ଲେଖା: ଶିଶିର ମନୋଜ ସାହୁ
~ ବଣ୍ଡା ଓ ଗାଦବା ~
ବଣ୍ଡା ଓ ଗାଦବା ଦୁଇ ଭାଇ ଅତି ପ୍ରାଚୀନ କାଳରେ ଅଵିଭକ୍ତ କୋରାପୁଟ ଜିଲ୍ଲାର କୁଟୁଣିମାଳା ପାହାଡ଼ରେ ଦୁଇ ଭାଇ ଓ ତାଙ୍କର ସାନଭଉଣୀ ଅତି ଆନନ୍ଦରେ ରହୁଥିଲେ । ବଡ଼ଭାଇର ନାଆଁ ବଣ୍ଡା ଓ ସାନଭାଇର ନାଆଁ ଗାଦବା । ସେମାନଙ୍କର ଗୋଟିଏ ପୋଷାକୁକୁର ଥାଏ । ପ୍ରତିଦିନ ଦୁଇଭାଇ ଜଙ୍ଗଲକୁ ଶିକାର ପାଇଁ ଯାଆନ୍ତି ଓ ସାଙ୍ଗରେ କୁକୁରଟି ବି ଯାଏ । ଭାଇ ଦୁଇଜଣ ଜଙ୍ଗଲକୁ ଯାଇଥିଵା ସମୟରେ ଭଉଣୀଟି କୁଟୁଣୀ ସାହାଯ୍ୟରେ ଏକ ପଥର ଦେହରେ ଥିଵା ଗର୍ଭରେ ଧାନକୁଟେ । ଭାଇମାନେ ଶିକାରରୁ ଆଣିଥିଵା ମାଂସ ରାନ୍ଧି ଦୁହିଁଙ୍କୁ ପରଷିଦିଏ । ପ୍ରତିଦିନ ଧାନକୁଟିଵା ସମୟରେ ସେ ଅଣ୍ଟାରେ ଗୁଡେଇଥିଵା କନାଟି ରଖିଦେଇ ଉଲଗ୍ନ ହୋଇ ଏକ ଵିଚିତ୍ର ପରମ୍ପରାରେ ତାର ଘରକରଣା ସାରିଥାଏ । ଭାଇମାନେ ଜଙ୍ଗଲରୁ ଫେରିଵା ପୂର୍ଵରୁ ତାଙ୍କ ଆଗମନର ସଙ୍କେତ ସ୍ଵରୂପ କୁକୁରଟିକୁ ପଠାଇଥାନ୍ତି । ଭଉଣୀ କୁକୁରଟିକୁ ଦେଖି ଭାଇମାନଙ୍କ ଆସିଵା କଥା ଜାଣି ଲୁଗା ପିନ୍ଧି ପକାଏ ଓ ତିନିହେଁ ଏକାଠି ବସି ଭୋଜନ କରିଥାନ୍ତି ।
କିନ୍ତୁ, ଦିନେ କୌଣସି ଶିକାରୀର ଶରାଘାତରେ କୁକୁରଟି ପ୍ରାଣ ହରାଇଲା । ଦୁଇଭାଇ ମନ ଦୁଃଖରେ ଘରକୁ ଫେରିଲେ । ଭଉଣୀଟି କୁକୁରଟିର ଅନୁପସ୍ଥିତିରେ ଭାଇମାନଙ୍କ ଆଗମନ ଜାଣିପାରିନଥିଲା ଏଣୁ ପୂର୍ଵପରି ଉଲଗ୍ନ ହୋଇ ଧାନ କୁଟୁଥାଏ । ହଠାତ ଭାଇମାନଙ୍କୁ ଆସୁଥିଵାର ଦେଖି ଭଉଣୀଟି ଲଜ୍ଜାରେ ଡୁଡୁମା ଜଳପ୍ରପାତ ଆଡ଼କୁ ଧାଇଁଗଲା ଓ ପ୍ରଖର ଜଳସ୍ରୋତରେ ଲମ୍ଫ ପ୍ରଦାନ କରି ପ୍ରାଣ ଵସର୍ଜନ କଲା । ନିଜ ଗେହ୍ଲା ଭଉଣୀର ସନ୍ଧାନରେ ବଡଭାଇ ବଣ୍ଡା ବଣଜଙ୍ଗଲ ସବୁ ବୁଲିବୁଲି ଶେଷରେ ଜାଙ୍ଗିର ପାହାଡ଼ର ପାଦଦେଶରେ ମୁଦୁଲିପଡା଼ଠାରେ ପହଞ୍ଚିଲା । ଭଉଣୀର କୌଣସି ସନ୍ଧାନ ନପାଇ ସେ ସେଠାରେ ରହିଗଲା ।
ଏଣେ ସାନଭାଇ ଗାଦବା ଭଉଣୀକୁ ବହୁତ ଖୋଜିଖୋଜି କୌଣସି ସନ୍ଧାନ ନପାଇ ଭଉଣୀ ଧାନକୁଟୁଥିଵା କୁଟୁଣୀମାଳା ପାହାଡକୁ ଫେରି ମନଦୁଃଖରେ ସେଠାରେ ରହିଗଲା । କାଳକ୍ରମେ ଏମାନଙ୍କର ଵଂଶଧର ଜାତ ହେଲେ ଏଵଂ ଏହି ଦୁଇଭାଇଙ୍କ ନାମରେ ସେମାନଙ୍କର ଵଂଶଧରମାନେ ବଣ୍ଡା ଓ ଗାଦବା ନାମରେ ଅଭିହିତ ହେଲେ ।
ପ୍ରୋକ୍ତ କାହାଣୀ କହେ ଆଜିର ଏହି ବଣ୍ଡା ଓ ଗାଦବା ଦୁଇ ଜନଜାତୀୟ ଗୋଷ୍ଠୀ ଅତୀତରେ ଏକ ପରିଵାର ଭୁକ୍ତ ଥିଲେ । ଆଜି ବି ଏହି ଜନଜାତୀୟ ଗୋଷ୍ଠୀର ଆଦିଭୂମି ଭାବରେ କୁଟୁଣୀମାଳା ପାହାଡ଼ ଓ ଜାଙ୍ଗିର ପର୍ଵତମାଳାକୁ ଗଣନା କରାଯାଏ । ଗାଦବାମାନଙ୍କ ଆଦି ଜନଵସତି ଅଞ୍ଚଳରେ ଦଣ୍ଡାୟମାନ ସୁଵିସ୍ତୃତ କୁଟୁଣୀମାଳା ପାହାଡ ଓ ବଣ୍ଡାମାନଙ୍କର ପ୍ରାଥମକ ଜନଵସତି ଅଞ୍ଚଳକୁ ଘେରି ରହିଛି ସୁଉଚ୍ଚ ଜାଙ୍ଗିର ପାହାଡମାଳା ।
ଆଜି ସୁଦ୍ଧା ଗାଦବାମାନେ ବଣ୍ଡାମାନଙ୍କୁ ସେମାନଙ୍କର ବଡଭାଇ ବୋଲି ମାନ୍ୟତା ପ୍ରଦାନ କରନ୍ତି । ଦୁଇ ସଂପ୍ରଦାୟଙ୍କ ଚାଲିଚଳଣିରେ ମଧ୍ୟ କେତେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ ।
ଅଵିଭକ୍ତ କୋରାପୁଟର କେତେକ ଅଞ୍ଚଳରେ ପ୍ରୋକ୍ତ ଲୋକକାହାଣୀଠାରୁ ଆଉ ଏକ କାହାଣୀ ପ୍ରଚଳିତ । ଉକ୍ତ କାହାଣୀରେ ଦୁଇ ଭାଇ ଓ ଏକ ଭଉଣୀ ପରିଵର୍ତ୍ତେ ଜଣେ ଭାଇ ଓ ତାହାର ସାନ ଭଉଣୀର କାହାଣୀ ପ୍ରଦର୍ଶିତ ହୋଇଥାଏ । ଦ୍ଵିତୀୟ ଲୋକକଥାରେ ବଣ୍ଡା ଭାଇ ଓ ତାହାର ସାନ ଭଉଣୀକୁ ନେଇ ଲୋକଗଳ୍ପର ସୃଷ୍ଟି । ଏ ଲୋକଗଳ୍ପଟି କୁଟୁଣୀମାଳା ପାହାଡ଼ କିଂଵା ଜାଙ୍ଗିର ପର୍ଵତମାଳାର ନୁହେଁ ବରଂ ତୁଲ୍’ସା ଡଙ୍ଗରକୁ ନେଇ ଗଢି଼ଉଠିଛି ।
ଏହି ପ୍ରଚଳିତ ଲୋକକଥା ଅନୁଯାୟୀ ତୁଲ୍’ସା ଡଙ୍ଗର ଉପରେ ଥିଵା କୌଣସି ଗାଁରେ ରହୁଥିଲେ ଭାଇ ଭଉଣୀ ଦୁଇପ୍ରାଣୀ । ସୂଚନାଯୋଗ୍ୟ ଯେ ମାଥୁଲିର ପଶ୍ଚିମ ପଟେ ଏହି ଵିରାଟ ପର୍ଵତ ଅଵସ୍ଥିତ ଏଵଂ ଏହା ଛତିଶଗଡ଼ ଭିତରକୁ ଲମ୍ବିଯାଇଛି । ଅନେକ ସ୍ଥଳରେ ତାହା ଓଡ଼ିଶା ଓ ଛତିଶଗଡ଼ର ସୀମା ହୋଇଥିଲେ ମଧ୍ୟ ଦୁଇ ପ୍ରଦେଶ ମଧ୍ୟକୁ ତା’ର ଵିସ୍ତାର ରହିଛି । ଏକଦା ଏହା ଘନ ଜଙ୍ଗଲପୂର୍ଣ୍ଣ ଥିଲା ଓ ଅଧୁନା ଲୁପ୍ତପ୍ରାୟ ବହୁ ପ୍ରକାରର ଜୀଵଜନ୍ତୁ ଯଥା – ବଣ ମଇଁଷୀ, ଗୟଳ, ବଳିଆକୁକର, ଖଗ ଓ ମହାବଳ ବାଘ ଇତ୍ୟାଦିଙ୍କ ଦ୍ବାରା ଏ ଅଞ୍ଚଳ ପରିପୂର୍ଣ୍ଣ ଥିଲା । ଏହି ତୁଲସା ଡଙ୍ଗରରେ ପୂର୍ଵେ ଦୁଇ ଭାଇ ଭଉଣୀ ରହୁଥାନ୍ତି ।
ଭାଇର ନାଆଁ ବଣ୍ଡା । ସେ ସବୁଦିନେ ଇଡ଼ି ବାନ୍ଧିଵାବେଳେ ପିନ୍ଦାଓଡ଼ା ଵା ପିନ୍ଧାଲୁଗା ଅର୍ଥାତ୍ ଲେଙ୍ଗୁଟି ମଇଳା ହୋଇଯିଵା ଭୟରେ ବାଣ୍ଡା ଵା ଡୁମ୍ଡ଼ା (ଲଙ୍ଗଳା) ହୋଇ ରହେ। ଭଉଣୀକୁ ସେ କହିଥାଏ ଆଡ଼ବେଳିଆ ପେଜ ଆସିଲାବେଳେ କୁକୁର ବେକରେ ଘଣ୍ଟି ବାନ୍ଧି ନେଇ ଆସିଵ । ଘଣ୍ଟି ଶବ୍ଦ ଶୁଣିଲେ ଭାଇଟି ନିଜର ଲେଙ୍ଗୁଟି ପିନ୍ଧି ନିଏ ।
ଦିନେ ଭଉଣୀ ଭାବିଲା ଭାଇ କ’ଣ କରୁଛି । କାହିଁକି ଘଣ୍ଟି ବାନ୍ଧି କୁକୁରଟିକୁ ଆଣିଵାକୁ କହୁଛି । ଆଜି ନିଶ୍ଚୟ ପରୀକ୍ଷା କରି ଦେଖିବି । ତେଣୁ ସେ ଦିନେ କୁକୁର ବେକରେ ଘଣ୍ଟି ନବାନ୍ଧି ଆସିଲା ଏଵଂ ଉଲଗ୍ନ ଭାଇକୁ ଦେଖିଦେଲା । ଭଉଣୀକୁ ଦେଖି ଲାଜରେ ସେ ବଣ୍ଡାଭାଇ ପାଖରେ ଥିବା କୁଣ୍ଡକୁ ଅର୍ଥାତ୍ ନଦୀକୁ ଡେଇଁ ପଡ଼ିଲା । ଭାଇକୁ ଡେଇଁଵା ଦେଖି ତା ପଛେପଛେ କୁକୁର ମିଶା ସେହି କୁଣ୍ଡକୁ ଡେଇଁ ପଡ଼ିଲା । ବଣ୍ଡା ଭାଇଟି ସେହି କୁଣ୍ଡରୁ ଆଉ ଉଠିଲା ନାହିଁ । ସେହିଦିନୁ ସେ କୁଣ୍ଡର ନାମ ହେଲା ‘ବଣ୍ଡାକୁଣ୍ଡ’ । ତା ପଛେପଛେ ଡେଇଁ ପଡ଼ିଥିବା କୁକୁର ଭାସି ଭାସି ଆସି ପର୍ବତ ତଳେ ଥିବା କୁଣ୍ଡରେ ଆସି ଉଠିଲା । ତେଣୁ ପର୍ବତ ତଳ କୁଣ୍ଡର ନାମ ହେଲା ‘କୁକୁରକୁଣ୍ଡ’ । ସେହି ଅନୁସାରେ ପାଖ ଗାଁର ନାମ ମଧ୍ୟ ‘କୁକୁରକୁଣ୍ଡ’ । ଅଵିଭକ୍ତ କୋରାପୁଟର ଦୁଇଟି ଝରଣା ବଣ୍ଡାକୁଣ୍ଡ ଓ କୁକୁର କୁଣ୍ଡକୁ ଆଧାର କରି ପ୍ରୋକ୍ତ ଲୋକକଥାର ସୃଷ୍ଟି । ତୁଲସା ଡଙ୍ଗର ଉପରେ ବଣ୍ଡାକୁଣ୍ଡ ଓ ତା ତଳକୁ କୁକୁର କୁଣ୍ଡ ଝରଣା ଅଵସ୍ଥିତ । କୁକୁର୍ କୁଣ୍ଢକୁ ଲାଗି ଯେଉଁ ଗଣ୍ଡିଆ ଗାଁଟି ରହିଛି, ଏହି କୁଣ୍ଡ ଅନୁସାରେ ତାର ନାମ ମଧ୍ୟ କୁକୁର କୁଣ୍ଢ ହୋଇଅଛି । ଗୋଟିଏ ସମୟରେ ଏହି ପର୍ବତରେ ବହୁପରିମାଣରେ ବଣ ତୁଳସୀ ବୁଦା ରହିଥିଲା ବୋଲି ଏହାକୁ ତୁଲସା ପର୍ବତ ଵା ତୁଲସା ଡଙ୍ଗର ବୋଲି କୁହାଯାଉଥିଲା ବୋଲି ଲୋକଵିଶ୍ଵାସ ପ୍ରଚଳିତ ଅଛି ।
ଉଭୟ କାହାଣୀରେ ଭାଇ ଭଉଣୀ, କୁକୁର ଓ ଉଲଗ୍ନ ହେଵା କଥା ରହିଛି ଅଵଶ୍ୟ ଉଭୟ କାହାଣୀର କଥାନକ ଅନେକାଂଶରେ ଭିନ୍ନ ପ୍ରତିଭାତ ହୋଇଥାଏ ।
ବଣ୍ଡା ଏକ ଆଦିମ ଜନଜାତୀୟ ସଂପ୍ରଦାୟ ଏମାନେ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଅଞ୍ଚଳରେ ଵାସ କରୁଥିଵା ଆଦିମ ଜନଜାତି ଗୋଷ୍ଠୀ । ଏମାନେ ବାରଜଙ୍ଗଲ ଦେଶର ଅଧିଵାସୀ ବୋଲି କୁହାଯାଏ । ଏମାନଙ୍କ ସ୍ୱତନ୍ତ୍ର ଜୀଵନଶୈଳୀ ଓ ନିଜସ୍ବ ଭାଷା ରେମୋ ରହିଛି । ବଣ୍ଡାମାନେ ନିଜକୁ ରେମୋ ବୋଲି ପରିଚୟ ଦିଅନ୍ତି ଯାହାର ଆକ୍ଷରିକ ଅର୍ଥ ମନୁଷ୍ୟ ।
ଓଡ଼ିଶାରେ ଅଧୁନା ୧୨୦୦୦ରୁ ଅଧିକ ବଣ୍ଡା ଵସଵାସ କରୁଛନ୍ତି । ବଣ୍ଡା ପାହାଡ଼ର ୧୫୦ ଵର୍ଗ କି.ମି. ଅଞ୍ଚଳରେ ଵାସ କରୁଥିଵା ଏଵଂ କେଵଳ ପୋଡୁଚାଷ ଉପରେ ନିର୍ଭର କରୁଥିଵା ଏହି ବଣ୍ଡାମାନଙ୍କର ଗାଁ ସବୁ ସମୁଦ୍ରପତ୍ତନ ସ୍ତରକୁ ପାଞ୍ଚହଜାର ଫୁଟରେ ଅବସ୍ଥିତ ।
ବଣ୍ଡା ଜନଜାତି ଦୁଇ ଭାଗରେ ଵିଭକ୍ତ, ଯଥା ଉପର ବଣ୍ଡା ଏଵଂ ତଳୁଆ ବଣ୍ଡା । ଉପର ବଣ୍ଡାମାନଙ୍କର ଵାହ୍ୟ ଜଗତ ସହିତ ପ୍ରାୟ କୌଣସି ସମ୍ପର୍କ ନାହିଁ । ସେମାନେ ଖଇରିପୁଟ ବ୍ଲକରେ ଥିଵା ଡାକ୍ତରଖାନାକୁ ଚିକିତ୍ସା ପାଇଁ ମଧ୍ୟ ଆସିଵାକୁ ପସନ୍ଦ କରନ୍ତି ନାହିଁ । ଉପର ବଣ୍ଡାମାନେ ଅଧିକ ରକ୍ଷଣଶୀଳ ଏଵଂ ଆପଣାର ପାରମ୍ପପରିକ ପ୍ରଥା ପରମ୍ପରାକୁ ଅତି କଠୋରଭାବେ ପାଳନ କରନ୍ତି । ଯେଉଁମାନେ ଏଥିରେ ସେମାନଙ୍କୁ ବାଧା ଦିଅନ୍ତି, ସେମାନଙ୍କୁ ତଳବଣ୍ଡା ଗାଁ ମାନଙ୍କୁ ନିର୍ଵାସିତ କରାଯାଏ । ଏଭଳିଭାବେ ପୁରୁଣା ବତିଶିଟି ଗାଁରୁ ଚାରୋଟି ଗାଁ ଉଜୁଡ଼ି ଯାଇଛି । ଏମାନେ ଯେତିକି ସରଳ ସେତିକି ଦୁର୍ଦ୍ଧାନ୍ତ । ତଥା କଥିତ ସଭ୍ୟତା ଓ ଆଇନକାନୁନ୍ ପ୍ରତି ଏମାନେ ଏକାନ୍ତ ଵିମୁଖ । ସେଥିପାଇଁ ତେରଟି ଆଦିମ ଜନଜାତି ଭିତରୁ ଏମାନଙ୍କୁ ଅନ୍ୟତମ ବୋଲି ଗଣନା କରାଯାଏ ।
ବଣ୍ଡା ଜନଜାତିର ଭାଷାକୁ ରେମୋ କୁହାଯାଏ ଏଵଂ ଏମାନେ ଭାଷାକୁ ସାମ କହିଥାନ୍ତି । ଏହା ଅଷ୍ଟ୍ରୋଏସିଆଟିକ ଭାଷା ପରିବାରର ମୁଣ୍ଡା ଭାଷା ଶାଖା ଅନ୍ତର୍ଗତ ଏକ ଭାଷା । ବଣ୍ଡା ଭାଷା ପାଇଁ କୌଣସି ଵିଧିବଦ୍ଧ ଲିପି ନଥିଵା ବେଳେ ଓଡ଼ିଶାରେ ରହୁଥିଵା ବଣ୍ଡାଭାଷୀମାନେ କେତେକ କ୍ଷେତ୍ରରେ ଓଡ଼ିଆ ଲିପି ଵ୍ୟଵହାର କରିଥାନ୍ତି । ଏହାର ନିକଟସ୍ଥ ଭାଷା ଗୁତବ ଵା ଗଦବା ।
ସେହିପରି ଗାଦବା ଜନଜାତି ଵିଷୟରେ ଦେଶିଆ ଜ୍ଞାନକୋଷରେ ଉଲ୍ଲେଖ ଅଛି ଯେ, ଗଦଵା ଵା ଗାଦଵା ଏକ ଜନଜାତୀୟ ସଂପ୍ରଦାୟ ଵିଶେଷ । କୋରାପୁଟ ଜିଲ୍ଲାର ନନ୍ଦପୁର, ପାଡୁଆ, ଢୋଲାପୁଟ, ବୈପାରୀଗୁଡ଼ା, କୁନ୍ଦ୍ରା ଆଦି ଵିସ୍ତୀର୍ଣ୍ଣ ଅଞ୍ଚଳରେ ଵାସ କରୁଥିଵା ଏହି ପୁରାତନ ଜନଜାତୀୟ ସଂପ୍ରଦାୟକୁ ଗଦବା କୁହାଯାଏ । ଏମାନଙ୍କର ଭାଷାର ନାମ ଗୁତବ୍ ।
ଗାଦବାମାନେ ଆନ୍ଧ୍ରପ୍ରଦେଶର ଗୋଦାଵରୀ ନଦୀ ଅଵଵାହିକାରୁ ଆସିଥିଵାରୁ ଏମାନଙ୍କର ନାମକରଣ ଗାଦବା ହୋଇଥିଵା ଗଵେଷକଙ୍କ ମତ । ନିଜର ସାମାଜିକ କାର୍ଯ୍ୟଧାରାକୁ ନେଇ ଗାଦବାମାନେ ତିନିଶ୍ରେଣୀରେ ଵିଭକ୍ତ ହୋଇ ଯାଇଛନ୍ତି, ଯଥା,
(୧) ବଣ୍ଡା ଗାଦବା
(୨) ଓଲାର ଗାଦବା
(୩) ପାରେଙ୍ଗା ବା ଉରାଙ୍ଗ ଗାଦବା ।
ଅନ୍ତର୍ଜାଲରୁ ଜଣାଯାଏ ଯେ ଗଦବା, ଗାଦବା ଵା ଗୁତବ୍ ଭାଷାଭାଷୀଙ୍କ ସଂଖ୍ୟା ୨୦୦୮ ସୁଦ୍ଧା ୧୦ରୁ ୧୫୦୦୦ ଥିଲା । ଗୁତବ୍ ଆଷ୍ଟ୍ରୋଏସୀୟ ପରିଵାରରେ ଥିଵା ମୁଣ୍ଡା ଶାଖାର ଦକ୍ଷିଣ ଉପଶାଖାର ଅନ୍ତର୍ଗତ ଏକ ଭାଷା । ଭାଷା ଦୃଷ୍ଟିରୁ ଦେଖିଲେ ଗାଦଵାମାନେ ମୁଣ୍ଡା ଶଵର ଜାତୀୟ ଲୋକ । ୨୦୧୧ରୁ ଏକ ସର୍ଭେରୁ ଜଣାଗଲା ଯେ ଗୁତବ୍ ଭାଷୀଙ୍କ ସଂଖ୍ୟା ପ୍ରକୃତରେ ୫୦୦୦ରୁ କିଛି ଅଧିକ ଏଵଂ ଓଲାରୀ ତଥା ଗୁତବ୍ ଭାଷୀଙ୍କୁ ଏକ ଵିଚାର କରି ପୂର୍ଵେ ଗଣନା ହୋଇଥିଵାରୁ ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ସଂଗ୍ରହ ହୋଇଥିଲା ।
ବଣ୍ଡା ଓ ଗାଦଵା ଉଭୟ ଆଷ୍ଟ୍ରୋଏସୀୟ ଜନଜାତିର ଲୋକ ଏଵଂ ଏମାନଙ୍କର ଭାଷା ମଧ୍ୟ ଆଷ୍ଟ୍ରୋଏସୀୟ ଭାଷା ପରିଵାରର ଅନ୍ତର୍ଗତ ଥିଵା ମୁଣ୍ଡାଶାଖାର ଅଟଇ । ପ୍ରୋକ୍ତ ପ୍ରଥମ କାହାଣୀରେ ବଣ୍ଡା ଓ ଗାଦଵାଙ୍କୁ ସେଥିପାଇଁ ଦୁଇ ଭାଇ ଅଭିହିତ କରାଯାଇଛି ଯାହା ସଂମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ । ବୋଧହୁଏ ଏକ ସମୟରେ ଏ ଦୁଇଜାତି ଏକାଠେଇଁ ଵାସ କରୁଥିଲେ କିନ୍ତୁ କୌଣସି କାରଣରୁ ସେମାନେ ଭିନ୍ନ ଭିନ୍ନ ଅଞ୍ଚଳରେ ଵସଵାସ କଲେ ଫଳତଃ ଏହି ଲୋକକଥାଟି ସୃଷ୍ଟି ହୋଇଅଛି ।