ଲେଖା: ଶ୍ରୀକାନ୍ତ ସିଂହ
~ ମନ୍ଦିରମାଳିନୀ ଆଠଗଡ଼ ଗଡ଼ଜାତର ସଂକ୍ଷିପ୍ତ ଇତିହାସ ଓ ଦକ୍ଷିଣଚଣ୍ଡୀ ମନ୍ଦିର ~
ଓଡ଼ିଶାର ଛବିଶ ଗୋଟି ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ଆଠଗଡ଼ ଗଡ଼ଜାତ ହେଉଛି ଅନ୍ୟତମ l ଏହାର ସ୍ୱତନ୍ତ୍ରତା ହେଲା ଏହି ଗଡ଼ଜାତ ରାଜ୍ୟର ରାଜବଂଶ ଜାତିରେ କରଣ ଥିଲେ l ଏଣୁ ଆଠଗଡ଼ ରାଜଗାଦିକୁ କରଣ ରାଜଗାଦି ବୋଲି କୁହାଯାଏ l ଏହି ଗଡ଼ଜାତ ରାଜ୍ୟ 1178 ମସିହାରେ ଓଡିଶାର ଗଙ୍ଗସମ୍ରାଟ ରାଜରାଜ ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା l ଇତିହାସରୁ ଯାହା ଜଣାଯାଏ, ଗଙ୍ଗ ସମ୍ରାଟ ନିଜ କନ୍ୟାକୁ ନୀଳାଦ୍ରି ଵେବର୍ତ୍ତl ପଟ୍ଟନାୟକଙ୍କ ସହ ବିବାହ ଦେଇ ଆଠଗଡ଼ ରାଜ୍ୟକୁ ଯୌତୁକ ରୂପେ ପ୍ରଦାନ କରିଥିଲେ l ଏହି ନୀଳାଦ୍ରି ଵେବର୍ତ୍ତl ପଟ୍ଟନାୟକ ଗଙ୍ଗସମ୍ରାଟଙ୍କର ପ୍ରଧାନମନ୍ତ୍ରୀ ଥିଲେ ବୋଲି ଇତିହାସରେ ଉଲ୍ଲେଖ ରହିଛି l
ନୀଳାଦ୍ରି ଵେବର୍ତ୍ତା ପଟ୍ଟନାୟକ ପ୍ରଥମେ ବାଳି ଠାରେ ନିଜ ରାଜଧାନୀ ପ୍ରତିଷ୍ଠା କରିଥିଲେ l ସେଥିପାଇଁ ଆଠଗଡ଼ ମଧ୍ୟ ବାଳି ଆଠଗଡ଼ ଭାବେ ପରିଚିତ l ଗଙ୍ଗ ସମ୍ରାଟ ରାଜରାଜ ଦେବ ତାଙ୍କୁ “ଶ୍ରୀକରଣ” ଉପାଧି ପ୍ରଦାନ କରିଥିଲେ l ତେଣୁ ଆଠଗଡ଼ ରାଜବଂଶର ଉପାଧି ହେଉଛି “ଶ୍ରୀକରଣ ଵେବର୍ତ୍ତl ପଟ୍ଟନାୟକ” l ଆଠଗଡ଼ର ଅଣତିରିଶତମ ରାଜା ବିଶ୍ୱନାଥ ଶ୍ରୀକରଣ ଵେବର୍ତ୍ତା ପଟ୍ଟନାୟକ ନିଜ ବଂଶକୁ କ୍ଷତ୍ରୀୟ ମାନଙ୍କ ଗୁଣ ସହ ସମକକ୍ଷ କରିବାକୁ ଯାଇ “ଦେବବର୍ମା” ସାଙ୍ଗିଆଟି ଯୋଗ କଲେ l ତେଣୁ ଅଣତିରିଶ ଓ ତିରିଶିତମ ରାଜାଙ୍କ ନାମ ପଛରେ ଦେବବର୍ମା ବ୍ୟବହାର ହୋଇଥିବାର ଦେଖାଯାଏ l 1178ରୁ 1947 ମସିହା ପର୍ଯ୍ୟନ୍ତ ଆଠଗଡ଼ରେ ମୋଟ ତିରିଶି ଜଣ ରାଜା ଶାସନ କରିଥିଲେ l
![](https://antarangakalinga.org/wp-content/uploads/2022/06/k12-300x135.jpg)
(ଆଠଗଡ଼ ସହରସ୍ଥିତ କୃଷ୍ଣ ବଲ୍ଳଭ ବା ମାଉସୀ ମାଆ ମନ୍ଦିର)
ଆଠଗଡ଼ ଗଡ଼ଜାତର ରାଜକୀୟ ଚି଼ହ୍ନ ହେଉଛି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି l ରାଜବଂଶର ବାଇଶି ତମ ରାଜା ଗୋପୀନାଥ ଵେବର୍ତ୍ତା ପଟ୍ଟନାୟକଙ୍କ ସମୟରେ ରାଜ୍ୟର ରାଜଧାନୀ ବାଳିରୁ ଆଠଗଡ଼ ନିଜିଗଡ଼କୁ ଉଠିଆସିଥିଲା l ରାଜା ଗୋପୀନାଥ ଗଡ଼ଦେବୀ ରୂପେ ମାଆ ବାଉତିଙ୍କୁ ପ୍ରତିଷ୍ଠା କରିଥିଲେ l ପୁରୀର ତତ୍କାଳୀନ ଗଜପତି ରାଜାଙ୍କ ଠାରୁ ପତିତପାବନ ମୂର୍ତ୍ତି ଆଣି ନିଜିଗଡ଼ରେ ଏକ ଆଟୁଘର କରି ପ୍ରତିଷ୍ଠା କରିଥିଲେ l ପରବର୍ତ୍ତୀ ସମୟରେ ଏହି ଶବ୍ଦଟି ଅପଭ୍ର°ଶ ହୋଇ ଆଟୁରୁ ଅଟାଳି ହୋଇଥିବା ଅନୁମାନ ସାପେକ୍ଷ l ସେଥିପାଇଁ ଏଠାରେ ପତିତପାବନ ଅଟାଳି ଜଗନ୍ନାଥ ନାମରେ ନାମିତ ହେଲେ l
![](https://antarangakalinga.org/wp-content/uploads/2022/04/a13-1-189x300.jpg)
(ଅଟାଳି ଜଗନ୍ନାଥ ମନ୍ଦିର)
ଆଠଗଡ଼ର ଅଠେଇଶତମ ଶାସକ ଶ୍ରୀକରଣ ରଘୁନାଥ ଵେବର୍ତ୍ତା ପଟ୍ଟନାୟକ ଓ ତାଙ୍କ ପାଟରାଣୀ ଗୌରୀମାଳି ପାଟମହାଦେବୀ ଭଗବାନ ରାମଚନ୍ଦ୍ରଙ୍କ ପରମ ଭକ୍ତ ଥିଲେ l ରାଜା ରଘୁନାଥ ମାତ୍ର ଏକବର୍ଷ ରାଜତ୍ବ କରି 1894-1896 ମସିହାରେ ମୃତ୍ୟୁବରଣ କଲେ l ମୃତ୍ୟୁ ପୂର୍ଵରୁ ରାଜା କଳାମୁଗୁନି ପଥର ନିର୍ମିତ ଶ୍ରୀରାମଚନ୍ଦ୍ର, ମାର୍ବଲ ପ୍ରସ୍ତର ନିର୍ମିତ ଶ୍ରୀଲକ୍ଷ୍ମଣ ଓ ଅଷ୍ଟଧାତୁର ଦେବୀ ସୀତାଙ୍କ ମୂର୍ତ୍ତି ସଂଗ୍ରହ କରିଥିଲେ l ରାଜାଙ୍କ ଅକାଳ ମୃତ୍ୟୁ ହେବାରୁ ତାଙ୍କ ପାଟରାଣୀ ଗୌରୀମାଳୀ ସ୍ୱାମୀଙ୍କ ନାମ ଅନୁସାରେ ନିଜିଗଡ଼ରେ ରଘୁନାଥ ମନ୍ଦିର ନିର୍ମାଣ କରି ଏହି ବିଗ୍ରହମାନଙ୍କୁ ପ୍ରତିଷ୍ଠା କରିଥିଲେ l
![](https://antarangakalinga.org/wp-content/uploads/2022/06/k10-135x300.jpg)
![](https://antarangakalinga.org/wp-content/uploads/2022/06/k11-135x300.jpg)
![](https://antarangakalinga.org/wp-content/uploads/2022/04/a15-1-138x300.jpg)
(ଆଠଗଡ଼ ସହରସ୍ଥିତ ରଘୁନାଥ ମନ୍ଦିର)
ରାଜା ରଘୁନାଥ ଅପୁତ୍ରିକ ଥିବାରୁ ତାଙ୍କ ମୃତ୍ୟୁ ପରେ ତାଙ୍କ କନିଷ୍ଠ ଭ୍ରାତା ବିଶ୍ୱନାଥ 1896 ମସିହାରେ ଆଠଗଡ଼ ରାଜଗାଦି ଆରୋହଣ କଲେ l ଏହି ରାଜା ଅନେକ ଜନମଙ୍ଗଳ କାର୍ଯ୍ୟକରି ବ୍ରିଟିଶ ସରକାରଙ୍କ ଠାରୁ ରାଜାବାହାଦୂର ଉପାଧି ପାଇଥିଲେ l ସଂସ୍କୃତଭାଷାରେ ରାଜାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା l ରାଜା ଥିଲେ ରାଧାକୃଷ୍ଣଙ୍କର ପରମ ଭକ୍ତ l ସେଥିପାଇଁ ଆଠଗଡ଼ର ରାଜସ୍ବ ଗ୍ରାମ ଗୁଡିକୁ ରାଧାକୃଷ୍ଣଙ୍କ ନାମରେ ପ୍ରତିଷ୍ଠା କରିଥିଲେ l କୁହାଯାଏ 1899 ମସିହାରେ ରାଜା ଶ୍ରୀକରଣ ବିଶ୍ୱନାଥ ଵେବର୍ତ୍ତାଙ୍କ ସମୟରେ ଆଠଗଡ଼ର ଅଟାଳି ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିଲା l ରାଜା ଗୋପୀନାଥଙ୍କ ସମୟରୁ ପତିତପାବନ ଏକ ଆଟୁ ଘରେ ଥିଲେ l ପରେ ଏହି ମନ୍ଦିରରେ ପ୍ରତିଷ୍ଠିତ ହୋଇ ଅଟାଳି ଜଗନ୍ନାଥ ନାମରେ ନାମିତ ହେଲେ l
ରାଜା ବିଶ୍ୱନାଥ ଵେବର୍ତ୍ତା 1902 ମସିହାରେ ରାଧାଗୋବିନ୍ଦ ଜୀଉଙ୍କ ମନ୍ଦିର ନିଜ ପୁରୁଣା ରାଜବାଟୀ ମଧ୍ୟରେ ପ୍ରତିଷ୍ଠା କରିଥିଲେ l ପୂର୍ଵରୁ ରାଜା ବୃନ୍ଦାବନରୁ ଆଣିଥିବା ରାଧାକୃଷ୍ଣ ଓ ବଳରାମ ମୂର୍ତ୍ତିଙ୍କୁ ଏହି ମନ୍ଦିରରେ ପ୍ରତିଷ୍ଠା କରିଥିଲେ l କୁହାଯାଏ ଏହି ମନ୍ଦିରରେ ପ୍ରତ୍ୟହ ଦିଅଁ ଦର୍ଶନ ପରେ ରାଜା ବିଶ୍ୱନାଥ ଵେବର୍ତ୍ତା ଓ ତାଙ୍କର ଦୁଇରାଣୀ ରାଧାପ୍ରିୟା ପାଟମହାଦେବୀ ଓ କୃଷ୍ଣପ୍ରିୟା ଦେବୀ ଜଳପାନ କରୁଥିଲେ l ରାଣୀ କୃଷ୍ଣପ୍ରିୟାଙ୍କ ଗର୍ଭରୁ ଯୁବରାଜ ରାଧାନାଥ ଜନ୍ମ ହୋଇଥିଲେ l
![](https://antarangakalinga.org/wp-content/uploads/2022/04/a2-2-300x169.jpg)
![](https://antarangakalinga.org/wp-content/uploads/2022/04/a1-2-300x169.jpg)
(ଆଠଗଡ଼ ସହରସ୍ଥିତ ରାଧାଗୋବିନ୍ଦ ଜୀଉ ବା ଝୁଲଣ ମନ୍ଦିର)
ରାଜା ବିଶ୍ୱନାଥ ଵେବର୍ତ୍ତାଙ୍କ ମୃତ୍ୟୁ 1918 ମସିହାରେ ହୋଇଥିଲା l ତାଙ୍କ ମୃତ୍ୟୁ ସମୟରେ ଯୁବରାଜ ରାଧାନାଥ ମାତ୍ର ଦଶ ବର୍ଷ ବୟସର ନାବାଳକ ଥିବାରୁ ଆଠଗଡ ରାଜ୍ୟ Court of Wards ଅଧୀନରେ 1932 ମସିହା ପର୍ଯ୍ୟନ୍ତ ଶାସିତ ହେଲା l ରାଧାନାଥ ମଧ୍ୟପ୍ରଦେଶ ରାୟପୁର ସ୍ଥିତ ରାଜକୁମାର କଲେଜରେ ନିଜ ଉଚ୍ଚଶିକ୍ଷା ଶେଷ କରି 1932 ମସିହାରେ ରାଜ୍ୟଶାସନ ଭାର ଗ୍ରହଣ କଲେ l ପାଶ୍ଚାତ୍ୟ ଜଗତ ସହ ତାଳ ଦେଇ ଚାଲିବା ଥିଲା ଏହି ରାଜାଙ୍କର ମୁଖ୍ୟ ସଉକ l ନିଜ ପାଇଁ ଉଡ଼ାଜାହାଜ କିଣିବା ସହ ନିଜ ପୁରାତନ ରାଜବାଟୀକୁ ଛାଡି ଛୋଟ ମୁଣ୍ଡିଆ ଉପରେ ଏକ ସୁରମ୍ୟ ଅଟ୍ଟାଳିକା ନିର୍ମାଣ କରି ରାଜା ତାଙ୍କର ନୂତନ ରାଜବାଟୀ ପ୍ରତିଷ୍ଠା କଲେ l ଯାହାକି ପରବର୍ତ୍ତୀ ସମୟରେ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଭାବେ ପରିଚିତ ହେଲା l
![](https://antarangakalinga.org/wp-content/uploads/2022/04/a12-1-300x188.jpg)
ରାଜା ରାଧାନାଥ ଵେବର୍ତ୍ତା ହିନ୍ଦୋଳ ରାଜକୁମାରୀ ସୁବର୍ଣ୍ଣମଞ୍ଜରୀଙ୍କୁ ବିବାହ କରିଥିଲେ l ରାଜ୍ୟ ଶାସନକୁ ନେଇ ବ୍ରିଟିଶ ସରକାରଙ୍କ ସହ ତିକ୍ତତା ବୃଦ୍ଧି ପାଇବାରୁ ବ୍ରିଟିଶ ସରକାରଙ୍କ ଆଦେଶରେ 1943 ମସିହାରେ ରାଜା ରାଧାନାଥ ଓ ରାଣୀ ରାଜ୍ୟ ଛାଡି ହରଦ୍ୱାରରେ ଅବସ୍ଥାନ କଲେ l ଦିବ୍ୟଜୀବନ ସଙ୍ଘର ପ୍ରତିଷ୍ଠାତା ଶିବାନନ୍ଦ ସରସ୍ବତୀଙ୍କ ଠାରୁ ଦୀକ୍ଷା ଗ୍ରହଣ କରି ସ୍ୱାମୀ ବିଦ୍ୟାନନ୍ଦ ସରସ୍ବତୀ ନାମରେ ନାମିତ ହେଲେ l 1940-41 ମସିହାରେ ଆଠଗଡ଼ର ରାଜମାତା କୃଷ୍ଣପ୍ରିୟା ଦେବୀ କୃଷ୍ଣବଲ୍ଲଭ ମନ୍ଦିର ନିର୍ମାଣ କରି ମନ୍ଦିରର ଗର୍ଭଗୃହରେ ରାଧାକୃଷ୍ଣଙ୍କ କମନୀୟ ମୂର୍ତ୍ତି ପ୍ରତିଷ୍ଠା କଲେ l ଏହି ମନ୍ଦିରରେ ଅଟାଳି ଜଗନ୍ନାଥ ଗୁଣ୍ଡିଚା ଯାତ୍ରା ସମୟରେ ନବଦିନ ପାଇଁ ଅବସ୍ଥାନ କରୁଥିବାରୁ ଏହି କୃଷ୍ଣ ବଲ୍ଳଭ ମନ୍ଦିର ମାଉସୀ ମାଆ ମନ୍ଦିର ନାମରେ ପରିଚିତ l
![](https://antarangakalinga.org/wp-content/uploads/2022/04/a14-1-225x300.jpg)
![](https://antarangakalinga.org/wp-content/uploads/2022/06/k9-135x300.jpg)
(ଆଠଗଡ଼ ସହରସ୍ଥିତ ଏକ ପାହାଡ଼ ମୁଣ୍ଡିଆ ଉପରେ ଥିବା ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର)
ଆଠଗଡ଼ର ରାଜା ରାଣୀ 1947 ମସିହାରେ ନିଜ ରାଜ୍ୟକୁ ଫେରି ଆସିଥିଲେ ଏବଂ ଗଡ଼ଜାତ ମିଶ୍ରଣରେ ଆଠଗଡ଼ ରାଜା ରାଧାନାଥ ସର୍ବପ୍ରଥମେ ସ୍ଵାକ୍ଷର କରିଥିଲେ l 1983 ଜୁଲାଇ ମାସରେ ରାଜା ରାଧାନାଥ ପୁରୀରେ ଶେଷ ନିଶ୍ୱାସ ତ୍ୟାଗ କଲେ l ସନ୍ୟାସ ଧର୍ମ ଗ୍ରହଣ କରିଥିବାରୁ ପୁରୀର ଶଙ୍କରାନନ୍ଦ ମଠରେ ତାଙ୍କୁ ସମାଧିସ୍ଥ କରାଯାଇଥିଲା l 1984 ମସିହାରେ ତାଙ୍କ ପାଟରାଣୀ ସୁବର୍ଣ୍ଣ ମଞ୍ଜରୀ ପାଟମହାଦେବୀ ସେହି ପୁରୀଧାମରେ ମୃତ୍ୟୁ ବରଣ କଲେ l
![](https://antarangakalinga.org/wp-content/uploads/2022/06/k16-237x300.jpg)
(କଖଡ଼ି ଅଞ୍ଚଳର ଗ୍ରାମେଶ୍ବରଙ୍କ ଅନତୀ ଦୂରରେ ଥିବା ରାମେଶ୍ୱର ମହାଦେବ ମନ୍ଦିର)
![](https://antarangakalinga.org/wp-content/uploads/2022/06/k15-300x224.jpg)
(କଖଡ଼ି ଅଞ୍ଚଳରେ ଥିବା ଗ୍ରାମେଶ୍ବର ମହାଦେବ ମନ୍ଦିର)
![](https://antarangakalinga.org/wp-content/uploads/2022/06/k17-300x213.jpg)
(କଖଡ଼ି ଅଞ୍ଚଳର ରାମେଶ୍ୱରଙ୍କ ଠାରୁ କିଛି ଦୂରରେ ଥିବା ସର୍ପେଶ୍ୱର ମହାଦେବ ମନ୍ଦିର)
ଆଠଗଡ଼ ସହର ବ୍ୟତୀତ ଆଠଗଡ଼ ଗଡ଼ଜାତ ଅଞ୍ଚଳରେ କେତେଗୁଡ଼ିଏ ପ୍ରାଚୀନ ମନ୍ଦିର ରହିଛି, ଆଉ ସେଇ ପ୍ରାଚୀନ ମନ୍ଦିର ଗୁଡ଼ିକ ହେଲା, ମହାନଦୀ ଗର୍ଭସ୍ଥ ଅମଙ୍ଗେଇ କୁଦରେ ଥିବା ପଶ୍ଚିମେଶ୍ୱର ମନ୍ଦିର, କଖଡ଼ି ନିକଟରେ ଥିବା ପ୍ରାଚୀନ ଗ୍ରାମେଶ୍ବର, ରାମେଶ୍ୱର ଓ ରାମେଶ୍ୱର ମନ୍ଦିର ଠାରୁ ଅଳ୍ପ କିଛି ଦୂରରେ ଥିବା ସର୍ପେଶ୍ୱର ଓ ପାହାଡ଼ ଉପରେ ଥିବା ସିଦ୍ଧେଶ୍ୱର ମନ୍ଦିର ତଥା ମହାନଦୀ ଗର୍ଭରେ ଥିବା ପ୍ରସିଦ୍ଧ ଧବଳେଶ୍ୱର ମହାଦେବ ମନ୍ଦିର ଇତ୍ୟାଦି l
![](https://antarangakalinga.org/wp-content/uploads/2022/06/k18-169x300.jpg)
(ମହାନଦୀ ଗର୍ଭରେ ଥିବା ପ୍ରଭୁ ଧବଳେଶ୍ୱର)
ଶାସନର ସୁବିଧା ପାଇଁ ଆଠଗଡ ରାଜ୍ୟ ଆଠଟି ଗଡ଼ରେ ବିଭକ୍ତ ହୋଇଥିଲା l ଯଥା:
1. ନିଜିଗଡ଼ ଜଗନ୍ନାଥ ପ୍ରସାଦ: ଏହା ବର୍ତ୍ତମାନର ଆଠଗଡ଼ ସହର ଅଟେ l ରାଜତନ୍ତ୍ର ସମୟରେ ଏହା ଆଠଗଡ଼ ଗଡଡ଼ଜାତର ରାଜଧାନୀ ଥିଲା l
2. କଖଡ଼ି ବିଶ୍ୱନାଥ ପ୍ରସାଦ: ବର୍ତ୍ତମାନର କଖଡ଼ି ବିଶ୍ୱନାଥ ପ୍ରସାଦ ନାମରେ ନାମିତ ଥିଲା l ଏହା ଆଠଗଡ଼ ଗଡଜାତର ବାଣିଜ୍ୟର ପେଣ୍ଠସ୍ଥଳୀ ଥିଲା l
3. ଯେନାପଦା ଦେଶ: ବର୍ତ୍ତମାନର ଯେନାପଦା, ଯେନାପଦା ଦେଶ ନାମରେ ପରିଚିତ ଥିଲା l
4. ମେଘା ଗୋପାଳ ପ୍ରସାଦ: ଆଧୁନିକ ମେଘା ଗୋପାଳ ପ୍ରସାଦ ନାମରେ ପରିଚିତ ଥିଲା l
5. ଗୌଡ଼ଝରୀ ତଳଗଡ଼: ବର୍ତ୍ତମାନର ଗୌଡ଼ଝରୀ ଗ୍ରାମ ତଳଗଡ଼ ନାମରେ ପରିଚିତ ଥିଲା l
6. ରାଜକୁରୀ ସରଳ ଗଡ଼: ଏହା କପିଳାସ ନିକଟରେ ଆଠଗଡ଼ ଓ ଢେଙ୍କାନାଳ ମଧ୍ୟରେ ସୀମା l ପୂର୍ବେ ଆଠଗଡ଼ ଗଡ଼ଜାତ ରାଜ୍ୟର ସୀମା ଏହି ପର୍ଯ୍ୟନ୍ତ ବିସ୍ତୃତ ଥିଲା l
7. ବଳରାମ ପ୍ରସାଦ: ବର୍ତ୍ତମାନର ବଳରାମପୁର ଗ୍ରାମ l ଏଠାରେ ପ୍ରସିଦ୍ଧ ଶମ୍ଭୁ ସର୍ପେଶ୍ୱର ମହାଦେବ ବିରାଜିତ l ଜନଶ୍ରୁତି ଅନୁସାରେ ଏହି ଠାକୁର ମହାଭାରତ ଯୁଗର l
8. ନବେଢା: ଏହା ଆଠଗଡ଼ର ଶେଷ ଗଡ଼ l
![](https://antarangakalinga.org/wp-content/uploads/2022/06/k1-135x300.jpg)
(କୋନ୍ତଲ ଗ୍ରାମରେ ଥିବା ମାଆ ଦକ୍ଷିଣ ଚଣ୍ଡୀ ମନ୍ଦିର)
~ ଦକ୍ଷିଣଚଣ୍ଡୀ ମନ୍ଦିର ~
ଆଠଗଡ଼ରେ ଥିବା ମନ୍ଦିର ଗୁଡ଼ିକ ବିଷୟରେ ଆଲୋଚନା କଲାବେଳେ ସର୍ବପ୍ରଥମେ ଯେଉଁ ମନ୍ଦିର କଥା ସାମ୍ନାକୁ ଆସେ ତାହା ହେଲା କନ୍ତୋଲ ଗ୍ରାମରେ ଥିବା ଦକ୍ଷିଣଚଣ୍ଡୀ ମନ୍ଦିର l କୁହାଯାଏ ମାଆ ଦକ୍ଷିଣଚଣ୍ଡୀଙ୍କ ବିଗ୍ରହ ଦୁଇ ହଜାର ବର୍ଷରୁ ଅଧିକ ପୁରୁଣା ହେବ l ଏହି ଦେବୀ ମୂର୍ତ୍ତି ଆଠଗଡ଼ ଗଡ଼ଜାତ ରାଜ୍ୟ ପ୍ରତିଷ୍ଠାର ବହୁପୂର୍ବରୁ ବିଦ୍ୟମାନ ଥିବାରୁ ଏହାଙ୍କୁ ଆଠଗଡ଼ ଗଡ଼ଜାତର ପ୍ରଥମ ଦେବୀ ମୂର୍ତ୍ତି ବା ଆଦ୍ୟ ଦେବୀ ରୂପେ ଗ୍ରହଣ କରାଯାଏ l ପ୍ରାଚୀନ କାଳରେ ଏହି ଜନପଦରେ କୁନ୍ତ ଭୋଜ ନାମରେ ଜଣେ ଶାସକ ଶାସନ କରୁଥିଲେ, ଯାହାଙ୍କ ନାମାନୁସାରେ ଗ୍ରାମର ନାମ କୋନ୍ତଲ ହୋଇଥିବା ଜନଶ୍ରୁତି ରହିଛି l ରାଜା କୁନ୍ତ ଭୋଜ ମଧ୍ୟ ମାଆ ଦକ୍ଷିଣଚଣ୍ଡୀଙ୍କୁ ନିଜର ଇଷ୍ଟଦେବୀ ରୂପେ ପୂଜା କରୁଥିଲେ l ମାତ୍ର ଦେବୀଙ୍କୁ ପ୍ରାଣ ପ୍ରତିଷ୍ଠା କରିଥିବା ଶାସକଙ୍କ ବିଷୟରେ ଇତିହାସ ଅଜ୍ଞ l
![](https://antarangakalinga.org/wp-content/uploads/2022/06/k2-135x300.jpg)
(ମା’ ଦକ୍ଷିଣ ଚଣ୍ଡୀ)
ଏହି ଦେବୀ ମୂର୍ତ୍ତି ଏକ ଚାମୁଣ୍ଡା ମୂର୍ତ୍ତି ଯାହାକି ଭୌମକର ଶାସନ ସମୟ ବା ତାର ଯଥେଷ୍ଟ ପୂର୍ଵର ବୋଲି ଅନୁମାନ କରାଯାଏ l ପୂଜକଙ୍କ କହିବାନୁଯାୟୀ ଦ୍ବିଭୁଜ ବିଶିଷ୍ଟ (ମାତ୍ର ଆଉ କେହି କେହି ମତ ଦିଅନ୍ତି ଦେବୀ ହେଉଛନ୍ତି ଦଶଭୂଜା ଏବଂ ଦେବୀଙ୍କ ହସ୍ତରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ଡମ୍ବରୁ, ପାନପାତ୍ର ଆଦି ଶୋଭା ପାଉଛି l) ଏହି ମୂର୍ତ୍ତିଟିର ସମଗ୍ର ଶରୀର କଙ୍କାଳ ସାର l ଦେବୀ ବେକରେ ନରମୁଣ୍ଡମାଳ ଧାରଣ କରିଛନ୍ତି l ଶତଦଳପଦ୍ମ ଅଙ୍କିତ ବେଦୀ ବା ଆସ୍ଥାନ ଉପରେ ଦେବୀ ଏକ ଶବ ଉପରେ (ପୂଜକଙ୍କ କହିବାନୁଯାୟୀ ଶିବଙ୍କ ଉପରେ) ବସିବା ସହ ନିଜ କନିଷ୍ଠାଙ୍ଗୁଳିକୁ ଦାନ୍ତରେ କାମୁଡ଼ି ଧରିଛନ୍ତି l ଦେବୀଙ୍କ ମୁଣ୍ଡ ପଛରେ ଏକ ହାତୀର ଚିତ୍ର ଅଙ୍କିତ ହୋଇଛି l ଦେବୀ ମୂର୍ତ୍ତିଟି କଳାମୁଗୁନି ପ୍ରସ୍ତରରେ ତିଆରି ଓ ଦେବୀଙ୍କ ସ୍ୱରୂପ ଉଗ୍ର l ଦେବୀଙ୍କ ଦୁଇପାଖରେ ଦୁଇଜଣ ସଖିମୂର୍ତ୍ତି ରହିଛନ୍ତି l ପୂଜକଙ୍କ କହିବାନୁଯାୟୀ ମା’ଙ୍କ ଏହି ପ୍ରତିମାଟି ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ଚର୍ଚ୍ଚିକାଙ୍କ ଠାରୁ ମଧ୍ୟ ପ୍ରାଚୀନ l
![](https://antarangakalinga.org/wp-content/uploads/2022/06/k8-135x300.jpg)
![](https://antarangakalinga.org/wp-content/uploads/2022/06/k5-135x300.jpg)
![](https://antarangakalinga.org/wp-content/uploads/2022/06/k3-135x300.jpg)
ସବୁଠୁ ବିଚିତ୍ର କଥା ହେଲା ଏହି ଦକ୍ଷିଣଚଣ୍ଡୀ ମନ୍ଦିର ଗାତ୍ରରେ ଜୈନ ତୀର୍ଥଙ୍କର ପାର୍ଶ୍ୱନାଥଙ୍କର କଳା ମୁଗୁନି ପଥରରେ ନିର୍ମିତ ଏକ ନିଖୁଣ ପ୍ରତିମା ଦେଖିବାକୁ ମିଳେ l ଏହି ପ୍ରତିମାଟି ଗ୍ରାମ ନିକଟରେ ଥିବା ବିଶ୍ୱନାଥ ସାଗର ବା ଜନମୁଖରେ ପରିଚିତ ବାରବାଟୀ ପୁଷ୍କରିଣୀ ଖନନ ସମୟରେ ପ୍ରାପ୍ତ ହୋଇଥିଲା l ଏହି ପୁଷ୍କରିଣୀଟିକୁ ଜ୍ୟେଷ୍ଠ ରାଜାମାତା ରାଧାପ୍ରିୟା ଦେବୀ ପ୍ରାୟ ଷାଠିଏ ହଜାର ଟଙ୍କା ଖର୍ଚ୍ଚ କରି 1918 ମସିହାରେ ଲୋକଙ୍କ ମଙ୍ଗଳ ପାଇଁ ଖୋଳାଇଥିଲେ l ଏହି ପୋଖରୀଟିର ପରିସୀମା ବାର ବାଟୀ ଅଞ୍ଚଳ ବିଶିଷ୍ଟ ହୋଇଥିବାରୁ, ଲୋକମୁଖରେ ବାରବାଟୀ ପୁଷ୍କରିଣୀ ନାମରେ ପରିଚିତ l ଏହି ପୁଷ୍କରିଣୀ କୂଳରେ ଏକ ଶିବମନ୍ଦିର ମଧ୍ୟ ରହିଛି l
![](https://antarangakalinga.org/wp-content/uploads/2022/06/k7-135x300.jpg)
![](https://antarangakalinga.org/wp-content/uploads/2022/06/k4-135x300.jpg)
ଆଠଗଡ଼ର ରାଜବଂଶ ବୈଷ୍ଣବ ଧର୍ମାବଲମ୍ବୀ ହୋଇଥିଲେ ମଧ୍ୟ ଦେବୀଙ୍କୁ ନିଜ ଗୃହଦେବୀ ବା ଇଷ୍ଟଦେବୀ ରୂପେ ପୂଜା କରୁଥିଲେ l ପୂର୍ବରୁ ଦକ୍ଷିଣଚଣ୍ଡୀ ମନ୍ଦିର ପୀଠରେ ଥିବା ବଳିପ୍ରଥାକୁ ଆଠଗଡର ଶେଷ ରାଜା ରାଧାନାଥ ଦେବବର୍ମା ଉଠାଇ ଦେଇଥିଲେ l ଶାରଦୀୟ ଦୁର୍ଗାପୂଜା ସହ ବାସନ୍ତିକ ଦୁର୍ଗାପୂଜା, କାଳୀପୂଜା ଦେବୀଙ୍କର ମୁଖ୍ୟ ପର୍ବ l ଚୈତ୍ର ମାସରେ ଦେବୀଙ୍କ ପୀଠରେ ନିଷ୍ଠାର ସହ ଝାମୁଯାତ୍ରା ପାଳନ କରାଯାଏ l ଦେବୀଙ୍କ ଗମ୍ଭୀରା ଭିତରକୁ ପୂଜକ, ରାଜବଂଶ, ତଥା ରାଜପୁରୋହିତଙ୍କ ଵ୍ୟତୀତ ସାଧାରଣ ଲୋକଙ୍କ ପ୍ରବେଶ ବାରଣ ରହିଛି l ମା’ଙ୍କ ପ୍ରତିମାଟି ବହୁ ପ୍ରାଚୀନ ହୋଇଥିଲେ ମଧ୍ୟ ମନ୍ଦିରଟି ବେଶି ପୁରୁଣା ନୁହେଁ l
![](https://antarangakalinga.org/wp-content/uploads/2022/06/k6-135x300.jpg)
ତଥ୍ୟ ସହାୟତା: ଅନୁଜପ୍ରତୀମ ଶ୍ରୀମାନ ଆୟୁଷ୍ମାନ ଆର୍ଯ୍ୟ, ଆଠଗଡ଼