ଜଉଗଡ଼

ଲେଖା: ଦେଵ ତ୍ରିପାଠୀ

ଖ୍ରୀଷ୍ଟପୂ୍ର୍ବ ୨୬୧ର କଳିଙ୍ଗ ବିଜୟର ପ୍ରବଳ ରକ୍ତପାତ ଓ ସଂଖ୍ୟାଧିକ ମୃତାହତଙ୍କ ବିକଳ ଦୃଶ୍ୟ ଚଣ୍ଡାଶୋକକୁ ରୂପାନ୍ତରିତ କଲା ଧର୍ମାଶୋକରେ I ଏହି ପରିବର୍ତ୍ତନର ସ୍ମାରକୀରୂପେ ଖୋଦିତ ହେଲା ଶିଳାଲେଖ ଖ୍ରୀଷ୍ଟପୂର୍ବ ୨୫୭ରେ, ଧଉଳି ଓ ଜଉଗଡ଼ ଠାରେ I ଧଉଳି ଆଜି ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣର ଅନୁପମ ସ୍ଥାପତ୍ୟ I ଏଠାରେ ମହାମାନ୍ୟ ଫୁଜୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମିତ ଶାନ୍ତିସ୍ତୂପ ସଗର୍ବେ ଦଣ୍ଡାୟମାନ, କିନ୍ତୁ ଜଉଗଡ଼ ? ଏକ ଖାଁ ଖାଁ ବିଜନତାରେ ବୁଡ଼ି ରହିଛି ଆଜି ମଧ୍ୟ, ଯେମିତି ଥିଲା ହଜାର ବର୍ଷ ତଳେ; ଅଜଣା ଅଶୁଣା !

ବ୍ରହ୍ମପୁର ମହାନଗରର ୩୫କି.ମି. ଦୂର ଏବଂ ପୁରୁଷୋତ୍ତମପୁର ନିକଟସ୍ଥ ମାଳତୀ ପର୍ବତମାଳା କୋଳରେ ଅବସ୍ଥିତ ଜଉଗଡ଼ ଓ ଖୋଦିତ ଅଶୋକଙ୍କ ଶିଳାଲେଖ ବହୁ ଐତିହାସିକ ଗୁରୁତ୍ୱ ବହନକରେ I

ଶୁଣାଯାଏ ପ୍ରାୟ ଷଷ୍ଠ ଶତାବ୍ଦୀର ଜଣେ ରାଜା ଯୁଦ୍ଧରେ ଜୟଲାଭ ପରେ ବିଜୟସ୍ମାରକୀ ଭାବେ ଗଢିଥିଲେ ଏକ ଦୁର୍ଗ ଏବଂ ନାମ ରଖିଥିଲେ ‘ଜୟକଟକ’ ବା ‘ଜୟଗଡ’, କାଳକ୍ରମେ ଜୟଗଡ ଅପଭ୍ରଂଶ ହୋଇଛି ଜଉଗଡ଼ରେ । ତେବେ ୧୮୭୪ରୁ ୧୮୮୦ ମଧ୍ୟରେ ଏଠାକୁ ପରିଦର୍ଶନରେ ଆସିଥିବା ବିଖ୍ୟାତ ପ୍ରତ୍ନତତ୍ତ୍ଵ ବିଶାରଦ J V Belgareଙ୍କ ମତରେ ଏ ସ୍ଥାନର ପ୍ରକୃତ ନାମ ଥିଲା ‘ଜଗତ’, ସେଥିରୁ ଜଗତଗଡ ଓ ପୁଣି ଜଉଗଡ ।


ଆହୁରି ମଧ୍ୟ ଚମତ୍କାର କିମ୍ବଦନ୍ତୀ ଶୁଣିବାକୁ ମିଳେ ଜଉଗଡ଼ ସମ୍ବନ୍ଧରେ । ଏହି ଦୁର୍ଗର ନିର୍ମାତା ଥିଲେ ରାଜା ରାଜକେଶରୀ । ସେ ଏହି ପାହାଡ଼ ଉପରେ ଲାଖ ବା ଜଉରେ ତିଆରି କଲେ ଦୁର୍ଗଟିଏ ଏବଂ ନାମକରଣ କଲେ ଜଉଗଡ଼ । ଉଦ୍ଦେଶ୍ୟ ଥିଲା କେହି ଦୁର୍ଗ ଆକ୍ରମଣ କରି ଗୁଳିଗୋଳା ବର୍ଷଣ କଲେ ସେସବୁ ଦାଉରୁ ରକ୍ଷା ପାଇବ ଦୁର୍ଗ ।

ସତକୁ ସତ ପଡୋଶୀ ରାଜ୍ୟର ଆକ୍ରମଣରେ ଶତୃର ଗୁଳିଗୋଳା ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲା ଜଉଗଡ଼ ପାଖରେ । ତେବେ ଜଣେ ଗଉଡୁଣୀର ତାତ୍ସଲ୍ୟଭରା ସୂଚନାରୁ ଦୁର୍ଗଟି ଜଉରେ ତିଆରି ବୋଲି ଜାଣି ଅଗ୍ନିସଂଯୋଗ କରିଦେବାରୁ ଏହି ଭବ୍ୟ ଦୁର୍ଗର ହୋଇଥିଲା ଅକାଳ ପତନ ।

ପାହାଡଘେରା ଐତିହାସିକ ଜଉଗଡ଼ର ନିର୍ଜନ ସ୍ଥାନରେ ଠିଆହେଲେ ମନରେ ଆସେ ଏକ ଅପୂର୍ବ ପୁଲକ । ସୁଲୁସୁଲିଆ ବାଆ ଆସି ଛୁଇଁ ଦେଲେ ମନେହୁଏ ଅତୀତ ଆସି ଯେମିତି କ’ଣ କହିଯାଉଛି ଚୁପିଚୁପି । ଅଭୁଲା ଅନୁଭୂତି ନେଇ ଫେରେ ଦେଖଣାହାରୀ । ତଥାପି ଲୋକଲୋନର ଅନ୍ତରାଳରେ ଏଠି ନିରବତାର ରାଜୁତି, ଏଠାକାର ପ୍ରାଚୀନତମ ଆକର୍ଷଣକୁ ବଜାୟ ରଖି ପର୍ଯ୍ୟଟକଙ୍କୁ ଆକର୍ଷଣ କରାଇବାର ପ୍ରଚେଷ୍ଟାର ଅପେକ୍ଷା ରଖେ ଜଉଗଡ଼ ।

Leave a Comment

Your email address will not be published. Required fields are marked *

Scroll to Top