ଦଣ୍ଡା ବାଳୁଙ୍ଗା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

“ବାଳୁଙ୍ଗା ତ ବାଳୁଙ୍ଗା ଏ ଦଣ୍ଡା ବାଳୁଙ୍ଗା ପୁଣି କିସ ?”

ଏହାର ଉତ୍ତର ଜାଣିଵାକୁ ହେଲେ ପ୍ରଥମେ ଆମ ଭାଷାର ଏହି ଦୁଇଗୋଟି ଶବ୍ଦ ଦଣ୍ଡା ଓ ବାଳୁଙ୍ଗାର ଅନୁଶୀଳନ କରିଵାକୁ ହେଵ ।

ଆମ ଭାଷାରେ ନୀଵାର ଧାନକୁ ବାଳୁଙ୍ଗା କୁହାଯାଏ ତେବେ ଏ ଶବ୍ଦର ଅନ୍ୟ ଅର୍ଥଗୁଡ଼ିକ ହେଲା:
୧. ଅଯୋଗ୍ଯ
୨. ଦୁଷ୍ଟ ଵ୍ୟକ୍ତି
୩. ଅଧମ ଵ୍ୟକ୍ତି
୪. ମୁର୍ଖ ଵ୍ୟକ୍ତି

ଧାନ ତିନିଵର୍ଷରେ ବାଳୁଙ୍ଗା ଵା ନୀଵାର ହୁଏ ତାକୁ ଲକ୍ଷ୍ୟ କରି ଓଡ଼ିଆ ଭାଷାରେ ଢଗ ରହିଛି,
“ତିନି ଵରଷରେ ଧାନ ବାଳୁଙ୍ଗା,
ତିନି ପୁରୁଷରେ କୁଳ ବାଳୁଙ୍ଗା”

ନୀଵାର ଧାନକୁ ସାଧାରଣତଃ ଅଯୋଗ୍ୟ, ଅଧମ ବିଚାର କରାଯାଏ, କାରଣ କୌଣସି ଦୁଷ୍ଟ ଵ୍ୟକ୍ତି ଭଳି ଇଏ ଶିଘ୍ର ଵୃଦ୍ଧି ପାଇ ଶସ୍ୟଧାନ୍ଯ ଗଛକୁ ବଢି଼ଵାକୁ ଦିଏ ନାହିଁ ଓ ତାହାର ଅଭିଵୃଦ୍ଧିରେ ପ୍ରତିବନ୍ଧକ ସୃଷ୍ଟି କରେ ପୁଣି ଶିଘ୍ର ନିଜ ମଞ୍ଜି ଝଡେ଼ଇ ମରିଯାଏ । ତହିଁ ଆରଵର୍ଷ ସେଇ ମଞ୍ଜିରୁ ପୁନଃ ନୀଵାର ଗଛ ଉଠି କୃଷକର କ୍ଷତି ଘଟାଇଥାଆନ୍ତି । ଅନ୍ୟର ସର୍ଵଥା କ୍ଷତି ଘଟାଉଥିଵା  ଲୋକ ଆଦୌ ମଙ୍ଗଳକାରକ ନୁହେଁ ବୋଲି ସମାଜରେ ସେମାନଙ୍କୁ ମୂର୍ଖ ଅଭିହିତ କରାଯାଏ ।


ତେବେ ବାଳୁଙ୍ଗା ତ ବାଳୁଙ୍ଗା ଏ ଦଣ୍ଡା ବାଳୁଙ୍ଗା ପୁଣି କିସ ? ଦଣ୍ଡା ଶବ୍ଦର ଅର୍ଥ ଅନ୍ଵେଷଣରେ ହୁଏତ ଏହାର ଉତ୍ତର ମିଳିପାରେ । ଆମ ଭାଷାରେ ଦଣ୍ଡା ଶବ୍ଦର ଅନେକ ଅର୍ଥରେ ପ୍ରୟୋଗ ରହିଛି । ଯଥା:

କ) ଶଗଡ଼ର ଲମ୍ବ ଦଣ୍ଡଦ୍ବୟକୁ ଦଣ୍ଡା କୁହାଯାଏ
ଖ) ଯଷ୍ଟି,ଠେଙ୍ଗା ଵାଲମ୍ବା ବାଡ଼ିକୁ ଓଡ଼ିଆ ଭାଷାରେ ଦଣ୍ଡା ଓ ହିନ୍ଦୀରେ ଡଂଡା କୁହାଯାଏ 
ଗ) ପଡ଼ିଆ ଵା ପତିତ ଭୂମିକୁ ମଧ୍ୟ ଦଣ୍ଡା କୁହାଯାଏ
ଘ) ଗୋଚର ପଡ଼ିଆକୁ ଦଣ୍ଡା କୁହାଯାଏ
ଙ) ଗ୍ରାମପଥକୁ ଦଣ୍ଡା ଓ ଦାଣ୍ଡି ଆଦି କୁହାଯାଏ
ଚ) ଵ୍ୟୟାମ କରିଵା ଵା ଦଣ୍ଡ ଭାଙ୍ଗିଵାକୁ ବି ଦଣ୍ଡା କୁହାଯାଏ
ଛ) ଆଖୁଗଛର ପତ୍ରଶୂନ୍ୟ ଲମ୍ବ ଡାଙ୍ଗ ଵା ଛଡ଼କୁ ଦଣ୍ଡା କହିଥାଆନ୍ତି
ଜ) ଦାଣ୍ଡି ଅର୍ଥାତ୍ ଲମ୍ବା ସିଧା ବାଟକୁ ଦଣ୍ଡା କୁହାଯାଏ
ଝ) ଗୋଦଣ୍ଡା ଵା ଗୋରୁମାନଙ୍କ ଯାତାୟାତ କରିବା ସକାଶେ ଗ୍ରାମରୁ ଗ୍ରାମାନ୍ତରକୁ ପଡ଼ିଥିଵା ରାସ୍ତାକୁ ମଧ୍ଯ ବେଳେ ବେଳେ କେଵଳ ଦଣ୍ଡା କୁହାଯାଏ
ଞ) ଦଣ୍ଡ ପରି ଲମ୍ବ ଠେଙ୍ଗା ଆଦି ଵସ୍ତୁକୁ ଦଣ୍ଡା କୁହାଯାଏ*
ଟ) ବାଉଁଶ ଦଣ୍ଡ ପରି ଭୂମିରେ ଲମ୍ବ ହୋଇ ପତିତ ହେଵାକୁ ବି ଦଣ୍ଡା ହୋଇ ପଡିଵା କୁହାଯାଏ
ଠ) ଶଗଡ଼ର ଗୁଳା; ଶଗଡ଼ ଚକ ଦ୍ବାରା ଭୂମିରେ ଚିହ୍ନିତ ପଥ ଵା ଶଗଡ଼ ଦଣ୍ଡାକୁ ମଧ୍ୟ କେଵଳ ଦଣ୍ଡା କୁହାଯାଏ

ପୁନଶ୍ଚ ଓଡ଼ିଆ ଭାଷାରେ ଦଣ୍ଡିତ କରିଵା ଅର୍ଥରେ ଦଣ୍ଡାଇଵା ବୋଲି ଏକ କ୍ରିୟା ଶବ୍ଦ ରହିଛି ଯାହାର ମୂଳ ଓଡ଼ିଆ ଧାତୁରୂପ ହେଲା ଦଣ୍ଡା ।

ସମ୍ଭଵତଃ ଦଣ୍ଡା ବାଳୁଙ୍ଗା ଶବ୍ଦଟି ଦଣ୍ଡାଇଵା ଯୋଗ୍ୟ ହୀନ-ଅଧମ—ଦୁଷ୍ଟ—ପାମର ଵ୍ୟକ୍ତି ଅର୍ଥରେ ଵ୍ୟଵହାର ହେଵା ଆରମ୍ଭ ହୋଇଥିଵା ସମ୍ଭଵ ! ପୁନଶ୍ଚ ଦଣ୍ଡା ଶବ୍ଦର ଏକ ଅର୍ଥ ପଥ ଵା ଗ୍ରାମ ପଥ ତେଣୁ ଯେଉଁ ମୂଢ଼ମତି ଵ୍ୟକ୍ତି ଗାଆଁ ଦାଣ୍ଡରେ ଅଯଥା ଗୋଳ କରେ ଲୋକଙ୍କ ସହିତ କଳି କରେ ତାକୁ ଦଣ୍ଡା ବାଳୁଙ୍ଗା କୁହାଯାଇଥିଵ ।

ମତାନ୍ତରେ ଯେଉଁ ବାଳୁଙ୍ଗା ଵ୍ୟକ୍ତି ଦଣ୍ଡ ଵା ଠେଙ୍ଗା ଦ୍ଵାରା ସାବାଡ଼ କରିଵା ଯୋଗ୍ଯ ସମ୍ଭଵତଃ ସେ ହେଉଛି ଦଣ୍ଡା ବାଳୁଙ୍ଗା ।

ସମ୍ଭଵତଃ ଯେଉଁ ବାଳୁଙ୍ଗା ଵ୍ଯକ୍ତି ଅଧିକ ଦୁଷ୍ଟ ହୋଇ ଆପଣା ମୂର୍ଖାଣ୍ଡିଆପଣ ପ୍ରଦର୍ଶନ ପୂର୍ଵକ ଗ୍ରାମପଥରେ ନାନାଦି ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ହେଉଥିଲା ଏଵଂ ବାରମ୍ବାର ଦଣ୍ଡାରେ ଅର୍ଥାତ୍ ଠେଙ୍ଗାରେ ଦଣ୍ଡିତ ହୋଇ ସୁଦ୍ଧା ସୁଧୁରୁ ନଥିଲା ତାକୁ ଆମ ଭାଷାରେ ଦଣ୍ଡା ବାଳୁଙ୍ଗା କୁହାଗଲା ।

ତେବେ ଶ୍ରୀସୁଶିଲ କୁମାର ନନ୍ଦ ମହାଶୟଙ୍କ ମତ ଏଠାରେ ପ୍ରଣିଧାନଯୋଗ୍ୟ । ମହାଶୟଙ୍କ ମତରେ: “ବେଶୀ ନୁହେଁ, ମାତ୍ର ପଚାଶ ବର୍ଷ ତଳେ ଆଜିକାଲି ଭଳି ଗ୍ରାମ ସଂଯୋଗୀ ପିଚୁ କି କଂକ୍ରିଟ ରାସ୍ତା ନଥିଲା। ଗ୍ରାମ ରୁ ଗ୍ରାମକୁ ଯିବା ପାଇଁ ବିଲ ହୁଡା, ପାଦ ଚଲା ରାସ୍ତା ଥିଲା। ଏହା ଛଡ଼ା ଥିଲା ସଂକୀର୍ଣ୍ଣ ରାସ୍ତାମାନ ଯାହାର ଓସାର ଛଅ ହାତ ଖଣ୍ଡେ ରହୁଥିଲା। ଏବେ ବି ଏ ଭଳି ରାସ୍ତା କେଉଁଠି କେଉଁଠି ଦେଖିବାକୁ ମିଳିବ। ଏ ରାସ୍ତାଗୁଡିକ ମୁଖ୍ୟତଃ ଶଗଡ଼ ଯିବା ଉଦ୍ଦେଶ୍ୟରେ ତିଆରି ହେଉଥିଲା। ମଣିଷ, ଗୋରୁଗାଈ ଯିବା ଆସିବା ଦ୍ବାରା ଏବଂ ସମ୍ୟକ ମଣିଷ ହାତ ଲାଗି ଏ ସବୁ ମାଟି ରାସ୍ତା ତିଆରି ହେଉଥିଲା। ଶଗଡ଼ ଯିବା ଫଳରେ ଏହାର ଦୁଇ ଚକ ଯେଉଁ ଅଂଶରେ ଯାଉଥିଲା ତାହା ଦଵି କରି ରହୁଥିଲା। ଏହାକୁ ଦଣ୍ଡା ରାସ୍ତା କୁହା ଯାଉଥିଲା। ବିଲମାନ ଦେଇ ଏହି ଦଣ୍ଡା ରାସ୍ତା ଗଲା ବେଳେ ରାସ୍ତା ଦୁଇ କଡ଼ରେ ବାଳୁଙ୍ଗା ଦେଖା ଯାଉଥିଲା। ଏ ସବୁ ନିଜେ ଉଠୁଥିଲେ କିମ୍ବା ଚାଷୀମାନେ ପାଖ ବିଲରୁ ବାଳୁଙ୍ଗା ବାଛି ଦଣ୍ଡା ରାସ୍ତା ଦୁଇ କଡ଼କୁ ଫିଙ୍ଗି ଦେବା ଫଳରେ ଘଟୁଥିଲା।

ଏ ସବୁ ବାଳୁଙ୍ଗା ବା ଦଣ୍ଡା ବାଳୁଙ୍ଗା ବୁଦା ଗାଈଗୋରୁ ମାନଙ୍କ ମଡ଼ା ଚକଟା, ଶଗଡ଼ ଚକ ତଳେ ପେଷି ହେବା ଭଳି ବାରମ୍ବାର ଆଘାତ ପାଉଥିଲେ ମଧ୍ୟ ମରୁ ନଥିଲେ। ନଇଁ ଯାଇଥିଵେ, ପୁଣି ଦି ଘଣ୍ଟା ପରେ ଯେଉଁ ସିଧାକୁ ସେଇ ସିଧା।

ଆମ ବାଳୁଙ୍ଗା ପିଲାମାନଙ୍କ ଭିତରୁ କେତେକ ମାଡ଼ ଗାଳି, ବୁଝା ସୁଝା ଫଳରେ ସୁଧୁରି ଯାଆନ୍ତି। କିନ୍ତୁ କେତେକଙ୍କୁ ଯେତେ ଯାହା କର ସେମାନେ ଯାହାକୁ ତାହା। ଏମାନଙ୍କୁ ସେଥିପାଇଁ  କୁହାଯାଏ ଦଣ୍ଡା ବାଳୁଙ୍ଗା।

କଥା ହେଉଛି, ଆମେମାନେ ବେଳେ ବେଳେ ଏମିତି ଶବ୍ଦ ସବୁ ବ୍ୟବହାର କରୁ ଯାହାର ଅର୍ଥ ଆମେ ଜାଣି ନଥାଉ। ଅନ୍ୟମାନେ କହୁଥିବାର ଦେଖି ଆମେ ବି କହିଥାଉ। ଅର୍ଥ ବୁଝି କଥା ନକହିଲେ ବେଳ ପଡ଼ିଲେ ଅସୁବିଧାରେ ପଡ଼ିବା ସାର ହୁଏ।”

ଵସ୍ତୁତଃ ଦଣ୍ଡା ବାଳୁଙ୍ଗା ଆମ ଭାଷାର ଏମିତି ଏକ ଶବ୍ଦ ଯାହାକୁ ଶାବ୍ଦିକ, ସାଂସ୍କୃତିକ ଓ ଭାଵଗତ ଆଧାରରେ ଵିଭିନ୍ନ ପ୍ରକାରେ ଵ୍ୟାଖ୍ୟା କରାଯାଇପାରେ । 

Leave a Comment

Your email address will not be published. Required fields are marked *

Scroll to Top