ଲେଖା: ଶିଶିର ସାହୁ ମନୋଜ ମହରଡା଼କୁ ଢେଙ୍କାନାଳରେ ତାଇ କୁହାଯାଏ ଓ ଏ ଶବ୍ଦ ଦେଓଗଡ଼ ଇତ୍ୟାଦି ଅନ୍ୟ ଗଡ଼ଜାତିଆ ଅଞ୍ଚଳରେ ମଧ୍ୟ ଊଣା ଅଧିକେ ଚଳୁଅଛି । ମହରଡା଼ ଶବ୍ଦର ଅର୍ଥ ଓ ଏହାର ମୂଳ ହଠାତ ଜଣା ପଡୁନଥିଲେ ହେଁ ତାଇ ଶବ୍ଦ ଯେ ଏକ ଓଡ଼ିଆ ଶବ୍ଦ ତାହା ସ୍ପଷ୍ଟ ଉଲ୍ଲେଖ କରାଯାଇପାରେ । କିନ୍ତୁ ମହରଡା଼କୁ ତାଇ କାହିଁକି କୁହାଯାଏ ? ପ୍ରକୃତରେ ଏହି ତାଇ ଶବ୍ଦର ସମ୍ବନ୍ଧ ମହରଡା଼ ଗଛର ମଞ୍ଜି ସହିତ ରହିଛି । ସାଧାରଣତଃ ମହରଡା଼ ଶିମ୍ବର ମଞ୍ଜି ବଡ଼ ବଡ଼ ଓ ଅପେକ୍ଷାକୃତ ଅଧିକ ଟାଣ ହୋଇଥାଏ । ତାକୁ ଚଟାଣରେ କି କାନ୍ଥରେ ଘସି ଲୋକେ କୌତୁହଳ କୌତୁକାଦି ହେତୁକ ଦେହରେ ଲଗାନ୍ତି ଫଳତଃ ଯେଉଁ ସ୍ଥାନରେ ମଞ୍ଜିକୁ ସ୍ପର୍ଶ କରଯାଏ ତାହା ତାତି ଯାଏ ! ଗଛ ମଞ୍ଜି ଘସି ଦେହରେ ସ୍ପର୍ଶ ମାତ୍ରେ ତାତି ଯାଏ ବୋଲି ଏହାକୁ ଗଡ଼ଜାତରେ ପ୍ରଥମେ ତାତି କୁହାଯାଇଥିଵ ଏଵଂ ସମୟ ସହ ଉକ୍ତ ଶବ୍ଦରୁ ତ ଵର୍ଣ୍ଣ ଲୁପ୍ତ ହୋଇ ତାହା ‘ତାଇ’ରେ ପରିଵୃତ୍ତ ହୋଇଥିଵ । ଅତଏଵ ଏ ଏକ ଓଡ଼ିଆ ଶବ୍ଦ ଅଟେ ଏଵଂ ତପ୍ତ, ତଵତ (ଉଷୁମ ଭାତ), ଉତ୍ତପ୍ତ, ତାତି, ତପଲା ଓ ତତଲା ଇତ୍ୟାଦି ଯେତେ ଶବ୍ଦ ଏହା ସହିତ ଅଟଇ । ତେଵେ ସମଗ୍ର ଓଡି଼ଆ ଭାଷାରେ ଏ ଶବ୍ଦର ଏଇ ଗୋଟିଏ ନୁହେଁ ଆହୁରି ଅନେକ ଅର୍ଥରେ ଵ୍ଯଵହାର ରହିଛି । ଯଥା: ତାଇ ଶବ୍ଦ ସର୍ଵନାମ ଭାଵେ ତାହାହିଁ, ସେହି କଥାହିଁ,ତାହା ସୁଦ୍ଧା ଓ ତାହା ମଧ୍ୟ ଇତ୍ୟାଦି ଅର୍ଥରେ ଵ୍ଯଵହୃତ ହୋଇଥାଏ ଏଵଂ ସଂସ୍କୃତ “ତତ ହି” ସହିତ ଏହା ସମଦ୍ଧୃତ । ଏକ ଵିଶେଷ୍ଯ ଭାଵେ ତାଇ ଶବ୍ଦ ତାତି ଶବ୍ଦର ପରିଵର୍ତ୍ତିତ ରୂପ ହେତୁକ ଵିଶେଷଣ ଶବ୍ଦ ଭାଵେ ତାଇ ଶବ୍ଦ ତୀକ୍ଷ୍ଣ, ଚଞ୍ଚଳିଆ, ତେଜୀଯାନ୍ ଅର୍ଥରେ ଵ୍ଯଵହୃତ ହୁଏ ! ଯଥା: “ଘୋଡାଟା ଭାରି ତାଇ ହୋଇଛି ।” ସେଇଭଳି ଜଳୁଥିଵା ଅଵସ୍ଥାକୁ ତାଇ କୁହାଯାଏ ଓ ଏ ସ୍ଥାନରେ ଓଡ଼ିଶାର କେତେକ ଅଞ୍ଚଳରେ ତାତି ଶବ୍ଦ ଵ୍ଯଵହାର ହୁଏ, ଯଥା: “ନିଆଁଟା ଭାରି ତାଇ (ତାତି) ହୋଇଛି ।” ନିଆଁରେ ପାଚିକରି ନାଲି ହୋଇଥିବା ଲୁହା ଆଦି ଧାତୁକୁ ବି ତାଇ କୁହାଯାଏ । ତେଵେ ଏ ଶବ୍ଦଟି ଏକ ଶିଶୁରଞ୍ଜନ ଜନିତ ଅଵ୍ଯୟ ଭାଵେ ବି ଵ୍ଯଵହୃତ ହୋଇଥାଏ । ସାଧାରଣତଃ ପିଲାମାନେ ତାଳି ଶବ୍ଦ ଉଚ୍ଚାରଣ କରିପାରନ୍ତି ନାହିଁ ସେମାନେ ତାହା ତାଇ ଉଚ୍ଚାରଣ କରନ୍ତି ତେଣୁ ବଡ଼ ଲୋକେ ବି ସେମାନଙ୍କୁ ତାଇ ତାଇ କହି ଖେଳାନ୍ତି । ତାଳି ଏକ ଵିଶେଷ୍ଯ ଶବ୍ଦ ହେଲେ ହେଁ ତହିଁରୁ ବାଳସୁଲଭ ଭାଷାରେ ଉତ୍ପନ୍ନ ତାଇ ଏକ ଅଵ୍ଯୟ ଶବ୍ଦ ଭଳି ଵ୍ଯଵହୃତ ହୋଇଥାଏ । ଏଵେ ମୂଳ ପ୍ରସଙ୍ଗକୁ ଲେଉଟାଯାଉ . . ମହରଡା଼ ଵା ତାଇଗଛର ଵୈଜ୍ଞାନିକ ନାମ Canavalia Ensifermis ଏଵଂ ଓଡ଼ିଶାର କେତେକ ଅଞ୍ଚଳରେ ଏ ଗଛକୁ ମହୁକା ବି କୁହାଯାଇଥାଏ । ଏହାର ଫଳ ଲମ୍ବରେ ଚାଖଣ୍ଡେ ଓ ଚଉଡ଼ାରେ ୩ ଆଙ୍ଗୁଳ ପର୍ଯ୍ୟନ୍ତ ହୁଏ ଓ ତରବାର ପରି ଆକୃତି ଵିଶିଷ୍ଟ ହୋଇଥାଏ ବୋଲି ଏହାକୁ sword bean ମଧ୍ୟ କୁହାଯାଏ । ଏହାର ଅନ୍ୟ ସାଧାରଣ ଇଂରାଜୀ ନାମ Jack bean ଅଟେ । ତାଇ ଗଛର ମଞ୍ଜି ନାଲି ଚେପଟା ଓ ବଡ଼ ବଡ଼। କେଉଁଠି କେଉଁଠି ଏହାକୁ ତରକାରୀ କରି ଖାଆନ୍ତି ତେଵେ ଅଧିକାଂଶ ଅଞ୍ଚଳରେ ମହରଡା଼ ଵା ତାଇ ଗଛକୁ ଵିଷାକ୍ତ ଵିଵେଚିତ କରାଯାଇଥାଏ । ଏ ଛୁଇଁର ଆବରଣକୁ ରାନ୍ଧିଲେ ଲହୁଣୀ ପରି ହୁଏ । Canavalia ଜାତୀୟ Canavalia Virosa ଵ ବାହାଡ଼ା ଶିମ୍ବକୁ ବି କେଉଁଠି କେଉଁଠି କେଉଁଠି ମହରଡା଼ କୁହାଯାଏ । ସମ୍ଭଵତଃ ଏଇଠି ମହରଡା଼ ନାମକରଣର ରହସ୍ୟ ଲୁଚି ରହିଛି !!! ମହରଡା଼କୁ ଅଧିକାଂଶ ଅଞ୍ଚଳରେ ଵିଷାକ୍ତ ଭାଵନ୍ତି । ସଂସ୍କୃତରେ ‘ମ’ ଵର୍ଣ୍ଣ ଏକ ଵିଶେଷ୍ଯ ଶବ୍ଦ ଭାଵେ ଵିଷ ଅର୍ଥରେ ମଧ୍ୟ ଵ୍ଯଵହୃତ ହୋଇଥାଏ । ମହରଡା଼ ଶବ୍ଦରେ ହରଡ଼ ଶବ୍ଦ ରହିଛି ଯାହା ଏକ ପ୍ରକାରର ଶିମ୍ବାଦିଵର୍ଗର Cajanus Indicus ପାଦପକୁ ବୁଝାଏ । ସଂସ୍କୃତରେ ଏହାର ନାମ ହରେଣୁ । ତେଣୁ ସମ୍ଭଵତଃ ମହରଡା଼ର ନାମ ପୂର୍ଵେ ମହରେଣୁ ଥିଲା ଏଵଂ କାଳକ୍ରମେ ତାହା ମହରଡା଼ରେ ଅପଭ୍ରଂସ ହୋଇ ଚଳୁଅଛି । © ଶବ୍ଦଭେଦ |
|