ପିଙ୍ଗଳାକ୍ଷୀ ମନ୍ଦିର

ଲେଖା: ଅମୃତେଶ ଖଟୁଆ
~ ପିଙ୍ଗଳାକ୍ଷୀ ମନ୍ଦିର ~
ଉତ୍ତରିଲେ ଯୋଗୀ – “ନୃପ ଏ ଶ୍ରୀକ୍ଷେତ୍ର ଧାମ,
ଶାସ୍ତ୍ରର ବର୍ଣ୍ଣନା ସ୍ଵର୍ଗ, ଅପ୍ରତ୍ୟକ୍ଷ ଯାହା,
ମାତ୍ର ଏ ପ୍ରତ୍ୟକ୍ଷ ସ୍ଵର୍ଗ, ରୂପବନ୍ତ ଏଥି
ସାକ୍ଷାତ କୈବଲ୍ୟରୂପୀ ବ୍ରହ୍ମ ସନାତନ,
ରାଜରାଜେଶ୍ଵର ଏହି ଅଖିଳ ତୀର୍ଥର ।
ଅଷ୍ଟଶମ୍ଭୁ, ଅଷ୍ଟଶକ୍ତି ବସନ୍ତି ଏହାର
ଅଷ୍ଟଦିଗେ, ବିରାଜନ୍ତି ମଧ୍ୟଭାଗେ ବହୁ
ଦେବଦେବୀ, ଲଭି ଦାରୁବ୍ରହ୍ମଙ୍କ ସନ୍ନିଧି
ଯଥା ଗୁଣିଜନେ ଇଚ୍ଛି ନୃପ ସହବାସ
ନିବସନ୍ତି ଯାଇ ସର୍ବେ ରାଜଧାନୀ ସ୍ଥାନେ ।”
( ବିକ୍ରମାଦିତ୍ୟ, ୧୦ମ ସର୍ଗ, କବିଶେଖର ଚିନ୍ତାମଣି ମହାନ୍ତି)
ଅଦ୍ୟାବଧି ଉତ୍କଳୀୟ ତୀର୍ଥମାନଙ୍କର ମହତ୍ତ୍ଵ ପ୍ରତିପାଦ୍ୟ କ୍ଷେତ୍ର ବିଶେଷ ମାନଙ୍କରେ ସର୍ବପ୍ରଧାନ ପୁରୁଷୋତ୍ତମ କ୍ଷେତ୍ର ବା ପୁରୀକ୍ଷେତ୍ର । ଓଡ଼ିଆ ଜାତିର ଶୋଭାସମ୍ପଦ ତଥା ଚିନ୍ତା ଓ ଚୈତ୍ୟର ହୃଦୟଙ୍ଗତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆବୋରିଥିବା କ୍ଷେତ୍ର ପୁଣି ଅବଧାରଣ କରେ ଆହୁରି ଅଗଣିତ ପ୍ରାଚୀନ ତୀର୍ଥ ବିଶେଷ ମାନଙ୍କରେ । ପ୍ରଧାନ ଶ୍ରୀମନ୍ଦିରର ଦିଗବିଦିଗକୁ ରହିଅଛି ଅଷ୍ଟଶମ୍ଭୁ ବା ଆଠଗୋଟି ମହାଦେବଙ୍କ ପୀଠ ତ ଅଧିଷ୍ଠିତ ଅଛନ୍ତି ଅଷ୍ଟଗୋଟି ଶକ୍ତିମୟୀମାନେ । ଏହାର ତତ୍ତ୍ଵ ଆଧୁନିକ ସମାଜର ସହ ବହୁ ଭାବରେ ଜଡ଼ିତ ।
ଇଂରାଜୀରେ ଏହି ବସ୍ତୁନିଷ୍ଠ ତତ୍ତ୍ଵକୁ ‘Agglomeration clustering’ ବୋଲି ଜଣାଯାଏ । ଅର୍ଥାତ୍, ଲାଭାନ୍ଵେଷୀ ଉତ୍ପାଦକ ସଂସ୍ଥାନମାନେ ଯେତେବେଳେ ଗୋଟିଏ ସ୍ଥାନରେ କେନ୍ଦ୍ରୀଭୂତ ରହି ଉକ୍ତ ସ୍ଥାନ ବିଶେଷର ସମସ୍ତ ସୁଯୋଗ ଓ ସୁବିଧା ଲାଗି ଉପଯୁକ୍ତ ପରିବେଶର ସାନ୍ନିଧ୍ୟରେ ଆସନ୍ତି, ସେହି କ୍ଷେତ୍ରରେ ଏହା ବୋଲାଯାଏ । ଉଦ୍ଦେଶ୍ୟ ମତେ ଏକତ୍ର ବିନିବେଶ ମାଧ୍ୟମରେ ଲାଭାଶାୟୀ ମାନେ ଉତ୍ପାଦନକ୍ଷମ ଉପଯୋଗିତାକୁ ସାବ୍ୟସ୍ତ କରି ସମସ୍ତ ଅର୍ଜିତ ଲାଭମାନଙ୍କୁ ସମନ୍ଵିତ କରନ୍ତି ।
ଅନୁରୂପ ଭାବରେ, ତୀର୍ଥକ୍ଷେତ୍ର ମାନଙ୍କ ବିଷୟରେ ଏହିପରି ଏକ ମନୋଜ୍ଞ ପରିଚର୍ଯ୍ୟା ଦୃଷ୍ଟିଗୋଚର ହୁଏ । ତାତ୍ପର୍ଯ୍ୟ ବିଶେଷତଃ, ଯେପରି ବିକାଶଶୀଳ ରାଜ୍ୟର ରାଜା ତଥା ପ୍ରଶାସନର ବ୍ୟବସ୍ଥା ପ୍ରଣାଳୀକୁ ଗୁଣୀବୃନ୍ଦ ମାନେ ଏକତ୍ର ଭୋଗ କରିବାକୁ ଇଚ୍ଛା କରି ରାଜାଙ୍କ ସାମୀପ୍ୟ ଗ୍ରହଣ କରିବାକୁ ରାଜ୍ୟର ରାଜଧାନୀରେ ଡିହ ବସାଇବାକୁ ଶ୍ରେୟ ମଣନ୍ତି, ଠିକ୍ ସେହିପରି ଉତ୍କଳୀୟର ଏହି ତୀର୍ଥମାନଙ୍କରେ ମଧ୍ୟ । ପୁରୁଷୋତ୍ତମ କ୍ଷେତ୍ରର ବହୁପ୍ରଶସ୍ତ ସ୍ଥାନମାନଙ୍କରେ ନାନାବିଧ ତୀର୍ଥ ସହବାସ ଗ୍ରହଣ କରିଛନ୍ତି ।
ଏତାଦୃଶ ବିନ୍ୟସ୍ତ କ୍ଷେତ୍ର ପରିଧିମାନଙ୍କରେ ପୁରୀର ମା’ #ପିଙ୍ଗଳାକ୍ଷୀ #ମନ୍ଦିର ପ୍ରାଚୀନତା ଉପଲକ୍ଷ୍ୟରେ ଉଢୁଆଳରେ ରହି ଆସିଅଛି । ମା’ ପିଙ୍ଗଳାକ୍ଷୀଙ୍କ ସୁଦୃଶ୍ୟ ଅଧିଷ୍ଠାନ ପୀଠ ମଧ୍ୟରେ ଏହି ପୀଠ ଅନ୍ୟତମ । ପୀଠଟି ଯିବା ମଧ୍ୟରେ ହରିତାୟମାନ ଶସ୍ୟକ୍ଷେତ୍ରମାନ ପଡିବା ସହିତ ଅଭ୍ରସ୍ପର୍ଶ ଆଶାୟୀ ବାମନମନ୍ୟ ମନେ ହେଇଯାଉଥିବା ନଡିଆ ଗଛମାନଙ୍କ ସମେତ ତାଳ, ଗୁଆ ଭଳି ଗଛମାନେ ଦିଶି ଯାଉଥିବେ । ସ୍ଥାନଟି ରହିଛି ପୁରୀର ନିମାପଡା ଥାନା ଭିତରେ । ନିମାପଡାରୁ ୩ କିମି ଅନ୍ତସ୍ଥ ଡେଣୁଅଁ ଗାଁରେ ରହିଛି ।
ନିମାପଡା ବଜାର ଦେଇ ନିମାପଡାର ହୃଦୟ ପଥ ଦେଇ ଗନ୍ତବ୍ୟ ବିବେଚନା ନିତାନ୍ତ ଅଭାବିତପୂର୍ବ ଶୁଭୁଥିଲେ ହେଁ ଏହି ପିଙ୍ଗଳାକ୍ଷୀ ମନ୍ଦିର ପୀଠଟି ଛେନାଝିଲ୍ଲୀରୁ ନେଇ ନାନାବିଧ ଐତିହ୍ୟସମ୍ପନ୍ନ ସ୍ଥାନମାନଙ୍କର ସମାବେଶରେ ଗଠିତ । ବଜାର ପୂର୍ବରୁ ପଡିବ ସୁନ୍ଦର ବିଲପାଟକକୁ ପ୍ରଚୁର ହରିତ ବୃକ୍ଷମାନଙ୍କ ଆଶ୍ରୟ ସମ୍ଵଳ। ପୁଣ୍ୟତୋୟା ପ୍ରାଚୀ, କୁଶଭଦ୍ରାଭାର୍ଗବୀ ନଦୀର ଅବବାହିକା ଦେଇ ରହିଛି ପୁଣି ବାଲିଅନ୍ତା, ଭିଙ୍ଗାରପୁର, ବାଲିପାଟଣା, ବନମାଳୀପୁର ଓ ଗୋପ ପ୍ରଭୃତି ଗ୍ରାମବିଶେଷ । ନିମାପଡାର ମଝିରେ ଧନୁଆ ନଦୀ ପ୍ରବାହିତ ପୁଣି ସ୍ନିଗ୍ଧ ଅଥଚ କ୍ଷୁଦ୍ରକାୟା ଧରି ।
ଗନ୍ତବ୍ୟରେ ପଡୁଥିବା ରାସ୍ତାଗୁଡିକ ସ୍ଵାଧୀନତା ପୂର୍ବବର୍ତ୍ତୀ ସମୟରେ ଜିଲ୍ଲା କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ସହ କୋଣାର୍କ, ଅସ୍ତରଙ୍ଗ ତଥା କାକଟପୁର ସହ ଏହାର ସଂଯୋଗ ସ୍ଥାପନା ଶୁଭଫଳ ପାଛୋଟି ଆଣେ । ପିଚ୍ଛିଳ ଓ ଦୁର୍ଗତ ରାସ୍ତାର ଏତାଦୃଶ ମଥା ଲେଖା ପଥୁକୀର ସୁଦଶା ସହ ଆଗତ ହେବାରୁ ନିମାପଡା ବିକାଶ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ ଉନ୍ମୁଖ ଓ ନିୟମିତ ପ୍ରସାରଣଶୀଳ । ପୂର୍ବେ ଏକ ରାସ୍ତାର ଉଭୟ ପାର୍ଶ୍ଵ, ଅର୍ଥାତ୍, ନିମାପଡାରେ ସ୍ଥିତ ରାସବାଡି ମଠର ଶଙ୍ଖଠାରୁ କୁମ୍ଭାରସାହି ପର୍ଯ୍ୟନ୍ତ କ୍ଷୁଦ୍ର ଭୂସୀମା ଭୌଗୋଳିକ ଭାବେ ପ୍ରତିପନ୍ନ ।
ମାତ୍ର, ଐତିହାସିକ ସ୍ଥିତାବସ୍ଥା ଓ ଶିକ୍ଷାସଂସ୍କୃତି ଦ୍ଵାରା ଯେଉଁ ଅନୁଷଙ୍ଗ ସୃଷ୍ଟି କରେ ଏହାର ପବିତ୍ର ଭୂମି, ତାହାର ପ୍ରଭାବ ସ୍ଥାନୀୟ ହେବା ଅପେକ୍ଷା ପୁରୁଷୋତ୍ତମ କ୍ଷେତ୍ରର ସାନ୍ନିଧ୍ୟ ଦେଇ ଗରୀୟାନ ଓ ସ୍ଫୁଟ । ଦେଶୀୟ ନୃମଣିମାନଙ୍କ ଅନ୍ତରାଳରେ ସୁରକ୍ଷା ଓ ଶୌର୍ଯ୍ୟର ନିର୍ମିତି ବ୍ଯବସ୍ଥିତ ତଥା ଅଖଣ୍ଡ ରଖିବା ଲାଗି ଭିଆଣ ହୁଏ ଶାସନାଧିକାରୀଙ୍କ ବହୁସଂଖ୍ୟକ ଉଆସ ଓ ଗଡମାନ । ୩୭ ଗୋଟି ଗଡ ପୂର୍ବେ ରହିଥିବାର ଅଭିନିବିଷ୍ଟ ପ୍ରମାଣରୁ ଏହାର ପ୍ରଶସ୍ତିଗାନ ଗଡ ଭଅଁରା, ଗଡ ନିଆଁଗୋରଡା, ଗଡ ତୋରିହଁ, ଗଡ କରମଳା, ଗଡ ଅଣ୍ଢିଆ, ଗଡ ଆମଣାକୁଦ, ଗୋଲରାଗଡ ପର୍ଯ୍ୟନ୍ତ ସ୍ପଷ୍ଟ ପଠନୀୟ ।
ବିଷୟର ଦୌତ୍ୟ ଘେନି ନିମାପଡାର ଧର୍ମୀୟ ପରିଚର୍ଯ୍ୟା ଏକାଧାରରେ ବୌଦ୍ଧ, ଶୈବ, ଶାକ୍ତ ଓ ବୈଷ୍ଣବଙ୍କ ସହ ମିଳିତ ଓ ସମନ୍ଵିତ । ‘ମାଦଳାପାଞ୍ଜି’ ଅନୁସୃତ ଯେଉଁ ବୌଦ୍ଧଧର୍ମ କ୍ରମିକ ଅପସାରଣର ସମ୍ମୁଖୀନ ହେବା ସହ ଅସ୍ତିତ୍ଵର ଗୁଞ୍ଜରଣ ହିନ୍ଦୁଧର୍ମର ପ୍ରାଧାନ୍ୟ ସମୃଦ୍ଧିରେ ଗୁମ୍ଫିତ କରାଏ, ତାହାରି ଜ୍ଞାତବ୍ୟ ପ୍ରତିବିମ୍ଵ ନିମାପଡା । ବିଂଶ ଶତାବ୍ଦୀର ଶେଷ ଦଶନ୍ଧି ପର୍ଯ୍ୟାୟକୁ ଏଠାରେ ମନସାଙ୍କ ମୂର୍ତ୍ତି ଦିଘାଳୋ ନାମକ ସ୍ଥାନରୁ ଚିହ୍ନଟ କରା ଯାଇ ଆରାଧନା କରାଯାଏ । ଶାକ୍ତ ଧର୍ମାସ୍ପଦ ନିମାପଡାର ଏମନ୍ତ ପରିଦୃଶ୍ୟର ଉତ୍ତରସ୍ଥଳୀରେ ଡେଣୁଅଁ ଗ୍ରାମ ଆସେ ।
କୁଶଭଦ୍ରାର ତିନି କିମି ଅନ୍ତେ ଏହି କ୍ଷୁଦ୍ର ଗ୍ରାମ । ପର୍ବଯାତ ବିଶେଷରେ ଏହାର ସ୍ଥାନୀୟ ପ୍ରସିଦ୍ଧି ରହିଥିବା ବେଳେ ଗଜପତି ଶାସନ ସମୟର ଉତ୍କୃଷ୍ଟ କଳାର କ୍ଷୀୟମାଣ ବିଦ୍ୟୋତନା କରେ ଅନୁଚ୍ଚ ପିଙ୍ଗଳାକ୍ଷୀ ମନ୍ଦିର । ସ୍ଥାପତ୍ଯର ସଙ୍ଗତିରୁ ଯାହା ଜଣାଯାଏ, ଏହା ଷୋଡଶ ଶତାବ୍ଦୀର ପ୍ରଥମାର୍ଦ୍ଧର କୀର୍ତ୍ତି ରୂପେ ପରିବର୍ଦ୍ଧିତ । ଯଦିଓ ଏହାର ନିର୍ମାଣ ପୂର୍ବରୁ ଅନେକାଂଶରେ ହେଇ ସାରିଥିବାର ସ୍ଥପତିସୂତ୍ରରୁ ସୂଚୀତ, ଯାହାର ପ୍ରମାଣ ବହନ କରେ ଜଗମୋହନରେ ସ୍ଥିତ ଦୁଇ (ଆନୁମାନିକ ତ୍ରୟୋଦଶ ଶତାବ୍ଦୀର) ମୂର୍ତ୍ତି । ସ୍ଥାନୀୟ ନୀଳକଣ୍ଠେଶ୍ଵର ମହାଦେବଙ୍କ ମନ୍ଦିର ପରବର୍ତ୍ତୀ ବୋଲି ଏହା ଅନୁମେୟ ।
ସ୍ଥିରାଲୋକ ଚିତ୍ରର ପରିଦୃଶ୍ୟରେ ପିଙ୍ଗଳାକ୍ଷୀ ମନ୍ଦିର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟରେ ବିଶେଷ ସ୍ଥିତିଶୀଳ ଅବା କାରୁକଳା ସ୍ନିଗ୍ଧ ନ ହୋଇଥିଲେ ମଧ୍ୟ ଅନ୍ତର୍ଗତ ମୂର୍ତ୍ତିବିଶେଷ ମାନଙ୍କରେ ଯାହା ଜଣାଯାଏ, ନିମାପଡାର ଏହା ଅନ୍ୟତମ ପ୍ରଧାନ ଶକ୍ତିପୀଠ । ଚୂନଲେପ ଦ୍ବାରା ବହୁଳାଂଶରେ ଆବୃତ ହେତୁ ଏହିପରି ଘଟିତ ଥିବାର ସମ୍ଭାବନା ବିଶେଷ ପ୍ରବଣ । ପୂର୍ବମୁଖୀନ ଦେଉଳଟି ସମ୍ପୂର୍ଣ୍ଣ ବଉଳ ପଥରରେ ନିର୍ମାଣ ହୋଇଅଛି ଚାଳିଶ ଫୁଟ୍’ର ଉଚ୍ଚତାକୁ ସ୍ପର୍ଶୀ ହୋଇ । ଶୈଳୀ ବୋଇଲେ ପଞ୍ଚରଥ, ରେଖାଶୈଳୀର ଦେଉଳ । ଅନୁରୂପ ଭାବେ ବିମାନର ବାଡ ପା’ଭାଗ, ତଳଜଙ୍ଘା, ଉପର ଜଙ୍ଘା, ବନ୍ଧନ ଓ ବାରଣ୍ଡା ସୁଦୃଷ୍ଟ ।
ବାରଣ୍ଡା ଓ ବାଡ ନିରଳଙ୍କୃତ ଓ ଆଟୋପହୀନ । ଥୁଣ୍ଟା ବରଗଛ ପର୍ବ ଚନ୍ଦ୍ରମାର ଝାଲର ତଳେ ଯେଉଁ କାକଜ୍ୟୋତ୍ସ୍ନା ପାଇବା ଲାଗି ନିରତ ଲେପି ହେଇଯାଉଥାଏ, ହେଲେ ଦୂରରୁ ଦିଶି ଯାଉଥିବା ଏହି ମନ୍ଦିର ସେହିପରି ଲେପି ହେଇଯାଉଥାଏ କାଳର ଚର୍ବିତ ପ୍ରଚ୍ଛାୟାରେ; କିନ୍ତୁ ବ୍ୟତିକ୍ରମରେ ଛାଡିରହିଅଛି ସ୍ଥବିରତା ନଥିବା ଭୂଇଁର ଶୁଭ୍ରସାର ନବାଗତ ଉଷାଶ୍ରୀ । ପଞ୍ଚରଥର ଗତି ଭ୍ରମରେ ଦିଶିଯାଉଥିବା ପାଗ ଅଂଶ ସହ ଅମାଶିଳା, ରାହା, ଖାକରାମୁଣ୍ଡି ଶୋଭା ମିଜାଜ୍ ଧରି ରହିଛନ୍ତି ପ୍ରଶସ୍ତ ଭାବରେ ।
ମଧ୍ଯଭାଗକୁ ଝପାସିଂହ ଗଣ୍ଡିର ରାହାପାଗକୁ ଦର୍ଶିତ ଯେତେବେଳେ ତାଙ୍କ ସାମୀପ୍ୟ ଘେନି ଦୋପିଛା ସିଂହ ତଥା ଦେଉଳ ଚାରିଣୀଙ୍କ ବିଗ୍ରହ ମୂର୍ତ୍ତ ତିଷ୍ଠିଛନ୍ତି । ବିମାନର ମସ୍ତକ ଅମାଳକ ଶିଳା, କଳସ, ଚକ୍ରାୟୁଧ, ବେକି ଓ ଧ୍ଵଜା ପ୍ରଭୃତିରେ ବେଶ୍ ସୁଠାମ ଗଠିତ । ଜଗମୋହନଟି ଯେଉଁ ରହିଅଛି ମନ୍ଦିରର ତାହା ପୀଢଦେଉଳ । ୨୮ ଫୁଟ୍’ର ଭୂସ୍ତରରୁ ଯାହା ଏକ ସମତଳ ଭୂମି ଉପରେ ଗଠିତ । ବାଡ ପଞ୍ଚାଙ୍ଗ ଶୈଳୀରେ ଶୋଭିତ ଏବଂ ଏଠାରେ ଏହା ସମ୍ପୂର୍ଣ୍ଣ ଭାବରେ ସମସ୍ତ ପାର୍ଶ୍ଵରୁ ସୁନ୍ଦର ଭାବରେ ସଜ୍ଜିତ ଓ ସ୍ତୂପୀକୃତ ।
ବାଡର କେନ୍ଦ୍ରପଟ୍ଟକୁ ଏକ ତିନି ଥାକିଆ ଗବାକ୍ଷର ଆସ୍ତରଣ ପ୍ରତ୍ୟକ୍ଷ କରିଲା ବେଳେ ଗବାକ୍ଷ ମଣ୍ଡନ ଶୂନ୍ୟାୟିତ ଦର୍ଶନରେ ଜୀର୍ଣ୍ଣ । ଜଗମୋହନର ଶିଖରଭାଗ ବା ଗଣ୍ଡି ଏକ ତ୍ରିକୋଣଭୂମି ଉପରେ ଦୁଇ ପୋଟଳ (ତଳକୁ ଚାରି ପୀଢା ବିଶିଷ୍ଟ ଓ ଉପରକୁ ତିନି ପୀଢା ବିଶିଷ୍ଟ ଯଥାକ୍ରମେ) ଥିବାବେଳେ ପ୍ରତିଟି ପୀଢା ଏହାର ସମସ୍ତ ପାର୍ଶ୍ଵରେ ଟାଙ୍କୁ ଚିତ୍ରିତ । କଣ୍ଠୀ ପଟ ବା ଦୁଇ ପୋଟଳର ଭାଗରେ ଏକ ମସ୍ତକର ଅଭିସନ୍ଧି ହୁଏ । ସିଂହମାନଙ୍କ ସେ କ୍ଷୁଦ୍ର ଦେଉଳ ପ୍ରାଙ୍ଗଣରେ ଚିତ୍ରଣରୁ ଏହାର ଠାଣି ଦିଗନ୍ତର ଉନ୍ମେଷରେ ପ୍ରଶାନ୍ତି ଶିଞ୍ଜିତ । ଯେପରି ମନେ ପଡିଯାଏ ଉତ୍କଳଘଣ୍ଟ ଯଦୁମଣି ଓ ବକ୍ରବାକ୍ ଚକ୍ରପାଣିଙ୍କ ତର୍କଣାରୁ ଉତ୍ସୃଷ୍ଟ ଏତାଦୃଶ ମୂର୍ତ୍ତିକଳ୍ପନା ମଧ୍ୟରେ ସାଦୃଶ୍ୟ ଅବହିତ ପଦ୍ୟାବଳୀ:
‘ପ୍ରମତ୍ତ କେଶରୀ ଗଜ କପୋଳକୁ
ନିରେଖଇ କଦାଚିତେ
ମହିଷାରି ରଥ ଗଣନାଥ ମାଥ
କଇଳାସ ପରବତେ ।’
ସିଂହ ସର୍ବାଦୌ ସାକ୍ଷାତ୍ କ୍ରମେ ଗଜର କପୋଳ ଭାଗକୁ ନିରିଖେଇ ଅବଲୋକନ କରିଥାଏ, ମାତ୍ର ଆକ୍ରମଣ ଲାଗି ଉଦ୍ୟତ ହେବାର ଦୃଷ୍ଟାନ୍ତ ନାହିଁ । ସେହି ଛବିର ମନୋଜ୍ଞ ଭାବ ଦିଶେ କୈଳାସ ପର୍ବତରେ ଯେଉଁଠି ଗଜମୁଣ୍ଡ ଧାରଣ କରିଥିବା ଗଣନାୟକଙ୍କୁ ଚାହିଁଥାଏ ମା’ ପାର୍ବତୀଙ୍କ ବାହନ, ସିଂହ । ଏହି ପ୍ରମତ୍ତ କେଶରୀର ଛବି ମଧ୍ୟରେ ଗାତ୍ରମଞ୍ଜୁଳ ପ୍ରତିଚ୍ଛବି ଗଙ୍ଗବଂଶ ପ୍ରତୀକିତ କୀର୍ତ୍ତିଜିହ୍ଵ ସାମରିକ ପରାକାଷ୍ଠା ଓ ସାମ୍ରାଜ୍ୟାଧିକାରୀଙ୍କ ପ୍ରତାପକୁ ନିରୀକ୍ଷଣ କରୁଛି ବର୍ତ୍ତମାନର ଆତ୍ମପ୍ରସାଦରେ ।
ସେହିପରି ଭାବେ ଜଗମୋହନର ବେକୀ, ଘଣ୍ଟଭାଗ ଉପରକୁ ରହିଛି ଅମାଳକଶିଳା, ଖପୁରୀ ଓ ଚକ୍ରାୟୁଧ ଯହିଁ କଳସର ଅବସ୍ଥିତି ଅଜ୍ଞାତସାରରେ । ଇତ୍ୟବସରରେ ସର୍ବ ପ୍ରାଚୀନ ଦେବାୟତନ ମାନଙ୍କର ପ୍ରାଚୀର ପରିପାର୍ଶ୍ଵ ଇତିହାସାଭିଜ୍ଞ ବ୍ୟକ୍ତିତ୍ଵମାନଙ୍କର ଆବେଗାପନ୍ନ ଜିଜ୍ଞାସାର ସୂତ୍ରରେ ଉପନୀତ ହୋଇଥାଏ । ଏଠିକାର ଜଗମୋହନର ଭିତର ପ୍ରାଚୀର ସମ୍ପୂର୍ଣ୍ଣ ଶୂନ୍ୟାୟିତ; ହେଲେ ହେଁ, ଜଗମୋହନର ଆଗମପଟକୁ ବାମ କଡକୁ ଓଡ଼ିଆ ବର୍ଣ୍ଣନାର କେତେକ ଶିଳାଲେଖ ଦୃଷ୍ଟିଗୋଚର ହୁଏ । ଏହାର କାଳକ୍ରମେ ବିକୃତି ଘଟିବାରୁ ବର୍ତ୍ତମାନର ଅଧ୍ୟୟନ ବହିର୍ଭୂତ ।
ପିଙ୍ଗଳାକ୍ଷୀ ମନ୍ଦିର ଜଗମୋହନ ସମ୍ପୂର୍ଣ୍ଣ ଭାବରେ ନିରଳଙ୍କୃତ ଓ କଳାତ୍ମକତାବିହୀନ । ଯେଉଁ ନାରୀପ୍ରତିମା ଦ୍ଵିବିଧ ଆପଣା ଛାଏଁ ଦଣ୍ଡାୟମାନ, ସେମାନେ ଦୃଷ୍ଟିପଟ୍ଟକୁ ନିତାନ୍ତ ଗୌଣ ଅବସ୍ଥିତି ଧାରଣ କରିଅଛନ୍ତି । ତେବେ ଏହି ଜଗମୋହନ ପରବର୍ତ୍ତୀ ମଣ୍ଡପ ପରେ ସ୍ଥିତ ମଝିରେ ଏକ ଗଜସିଂହ ପ୍ରତୀକିତ ମୂର୍ତ୍ତି । ଲୋକଶ୍ରୁତି ଅନୁସାରେ ରାତ୍ରିକାଳୀନ ବିହାରରେ ଦେବୀ ପିଙ୍ଗଳାକ୍ଷୀଙ୍କ ବାହନ ସ୍ଵରୂପ ଏହା ବିଜେ ହୋଇଥାଏ । ଦେବୀ ଫିଙ୍ଗଳାଙ୍କ ସହ ବାଡର ତିନିପାର୍ଶ୍ଵର ମଧ୍ଯବର୍ତ୍ତୀ ସ୍ଥାନରେ ଅଛନ୍ତି ଗଣେଶ, କାର୍ତ୍ତିକେୟ ଓ ପାର୍ବତୀ ।
ପିଙ୍ଗଳାକ୍ଷୀ ମନ୍ଦିର ଦକ୍ଷିଣକୁ ଗଣେଶ ରମ୍ୟ ତୋରଣରେ ବିଚରଣରତ ରହି ଚତୁର୍ଭୁଜ ଭାବରେ ଭଗ୍ନ ଦନ୍ତ, ମାଳି, କୁଠାର ଏବଂ ଲଡୁଭର୍ତ୍ତି ଏକ ମାଠିଆ ଧାରଣ କରିଥିବାର ବର୍ଣ୍ଣିତ । ତାଙ୍କ ମୂଷିକ ବାହନ ବିଗ୍ରହଙ୍କ ଦକ୍ଷିଣ ପାର୍ଶ୍ଵକୁ ଚିତ୍ରିତ ହେଇ ଲତାୟିତ ଦୃଶ୍ୟରେ ଶୋଭିତ । ଚତୁର୍ଭୁଜ କାର୍ତ୍ତିକେୟ ଦ୍ଵିଗୁଣିତ ପଦ୍ମରାଗ ଉପରେ ତ୍ରିଶୂଳ, ଯଷ୍ଟି ଓ କୁକ୍କୁଟକୁ ତିନିହସ୍ତରେ ଧାରଣ କରିବା ସହ ଅପରଶେଷ ହାତରେ ମୟୂରକୁ ଖାଦ୍ୟ ଦେଉଅଛନ୍ତି। ସେପରି ପାର୍ବତୀ ଚାରିହାତ ହୋଇ ତୋରଣ ଉପରେ ତିଷ୍ଠିରହି ସିଂହବାହିନୀ । ନିଜ ଉପର ଦୁଇ ହାତରେ ଧରନ୍ତି ସର୍ପ ଓ ଧ୍ଵଜା ହେଲେ ତଳ ହାତଦ୍ଵୟ ସମ୍ପୂର୍ଣ୍ଣ ଶୂନ୍ୟ ।
ତହିଁ ଉତ୍ତାରୁ ଯୁଗ୍ମ ନାରାୟଣ ମୂର୍ତ୍ତି ଗଠନ ଦେଶରୁ ଶତଦଳ ଉପରେ ତିଷ୍ଠି ରହି ଶ୍ରୀଦେବୀଭୂଦେବୀଙ୍କ ସହିତ ଦୁଇପାର୍ଶ୍ଵରେ ଚିତ୍ରିତ ଥିବାର ପରିଲକ୍ଷିତ । କୀର୍ତ୍ତିମୁଖ ସାଜ ପ୍ରଭୁଙ୍କ ପୃଷ୍ଠପଟ୍ଟ ସଜ୍ଜୀକୃତ ରହିଅଛି । ଏଠାରେ ଲକ୍ଷ୍ୟଣୀୟ ହେଉଛି ଗଣେଶଙ୍କର ସର୍ପୋପବୀତ, ଜଟାମୁଖ ଏବଂ ସୁରମ୍ୟ ଅଳଙ୍କରଣ ଯାହା ତାତ୍କାଳିକ କଳାସ୍ଥାପତ୍ୟର କଳାକୁଶଳତା ସହିତ ଦେବଦେବୀଙ୍କ ମୂର୍ତ୍ତିକଳାର ଅବିମିଶ୍ର ଦୃଷ୍ଟାନ୍ତ ପ୍ରଦାନ କରେ । ପରିଶେଷରେ ଦର୍ଶନ ଦେଉଥିବା ବାରାହୀ ମୂର୍ତ୍ତି ଯିଏ ଗୋଟିଏ ହାତରେ ରକ୍ତସ୍ନାନ ପାନପାତ୍ର ଧାରଣ କରିଅଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ନିମାପଡା ଗ୍ରାମରେ ପ୍ରାଚୀନ ସଭ୍ୟତାର ଶତାଧିକ ସଂଖ୍ୟାରେ ଧ୍ଵଂସାବଶେଷ ଚିହ୍ନଟ କରାଯାଇଥିଲା । ୨୦୧୮ ମସିହାରେ ନିମାପଡାର ଗଡ ଇଟା ପୋଖରୀଠାରେ ପ୍ରତ୍ନତତ୍ତ୍ଵବିତ୍ ମାନଙ୍କ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ବଳରେ ପ୍ରାଚୀ ଓ କୁଶଭଦ୍ରା ମଧ୍ୟରେ ବିଲୀନ ସଭ୍ୟତାର ୨୦୦୦ ବର୍ଷ ତଳର ପାତ୍ର, ଚଳଣିଗତ ପାରମ୍ପରିକ ଆସବାବପତ୍ର ଯଥା, ଖପରା, ଆଭୂଷଣ, ମାଳି, ଇଟା, ରାଜଶିଳ, ରାଜକୀୟ ମୋହର ଓ କେତେକ ଭଗ୍ନମୂର୍ତ୍ତି ଇତ୍ୟାଦି ଠାବ କରାଯାଇଛି । ଏମାନଙ୍କରୁ ଆବିଷ୍କୃତ ବୌଦ୍ଧ ଓ ଜୈନ ମୂର୍ତ୍ତି ସହ ଉକ୍ତ ଗ୍ରାମର ଦେବୀ ଜାଗୁଳାଇଙ୍କ ମନ୍ଦିର ମଧ୍ୟ ହୁଏ ଆବିଷ୍କୃତ ।
ଆମ୍ଭର ଆଲୋଚ୍ୟ ପିଙ୍ଗଳାକ୍ଷୀ ମନ୍ଦିର ମଧ୍ୟ ବୌଦ୍ଧ ଅନୁପ୍ରାଣିତ, ତାହା ଶବାସନ ଓ ଅନ୍ୟାନ୍ୟ ଚାମୁଣ୍ଡାଙ୍କ ପରି ଅସ୍ଥି କଙ୍କାଳସାର ଶରୀର ଘେନି ଚାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରୁ ସ୍ପଷ୍ଟ ହୁଏ । ଅନୁରୂପେ, ନିମାପଡାରୁ କିୟତ୍ ପଥଶ୍ରମ ପରେ ଚଉରାଶି ଠାରେ ପୂଜିତା ମା’ ଜାଗୁଳେଇଙ୍କ ଉପାସନା, ନିମାପଡାର ପୂର୍ବ ଦିଗକୁ ବିଷ୍ଣୁପୁର ଗ୍ରାମରେ ସ୍ଥିତ ଚତୁର୍ଦ୍ଦଶ ବା ପଞ୍ଚଦଶ ଶତାବ୍ଦୀରେ ଭିଆଣ ହୋଇଥିବା ସୋମନାଥ ଶିବ ମନ୍ଦିରର ଭଗ୍ନାବଶେଷ ଏହି ସ୍ଥାନର ଐତିହାସିକତା ପରିପ୍ରକାଶରେ ପ୍ରଚ୍ଛନ୍ନ ପ୍ରତିବେଦନ ଅଟନ୍ତି । ପ୍ରସିଦ୍ଧ ବ୍ରହ୍ମବାଦୀ ସନ୍ଥକବି ଓ ଭଜନକାର ଆର୍ତ୍ତଦାସଙ୍କ ଜନ୍ମ ନିମାପଡାର ଗଡ ଗୁଆତିରା ଗ୍ରାମରେ ହୋଇଥିଲା ।
ଇତିହାସ ମତେ କଣ୍ବବଂଶକାଳୀନ ଅନ୍ଧକମାନଙ୍କ ସାତଗୋଟି ବସତିମାନଙ୍କ ମଧ୍ୟରେ ଅନ୍ୟତମ ବସତି ଡେଣୁଅଁ ଗ୍ରାମ ଓ ଧନୁଆ ନଦୀ କୂଳବର୍ତ୍ତୀ ଥିବାର ବିଦିତ । ମାତ୍ର ଏହି ନଦୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ପ୍ରବଣତା ପ୍ରକାଶ ପାଇବା ପରେ ଉକ୍ତ ସ୍ଥାନରେ ବଂଶ ବିଲୟ ଭଜିଲା । ନିମାପଡାର କେତେକ ଗ୍ରାମର ନାମ ଯଥା ଏକାମକୋଣ, ଓଳିକଣ, ପୋରାକଣ, କୁଶିକଣ ଆଦି ଏକ ଗ୍ରାମପୁଞ୍ଜ ଗଢି ତହିଁରେ କୋଣ ନାମକୁ ବୋଧିସତ୍ତ୍ଵଙ୍କ ସହିତ ଯୋଡାଯାଏ ।
କାରଣ ଏହି ଗ୍ରାମପୁଞ୍ଜଙ୍କ ସମୟରେ ନାଗାର୍ଜୁନଙ୍କ ଶିଷ୍ୟ ବୋଧିସତ୍ତ୍ବଙ୍କ ‘କଣା’ଦେବ ନାମ ପରିଚୟରୁ ଏହାର ବୌଦ୍ଧ ସମ୍ପର୍କ ପୁନରାୟ ସ୍ପଷ୍ଟ ହୁଏ । ଏତାଦୃଶ ନାମକରଣ ସହିତ ଆମ ଦୃଷ୍ଟିଗତ ନ ହୋଇଥିବା ବିଶେଷତ୍ଵ ସମ୍ଵଳିତ ଐତିହାସିକ ତଥ୍ୟ ମଧ୍ୟରୁ ଏହା ଉଦ୍ଧାର କରାଯାଏ ଯେ ନିମାପଡାର ନାହାକିରି ଦେଇ ସାତ ଭଉଣୀ ବିଗ୍ରହଙ୍କ ପରିକଳ୍ପନାରେ ସାତବାହାନ ଓ ଗ୍ରାମର ନାମ ସହିତ ପ୍ରତିବେଶୀ ରାଜ୍ୟ ନାହାପଣା ନାମର ସାମଞ୍ଜସ୍ୟ ଦେଖିଲା ସମୟରେ ସାତବାହାନଙ୍କ ପ୍ରତ୍ୟକ୍ଷ ପ୍ରଭାବ କଳନା କରାଯାଏ ।
ଆଗକାଳରେ ରାଜ୍ୟମାନଙ୍କ ପ୍ରମୁଖ ଆୟର ଉତ୍ସ ଭୂରାଜସ୍ଵରୁ ଆସୁଥିବାର ଦୃଷ୍ଟାନ୍ତ ରହିଥିଲା ଓ ହିନ୍ଦୁ ଶାସନର ନିରୁପଦ୍ରୁତ ପ୍ରତିଷ୍ଠା ସମୟରେ ଉପକୂଳବର୍ତ୍ତୀ ଊର୍ବର ଅଞ୍ଚଳକୁ ହିତ ଲାଗି କରାୟତ୍ତ କରାଯାଉଥିଲା ବେଳେ ପାର୍ବତ୍ୟ ବନାଞ୍ଚଳକୁ ଯୁଦ୍ଧ ବିଗ୍ରହ ଉଦ୍ଦେଶ୍ୟରେ ସାମନ୍ତବାଦୀ ଅଭିସନ୍ଧିର ଅନ୍ତର୍ଭୁକ୍ତ କରାଯାଇ ଥିଲା । ମାତ୍ର ଏହି ଉଭୟ ଅଞ୍ଚଳ ଯଥାକ୍ରମେ ମୋଗଲ ଶାସନ ପ୍ରତିଷ୍ଠା ୧୫୮୧ ରୁ ହେଲା ପରେ ଯଥାକ୍ରମେ ‘ମୋଗଲବନ୍ଦୀ’ ତଥା ‘ଗଡଜାତ’ ନାମରେ ଲବ୍ଧପ୍ରତିଷ୍ଠ ହୋଇ ସ୍ଵତ୍ଵହୀନ ଭୂରାଜସ୍ଵର ଆଦାୟ ରହିଲା ।
ପ୍ରଗଣା ଓ ଉକ୍ତ ପ୍ରଗଣାକୁ ‘ତାଲୁକ’ମାନଙ୍କ ଅଂଶରେ ବିଭାଜନ ଅନ୍ତେ ରାଜାମାନଙ୍କ ଦୁର୍ବଳତା ଦେଖି ଏହି ସବୁ ଅଧିକାରୀମାନଙ୍କର ସ୍ଵତ୍ଵ ଓ ପ୍ରତିପତ୍ତି ବୃଦ୍ଧି ପାଇଲା । କିନ୍ତୁ ଯାହା ମରହଟ୍ଟା ସମୟରେ ପରିଲକ୍ଷିତ ହୁଏ, ତାହା ହେଉଛି ତାଲୁକଦାର ମାନେ ମରହଟ୍ଟା ନିଯୁକ୍ତ ଗୁମାସ୍ତାମାନଙ୍କୁ ଯଥାସମୟରେ ଖଜଣା ପ୍ରଦାନ ନ କରୁଥିବାରୁ ନିଷ୍ଠୁରତା ଅବଲମ୍ଵନ କରି ସ୍ଵତ୍ଵ ଅକ୍ତିଆର କରିନେଉଥିଲେ।
୧୭୭୫ ମସିହାରେ ଏହିପରି ଏକ ଦୃଷ୍ଟାନ୍ତସ୍ଵରୂପ ପିପିଲିରେ ନିଯୁକ୍ତ ଗୁମାସ୍ତା ତ୍ରିଲୋଚନ ପଟ୍ଟନାୟକ କୋଠଦେଶ ଓ ଅନ୍ତରୋଧ ପ୍ରଗଣାକୁ ଏକାଠି କରିନେଇ କୋଠଦେଶ ଅଞ୍ଚଳର ନାଁ ଦେଲେ। ଏହି ଦୁଇଟି ପ୍ରଗଣାରେ ବର୍ତ୍ତମାନ ସମୟର ନିମାପଡା, ଗୋପ ଓ କାକଟପୁର ତଥା ତାହାର ପାର୍ଶ୍ଵବର୍ତ୍ତୀ ବ୍ୟାପ୍ତ ଅଞ୍ଚଳର ୧୭୨ ବର୍ଗ ମାଇଲ୍ ବିଶିଷ୍ଟ ପରିସୀମା ଅନ୍ତର୍ଗତ ହୋଇଯାଏ । ଏହି ତ୍ରିଲୋଚନ ପଟ୍ଟନାୟକଙ୍କ କନ୍ୟା ସମ୍ଵଲପୁରର ଜନୈକ ଭଗବାନ ରୟତସିଂହଙ୍କ ସହ ବିବାହ କରେଇଲା ଉତ୍ତାରୁ ଭଗବାନ ଆସିକି ରୁହନ୍ତି ନିମାପଡା ସନ୍ନିକଟବର୍ତ୍ତୀ ବିଜିପୁର ଗ୍ରାମରେ ।
ଏହିପରି ଭାବରେ ସେଠାରେ ସେ ଗଡ ତିଆରି କରି ଉତ୍ତରାଧିକାରୀ ସୂତ୍ରରେ ଜମି ଭୋଗ କରିଲେ । ହେଲେ ପରବର୍ତ୍ତୀ ସମୟରେ ଏମାନଙ୍କ ଉତ୍ତରାଧିକାରୀଙ୍କ ଦୁର୍ବଳତାରୁ ଆର୍ଥିକ ଦୁଃସ୍ଥିତି ଘେନି ଏହିମାନଙ୍କ ଅବକ୍ଷୟ ଘଟେ । ସେତେବେଳେ ଯାବନିକ ଉପଦ୍ରବରୁ ନିମାପଡାର ଅନେକ ମନ୍ଦିର ଧ୍ଵଂସ୍ତ ଓ ମୃତ୍ତିକାସାତ୍ ହୋଇଯାଇଥିଲା ଓ ମସଜିଦ୍ ମାନେ ତହିଁ ଉପରେ ଠିଆ ହେଲା । ତହିଁ ମଧ୍ୟରେ ଏହି ପିଙ୍ଗଳାକ୍ଷୀ ମନ୍ଦିର ଓ ନୀଳକଣ୍ଠେଶ୍ଵର ମହାଦେବଙ୍କ ଅକ୍ଷୟ କୀର୍ତ୍ତି ଇତିହାସର ପ୍ରସାରକୁ ପ୍ରବିଷ୍ଟ କରାଇଛି ।
ହେଲେ ଇତିହାସର ପୃଷ୍ଠପଟ୍ଟରେ ଏହାର ମହନୀୟ ପ୍ରାଚୀନତା ତଥା ବିଲୟପ୍ରାପ୍ତିରୁ ଯେଉଁ ବିଶିଷ୍ଟ ଇତିହାସ ଆଜି ଐତିହ୍ୟାନ୍ଵେଷୀଙ୍କ ଦୃଷ୍ଟିରେ ଉନ୍ମୁଖ ହୋଇଛି, ଆଗାମୀ ଦିନରେ ନିଶ୍ଚିତ ଉନ୍ମୋଚନ ଆଶାରେ ସମସ୍ତେ ଅଛନ୍ତି । ପ୍ରତ୍ନଲେଖର ଗୁଣ ଦର୍ପଣରେ ପ୍ରତିଭାତ ହେଉଥିବା ସୂକ୍ଷ୍ମ ବିବେଚନାର ଅନ୍ତରାଳରେ ସର୍ବପ୍ରଯତ୍ନ ସଭ୍ୟତାର ବିକାଶ, ଆମ୍ଭ ମାଟିର ଅନଳ୍ପପ୍ରସର ମୂଳ ପତ୍ତନରେ ସର୍ବାଦୌ ଦ୍ୟୋତନାର ଆଶାରେ ମୌଳିକ । ଅତଏବ ଉତ୍କଳୀୟ ସଭ୍ୟତାର ମହାଭାରତୀୟ ଅନୁଭବ ଓ ସଙ୍ଗତି ମାନ୍ୟ ତଥା ଏକାନ୍ତ ଅନୁସନ୍ଧିତ୍ସା ଅନୁକୂଳ ।
© ଅମୃତେଶ ଖଟୁଆ 
ସୌଜନ୍ୟ: ଶ୍ରୀଯୁକ୍ତ Piyushkumar Sahoo, ନିମାପଡା  

Leave a Comment

Your email address will not be published. Required fields are marked *

Scroll to Top