ଦୁର୍ଗାମାଧବ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ

~ ଶ୍ରୀ ଦୁର୍ଗାମାଧବ ମନ୍ଦିର ~
देवि प्रपन्नार्तिहरे प्रसीद प्रसीद मातर्जगतोखिलस्य।
प्रसीद विश्वेश्वरि पाहि विश्वं त्वमीश्वरी देवि चराचरस्य॥
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳା ରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ସେଦିନର ଐତିହ୍ୟ ଯାତ୍ରାରେ ଆମର ପ୍ରଥମ ସୋପାନ ଥିଲା, ଗଡ଼ତଳମୂଳ ଗ୍ରାମରେ ଥିବା ଦଶମ ଶତାବ୍ଦୀର ଶ୍ରୀ ଦୁର୍ଗାମାଧବ ମନ୍ଦିର l ସୋମବଂଶୀ ଶାସକଙ୍କ ଦ୍ୱାରା ନିର୍ମିତ ଦେବୀ ଦୁର୍ଗାଙ୍କ ଏହି ମନ୍ଦିରଟି ବହୁ ପ୍ରାଚୀନ ମନ୍ଦିର l ଉତ୍କଳରେ “ଦୁର୍ଗାମାଧବ” ଉପାସନାର ଧାରା ପ୍ରାଚୀନ କାଳରୁ ଚାଲି ଆସୁଛି l ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ମାଧବ ରୂପେ ଓ ମାଆ ବିମଳାଙ୍କୁ ଦୁର୍ଗା ସ୍ୱରୂପରେ ଏକତ୍ର ପୂଜା କରିବାର ପରମ୍ପରା ବହୁ ପ୍ରାଚୀନ l ଏଣୁ ପୁରୀ ଶ୍ରୀମନ୍ଦିର ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶ୍ରୀଦୁର୍ଗାମାଧବଙ୍କ ପୂଜାର୍ଚ୍ଚନା ସହିତ ଦୁର୍ଗାମାଧବଙ୍କ ମନ୍ଦିର ରହିଥିବା ଦେଖିବାକୁ ମିଳେ l
ଇତିହାସରୁ ଯାହା ଜଣାଯାଏ, ଅଷ୍ଟମ ଶତାବ୍ଦୀ ବେଳକୁ ଏହି ଅଞ୍ଚଳରେ ନନ୍ଦୋଦ୍ଭଵ ଶାସକମାନେ ଶାସନ କରୁଥିଲେ l ନନ୍ଦୋଭବମାନେ ଭୌମକର ଶାସକଙ୍କ ଅଧୀନରେ ଥାଇ ଶାସନ କରୁଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସେମାନେ ସୋମବଂଶୀ ଶାସକଙ୍କ ଅଧୀନରେ ରହି ଶାସନ କଲେ l ଏହି ଦୁର୍ଗାମାଧବ ମନ୍ଦିର ନାନ୍ଦୋଭବଙ୍କ ଦ୍ୱାରା ସୋମବଂଶୀ ଶାସନ ସମୟରେ ନିର୍ମାଣ ହୋଇଥିଲା l
ସେଦିନ, ବଡମ୍ବାରୁ ଅଭିମାନପୁର ଓ ସେଠାରୁ ଜଙ୍ଗଲ ରାସ୍ତା ହୋଇ ଭାପୁର ପୁଣି ଭାପୁର ଠାରୁ ବାମ ଦିଗରେ ଗଲେ ପଡ଼ିବ ମହୀଧରପୁର l ମହୀଧରପୁର ଛକରୁ ବଅଁରପାଳ ଯାଇଥିବା ମୁଖ୍ୟ ରାସ୍ତାରେ ଗଲେ ପଡ଼ିବ ଗଡ଼ତଳମୂଳ ଗାଁ, ଆଉ ଏହି ଗାଁ ରହିଛି ପ୍ରାଚୀନଦୁର୍ଗାମାଧବ ମନ୍ଦିର l ସ୍ୱଳ୍ପଉଚ୍ଚର ଏହି ମନ୍ଦିର ଗର୍ଭଗୃହରେ ଦେବୀ ଦୁର୍ଗାଙ୍କର ବହୁ ପ୍ରାଚୀନ ପ୍ରତିମା ସହିତ ମାଧବଙ୍କ ଏକ କମନୀୟ ପ୍ରତିମା ପୂଜା ପାଉଛନ୍ତି l ମହିଷାମର୍ଦ୍ଦିନୀ ଦୁର୍ଗାଙ୍କ ଦକ୍ଷିଣ ପାର୍ଶ୍ୱରେ ମାଧବଙ୍କ ମୂର୍ତ୍ତିଟି ରହିଛନ୍ତି l
ଦୁର୍ଗାମାଧବ ମନ୍ଦିର ପ୍ରବେଶ ପଥରେ ନବଗ୍ରହ ପ୍ରତିମା ରହିଥିବାବେଳେ ପାର୍ଶ୍ୱ ଦେବଦେବୀ ରୂପେ ଗଣେଶ କାର୍ତ୍ତିକେୟ ଓ ଦେବୀ ପ୍ରତିମା ରହିଛନ୍ତି l ଗର୍ଭଗୃହର ସମ୍ମୁଖରେ ଛାତିଏ ଉଚ୍ଚର ଦଶ ଗୋଟି ଖୁମ୍ବ ରହିଛି l ପୂଜକଙ୍କ କହିବାନୁଯାୟୀ ଯେହେତୁ ଏହା ଏକ ଶକ୍ତିପୀଠ, ଏହି ଦଶ ଗୋଟି ଖୁମ୍ବକୁ କେହି କେହି ଦଶମହାବିଦ୍ୟାଙ୍କ ସ୍ୱରୂପ ଓ ଆଉ କେହି କେହି ଏହାକୁ ଦଶଦିଗପାଳ ରୂପେ ବିବେଚନା କରନ୍ତି l
ଏହି ଦଶଗୋଟି ଖୁମ୍ବ ବା ଦଶଦିଗପାଳଙ୍କୁ ସାକ୍ଷୀ ରଖି ସ୍ଥାନୀୟ ଅଞ୍ଚଳର ଲୋକେ ନ୍ୟାୟ ନିଶାପ ଆଦି କାର୍ଯ୍ୟରେ ଶପଥପାଠ କରିଥାଆନ୍ତି l ହୁଏତ ଏହି ଦଶଗୋଟି ଖୁମ୍ବ ପ୍ରାଚୀନ ମନ୍ଦିରର ଜଗମୋହନ ବା ନାଟ ମଣ୍ଡପର ଖୁମ୍ବ ମଧ୍ୟ ହୋଇ ଥାଇପାରେ, ହେଲେ ଏହା କେବଳ ଏକ ଅନୁମାନ ମାତ୍ର l ଏଣୁ, ଏହା ଉପରେ ଅଧିକ ଅନୁସନ୍ଧାନ ନିହାତି ଆବଶ୍ୟକ l
ଢେଙ୍କାନାଳ ସହରରେ ଥିବା ଶ୍ରୀ ସିଦ୍ଧବଳରାମଜୀଉଙ୍କ ପ୍ରତିମା ଏକ ସମୟରେ ଏହି ଦଶଖୁମ୍ବ ମନ୍ଦିରରେ ପୂଜା ପାଉଥିଲେ l ଇତିହାସରୁ ଯାହା ଜଣାଯାଏ, ଗଙ୍ଗବଂଶୀ ସମ୍ରାଟ ଅନଙ୍ଗଭୀମ ଦେବ ତୃତୀୟ, ବଳରାମଙ୍କ ଏହି ମଣି ବିଗ୍ରହକୁ ପ୍ରାଚୀନ ଢେଙ୍କାନାଳର ନାଧରା ନିକଟ ତଳମୂଳଗଡ଼ ଅଞ୍ଚଳରୁ ଭୀମନଗରୀଗଡ଼କୁ ଆଣିଥିଲେ l ଦ୍ୱାଦଶ ଶତାବ୍ଦୀ ବେଳକୁ ଭୀମନଗରୀଗଡ଼ର ସେ ଶାସକ ଥିଲେ l
   
ସପ୍ତଫେଣୀ ଅନନ୍ତ ଅବତାର ଶ୍ରୀବିଷ୍ଣୁଙ୍କ ବଳଭଦ୍ର ରୂପୀ ଏହି ପ୍ରତିମାକୁ ଅନଙ୍ଗଭୀମ ଦେବ ପୁରୀ ନେବା ବାଟରେ ହିନ୍ଦୋଳ ନିକଟରେ ଦଶଖମ୍ବ ମଣ୍ଡପରେ ସ୍ଥାପନ କରିଥିଲେ l ମାତ୍ର ପରବର୍ତ୍ତୀ ସମୟରେ ବିଧର୍ମୀଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ସେହି ବିଗ୍ରହଙ୍କୁ କରଡ଼ବିନ୍ଧା ଗ୍ରାମକୁ ସ୍ଥାନାନ୍ତର କରାଯାଇ ପାତାଳି କରାଯାଇଥିଲା l ପରବର୍ତ୍ତୀ ସମୟରେ ଏହି ବିଗ୍ରହ ଉଦ୍ଧାର ହୋଇ ଢେଙ୍କାନାଳ ସହରରେ ଥିବା ସିଦ୍ଧ ବଳରାମ ମନ୍ଦିରରେ ପୂଜା ପାଉଛନ୍ତି l
ଭଗବତୀ ମହିଷାମର୍ଦ୍ଦିନୀ ଦୁର୍ଗାଙ୍କ ଏହି ଦୁର୍ଗାମାଧବ ମନ୍ଦିର ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ରୂପେ ପରିଚିତ l ସହସ୍ର ବର୍ଷ ପ୍ରାଚୀନ ଏହି ମନ୍ଦିରକୁ ଜଣେ ଚାହିଁଲେ ବର୍ଷର ଯେ କୌଣସି ସମୟରେ ଆସି ଦୁର୍ଗାମାଧବଙ୍କ ଦର୍ଶନ କରିପାରିବ l ଶାରଦୀୟ ଓ ବାସନ୍ତୀକ ଦୁର୍ଗାପୂଜା ଅବସରରେ ଏଠାରେ ପ୍ରବଳ ଜନ ସମାଗମ ହୋଇଥାଏ l
© Trilochan Swain
ଦୁର୍ଗାମାଧବ ମନ୍ଦିର (Durgamadhab Mandir), ଗ୍ରାମ ଗଡ଼ତଳମୂଳ (Gadatalamula), ବଅଁରପାଳ ତହସିଲ, ଜିଲ୍ଲା ଅନୁଗୁଳ

Leave a Comment

Your email address will not be published. Required fields are marked *

Scroll to Top