ଦୋଳ

ଲେଖା: ଶିଶିର ସାହୁ ମନୋଜ
~ ଓଡ଼ିଶାରେ ହୋଲିକା ଦହନ, ହୋଲି, ଚାଚେରୀ ଓ ଦୋଳ ପୂର୍ଣ୍ଣିମା ~
ଆଗେ ଓଡ଼ିଶାରେ ହୋଲିକା ଦହନ ନଥିଲା କିନ୍ତୁ ପଶ୍ଚିମ ଭାରତର ହୋଲିକା ଦହନ ଓଡ଼ିଶାରେ ତଥା ଭାରତର ଅନ୍ୟ କେତେକ ରାଜ୍ୟରେ ପ୍ରଚଳନ ହେଵାରୁ ଏହାକୁ ଉପଲକ୍ଷ୍ୟ କରି ଗୋଟିଏ ନ୍ୟାୟ ସୃଷ୍ଟି ହୋଇଛି ତାହା ହେଲା “ହୋଲାକାଧିକରଣ ନ୍ୟାୟ”ଏକ ଦେଶରେ ପ୍ରଚଳିତ ଆଚାରକୁ ଅନୁକରଣ କରି ଅନ୍ୟ ଦେଶଵାସୀମାନେ ତାହା କର୍ତ୍ତଵ୍ୟ ବୋଲି ଜ୍ଞାନ କରି ଗ୍ରହଣ ଓ ପାଳନ କରିଵା ସ୍ଥଳରେ ଵ୍ୟଵହୃତ ନ୍ୟାୟକୁ “ହୋଲାକାଧିକରଣ ନ୍ୟାୟ” କୁହାଯାଏ ।
ହୋଲିକା ଦହନ ପଶ୍ଚିମ ଭାରତର ପର୍ଵ ହୋଇଥିଵା ବେଳେ ହୋଲି ଖେଳ ଉତ୍ତର ଭାରତର ଉତ୍ସଵ । ସେହିପରି ଚାଚେରୀ ଓ ଦୋଳ ହେଉଛି ପୂର୍ଵଭାରତୀୟ ।
ହୋଲିକା ଦହନ ଓ ହୋଲି ଗୀତ ସମ୍ବନ୍ଧରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନେକ କଥା କୁହାଯାଇଛି । ଯଥା ଭାଷାକୋଷରେ ହୋଲି ଗୀତ ଵିଷୟରେ ଉଲ୍ଲେଖ ଅଛି: “ହୋଲି ଉତ୍ସଵ ଉପଲକ୍ଷରେ ବୋଲାଯିଵା ରାଧାକୃଷ୍ଣ ଵିଯୁକ୍ତ ଆଦିରସାତ୍ମକ (ଅଧିକାଂଶ ସ୍ଥଳରେ ଅଶ୍ଳୀଳ) ଗାନ । ଏହା ମାରୁଆଡ଼ିମାନଙ୍କ ଦେଶରେ ଵିଶେଷ ପ୍ରଚଳିତ ଓ ସେ ଉତ୍ସଵରେ ମାରୁଆଡ଼ିମାନେ ଏପରି କାଣ୍ଡଜ୍ଞାନ ଶୂନ୍ୟ ହୁଅନ୍ତି ଯେ, ସେମାନଙ୍କ ପରିଵାରର କୁଳଵଧୂମାନେ ମେଳ ବାନ୍ଧି ଅନ୍ତଃପୁରରୁ ବାହାରକୁ ବାହାରି ଚିତ୍କାର ପୂର୍ଵକ ଅଶ୍ଳୀଳ ଗୀତମାନ ବୋଲନ୍ତି ଓ ଏହି ଅଶ୍ଳୀଳଗାନ ପ୍ରଥା ତାଙ୍କ ଦେଖାଦେଖି ବଙ୍ଗଦେଶରେ ଓ ସେଠାରୁ ଆସି କ୍ରମେ କ୍ରମେ ଓଡ଼ିଶାରେ ପଶିଅଛି।”
ହୋଲି ଶବ୍ଦର ମୂଳ ସଂସ୍କୃତ ରୂପ ହୋଲକା ଵା ହୋଲାକା ଏଵଂ ଏହା ଵିଷୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନେକ କଥା କୁହାଯାଇଛି । ଭାଷାକୋଷ ଅନୁସାରେ ତତ୍ସମ ହୋଲାକା ଶବ୍ଦର ନିରୁକ୍ତି ହୋଡ଼ ଧାତୁ+ଅଧିକରଣ ଅକ+ଆ । ଫାଲଗୁନ ପୂର୍ଣ୍ଣିମା ସମୟରେ ଅନୁଷ୍ଠିତ ହୋଲି ଉତ୍ସଵ, ମଦନ ଉତ୍ସଵ; ଵସନ୍ତୋତ୍ସଵ ଵା ଫଗୁଖେଳକୁ ସଂସ୍କୃତଭାଷାରେ ହୋଲକାହୋଲାକା କୁହାଯାଏ ।
ଭାଷାକୋଷରେ ହୋଲାକା ଶବ୍ଦ ତଳେ ଦ୍ରଷ୍ଟଵ୍ୟରେ ଏମନ୍ତ ଲେଖାଅଛି, “ଏ ଉତ୍ସଵରେ ରାଧାକୃଷ୍ଣଙ୍କ ମୂର୍ତ୍ତିଙ୍କୁ ନେଇ ହିନ୍ଦୁମାନେ ଦୋଳବେଦିରେ ଦୋଳିରେ ଖେଳାନ୍ତି ଓ ପରସ୍ପର ଅବିର ଫୋପାଡ଼ି, ପିଚାକାରୀ ମରାମତି ହୁଅନ୍ତି। ଏହା ଫାଲ୍ଗୁନ ପୂର୍ଣ୍ଣିମାର ଚାରିଦିନ ପୂର୍ଵରୁ ଆରମ୍ଭ ହୋଇ ପୂର୍ଣ୍ଣିମା ବାସିଦିନ ‘ଯମୁନାଗାଧୁଆ’ରେ ଶେଷ ହୁଏ। କେତେକ ସ୍ଥଳରେ ପୂର୍ଣ୍ଣିମା ପରେ ପଞ୍ଚମୀ ପର୍ଯ୍ୟନ୍ତ ମଧ୍ୟ ଯାତ୍ରାଆଦି ଅନୁଷ୍ଠିତ ହୁଏ। ଏହି ସମୟରେ ଲୋକେ ଵିଶେଷତଃ ପଶ୍ଚିମା ଓ ମାରୁଆଡ଼ିମାନେ ସ୍ତ୍ରୀ ପୁରୁଷ ନିର୍ଵିଶେଷରେ ଗୀତ ବୋଲି ଗ୍ରାମଗ୍ରାମାନ୍ତର ବୁଲନ୍ତି। ଦାୟଭାଗରୁ ଦେଖାଯାଏ, ଏ ଉତ୍ସଵ ଵା ଆଚାର ପ୍ରତୀଚ୍ୟ (ପଶ୍ଚିମା)ମାନେ ପ୍ରଥମେ କରୁଥିଲେ ଓ ତାଙ୍କ ଦେଖାଦେଖି ପ୍ରାଚ୍ଯ ଦେଶଵାସୀମାନେ ଏହା କର୍ତ୍ତବ୍ଯ ବୋଲି ଵିଚାର କରି ଅନୁଷ୍ଠାନ କଲେ। ଏଥିପାଇଁ ଏକ ଅଞ୍ଚଳରୁ ଦେଖି ଅନ୍ୟ ଅଞ୍ଚଳଵାସୀମାନେ କୌଣସି ଆଚାରକୁ ଅବଶ୍ଯ—କର୍ତ୍ତଵ୍ୟ ବୋଲି ଗ୍ରହଣ ଓ ପାଳନକଲେ ତାକୁ ‘ହୋଲାକାଧିକରଣ ନ୍ୟାୟ’ ବୋଲାଯାଏ ‌ ।”
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‘ଅଇଘରା’ ଶବ୍ଦ ତଳେ ମଧ୍ୟ ହୋଲି ଓ ହୋଲିକାଦହନ ସମ୍ବନ୍ଧୀୟ ତଥ୍ୟ ରହିଛି । ସାଧାରଣତଃ ଓଡ଼ିଶାରେ ମାଘ ପୂର୍ଣ୍ଣିମା ଦିନ ରାତିରେ ଗ୍ରାମମୁଣ୍ଡରେ କୁଟା ଆଦି ଗଦା କରାଯାଇ ଅଗ୍ନି ଉତ୍ସଵ ହେଉଥିଲା ଏହି ନିଆଁରୁ ଅଗି ଓ ନିଆଁ ଜଳାଇଵାକୁ ଅଗିଜଳା ବୋଲାଯାଉଥିଲା । ତେବେ ଦୋଳପୂର୍ଣ୍ଣିମାର ପୂର୍ଵରାତ୍ରିରେ ସନ୍ଧ୍ୟାଠାରୁ ରାତି ପାହିଵା ପର୍ଯ୍ୟନ୍ତ ଗ୍ରାମମୁଣ୍ଡରେ କରାଯିଵା ଅଗ୍ନି ଉତ୍ସଵକୁ ମଧ୍ୟ ଓଡ଼ିଶାର ପୁରୀ ଆଦି କେତେକ ଅଞ୍ଚଳରେ ଅଇଘରା କୁହାଯାଉଥିଲା ।
ଭାଷାକୋଷରେ “ଅଇଘରା” ଶବ୍ଦ ତଳେ ଦ୍ରଷ୍ଟଵ୍ୟରେ ଯାହା ଲେଖାଅଛି ତାହା ଏଠାରେ ପ୍ରଦତ୍ତ ହେଲା, “ବୁଝିଵାକୁ ଗଲେ ଭାରତର ସର୍ଵତ୍ର ହୋଲି ଉତ୍ସଵ ଉପଲକ୍ଷରେ ଦୋଳପୂର୍ଣ୍ଣିମା ରାତିରେ ଓ କେଉଁକେଉଁଠାରେ ଦୋଳପୂର୍ଣ୍ଣିମାର ପୂର୍ଵ ରାତିରେ ଅଗ୍ନି ଉତ୍ସଵ କରାଯାଏ। ପୁରୀ ଜିଲ୍ଲା ବ୍ରାହ୍ମଣ ଶାସନମାନଙ୍କରେ ଦୋଳପୂର୍ଣ୍ଣିମା ପୂର୍ଵ ରାତିରେ ଗ୍ରାମର ଠାକୁର ଗ୍ରାମଦାଣ୍ଡରେ ପଟୁଆର କରି ଯିଵା ସମୟରେ ପ୍ରତ୍ୟେକ ଗୃହସ୍ଥଙ୍କ ଘରସାମନା ଦାଣ୍ଡରେ ପହଞ୍ଚି ଦ୍ୱାରିଭୋଗ ଖାଆନ୍ତି ଓ ସେହି ସମୟରେ ପ୍ରତ୍ୟେକ ଗୃହସ୍ଥ ତାଙ୍କ ଦୁଆର ଆଗ ଦାଣ୍ଡରେ ନଡ଼ିଆ ବାହୁଙ୍ଗା ଵା ବାଉଁଶ ଲଗିରେ କୁଟା ଆଦି ଗୁଡ଼ାଇ ପୂର୍ଵରୁ ପୋତି ଥାଆନ୍ତି। ଦିଅଁ ଵିଜେ କଲାବେଳେ ଉକ୍ତ ହୁଳାରେ ନିଆଁ ଲଗାଇ ଦିଅନ୍ତି। ଦିଅଁ ଗ୍ରାମମୁଣ୍ଡରେ ପହଞ୍ଚିଲାରୁ ସେଠାରେ ଗ୍ରାମଵାସୀଙ୍କଦ୍ୱାରା ସଂଗୃହୀତ ଗୋଟିଏ ବଡ଼ କୁଟାଗଦାରେ ନିଆଁ ଲାଗେ ସେ ନିଆଁକୁ ଅଗି ଵା ଅଇଘରା କହନ୍ତି। ସେହି ଜଳୁଥିଵା ନିଆଁଗଦାକୁ ଦିଅଁ ପ୍ରଦକ୍ଷିଣ କରି ସେଠାରେ ଭୋଗ ଖାଇ ନିଜ ମନ୍ଦିରକୁ ବାହୁଡ଼ନ୍ତି। କଟକ ଜିଲ୍ଲାରେ ଏହି ଅଗ୍ନି ଉତ୍ସଵକୁ ମେଣ୍ଢାକୁଡ଼ିଆ ପୋଡ଼ି ଓ ବାଲେଶ୍ୱରରେ ଏହାକୁ ମେଣ୍ଢାଘର ପୋଡ଼ି କହନ୍ତି। ବଙ୍ଗଦେଶରେ ଦୋଳପୂର୍ଣ୍ଣିମାର ପୂର୍ଵ ସନ୍ଧ୍ୟାରେ ଏହିପରି ଅଗ୍ନି ଉତ୍ସଵ ହୁଏ। ମାରବାଡ଼ିମାନେ ଦୋଳ ପୂର୍ଵ ସନ୍ଧ୍ୟାଠାରୁ ଭୋର ପର୍ଯ୍ୟନ୍ତ କୁଟା ଚିରା କାନା ଚିରା କାଗଜ ଓ କାଠ ଆଦି ଦାଣ୍ଡରେ ଜମା କରି ଅଗି ଜାଳନ୍ତି।
୧୯୨୩ ଫେବୃଆରୀ ୬ ତାରିଖରେ ଅମୃତବଜାର ପତ୍ରିକାରେ ଶ୍ରୀ ରଞ୍ଜନଵିଳାସ ରାୟ ଚୌଧୁରୀ ଏ ସମ୍ବନ୍ଧରେ ନିମ୍ନଲିଖିତ ମର୍ମରେ ଗୋଟିଏ ଇଂରାଜି ପ୍ରବନ୍ଧ ଲେଖିଥିଲେ, “ବଙ୍ଗଦେଶରେ ଦୋଳପୂର୍ଣ୍ଣିମା ପୂର୍ଵ ସନ୍ଧ୍ୟାରେ ପ୍ରତି ଗୃହସ୍ଥଙ୍କ ଘର ଆଗରେ ଏବଂ ଗ୍ରାମମୁଣ୍ଡରେ ଅଗି ଜଳାଯାଏ। ପଶ୍ଚିମ ଭାରତରେ ପ୍ରତ୍ୟେକ ଗୃହସ୍ଥଙ୍କ ଘର ଆଗ ଦାଣ୍ଡରେ ଗୋଟିଏ ଗବ ଗଛ ପୋତା ଯାଇ ତହିଁ ଉପରେ କୁଟା ଚିରା କନା ଓ ଘଷି ଆଦି ଜମା କରାଯାଇ ଅଗ୍ନି ଉତ୍ସବ ହୁଏ ଏଵଂ ରାତିଯାକ ଲୋକେ ଅଶ୍ଳୀଳ ଗୀତ ବୋଲି ନାଚନ୍ତି। ମରହଟ୍ଟାମାନଙ୍କ ମଧ୍ୟରେ ଯୁଦ୍ଧରେ ମୃତ ହୋଇଥିଵା ଵୀରମାନଙ୍କ ବଂଶଧରମାନେ ହାତରେ ଖଣ୍ଡା ଧରି ଏହି ନିଆଁଗଦା ଚାରିପାଖରେ ବୁଲି ନାଚନ୍ତି ଏଵଂ ଏ ନିଆଁରେ ଗରମ କରାଯାଇଥିଵା ପାଣିରେ ଗ୍ରାମଵାସୀମାନେ ଗାଧୁଅନ୍ତି। ମାନ୍ଦ୍ରାଜ ଅଞ୍ଚଳରେ ଅଗ୍ନି ଉତ୍ସବ ହୁଏନାହିଁ କିନ୍ତୁ ଗ୍ରାମଵାସୀମାନେ କୌତୁକରେ ପରସ୍ପର ଯୁଦ୍ଧ କରନ୍ତି। କଥିତ ଅଛି ଯେ Scythians ଵା ଶକମାନେ ଵିକ୍ରମାଦିତ୍ୟ ରାଜାଙ୍କ ଦ୍ୱାରା ଭାରତରୁ ବିତାଡ଼ିତ ହେଵା କାଳରୁ ଏ ଉତ୍ସବ ପଶ୍ଚିମ ଭାରତରେ ଚଳି ଆସୁଅଛି। କେହି କେହି କହନ୍ତି ଯେ ‘ହୋରିକା’ ନାମରେ ଗୋଟିଏ ରାକ୍ଷସୀ ଶିଶୁମାନଙ୍କୁ ଖାଇଯାଉଥିଲା। ଅନ୍ୟ ଦେବତାମାନେ ଏହାକୁ ବଧ କରି ନ ପାରିଵାରୁ ଶିବ ଏହାକୁ ବଧ କଲେ। ଏହି ରାକ୍ଷସୀର ବିରାଟ ଦେହକୁ ଦେବତାମାନେ ନିଆଁ ଲଗାଇ ପୋଡ଼ିଲେ ଅଇଘରା ଏଥିର ସ୍ମାରକ ଅଗ୍ନ୍ୟୁତ୍ସଵ। କେହି କେହି କହନ୍ତି ‘ହରିକା’ ଵସନ୍ତ ମିଳିମିଳା ହାଡ଼ଫୁଟି ଆଦିର ଅଧିଷ୍ଠାତ୍ରୀ ଯୋଗିନୀ। ମହାଦେଵ ଏହାକୁ ଵିନାଶ କଲେ ଓ ଲୋକେ ଏହା ଶବ ଉପରେ ନିଜ ନିଜ ଘରର ଅଳିଆ ଚିରାକନା କାଠି କୁଟା ଗଦା କରି ନିଆଁ ଜାଳିଲେ। ସେହି କାଳରୁ ଏ ଅଗ୍ନି ଉତ୍ସଵ ହୋଇ ଆସୁଅଛି ।”
ଲୋକେ ବାଇଗଣପୋଡ଼ା ପାଇଵା ଆଶାରେ ଏହି ଅଇଘରା ନିଆଁଗଦା ଉପରକୁ କଞ୍ଚା ବାଇଗଣ ଫିଙ୍ଗନ୍ତି ଓ ନିଆଁ ନିଭିଗଲାରୁ ପାଉଁଶକୁ ଖେଳାଇ ଖୋଜାଖୋଜି କରି ପୋଡ଼ା ବାଇଗଣ ଆଣନ୍ତି ଓ କେହି କେହି କିଛି ନ ପାଇଲେ ଫେରି ଆସନ୍ତି । ହୋଲିକା ଦହନ ତଥା ହୋଲି ଖେଳକୁ ଵସନ୍ତୋତ୍ସଵ କୁହାଯାଏ କାରଣ ଏହା ଵସନ୍ତକାଳୀନ ଉତ୍ସଵ ଅଟଇ । ପୂର୍ଵେ ମାଘ ଶୁକ୍ଳପଞ୍ଚମୀର ପର ଦିନ କାମଦେଵ ଓ ଵସନ୍ତଙ୍କର ପୂଜା କରାଯାଉଥିଲା ଏଵଂ ଉକ୍ତ ଉତ୍ସଵକୁ ମଦନୋତ୍ସଵ ତଥା ଵସନ୍ତୋତ୍ସଵ କୁହାଯାଉଥିଲା । ଅନ୍ୟ କେତେକ ଅଞ୍ଚଳରେ ଏହି ଉତ୍ସଵ ଚୈତ୍ର ଶୁକ୍ଳ ଦ୍ବାଦଶୀ ଠାରୁ ଆବଦ୍ଧ ହୋଇ ଚତୁର୍ଦ୍ଦଶୀ ଦିନ ସମ୍ପନ୍ନ ହେଉଥିଲା । ଏଥିରେ ଵ୍ରତ ରଖିଥିଵା ଲୋକେ କାମଦେଵଙ୍କୁ ପୂଜା କରି ଗୀତଵାଦ୍ଯ, ରାତ୍ରି ଜାଗରଣ ଓ ସ୍ତ୍ରୀପୁରୁଷ ସମ୍ମିଳନ ଉଦ୍ଯାନାଦିରେ ଆମୋଦ ପ୍ରମୋଦ କରୁଥିଲେ ‌ । ସମ୍ଭଵତଃ ଏହାର ଆଧୁନିକ ରୂପ ହୋଲିର ରଙ୍ଗ ଖେଳ ଅଟେ । ଆଜି ହୋଲିକା ଉତ୍ସଵକୁ ଵସନ୍ତୋତ୍ସଵ କୁହାଯାଉଛି ‌। ଆଗେ ହୋଲି ଖେଳର ପର୍ଵକୁ ଚର୍ଚ୍ଚରୀଚର୍ଚ୍ଚରୀବିହାର ମଧ୍ୟ କୁହାଯାଉଥିଲା । ନାଟତାମସା ଓ ଆମୋଦପ୍ରମୋଦ କରିଵାକୁ ଚର୍ଚ୍ଚରୀ କୁହାଯାଏ । ଏହି ଚର୍ଚ୍ଚରୀର ଓଡ଼ିଆ ରୂପ ଚାଚେରୀ ଅଟେ ।
ରହସ୍ଯମଞ୍ଜରୀରେ କଵି ଦେଵଦୁର୍ଲଭ ଦାସ ଉଭୟ ଚାଚେରୀ ଵା ହୋଲି ଖେଳ ଓ ଦୋଳପୂର୍ଣ୍ଣିମା କଥା ଉଲ୍ଲେଖ କରିଛନ୍ତି । “ଚାଚେରୀ ଗହଳ ସଖି ଗୋଵିନ୍ଦଙ୍କ ଦୋଳ !”
ଓଡ଼ିଶାରେ ଅବିର ରଙ୍ଗ ଖେଳ ଦୋଳପୂର୍ଣ୍ଣିମା ପୂର୍ଵଦିନ ଅନୁଷ୍ଠିତ ହେଉଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଚାଚେରୀ ଶବ୍ଦ ତଳେ ଉଲ୍ଲେଖ କରାଯାଇଛି । ସେହିପରି କବି ରଘୁ ଅରକ୍ଷିତ ଭକ୍ତି ଭାବରେ ଦୋଳର ଅନୁପମ ଦୃଶ୍ୟକୁ ଏମନ୍ତ ଵର୍ଣ୍ଣନା କରିଛନ୍ତି,
“ପୁଷ୍ପ ଘେନି ଯିଵା ଗୋ ସଜନୀ
ଦେଖିଵା ବସନ୍ତ ଚାଚେରୀ
ରାଧାକୃଷ୍ଣ ଦୋଳି ଖେଳୁଛନ୍ତି
ଉଡ଼ଇ କର୍ପୂର ଦୋଳି ଗୋ
ବଣର ମଲ୍ଲୀ ମାଳତୀ ସେଵତୀ
ଵିଵିଧ କୁସୁମେ ଗଭା
ଦକ୍ଷିଣ ମୂରତି ହୋଇ ଯଦୁପତି
ଦୋଳ ମଣ୍ଡପରେ ଉଭା ଗୋ ।”
ଏଥିରୁ ସ୍ପଷ୍ଟ ଯେ ଓଡ଼ିଶାରେ ହୋଲି ଭଳି ରଙ୍ଗଖେଳର ଉତ୍ସଵ ଚାଚେରୀ ପାଳିତ ହେଉଥିଲା ହେଲେ ଦୋଳ ପୂର୍ଣ୍ଣିମା ପୂର୍ଵ ଦିନ ହିଁ ଫଗୁଖେଳ ହେଉଥିଲା । ତେବେ ଆଜିକାଲି ଓଡ଼ିଶାରେ ଦୋଳ ପୂର୍ଣ୍ଣିମା ପରଦିନ ହୋଲି ଖେଳାଯାଉଅଛି ‌। ନବ୍ବେ ଦଶକ ଯାଏଁ ଗ୍ରାମାଞ୍ଚଳରେ ଶଗଡ଼ ଗାଡ଼ି ଅଧିକ ଥିଲା । ସେତେବେଳେ ଜଣେ ଲୋକକୁ ଶଗଡ଼ଗାଡ଼ିରେ ଛିଣ୍ଡାପୋଷାକ ପିନ୍ଧାଇ ବସାଇ ଦିଆଯାଉଥିଲା । ତାକୁ ଆପାଦ ମସ୍ତକ ରଙ୍ଗରେ ରଙ୍ଗାଇ ଶଗଡ଼ଗାଡ଼ିରେ ବସାଇ ଗ୍ରାମ ପରିକ୍ରମା କରାଯାଉଥିଲା । ସେ ଲୋକକୁ ଖଣ୍ଡିଆ ରାଜା କୁହାଯାଉଥିଲା । ଏହି ପରମ୍ପରା ଵିଶେଷତଃ ଆମ ଢେଙ୍କାନାଳରେ ପ୍ରଚଳିତ ଥିଲା । ଶ୍ରୀଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କର ଚାଚେରୀ ନୀତି, ଚାଚେରୀ ବେଶ ଓ ଚାଚେରୀ ଭୋଗ ମଧ୍ୟରେ କର୍ପୂର ଉଡି଼ଯାଇ ବାସ ଥିଵା ଭଳି ଓଡ଼ିଶାର ଏହି ପରମ୍ପରା ବଞ୍ଚି ରହିଛି ।
ଉତ୍ତର ଭାରତୀୟଙ୍କ ହୋଲି ଖେଳ ଓ ହୋଲିକାଦହନ ସମୟରେ ଅଶ୍ଳୀଳଗୀତ ଗାନ କରାଯାଉଥିଲା କିନ୍ତୁ ଓଡ଼ିଶାର ଦୋଳୋତ୍ସଵ ପ୍ରାୟତଃ ସତ୍ଵଗୁଣଧର୍ମୀ । ଓଡ଼ିଶାର ଦୋଳ ପୂର୍ଣ୍ଣିମା ଭାରତଵର୍ଷ ମଧ୍ୟରେ ଓଡ଼ିଆ ଜାତିର ସ୍ଵତନ୍ତ୍ର ପରମ୍ପରାର ଅନ୍ୟତମ ନିଦର୍ଶନ । ସାରା ଭାରତରେ ହୋଲିକା ଦହନ ଓ ହୋଲିଖେଳ ଦୁଇଦିନ ପାଇଁ ହେଉଥିଲାବେଳେ ଓଡ଼ିଶାରେ ଫଗୁଦଶମୀ ଠାରୁ ଦୋଳ ପୂର୍ଣ୍ଣିମା ଯାଏଁ ଶ୍ରୀକୃଷ୍ଣଙ୍କର ଅଧିକ ଉତ୍କୃଷ୍ଟ ଓ ଉନ୍ନତ ଦୋଳୋତ୍ସଵ ପାଳିତ ହୋଇଥାଏ ।
ସାଧାରଣତଃ ଝୁଲା, ଦୋଳି, ହାନ୍ଦୋଳା, ଜାଲମୁଣା, ଖୁଣ୍ଟୁଣି, ଡୋଲି ଵା କୁଡ଼ମେଇ, ଠାକୁରଙ୍କ ଵିମାନ ଓ ଦୋହଲେଇଵାକୁ ଦୋଳ କୁହାଯାଏ । ଏହି ଦୋଳ ଶବ୍ଦରୁ ଦୋଳ ପର୍ଵର ନାମକରଣ ହୋଇଅଛି । 
ଵିଚିତ୍ର ରାମାୟଣର ଆଦ୍ୟକାଣ୍ଡରେ କଵି ଵିଶ୍ୱନାଥ ଖୁଣ୍ଟିଆ ଶ୍ରୀଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରେ ଦୋଳଯାତ୍ରା ଗୋଟିଏ ବୋଲି ଉଲ୍ଲେଖ କରିଵା ସହ ଏହି ଦ୍ଵାଦଶଗୋଟି ଯାତ୍ରା ମଧ୍ୟରେ ସ୍ନାନଯାତ୍ରା, ଦୋଳଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରା ମୁଖ୍ୟ ବୋଲି ଦର୍ଶାଇଛନ୍ତି ।
“ଶ୍ରୀ ନୀଳଗିରିଶିଖରେ ବିଜେ ହରି
ଦ୍ୱାଦଶ ଯାତ୍ରା ବିନୋଦେ ।
ସ୍ନାନ ଶ୍ରୀଗୁଣ୍ତିଚା ଅୟନ ଶ‌ୟନ
ପାରଶ୍ୱ ପାଲଟ ମୋଦେ ॥
ଦେବ ଉତ୍ଥାପନ ଓଢ଼ଣ ମକର
ଦୋଳ ଦମନ‌କ ଚୋରୀ ।
ଚନ୍ଦନ ଚମ୍ପକ ଉତ୍ସବ ସ‌ହିତେ
ଏ ବିଧି ଲୀଳା ଆଚରି ॥
ଦ୍ୱାଦଶ ଯାତ୍ରାରୁ ତିନିଯାତ୍ରା ସାର
ଦୋଳ ସ୍ନାନ ଶ୍ରୀଗୁଣ୍ତିଚା ।‌
ସକଳ ଜୀବର ଅବଲୋକନରେ
ପାତକ ସମୂହ ମୁଞ୍ଚା ॥
ଶ୍ରୀ ଜଗନ୍ନାଥ ଚଢ଼ିଣ ନନ୍ଦିଘୋଷ ଗୁଣ୍ତିଚାଘରେ ବିଜୟ ।
ଦେଖି ନାଗ ନର ଗନ୍ଧର୍ବ କିନ୍ନର
କରୁଥାନ୍ତି ଜୟ ଜୟ ॥”
ଦୋଳ ପର୍ଵ କେତେ ପ୍ରାଚୀନ ତାହା ଅସ୍ପଷ୍ଟ ତେବେ କେତେକ ଗଵେଷକଙ୍କ ମତରେ ପଦ୍ମପୁରାଣ, ସ୍କନ୍ଦ ପୁରାଣ, ହରିଭକ୍ତ ବିଳାସ, ବ୍ରହ୍ମାଣ୍ଡ ପୁରାଣ, ଗୋପାଳ ଓଗାଳ, ଋତୁ ସଂହାର, ନିଳାଦ୍ରୀ ଅର୍ଜନ ଚନ୍ଦ୍ରକାୟା, ଲିଙ୍ଗପୁରାଣଶତାନନ୍ଦ ସଂଗ୍ରହରେ ଅନଙ୍ଗୋତ୍ସଵ ଵା ଦୋଳୋତ୍ସବ କଥା ବର୍ଣ୍ଣିତ ହୋଇଛି । ସବୁଠାରୁ ସ୍ପଷ୍ଟ ଭାବରେ ଶତାନନ୍ଦ ସଂଗ୍ରହରେ ଦୋଳ ଉତ୍ସଵ କଥା ବର୍ଣ୍ଣିତ ହୋଇଥିଵା ଜଣାଯାଏ । ଆମ ଓଡ଼ିଶାରେ ରାଜଦୋଳ, ପଞ୍ଚୁଦୋଳ, ଛଅଦୋଳ, ସାତଦୋଳ, ନଅଦୋଳ, ଦଶଦୋଳ ଇତ୍ୟାଦି ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ପ୍ରକାରର ଦୋଳୋତ୍ସଵ ପାଳିତ ହୋଇଥାଏ ।
ଓଡ଼ିଶାର ଗ୍ରାମଗୁଡି଼କରେ ଦୋଳ ମଣ୍ଡପରେ ଶ୍ରୀରାଧାକୃଷ୍ଣଙ୍କ ଦୋଳନ ପୂଜା ଏଵଂ ଗ୍ରାମପରିକ୍ରମା ସହ ନୂତନ ପାଞ୍ଜି ପଠନ ଓ ଗଉଡ଼ବାଡି, ପାଇକାଳି ଖେଳ ଆଦି ଆୟୋଜିତ ହୋଇଥାଏ । ପଶ୍ଚିମ ଭାରତର ହୋଲିକା ଦହନ ଏଵଂ ଉତ୍ତର ଭାରତର ହୋଲି ଖେଳ ସହ ପୂର୍ଵ ଭାରତ ଵିଶେଷତଃ ଓଡ଼ିଶାର ଦୋଳୋତ୍ସଵର ଅଦ୍ଭୁତ ସମନ୍ଵୟ କେଵଳ ଏହି ପୁଣ୍ୟଭୂମି କଳିଙ୍ଗୋଡ୍ରୋତ୍କଳରେ ହିଁ ସମ୍ଭଵ ହୋଇପାରିଛି ‌।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହୋଲିକା ଦହନ ତାମସିକ; ଭେଲ ହେଉ ଭଲ କୌଣସି ଵ୍ୟକ୍ତି ଵିଶେଷକୁ ଅଗ୍ନିଦ୍ଵାରା ଜୀଵିତାଵସ୍ଥାରେ ଜାଳିଦେଵା ତାମସିକ ଵିଚାରଧାରା  । ହୋଲି ଖେଳ ରାଜସିକ; ଵସନ୍ତୋତ୍ସଵ, ମଦନୋତ୍ସଵ ନାମରେ ଖ୍ୟାତ ହୋଲି ଖେଳ ରାଜସିକ ଅଟେ । ଦୋଳ ସାତ୍ଵିକ; ଉତ୍ତର ଓ ପଶ୍ଚିମ ଭାରତୀୟଙ୍କ ପରି ଦୋଳୋତ୍ସଵରଜ ଅଶ୍ଳୀଳ ଗୀତ ଗାୟନ କରାଯାଏ ନାହିଁ ଵରଂ ଶ୍ରୀରାଧାକୃଷ୍ଣଙ୍କର ସାତ୍ଵିକ ପୂଜା କରାଯାଇଥାଏ ।
ତଥ୍ୟ ଉତ୍ସ: ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ଅନ୍ତର୍ଜାଲ
Images: Bandhan Dalai/Cuttack Puja Festivals FB, Lalit Mohan Ray

Leave a Comment

Your email address will not be published. Required fields are marked *

Scroll to Top