ନିମ ଶାରଳା

ଲେଖା: ତ୍ରିଲୋଚନ ସ୍ୱାଇଁ
~ ଜିମିନି ମାଆ, ନିମ ଶାରଳା, ଚାମୁଣ୍ଡା ଏବଂ ତାରା ଦେବୀ ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
କନକପୁରର କନକେଶ୍ୱରୀ ଦେବୀ ଭଗବତୀ ଶାରଳା ବା ଝଙ୍କଡ଼ର ଅଧୀଶ୍ବରୀ ଦେବୀ ଶାରଳାଙ୍କ ପୀଠ, ଯାହାକି ଉତ୍କଳର ହାତ ଗଣତି କେତୋଟି ସର୍ବ ପ୍ରାଚୀନ ଦେବୀପୀଠ ମାନଙ୍କ ମଧ୍ୟରେ ଅନ୍ୟତମ l ପ୍ରାଚୀନ ତନ୍ତ୍ରପୀଠ ରୂପେ ଶାରଳାଙ୍କ ଏହି ପୀଠ ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିଲା l ପ୍ରାଚୀନ ସମୟର ଚେଳିତାଳୋ, ଯାହାକି ପରବର୍ତ୍ତୀ ସମୟରେ ତିରିତୋଳ ଆଉ ବର୍ତ୍ତମାନର ତିର୍ତ୍ତୋଲ l
ଚେଳିତାଳୋ ବା ତିର୍ତ୍ତୋଲ ନିକଟରେ ଥିବା ପ୍ରାଚୀନ ଜଙ୍ଖେରପୁର, ଯାହାକି ସାରଳା ଦାସଙ୍କ ସମୟରେ ଜଙ୍ଗେର ବା ଜଙ୍ଗେରପୁର ଏବଂ ଆଧୁନିକ ସମୟର ଝଙ୍କଡ଼ ପ୍ରଗଣା l ଏହି ଝଙ୍କଡ଼ ପ୍ରଗଣାର ଦୁଇଟି ଗ୍ରାମ ବଡ଼ ଶାରୋଳ ଓ ସାନ ଶାରୋଳ ବିଷୟରେ ସାରଳା ଦାସଙ୍କ ମହାଭାରତରେ ମଧ୍ୟ ବର୍ଣ୍ଣନା ଦେଖିବାଜୁ ମିଳେ l କୁହାଯାଏ ଶାରୋଳ ଗ୍ରାମରେ ହିଁ ପ୍ରାଚୀନ ଶାରଳା ଠାକୁରାଣୀଙ୍କ ମନ୍ଦିରଟି ଥିଲା l
ସପ୍ତମ ଓ ଅଷ୍ଟମ ଶତାବ୍ଦୀ ବେଳକୁ ତତ୍କାଳୀନ ଓଡ଼ିଶାରେ ତନ୍ତ୍ର ଉପାସନା ଚରମରେ ପହଞ୍ଚିଥିଲା l ତନ୍ତ୍ର ଦେବୀ ଓ ତନ୍ତ୍ର ସାଧନାର ପ୍ରକୃଷ୍ଠ ପୀଠ ରୂପେ ଦେବୀ ଶାରଳା ଓ ଶାରଳାଙ୍କ ପୀଠ କେବଳ ରାଜ୍ୟରେ ନୁହେଁ, ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିଲା l ଉଭୟ ବୌଦ୍ଧ ଓ ହିନ୍ଦୁ ପୂଜା ପଦ୍ଧତିରେ ତନ୍ତ୍ରୋପଚାର ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା l
କନକପୁରର କନକେଶ୍ବରୀ ଦେବୀ ଶାରଳାଙ୍କ ପୀଠର ଆଖପାଖ ଅଞ୍ଚଳରେ ଅନେକ ତନ୍ତ୍ର ଦେବ ଦେବୀଙ୍କ ପ୍ରାଚୀନ ପ୍ରତିମା ଦେଖିବାକୁ ମିଳେ l ସେଥିମଧ୍ୟରୁ କେତୋଟି ମୁଖ୍ୟ ଦେବୀ ପ୍ରତିମା ହେଲେ:
#ଜିମିନି_ମାଆ: ଶାରଳା ଠାକୁରାଣୀଙ୍କ ପୀଠକୁ ଯିବା ରାସ୍ତାରେ ପଡ଼ିବ ସହରହାଟ ଆଉ ଏହି ସହରହାଟ ଠାରେ ଏକ ପ୍ରାଚୀନ ଶିବ ଲିଙ୍ଗ ପୂଜା ପାଉଛନ୍ତି l ଏହି ମନ୍ଦିର ଗର୍ଭ ଗୃହରେ ମଧ୍ୟ ଶ୍ରୀ ଗଣେଶ ଓ ଶ୍ରୀ ବିଷ୍ଣୁଙ୍କ ପ୍ରାଚୀନ ପ୍ରତିମା ରହିଛି l ସେଇ ସହରହାଟ ନିକଟରେ ଥିବା ମୂଳିସିଂ ଗ୍ରାମରେ ଆଉ ଏକ ପ୍ରାଚୀନ ଦେବୀ ମୂର୍ତ୍ତି ଏକ ଛୋଟିଆ ମନ୍ଦିରରେ ପୂଜା ପାଉଛନ୍ତି ଯାହାଙ୍କୁ ସ୍ଥାନୀୟ ଲୋକେ ଜିମିନି ମାଆ ବୋଲି କୁହନ୍ତି l କୁହାଯାଏ ଏହି ମୂର୍ତ୍ତିଟି ମଧ୍ୟ ତନ୍ତ୍ର ଆଧାରିତ ଏକ ଦୁର୍ଗା ପ୍ରତିମା l
#ନିମ_ଶାରଳା: ଜିମିନି ମାଆଙ୍କ ପୀଠଠାରୁ ଦେଢ଼ କିଲୋମିଟର ପଥ ଅତିକ୍ରମ କଲାପରେ ଗହୀର ବିଲ ମଝିରେ ଆଉ ଏକ ସ୍ୱଳ୍ପ ପରିଚିତ ଦେବୀ ମନ୍ଦିର ରହିଛି l ଏହି ମନ୍ଦିରରେ ଏକ ଅଷ୍ଟଭୂଜା ଦେବୀ ପ୍ରତିମା ପୂଜା ପାଉଛନ୍ତି ଯାହାଙ୍କୁ ନିମ ଶାରଳା ଠାକୁରାଣୀ ବୋଲି ଲୋକେ କୁହନ୍ତି l
#ଚାମୁଣ୍ଡା: ଶାରଳାଙ୍କ ପୀଠ ଠାରୁ ଅଳ୍ପ ଦୂରରେ ଥିବା ଅରଡ଼ଙ୍ଗ ଗ୍ରାମରେ ଏକ ଅଷ୍ଟ ଭୁଜ ଚାମୁଣ୍ଡା ମୂର୍ତ୍ତି ଗ୍ରାମଦେବତୀ ରୂପେ ପୂଜା ପାଉଛନ୍ତି l ଗଳାରେ ନରମୁଣ୍ଡମାଳ ଧାରଣ ପୂର୍ବକ ଶବ ଉପରେ ବିରାଜମାନ କରିଛନ୍ତି ଏହି ଚାମୁଣ୍ଡା ମୂର୍ତ୍ତି l ସମୟର ସ୍ରୋତରେ ମୂର୍ତ୍ତିଟି ଅନେକାଂଶରେ କ୍ଷୟ ଗଲାଣି l
#ତାରା: ତିରଣ ଅଞ୍ଚଳର ଗରାମ ଗ୍ରାମର ଅନତୀ ଦୂରରେ ରାସ୍ତା ପାର୍ଶ୍ୱରେ ଆଉ ଏକ ତନ୍ତ୍ର ଦେବୀ ପୂଜା ପାଉଛନ୍ତି, ଯାହାଙ୍କୁ ସ୍ଥାନୀୟ ଲୋକେ ତାରା ଦେବୀ ବା ତାରା ଠାକୁରାଣୀ ବୋଲି କୁହନ୍ତି l ଏହି ମୂର୍ତ୍ତିଟି ଏକ ଅକ୍ଷୁର୍ଣ୍ଣ ମୂର୍ତ୍ତି l ଏହାଙ୍କୁ କେହି କେହି ବୌଦ୍ଧ ଦେବୀ ତାରା ବୋଲି ମଧ୍ୟ କୁହନ୍ତି l

Leave a Comment

Your email address will not be published. Required fields are marked *

Scroll to Top