୍ଷୁ ଅବସ୍ଥାରେ ପଡିରହିଥିଲା, ସେତେବେଳେ କେତେଜଣ ସାଧକ ଏ ଜାତି ପାଇଁ ସାଜିଥିଲେ ଆଲୋକବର୍ତ୍ତିକା । ସେପରି ଜଣେ ଦିଗବିଜୟୀ ସଂସ୍କୃତ ପଣ୍ଡିତ ଥିଲେ ବେଦାନ୍ତାଚାର୍ଯ୍ୟ ବାଗ୍ମୀ ହରିହର ଦାଶ

ଯେତେବେଳେ ପ୍ରବାସୀ ଖୀରସ୍ତାନ ଫିରିଙ୍ଗିମାନଙ୍କ ଛାଇ ପଡିଲେ ଓଡିଆ ବ୍ରାହ୍ମଣମାନେ ଅପବିତ୍ର ହୋଇ ସ୍ନାନ ମାର୍ଜନା କରୁଥିଲେ, ସେତେବେଳେ ସେ ସାହେବମାନଙ୍କୁ ଓଡ଼ିଆ ଓ ସଂସ୍କୃତ ପଢ଼ା ଇବାର ସାହସ କରି ଥିଲେ । ସମଗ୍ର ଭାରତବର୍ଷରେ ବିଭିନ୍ନ ପଣ୍ଡିତ ସଭା ଓ ରାଜଦରବାରରେ ଜ୍ଞାନଚର୍ଚ୍ଚାରେ ଅଂଶ ଗ୍ରହଣ କରି ହରିହର ସଗର୍ବେ ଉଡାଇଥିଲେ ଓଡ଼ିଆମାନଙ୍କ ପ୍ରଜ୍ଞାର ପତାକା, ଅର୍ଜିଥିଲେ ପ୍ରଚୁର ଖ୍ୟାତି, ସୃଷ୍ଟି କରିଥିଲେ ଅସଂଖ୍ୟ ଅନୁଗାମୀ, ସାରା ଭାରତରେ !

ଶାସନ କାର୍ଯ୍ୟରେ ସଫଳ ହେବା ପାଇଁ ସେ ସମୟରେ ସ୍ଥାନୀୟ ଭାଷାଶିକ୍ଷା ଆବଶ୍ୟକ ଥିଲା, ମାତ୍ର ରକ୍ଷଣଶୀଳ ବ୍ରାହ୍ମଣମାନେ ଏ ବାବଦରେ ଅନିଚ୍ଛୁକ ଥିଲେ । ତେବେ ଶାସକମାନଙ୍କୁ ଜନତାର ଦୁଃଖଦୁର୍ଦ୍ଦଶା ଜଣାଇବା ପାଇଁ ଯେ ଓଡିଆ କିମ୍ବା ସଂସ୍କୃତ ଶିକ୍ଷାର ଆବଶ୍ୟକତା ଅନୁଭବ କରି ସେ ନିମନ୍ତେ ଆଗେଇ ଆସିଥିଲେ ହରିହର । ପରବର୍ତ୍ତୀ ସମୟରେ ତାଙ୍କର ପ୍ରଜ୍ଞା ଓ ବିଦବତ୍ତାରେ ଆକର୍ଷିତ ହୋଇ, କେତେ କେତେ ସଂସ୍କୃତପ୍ରେମୀ ଆଗେଇ ଆସିଥିଲେ ତାଙ୍କଠାରୁ ସଂସ୍କୃତଶିକ୍ଷା କରିବା ପାଇଁ । ଓଡ଼ିଶା ମାଟିରେ ଜ୍ଞାନଚର୍ଚ୍ଚାର ଦିଗବଳୟ ପ୍ରସାରିତ କରାଇପାରିଲେ ବାଗ୍ମୀ ହରିହର ଦାଶ ।

ଓଡ଼ିଶା ବାହାରେ ସ୍ଵକୀୟ ଜ୍ଞାନର ପରାକାଷ୍ଠା ପ୍ରତିପାଦନ କରୁ କରୁ କଲିକତାରେ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଦ୍ଵାରା ପ୍ରଭାବିତ ହୋଇ ସମାଜ ସଂସ୍କାର ଦିଗରେ ମନ ବଳାଇଥିଲେ । ବିଭିନ୍ନ ସଭାସମିତିରେ ତାଙ୍କର ତତ୍ତ୍ଵପୂର୍ଣ୍ଣ ଓଜସ୍ବିନୀ ବକ୍ତୃତାର ବିବରଣୀ ସେଠାକାର ସମ୍ବାଦପତ୍ରର ପୃଷ୍ଠାମଣ୍ଡନ କରୁଥିଲା ।

ଜୀବନରେ ସଂସ୍କୃତ, ଇଂରାଜୀ ସହ ଗ୍ରୀକ୍, ଗଣିତ, ଇତିହାସ, ଭୂଗୋଳ ଆଦିର ଶିକ୍ଷାଦାନ ସହିତ ଧର୍ମପୀଠ ଶ୍ରୀକ୍ଷେତ୍ରରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜ୍ଞାନବିଜ୍ଞାନର ଏକ ସମନ୍ୱିତ ପୀଠ ସ୍ଥାପନାର ଲକ୍ଷ୍ୟରେ ହରିହର ନଦୀୟାରୁ ପେଶଵାର, ବାରାଣସୀରୁ ରାମେଶ୍ବର କେତେ କେତେ ଅଞ୍ଚଳର ବିଦ୍ୟାନୁରାଗୀ ରାଜାମାନଙ୍କ ପଣ୍ଡିତ ସଭାକୁ ଯାତ୍ରା କରିଥିଲେ । ତାଙ୍କ ପାଣ୍ଡିତ୍ୟ ତଥା ଶିକ୍ଷାକେନ୍ଦ୍ର ସ୍ଥାପନର ମହତ୍ତର ଲକ୍ଷ୍ୟରେ ମୁଗ୍ଧ ହୋଇ ବାରାଣସୀ ରାଜ୍ୟର ରାଜା ଅଯାଚିତ ଅର୍ଥ ପ୍ରଦାନ କରିଥିଲେ ।

ତେବେ ଦେବଭାଷା ସଂସ୍କୃତ ସହିତ ଇଂରାଜୀ ଭାଷାଶିକ୍ଷା ପାଇଁ ସେ ଚକ୍ଷୁଶୂଳ ହୋଇଥିଲେ ରକ୍ଷଣଶୀଳ ବ୍ରାହ୍ମଣମାନଙ୍କର, ଏପରିକି ପୁରୀର ଗଜପତିଙ୍କ ଆକ୍ରୋଶରୁ ବର୍ତ୍ତି ନ ଥିଲେ ବାଗ୍ମୀ ହରିହର ଦାଶ ! ତଥାପି ହାର ମାନି ନ ଥିଲେ ସେ ! ହରିହରଙ୍କ ଧୈର୍ଯ୍ୟ, ତ୍ୟାଗ, ନିଷ୍ଠାର ଫଳସ୍ବରୂପ ଆଜି ପୁରୀମାଟିରେ ସଗର୍ବେ ଦଣ୍ଡାୟମାନ ସଦାଶିବ ସଂସ୍କୃତ ମହାବିଦ୍ୟାଳୟ !

ମହାନ ଗ୍ରୀକସାହିତ୍ୟ ସହିତ ଓଡ଼ିଶାର ପଣ୍ଡିତମାନଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ସେ ଗ୍ରୀକ ପଣ୍ଡିତ ସଫୋକ୍ଲିସଙ୍କ କାଳଜୟୀ ନାଟକ ଗୁଡ଼ିକର ସଂସ୍କୃତ ଅନୁବାଦ କରିଥିଲେ ।

ନିଜର ଅଗାଧ ପାଣ୍ଡିତ୍ୟ ବଳରେ ସମଗ୍ର ଆର୍ଯ୍ୟାବର୍ତ୍ତ ଭୂମିରେ ଅନୁଗାମୀ ଓ ସ୍ତାବକ ସୃଷ୍ଟି କରିପାରିଥିଲେ ହଁ ତତ୍କାଳୀନ ଓଡ଼ିଶାରେ ବଙ୍ଗଳା ଭାଷାର ଆକ୍ରମଣ ବିରୁଦ୍ଧରେ ବ୍ୟାସକବି ଫକୀରମୋହନଙ୍କ ନେତୃତ୍ୱରେ ଭାଷାସଂଗ୍ରାମ ଚାଲିଥିଲା, ତା’ ପ୍ରଭାବରେ ହରିହର ମଧ୍ୟ ସତତ ଚେଷ୍ଟିତ ହେଲେ । ବୋଧହୁଏ କେତେକ ହୀନମନା ବଙ୍ଗାଳୀ ପଣ୍ଡିତଙ୍କୁ ହରିହରଙ୍କ ଏ ପ୍ରକାରେ ଭାଷାସଂଗ୍ରାମରେ ଯୋଗଦାନ କଷ୍ଟ ଦେଇଥିଲା ।

କଲିକତାର ଏକ କାର୍ଯ୍ୟକ୍ରମରେ ସାମାନ୍ୟ ଅସୁସ୍ଥତା ନିମନ୍ତେ ତାଙ୍କୁ ଜଡ଼ିବୁଟି ଭାବେ ଖୁଆଇ ଦିଆଗଲା ହଳାହଳ ବିଷ । ପଣ୍ଡିତେ ବି ପ୍ରୟୋଗ କଥା ଜାଣି ପାରି କୌଣସି ପ୍ରକାରେ କଟକରେ ପହଞ୍ଚିଥିଲେ ସତ, କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା । ଇଂରେଜ ଡାକ୍ତରମାନଙ୍କ ଶତଚେଷ୍ଟା ସତ୍ତ୍ୱେ ସମ୍ପୂର୍ଣ୍ଣ ବାକଶକ୍ତି ଓ ଅନେକାଂଶରେ ସ୍ମୃତିଶକ୍ତି ହରାଇବସିଥିଲେ । ଶେଷ ଜୀବନରେ ଦେଶର କୋଣ ଅନୁକୋଣରୁ ଶିଷ୍ୟମାନଙ୍କ ସମାଗମ ହୋଇଥିଲା କଟକରେ । ତେବେ ପ୍ରାଣପ୍ରିୟ ପ୍ରଭୁଙ୍କ ଦର୍ଶନ ପାଇଁ ବନ୍ଧୁକୁଟୁମ୍ବମାନେ ତାଙ୍କୁ ନେଇଗଲେ ପୁରୀର ବାସଗୃହକୁ ।

ବିଧିର ବିଧାନ କିନ୍ତୁ ଥିଲା ବିଚିତ୍ର । ୧୮୭୪ ସନ୍, ଫେବୃଆରୀ ୯ ତାରିଖ, ରାତି ପାହିଲେ କରିଥାନ୍ତେ କଳାଠାକୁରଙ୍କ ଦର୍ଶନ, ବିଳମ୍ବିତ ରାତ୍ରରେ ସେବାକାରୀର ଅନୁପସ୍ଥିତିରେ ଡିବିରୁ ନିଆଁ ଲାଗି ଦଗ୍ଧ ହୋଇଯାଇଥିଲେ ହରିହର । ଲକ୍ଷ ଲକ୍ଷ ଶିଷ୍ୟ, ଅନୁଗାମୀଙ୍କୁ ଶୋକସାଗରରେ ଭସାଇ ଚାଲିଗଲେ ବାଗ୍ମୀ ହରିହର ଦାଶ ।

୧୮୪୨ ମସିହା କୁମାର ପୂର୍ଣିମା ଦିବସରେ ଧରାବତରଣ କରିଥିବା ଏଇ ଦିଗବିଜୟୀ ପଣ୍ଡିତ ହରିହର ଦାଶଙ୍କ ପାଦତଳେ ଅନ୍ତରଙ୍ଗ କଳିଙ୍ଗର ଶତ ଶତ ନମନ ।

ବନ୍ଦେ ଉତ୍କଳ ଜନନୀ ।

#ପୂଜ୍ୟପୂଜା

Leave a Comment

Your email address will not be published. Required fields are marked *

Scroll to Top