“ସୁମର କେ ରଖୁରେ ତୋତେ,
ବିନାଶିବି ଉଚିତରେ,
ଜାଣିନାହୁଁ କିରେ, ମୋହର ବୀରପଣ,
କିଞ୍ଚିତରେ ଜିଣିପାରେ, ସ୍ବର୍ଗେ ସୁରଗଣ,
ପଦାଘାତେ ମୋର କମ୍ପଇ ତିନିପୁର,
ସୁମର କେ ରଖୁରେ ତୋତେ ।”
କଳା ଓ ସଂସ୍କୃତିରେ ସମୃଦ୍ଧ, ଶ୍ରୀମନ୍ତ ଓଡ଼ିଶା ଭୂଇଁରେ ହସ୍ତତନ୍ତ, ହସ୍ତଶିଳ୍ପ, ଲୋକକଳାକୁ ପାଥେୟ ଓ ପଣ୍ୟ କରି ରଖିବାର ଅଙ୍ଗୀକାର ରହିଛି ସ୍ୱଳ୍ପ କେତୋଟି ପଲ୍ଲୀରେ I ତଦ୍ରୁପ ଏକ ପଲ୍ଲୀ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟବର୍ତ୍ତୀ ବ୍ୟାଘ୍ରଦେବୀ ମନ୍ଦିର ପାଇଁ ପ୍ରସିଦ୍ଧ କୁଲାଡ଼ଗଡ ଦ୍ଵାରା ପ୍ରତିଷ୍ଠିତ ଏକ ବିଜନପଲ୍ଲୀ – ଗୋପୀନାଥପୁର । ବଡନଦୀ ପାର ହେଲେ କେନାଲ ହିଡ, ଉଭୟ ପାର୍ଶ୍ବ ଅରମା ଜଙ୍ଗଲରେ ପୂର୍ଣ୍ଣ । ରାତିରେ ବନ୍ୟଜୀବଙ୍କ (ଏକଦା ହାତୀ ମଧ୍ୟ ଥିଲେ) ଆତଙ୍କ ଭିତରେ ଉଦ୍ଦାମ ତାରୁଣ୍ୟର ଅଳସ ଭାଙ୍ଗୁଥିବା ବିସ୍ତୃତ ସୂର୍ଯ୍ୟମୁଖୀ କ୍ଷେତ ସମଗ୍ର ଅଞ୍ଚଳକୁ କରିଥାଏ ଭୟାବହତା ମଧ୍ୟରେ ଏକ ସୁରମ୍ୟ ଶୋଭାକୁଞ୍ଜ । ଅନ୍ୟ ବ୍ରାହ୍ମଣ ଗାଁ ପରି ଗୋପୀନାଥପୁର ଶାସନ ଗାଁ କହିଲେ ଆଖିରେ ଭାସି ଉଠେ ଧାଡ଼ି ଧାଡ଼ି ନାରିକେଳ ବୃକ୍ଷଶ୍ରେଣୀ ଆଉ ଏକା ପରି ଖୁନ୍ଦି ଖୁନ୍ଦି ଘର । ଗାଁରେ ତିନୋଟି ମନ୍ଦିର, ଗୋଟିଏ ପଟେ ମହାଦେବ, ଅନ୍ୟପଟେ ମହାବିଷ୍ଣୁ । ମନ୍ଦିର ଦୁଇଟିକୁ ଦେଖିଲେ ଗାଁଟିର ପ୍ରାଚୀନ ବାସ୍ତୁକଳାକୁ କାଳର ଅବକ୍ଷୟ ସ୍ପର୍ଶ କରି ନ ଥିବା ପରି ମନେହୁଏ । ହାତଗଣତି କେତୋଟି ପରିବାରକୁ ନେଇ ଗଢ଼ିଉଠିଥିବା ଲୋକସଂସ୍କୃତିର ମନ୍ଦିର “ପ୍ରହ୍ଲାଦନାଟକ ପୁଞ୍ଜା”, ଏହା ହିଁ ସେ ଗାଁର ତୃତୀୟ ମନ୍ଦିର । ଝାଟିମାଟିର ଆଖଡ଼ାଘରେ ସେମାନେ ବର୍ଷ ବର୍ଷ ଧରି ନିଜ ଅଭିନୟ ଶୈଳୀକୁ ମାଜିଛନ୍ତି, ରୁପନ୍ୟାସରେ ଝଲସାଇଛନ୍ତି । ଯେଉଁଠାରେ ବହୁକାଳରୁ ପ୍ରତିଷ୍ଠିତ, ପରିବର୍ଦ୍ଧିତ ଓ ପରିମାର୍ଜିତ ହୋଇ “ପ୍ରହ୍ଲାଦନାଟକ” ବିଗତ କେଇ ବର୍ଷଯାଏଁ ଥିଲା ପରିବେଷିତ I ଭକ୍ତ ପ୍ରହ୍ଲାଦ, ଅଭିଶପ୍ତ ଅସୁରରାଜା ହିରଣ୍ୟକଶିପୁ ଏବଂ ଅବତାରୀ ନୃସିଂହଙ୍କ ଉପରେ ଆଧାରିତ ସେହି ନାଟକର ଅଭିନୟ ମୂଳରେ ନିରୋଳ ମନୋରଂଜନ ବାହାରେ ଥିଲା ଏକ ଧାର୍ମିକ ଓ କଳାତ୍ମକ ପରଂପରା I ଏକଦା ଗୁରୁ ବିଶ୍ବବିହାରୀ ଖାଡଙ୍ଗାଙ୍କ ଅଦମ୍ୟ ପ୍ରେରଣା ଓ ସାଧନାରେ “ବାଲୁଙ୍କେଶ୍ୱର ପ୍ରହ୍ଲାଦନାଟକ” ରୁଚିଶୀଳ ଗୁଣଗ୍ରାହୀ ଦର୍ଶକଙ୍କ ମଧ୍ୟରେ ଥିଲା ଅତ୍ୟନ୍ତ ଜନାଦୃତ । ଆଜିର ସୈାଦାଗରୀ ସଭ୍ୟତାର ପଣ୍ୟସର୍ବସ୍ୱ ମୂଲ୍ୟବୋଧରେ ଏପରି ନିରୋଳା ପ୍ରତିଭାମାନ ଯେ ବିରଳ, ତାହା କେବଳ ସୂକ୍ଷ୍ମ ଅନୁଭୂତି ଇନ୍ଦ୍ରିୟଗ୍ରାହୀ ବ୍ୟକ୍ତି ହିଁ ଅନୁଭବ କରିପାରିବ ।
ଏହି ପ୍ରହ୍ଲାଦନାଟକରେ ମୁଖା ବ୍ୟବହାର ହୁଏ, ଗୀତିନାଟ୍ୟ ପରି ଏହାର ସଂଳାପ ଖୁବ କାବ୍ୟିକ; ପ୍ରାଚୀନ ବାଦ୍ୟଯନ୍ତ୍ର ପଖୌଜ ଓ ମୁଖବୀଣାର ସଂଗୀତରେ ରସାଣିତ; ଭାରତୀୟ ଶାସ୍ତ୍ରୀୟ ନୃତ୍ୟଧାରାରୁ ନିର୍ଯ୍ୟାସ ଆହରଣ କରି ବହୁ ଗୁରୁଙ୍କ ମୌଳିକ ପ୍ରେରଣାରେ ରୁଦ୍ଧିମନ୍ତ, ବୀର ଓ ଭକ୍ତିରସ ପରିପୂର୍ଣ୍ଣ; କ୍ରମବିଲୁପ୍ତ ଓ ମୁମୂର୍ଷୁ ଏହି ଲୋକକଳା ପ୍ରହ୍ଲାଦନାଟକ ଏକଦା ଜାତୀୟ ସ୍ତରରେ ଖ୍ୟାତ ହୋଇଥିଲା, ତେବେ କିଛି ସମ୍ବେଦନଶୀଳ, ବିଦଗ୍ଧ ଶ୍ରୋତା ଓ ଦର୍ଶକଙ୍କ ପାଇଁ ଏ ନାଟକଟି ଆଜି ଯାଏଁ ତିଷ୍ଠି ରହିଛି, ଅନ୍ୟଥା ଆମର ପ୍ରାଚୀନ ସଂସ୍କୃତିର ଅବକ୍ଷୟ, ଦୁଃସ୍ଥିତି, ଦୈନ୍ୟ ମଧ୍ୟରେ ଏହା କେବେଠାରୁ କାଳର କବଳରେ ଲୀନ ହୋଇସାରନ୍ତାଣି Iଗଞ୍ଜାମରେ ଦେଖିବାକୁ ମିଳୁଥିବା ନାଟକଗୁଡିକ ମଧ୍ୟରେ ରାମନାଟକ, ଅର୍ଜୁନନାଟକ ଓ ପ୍ରହ୍ଲାଦନାଟକ ଅନ୍ୟତମ । ତନ୍ମଧ୍ୟରୁ ଲୁପ୍ତପ୍ରାୟ ତଥା ବୀରରସ ସମ୍ବଳିତ ଅର୍ଜୁନ ନାଟକର ପୁରୋଧା ଥିଲେ କ୍ଷତ୍ରିୟବରପୁର ଶାସନ ୰ମହେଶ୍ୱର ଦାଶ । ସେପରି ଏକଦା ଭଞ୍ଜନଗର ଅଞ୍ଚଳରେ ବହୁଳ ପ୍ରସାରିତ ଓ ପରିବ୍ୟାପ୍ତ ହୋଇଥିବା ୰ଆନନ୍ଦ ନାୟକ ବିରଚିତ ଶୃଙ୍ଗାର ଓ ବୀରରସସିକ୍ତ ରାମନାଟକ ମଧ୍ୟ ଲୁପ୍ତ ।
ଲୁପ୍ତପ୍ରାୟ ପ୍ରହ୍ଲାଦନାଟକ ବିଭିନ୍ନ ଅଞ୍ଚଳରେ ରଜାନାଟ, ନୃସିଂହ ଅବତାର, ସ୍ତମ୍ଭ ଅବତାର, ନୃସିଂହଭେଟ, ହିରଣ୍ୟାସୁର ବଧ ଇତ୍ୟାଦି ଭିନ୍ନ ଭିନ୍ନ ନାମରେ ପରିଚିତ ଥିଲା। ତେବେ ଭିନ୍ନ ଭିନ୍ନ ସମୟରେ ଏକାଧିକ ସ୍ରଷ୍ଟା ଏହି ନାଟକର ରଚନା କରିଥିବା ବିଷୟରେ ଐତିହାସିକ ଓ ଗବେଷକମାନେ ମତ ପୋଷଣ କରିଥାନ୍ତି, କେହି କେହି ଗବେଷକ କବିସୂର୍ଯ୍ୟ ବଳଦେବ ରଥଙ୍କ ନାମ ଉଲ୍ଲେଖ କରୁଥିଲେ ମଧ୍ୟ ୧୯୩୮ ମସିହାରେ ତତ୍କାଳୀନ ମାଡ୍ରାସସ୍ଥିତ ପ୍ରାଚ୍ୟପୋଥି ଗ୍ରନ୍ଥାଗାରରୁ ଆବିଷ୍କୃତ ହୋଇଥିବା ତଥା ଜଳନ୍ତର ରାଜଦରବାରର ସଙ୍ଗୀତଜ୍ଞ ଓ ନାଟ୍ୟକାର ୰ଗୌରହରି ପରିଛାଙ୍କ ଦ୍ଵାରା ରଚିତ ପୋଥିକୁ ଶେଷ ନାଟକର ମାନ୍ୟତାପୂର୍ବକ ଓଡ଼ିଶା ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ କରାଯାଇଛି । ତେବେ କବୀରଦାସ ପରି ଜଣେ କବିଙ୍କ ନାମରେ ଅନ୍ୟ ଏକ ନାଟକ ଆବିଷ୍କାର ହୋଇଥିଲେ ମଧ୍ୟ ତାହା ଗବେଷକମାନଙ୍କ ଧ୍ୟାନ ଆକର୍ଷଣ କରିବାରେ ବିଫଳ ହୋଇଛି ।
ସତ୍ୟଯୁଗର ପୃଷ୍ଠଭୂମିକୁ ନେଇ ଚଉପଦୀ ଶୈଳୀରେ ରଚିତ ଏହି ନାଟକର ଅଭିନୟରେ ମୁଖପ୍ରଲେପ ଓ ବେଶଭୂଷା ଆଧାର ରେ ଏହା ଅନ୍ୟ ପ୍ରଦେଶର ନାଟକଠାରୁ ସ୍ବାତନ୍ତ୍ର୍ୟ ବଜାୟ ରଖେ । ସମପ୍ରକାରର ପାରମ୍ପରିକ ନାଟକ ମଧ୍ୟରୁ ଉତ୍ତରଭାରତର ରାମଲୀଳା, କେରଳର କୃଷ୍ଣନାଟ୍ୟମ୍ ଓ ମୁଡିଏଟ୍ଟୁ, କର୍ଣ୍ଣାଟକର କୃଷ୍ଣପାରିଜାତ ଓ ସାଜ୍ଞବାଲ୍ୟ, ଗୋଆର ଦଶାବତାର ଅନ୍ୟତମ । ତେବେ ଆମ ଗଞ୍ଜାମର ପ୍ରହ୍ଲାଦ ନାଟକ ଓ କେରଳର ମୁଡିଏଟ୍ଟୁ ମଧ୍ୟରେ ରହିଛି ଅନେକ ସାମଞ୍ଜସ୍ୟ । ଉଭୟ ନାଟକରେ ପୁରୁଷ କଳାକାର ଭାରି ମୁକୁଟ ଓ ମୁଖପ୍ରଲେପ ବ୍ୟବହାର କରିଥା’ନ୍ତି । ମହିଳାମାନେ ହାଲୁକା ପୋଷାକ ପରିଧାନ କରିଥାନ୍ତି । ନୃସିଂହମୁଖା ମଧ୍ୟ ଅନ୍ୟ ଏକ ସାମଞ୍ଜସ୍ୟ । ତେବେ ସଙ୍ଗୀତ ଓ ମଞ୍ଚସଜ୍ଜା ସମ୍ପୂର୍ଣ୍ଣ ପୃଥକ ।
ବ୍ରାଉନ ବିଶ୍ୱବିଦ୍ୟାଳୟର ଥିଏଟର ବିଭାଗର ପ୍ରଫେସର ଜନ ଏମୀ ଓ ରାଜ୍ୟ ସଂସ୍କୃତି ବିଭାଗ ଦ୍ଵାରା ହିଁ ଦୁଇ ଦଶନ୍ଧି ତଳେ ଏସବୁ ତଥ୍ୟ ଲୋକଲୋଚନକୁ ଆସିଥିଲା । ଏପରିକି ଗଞ୍ଜାମର ତେଲୁଗୁ ଭାଷାଭାଷୀ ଜନସାଧାରଣଙ୍କୁ ଧ୍ୟାନରେ ରଖି ଗୁରୁ କେ ନରସିଂହାଲୁ ଏହି ନାଟକର କରିଥିଲେ ତେଲୁଗୁ ଅନୁବାଦ । ପରବର୍ତ୍ତୀ ସମୟରେ ଏହି ଅନୁଦିତ ସଂସ୍କରଣ ପରିବ୍ୟାପ୍ତ ହୋଇଥିଲା ପଡୋଶୀ ରାଜ୍ୟରେ ।
କଟକର ଏକ କ୍ୟାସେଟ କମ୍ପାନୀ ଏ ନାଟକର ପ୍ରଚାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେଠାକାର ଜଣେ ଗୁଣୀ ଚିତ୍ରନିର୍ମାତା ମଧ୍ୟ ନିର୍ମାଣ କରିଥିଲେ ଏକ ବୃତ୍ତଚିତ୍ର । ଏହି ଲୋକନାଟକ ବହୁଳାଂଶରେ ହାସଲ କରିଥିଲା ଆନ୍ତର୍ଜାତିକ ପ୍ରସିଦ୍ଧି ଓ ପରିଚିତି । ତେବେ ବିଭିନ୍ନ କାରଣରୁ ଏ ମହାନ ଲୋକନୃତ୍ୟ ପରିବର୍ତ୍ତିତ ସମୟ ଓ ଅବାଞ୍ଛିତ ଖଳନାୟକମାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ନ ପାରି ପ୍ରାୟତଃ ଉଭେଇ ଯାଇଛି ଗଞ୍ଜାମ ଓ ଆନ୍ଧ୍ରର କଳାଜଗତରୁ, ଜନମାନସରୁ . .
ମୂଳ ଲେଖା: ସଚିତ୍ର ବିଜୟା