ଲେଖା: ଦେଵ ତ୍ରିପାଠୀ କାଇଁ କେଉଁ କାଳର କଥା ! ଅବକ୍ଷୟମୁଖୀ ସମାଜକୁ ସୁସ୍ଥ ସଂହତ ରଖିବା ଲକ୍ଷ୍ୟରେ ତଥା ମୂଲ୍ୟବୋଧର ବାର୍ତ୍ତା ସଂଚରିତ କରିବା ଉଦ୍ଦେଶ୍ୟରେ ରାମାୟଣ ଅଭିନୟ ପାଇଁ ଉତ୍କଳୀୟ ଗ୍ରାମାଞ୍ଚଳରେ ଦିନେ ସୃଷ୍ଟି ହୋଇଥିଲା ଆଖଡ଼ାଘର ! ‘ମହାଭାରତ’ର ପଟ୍ଟଭୂମି ଓ ଚରିତ୍ର ବଡ଼ ବ୍ୟାପକ ଓ ଜଟିଳ ଥିବାରୁ ତା’ର ଖଣ୍ଡିତ ଅଂଶକୁ ନେଇ ଗୀତାଭିନୟ ଅନୁଷ୍ଠିତ ହେଉଥିଲା । କାବ୍ୟ ଓ ଛନ୍ଦର ଦେହଳୀ ଭେଦ କରି ସଂଳାପଧର୍ମୀ ନାଟକ ଆସିଲା ବହୁପରେ, ତେବେ ବହୁକାଳ ଧରି ଐତିହାସିକ ବିଷୟବସ୍ତୁ ମଣିଷକୁ ଆଚ୍ଛନ୍ନ କରି ରଖିଥିଲା । ମାତ୍ର ମୁକ୍ତମଞ୍ଚର ପରିକଳ୍ପନା ଓ ମନୋରଞ୍ଜନର ଆବଶ୍ୟକତା ନେଇ ଅଭିନୟର ଧାରା କେଉଁ ଯୁଗର, ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ପରୀକ୍ଷା । ନ ହେଇଥିଲେ ଖଣ୍ଡଗିରିରେ ମହାମେଘବାହନ ଐର ଖାରବେଳ ପଥର କଟାଇ ମଞ୍ଚ ଗଢ଼ି ନ ଥାନ୍ତେ ! ତେବେ ନୃତ୍ୟ, ସଙ୍ଗୀତ, ବାଦ୍ୟ, ଅଭିନୟ ବହୁକାଳ ଧରି ଦରବାରରୁ ଦେବାଳୟରେ ସୀମା ଭିତରେ ଅଟକି ରହିଥିଲା । ବିଷୟବସ୍ତୁ ମଧ୍ୟ ଥିଲା ସେଇ ଦେବାଦେବୀଙ୍କୁ ନରପତିଙ୍କ ଭିତରେ ସୀମିତ – ସେ ହେଉ ମଧ୍ୟଯୁଗୀୟ ମହାକବି କାଳିଦାସଙ୍କ ଅଭିଧାନ ଶକୁନ୍ତଳମ୍ ଅବା ଏ ଯୁଗର ଗଣକବି ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟସମୂହ !ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଲୋକମଞ୍ଚର ଜଗତ ଥିଲା ନିଆରା ! ଜଣେ ଅଭିନୟ କଲାବେଳେ ଆଉ ଜଣେ ମଶାଲ ଧରି ଅଭିନେତାର ମୁହଁକୁ ଆଲୋକ ଦେଖାଉଥିଲା । ସେଇ ଆଲୋକ ଥିଲା ସର୍ବଶ୍ରେଷ୍ଠ ଆଧୁନିକ କୌଶଳ ! ଡ଼ାକବାଜି ଯନ୍ତ୍ର ଅବା ମାଇକ୍ ସେ ଯାଏଁ ଦେଖି ନ ଥିଲା ମଞ୍ଚ ! ଖୁବ୍ ଉଚ୍ଚ ସ୍ବରରେ ସଂଳାପ ମାନ କହି କହି ଶହ ଶହ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ରଖିବାକୁ ପଡ଼ୁଥିଲା ! ପରେ ଆସିଲା ଏ ଧାରାରେ ବିବର୍ତ୍ତନ ! ସମୟ ସୁଅରେ ରାଜାଙ୍କ ଟିଣଖଣ୍ଡାରେ କଳଙ୍କି ଲାଗିଗଲା, କଳଙ୍କି ଲାଗିଗଲା ସଂସ୍କୃତିରେ, ରାମଲୀଳା, ଭରତଲୀଳା, କୃଷ୍ଣଲୀଳା, ପ୍ରହ୍ଲାଦ ନାଟକ ଇତ୍ୟାଦିର ରାଜାମାନଙ୍କ ଶାସନର ଅବସାନ ଘଟି ଇଂରାଜୀ ସିନ୍ ପକା ମଞ୍ଚର ସମୟ ଆସିଲା ! ୧୮୮୭ ମସିହାରେ କଟକରେ ରାଧାକାନ୍ତ ରଙ୍ଗମଞ୍ଚ ଭାବେ ପ୍ରଥମ ରଙ୍ଗମଞ୍ଚ ସ୍ଥାପିତ ହେଲା । ୧୮୯୪ ମସିହାରେ ବାଲୁବଜାର ରେ ସ୍ଥାପିତ ହେଲା ମ୍ୟାଗ୍ନେଟିକ ଥିଏଟର, ୧୮୯୫ରେ ଖଡ଼ିଆଳ ମହାରାଜା ପ୍ରତିଷ୍ଠା କଲେ ବୀରବିକ୍ରମ ଥିଏଟର, ୧୮୯୭ରେ ଗଞ୍ଜାମ ପାରଳାଖେମୁଣ୍ଡିରେ ସ୍ଥାପନ ହେଲା ପଦ୍ମନାଭ ରଙ୍ଗାଳୟ ଓ ୧୮୯୮ରେ ବିନୋଦବିହାରୀ ଠାରେ ବୀଣାପାଣି ରଙ୍ଗମଞ୍ଚ ସ୍ଥାପିତ ହେଲା । ଆଧୁନିକ ବାସ୍ତବବାଦର ଚାନ୍ଦୁଆ ତଳେ ନୂଆ ନାଟକମାନ ଦର୍ଶକଙ୍କ ମନୋରଞ୍ଜନ କଲେ, ସାମାଜିକ ସମସ୍ୟାମାନଙ୍କୁ ନେଇ ! ଲୋକମଞ୍ଚର କଳ୍ପନା ଜଗତ କାଇଁ କୁଆଡ଼େ ମିଳାଇଗଲା ! କିନ୍ତୁ ଦେଖେଣାହାରୀ ପ୍ରଜାମାନେ କ’ଣ ସତରେ ଭୁଲି ପାରିଥିଲେ ସେଇ ଟିଣଖଣ୍ଡାର ରାଜାମାନଙ୍କୁ ! ଯେତେ ଚିତ୍ରିତ ପ୍ରଦାନ ଚିତ୍ରିତ ବାସ୍ତବତା ଦେଖାଇଲେ ବି ସେମାନେ ଭୁଲି ନ ଥିଲେ ମାଟି ସଙ୍ଗେ ମାଟି ହୋଇ କାଳ୍ପନିକ ସାମ୍ରାଜ୍ୟ ତିଆରି କରିଥିବା ସେଇ ଲୋକନାଟକମଞ୍ଚକୁ ! ପୁନଃ ବିବର୍ତ୍ତନର ପଥରେ ପାଦଦେଲା ଓଡ଼ିଆ ରଙ୍ଗମଞ୍ଚ ।Images: Prof. Sukanta Rout ଚିତ୍ରର ନାଟକଗୁଡ଼ିକ: ଢ଼ାଲୁ, ରେବତୀ, ବୁଢ଼ାଶଙ୍ଖାରୀ
|
|
|