ଚିତୋଉ ପିଠା

~ ଚିତୋଉ ପିଠା ~

ଲେଖା: ଅମୃତେଶ ଖଟୁଆ

ସିନ୍ଦୂରା ଫାଟିବା ସହିତ ଫୁଟି ଉଠିବ ଶୂନ୍ୟ ତରା । ନବ ଊଷସୀର ଦେଦୀପ୍ୟ ଆଲୁଅ ପସରା ଦିଗବିଦିଗ ବିଛୁରି ଯିବ । ସତେ ଅବା ସେ ବିପୁଳ ରଶ୍ମିରାଶିରେ ନୁଆଁଣିଆ ଆକାଶରେ କେତେ ପୁଲକ, କେତେ ଉତ୍ସାହ । ସେହି ଆଲୁଅରେ ଆଲୋକିତ ଆଜି ଗାଁର ଦାଣ୍ଡ ଅଗଣା । ମାଳ ମାଳ ନୀଡ଼ବିହରିତ ବିହଗ ଦଳ ଉଡ଼ିଗଲେ । ଶାବକର ଅଳି ଅନୁସରଣ କରି ଶସ୍ୟ ସାଉଁଟିବାରେ ଲାଗିଲେ । ଏପଟେ ସେଇ ଶସ୍ୟଜାତ ସୁପକ୍ବ ଧାନରୁ ହେବ ଆଜି ପିଠଉ ।
ଆଜି ଚିତୋଉ ଅମେଇସିଆ । ଗାଁ ପଦା କାହା ଘର ଅଗଣାର ଅନାବିଳ ଦୃଶ୍ୟପଟରେ ଏ ଛବି ଝଲସି ଉଠେ । କେଉଁ ଘରେ ଆଜି କୁଳଭୁଆସୁଣୀ ସକାଳୁ ମାଟିର ସରା ପଲମକୁ ଧୋଇ ଧାଇ ଶୁଖେଇ ରଖୁଥିଲା । ସେତେବେଳେ ଘରର ମୁରବି ନର ଗୋଟେ ସଫା କିନ୍ତୁ ପୁରୁଣା ଧୋତି ଯୋଉଟା ଆଉ ସେ ପିନ୍ଧୁ ନ ଥିବେ, ଆଉ ଏବେ ସେଇଟା ଦିଅଁଙ୍କର ବଳିତା ବଳା ହେଉଥିବ – ରାଶି ଆଉ ଜଡାତେଲକୁ ହାତରେ ମାରି ପାପୁଲିରେ ବଳି ବଳି ସେଇ ଧୋତିର ଆର ଫାଳରୁ ଧାରେ, ଯେଉଁ ଗୋଟିକରେ ତେଲ ଲାଗିନଥିବ ସିଏ ବି ଗାଧେଇ ପଡ଼ି ଶୁଖିଥିବ ବାହାର ପଦାରେ ।
ଏଥି ଉତ୍ତାରେ ସକଳ ପାଇଟି ପତ୍ରର ଶୁଭଲଗ୍ନ ପଡ଼େ । ଗୋବର ମିଶା ମାଟିରେ ଊଷର ଅଗଣାର ଛାତି ଲିପା ହେଉଥିବ । ମାଟିର ଚୁଲି ବି ବଡ଼ ସୁଷମ ଆକାରରେ ଲିପା ହବ । ଚୁଲି ସବୁ କାଳେ ଦେବତା, ସେଥିରେ ମା’ ଅନ୍ନପୂର୍ଣ୍ଣାଙ୍କର ବାସ ଆମ ସହୃଦୟ ମାଆମାନଙ୍କ କଥାରେ । ଚୁଲିକୁ ବି ବାରି ଧଳା ଟଗର, ଦୂବ, ହଳଦୀ ଚାଉଳ, ବରକୋଳି ପତର ଓ ସିନ୍ଦୂର ମାଖିଦେଲେ ଦେବୀ ଅନୁରୂପ ସଜେଇ ତା’ ସଜ ଶିରରୁ ତଳି ଯାଏଁ ପୂଜା । ବଡ଼ ମନ୍ଦାର ପତରରୁ ଯୋଡ଼େ ଛିଣ୍ଡେଇ ଚଉରା ମୂଳେ, ପୁଣି ସେଠୁ ଅଗ୍ରସର ହେଲେ ବେଲଗଛ ମୂଳେ, ହାଣ୍ଡିଶାଳ, ମାଟିଚୁଲା, ଶିଳ-ଶିଳପୁଆ, ଚକି ଓ ଘୋରଣା ପାଖେ ସବୁଠି ସାଧ୍ୟମତେ ସୁପକ୍ବ ଖଇକୋରା, ଫାଳେ କଦଳୀ । ଯାହା ଯେଉଁଦିନ ହେଲା ଭୋଗ ସମର୍ପଣ ।
ଖଣ୍ଡିହାସ ମଣ୍ଡନ କରି ଭୁଆସୁଣୀଟି ତହୁଁ ମୁଣ୍ଡରେ ମଥାଏ ଓଢ଼ଣିକୁ ହାତେ ଓହଳେଇ ସାମାନ୍ୟ ଆଗକୁ ଟାଣିଦିଏ । ଗାଁ ପୋଖରୀ ହାଦେ ଚାହିଁଲେ ଦିଇପଟ ତୁଠରୁ ନର୍ମମୟୀ ଯୁବତୀଙ୍କ ଠାରୁ ବର୍ଷୀୟସୀ ସମସ୍ତ ସ୍ତ୍ରୀଲୋକ ଅଛନ୍ତି । ନିଜ ନିଜ ମାଜେଣା ଶେଷ ହେଲା ବେଳକୁ କିଆ, ମୁତୁରି, ନିମ ଓ ବଉଳ ଆଦିର ଦାନ୍ତକାଠି ସାଉଁଳେଇ ଯେ ଯେଝାର ଡାଳିମ୍ବ ମଞ୍ଜୁଳ ଦଶନାବଳୀଙ୍କୁ ଚିକ୍କଣ କଲେଣି । ତେଣେ କେତେ ଜଣ ଯୁବତୀ ନିଜ ଘର ପିତ୍ତଳ ଗରା ଆଦି ବାସନକୁସନ ମାଜି ଲେଉଟିବେ । ପିଣ୍ଡା ପାଖରେ ଛପି ଛପି ରୁଣ୍ଡ ହେଇସାରିଥିବେ । ଅଟ୍ଟହାସ ଓ ରସିକତାର ମିଶ୍ରିତ ରାଗରେ ସେମାନେ କିଏ କେତେ କଥା ବଖାଣି ଯାଏ, ସେତକ ଜାଣିବା ଲାଗି ତର କାହାକୁ – କି ବେଳ କାହାକୁ ? ଏସବୁ ଭୁଆସୁଣୀଟି ଭିତରେ ଥାଇ ଜାଣିପାରେ, କଣ ସବୁ ସମସ୍ତେ କୁହନ୍ତି ଆଉ କ’ଣ ସେ ବୁଝେ !
ଏଣେ, କାଲି ରାତିରୁ ପିତ୍ତଳ କଂସା ମଜା ହେଇ ସେଥିରେ ସରୁ ଅରୁଆ ପାଣିରେ ଭେଦିଥାଏ । ଅଳପେ ବହୁତେ ଶିଳରେ ପାଲିସ୍ କରି ଚାଉଳତକ ବଟା ହେବ । ବାରିରୁ ଯୋଡ଼େ ଅନ୍ନପୂର୍ଣ୍ଣା ପତର ଆଣି ସେଥିରେ ପକେଇ ବାରି ନଡିଆ ଯିଏ ବେଶୀ ଟାଣେଇ ନଥିବ କି କଞ୍ଚା ନଥିବ, ସୁଆଦିଆ ସରସ ଥିବ ମୁରବି ଗେରସ୍ତଙ୍କୁ କହି ତୋଳେଇଥାଏ । କଦଳୀ ପତର ପାରି କୋରଣାରେ ନଡ଼ିଆ କୋରେ । ସରସ କୌତୁକିଆ ଛୁଆଗୁଡ଼ାକ ପିଣ୍ଡା ଦାଢ଼ରେ ଖେଳୁଥିବେ । ମହକ ବାଜିବା କ୍ଷଣି ନଡ଼ିଆ ସଢେଇରେ ସେମାନେ ମାତିବେ । ମାଆଟି ଦାଣ୍ଡ ଅଗଣାରୁ କୋରା ନଡ଼ିଆରେ ଚିନି ଗୋଳେଇକି। ସେମାନଙ୍କ ହାତରେ ସଅଁପି ଦିଅନ୍ତି । ଖୁସିବାସିଆ କଥା, ଏଥିରେ କାର୍ପଣ୍ୟ ଯେ ଦୋଷାବହ । ସେତେ ବେଳକୁ ଦାଣ୍ଡ ଘର ଗୁହାଳ ସବୁ ଗୋଟାପଣେ ଭୁଆସୁଣୀର କଅଁଳ ପଲ୍ଲବପ୍ରତିଭ ହାତରେ ଲେପି ହୋଇ ମସୃଣ । ଏଣେ ବର୍ଷାଦିନକୁ ସହଜେ ପଦାଯାକ ଶିଉଳି ଲାଗିଥିଲା, ସେସବୁକୁ ଅତିକ୍ରାନ୍ତ କରିଯାଇଛି ଦାଣ୍ଡ ଯାକର ପରିଚ୍ଛନ୍ନତା ।
ଏତେବେଳକୁ ସୂର୍ଯ୍ୟ ପ୍ରାଚୀ ଦିଗରେ ଚିହିଁକି ଉଠିଲେଣି । କୁମ୍ଭାଟୁଆ ପ୍ରତ୍ୟୁଷର ରାବ ଦେଇ ପବନର ସୁଅ ସହ ଡେଣାକୁ ଟିକେ ଛାଟି ପକାଏ । ତାଳ ଦେବା ଲାଗି ସୁଦୂରରୁ ସଙ୍କେତ ପାଇଁ କେତେ କେତେ ଚଢ଼େଇ ବି ପ୍ରଭାତର ମାନ୍ତ୍ରିକ ସାଜି ଐକ୍ୟତାନକୁ କରୁଥାନ୍ତି ଅଧିକ ଦୃପ୍ତ ଓ ଉଚ୍ଚାଙ୍ଗ । ବାଡ଼ି ବାହାରେ ଗାଁ ଦାଣ୍ଡର ମାଟିଆ ସରଣୀ ଆଗ ତୋଟା । ସେପଟେ ପୁନ୍ନାଗ, କିଆ ଏବଂ ଟଗର ଫୁଲ ଫୁଟି ଚତୁର୍ଦ୍ଦିଗ ସୌରଭ ବିସ୍ତାର କରିଛି । ଆଉ ଫିରିକି ବୁଦାର ଧଳା ଫୁଲ – ଏ ଫୁଲ କେହି ଶୁଣିନଥିବେ ଅଥଚ ବାସନାରେ ଅଦ୍ୱିତୀୟ । କଥାରେ ଅଛି, କୌଣସି ଦେଶୀୟ ଅଥବା ବିଲାତି ଗୁଣର ସୁଗନ୍ଧ ସୁଦ୍ଧା ଏହାର ସମକକ୍ଷ ହେବେ ନାହିଁ ।
ଫୁଲ ବାସନାକୁ ମହକୁ ଥିଲା ଭିନ୍ନ ଏକ ଧରଣର ମିଠା ମିଠା ବାସନା । ଘର କୁଳ ଭୁଆସୁଣୀ ସେପଟେ ଚାଉଳ ସାଙ୍ଗରେ ସେ ନଡ଼ିଆତକ ବି ବାଟି ଦେଇଛି, ଆଉ ଗୋଟେ ବହଳିଆ କ୍ଷୀର ପରି ରୂପାନ୍ତରିତ ରୂପ ନେଇ କଂସାରେ ବୋଉର ହାତକୁ ଅନାନ୍ତି, ପୁଣି ତା ପରେ କଣ ? ପାଣି ମିଶା ଆଉ ଡଙ୍କି ଫେଣା । ପତଳା ପିଠଉ, ଚିତଉର ପାଗ ।
କେତେ କେତେ ଘରେ ଚୁଲିରେ କାଠ, ପତର ଦେଇ ଅଗ୍ନି ଦେବତା, ଅନ୍ନପୂର୍ଣ୍ଣା ମନ୍ତ୍ର ସହ ପଲମ ବସେ । ଅବଶ୍ୟ ମନ୍ତ୍ର ଛଳରେ ଏସନ ବର୍ଷ ଘରର ସମୃଦ୍ଧିକୁ ସାକ୍ଷୀ କରି ମହାଲକ୍ଷ୍ମୀଙ୍କ ହେତୁ ସୁମରଣା ଯେ ବିଧେୟ । ଟିକେ ଭଲ ଘିଅକୁ ନଡ଼ିଆକତା ନ ହେଲେ ବାଇଗଣ ଭୁଣ୍ଡିରେ ଘସିଦେଇ ଡଙ୍କିଏ ଛଁ’ କିନା ଆଣ (ପିଠଉ) ଅଜାଡ଼ି ଦିଆ ଯାଇପାରେ । ସରା ଘୋଡେଇ ଦେଇ ଧୋତି କନାକୁ ପାଣିରେ ବୁଡେଇ ଚାରିପଟେ ଭୁଆସୁଣୀଟି ବୁଲେଇଦିଏ ଆଉ ଝିଅ ପୁଅ ମୁଖର ନିର୍ମଳ ବଦନ ନିରେଖି ହସିଦିଏ ।
ଏସବୁ ଆଜିର ପିଲାମାନଙ୍କ ତରୁଣ ମସ୍ତିଷ୍କକୁ ବିଜ୍ଞାନ ପରୀକ୍ଷା ଭଳି ଲାଗିପାରେ । ବାସ୍ତବରେ କେତେ ସାଧନା, କେତେ ନୈପୁଣ୍ୟ ନ ହେଲେ ସେତକ ସରସତା ବି ଅମାୟିକ ମଣିଷ ପକ୍ଷେ ଦୁଷ୍କର । ସୁଦୂର ପ୍ରବାସରେ ମନେ ପଡ଼େ, ସେ ଗାଁ ଦାଣ୍ଡରେ ମେଘଗର୍ଜନ, ବିଦ୍ୟୁତ୍ ସ୍ଫୁରଣ, ବୃଷ୍ଟିର ଧାରାବାହିକ ଶବ୍ଦ ଯାହା ପ୍ରତ୍ୟେକ ହୃଦୟରେ ଚାଞ୍ଚଲ୍ୟ ଖେଳେଇ ଆଣେ । ତା’ରି ଆବାହନରେ ଏଇ ଶ୍ରାବଣର ନିବିଡ଼ ଆତ୍ମୀୟତାର ପରମ୍ପରା, ସେହି ସୁପକ୍ବ ଓ ପ୍ରସାଦକୁ ଅନେକଙ୍କ ନିବିଡ଼ ଲିପ୍ସା ।
ଚିତୋଉ ପିଠା, ଅଣଲେଉଟା । କୁଆଡେ ଗଲାକୁ ଆସିଲା ବେଳେ ଚିତଉ ଖାଇକି ଯିବନି । ଆଗେ ସବୁ ଦିଅଁଙ୍କ ଘରୁକୁ, ତାଙ୍କ ପିତ୍ତଳ ଚଟକା ଥାଳିଆରେ ଚିତଉ ଯାଏ, ତାଙ୍କ ଆଗରେ ପଞ୍ଚୋପଚାରରେ ଭୋଗ । ତାଙ୍କ ପାଖରେ ପ୍ରୋକ୍ଷଣ ଓ ଦୃଷ୍ଟିରେ ପବିତ୍ରୀକରଣ ହେବ । ସଜଳ ପ୍ରସୂନମାଳ, ଧୌତ ବସ୍ତ୍ର, ତୁଳସୀ ବା ବିଲ୍ବଦଳାଦି ଦେଇ ତାଙ୍କ ପାଖରେ ସମର୍ପଣ । ହୁଳହୁଳି, ଘଣ୍ଟି ଶୁଭିଲେ ସେସବୁ ସମ୍ପନ୍ନ । ଏଥିରୁ ଅଧିକ ବିଧି ହେଲା ଯା ଘରେ ଯେଉଁ ଘର ପାଳି, ସେ ଏ କାର୍ଯ୍ୟ ନିର୍ବାହ ଲାଗି ଯିବେ ।
ଭାଦ୍ରବ ଖୁଦୁରୁକୁଣୀ ଓଷାରେ ଜହ୍ନିଫୁଲ, ଶେଷ ପାଳିର ବିଶେଷ ଆକର୍ଷଣ ଚିତୋଉ ପିଠା । ମାଣବସା ପୂଜାରେ ବି ଚିତଉ, ପୋଢୁଆଁ ଅଷ୍ଟମୀକୁ ବି ଏ ଆକର୍ଷଣର ସ୍ଥିର କେନ୍ଦ୍ରପ୍ରତିମା, ଚିତଉ । ସଚ୍ଛିଦ୍ର, ବାଷ୍ପସିଦ୍ଧ ଓ ମିଷ୍ଟଗୁମ୍ଫିତ । ଏଇ ଚିତୋଉ ପିଠା କାଳେ ଅନ୍ୟ ପିଠା ଭଳି ଯେତେ ସରସ ହେଲେ ମଧ୍ୟ ଶିଖିବାକୁ ବେଶ୍ ସମୟସାପେକ୍ଷ । ତରୁଣୀମାନେ ନିଜ ମାଆମାନଙ୍କ ପାଖରୁ ଏ ଘରକରଣା ସଅଳ ଆୟତ୍ତ କରିବାକୁ ତତ୍ପର ଥାଆନ୍ତି । କିନ୍ତୁ ଯେତେବେଳେ ସେ ତରୁଣୀ ତା ଶାଶୁ ଘରକୁ ଯିବ ହେଲେ, ସେମାନେ ଅଭିଜାତ ହୋଇ ଯେତେବେଳେ ସାହି ସଙ୍ଗାତଙ୍କୁ ଭୋଜି ଦେବାରେ କୃପଣ ସାଜନ୍ତି, ଲୋକେ କୁହନ୍ତି, ଚିତୋଉ ପିଠା ବି ଗଣି ଗଣି ଯେଉଁଠି ପରସ୍ପରରେ ବାଣ୍ଟିବ, ସେ କି ଶୋଭନୀୟ:
ଚାଳରେ ଶୁଖଇ ମଠା ,
ବଡ଼ ଘର ଦେଖି ଦେଇଛ ବାପା ହେ
ଗଣତି ଚିତଉ ପିଠା ।
ସେଥିପାଇଁ ବୋଧହୁଏ ଝିଅଟି ଏଇ ଚିତଉ ପିଛା ନିଜକୁ ସମ୍ଭ୍ରମ ଓ ପାରଙ୍ଗମ କରେ । ସେଥିପାଇଁ, ବ୍ୟାସକବି ଫକୀରମୋହନ ନିଜ ଗଳ୍ପ ‘ପାଠୋଈ ବୋହୂ’ ର ସରସ୍ବତୀ ଦେଈଙ୍କ କଣ୍ଠରେ ସୁଦ୍ଧା ଚିତୋଉ ପିଠାର ପୃଷ୍ଠପୋଷକ ସାଜି ତାଙ୍କ ଝିଅର ଦକ୍ଷତା କଥା କହିଛନ୍ତି, “ଅସଲ କଥା କଣ କି, ସରସ୍ୱତୀ ଦେଈ ଭଲ କରି ଜାଣନ୍ତି, ତାଙ୍କର ବୁଦ୍ଧି ଢେର । ରୂପରେ, ଗୁଣରେ ତାଙ୍କ ପଛରେ ମୂଲକରେ କେହି ନାହିଁ, ତେବେ ଆଉ ପାଠ ପଢ଼ିବେ କ୍ୟାଁ ? ତାଙ୍କର ଯେ ବୁଦ୍ଧି ଢେର, ତାହା ଗାଁ ସାନ୍ତାଳ ମାଇକିନିଆମାନଙ୍କ କତିରୁ କେତେଥର ଶୁଣିଛନ୍ତି । ତାଙ୍କ ବୋଉ ବି ଢେର୍ ଲୋକ ପାଖରେ କହିଛନ୍ତି – ବୁଦ୍ଧିରେ ମୋ ଝିଅ ପଛରେ ଆଉ ଗୋଟାଏ ଝିଅ ମୂଲକରୁ କାଢ଼ିଲ ଭଲା ? ଭାତ ରନ୍ଧାରେ କିଏ ବାଛିବ ? ଶାଗ ସନ୍ତୁଳିଲେ ଗାଁ ଗୋଟାକ ମହକି ଯାଏ । ସବୁ ଗୁଣରେ ମୋ ଝିଅ ଫରାକିତ । ଚିତୋଉ ପିଠା କରିବାରେ ତା ଆଗରେ କେଉଁ ଝିଅଟା ଠିଆ ହେବ ହେଉ ତ ଦେଖେଁ । ଦୁଆର ଝୋଟି ଦେଇଥିଲେ ଦାଣ୍ଡଗଲା ଲୋକ ଚାହିଁ ଚାହିଁ ଯା’ନ୍ତି ।”
~ ପାର୍ବଣ ଋତୁର ପହିଲି ସ୍ବାଦ, ଚିତୋଉ ~
ଚିତୋଉ ଏକାବେଳକେ ସାତ୍ତ୍ବିକ ଓଡ଼ିଆ ପିଠା । ଗାଁ ଗହଳିରେ ଚିତୋଉ ପିଠା କରି ପ୍ରଥମେ ନଈ ପୋଖରୀରେ ମାଛଙ୍କୁ ଦିଆ ଯାଉଥିଲା । କେତେବେଳେ ବିଲ ବାଡ଼ିରେ ପକା ଯାଉଥିଲା । ତା’ ପରେ ରାତିରେ ନଡ଼ିଆ ଦୋରୁଅ ରସରେ ଭିଜେଇ ଖିଆ ଯାଉଥିଲା । ଏବେ ନଡ଼ିଆ ଦୋରୁଅ କହିଲେ କେହି ବୁଝିବେ ନାହିଁ । ବହୁ ଲୋକ ଜାଣି ବି ନଥିବେ ଚିତୋଉ କେମିତି ଦେଖିବାକୁ । ଚିତଉଟା କିନ୍ତୁ ଗୋଟେ ଓଲଟା ଛତା କି ଛତୁ ପରି ଦିଶେ । ଟୁପ୍ ଟୁପିଆ, କେତେ ବିନ୍ଧ ଯେ ଗଣିହବନି । ଏସନ ଶ୍ରାବଣ, ଚାଷ ବାସ ଅବ୍ୟାହତ ରହିଛି । ବିଲକୁ ଘରର ମୁରବି କଦଳୀ ପତରରେ ଚିତଉ ଆଉ ସବୁ ପୂଜା ଜିନିଷ ନେଇଯା’ନ୍ତି । ଜମି ପୂଜା ହୁଏ । ଭଲ ଫଳ ଦିଏ ପୂଜିଲେ ।
ଭୁଆସୁଣୀଟି ଘରର ବଡ଼ କେହି ଝିଅ ଥିଲେ – ବଡ଼ ନାନୀକୁ ପଠାଏ ବାରି ଆଡ଼େ ଓ ଖଳାରେ କଦଳୀ ପତରରେ ପିଠା ଦେବ । ତାର ପାଣି ଛଡ଼େଇଦେବାକୁ । ସେମାନେ କହନ୍ତି, ପାଣିରେ ଭସେଇ ଦେବୁ । ଚକଡ଼ା ପୋକ, ଗେଣ୍ଡା ବା ଗେଣ୍ଡେଇଶୁଣି, କୋଚିଆ ଆଉ ସବୁ ଅପକାରୀ ଶୈବାଳ ସହ ଯାବତୀୟ ସରୀସୃପ, ସେମାନଙ୍କଠାରୁ ସୁରକ୍ଷିତ । ପ୍ରକୃତି ପୂଜା ହେଲେ ଏଠି କେଉଁ ଦିଅଁଙ୍କ ଉପାସନା ହେଉଥାଏ, ପ୍ରଥମ ଦର୍ଶନରେ ଜାଣିହୁଏନା । ସେମାନଙ୍କ ଭାଷା ହେଲେ ମୁଁ ସୁଦ୍ଧା ଜାଣିନି । ଶୁଭେ ଯାହା ଦରୋଟି ଅଧରରୁ ମୃଦୁ କଣ୍ଠର ଗୁଣୁଗୁଣୁ ସ୍ବର ।
ଗେଣ୍ଡେଇଶୁଣି ଚିତଉ ପିଠାକୁ ପାଇ ଚଷା ଓ ଆତ୍ମୀୟମାନଙ୍କ ଗୋଡ଼କୁ କାଟିବେ ନାହିଁ । ଏହି ଚିର ଆସ୍ଥା ସହକାରେ ଆବହମାନ କାଳରୁ ଗେଣ୍ଡାମାନଙ୍କୁ ଶ୍ରାବଣ ଅମାବାସ୍ୟା ଦିନ ଚିତୋଉ ପିଠା ଦେବାର ପ୍ରଥିତଯଶା ପ୍ରଥା ବହୁ ପ୍ରଚଳିତ । ବାଲେଶ୍ଵର, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାମାନଙ୍କରେ ଏହାକୁ ସ୍ଵତନ୍ତ୍ର ‘ଗେଣ୍ଡେଇକଟା ଓଷା’ ବା ‘ଗେଣ୍ଡେଇଶୁଣି ପୂଜା’ ବୋଲି ଅଭିହିତ କରାଯାଇଛି । ପୋଖରୀ ହୁଡ଼ା ଉପରୁ ଛିଡ଼ା ହୋଇ ଗେଣ୍ଡେଇଶୁଣିଙ୍କୁ ଚିତୋଉ ପିଠା ଅର୍ପଣ କରି ପରେ ଗେଣ୍ଡେଇଶୁଣିଙ୍କ ଉଦ୍ଦେଶ୍ୟରେ କୁହନ୍ତି,
“ଗେଣ୍ଡେଇଶୁଣି ଲୋ ଗେଣ୍ଡେଇଶୁଣି
ମୋ ଗୋଡ଼ କାଟିବୁ ନାହିଁ
ମୋ ବାପା ଗୋଡ କାଟିବୁ ନାହିଁ
ମୋ ବୋଉ ଗୋଡ଼ କାଟିବୁ ନାହିଁ
ମୋ ଭାଇ ଗୋଡ଼ କାଟିବୁ ନାହିଁ । . . “
ପ୍ରକୃତି କୋଳରେ ବଞ୍ଚୁଥିବା ସରଳ ବିଶ୍ବାସୀ ମଣିଷ ଆବହମାନ ଯୁଗରୁ ତାହାର ଅକୃତ୍ରିମ ଶୋଭା ସହିତ ଗୋଟିଏ ଅଲକ୍ଷ୍ୟ ସୂତ୍ରରେ ନିତ୍ୟ ଅନୁବନ୍ଧିତ । ଜୀବନ ଯାତ୍ରାରେ ଯାଯାବର ସାଜି ସେ ଅନୁଭବ କରେ ପ୍ରକୃତି ଜନନୀ ତା’ର ଜୀବନଚର୍ଯ୍ୟାର ଅଭିନ୍ନ ଅଙ୍ଗ । ତାହାର ରକ୍ଷା ବା ଅବହେଳା ହିଁ ଯଥାକ୍ରମେ ଆମର ଉପକାର ବା ଅପକାର । ଜୀବନ ଯାତନାର ପ୍ରତିକୂଳ ସ୍ଥିତିକୁ ସମ୍ମୁଖୀନ ହେବା ଲାଗି ସେ ମଧ୍ୟ ଦେଇପାରେ ନିରଳସ ସାମର୍ଥ୍ୟ । ତେଣୁ, ସୃଷ୍ଟିର ପୂଜା ସମାଜର ମଙ୍ଗଳ ପାଇଁ, ଏହା ହିଁ ଉପଜୀବ୍ୟ । କାରଣ, ନିଷ୍ପାପ ଆଦିମ ମନୁଷ୍ୟ କାହା ପାଇଁ ହୀନମନ୍ୟତା ରଖିନି, ବରଂ ପ୍ରତ୍ୟେକ ଜୀବଙ୍କୁ ତା’ର ସାହାଯ୍ୟକାରୀ ଭାବେ ଗ୍ରହଣ କରି ସେମାନଙ୍କୁ ପୂଜା କରିଆସିଛି ପ୍ରାଣର ମମତା ନିଗାଡ଼ି । ସେଇ ଅତିମାନବୀୟ ଚେତନାରୁ ସୃଷ୍ଟି ଆଜିର ଏଇ ଗେଣ୍ଡେଇଶୁଣି ପୂଜା ।
ବିଲରେ ପାଣି କାଦୁଅରେ କାମ କରୁଥିବା ବେଳେ ପାଦକୁ ଗେଣ୍ଡା କାଟି ଦେବାର ଭୟ ଥାଏ । ଗେଣ୍ଡା ଯାହାର ପାଦକୁ କାଟି ଦିଏ, ଛୁରିରେ କାଟି ଦେଲା ପରି କ୍ଷତ ସୃଷ୍ଟି ହୋଇଥାଏ । ଫଳରେ ଯାହାଙ୍କ ପାଦ ଗେଣ୍ଡା କାଟିଥାଏ, ସେ ଦୀର୍ଘ ଦିନ ପର୍ଯ୍ୟନ୍ତ କାମ କରି ପାରନ୍ତି ନାହିଁ । ଚାଷ କାମ ସମୟରେ ଚାଷୀ ଘରେ ବସିଲେ ଚାଷବାସ ଉଜୁଡ଼ି ଯିବାର ଭୟ ଥାଏ । ତେଣୁ, ଘରର ଝିଅ ମାନେ ଚିତଉ ପିଠା ହାତରେ ଧରି ଗୀତ ଗାଇ ଗାଇ ନାଳ, ପୋଖରୀ ଓ ବିଲରେ ଖଣ୍ଡ ଖଣ୍ଡ କରି ଚିତଉ ପିଠା ପକାଇ ଆସନ୍ତି । ଝିଅ ମାନେ ସେମାନଙ୍କ ଗୀତ ମାଧ୍ୟମରେ ଗେଣ୍ଡେଇଶୁଣିଙ୍କୁ ପ୍ରାର୍ଥନା କରିଥା’ନ୍ତି । ସେମାନଙ୍କ ବାପା ଭାଇଙ୍କ ପାଦକୁ ଗେଣ୍ଡା ନ କାଟିବା ପାଇଁ ଏହି ପୂଜା କରିଥାନ୍ତି । ଏହାର ଅନ୍ତରାଳେ ଏକ ବିଜ୍ଞାନଭିତ୍ତିକ କାରଣ ସନ୍ନିହିତ । ଘିଅ ଓ କ୍ଷୀରର ଗନ୍ଧରେ ଗେଣ୍ଡା ଦୂରକୁ ଚାଲିଯାଏ । ଚିତୋଉ ପିଠା ବିଲରେ ପକାଇବା ଫଳରେ ଗଣ୍ଡା ମାନେ ବିଲରୁ ଚାଲି ଯାଇଥାନ୍ତି ଓ ଚାଷୀ ସୁରକ୍ଷିତ ରହିଥାଏ ।
~ ଶସ୍ୟଶ୍ୟାମଳା ଦେଶର ନିଦାନ ~
କଥାରେ ଅଛି,
“ଜ୍ୟେଷ୍ଠାଳି ବୁଣା ବୁଣନ୍ତି ଖରଡ଼ି,
ସେଥିରୁ ବଳିଲେ ଚଷାଯାଏ ହୁଡ଼ି ।”
ବୈଶାଖର ଅକ୍ଷୟ ତୃତୀୟାରେ, ଓଡ଼ିଶାର କୃଷକ ଦେଶୀ ବିହନ ଅନୁକୂଳ କରି ବିଲ ଉପରେ ବପନ କରେ ପହିଲି ବୀଜ ଅକ୍ଷିମୁଠି । ବୈଶାଖ-ଜ୍ୟେଷ୍ଠର ମୁଣ୍ଡଫଟା ଖରାରେ ହଳେ ବଳଦକୁ ଅଡ଼ାଇ, କାଠ ଲଙ୍ଗଳରେ ଭୂମି କର୍ଷଣ କରେ । ଆଷାଢ଼ର ଆଦ୍ୟ ଶିଖରୀସ୍ପୃଷ୍ଟ ବର୍ଷାପାତରେ ବୁଣା ଧାନ ସବୁ ଗଜୁରି ଉଠିଲେ କୃଷକ ମନ ହୋଇ ଉଠେ ଆଗାମୀ ଅମଳ ପାଇଁ ହର୍ଷୋତ୍ଫୁଲ୍ଲ । ଏଥି ସହ, ଏଇ ଅମାବାସ୍ୟାରେ ଧାରା ଶ୍ରାବଣକୁ ଭ୍ରୂକ୍ଷେପ ନ କରି ଚଷା ଆରମ୍ଭ କରିଦିଏ ବୁଆ ବେଉଷଣ । ଏତିକିବେଳକୁ ଧାନ ବିହୁଡ଼ା ହେଲେ ଶିଶିରସ୍ନାତ କାର୍ତ୍ତିକ ପୂର୍ବରୁ ଆଶ୍ବିନରେ ଧାନକେଣ୍ଡା ବା ଗର୍ଭ ଧରିବ ।
ମାଣବସା ସୁଦ୍ଧା ନୂଆ ମାଣରେ ଲକ୍ଷ୍ମୀପୂଜା କରାଯାଇ ଶିଶିର ଭିଜା ପୌଷ ମାସରେ ସକାଳୁ ସଞ୍ଜ କେବଳ ଦିଶେ ଫସଲ ଅମଳର ମଞ୍ଜୁ ଛବି । ଗୋମୟ ଲିପ୍ତ ପରିଚ୍ଛନ୍ନ ଖଳାବାଡ଼ିରେ ଜମେଇଦିଏ ଚଷା ତା’ ମଥାର ଧାନ ବୋଝ । ଖଳାରେ ଜମିବ ଧାନ ସୀସା, କୃଷକ ମନରେ ଜମାଟ ବାନ୍ଧେ ଆଶା, ବିଶ୍ବାସ ଓ ଆନନ୍ଦ । ଶ୍ରମଜୀବୀ ସେ, ଧରଣୀ ଗର୍ଭରୁ ସନ୍ତର୍ପଣରେ କଠିନ ଶ୍ରମ ଓ ଅନଟନ ଭିତରେ ତୀବ୍ର ଦେହ ଜ୍ବାଳା ସମ୍ବରଣ କରି ମାଟି ସହିତ ସଙ୍ଘର୍ଷ କରେ, ସୁନା ଫଳାଏ ।
ଏଇ ମହାନ ପୂଜା ଅନୁଷ୍ଠିତ ହୁଏ ଧାରା ଶ୍ରାବଣର ଅମାବାସ୍ୟା ତିଥିରେ । ଏ ବେଳକୁ ଓଡ଼ିଆ ଚଷାଭାଇର ଧାନ ବେଉଷଣ ବା ଧାନ ବିହୁଡ଼ା କାମ । ଫସଲ ଅମଳ କିପରି ଅଧିକ ହେବ ସେଥିପାଇଁ ଚଷା ଭାଇ ପୂଜାକରେ ଧାନକ୍ଷେତକୁ, ସ୍ବତନ୍ତ୍ର ବିଧିରେ । ବେଉଷଣ କାମରେ ଯେ ଚଷାଭାଇ ପଡ଼ିରହେ ବିଲରେ । ଏଥି ସହିତ ପିଠା, ଫୁଲ, ଚନ୍ଦନ, ସିନ୍ଦୂର, କ୍ଷୀର ଆଦି ଦେଇ ବିଲକୁ ପୂଜା କରନ୍ତି । ଧାନକ୍ଷେତକୁ ଅର୍ଘ୍ୟ ଦେଇ ପୂଜା କରି ଚିତୋଉ ପିଠାକୁ ବିଲରେ ପୋତି ଦେଇ ଆସେ । ଚଷାଭାଇର ବିଶ୍ୱାସ ଧାନକ୍ଷେତକୁ ପୂଜା କଲେ ଅମଳ ଅଧିକ ହେବ ।
ଚିତୋଉ ଅମାବାସ୍ୟା ସମୟରେ ଓଡ଼ିଶାରେ ଆଉ ଗୋଟିଏ ବିଶେଷ ଘଟଣା ଘଟେ । କଥିତ ଅଛି, ନଈ ସବୁ ଶୁଖିଲା ପଡ଼ିଥିଲେ ମଧ୍ୟ ଚିତୋଉକୁ ନିଶ୍ଚୟ ପାଣି ଆସିବ । ବସ୍ତୁତଃ ଓଡ଼ିଶାରେ ଯେତେ ପ୍ରଳୟଙ୍କରୀ ବନ୍ୟାବିତ୍ପାତ ଘଟେ, ସେସବୁ ଅଧିକାଂଶ ଚିତୋଉ ଅମାବାସ୍ୟା ଦିନ । କାରଣ ଅବଶ୍ୟ ସୁସ୍ପଷ୍ଟ । ଅମାବାସ୍ୟାରେ ସମୁଦ୍ର ଗର୍ଭ ଥାଏ ସ୍ଫୀତ । ନଦୀଜଳ ନିଷ୍କାସିତ ହୋଇପାରେନା । ଏହା ପୂର୍ବରୁ ଧାରା ଶ୍ରାବଣରେ ଲଗାଣ ବର୍ଷା ହୋଇ ବଢ଼ି ଆସିବା ଏବଂ ପ୍ରଳୟ ରୂପ ଧାରଣ କରିବା ସ୍ବାଭାବିକ । ତେଣୁ ମଧ୍ୟ ଲୋକେ ନଦୀବଢିର ପ୍ରକୋପ ହ୍ରାସ ଉଦ୍ଦେଶ୍ୟରେ ଜଳ ଦେବତା ବରୁଣଙ୍କୁ ମଧ୍ୟ ଚିତୋଉ ଭୋଗ ନିକ୍ଷେପ କରି ସମର୍ପଣ କରନ୍ତି ‌।
ଓଡ଼ିଶା ନିଜ ଭିତରେ ମଧ୍ୟ ବିବିଧ ପରମ୍ପରାରେ ପୂର୍ଣ୍ଣଗର୍ଭା । ତେଣୁ, ପ୍ରତ୍ୟେକ ଅଞ୍ଚଳ ପାଇଁ ଏଥିରେ ସନ୍ନିବେଶିତ ଆହୁରି ଚମକପ୍ରଦ ପ୍ରଥା । ଓଡ଼ିଶାର ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାମାନଙ୍କରେ ଶ୍ରାବଣ ଅମାବାସ୍ୟା ଏକ କୁଳାଚାର ପର୍ବ । ଏଥିରେ କିଛି ବିଶିଷ୍ଟ ସମ୍ପ୍ରଦାୟଙ୍କ ପାରମ୍ପରିକ ଭୂମିକା ଥାଏ । ଯେଉଁଥିରେ ରୀତିନୀତି ଅନୁସାରେ ସେମାନଙ୍କ ଦ୍ବାରା ଏହା ପାଳିତ । ଏହି ପର୍ବ କୃଷି ସହ ତେଣୁ, ପୁନଶ୍ଚ ସମ୍ବନ୍ଧିତ ହେତୁ ଏଥିରେ ଅନ୍ତର୍ନିହିତ ସାମ୍ପ୍ରଦାୟିକ ସଦ୍ଭାବ ଓ ପୂର୍ବ ଗୌରବର ମହିମା । ଯାହା ଏହି ଶ୍ରାବଣ ଉଆଁସରେ ଛତ୍ରେ ଛତ୍ରେ ପରିଲକ୍ଷିତ ହେବ ।
ପ୍ରଥମେ ସେଦିନ, ସକାଳୁ ଗଉଡ଼ିଆ ଘରର ରମଣୀ ଓ ଗୃହକର୍ତ୍ତା, ନିତ୍ୟ ଶୌଚାଦି କୃତ୍ୟ ଶେଷରେ ଗାଧୋଇ ପାଧୋଇ ପ୍ରସ୍ତୁତ ହେଇ ସାରିଥିବେ । ଏଥି ପରେ ନିଜ ଗୁହାଳକୁ ପଦାର୍ପଣ ପୂର୍ବକ ଗୋରୁମାନଙ୍କୁ ହଳଦୀ ମିଶ୍ରିତ ଚାଉଳରେ ବନ୍ଦାପନା କରି ସାଷ୍ଟାଙ୍ଗ ପ୍ରଣତି ଜଣାଇଥା’ନ୍ତି । ଏଥିରେ ସେ ବନ୍ଦାପନା ଦ୍ଵାରା ଗୋଧନ ପ୍ରତି କରିଥିବା ସମସ୍ତ ବିହିତ ବା ଅବିହିତ ଦୋଷର କ୍ଷମାପ୍ରାର୍ଥନା କରନ୍ତି । ତେଣିକି, ଗୋସମ୍ପଦର ଅନିଷ୍ଟ ନିବାରଣ ଯେ ଏହାର ମୂଳ ଉଦ୍ଦେଶ୍ୟ ।
ଏତିକିବେଳେ ଚାଷୀ ବଳଦ ନିଏ ନାହିଁ । କୃଷି କର୍ମ ବନ୍ଦ ରୁହେ । ହଳ ନିଷେଧ ତ । ପିତୃପୁରୁଷଙ୍କ ପ୍ରଚଳିତ କୁଳାଚାରକୁ ପିଢ଼ି ପରେ ପିଢ଼ି ବଂଶାନୁକ୍ରମରେ ଏମାନେ ମାନିଛନ୍ତି । ସ୍ମରଣାତୀତ କାଳରୁ ଏହା ଏପର୍ଯ୍ୟନ୍ତ ସୁଦ୍ଧା ପାଳନ କରାଯାଉଛି ‌। ସାମାଜିକ ସଂହତିର ଏହା ଯେ ସମୁଜ୍ଜ୍ଵଳ ଦୃଷ୍ଟାନ୍ତ । ପୁଣି ଏହି ଗଉଡ଼ିଆଙ୍କ ପ୍ରତ୍ୟେକ ପାର୍ବଣ ପିତୃ ପୂଜାର ଏକ ବିବର୍ତ୍ତିତ ରୂପ ବୋଲି ଦେଖିପାରିବା । ଏହି ଉଆଁସ ବା ଅମାବାସ୍ୟା ଦିନ ସେମାନେ ପିତୃପୁରୁଷଙ୍କୁ ମସାନ କୁନାରେ ମନସା ଆଦରି କରି ସ୍ଵଗୃହରେ ଆବହମାନ ସମୟରୁ ଗଚ୍ଛିତ ଅସ୍ତ୍ର ଶସ୍ତ୍ର ପୂଜା କରନ୍ତି । ଏମାନଙ୍କ ମଧ୍ୟ ପୂଜାପାର୍ବଣରେ ଚିତଉ ଆଦି ପିଠା ରହିଛି । ଏତଦ୍ ବ୍ୟତୀତ, କୃଷି କ୍ଷେତ୍ରରେ ଏହି ସମୟରେ ବେଉଷଣ ସରି ଯାଇଥିବା ବେଳେ ତଳି ରୋପିବା କାର୍ଯ୍ୟ ମଧ୍ୟ ସରି ଆସେ । ଚିତଉ ପିଠା ପୋତିବା ସହ ଆଉ ଗୋଟିଏ ପରମ୍ପରା ରହିଛି । ଏହା ଆଦିମ ମନୁଷ୍ୟର କୃଷି ସୁରକ୍ଷାକୁ ଇଙ୍ଗିତ କରେ । ଗଉଡ଼ିଆ ସଂସ୍କୃତିରେ କେନ୍ଦୁ ବୃକ୍ଷ ଏକ ମହତ୍ତ୍ୱପୂର୍ଣ୍ଣ ଉଦ୍ଭିଦ । କେନ୍ଦୁ ଗଛର ସଳଖ ଠେଙ୍ଗା ଧରି ଗଉଡ଼ିଆ ନିଜର ମହାନ୍ ଅସ୍ତ୍ର ବୋଲି ପରିଗଣିତ କରନ୍ତି ।
ଏହି ଉଆଁସ ଦିନ ସେମାନେ ପ୍ରଥମେ କେନ୍ଦୁ ବୃକ୍ଷକୁ ନିଜ କୃଷିକ୍ଷେତ୍ର ପାଖରେ ପୂଦା କରନ୍ତି । କ୍ଷୀରରେ ଗାଧୋଇ ଗଛଟିକୁ ଅରୁଆ ଚାଉଳ, ଦୁବ ଓ ବର ପତ୍ର ସହ ଫୁଲ ଦେଇ ବନ୍ଦାପନା ଦ୍ଵାରା ସଙ୍ଖୁଳେଇ ଦେବେ । ସେହି ପୂଜନୀୟ ବୃକ୍ଷ ପ୍ରତି ଅଭିବାଦନ ଜଣାଇ ଗଉଡ଼ିଆ ଜଣକ ସେଥିରୁ ଗୋଟିଏ ଖଣ୍ଡ ସଳଖ ‘ଖେନା’ (ଶାଖା) ଉପାଡ଼ି ଆଣେ ।
ଏହାକୁ ସେ କ୍ଷେତରେ ଲଗାଏ । କିମ୍ବଦନ୍ତୀ ଅନୁସାରେ, ଏହି ଗଉଡ଼ିଆମାନେ ରାଜ୍ୟର ଶାସକଙ୍କ ଅଧୀନ ସୀମା ରକ୍ଷାକାରୀ ଥିଲେ । ଆଜିର ଦୁର୍ଗ ବା ଗଡ଼ଜାତ ପ୍ରଦେଶ ଭଳି ଗଡ଼ର ପ୍ରତ୍ୟେକ ପଦରେ ଅଧୀଶ୍ଵର ରୂପେ ସେମାନେ ଅନୁରୂପ ରୀତି ଅବଲମ୍ବନ କରନ୍ତି । କ୍ଷେତ ବାଡ଼ରେ ଏକ ଫଳକ ଛଳରେ କେନ୍ଦୁ ବାଡ଼ି ପୋତି ଦେଇ ସତର୍କ ରୁହନ୍ତି । ଏମାନେ କୃଷି କର୍ମ ଶେଷ କରି କ୍ଷେତରେ ବିଜୟର ଖୁଣ୍ଟ ଭାବେ ଏହି କେନ୍ଦୁ ଶାଖା ସ୍ଥାପନ କରୁଥିଲେ ଓ ଏହା ପରେ ରାଜ୍ୟ ସୀମାକୁ ଚାଲି ଯାଉଥିଲେ ।
କେହି କେହି ଚିତୋଉ ପିଠା ପ୍ରସ୍ତୁତି ଅନ୍ତରାଳରେ ସେଥିରେ ଗୁଡ଼, ଦୁଗ୍ଧ କିମ୍ବା ଦଧି ଆଦି ମଧ୍ୟ ମିଶାଇଥାନ୍ତି । ଚିତଉ ପିଠାର ନାମଟି ତତ୍ସମ ‘ଚିତ୍ରକ’ ଶବ୍ଦରୁ ନିଷ୍ପନ୍ନ, ‘ଚିତ୍ର’ ଶବ୍ଦର କଣା ଭଳିଆ ଥିବା ଚିହ୍ନ । ଘିଅରେ ସିଝା ଚିତଉ ପିଠା ବାଷ୍ପସିଦ୍ଧ ଏବଂ ସହଜେ ପୋଡ଼ି ପାରେନା । ଏଥିରେ ଅହେତୁକ ବିନ୍ଧ ବିଦ୍ୟମାନ ‘ଚିତ୍ରକ’ ପର୍ବ ବା ପିଠାର ଗୁଣାତ୍ମକତା ହେତୁ ନାମିତ । ଏହି ପର୍ବ ବାହାରେ ଯଦି କୌଣସି ସ୍ତ୍ରୀ ଗର୍ଭବତୀ ହୁଏ ବା ଗର୍ଭସଞ୍ଚାରର ସାତମାସ ସମ୍ପନ୍ନ ହୁଏ, ତେବେ ତାଙ୍କର ବାପ ଘରୁ ଓ ବନ୍ଧୁ ବାନ୍ଧବମାନଙ୍କ ଘରୁ ସଙ୍ଖୁଳା ଭାବେ ଚିତଉ ପଠାଯାଇଥାଏ । ଏଥିରେ ସ୍ବାଦୁ, ପକ୍ବ ଓ ମିଷ୍ଟ ଚିତଉ ପିଠା ଭାରରେ ପ୍ରେରିତ ହେବାକୁ ‘ଚିତଉଖିଆ’ ପର୍ବ କୁହନ୍ତି ।
~ ଓଡ଼ିଶାର ଦେଉଳ ଓ ଚିତାଲାଗି ପର୍ବ ~
ଚିତାଲାଗି ଅମାବାସ୍ୟା । ଦେଉଳର ଶାସ୍ତ୍ର ମତରେ ଏହା ‘ଚିତ୍ରକ ପର୍ବ’ ବା ‘ଲଲାଟଭୂଷଣ’ ଯାତ୍ରା । ବଡ଼ଦେଉଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଓଲାଗି ଚିତା ପୁଣି ଥରେ ଶ୍ରୀମୁଖର କପାଳ ନ୍ୟସ୍ତ ହୁଏ । ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ମଧ୍ୟାହ୍ନ ଧୂପ ପରେ ଚିତାଲାଗି ହୋଇଥାଏ, ଯାହାର ସମ୍ପାଦକ ହେଉଛନ୍ତି ଦଇତାପତି । ଭଅଣ୍ଡ (ଭୋଗମଣ୍ଡପ) ନୀତି ଶେଷ ହେବା ପରେ ରତ୍ନସିଂହାସନରୁ ଶ୍ରୀଦେବୀଭୂଦେବୀ ଖଟଶେଯ ଘରକୁ ବିଜେ କରିଥାନ୍ତି । ଏହାପରେ ଶ୍ରୀଜୀଉମାନଙ୍କ ଝୋବାକଣ୍ଠି ମଇଲମ ହେବ ଓ ଅମାବାସ୍ୟା ବିହିତ ନାରାୟଣଙ୍କ ସାଗର ବିଜେ ନୀତି ଶେଷକୁ ନାରାୟଣ ଦେଉଳ ବାହୁଡ଼ିବେ ।
ପତି ମହାପାତ୍ର ସଂସ୍କାର କରିବା ସହ ବାଡ଼ଗ୍ରାହୀ ଦଇତାମାନେ ରତ୍ନସିଂହାସନରେ ଅଧିଷ୍ଠିତ ଶ୍ରୀପୁରୁଷୋତ୍ତମଙ୍କ ଚିତାଲାଗି କାର୍ଯ୍ୟ କରିଥାନ୍ତି । ତିନୋଟି ସ୍ବର୍ଣ୍ଣ ଚିତା ଶ୍ରୀଜୀଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅ ଘେନି ପାଟ ଡୋର ସାହାଯ୍ୟରେ ଏହାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ । ସ୍ନାନ ପୁନେଇଁଠୁ ଓଲାଗି ହୋଇ ଚିତାଗୁଡ଼ିକ ଭଣ୍ଡାର ମେକାପଙ୍କ ଜିମାରେ ସାଇତା ଥାଏ । ସେତେବେଳେ ସେ ଫୁଲର ଚିତା ସଙ୍ଗେ ଚନ୍ଦନ, କର୍ପୂର, ଗୋରଚନ, ଜାଇଫଳରେ ଘୋରା ତିଳକ ଚିତା ଲଗାନ୍ତି ।
ଉକ୍ତ ରୀତି ପରିପ୍ରେକ୍ଷୀରେ ଅନେକ ଦେଉଳରେ ଚିତାଲାଗି ପାଇଁ ଚିତୋଉ ଭୋଗ ସମର୍ପଣ ରହିଛି । ଖୋର୍ଦ୍ଧା ଜିଲ୍ଲାର ବାଣପୁର ସ୍ଥିତ ଦେବୀ ଭଗବତୀଙ୍କ ଏକ ଅନନ୍ୟ ପରମ୍ପରା ରହିଛି । ଏହା କୃଷିଭିତ୍ତିକ ଓ ଶ୍ରାବଣୀ ଚିତ୍ରକ ପର୍ବ ବା ସେଠାରେ ଚିତଉ ଲାଗି । ପ୍ରତ୍ୟୁଷରୁ ଠାକୁରାଣୀଙ୍କ ଦୈନିକ ଶ୍ରୀଅଙ୍ଗ ମାଜଣା, ବେଶ ବଲ୍ଲଭ ଆଳତି ଓ ଡାଲି ଖେଚୁଡ଼ି ଧୂପ ହୋଇ ପରବର୍ତ୍ତୀ ସଙ୍ଖୁଡ଼ିରେ ଖେଚୁଡ଼ି ଡାଲି, ମାଛ ମହୁର, କ୍ଷୀରି ଓ ଏଣ୍ଡୁରି ପୂଜା ସମ୍ପନ୍ନ ହୁଏ । ଜାକଜମକରେ ଦେବୀପୀଠରେ ଶ୍ରଦ୍ଧାଳୁମାନେ ଏହାକୁ ପ୍ରତ୍ୟକ୍ଷ ଅବଲୋକନ କରିପାରନ୍ତି ।
ଉଲ୍ଲେଖଯୋଗ୍ୟ ସେଦିନ ସନ୍ଧ୍ୟାରେ ପହୁଡ଼ ଫିଟିଲେ ନିସଙ୍ଖୁଡ଼ି ଖଜା ଖେଇ, ମାଠପୁଳିସରପୁଳି, କାନ୍ତି ଧୂପ ପରେ ମା’ଙ୍କ ସନ୍ଧ୍ୟା ଆଳତି ସମ୍ପନ୍ନ ହେବା କ୍ରମେ ମାଆ ବଡ଼ସିଂହାର ବେଶରେ ଥାଇ ପ୍ରାୟ ଏକୋଇଶି ମୂର୍ତ୍ତି ଚିତଉ ପିଠା ଧୂପରେ ମଣୋହି କରନ୍ତି । ଦେଉଳର ନିର୍ଦ୍ଦିଷ୍ଟ ସୁଆର ସେବକଙ୍କ ଦ୍ଵାରା ଚାଉଳ, ନଡ଼ିଆ, ଗୁଡ଼, ଘିଅ ଓ ମସଲା ସହ ମିଶ୍ରିତ ହୋଇ ଅତି ପବିତ୍ର ଭାବରେ ମାଟି ପଲମରେ ପ୍ରସ୍ତୁତ ଚିତ୍ର-ପିଷ୍ଟକ ବା ଚିତଉ ପିଠାକୁ ଘଣ୍ଟ, ଘଣ୍ଟା ଓ କାହାଳୀ ଆଦି ବାଦ୍ୟ ବାଦନରେ ମନ୍ଦିରର ପରିଚ୍ଛା ସାଆନ୍ତ ନିଷ୍ଠାର ସହିତ ଧୂପ କରି ଉକ୍ତ ଦିନର ପର୍ବ ସମ୍ପାଦନ କରନ୍ତି ।
ଏହି ଦିବ୍ୟ ମୁହୂର୍ତ୍ତରେ ଶ୍ରଦ୍ଧାଳୁମାନଙ୍କ ହୁଳହୁଳି ଧ୍ବନିରେ ମନ୍ଦିର ପରିବେଶ ଦିଗବିଦିଗ ଉଚ୍ଛ୍ବାସରେ ଅନୁରଣିତ ହୁଏ । ସେତିକିବେଳେ ଦେବୀଙ୍କ ଛାମୁରେ ଦହି ପଖାଳ ବିଜେ ହୋଇ କାକରା, କାନ୍ତି, ମାଛ ଗୁଣ୍ଡି ଭଜା ଓ ଭଗବତୀଙ୍କ ପ୍ରିୟ ଛେନା ପଣା ସମର୍ପଣ କରାଯିବ । ମାଆଙ୍କୁ ବିଡ଼ିଆ ଧୂପ ପରେ ରାତ୍ର ପହୁଡ଼ ହୁଏ ମାଆଙ୍କ ସ୍ଵାଦିଷ୍ଟ ଚିତଉ ପ୍ରସାଦ ଶ୍ରଦ୍ଧାଳୁମାନଙ୍କ ଗହଣରେ ବାଣ୍ଟି ଦିଆଯାଏ ।

Leave a Comment

Your email address will not be published. Required fields are marked *

Scroll to Top