ଜଳନ୍ଧର ଦେବ

ଲେଖା: ଅମୃତେଶ ଖଟୁଆ
ଅକୁତୋଭୟ ସାରସ୍ଵତ ଚର୍ଚ୍ଚା, ସଂସ୍କାରଚେତନା, ବୈଜ୍ଞାନିକ ପୁରୋଦୃଷ୍ଟି ସମ୍ମିଳିତ ନିଜର ପ୍ରଜ୍ଞାଦୀପ୍ତ ଜୀବନର ଏକ ସ୍ଵତଃପ୍ରବୃତ୍ତ ଅନୁଷ୍ଠାନ ଜଳନ୍ଧର ଦେବ ସମଗ୍ର ଓଡିଆ ଜାତି ପାଇଁ ଚିରସ୍ମରଣୀୟ । 
ବାମଣ୍ଡା ଓଡିଆ ସାରସ୍ଵତ କ୍ଷେତ୍ରରେ ଏକ ପ୍ରୀତିପଦ ଉଚ୍ଚାରଣ। #ବୁଧ_ହଂସ_କେଳି_ସର ବାମଣ୍ଡା ଆଧୁନିକ ଓଡିଆ ସାହିତ୍ଯ ସହ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ସମୟରେ “ଓଡିଆ ମାଟିର ଉଜ୍ଜୟିନୀ” ରୂପେ ବିଦିତ ଥିଲା । ପ୍ରତ୍ୟେକ ସ୍ଥାନ ଯେପରି ଏହାର ଥିଲା ବାଗ୍-ଦେବୀଙ୍କ ବିହାରସ୍ଥଳୀ । ସମଗ୍ର ପ୍ରାଚୀନ ଗୌରବ ଓ ପରମ୍ପରାର ଯେଉଁ ସାରସ୍ଵତ ସ୍ପନ୍ଦନ, ବାମଣ୍ଡାରୁ ଉଦ୍ଦୀପିତ ହେଇ ଓଡିଆ ମାଟିରେ ପ୍ରାତଃସ୍ମରଣୀୟ ହୋଇଛି।
ପ୍ରତ୍ୟେକ ସମୃଦ୍ଧ ସାହିତ୍ଯର ମୂଲ୍ୟବୋଧ ପ୍ରତିଷ୍ଠା ପାଇଁ ଦୁଇଟି ମାଧ୍ୟମ ଉପରେ ସାଧାରଣତଃ ନିର୍ଭର କରାଯାଏ – ପ୍ରଥମତଃ ଐତିହାସିକତା ଏବଂ ଦ୍ଵିତୀୟତଃ ତାତ୍କାଳିକତା । ଐତିହାସିକତା ଅନୁଶୀଳନ କରିଲା ବେଳେ ଏହାର ପୃଷ୍ଠଭୂମିର ଉତ୍ପତ୍ତି ଠାରୁ କ୍ରମାଗତ ଉନ୍ନତିର ଧାରାକୁ ଗୁରୁତ୍ବ ଦିଆଯାଇଥାଏ । ସାମ୍ପ୍ରତିକତା ବା ତାତ୍କାଳିକତା ଆଧୁନିକ ଯୁଗରୁଚି ସହ ସାହିତ୍ଯ କେତେ ଦୂର ଅତୀତବୋଧକୁ ବର୍ତ୍ତମାନରେ ସାର୍ଥକତା ଦେଇ ଆସିଛି, ତାହା ଦ୍ରଷ୍ଟବ୍ୟ।
ଏହି ସମସ୍ତ ଦୃଷ୍ଟିରୁ ବାମଣ୍ଡାର ସାହିତ୍ୟିକ ପରିବେଶର ଆନୁକୂଲ୍ୟ, ବିକାଶ ଧାରା ସହ ଏହାର ଐତିହାସିକ ଓ ରାଜନୈତିକ ପୃଷ୍ଠଭୂମିର ଏକ ନିବିଡ଼ ସହାବସ୍ଥାନ ଅଛି। ଏହି ବାମଣ୍ଡା ଓଡିଆ ମାଟିର ପ୍ରଖ୍ୟାତ ବୁଦ୍ଧିଜୀବୀ, ଜ୍ଞାନୀ, ଗୁଣୀ ଏବଂ ଉଦାରଚେତା ମହାମହିମମାନଙ୍କୁ ଜନ୍ମ ଦେଇଛି । କୃତବିଦ୍ୟ ସାହିତ୍ୟିକ ଏହାର ଅଙ୍କମଣ୍ଡନ କରିବା ସହ ଏହାର ଅନୁପ୍ରେରଣା ବାସୁଦେବ ସୁଢଳଦେବଙ୍କ ଗୌରବାବହ ସହ ସୁଦୂରପ୍ରସାରୀ ହୁଏ। ଆଉ ଏହି ସମୟରେ ଜଳନ୍ଧର ଦେବ ଥିଲେ ଅନ୍ୟତମ ସାରସ୍ଵତ କ୍ରାନ୍ତିଦର୍ଶୀ !
ଦେବଗଡ଼ ସହରର ଲାଲୁସାହି । ଏଠାକାର ରାଜକୀୟ ହର୍ମ୍ମ୍ୟମାଳା ଆଜି ଜୀର୍ଣ୍ଣଶୀର୍ଣ୍ଣ । ଆଧୁନିକ ଦେବଗଡ଼ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଲାଲୁ ସାହି ନିକଟବର୍ତ୍ତୀ ବଣିଆ କଲଣ୍ଡା ଗ୍ରାମର ଏକ ଖରପୋଷଦାର ପରିବାରରେ ୧୮୭୨ ମସିହା ଅକ୍ଟୋବର ୧୫ ତାରିଖରେ ପିତା ବୀରବର ଦେବଙ୍କ ଔରସରେ ଜନ୍ମଗ୍ରହଣ କରିଛନ୍ତି ଜଳନ୍ଧର ଦେବ । ଜନ୍ମ ହେବାର କେଇ ମାସ ପରେ ସେ ନିଜ ମା’ ଙ୍କୁ ହରେଇବା ପରେ ବାମଣ୍ଡାର ରାଜ ମାତା ବିଜୟ କୁମାରୀ ଦେବୀଙ୍କୁ ଅର୍ପଣ ହୋଇଛନ୍ତି।
ସ୍ଵୀୟ ପୁତ୍ରତୁଲ୍ୟ ତାଙ୍କୁ ସୁଢଳଦେବଙ୍କ ପୁତ୍ର ସଚ୍ଚିଦାନନ୍ଦ ଓ ବଳଭଦ୍ର ଦେବଙ୍କ ସହ ଲାଳିତ ପାଳିତ କରିଥିଲେ ବିଜୟ କୁମାରୀ ଦେବୀ । ବିଜୟ କୁମାରୀ ଦେବୀ ହେଉଛନ୍ତି ସାର୍ ବାସୁଦେବ ସୁଢଳଦେବଙ୍କ ଦ୍ଵିତୀୟ ମାତା । ହେଲେ ପାରିବାରିକ ସମ୍ପର୍କରେ ଜଳନ୍ଧର ଓ ସଚ୍ଚିଦାନନ୍ଦ କକା ଓ ପୁତୁରା ଥିଲେ । ହେଲେ ବୟସର ସ୍ଵଳ୍ପ ତାରତମ୍ଯ ହେତୁ ସେମାନଙ୍କ ମଧ୍ୟରେ ନିବିଡ଼ ମୈତ୍ରୀ ଥିଲା । ଏପରିକି ତାଙ୍କର ସାଧାରଣ ଜୀବନର କର୍ମପ୍ରବଣତା ମଧ୍ୟରେ ଏହା ନିବିଡ଼ ରହିଆସିଥିଲା ।
୧୮୮୨ ମସିହାରେ ବାସୁଦେବ ଉଚ୍ଚଶିକ୍ଷାର ପ୍ରସାର ପାଇଁ ପ୍ରତିଷ୍ଠା କଲେ ‘ରାଜକୁମାର ଉଚ୍ଚ ବିଦ୍ୟାଳୟ’ । ୧୮୮୬ରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଲେ ପ୍ରଖ୍ୟାତ ବିଦ୍ୱାନ ବିଜୟଚନ୍ଦ୍ର ମଜୁମଦାର। ସେ ସମୟରେ ରାଜକୁମାର ସଚ୍ଚିଦାନନ୍ଦ ଓ ଜଳନ୍ଧର ସେହି ବିଦ୍ୟାଳୟର ଛାତ୍ର। ବିଜୟ ଚନ୍ଦ୍ର ମଜୁମଦାରଙ୍କ ତୀକ୍ଷ୍ଣ ଅନ୍ତର୍ଦୃଷ୍ଟି, କୁସଂସ୍କାରମୁକ୍ତ ଆଧୁନିକ ଶିକ୍ଷାପ୍ରଣାଳୀ ଜଳନ୍ଧରଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଗଣେଶ୍ଵର ପଟ୍ଟନାୟକ ଓ ବିଜୟଚନ୍ଦ୍ରଙ୍କ ପରି ଅମାୟିକ ବ୍ୟକ୍ତିତ୍ଵଙ୍କ ସାନ୍ନିଧ୍ୟରେ ଦୁହିଁଙ୍କ ପ୍ରତିଭା ବିକଶିତ ହୁଏ।
ଫଳତଃ ସୃଜନଶୀଳ ମାନସର ଅଧିକାରୀ ହୋଇ ପାରିଥିଲେ ଜଳନ୍ଧର। ଆଧୁନିକ ଶିକ୍ଷା ସହ ପ୍ରାଚୀନ ଶାସ୍ତ୍ର, ସଂସ୍କୃତ, କାବ୍ୟ, ନାଟକ, ଅଳଙ୍କାର ଇତ୍ୟାଦି ସେ ବାମଣ୍ଡାର ବହୁ ବିଦ୍ୱାନଙ୍କ ପାଖରୁ ଶିକ୍ଷା ପାଇଥିଲେ। ଅପର ପକ୍ଷରେ ସାର୍ ବାସୁଦେବ ସୁଢଳଦେବଙ୍କ ଦୂରଦୃଷ୍ଟି, ବିଜ୍ଞାନସମ୍ମତ ଚିନ୍ତାଧାରା ଓ ରାଜନୀତି ନିଜର ଅଧ୍ୟବସାୟ ବଳରେ ଅକ୍ତିଆର କରିଥିଲେ, ଯାହା ପରବର୍ତ୍ତୀ କାଳରେ ତାଙ୍କୁ ଜଣେ ବିଦିତ ସାରସ୍ଵତ ସାଧକ, ବୈଧାନିକ, କୃଷକ, ବିଜ୍ଞାନପ୍ରେମୀ ଓ ସ୍ଵାଧୀନ ଚିନ୍ତାର ମଣିଷ ଭାବେ ପ୍ରତିପାଦିତ କରିଥିଲା।
୧୮୯୦ ମସିହାରେ ତତ୍କାଳୀନ ପ୍ରଧାନାଧ୍ୟକ୍ଷ ଗଣେଶ୍ଵର ପଟ୍ଟନାୟକଙ୍କ ଶିକ୍ଷାଦାନ ବେଳେ ‘ବାମଣ୍ଡା ଛାତ୍ର ସମ୍ମିଳନୀ ସଭା’ ପ୍ରତିଷ୍ଠିତ ହେଲା । ଆଉ ଏହି ସଭାର ସର୍ବତୋପରି ଉଦ୍ଦେଶ୍ୟ ଥିଲା ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଉନ୍ନତି ସାଧନ । ଉନ୍ନତ ତଥା ଭାବଗର୍ଭକ ପ୍ରବନ୍ଧ ରଚନା ପ୍ରତି ଛାତ୍ରମାନଙ୍କ ସର୍ଜନାତ୍ମକତାକୁ ଆକୃଷ୍ଟ କରି ପ୍ରତ୍ୟେକ ସପ୍ତାହ ପ୍ରବନ୍ଧ ପାଠୋତ୍ସବ ଅନୁଷ୍ଠିତ ହୋଇ ଥାଏ । ଆଉ ଏହି ସଭାର ପ୍ରଥମ ସମ୍ପାଦକ ଥିଲେ ଜଳନ୍ଧର ଓ ସଚ୍ଚିଦାନନ୍ଦ ଦେବ। ଆଉ ଜଳନ୍ଧର ଦେବଙ୍କ ସର୍ଜନାତ୍ମକତାର ବିକାଶ ଏହିଠାରୁ ହିଁ ହୁଏ।
୧୮୯୨ ମସିହା ଫେବୃଆରୀ ମାସରେ ଏଣ୍ଟ୍ରାନସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଘରୋଇ ଭାବେ ସେ ସଂସ୍କୃତ ଶିକ୍ଷା କରିଥିଲେ। ବଳରାମ ବିଦ୍ୟାରତ୍ନ, ବିଶ୍ଵନାଥ ମହାପାତ୍ର, କାଳୀଚରଣ ବିଦ୍ୟାଭୂଷଣ, ପଣ୍ଡିତ ମଧୁସୂଦନ ବାଚସ୍ପତି ଇତ୍ୟାଦି ଶାସ୍ତ୍ରଜ୍ଞ ପଣ୍ଡିତମାନଙ୍କ ଠାରୁ ଶିକ୍ଷା ଗ୍ରହଣ ପରେ ତାଙ୍କର ଗଭୀର ପ୍ରବେଶ ହୋଇଥିଲା ବେଦ, ଉପନିଷଦ, ଗୀତା, ପୁରାଣ, ବ୍ୟାକରଣ ସମୂହରେ। ଏହାର ପ୍ରତି ଶ୍ଳୋକକୁ ଗଭୀର ଅନ୍ତର୍ଦୃଷ୍ଟି ଦେଇ ସେ ନିରୀକ୍ଷଣ କରିଥିଲେ ଯାହା ଫଳରେ ରାମାୟଣ, ମହାଭାରତ, ଗୀତା ଓ ବେଦ ଉପରେ ଯୁକ୍ତିନିଷ୍ଠ ବିଶ୍ଳେଷଣ କରିବାରେ ସେ ସମର୍ଥ ହୋଇଥିଲେ। ଏହି ଦୃଷ୍ଟିରୁ ତାଙ୍କର ଉତ୍କଳୀୟ ସାହିତ୍ୟ ପ୍ରତି ଅନୁରକ୍ତି ଏକ ଶ୍ରଦ୍ଧାଶୀଳ ପରିଚିତି। ସାରସ୍ଵତ ସାଧନା ସହ ତାଙ୍କର ସଂସ୍କାରଧର୍ମୀ ଚେତନା ତାଙ୍କ ବାସ୍ତବବାଦୀ ସାଧନା ପ୍ରତି ଏକ ସମଧିକ ଆଦର୍ଶ ।
ଏହା ପରେ ୧୮୯୨ ମସିହା ମେ ମାସରୁ ଦେୱାନୀ ବୃତ୍ତି ଆରମ୍ଭ କରିଲା ମଧ୍ୟରେ ସେ ବାମଣ୍ଡାର ବିଭିନ୍ନ ପ୍ରାଶାସନିକ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି । ଏହା ପରେ ସେ ବାମଣ୍ଡା ରାଜ୍ୟ ପ୍ରଶାସନ କ୍ଷେତ୍ରରେ ସିରସ୍ତାଦାର ଭାବେ ନିଯୁକ୍ତି ପାଇବା ସହ ୧୯୦୨ ମସିହାରେ ସେ ଦ୍ଵିତୀୟ ଶ୍ରେଣୀର ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ତାହାଙ୍କ ପ୍ରାଶାସନିକ ଦାୟିତ୍ୱର ଦକ୍ଷତା ଓ ନୈପୁଣ୍ୟ କାରଣରୁ ସେ ପ୍ରଥମ ଶ୍ରେଣୀ ବିଚାରପତି ପଦକୁ ଉନ୍ନୀତ ହୁଅନ୍ତି।
ବାମଣ୍ଡାର ସରକାରୀ ପ୍ରଶାସନରେ ସ୍ଵଳ୍ପ ଅବଧି ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ତାଙ୍କ ପ୍ରାଶାସନିକ କାର୍ଯ୍ଯକାଳ ମଧ୍ୟରେ ରାଜ୍ୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସହିତ ସେ ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ। ଜଳନ୍ଧର ଦେବଙ୍କ କାର୍ଯ୍ୟଦକ୍ଷତା ଓ କ୍ଷମତାର ସଦୁପଯୋଗ ହେତୁ ୧୯୦୫ ମସିହାରୁ ୧୯୨୪ ମସିହା ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀର ବିଚାରପତି ରୂପେ ଦାୟିତ୍ୱ ବହନ କରନ୍ତି। ତାଙ୍କ ଏକାଧାରରେ ପ୍ରାଶାସନିକ କାର୍ଯ୍ୟଦକ୍ଷତା ପାଇଁ ବିଭିନ୍ନ ସମୟରେ ଅତିରିକ୍ତ ଦାୟିତ୍ଵ ମଧ୍ୟ ଗ୍ରହଣ କରୁଥିଲେ।
ଜଳନ୍ଧର ଦେବ ଜଣେ ନିରାଡମ୍ଵର ବ୍ୟକ୍ତିତ୍ଵ । ଦୈନନ୍ଦିନ ପୋଷାକ ପରିଚ୍ଛଦ ମଧ୍ୟରେ କେବଳ ଖାକି ପେଣ୍ଟ ଓ କୋର୍ଟ ପରିଧାନ। ବିଚାରାଳାୟକୁ ଗଲା ବେଳେ ସେ ଧଳା ପୋଷାକ ପିନ୍ଧୁଥିଲେ । ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ତାଙ୍କୁ ଚାରି ଖଣ୍ଡ ଗ୍ରାମ ମଧ୍ୟ ପ୍ରଦାନ କରିଥିଲେ । ବାମଣ୍ଡାରେ ଘରପୋଡିରେ ବିପନ୍ନ ଲୋକଙ୍କୁ ସାହାଯ୍ୟ, ଶୀତଦିନରେ ଗରିବମାନଙ୍କୁ ବସ୍ତ୍ରଦାନ, ଗାଁ ଗହଳ, ସହର ବଜାରରେ ବୃକ୍ଷରୋପଣ ପ୍ରଭୃତି କାର୍ଯ୍ୟରେ ସେ ସତତ ଆଗୁଁସାର ଥିଲେ ।
ଏହା ପୂର୍ବରୁ ଜଳନ୍ଧର ଦେବ ୧୮୯୨ ମସିହାରେ କୁଚିଣ୍ଡାର ଗୁଚ୍ଛରା ଗ୍ରାମର ଅଭିରାମଦେବଙ୍କ କନ୍ୟା ସତ୍ୟଭାମାଙ୍କ ପାଣିଗ୍ରହଣ କରନ୍ତି । ସେତେବେଳେ କିନ୍ତୁ ଦୁର୍ଭାଗ୍ୟବଶତଃ ପିତା ବୀରଭଦ୍ର ଦେବ ଓ କନ୍ୟା ଗିରିବାଳାଙ୍କ ନିଧନ ଜଳନ୍ଧର ଦେବଙ୍କ ପିତୃହୃଦୟକୁ ମର୍ମାହତ କରିଥିଲା। ହେଲେ ତାଙ୍କର ଅନ୍ୟ ପୁତ୍ରମାନେ ବାମଣ୍ଡାର ପ୍ରତିଷ୍ଠିତ ପଦବୀରେ ଅବସ୍ଥାପିତ ହୋଇଥିଲେ । ଆଉ ସେହି ସମୟରେ ଜଳନ୍ଧର ଦେବଙ୍କ ହାତୀଧରା ଉତ୍ସବ ବାମଣ୍ଡାର ଏକ ସ୍ଵତନ୍ତ୍ର ଉତ୍ସବ ଥିଲା।
ଏହିକ୍ରମରେ ଡଃ ଶ୍ରୀନିବାସ ମିଶ୍ରଙ୍କ ଟିପ୍ପଣୀ ଉଲ୍ଲେଖଯୋଗ୍ୟ — “ବିଦ୍ୟା ଓ ସଂସ୍କୃତି ସଚେତନ ବାମଣ୍ଡାର ପରିବେଶ ଲେଖକଙ୍କ ଚିତ୍ତରେ ଆଶ୍ଚର୍ଯ୍ୟଜନକ ଭାବେ ଜୀବନ ପ୍ରତି ଏକ ବୈଜ୍ଞାନିକ ହେତୁବାଦୀ ଦୃଷ୍ଟିଭଙ୍ଗୀର ବିକାଶ ଘଟାଇଥିଲା। ରାମାୟଣ ଓ ମହାଭାରତର ବିଚାର, ଭଗବତ୍ ଗୀତାର ମହତ୍ତ୍ଵ ନିରୂପଣ ମୂଳକ ପ୍ରବନ୍ଧରେ ଲେଖକଙ୍କ ବହୁ ଶାସ୍ତ୍ରଦର୍ଶିତା, ବିଶ୍ଳେଷଣ ପାଟବ ଓ ସ୍ଵାଧୀନ ଚିନ୍ତାର ପ୍ରକାଶ ଦେଖିବାକୁ ମିଳେ।”
ମହାମହିମ ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ସଂସ୍କାରଧର୍ମୀ ଓ ବିକାଶମୂଳକ ପରିଚର୍ଯ୍ୟା ଦ୍ଵାରା ଜଳନ୍ଧର ଦେବଙ୍କ ମଧ୍ୟରେ ସଂସ୍କାରମୂଳକ ଚେତନାର ଆରୋପଣ ହେବା ସହ ସାରସ୍ଵତ ଚିନ୍ତନର ମଧ୍ୟ ତଦନୁରୂପ ବିକାଶ ଘଟେ। ବାମଣ୍ଡାରେ କୃଷିଭିତ୍ତିକ ଗବେଷଣାର ନେତୃତ୍ୱ ନେଇଥିଲେ ସ୍ଵୟଂ ଜଳନ୍ଧର ଦେବ। ବିଲାତି ଆଳୁ ଚାଷ କରି ବଡ଼ ଆଳୁ ଅମଳ କରିବାରେ ସଫଳକାମ ହୋଇଥିଲେ । ଆଉ ଏହା ପରେ ଚାଷର ବିଭିନ୍ନ ଉପାଦେୟ ଓ ନୂତନ ଦିଗ ପ୍ରତି ସେ କୃଷକମାନଙ୍କ ମଧ୍ୟରେ ସଚେତନତା ଆଣିଲେ ।
୧୮୯୯ ମସିହାରେ ଏକ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ପ୍ରତିଷ୍ଠା କଲେ ସାର୍ ବାସୁଦେବ ସୁଢଳଦେବ ଦେବଗଡ଼ ସ୍ଥିତ ‘ବିଜ୍ଞାନ ମନ୍ଦିର’ରେ, ଯାହା ଥିଲା ବାସୁଦେବ ସୁଢଳଦେବଙ୍କ ଅନନ୍ୟ କୀର୍ତ୍ତି। ପ୍ରଖ୍ୟାତ ବୈଜ୍ଞାନିକ ଯୋଗେଶଚନ୍ଦ୍ର ରାୟ ରେଭେନ୍ସା କଲେଜରୁ ବାରମ୍ବାର ଆସି ଏଠାରେ ଶିକ୍ଷକ ତଥା ଛାତ୍ରମାନଙ୍କ ସନ୍ଦେହ ମୋଚନ କରୁଥିଲେ। ଫଳରେ ଗ୍ରହନକ୍ଷତ୍ରଙ୍କ ଗତିବିଧି ଲକ୍ଷ୍ୟ କରିବା ସହଜସାଧ୍ୟ ହୋଇଥିଲା।
ଆଗଧାଡିର ଛାତ୍ର ଭାବରେ ରାଜକୁମାର ସଚ୍ଚିଦାନନ୍ଦ ଓ ଜଳନ୍ଧର ଏ ସମସ୍ତ ବିଦ୍ୟାକୁ ଅକ୍ତିଆର କରି ନେଉଥିଲେ। ଫଳତଃ ପରବର୍ତ୍ତୀ ସମୟରେ ଜଳନ୍ଧର ଓଡ଼ିଆ ସାହିତ୍ୟକୁ ଦାନ କରିଥିଲେ ଜ୍ୟୋତିର୍ବିଦ୍ୟା ସମ୍ବଳିତ ଅନେକ ପ୍ରବନ୍ଧ। ଏହି ସବୁ ପ୍ରବନ୍ଧ ତାଙ୍କ ବିଜ୍ଞାନ ସାହିତ୍ୟକୁ ନୂତନ ପରିଚୟ ଦିଏ। ଜ୍ୟୋତିର୍ବିଦ୍ୟାର ଜୟ, ନକ୍ଷତ୍ର, ଧ୍ରୁବ, ବାର, ଗ୍ରହଣବିଚାର ପ୍ରଭୃତି ପ୍ରବନ୍ଧ ଏ ପର୍ଯ୍ୟନ୍ତ ଆମ ଓଡ଼ିଆ ବିଜ୍ଞାନସାହିତ୍ୟରେ ଅଦ୍ୱିତୀୟ।
ସୁଢଳଦେବଙ୍କ ପରି ପର୍ଯ୍ୟଟନପ୍ରିୟ ଥିଲେ ଜଳନ୍ଧର ଦେବ । କେବଳ ଅବକାଶ ଅତିବାହନ ପାଇଁ ନୁହେଁ, ଉଦ୍ଦେଶ୍ୟ ସବୁବେଳେ ଥାଏ ଭିନ୍ନ । ଜଳନ୍ଧର ଦେବ ଯେଉଁ ଯେଉଁ ସ୍ଥାନ ସବୁ ଗସ୍ତ କରୁଥିଲେ, ସେଠାକାର ଜନସାଧାରଣଙ୍କ ଜୀବନକୁ ଗଭୀର ଭାବରେ ଅନୁଶୀଳନ କରିବା ସହ ସମସ୍ତ ଆଧୁନିକ ସୁଯୋଗ-ସୁବିଧା କିପରି କାର୍ଯ୍ୟକାରୀ ହୋଇପାରିବ, ତାହାର ଉପାୟ ଅନ୍ଵେଷଣ ମଧ୍ୟ କରିଥାନ୍ତି । ତାଙ୍କ ସମୁଦ୍ୟମ ଯୋଗୁଁ ବହୁ ଆଧୁନିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଲାଭ କରିବା ସହ ରାଜଧାନୀ ଦେବଗଡ଼ର ମଧ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଏ ।
କୁଚିଣ୍ଡା ନିକଟସ୍ଥ ଭେଡେନ ନଦୀରେ ତିଆରି ହୋଇଥିବା ଝୁଲେନ ପୋଲର ଯୋଜନା ଜଳନ୍ଧର ଦେବଙ୍କ ମସ୍ତିଷ୍କ ପ୍ରସୂତ। ଏପରିକି ପ୍ରଜାଙ୍କର ଆର୍ଥିକ ଅନଟନରେ ତାଙ୍କର ତତ୍କାଳ ସହାୟତାର ଗାଥା ବିଶେଷ ରୂପେ ଆଦୃତ । ଏପରିକି କାହାର ପୁତ୍ରକନ୍ୟାଙ୍କ ବିବାହ ଅଥବା କାହାର ଶୁଦ୍ଧିକ୍ରିୟାଦି ସମ୍ପାଦନ ପାଇଁ ମଧ୍ୟ ତଦାନୀନ୍ତନ ବାମଣ୍ଡାର ରାଜକୋଷରୁ ସ୍ଵଚ୍ଛଳ ରୂପେ ପ୍ରଦାନ କରାଯାଉଥିଲା । ଏହାର ସବୁଠାରୁ ସୁଖଦ ପରିଣତି ଥିଲା ଯେ ରାଜକୀୟ ଶାସନ ପ୍ରତି ସାଧାରଣ ଜନର ଯେଉଁ ଭୟ ଥାଏ, ତାହା ଅପସରି ଯାଇଥିଲା ।
କୃଷିଭିତ୍ତିକ ଉନ୍ନୟନରେ ମଧ୍ୟ ତାଙ୍କର ଏକ ବିଶିଷ୍ଟ ଅବଦାନ ରହିଛି। ରାଜକୀୟ ଦାୟିତ୍ଵ ନ୍ୟସ୍ତ ଥାଇ ମଧ୍ୟ ସେ କୃଷିର ଏକାଧିକ ତଥ୍ଯର ଅଧିକାରୀ ସେ ଥିଲେ। ପ୍ରତ୍ୟକ୍ଷ କୃଷି କାର୍ଯ୍ୟ ତଦାରଖ କରିବା ଏବଂ ପ୍ରଜାମାନଙ୍କୁ କୃଷି ସମ୍ପର୍କୀଯ ବିବିଧ ପ୍ରକାର ପରାମର୍ଶ ଦେବା ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀ ଅନ୍ତର୍ଭୁକ୍ତ ମଧ୍ୟ ଥିଲା । କୃଷି-ଜ୍ଞାତବ୍ୟ ଏକାଧିକ ନୂତନ ବିଜ୍ଞାନସମ୍ମତ ତଥା ଚାଷ ପ୍ରଣାଳୀ ସମ୍ବନ୍ଧୀୟ ବିଷୟ ପ୍ରଦାନ କରି ୧୯୩୬ ମସିହାରେ ‘କୃଷି’ ଶୀର୍ଷକରେ ଏକ ପ୍ରବନ୍ଧ ଲେଖିଲେ । ସେ କହନ୍ତି ନିଜକୁ ଏକ କୃଷକ ଭାବି ଗର୍ବିତ ମନେ କରନ୍ତି !
ସେ କୁହନ୍ତି, “ମୁଁ ଚଷା, ଏଣୁ ଚଷା ଦେଖିଲେ ସେ ବଡ଼ଲୋକ ହେଉ ବା ସାମାନ୍ୟ ମୂଲିଆ ହେଉ, ତା ସଙ୍ଗରେ ଦୁଇପଦ କଥା ହେବାର ଅଭ୍ୟାସ ଅଛି । ଏତଦ୍ଦ୍ଵାରା ଅନେକ ଶିକ୍ଷା ମିଳେ।” କେବଳ ଚାଷ ଓ ଚାଷୀ ନୁହେଁ, ବରଂ ପ୍ରଶାସନର ଏକାଧିକ ଗୁରୁଦାୟିତ୍ୱ ବହନ କରୁଥିବା ସମୟରେ ବି ଜ୍ଞାନପିପାସୁ ମନର ପରିତୃପ୍ତି ଅର୍ଥେ ବହୁ ଗ୍ରନ୍ଥ, ପତ୍ରପତ୍ରିକା ଆଦି ଅଧ୍ୟୟନ କରୁଥିଲେ ଯାହା ଫଳରେ ସେ ଏକାଧାରରେ ଜ୍ୟୋତିର୍ବିଜ୍ଞାନ, ଭାଷା, ସାହିତ୍ୟ, ବିଜ୍ଞାନ, କୃଷି କ୍ଷେତ୍ରରେ ପାରଦର୍ଶୀ ଥିଲେ।
ଜଣେ ପାରଙ୍ଗମ ବାଗ୍ମୀ ହେବାର ସୌଭାଗ୍ୟ ଫଳେ ସେ ଏକାଧିକ ତଥା ପ୍ରତିଷ୍ଠିତ ସାହିତ୍ୟ ସମାବେଷ୍ଟନୀକୁ ଆମନ୍ତ୍ରିତ ହେବା ସହ ଜଣେ ସ୍ପଷ୍ଟବାଦୀ ସାରସ୍ଵତପ୍ରେମୀ ରୂପେ ସର୍ବତ୍ର ସ୍ଵକୀୟ ପ୍ରତିଭା କାରଣରୁ ସେ ଅକୁଣ୍ଠିତ ମନରେ ସଂସ୍କାର କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଥିଲେ। ପରମ୍ପରା ଓ ପୁରୋଦୃଷ୍ଟିର ସମନ୍ଵିତ ନୂତନ ଚିନ୍ତା ଓ ଚେତନାର ପ୍ରେକ୍ଷାପଟରେ ଜଳନ୍ଧର ମାନସ ଅଧିଷ୍ଠିତ । ଏପରିକି ସାହିତ୍ୟିକ ଆଞ୍ଚଳିକତା ଓ ତହିଁରୁ ଜାତ ବିଦ୍ଵେଷର କଠିନ ପ୍ରତିବାଦ କରିଥିଲେ।
୧୯୨୪ ମସିହାରେ ଜଳନ୍ଧର ଦେବ ରାଜ କାର୍ଯ୍ୟରୁ ଅବସର ଗ୍ରହଣ ଅନ୍ତେ ସେ ସଚ୍ଚିଦାନନ୍ଦ ପାଠାଗାରକୁ ଆସୁଥିବା ଓଡିଶାର ପ୍ରତିଷ୍ଠିତ ପତ୍ରପତ୍ରିକାର ସମୁଚିତ ଅଧ୍ୟୟନ କରୁଥିଲେ । ଆଉ ବସ୍ତୁତଃ ଏ ପାଠାଗାରର ମୁଖ୍ୟ ଦାୟିତ୍ଵ ତାଙ୍କ ଉପରେ ନ୍ୟସ୍ତ ଥିଲା । ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜର ଲେଖନୀ ଚାଳନା ପୂର୍ବକ କେବଳ ଯେ ପାଠକୀୟ ସମାଦର ସାଉଁଟିଛନ୍ତି, ତାହା ଭାବିବା ବରଂ ନ୍ୟୂନତା ହେବ । କାରଣ ତାଙ୍କ ଲେଖକୀୟ ବାସ୍ତବବାଦ ଓ ବିଚାରସିଦ୍ଧ ରଚନା ତାଙ୍କ ରଚନାକୁ ଉନ୍ନତମାନର ରୂପେ ତୋଳି ରଖେ ।
ଜଳନ୍ଧର ଦେବ ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ କୃତବିଦ୍ୟ ସାହିତ୍ୟ ସାଧକ। ସମାଜ ଓ ଜୀବନକୁ ପରିପୁଷ୍ଟ କରିବାକୁ ସେ ଆଦର୍ଶବାଦୀ, କର୍ମାଭିମୁଖୀ ସାହିତ୍ୟ ସର୍ଜନା ଉପରେ ଗୁରୁତ୍ବ ଦେଇଆସିଥିଲେ। ସାହିତ୍ୟ ସ୍ଥିର ନ ହୋଇ ଗତିଶୀଳ ହେଲେ ସମୃଦ୍ଧି ଆଡ଼କୁ ଅଗ୍ରସର ହୁଏ, ଏହାହିଁ ଥିଲା ତାଙ୍କ ରଚନାର ମୂଳମନ୍ତ୍ର। ତାଙ୍କର ସାହିତ୍ୟ ପ୍ରକୃତିରୁ ଜୀବନ୍ୟାସ ପାଇ ସଞ୍ଚରଣଶୀଳ। ପ୍ରାୟ ତିରିଶଗୋଟି ଉନ୍ନତ ପ୍ରବନ୍ଧ, ବାର ଗୋଟି କ୍ଷୁଦ୍ରଗଳ୍ପ, ଗୋଟିଏ ନାଟକ ଓ ଦୁଇ ଏକାଙ୍କିକା, କିୟତ୍ କାବ୍ଯ ତାଙ୍କ ରଚନା ପରିପାଟୀର ଅନ୍ୟତମ ବୈଶିଷ୍ଟ୍ୟ।
ସ୍ଵପ୍ନ ଓ କଳ୍ପନା ବିରହିତ ସାହିତ୍ୟ ରଚନା ତାଙ୍କର ଦୃଷ୍ଟିଭଙ୍ଗୀ। ବାସ୍ତବବୋଧ ଓ ହେତୁବାଦୀ ଦୃଷ୍ଟି ପରିଲକ୍ଷିତ ହୁଏ ତାଙ୍କ ସାହିତ୍ୟରେ। ପ୍ରବନ୍ଧମାନଙ୍କରେ ସେ ଦେଇଛନ୍ତି ନବଦିଗନ୍ତର ସନ୍ଧାନ। ପୁରାଣ ମାନଙ୍କର ବିଜ୍ଞାନ ସମ୍ମତ ଆଲୋଚନା କରି ସୃଷ୍ଟି କରିଛନ୍ତି ନୂଆ ଅଧ୍ୟାୟ। ଶୁଦ୍ଧ ପ୍ରବନ୍ଧ ରଚନାର ବଳିଷ୍ଠ ସାହିତ୍ୟିକ ସିଏ। ଭାଷା ସାହିତ୍ୟରେ ବିଶେଷ କରି ଅତ୍ୟଧିକ ଆଞ୍ଚଳିକତା, ଭାଷାଗତ ବିଦ୍ଵେଷ ଓ ବୈଷମ୍ୟକୁ ସେ ବିରୋଧ କରି ସେ ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଅନେକ ପ୍ରବନ୍ଧ ଲେଖିଯାଇଛନ୍ତି।
ଜଳନ୍ଧରଙ୍କର ଅଜସ୍ର ସୃଷ୍ଟି ଉତ୍କଳ ସାହିତ୍ୟ, ସହକାର, ଶଙ୍ଖ, ଉପହାର, ଆଲୋଚନା, ଭଞ୍ଜପ୍ରଦୀପ, ରସଚକ୍ର, ସମ୍ବଲପୁର ହିତୈଷିଣୀ, ଜହ୍ନମାମୁଁ (ବାମଣ୍ଡା) ପ୍ରଭୃତି ପତ୍ରିକାରେ ପ୍ରକାଶିତ। ଏହି ବିକ୍ଷିପ୍ତ ରଚନାବଳୀ ସମୂହ ଅବଶ୍ୟ ସଂକଳିତ ହୋଇ ପୁସ୍ତକ ଆକାରରେ ପ୍ରକାଶିତ ହୋଇଥିଲା। ତନ୍ମଧ୍ୟରୁ ‘ବିବାହ ବିଚାର’, ‘ବର୍ଣ୍ଣ, ଜାତି ଓ ସାହିତ୍ୟ’, ‘ବେଦ ଓ ହିନ୍ଦୁଧର୍ମ’, ‘ଡାଏରୀର କିୟଦଂଶ’ ( ସିଂହଳ ବୃତ୍ତାନ୍ତ), ‘ଆମ୍ଭମାନଙ୍କର ଯାନ ଓ ଅସ୍ତ୍ରଶସ୍ତ୍ର’, ‘ରାଧାନାଥଙ୍କ କାବ୍ୟରେ ନାରୀ’ ଓ ଗଳ୍ପରେ ‘ଗୋଟିଏ କଥା’, ‘ମିଥ୍ୟା ଅଭିଯୋଗ’, ‘ଭିନ୍ନଗତି ଭିନ୍ନମତି’ ଆଦି ଅନ୍ୟତମ।
ମହାରାଷ୍ଟ୍ର ଭ୍ରମଣ ସମୟରେ ସଂସ୍କାରିକା ରମା ବାଈଙ୍କ ମତାଦର୍ଶ ସହ ସେଠାକାର ଐତିହ୍ୟପ୍ରାଣତାରେ ଖୁବ୍ ଆକୃଷ୍ଟ ହୋଇଥିଲେ ଜଳନ୍ଧର ଦେବ । ଦେଶୀୟ ଲୋକଙ୍କ ପରିଚାଳିତ କପଡା ଶିଳ୍ପ, ନାରୀ ସ୍ବାଧୀନତା କେବଳ ତାଙ୍କର ସାରସ୍ଵତ ଦୀପ୍ତିକୁ ଦେଦୀପ୍ୟ କରିବାରେ ସହାୟ ହୋଇନଥିଲା ବରଂ, ତାଙ୍କର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ସ୍ତରରେ ପରିବର୍ତ୍ତନଶୀଳ ଜଗତର ସହ ଅନୁବର୍ତ୍ତିତ ହେବା ପାଇଁ ବିଶେଷ ଖୋରାକ ଯୋଗାଇଥିଲା ।
ବିଭିନ୍ନ ସମୟରେ ବାମଣ୍ଡା-ବଣେଇ, ବାମଣ୍ଡା-ପାଲଲହଡା ଓ ବାମଣ୍ଡା-ରେଢାଖୋଲ ସୀମା ନିର୍ଦ୍ଧାରଣ କମିଟିମାନଙ୍କରେ ଜଳନ୍ଧର ଦେବ ରାଜ-ପ୍ରତିନିଧି ରୂପେ ନିଜ ଦକ୍ଷ ଓ କାର୍ଯ୍ଯକୁଶଳତା ଦେଖାଇଛନ୍ତି। ସ୍ଵାଧୀନତା ପରେ ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣ କରି ୧୯୪୯ରୁ ୧୯୫୨ ପର୍ଯ୍ୟନ୍ତ ଓଡିଶା ରାଜ୍ୟ ବିଧାନସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇ ଅନେକ ଲୋକହିତକର କାର୍ଯ୍ୟରେ ନିଜକୁ ନ୍ଯସ୍ତ କରିଥିଲେ। ଏଥି ସହ ବିଧାନସଭାର “ଷ୍ଟାଣ୍ଡିଙ୍ଗ୍ କମିଟି ଫର୍ ଆଗ୍ରିକଲ୍ଚର୍” ଏବଂ “ଷ୍ଟାଣ୍ଡିଙ୍ଗ୍ କମିଟି ଫର୍ ହେଲଥ”ର ସଭ୍ୟ ଥିଲେ।
ଜଳନ୍ଧର ଦେବଙ୍କ ସଂସ୍କାରମୂଳକ କାର୍ଯ୍ୟ ପାଟବ ବିସ୍ତୃତ । ଏକ ରୁଚିପୂର୍ଣ୍ଣ ସ୍ପର୍ଦ୍ଧିତ ପୁରୁଷାକାର କର୍ତ୍ତୃକ ଜଳନ୍ଧର ଦେବଙ୍କ ସାହିତ୍ୟ ବିକାଶ ପ୍ରତିଭାତ ହୋଇଥିଲା ଓଡିଆ ମାଟିର ସଂଖ୍ୟାଧିକ ପତ୍ରପତ୍ରିକାରେ । ଏପରିକି ତଦାନୀନ୍ତନ ‘ବିଜୁଳି-ଇନ୍ଦ୍ରଧନୁ’ ସାରସ୍ଵତ ତର୍କରେ ‘ବିଜୁଳି’ ସପକ୍ଷରେ ରହି ଏକ ସମୃଦ୍ଧି-ଉନ୍ମୁଖ ଚେତନାକୁ ସେ ଆପଣେଇ ସ୍ଵୀୟ ଆଧୁନିକ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଥିଲେ। ସେତେବେଳେ ପ୍ରବନ୍ଧ ସାହିତ୍ୟର ବିକାଶ ଖୁବ୍ ରସାଣିତ ହୋଇଥିଲା ।
ଭୌଗୋଳିକ ଅବସ୍ଥିତି ସମ୍ପର୍କରେ ବାମଣ୍ଡା ଥିଲା ହିନ୍ଦୀ ଭାଷାଭାଷୀଙ୍କ ସହ ସମ୍ପୃକ୍ତ । ଏଣୁ ଏହି ସମସ୍ତ ଅଞ୍ଚଳମାନଙ୍କରେ ଓଡିଆ ଭାଷା ପ୍ରତି ହିନ୍ଦୀ ଭାଷାର ଆଧିପତ୍ୟ ସ୍ଵାଭାବିକ ଥିଲା । ସମ୍ଵଲପୁର ମାଟିରେ ହିନ୍ଦୀ ଭାଷାର ଚକ୍ରାନ୍ତକୁ ପଣ୍ଡ କରିବା ପାଇଁ ଯେଉଁମାନେ ଆଗୁଁସାର ହୋଇଥିଲେ ସେମାନଙ୍କ ମଧ୍ୟ ଜଳନ୍ଧର ଦେବ ଅନ୍ୟତମ । ସାହିତ୍ୟରେ ସେ ଆଞ୍ଚଳିକତାକୁ ବିରୋଧ କରୁଥିଲେ, କାରଣ ସାହିତ୍ୟ ତାଙ୍କ ଅଭିମତରେ ସାର୍ବଜନୀନ। ଭାଷା ଓ ସାହିତ୍ୟର ଏକ ମାର୍ଜିତ ଦିଗ ପ୍ରତି ସେ ଥିଲେ ବେଶ ସଚେତନ।
ସେହି ସମୟରେ ସମାଜରେ ପ୍ରଚଳିତ ଜାତିଆଣ ବ୍ୟବସ୍ଥାକୁ ସେ କଠିନ ଭାବରେ ସମାଲୋଚନା କରି ସେ ବାମଣ୍ଡାର ପ୍ରତି ସ୍ଥାନରେ ବିଧବା ବିବାହ, ନାରୀଶିକ୍ଷା, ପୁରାଣ ସଂଲଗ୍ନ ଅନ୍ଧବିଶ୍ଵାସର ଉତ୍ପଟନ ପାଇଁ ତାଙ୍କ କୃତୀତ୍ଵ ସତତ ଆଗଭର ଥିଲା। ୧୯୨୮ ମସିହା ମଇ ମାସ ୨୭ ତାରିଖ ଦିନ ସଇଁତିରିଶ ଜଣ ବ୍ରାହ୍ମଣଙ୍କ ସ୍ଵାକ୍ଷରିତ ଏକ ‘ବ୍ରାହ୍ମଣ ସମିତି’ର ନିଯୁକ୍ତି ପତ୍ର, ବାଳ ବିଧବାମାନଙ୍କ ଦୁର୍ଦ୍ଦଶା ଦୂରୀଭୂତ କରି ସଂସ୍କାର ଦିଗରେ ଉପଯୁକ୍ତ ବୟସରେ ଏହି ବିବାହକୁ ବିଧିଗତ ସମ୍ମତି ମିଳେ। ଏହା ସେତେବେଳେ ଥିଲା ଏକ ଐତିହାସିକ ଦଲିଲ୍ !
୧୯୨୮ ମସିହାରେ ତାଙ୍କର ଆତ୍ମପ୍ରକାଶ ହେଇଥିବା ‘ବିବାହ ବିଚାର’ ଏକ ବିରାଟ ସଂସ୍କାରର ଦ୍ୟୋତକ । ବିବାହ ସମ୍ପର୍କିତ ଶାସ୍ତ୍ରୀୟ ଆଲୋଚନା ସହ ବିଜ୍ଞାନ ସମ୍ମତ ବ୍ୟାଖ୍ୟା କରିବାର ଆଭିମୁଖ୍ୟ ସନ୍ନିହିତ । ଏହା ଶୀର୍ଷକାନୁସାରେ କେବଳ ବିବାହ ଆଦିର ବିଚାର ନୁହେଁ, ବରଂ ବାଲ୍ୟ ବିଧବାଙ୍କ ଦୁର୍ଦ୍ଦଶା ଦୂରୀକରଣ ସହ ବାଲ୍ୟ ବିବାହର ପ୍ରତିକାର ଏକ ପ୍ରଲମ୍ବମାନ ଜନ ଜାଗରଣର ଚରମ ନିର୍ଯ୍ୟାସ । ଏ ପୁସ୍ତକ ପ୍ରଣୟନ ପୂର୍ବରୁ ଏକ ନିରବଚ୍ଛିନ୍ନ ସାମାଜିକ ଆନ୍ଦୋଳନର ପୃଷ୍ଠଭୂମି ସୃଷ୍ଟ ହୁଏ।
୧୯୨୪ ରେ ଜଳନ୍ଧର ଦେବଙ୍କ ଅବସର ପ୍ରାପ୍ତି ସମୟ ବେଳେ ଭାରତରେ ରାଜା ରାମମୋହନଙ୍କ ସାଂସ୍କୃତିକ ଅନୁପ୍ରେରଣା ଖୁବ୍ ତ୍ଵରିତ ଗତିରେ ପ୍ରସରିଯାଏ । ବିଶେଷ କରି ସତୀଦାହ ପ୍ରଥା ବିରୋଧରେ ତାଙ୍କର ଅଭିଯାନ ଭାରତୀୟ ଇତିହାସରେ ନିହାତି ସ୍ମରଣୀୟ । ଆଉ ଏହା ଫଳରେ, ଓଡିଆ ମାଟି ସମେତ ଭାରତର ବିଭିନ୍ନ ପ୍ରାନ୍ତରେ ବାଲ୍ୟ ବିବାହ ଓ ବିଧବାଙ୍କ ଦୁର୍ଦ୍ଦଶାକୁ ନେଇ ସ୍ଵରୋତ୍ତଳନ ହୁଏ। ଫଳସ୍ଵରୂପ, ସଂସ୍କାରଧର୍ମୀ ରାଜା ସୁଢଳଦେବ ମଧ୍ୟ ନିଜ ରାଜ୍ୟରେ କନ୍ୟାର ୧୨ ବର୍ଷ ଓ ପୁତ୍ରର ୧୪/୧୫ ବର୍ଷରୁ କମ୍ ରେ ବିବାହ କରାଯାଇ ପାରିବ ନାହିଁ।
୧୯୨୫ ମସିହାରେ ଜଳନ୍ଧର ଦେବଙ୍କ ଆତ୍ମିକ ସମର୍ଥନ ଫଳରେ ଦେବଗଡର ହରିଜନ ମାନଙ୍କୁ ଗୋକର୍ଣ୍ଣେଶ୍ଵର ମନ୍ଦିରରେ ପ୍ରବେଶ କରାଇ ପୂଜାର୍ଚ୍ଚନା କରିଥିଲେ। ଏପରିକି ସ୍ଵୟଂ ଜଳନ୍ଧର ଦେବ ବେଦୋକ୍ତି ମାଧ୍ୟମରେ ନାନାବିଧ ପୁରାଣ-ସଂଲଗ୍ନ ଅନ୍ଧବିଶ୍ଵାସ ବିରୋଧରେ ନିଜର ଯୁକ୍ତିନିଷ୍ଠ ବକ୍ତବ୍ୟ ଦେଇଛନ୍ତି, ଯାହାର ଏକାଧିକ ବିବରଣୀ ତଦାନୀନ୍ତନ ‘ସମ୍ଵଲପୁର ହିତୈଷିଣୀ’ ମାଧ୍ୟମରେ ପ୍ରକାଶ ପାଏ। ଏପରିକି ଜଳନ୍ଧର ଦେବ ସେ ସମୟରେ କାରାଗାରରେ କଏଦୀଙ୍କ ପାଇଁ ବୈଷୟିକ ଶିକ୍ଷାର ବ୍ୟବସ୍ଥା କରାଯାଏ ।
ଏପରିକି ସବୁଠାରୁ ବଡ଼ କଥା ହେଉଛି ଯେ ଅନେକ ଶିକ୍ଷିତ କଏଦୀଙ୍କୁ ‘ହିତୈଷିଣୀ ପ୍ରେସ୍’ରେ ନିଯୁକ୍ତି ଦେବା ସହ ଅନ୍ୟାନ୍ୟ ସମ୍ମାନଜନକ କାର୍ଯ୍ୟରେ ନିଯୁକ୍ତି ଦେଉଥିଲେ। ଏଥି ସହ ବିଚାରପତି ଥିଲା ସମୟରେ ଜଳନ୍ଧର ଦେବ ନିଶା ନିବାରଣ ପାଇଁ ଅଭିନବ ଉପାୟ ଅବଲମ୍ବନ କରୁଥିଲେ। ଜଳନ୍ଧର ଦେବଙ୍କ ଏହି ଉପାୟମାନ କାରଣରୁ ସେତେବେଳେ ଅନେକ କୁକର୍ମରେ ଲିପ୍ତ ବ୍ୟକ୍ତିବିଶେଷ ମାନେ ଏସମସ୍ତ କୁକର୍ମରୁ ନିବୃତ୍ତ ରହି ଅନେକ ସମ୍ମାନଜନକ ନିଯୁକ୍ତି ପାଇଛନ୍ତି । ସେଥିପାଇଁ, ବାମଣ୍ଡାର ଏହି ଯୁଗ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ରୂପେ ପରିଗଣ୍ୟ ।
ଆଉ ଏହା ପରେ ଏକ ରୋଚକ ଘଟଣା ହେଉଛି ପ୍ରଖ୍ୟାତ କାବ୍ୟ ‘ମେଘଦୂତ’ର ବିଜ୍ଞାନସମ୍ମତ ଟୀକାକରଣ । ଏହାର ପ୍ରାରମ୍ଭରେ ଯକ୍ଷ ଯେଉଁ ବିରହାକୁଳ ହୋଇ ନିର୍ବାସନରେ ରାମଗିରି ପର୍ବତରେ ଥିଲା, ତାହା ଆଷାଢର ପ୍ରଥମ ଦିବସ ବୋଲି ଅନେକ ଟୀକାକାର “ଆଷାଢସ୍ୟ ପ୍ରଥମ ଦିବସେ” ପଦ୍ୟ ସମ୍ପର୍କରେ କହିଥାନ୍ତି । ହେଲେ ଜଳନ୍ଧର ଦେବ ଏହାକୁ ଖଣ୍ଡନ କରି କହିଲେ ଯେ ଭାରତରେ ମୌସୁମୀ ଜ୍ୟେଷ୍ଠ ମାସର ଶେଷ ଆଡକୁ ଆସିଥାଏ ଏବଂ ତାହା ଘନଘୋର ଆକାରରେ ଥାଏ । ହେଲେ ‘ମେଘଦୂତ’ରେ କ୍ରୀଡାସକ୍ତ ଗଜତୁଲ୍ୟ ମେଘ, ତାହା ବରଂ ସେ ମେଘ ନୁହଁନ୍ତି – “ବାତ୍ୟା ବିତାଡିତ ନୂତନ ମେଘ ଅତି ଦ୍ରୁତ ବେଗରେ ଗମନ କରେ ଏବଂ ହତ ହେବାର ଉପଯୁକ୍ତ । ଶ୍ରାବଣ ମାସର ମେଘାଚ୍ଛନ୍ନ ମେଘ ତାଦୃଶ ଭାବୋତ୍ପାଦକ ନୁହେଁ, ନୂତନ ମେଘ ହିଁ ବିଦ୍ୟୁତ୍-ବନ୍ତ ଏବଂ ଇନ୍ଦ୍ରଚାପ-ଶୋଭୀ ଅଟେ । ବଳାକା ପଂକ୍ତି ନୂତନ ମେଘ ବକ୍ଷରେ ଶୁକ୍ଳ ପୁଷ୍ପମାଲ୍ୟ ତୁଲ୍ୟ ଶୋଭା ପାଆନ୍ତି । ପ୍ରଥମ ମେଘାଗମରେ ସେମାନଙ୍କର ଗର୍ଭାଧାନ ହୁଏ । ବକମାନେ ଶାବକ ପାଳନ କରିବାରେ ବ୍ୟସ୍ତ ଥାଆନ୍ତି । କ୍ରୀଡା ରତ ହେବାକୁ ସେମାନଙ୍କର ଅବସର ନାହିଁ ?”
କାବ୍ୟର ଭୌଗୋଳିକତା ଓ ଏହାର କାବ୍ୟଶାସ୍ତ୍ର-ବିଧିସମ୍ମତ ନୀତି ପରିପ୍ରେକ୍ଷୀରେ ସେ ଅନେକ ଯୁକ୍ତିନିଷ୍ଠ ଟୀକା ସ୍ଥାନୀତ କରିଛନ୍ତି । ତାଙ୍କରି ସମ୍ପାଦନାରେ ବାମଣ୍ଡାରୁ ‘ଆଲୋଚନା’ ‘ଉପହାର’ ପତ୍ରିକାରେ ତାଙ୍କର ଏକାଧିକ ଆଲେଖ୍ୟ ପ୍ରକାଶ ପାଏ । ଜଳନ୍ଧରଙ୍କ ଏଥିରେ ବିଶେଷ ଆଭିମୁଖ୍ୟ ଥିଲା ସାରସ୍ଵତ ବାଦାନୁବାଦ , ଯୁକ୍ତିତର୍କ ମଧ୍ୟରେ ସତ୍ୟ ଶିବ ଓ ସୁନ୍ଦରର ଶୁଚିଶୁଭ୍ର ପ୍ରତିଷ୍ଠା ଏବଂ ନବୀନ ପ୍ରତିଭାଧର ରୂପେ ସଂକଳ୍ପବଦ୍ଧ । ଆଉ ବିଶେଷ କରି ସଂସ୍କୃତି ଓ ଐତିହ୍ୟକୁ ନେଇ ତାଙ୍କର ବିଶ୍ଳେଷଣ ପ୍ରଣିଧାନଯୋଗ୍ୟ ।
ତାହାର ଏକ ଦୃଷ୍ଟାନ୍ତ ବୁଦ୍ଧଙ୍କ ଜନ୍ମସ୍ଥାନର ଐତିହାସିକ ସତ୍ୟତା । ସେତେବେଳେ ‘ବୁଦ୍ଧଦେବଙ୍କ ଜନ୍ମସ୍ଥାନ’ ପ୍ରବନ୍ଧ ମାଧ୍ୟମରେ ଉତ୍କଳମାଟିରେ ବୁଦ୍ଧଦେବଙ୍କ ଜନ୍ମସ୍ଥାନ ଥିବାର ଦାବିକୁ ସତ୍ୟର ଅପଳାପ ବୋଲି ସେ ମନ୍ତବ୍ୟ ଦେଇଥିଲେ । ବିଶେଷ କରି ଐତିହାସିକଙ୍କ ବୁଦ୍ଧଙ୍କ ଜନ୍ମସ୍ଥାନକୁ ପ୍ରତିବାଦସ୍ଵରୂପ ସେ ମନ୍ତବ୍ୟ ଦେଇଥିଲେ । ଓଡିଶାର କପିଳେଶ୍ଵର ଗ୍ରାମ ବୁଦ୍ଧଙ୍କ ଜନ୍ମସ୍ଥାନକୁ ଅନେକ ପ୍ରାମାଣିକ ତଥ୍ଯ ସହ ଖଣ୍ଡନ କରିଥିଲେ ଜଳନ୍ଧର ଦେବ ! ତାହାର କେତୋଟି ବିବରଣୀ ନିମ୍ନରେ ପ୍ରଦତ୍ତ –
(୧) ପ୍ରଥମତଃ, ରୁମିନ୍ଦେଇ ଶିଳାଲିପି ପ୍ରାଥମିକ ସ୍ତରର ବ୍ରାହ୍ମୀଲିପିରେ ଖୋଦିତ ଏବଂ ବାରୁତ୍-ସ୍ତମ୍ଭ ଶିଳାଲେଖ ଏହାର ପରବର୍ତ୍ତୀ ଅବସ୍ଥା ଅଟେ, ଯାହାକି ଲିପିତତ୍ତ୍ଵବିତ୍ ଙ୍କ ଦ୍ଵାରା ମଧ୍ୟ ଗୃହୀତ ହୋଇଅଛି ।
(୨) ଏବଂ ହାତୀଗୁମ୍ଫା ଶିଳାଲେଖ ଖୋରାଷ୍ଟ୍ରିରେ ଲିଖିତ, ଯାହାକି ବ୍ରାହ୍ମୀଲିପିର ପରବର୍ତ୍ତୀ ପର୍ଯ୍ୟାୟରେ ବିକାଶ ହୋଇଥିଲା । ଏବଂ ରୁମିନ୍ଦେଇ ଶିଳାଲେଖ ଅଶୋକଙ୍କ ଚତୁର୍ଦ୍ଦିଗ ଶିଳାନୁଶାସନ ଓ ସାତଗୋଟି ସ୍ତମ୍ଭ ମଧ୍ୟରେ ପ୍ରାଚୀନତମ ।
(୩) ପ୍ରାଥମିକ ସ୍ତରର ବ୍ରାହ୍ମୀଲିପି, ପରବର୍ତ୍ତୀ ପର୍ଯ୍ୟାୟର ବ୍ରାହ୍ମୀଲିପି ଓ ଖ୍ରୀଷ୍ଟପୂର୍ବ ପ୍ରଥମ ଶତକ କିମ୍ବା ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରୁ ବିବର୍ତ୍ତିତ ଖୋରାଷ୍ଟ୍ରି ଲିପିର ସହ କେତୋଟି ସାଦୃଶ୍ୟ ରହୁଥିଲେ ମଧ୍ୟ ଉପରୋକ୍ତ ତିନୋଟି ପର୍ଯ୍ୟାୟର ଲିପିଗୁଡିକର ସିଂହାବଲୋକନ ଫଳେ ଜଣାପଡେ ରୁମିନ୍ଦେଇ ପ୍ରାଚୀନତମ।
(୪) ହେଲେ କପିଳେଶ୍ଵରରୁ ପ୍ରାପ୍ତ ଶିଳାଲେଖର ଲିପି ବହୁ ପରବର୍ତ୍ତୀ ପର୍ଯ୍ୟାୟର ଲିପି ଏବଂ ଦୀର୍ଘ ବ୍ୟବଧାନ ରହିଥିବା ଯୁଗଗୁଡିକର ବହୁ ବିଭେଦଧର୍ମୀ ଲିପି ଏଇ ଶିଳାଲେଖରେ ବ୍ଯବହୃତ। ଏଣୁ ଏହା ଏକ କୃତ୍ରିମ ଶିଳାନୁଶାସନ ରୂପେ ଲିପିତତ୍ତ୍ଵବିତ୍ ଙ୍କ ଦ୍ଵାରା ଗୃହୀତ ହୋଇଛି ।
ଜଳନ୍ଧର ଦେବ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ବିବରଣୀ କିଛି ଏହିପରି ପର୍ଯ୍ୟାଲୋଚନା ଅନ୍ତେ ଶିଳାଲିପିର ତୁଳନାତ୍ମକ ଅଧ୍ୟୟନ କରିଛନ୍ତି । ହୁଏନସାଂ ଓ ଫାହିୟାନଙ୍କ ଭ୍ରମଣ ବିବରଣୀ ଅନ୍ତର୍ଗତ ‘ଲି’ ମାପର ବିଶ୍ଳେଷଣ କରିଛନ୍ତି; ଏବଂ ମହାବଂଶ, ମହାବସ୍ତୁ, ସୁମଙ୍ଗଳ ବିଳାସିନୀ, ଲଲିତ ବିସ୍ତାର, ବୁଦ୍ଧ ଚରିତ ପ୍ରଭୃତି ଅଧ୍ୟୟନ ଅନ୍ତେ ଏ ସମସ୍ତ ସୂତ୍ର ଦ୍ଵାରା କପିଳବାସ୍ତୁକୁ ହିମାଳୟ ପାଦଦେଶରେ ବୋଲି ପ୍ରମାଣିତ କରନ୍ତି । ଏଣୁ ବୁଦ୍ଧଙ୍କ ଐତିହାସିକତାକୁ ଜଳନ୍ଧର ଆତ୍ମିକ ସମ୍ମାନ ମଧ୍ୟ ଜଣାଇଛନ୍ତି ।
ଜଳନ୍ଧରଙ୍କ ଏ ସତ୍ୟାନୁସନ୍ଧାନକୁ ଅନେକ ଐତିହାସିକ ସମର୍ଥନ ଜଣେଇଥିଲେ । ଐତିହାସିକ କେଦାରନାଥ ମହାପାତ୍ରଙ୍କ ଉଦଘୋଷଣ ଏ ପ୍ରସଙ୍ଗରେ ଏ ଉଦ୍ଧୃତ – “ଟାଣି ଓଟାରି ବୁଦ୍ଧଦେବଙ୍କୁ ଓଡିଆ ବୋଲି ପ୍ରମାଣ କଲେ ଆମ ଜାତିର ଗୌରବ ବଢିବ ନାହିଁ; ବରଂ ସୁପ୍ରତିଷ୍ଠିତ ଐତିହାସିକ ସତ୍ୟର ଅପଳାପ କରିବା ଦ୍ଵାରା ଆମ ଜାତିର ଗୌରବ ନଷ୍ଟ ହେବ ।” ଆଉ ଜଳନ୍ଧର ଦେବଙ୍କ ଏହିପରି ଐତିହାସିକ ସତ୍ୟର ଯୁକ୍ତିନିଷ୍ଠ ତଥା ପ୍ରାମାଣିକ ପ୍ରତିପାଦନ ତାଙ୍କର ଗବେଷଣାକୁ ଏକ ନୂତନ ବୈଶିଷ୍ଟ୍ୟ ପ୍ରଦାନ କରିଛି ।
ଏହା ପରେ ବିଭିନ୍ନ ପତ୍ରପତ୍ରିକାରେ ସମ୍ପାଦନା କାର୍ଯ୍ୟ ବହନ କରି ସେ ଓଡିଆ ସାହିତ୍ୟ ପତ୍ରିକା ମାନଙ୍କର ବିକାଶ ସହ ସାରସ୍ଵମ ଧର୍ମରେ ଅଗ୍ରଗତି କରନ୍ତି । ଜଳନ୍ଧରଙ୍କ ସମ୍ପାଦନା ଦ୍ଵାରା ଉତ୍କଳୀୟ ସମସ୍ୟା, ଭାରତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସହ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ, ଭାଷା ସଂସ୍କୃତିର ସମସ୍ଯା ସ୍ଥାଳ ପାଏ । ଏପରିକି ସ୍ଵକୁଟୁମ୍ଵ ସମତୁଲ ସେ ‘ଉତ୍କଳ ସାହିତ୍ୟ’, ‘ଶଙ୍ଖ’‘ସହକାର’ରେ ସମ୍ପାଦନା କରି ଭାରତୀୟ ସ୍ଵାଧୀନତା ସଂଗ୍ରାମ ଉପରେ ମଧ୍ୟ ଲେଖନୀ ଚାଳନା କରିଛନ୍ତି । ଏବଂ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି ନିଜର ସାରସ୍ଵତ କୀର୍ତ୍ତି ରଖିଲେ।
ଏପରିକି ବାମଣ୍ଡା ସଙ୍ଗୀତ ସମାଜ ଓ ବାମଣ୍ଡା ଥିଏଟର୍ସ ଉନ୍ନତି କଳ୍ପେ ନିଜର ସ୍ଵବଳ ସଞ୍ଚିତ କରିଥିଲେ । କିଛି କାଳ ପାଇଁ ସେ ବାମଣ୍ଡାର ସଙ୍ଗୀତ ସମାଜର ସଭାପତି ରହିଆସିଥିଲେ ଜଳନ୍ଧର ଦେବ। ୧୯୧୦ ମସିହାରେ ଦୁଷ୍ମନ୍ତ ଦେବଙ୍କ ଆନୁକୂଲ୍ୟରେ ଗଠିତ ‘ବାମଣ୍ଡା ଥିଏଟର୍ସ’ ର ଅନ୍ୟତମ ପରାମର୍ଶ ଦାତା ଥିଲେ ଜଳନ୍ଧର ଦେବ। ଜଳନ୍ଧରଙ୍କ ରଚିତ ଏକ ନାଟକ ‘ଉଦୟସିଂହ’ ଏଠାରେ ମଞ୍ଚାୟିତ ହେବା ସହ ବିଭିନ୍ନ ନାଟକ ମାଧ୍ୟମରେ ଜାତୀୟ ଚେତନା ଉଦ୍ରେକ ଓ ସାମାଜିକ ପ୍ରତିବଦ୍ଧତାରେ ସମାବେଶିତ ।
ବହୁମୁଖୀ ପ୍ରତିଭାଧର ଜଳନ୍ଧର ଦେବ ଯୋଗ ପ୍ରାଣାୟମ ଓ ପ୍ରାକୃତିକ ପଦ୍ଧତିରେ ମଧ୍ୟ ଚିକିତ୍ସା କରି ଅନେକ ରୋଗୀଙ୍କୁ ଚିର ସ୍ଵାସ୍ଥ୍ୟ ପ୍ରଦାନ କରୁଥିଲେ । ବାମଣ୍ଡାର ବିଭିନ୍ନ ଅଞ୍ଚଳରେ ଉଦ୍ୟାନ ପ୍ରଭୃତି ନିର୍ମାଣ ତାଙ୍କର ସୌନ୍ଦର୍ଯ୍ୟ ପ୍ରୀତିର ପରିଚାୟକ । ପ୍ରାୟତଃ ନିଜ ଜୀବନର ଶେଷ ବାସର ପର୍ଯ୍ୟନ୍ତ ସ୍ଵକୀୟ ରଚନାପାଟବ ବିସ୍ତୃତ କରୁଥିଲେ। ତାଙ୍କର ‘ଡାଏରୀର କିୟଦଂଶ’ ତାଙ୍କ ସିଂହଳଦେଶ ବୃତ୍ତାନ୍ତର ଏକ ଅପରୂପ ଉଦାହରଣ । ଆଦିବାସୀଙ୍କ ଜୀବନଚର୍ଯ୍ୟା ଓ ନିମ୍ନଜାତିର ଲୋକଙ୍କଠାରୁ ଶଂସିତ ଉପପାଦ୍ୟରୁ ସେ ଅନେକ ଉପାଦେୟ ଗଳ୍ପ ରଚନା ମଧ୍ୟ କରିଛନ୍ତି।
୧୯୧୬ ମସିହାରେ ଜଳନ୍ଧର ଦେବଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ସଚ୍ଚିଦାନନ୍ଦ ଦେବଙ୍କ ବିବାହୋତ୍ସବରେ ଏକାଧିକ ସାହିତ୍ୟାଲୋଚନା ସହ ପ୍ରମୁଖ ଆକର୍ଷଣ ଭାବରେ ଓଡିଆ ମାଟିର ଚିରନ୍ତନ ମହଦାଦର୍ଶ ଫକୀରମୋହନଙ୍କୁ ବଦାନ୍ୟ ‘ସରସ୍ଵତୀ’ ଉପାଧି ମଣ୍ଡିତ କରାଯାଏ। ଜୀବନର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ନିଜର ସର୍ଜନଶୀଳତା ବଜାୟ ରଖିବା ସହ କୃଷି କାର୍ଯ୍ୟ ପ୍ରତି ମଧ୍ୟ ବେଶ୍ ସଚେତନ ରହୁଥିଲେ ଜଳନ୍ଧର ଦେବ। ଏହି ସ୍ଵାଧୀନ ଚିନ୍ତକ, ବହୁବିଧ ସୁଖପାଠୀ ଇତିହାସବିତ୍ ୧୯୫୨ ମସିହା ଅକ୍ଟୋବର ୨୬ ତାରିଖରେ ନଶ୍ଵର ଶରୀର ତ୍ୟାଗ କରନ୍ତି।
ସମଗ୍ର ଓଡିଆ ମାଟି ସ୍ତବ୍ଧ ହୋଇଯାଇଥିଲା ଗୋଟିଏ ମହଦାଦର୍ଶର କର୍ମମୁଖର ଜୀବନର ଯବନିକାପାତରେ। 
ତଥ୍ୟ ସୌଜନ୍ୟ : ସାହିତ୍ୟ ସାଧକ ଜଳନ୍ଧର ଦେବ/ଡଃ ଫଣୀନ୍ଦ୍ର ଭୂଷଣ ନନ୍ଦ

1 thought on “ଜଳନ୍ଧର ଦେବ”

  1. Pingback: Sir Basudev Sudhaladeba (ବାସୁଦେବ ସୁଢ଼ଳଦେବ) - Famous King of Bamra

Leave a Comment

Your email address will not be published. Required fields are marked *

Scroll to Top