ବକ୍ର ମନ୍ଦିର 

ଲେଖା: ଦେଵ ତ୍ରିପାଠୀ

ସମ୍ବଲପୁରଠାରୁ ୨୮କି.ମି. ଦକ୍ଷିଣରେ ଚିରପ୍ରବାହମାନ ମହାନଦୀ କୂଳର ଐତିହାସିକ ହୁମା ଗ୍ରାମରେ ଘଟଣାପ୍ରବାହର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇରହିଛି ବିଶ୍ୱର ଏକମାତ୍ର ବକ୍ର ତଥା ଜିଲ୍ଲାର ଅନ୍ୟତମ ଅଷ୍ଟଶମ୍ଭୁ ବାବା ବିମଳେଶ୍ୱର ମହାଦେବଙ୍କ ମନ୍ଦିର I ୧୫ ମିଟର ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରଟି ଉତ୍ତର ପଶ୍ଚିମ ଦିଗକୁ ୪୧.୬ଂ ଢଳିଯାଇଥିବା ଅନୁମାନ କରାଯାଏ I ୩ୟ ଅନଙ୍ଗ ଭୀମଦେବଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିରରେ “ବାଙ୍କୁଡା ମହାଦେବ” ନାମରେ ଭଗବାନଙ୍କର ପୂଜା କରାଯାଇଥାଏ ।

ବିଶ୍ୱର ଏକମାତ୍ର ବକ୍ର ମନ୍ଦିରର ବକ୍ର ହେବା କାରଣ ବାବଦରେ ଯଥେଷ୍ଟ ଗବେଷଣା ଅଭାବରୁ ବିଭିନ୍ନ ଶୁଣାକଥା ହିଁ ଅବଲମ୍ବନ I 

୧. ହୁମାର ଏହି ବାଙ୍କୁଡ଼ା ବିମଳେଶ୍ୱର ଶିବମନ୍ଦିରର ନିର୍ମାଣ ଶେଷ ସମୟରେ ଦିନେ ଭୟଙ୍କର ଗର୍ଜନ ହେଲା ଓ ମନ୍ଦିରଟି ବକ୍ର ହୋଇଗଲା ବୋଲି ବହୁ ଲୋକଙ୍କର ମତ I

୨. ମହାନଦୀ ଜଳର ଆଘାତରେ ମଧ୍ୟ ମନ୍ଦିରଟି ଉତ୍ତର ପଶ୍ଚିମ ଦିଗକୁ ଢଳି ଯାଇଥିବା ଅନୁମାନ କରାଯାଏ I

୩. ମାଟିଦୋଷରୁ ମଧ୍ୟ ମନ୍ଦିର ବକ୍ର ହୋଇଥିବା ଅନୁମାନ କରାଯାଏ I ପରବର୍ତ୍ତୀ ସମୟରେ ମନ୍ଦିର ପରିସରରେ ନିର୍ମିତ ଜଗନ୍ନାଥ ମନ୍ଦିର, ଅରୁଣ ସ୍ତମ୍ବ, କପିଳେଶ୍ୱର ମନ୍ଦିର, ଭୈରବୀ ମନ୍ଦିର, ଭୁବନେଶ୍ୱର ମନ୍ଦିର ମଧ୍ୟ ନିର୍ମାଣ ପରେ ବିଭିନ୍ନ ଦିଗକୁ ବକ୍ର ହୋଇଛି I

ଏପରିକି, ୧୯୯୪ ମସିହାରେ ସ୍ଥାପିତ ହନୁମାନ ବିଗ୍ରହ ମଧ୍ୟ ସ୍ଥାପନା ପରେ ଉତ୍ତର-ପଶ୍ଚିମ ଦିଗକୁ ଢଳିଯାଇଛି I ମନ୍ଦିରର ମୁଖ୍ୟଦ୍ୱାର ଓ ବେଢାପାଚେରୀ ମଧ୍ୟ ବିଭିନ୍ନ ଦିଗକୁ ବକ୍ର ହୋଇ ରହିଛି I ଏହି ଅଞ୍ଚଳର ନିରୀହ ଲୋକଙ୍କର ଧାରଣା ରହିଛି ଯେ ସ୍ୱୟଂ ବିଶ୍ୱକର୍ମା ଏପରି ଭାବରେ ମନ୍ଦିରଟିକୁ ଗଢିଛନ୍ତି I

Leave a Comment

Your email address will not be published. Required fields are marked *

Scroll to Top