ପଦ୍ମାଵତୀ ରାଣୀ

ଲେଖା: ଶିଶିର ସାହୁ ମନୋଜ
କଂସର ଘରଣୀ ପଦ୍ମାଵତୀ ରାଣୀ . . ! 
ଏହି ପଦ୍ମାଵତୀ ରାଣୀ କିଏ . . ?
ପାଟଣାଗଡ଼ ନିଵାସୀ ଲେଖକ ‘କୋକିଳ ମେହେର’ ତାଙ୍କ ‘କୁଆଁରୀପାଟଣା’ ପୁସ୍ତକରେ ❛ପଦ୍ମାଵତୀ ରାଣୀ❜ଙ୍କ କାହାଣୀ ଲେଖିଛନ୍ତି । ତାଙ୍କ ଅନୁସାରେ ୫୬ ଖ୍ରୀଷ୍ଟପୂର୍ଵରେ ❛ଶତ୍ରୁଘାତି❜ ବୋଲି ଜଣେ ରାଜା ପାଟଣାଗଡ଼ର ❛ସୁଵର୍ଣ୍ଣରେଖା ନଦୀ❜(ଏହା ଉତ୍ତର ଓଡ଼ିଶାର ସୁବର୍ଣ୍ଣରେଖା ନଦୀ ନୁହେଁ) ତଥା ସେହି ବ୍ଳକ ଅନ୍ତର୍ଗତ ❛ବଂଞ୍ଜାରି❜ ନିକଟସ୍ଥ ❛ମାୟାଵତୀ❜ ନଦୀ ଉପରେ ୫୨ଖଣ୍ଡ ଗାଆଁକୁ ନେଇ ❛ବାବନୀ ରାଜ୍ୟ❜ ଗଠନ କରିଥିଲେ କିନ୍ତୁ ସେ ରାଜା ଅପୁତ୍ରିକ ଥିଵାରୁ ପରେ ଉକ୍ତ ରାଜ୍ୟରେ ଵିଵାଦ ଉପୁଜିଲା ।
ଜାତିରେ କଣ୍ଡରା ❛ମଧୁ ମାହାର ଓ ତାଙ୍କ ସ୍ତ୍ରୀ ପଦ୍ମାଵତୀ ମାହାର❜ ସେ ସମୟରେ ବାବନୀ ରାଜ୍ୟରେ ତନ୍ତ୍ରଵିଦ୍ୟାରେ କୁଶଳ ଥିଲେ । ମଧୁ ମାହାର ଯୋଜନା କରି ତନ୍ତ୍ର ବଳରେ ସେ ରାଜ୍ୟର ପାତ୍ର ମନ୍ତ୍ରୀ ଓ ଧନୀକ ଲୋକଙ୍କୁ ବଶୀଭୂତ କରି ରାଜା ହେଲେ ତଥା ମାହାର ବଂଶ ସ୍ଥାପନା କଲେ । ଏହି ମଧୁ ମାହାରଙ୍କ ସ୍ତ୍ରୀଙ୍କ ନାମ ପଦ୍ମାଵତୀ ଥିଲା ବୋଲି କୋକିଳ ମେହେର ଉଲ୍ଲେଖ କରିଛନ୍ତି ।
ପୁସ୍ତକରେ ଉଲ୍ଲେଖିତ କଥା ଅନୁସାରେ ବାବନୀ ରାଜ୍ୟର ରାଜା ହେଵାପରେ ଥରେ ରାଜା ମଧୁ ମାହାରଙ୍କୁ ମାରି ଦେଵାକୁ କିଛି ମନ୍ତ୍ରୀ ଚେଷ୍ଟା କରି ଵିଫଳ ହେଲେ । ତାନ୍ତ୍ରିକ ରାଜା ସେମାନଙ୍କୁ ସେମାନଙ୍କ ପରିଵାରଜନଙ୍କ ଅନୁନୟ ଵିନୟ ଯୋଗୁଁ ଛାଡି଼ଦେଲେ ‌‌ ।
କିଛି ଵର୍ଷପରେ କେତେକ ମନ୍ତ୍ରୀଙ୍କ ମନ୍ତ୍ରଣାରେ ରାଜା ମଧୁ ମାହାର ଲୋକଙ୍କ ଉପରେ କର ବସାଇଲେ ଫଳତଃ ରାଣୀ ପଦ୍ମାଵତୀଙ୍କ ଅଲୌକିକ ଶକ୍ତି ହ୍ରାସ ହେଲା ଉଦାହରଣ ସ୍ୱରୂପ ପୂର୍ଵେ ସେ ପଦ୍ମ ପତ୍ର ଉପରେ ଚାଲି ପାରୁଥିଲେ କିନ୍ତୁ ରାଜାଙ୍କଦ୍ଵାରା ଜନତାଙ୍କ ଶୋଷଣ ହେଵାପରଠାରୁ ତାଙ୍କର ସେ ଶକ୍ତି ହ୍ରାସ ପାଇଥିଲା । ରାଣୀ ପଦ୍ମାଵତୀ ଏହା ଜାଣିପାରି ରାଜା ମଧୁ ମାହାରଙ୍କୁ ଆଉ କର ଲଗେଇଵାକୁ ବାରଣ କଲେ ଏଵଂ ଜନତାଙ୍କଠାରୁ ତଣ୍ଟିଚିପି ଆଣିଥିଵା ଅର୍ଥ ଫେରାଇ ଦେଲେ ।
କୁଆଁରୀପାଟଣା ପୁସ୍ତକରେ କୋକିଳ ମେହେର ସମ୍ଭଵତଃ ଇତିହାସ ଓ କିମ୍ବଦନ୍ତୀ କିଂଵା ଲୋକଗପର ସମିଶ୍ରଣରେ ପଦ୍ମାଵତୀ ରାଣୀ କାହାଣୀ ଲେଖି ଥାଇପାରନ୍ତି କିନ୍ତୁ ଏହି ❛ରାଣୀ ପଦ୍ମାଵତୀ❜ଙ୍କ ସହ ❛ପଦ୍ମତୋଳା❜ର କ’ଣ ସମ୍ପର୍କ ତାହା ସେ ସ୍ପଷ୍ଟ କରିପାରିନାହାନ୍ତି ।
କେଳାମାନେ ❛❛ପଦ୍ମତୋଳା ଗୀତ❜❜ରେ ପଦ୍ମାଵତୀ ରାଣୀଙ୍କ ନାମ ନିଅନ୍ତି କିନ୍ତୁ କେଳାଗୀତର ପଦ୍ମାଵତୀ ରାଣୀ ଓ କିମ୍ବଦନ୍ତୀର ତନ୍ତ୍ରସାଧିକା ପଦ୍ମାଵତୀ ରାଣୀ ଏକ କି ଭିନ୍ନ ଭିନ୍ନ ସେ ସମ୍ବନ୍ଧରେ ଲେଖକ କୌଣସି ଆଲୋଚନା କରିନାହାନ୍ତି ।
ତେବେ କେଳାମାନେ ସାପ ଧରିଵା କିଂଵା ସାପ ଖେଳାଇଵା ନିମନ୍ତେ ପଦ୍ମତୋଳା ଗୀତ ଗାଆନ୍ତି । କେଳାମାନଙ୍କର ଵିଶ୍ଵାସ ଯେ ଶ୍ରୀକୃଷ୍ଣ ପ୍ରଥମେ ❛ପଦ୍ମତୋଳାର❜ ପଦ ମାନ ଆଵିଷ୍କାର କରିଥିଲେ ଏଵଂ ସେ ପଦ୍ମତୋଳା ବୋଲି କାଳୀୟ ହ୍ରଦ ଵା ଯମୁନାରୁ ପଦ୍ମ ତୋଳିଥିଲେ ଏବଂ କାଳୀୟ ନାଗକୁ ଦମନ କରିଥିଲେ ।
ଏଣୁ ଏହି ଗୀତର ନାମ ପଦ୍ମତୋଳା ହୋଇଥିଵା ଅନୁମାନ କରାଯାଏ । ଶ୍ରୀକୃଷ୍ଣ ସର୍ଵପ୍ରଥମେ ପଦ୍ମତୋଳା ଗୀତ ବୋଲି କାଳୀୟ ସର୍ପକୁ ଆୟତ୍ତ କରିଥିଵାରୁ ପଦ୍ମତୋଳାରେ କ୍ରମେ ଶ୍ରୀକୃଷ୍ଣଙ୍କ ଚରିତ ଵର୍ଣ୍ଣିତ ହେଵାର ପ୍ରଥା ଆରମ୍ଭ ହୋଇଅଛି ।
କେଳାମାନଙ୍କର ଗୀତରେ ପଦ୍ମାଵତୀ ରାଣୀଙ୍କ ନାମ ସହିତ ଶ୍ରୀକୃଷ୍ଣଙ୍କ ନାମ ନିଆଯାଇ ଏହିପରି ଗୀତ ବୋଲାଯାଏ . .
❛❛କଂସର ଘରଣୀ ପଦ୍ମାଵତୀ ରାଣୀ
ସେ କଲେ ଧନନ୍ତିରି ଓଷା
ଲକ୍ଷେ ଭାର ପଦ୍ମ ଦେବୁ କି କହ୍ନାଇ
ନଥିଵ ପାଖୁଡ଼ା ମିଶା
କି ଗୋଵିନ୍ଦ ହରେ ।
ନିତେଇ ଧୋବଣୀ
ସୁକୁଟୀ ଚମାରୁଣୀ
ବାଙ୍କି କେଉଟୁଣୀ
ପତ୍ର ସଉରୁଣୀ
ଚାରି ଗୁରୁସର୍ପ
ଖେଳାଉଛି ତୋତେ
କି ଗୋଵିନ୍ଦ ହରେ…
ମାତା ଗୋ ଯଶୋଵନ୍ତୀ
ଗୋପରେ ଜାତ ହେଲେ
ଶତ୍ରୁକୁ କେମନ୍ତେ ମାରିଵା
କି ଗୋଵିନ୍ଦ ହରେ…
ମଞ୍ଚାରୁ ପଡ଼ି ମାମୁଁ ମଲା
ମୋତେ ତ ଦଇଵ ରଖିଲା
ମାମୁଁର ଲାଗି ମାଇଁ
କାନ୍ଦୁଛୁ କାହିଁ ପାଇଁ
ମାମୁଁର ବଦଳି ମୁହିଁ
କି ଗୋଵିନ୍ଦ ହରେ…
କଂସରଘରଣୀ
ପଦ୍ମାବତୀ ରାଣୀ
ସେ କଲେ ଧନନ୍ତିରି ଓଷା
ଆ … ଆ …
ଲକ୍ଷେ ଭାର ପଦ୍ମ ଦେବୁ
କି କହ୍ନାଇ
ନଥିବ ପାଖୁଡ଼ା ମିଶା
କି ଗୋବିନ୍ଦ ହରେ ।❜❜
କେଳାମାନଙ୍କର ପ୍ରୋକ୍ତ ପଦ୍ମତୋଳା ଗୀତରେ କୁହାଯାଉଛି ଯେ ‘କଂସର ଘରଣୀ ପଦ୍ମାଵତୀ ରାଣୀ’ କିନ୍ତୁ କଂସର ସ୍ତ୍ରୀଙ୍କ ନାମ ପଦ୍ମାଵତୀ ରାଣୀ କି ?
ସଂସ୍କୃତ ମହାଭାରତ ଅନୁସାରେ ମଗଧ ନରେଶ ଜରାସନ୍ଧର ଦୁଇଜଣ କନ୍ୟା ❛ପ୍ରାପ୍ତି❜ ଓ ❛ଅସ୍ତି❜ ସହିତ ❛କଂସ❜ର ଵିଵାହ ହୋଇଥିଲା । କଂସ ଵଧପରେ କଂସର ସ୍ତ୍ରୀମାନେ ପିତୃଗୃହକୁ ଯାଇ ତାଙ୍କ ପିତା ❛ଜରାସନ୍ଧ❜ ଆଗରେ ମଥୁରାରେ ଘଟିତ ପୂର୍ଵ ଘଟଣା ପ୍ରକାଶ କରିଥିଲେ ।
ଏଥିରୁ ସ୍ପଷ୍ଟ ହୁଏ ଯେ କଂସର ସ୍ତ୍ରୀ ନାଆଁ ପଦ୍ମାଵତୀ ନୁହେଁ ଏଵଂ କଂସର ଗୋଟିଏ ନୁହେଁ ଵରଂ ଦୁଇପତ୍ନୀ ଥିଲେ । ତେବେ ବରଗଡ଼ ଧନୁଯାତ୍ରା ସମୟରେ ଜନୈକା ରାଣୀଙ୍କର ନାମ ପଦ୍ମାଵତୀ ହୋଇଥାଏ । ଏହି ମୁକ୍ତ ରଙ୍ଗମଞ୍ଚରେ ପ୍ରତିଵର୍ଷ ମହାରାଣୀ ପଦ୍ମାବତୀଙ୍କୁ ଧନ୍ୱନ୍ତରୀ ଓଷା କରିଵାକୁ ଦେଵର୍ଷି ନାରଦ ଉପଦେଶ ଦେଉଥିଵା ଅଭିନୀତ ହୋଇଥାଏ । ପ୍ରକୃତରେ ମଥୁରାର ରାଜା ଉଗ୍ରସେନଙ୍କ ରାଣୀ ତଥା କଂସର ଜନନୀଙ୍କ ନାମ ପଦ୍ମାଵତୀ ଥିଲା । କେଳାମାନଙ୍କ ଦ୍ଵାରା ଗାୟନ କରାଯାଉଥିଵା ପ୍ରୋକ୍ତ ❛କଂସର ଘରଣୀ ପଦ୍ମାଵତୀ ରାଣୀ କଲେ ଧନନ୍ତରୀ ଓଷା❜ ପଦର ଅର୍ଥ ତେଣୁ ହେଵ ❛କଂସର ଘରଣୀ ପ୍ରାପ୍ତୀ ଓ ଅସ୍ତି ତଥା କଂସର ମାତା ମହାରାଣୀ ପଦ୍ମାଵତୀ ଧନ୍ଵନ୍ତରୀ ଓଷା❜ କଲେ । କିନ୍ତୁ ❛❛କଂସର ଘରଣୀ ପଦ୍ମାଵତୀ ରାଣୀ❜❜ ପଦରେ ଜାଣିଶୁଣି ❛ପଦ୍ମାଵତୀ❜ ନାମର ପ୍ରୟୋଗ କରାଯାଏ ।
କେତେକ ଗଵେଷକ କୁହନ୍ତି କେଳାମାନେ ମନୁଷ୍ୟମାନଙ୍କୁ ସର୍ପମାନଙ୍କଠାରୁ ରକ୍ଷାକରୁଥିଵା ❛ପଦ୍ମାଵତୀ ଦେଵୀ❜ଙ୍କୁ ସ୍ମରଣ କରିଵା ହେତୁକ ଜାଣିଶୁଣି ପଦ୍ମତୋଳା ଗୀତରେ ତାଙ୍କ ନାମ ନେଇଥାନ୍ତି ।
❛ମନସା ଦେଵୀ❜ଙ୍କର ଅନ୍ୟନାମ ହେଉଛି ପଦ୍ମାଵତୀ । ପୁରାଣରେ କୁହାଯାଇଛି ଯେ ଏହି ପଦ୍ମାଵତୀ ଵା ମନସା ଦେଵୀ କଶ୍ଯପଙ୍କ ଔରସରେ କଦ୍ରୁଙ୍କ ଗର୍ଭରେ ଜାତ କନ୍ୟା ଅଟନ୍ତି । ଏହି ମନସା ଵା ପଦ୍ମାଵତୀ ଦେଵୀ ହେଉଛନ୍ତି ଅନନ୍ତ, ବାସୁକି ନାଗଙ୍କ ଭଉଣୀ, ଜରତ୍କାରୁ ଋଷିଙ୍କ ପତ୍ନୀ ଓ ଆସ୍ତୀକ ମୁନିଙ୍କ ମାତା । ପୁରାଣ କହେ ମନସା ଦେଵୀଙ୍କ ଉପରେ କ୍ରୁଦ୍ଧ ହୋଇ ଜଗତ୍କାରୁ ଋଷି ତାଙ୍କୁ ଅନ୍ତଃସତ୍ବା ଅବସ୍ଥାରେ ପରିତ୍ଯାଗ କରି ଚାଲି ଗଲେ । ଆସ୍ତିକ ମୁନି ଏହି ମନସା ଵା ପଦ୍ମାଵତୀ ଦେଵୀଙ୍କ ପୁତ୍ର । ପଦ୍ମାଵତୀ ଵା ମନସା ଦେଵୀଙ୍କ ପୁତ୍ର ଆସ୍ତିକ ମୁନୀ ତକ୍ଷକ ନାଗକୁ ଜନମେଜୟଙ୍କ ସର୍ପଯଜ୍ଞରୁ ରକ୍ଷା କରି ଥିଲେ ।
ମନସା ଦେଵୀ ସର୍ପମାନଙ୍କଠାରୁ ମନୁଷ୍ଯମାନଙ୍କୁ ରକ୍ଷା କରୁଥିଵାରୁ ମାନଵ ସମାଜରେ ଦେଵୀ ରୂପେ ପୂଜିତା ହୋଇଥାନ୍ତି । ଦେଵୀ ମନସାଙ୍କ ପ୍ରିୟ ଵୃକ୍ଷ କଣ୍ଟା ସିଝୁ ହୋଇଥିଵାରୁ ସିଝୁ ଫୁଲ ଦେଵୀଙ୍କୁ ଅର୍ପଣ କରାଯାଏ । ସମ୍ଭଵତଃ ଏଥିପାଇଁ ଉତ୍ତର ଓଡ଼ିଶାରେ ❛ମନସା❜ ଶବ୍ଦଟି ❛ସିଝୁ ଗଛ❜ର ନାମ ଭାବରେ ଵ୍ୟଵହାର ହୋଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।
ମନସା ଦେଵୀଙ୍କର ପୂଜା ଶ୍ରାଵଣ କୃଷ୍ଣପଞ୍ଚମୀରେ ଅନୁଷ୍ଠିତ ହୋଇଥାଏ ଏଵଂ ଏହି କୃଷ୍ଣପଞ୍ଚମୀକୁ ମନସା ପଞ୍ଚମୀ ମଧ୍ୟ କହିଥାନ୍ତି ।
କେଉଁଠି କେଉଁଠି ଶ୍ରାବଣ ଶୁକ୍ଳପଞ୍ଚମୀ ଵା ଜାଗୁଳେଇ ପଞ୍ଚମୀ ଦିନ ନାଗ ପଞ୍ଚମୀ ଅନୁଷ୍ଠିତ ହୋଇଥାଏ । ତେବେ ଦେଵୀ ପୁରାଣମତେ ଆଷାଢ଼ କୃଷ୍ଣପଞ୍ଚମୀକୁ ନାଗ ପଞ୍ଚମୀ କୁହାଯାଇଥାଏ । ଏ ଦିନ ଅଷ୍ଟନାଗ ଵା ତ୍ରୟୋଦଶ ନାଗ ସିଝୁଗଛମୂଳେ ପୂଜା କରାଯାଏ । ଏଦିନ ଘରେ ନିମ୍ବପତ୍ର ଆଣି ରଖାଯାଏ ଓ ଖିଆଯାଏ । ଲୋକଵିଶ୍ଵାସ ରହିଛି ଯେ ଵିଧିଵିଧାନ ପୂର୍ଵକ ନାଗପଞ୍ଚମୀ ପୂଜାକଲେ ଵର୍ଷକ ପାଇଁ ସର୍ପଭୟ ରହେ ନାହିଁ ।
ପୂର୍ଵକାଳରେ ଏହି ମନସା ଵା ପଦ୍ମାଵତୀ ଦେଵୀଙ୍କର ପୂଜା ସମାଜରେ ଵିଶେଷ ଜନାଦୃତ ହୋଇଥିଲା ଫଳତଃ ଜୈନ ଧର୍ମ ଓ ତତ୍ ସମ୍ବନ୍ଧୀୟ ଗ୍ରନ୍ଥରେ ମଧ୍ୟ ଏହି ଦେଵୀଙ୍କୁ ସ୍ଥାନ ମିଳିଛି । ଜୈନଧର୍ମ ସମ୍ବନ୍ଧୀୟ ମହାପୁରାଣରେ ଜଣେ ପଦ୍ମାଵତୀଦେଵୀଙ୍କର କଥା ମିଳିଥାଏ । ସେ ତୀର୍ଥଙ୍କର ପାର୍ଶ୍ଵନାଥଙ୍କର ଶାସନଦେଵୀ ଥିଲେ । ପୂର୍ଵଭଵର ସର୍ପିଣୀ ପର୍ଯାୟ ମଧ୍ୟରେ ନିଜ ପତି ସର୍ପ ସହିତ ଇଏ ଯେଉଁ କାଷ୍ଠଖଣ୍ଡରେ ବସିଥିଲେ ସେହି କାଷ୍ଠଖଣ୍ଡକୁ ମହୀପାଳ ନାମକ ଜଣେ ରାଜା ନିଜ ତାପସ ଅଵସ୍ଥାରେ ତପସ୍ଯା ହେତୁକ କୁରାଢି଼ ଦ୍ଵାରା କାଟିଵା ଆରମ୍ଭ କରିଦେଲେ । ସେ ସମୟରେ ମହୀପାଳଙ୍କର ଦୌହିତ୍ର କୁମାର ପାର୍ଶ୍ଵନାଥ ବି ସେଠାରେ ଉପସ୍ଥିତ ଥାଆନ୍ତି । ପାର୍ଶ୍ବନାଥ ମହୀପାଳଙ୍କୁ କାଷ୍ଠ କାଟିଵାକୁ ବାରଣ କରନ୍ତେ ସେ ତାହା ନମାନି କାଷ୍ଠଖଣ୍ଡକୁ ଚିରି ତହିଁ ମଧ୍ୟରେ ଦୁଇ କ୍ଷତଵିକ୍ଷତ ସର୍ପଦମ୍ଫତ୍ତିଙ୍କୁ ପାଇଲା । ପାର୍ଶ୍ଵନାଥ ସେହି ସର୍ପଯୁଗଳଙ୍କୁ ନମସ୍କାର ମନ୍ତ୍ର ଶୁଣାଇ ଧର୍ମୋପଦେଶ ଦେଲେ ଫଳତଃ ପରଵର୍ତ୍ତୀ ପର୍ଯାୟରେ ଏହି ସର୍ପଯୁଗଳ ଭଵନଵାସୀ ଦେଵ ଓ ଦେଵୀ ହେଲେ । ସର୍ପିଣୀ ପଦ୍ମାଵତୀ ଦେଵୀ ତଥା ସର୍ପ ଧରଣେନ୍ଦ୍ର ଵିଦିତ ହେଲେ । କୁହାଯାଏ ପରେ ଯେତେବେଳେ ପାର୍ଶ୍ଵନାଥ ଥରେ ତପଶ୍ଚର୍ଯ୍ୟାରେ ଲୀନ ଥିଲେ ସେହି ସମୟରେ କମଠ-ମହୀପାଳଙ୍କ ଜୀଵ ଶମ୍ବର ଦେଵଙ୍କ ଦ୍ଵାରା ତାଙ୍କ ଉପରେ କରାଯାଇଥିଵା ଘୋର ଉପସର୍ଗର ନିଵାରଣ ଏହି ଦୁଇ ଦେଵାଦେଵୀ କରିଥିଲେ । ସେଵେଠାରୁ ଏହି ପଦ୍ମାଵତୀ ଦେଵୀ ମାତୃଦେଵୀ ରୂପରେ ଜୈନମାନଙ୍କ ଦ୍ଵାରା ପୂଜା ପାଇଵାକୁ ଲାଗିଲେ ବୋଲି ଜୈନ ମହାପୁରାଣରେ ଵର୍ଣ୍ଣିତ ହୋଇଅଛି । ସମ୍ଭଵତଃ ଜୈନଧର୍ମର ପୁରାଣ ଵର୍ଣ୍ଣିତ ଏହି ସର୍ପଦେଵୀ ଵିଶେଷ, ସର୍ପଙ୍କଠାରୁ ମାନଵଙ୍କୁ ରକ୍ଷାକରୁଥିଵା ସନାତନୀ ମନସାଦେଵୀଙ୍କ କଥାରୁ ପ୍ରେରିତ ହୋଇ ଗୃହୀତ ହୋଇଥିଲା ।
ପୁରାଣରେ ଆହୁରି ଅନେକ ପଦ୍ମାଵତୀ ନାମ୍ନୀ ଚରିତ୍ରଙ୍କର ନାମୋଲ୍ଲେଖ ଥିଵା ଦେଖାଯାଏ, ଯଥା, ଅରିଷ୍ଟପୁର ନଗରର ରାଜା ହିରଣ୍ଯଵର୍ମା ଓ ରାଣୀ ଶ୍ରୀମତିଙ୍କ ପୁତ୍ରୀ ତଥା ଶ୍ରୀକୃଷ୍ଣଙ୍କର ଅଷ୍ଟପାଟରାଣୀଙ୍କର ନାମ ପଦ୍ମାଵତୀ ଥିଲା । ସ୍ଵର୍ଗର ଏକ ଅପ୍ସରାର ନାମ ପଦ୍ମାଵତୀ ଥିଲା । ପୁରାଣୋକ୍ତ ରାଜା ଶୃଗାଳଙ୍କର ପତ୍ନୀଙ୍କର ନାମ ପଦ୍ମଵତୀ ଥିଲା । ଯୁଧିଷ୍ଠିରଙ୍କର ଏକ ପତ୍ନୀଙ୍କର ନାମ ପଦ୍ମାଵତୀ ଥିଵା ମଧ୍ୟ ଜଣାଯାଏ । ଅଷ୍ଠଦିଗ କୁମାରୀ ମଧ୍ୟରେ ଏକ ଦିକ୍ କୁମାରୀଙ୍କ ନାମ ପଦ୍ମାଵତୀ ଅଟଇ । ସେହିପରି କର୍ଣ୍ଣଙ୍କର ପତ୍ନୀଙ୍କର ଏକ ନାମ ପଦ୍ମାଵତୀ ଥିଵା ଜଣାଯାଏ । ପୁଣି ସୁଗ୍ରୀଵଙ୍କର ବାରଜଣ କନ୍ଯାଙ୍କ ମଧ୍ୟରେ ଜଣକର ନାମ ପଦ୍ମାଵତୀ ଥିଲା ।❜❜ ଏହିପରି ଆହୁରି ଅନେକ ପୌରାଣିକ ପାତ୍ରାଙ୍କର ନାମ ପଦ୍ମାଵତୀ ରହିଥିଵା ଜଣାଯାଏ ।
ତେବେ କେଳାମାନେ ସମ୍ଭଵତଃ ଶ୍ରୀକୃଷ୍ଣଙ୍କ ଚରିତ ଵର୍ଣ୍ଣନା ସମୟରେ ଜାଣିଶୁଣି କଂସର ମାତା ପଦ୍ମାଵତୀଙ୍କ ନାମୋଲ୍ଲେଖ ଆଳରେ ସର୍ପଙ୍କଠାରୁ ମାନଵମାନଙ୍କୁ ସର୍ଵଦା ରକ୍ଷାକରି ଆସୁଥିଵା ମନସା ଦେଵୀଙ୍କ ନାମ ନେଉଥିଲେ ଯେହେତୁ ତାଙ୍କର ଅନ୍ୟନାମ ପଦ୍ମାଵତୀ ଥିଲା ।
କେହି କେହି ପଶ୍ଚିମ ଓଡ଼ିଶାଵାସୀ ଗଵେଷକ କୁହନ୍ତି ଯେ କେଳାମାନେ ଯେଉଁ ପଦ୍ମାଵତୀଙ୍କ ନାମ ନେଇ ପଦ୍ମତୋଳା ଗୀତ ଗାଆନ୍ତି ସେ ବଲାଙ୍ଗୀର ଜିଲ୍ଲାର କୁଆଁରୀପାଟଣା ଵା ଆଧୁନିକ ପାଟଣାଗଡ଼ର ରାଣୀ ଥିଲେ ଏଵଂ ଏହାଙ୍କର ନାମାନୁସାରେ ପାଟଣାଗଡ଼ର ନାମ ପଦ୍ମାଵତୀପୁର ଵା ପଦ୍ମାଵତୀନଗର ହୋଇଥିଲା । କିନ୍ତୁ ପ୍ରୋକ୍ତ ଆଲୋଚନାରୁ ଆମେ ଜାଣିଲେ ଯେ କେଳାମାନେ ପଦ୍ମତୋଳାରେ ଯେଉଁ ପଦ୍ମାଵତୀ ରାଣୀଙ୍କ ନାମ ନେଇଥାନ୍ତି ସେ କଂସର ମାତା ପୁଣି ସର୍ପଙ୍କଠାରୁ ମନୁଷ୍ୟମାନଙ୍କୁ ରକ୍ଷାକରୁଥିଵା ହେତୁ ଏଵଂ ମନସା ଦେଵୀଙ୍କର ଏକ ନାମ ପଦ୍ମାଵତୀ ହୋଇଥିଵାରୁ କେଳାମାନେ ଜାଣିଶୁଣି ପଦ୍ମାଵତୀ ନାମ ବୋଲନ୍ତି ।
ପୁନଶ୍ଚ ମଗଧର ପଟାଳିପୁତ୍ର ଵା ଆଧୁନିକ ପାଟନା ନଗରକୁ ପୂର୍ଵେ ପଦ୍ମାଵତୀନଗର କୁହାଯାଉଥିଲା ।
ଓଡ଼ିଆ ଭାଗଵତର ଦ୍ଵାଦଶ ସ୍କନ୍ଧରେ ମଗଧ ଦେଶର ପାଟନା ନଗରକୁ ପଦ୍ମାଵତୀପୁର ଅଭିହିତ କରାଯାଇଛି ।
❛❛ଏ ଅନ୍ତେ ମଗଧ ଦେଶେଣ ।
ଵିଶ୍ୱସ୍ପୁର୍ଜି ନାମେ ରାଜନ ।।
ପୁରଞ୍ଜୟ ତା’ ନାମ ଆର ।
ସେ ରାଜା ଅତ୍ୟନ୍ତ ପ୍ରଵଳ ।।
×××××
ପଦ୍ମାଵତୀ ନାମ ନଗରେ ।
ରାଜା ହୋଇଵେ ତେଜଭରେ
ହସ୍ତିନା ଦ୍ୱାରକା ମଥୁରା ।
ପ୍ରୟାଗ ଯାଏ ଗଙ୍ଗାଦ୍ୱାରା ।।
ଏକାଙ୍ଗ ହୋଇଵ ନରେନ୍ଦ୍ର ।
ଅଧର୍ମେ ନାଶି ପ୍ରଜାଵୃନ୍ଦ ।।❜❜
କେଵଳ ପଟାଳିପୁତ୍ର ଵା ଆଧୁନିକ ପାଟନା ନଗରୀ ନୁହେଁ ଉଜ୍ଜୟିନୀ ଓ ପନ୍ନା ନଗରର ପ୍ରାଚୀନ ନାମ ଵିଭିନ୍ନ ପୁରାଣରେ ପଦ୍ମାଵତୀପୁର ଵା ନଗର ଥିଵା ଅନେକ ଅଭିଧାନର ଉଲ୍ଲେଖରୁ ଜଣାଯାଏ ।
ଅତଏଵ୍ ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ କେଳାମାନଙ୍କ ଦ୍ଵାରା ଗାୟନ କରାଯାଉଥିଵା ଗୀତରେ ଉଲ୍ଲେଖିତ ପଦ୍ମାଵତୀ ରାଣୀ କଂସର ମାତା ଏଵଂ କେଳାମାନେ ଚତୁରତାର ସହିତ ସର୍ପଦେଵୀ ମନସାଙ୍କର ଅନ୍ୟ ନାମ ପଦ୍ମାଵତୀ ବୋଲି ତାଙ୍କୁ ସ୍ମରଣ କରିଥାନ୍ତି ।
(ଚିତ୍ର — ମନସା ଦେଵୀ ଯାହାଙ୍କର ଅନ୍ୟନାମ ପଦ୍ମାଵତୀ ,ଜଗଦଗୌରୀ ଓ ନିତ୍ୟା ଇତ୍ୟାଦି)

1 thought on “ପଦ୍ମାଵତୀ ରାଣୀ”

Leave a Comment

Your email address will not be published. Required fields are marked *

Scroll to Top