ଚିଠିପତ୍ର

ଲେଖା: ଅକ୍ଷୟ ଓଝା

ଦୂର ସମ୍ପର୍କକୁ ଚିଠି ମାଧ୍ୟମରେ ନିକଟ କରିବାର ମଣିଷ ସମାଜରେ ଚଳି ଆସୁଥିବା ଚଳନୀ ଆଉ ନାହିଁ । ଚିଠି, ଡାକଘର, ପୋଷ୍ଟକାର୍ଡ, ଲଫାପା, ତାର, ଅନ୍ତର୍ଦେଶୀୟ ପତ୍ର, ପୋଷ୍ଟ ପିଅନ ସବୁ ଯେମିତି ଅତୀତର ଗର୍ଭରେ ଲୁପ୍ତ ପାଇ ଗଲାଣି । ସମୟ ଥିଲା ମଣିଷ ଜୀବନର ସବୁଠୁ ଆବଶ୍ୟକ ଅଙ୍ଗ ଥିଲା ଚିଠିପତ୍ର ।

ଗାଆଁରେ ଥିଲା ବେଳେ ଯୁବା ଅବସ୍ଥାରେ ଏକ ଅଭ୍ୟାସ ଥିଲା ଚାରିଟା ବାଜିଲେ ପାଦରେ ଚାଲି ଆମ ନୂଆପଡ଼ା ପୋଷ୍ଟ ଅଫିସ ଠାକୁରାଣୀ ମାଳ ପର୍ଯ୍ୟନ୍ତ ଦୁଇ ତିନି ଜଣ ସାଙ୍ଗ ସହିତ ପହଞ୍ଚି ଯାଉଥିଲି ପୋଷ୍ଟ ଅଫିସ । ପୋଷ୍ଟ ବ୍ୟାଗ୍ ନ ଆସିବା ପର୍ଯ୍ୟନ୍ତ ବଡ଼ ଚାତକ ଭଳି ଅପେକ୍ଷା କରି ପୋଷ୍ଟ ଅଫିସ ସାମ୍ନାରେ ଘାସ ଉପରେ ବସି ପଡୁ ଠାକୁରାଣୀ ମାଳରେ । ଶେଷରେ ବାଟିପଡ଼ା ବଡ଼ ପୋଷ୍ଟ ଅଫିସରୁ ଡାକ ପିଅନ ଆସେ ସାଇକଲରେ । ପଛରେ ପୋଷ୍ଟ ବ୍ୟାଗ୍ ଓ ଆଗରେ ଚମଡା ବ୍ୟାଗରେ ମନି ଅର୍ଡର୍, ତାର ଓ ଇନସିଓଡ଼ ଟଙ୍କା ପଇସା ଥାଏ । ସେ ଚମଡା ବ୍ୟାଗରେ ତାଲା ପଡି଼ଥାଏ । ପୋଷ୍ଟ ପିଅନକୁ ଦେଖି ଆମେ ଆନନ୍ଦ ହେଇ ଯାଉ ପୁଣି ପୋଷ୍ଟ ଅଫିସରେ ଭିଡ଼ ଲଗାଉ ।

ପୋଷ୍ଟମାଷ୍ଟର ପୋଷ୍ଟବ୍ୟାଗକୁ ଓ ଝାଡି଼ପକାନ୍ତି ଟେବୁଲ୍ ଉପରେ, ତାପରେ ନାକ ଉପରକୁ ଚଷମା ଲଗେଇ ପିଟି ଚାଲନ୍ତି ଷ୍ଟାମ୍ପ ଗୋଟିଏ ପରେ ଗୋଟିଏ ଚିଠିରେ। ଷ୍ଟାମ୍ପ ହିନ୍ଦୀ ଅଂଗ୍ରେଜିରେ ଲେଖା ଥାଏ ନୂଆପଡ଼ା ପୋଷ୍ଟ ଅଫିସ । ତା ପରେ ଚିଠି ବଛା ଚାଲେ କେଉଁ ସାହିର କେଉଁ ଗାଆଁର ଚିଠି । ଆମେ ଆମ ସାହିର ସବୁ ଚିଠି ନେଇ ଆସୁ ଓ ଯାହାର ତାକୁ ତାଙ୍କ ଘରେ ଦେଇ ଆସୁ ।

ଅପୂର୍ବ ଆନନ୍ଦ ଥାଏ ସେଇ ଚିଠି ପାଇଁ ଅପେକ୍ଷାରେ । ଚିଠିରେ ତ ଥାଏ ଆହୁରି ଅକୁହା ଆନନ୍ଦ । ଆମେ ଚିଠି ଧରି ଘେରି ବନ୍ଧର ହାଲୁକା ପବନର ପାଦ ଚଲା ରାସ୍ତାରେ ଆନନ୍ଦ ନେଇ ଫେରୁ ଫେରୁ ସଞ୍ଜ ହେଇଯାଏ । ପୋଲ ବନ୍ଧରେ ଚାଲିବାରେ ଭାରି ଶାନ୍ତି ଲାଗେ। କିଛି ରାସ୍ତା ନିକାଞ୍ଚନ ଉଚ୍ଚା ବନ୍ଧ ସହିତ ଥାଏ। ଦୁଇ ପାଖରେ ଧାନକ୍ଷେତ। ଲମ୍ବା ଦିଗନ୍ତକୁ ଛୁଇଁଲା ଭଳି ଧାନକିଆରୀ । ଅପୂର୍ବ ଆନନ୍ଦ ଉଲ୍ଲାସରେ ଚିଠି ବାହାନାରେ ଉପଭୋଗ କରୁ ଗ୍ରାମ୍ୟସନ୍ଧ୍ୟାକୁ ।

ସାହିରେ ପହଞ୍ଚିଲା ବେଳକୁ ଟୁନି ଭାଉଜ ଦାଣ୍ଡଦୁଆରେ ଖୁଣ୍ଟକୁ ଆଉଜି ଚାତକ ଭଳି ଅପେକ୍ଷା କରି ବସିଥିବେ । କାଳେ ତାଙ୍କ ନାଁରେ ଚିଠି ଆସିନି ତ ? ଏଇ ଚିଠି ପାଇଁ ଭାରି ଭଲ ପାଆନ୍ତି ମୋତେ ଟୁନି ଭାଉଜ । ଭାରି କଅଁଲେଇ କଥା ହୁଅନ୍ତି ।

ଟୁନି ଭାଉଜଙ୍କ ବାହାଘର ଗତ ବର୍ଷ ହେଇଛି । ବନୁ ଭାଇ କଲିକତାରେ ରହନ୍ତି । ଚାକିରୀରୁ ବେଶୀ ଛୁଟି ମିଳେନି । ବେଶି ଗାଆଁକୁ ଆସି ପାରନ୍ତିନି । ସପ୍ତାହକୁ ଖଣ୍ଡେ ଲେଖାଏଁ ଚିଠି ଆସେ କଲିକତାରୁ ଟୁନି ଭାଉଜଙ୍କ ନାଆଁ ରେ ।

ଚିଠିରେ ଯେମିତି ଭାଉଜଙ୍କ ପ୍ରାଣ ଅଟକି ଥାଏ । କେତେ କଥା ଲେଖନ୍ତି ଗୋପନରେ । ମନ କଥା ! ମାନଅଭିମାନ କଥା ! କେତେ ବେଳେ ସ୍ବପ୍ନର ରାଇଜରେ ତ କେତେ ବେଳେ ଆଖିର ଲୁହରେ ଲେଖା ଯାଏ ଚିଠି ! ବେଳେ ବେଳେ ପୁରା ରାତି ବିତିଯାଏ ଚିଠି ଲେଖାରେ! କେଉଁଠୁ ଆରମ୍ଭ କରନ୍ତି କେଉଁଠୁ ଶେଷ କରନ୍ତି ରାତି ବିତିଯାଏ ଭାବନାରେ ! ଇଛା ଲୁହ ହେଇ ବହିଯାଏ ଆଖିରୁ ତ ସ୍ବପ୍ନ ଉଡନ୍ତା ଖଟୁଲି ହେଇଯାଏ ! ମନ ଉଡି଼ବୁଲେ ଆକାଶରେ, ସ୍ବପ୍ନ ରାଇଜରେ ! କେତେ ଅନ୍ତରର କଥା କେତେ ମନର ବେଦନା ନବ ବିବାହିତା ଯୁବକ ଯୁବତୀଙ୍କ ମୁକସାକ୍ଷୀର ଏକମାତ୍ର ଉତ୍ସ ରହିଥାଏ ଏହି ଚିଠି ।

ବେଳେ ବେଳେ ପୁରୁଣା ସଂସାରୀଟିଏ ବିଦେଶରୁ ପତ୍ନୀକୁ ଚିଠି ଲେଖେ । “ପ୍ରାଣ ପ୍ରିୟେ, ଏଇଠୁ ମୋର ଆଶୀର୍ବାଦ ନେବ। ଦରମା ପାଇଲେ ମନି ଅର୍ଡର୍ କରିବି । ଏ ମାସଟା ହାତ ଟାଇଟ୍ ରହିଲା । ଘର ଖବର କଣ ? ପିଲାଙ୍କ ଦେହପା ଧ୍ୟାନ ରଖିବୁ । ଝିଅ ସୁନିତାର ଏଥର ଅଷ୍ଟମ ଶ୍ରେଣୀ ହେଲା । ବାବୁଲିର ସ୍କୁଲ ଡ୍ରେସ୍ ନଥିଲା । ପଇସା ପାଇ ବାବୁଲି ସ୍କୁଲ ଡ୍ରେସ ବଜାରରୁ ଆଣି ଦେବୁ । ବଡ଼ ହେଲାଣି ସଫା ସୁତୁରା ହେଇ ସ୍କୁଲ ଯିବା ଦରକାର। ପିଲାଙ୍କ ପାଠପଢ଼ା ଉପରେ ନଜର ରଖୁଥିବୁ । ସମୟରେ ରାଧୁଆ କୁ ଡାକି ଘର ଛାଇ ଦେବୁ। ବାପାଙ୍କ ଦେହ ପା ଓଷଧ୍ ପତର ଆଣି ବାପାଙ୍କ ଧ୍ୟାନ କରିବୁ । ବୋଉକୁ କହିବୁ,  ପାଣିକଖାରୁ ପକେଇ ଭଲ ବଡ଼ି ପାରିବ । ଏଥର ଗଲେ ଦି ଡବା ଭରି ଆଣିବି । ଘର ଖିଆଲ ରଖିବୁ । ନିଜ ଦେହପା ଖବର ରଖିବୁ” ।

ଘରୁ ଚିଠି ଯାଉଥିଲା । “ପ୍ରାଣନାଥ ! ଭୂମିଷ୍ଠ ପ୍ରଣାମ ନେବ । ଧାନକଟା ସରିଲାଣି । ବାରିଆଡ଼େ ୩ଟା ଧାନଗଦା । ଗଣ୍ଡବନ୍ଧ ବିଲରେ ଭଲ ଧାନ ହେଇଥିଲା । ବଉଳାଗାଈ ବାଛୁରୀ ଦେବା ସମୟ ହେଇ ଗଲାଣି । ଦୀନା ମାମୁଁ ପୁଅ ବାହାଘର ଆଗ ମାସରେ । ଭଲ ବେଭାର ଦେବାକୁ ପଡିବ। ଆମର ତ ପୁଣି ଇଜ୍ଜତ ଅଛି । ଆଗକୁ ପିଲାଙ୍କ ପରୀକ୍ଷା । ପିଲାଙ୍କ ଟୁସନ୍ ଲଗେଇଛି ଜଳିଆ ସାର୍’ଙ୍କ ପାଖରେ । ବାପାଙ୍କ କାଶ ଟିକେ କମିଛି । ଔଷଧ ଖାଉଛନ୍ତି । ରହୁଛି । ବାହାର ଜାଗା ସାବଧାନ ହେଇ ଚଳୁଥିବ । ଇତି ତୁମର . .

ଗିରିଆ ଭାଇ ଥରେ ଚିଠି ଲେଖିଲେ ହୁଣ୍ଡି ଭାଉଜଙ୍କୁ ଭୁବନେଶ୍ୱରରୁ । ହୁଣ୍ଡି ଭାଉଜ ପାଠ ପଢିନି । ପଡ଼ିଶା ଘର ନିତିଆ ପାଖକୁ ଚିଠି ଟା ନେଇକି ଗଲେ । ନିତିଆ ଚିଠିଟା ପଢି ଶୁଣେଇଲା ହୁଣ୍ଡି ଭାଉଜଙ୍କୁ ।

“ମୋର ପ୍ରମୋସନ୍ ହେଇ ପେ ବଢ଼ି ଯାଇଛି” । ଭାଇ ଲେଖିଥିଲେ ଚିଠିରେ ।
   
ହୁଣ୍ଡି ଭାଉଜ କ’ଣ ବୁଝିଲା କେଜାଣି ଚିଠି ଶୁଣି କାନ୍ଦି କାନ୍ଦି  ନୟାନ୍ତ । ସେ ନିଆଁ ଲଗା ପେଟ ବେମାରୀ ପୁଣି ବାହାରିଛି । ପୁରା ଗାଆଁ ଗୋଟାକ ବୁଝେଇ ସୁଝେଇ ପାରିଲେନି ଭାଉଜକୁ । ସକାଳୁ ସକାଳୁ ବାହାରି ପଡ଼ିଲେ ପଟ୍ଟାମୁଣ୍ଡାଇ, ଭୁବନେଶ୍ୱର ଯିବ । ବସ ଧରିବ । ମୋତେ ସାଇକେଲରେ ପଟ୍ଟାମୁଣ୍ଡାଇ ଯିବାକୁ ଗୁହାରୀ କଲେ । ମୁଁ ସାଇକଲରେ ବସେଇ ବାହାରିଲି ପଟ୍ଟାମୁଣ୍ଡାଇ ଯାଏ । ବାଟରେ ବୁଝେଇଲି ଭାଉଜଙ୍କୁ ପ୍ରୋମସନ ହେଇ ପେ ବଢ଼ିଯାଇଛି ମାନେ ଚାକିରୀରେ ବଡ଼ ପୋଷ୍ଟ ମିଳିଛି ଭାଇଙ୍କୁ । ଦରମା ବି ବଢ଼ିଛି । ସେତେବେଳେ ଯାଇ ବୁଝିଲେ । ତଥାପି ମନ ମାନିଲାନି ତାଙ୍କର । କହିଲେ ବାହାରିଛି ଯେତେବେଳେ ଯାଇ ଟିକେ ଦେଖି ଆସେ ।

କେତେ ଅର୍ଦ୍ଧପ୍ରେମ, ଛାତିଫଟା ବିଚ୍ଛେଦ, ଅକୁହା ଯନ୍ତ୍ରଣା, ପାଉ ପାଉ ହାରିଯିବା, ହାରୁ ହାରୁ ପାଇ ଯିବା ସବୁ ଏହି ଚିଠି ପୃଷ୍ଠାରେ ଅକୁହା ବେଦନା ହେଇ ରହି ଯାଇଛି । କେତେ ଅଭୁଲା ମନର ଘାଆ ହେଇ ଆଜିବି ଜୀବିତ ଅଛି ଏକଥା କେବଳ ଚିଠି ହିଁ କହି ପାରିବ ।

ଏହି ସବୁ ଥିଲା ଚିଠିର ବିବିଧତା । ସବୁ ଖବରର ଆଦାନ ପ୍ରଦାନ ହୁଏ ଏହି ଚିଠିପତ୍ର ମାଧ୍ୟମରେ ।
   
ସଞ୍ଜକୁ ଡାକ ପିଅନ ଆସେ ସାଇକଲ ଘଣ୍ଟି ବଜେଇ । ଗାଆଁରେ ଯେମିତି ଚହଳ ପଡି ଯାଏ । ଚାକିରୀ ବାକିରୀ, କଲେଜ୍ ଆଡ଼ମିଶନ ଦେହପା ଖରାପର ଖବର ବିବାହ ପାଇଁ ପିଲାମାନଙ୍କୁ ଚାକିରୀରୁ ଡକେଇବା ଖବର ଏହି ଡାକ ଚିଠିପତ୍ର ମାଧ୍ୟମରେ ହେଇଥାଏ ସେ ସମୟରେ ।

ଆଜିର ଅତ୍ୟାଧୁନିକ ଯୁଗରେ ପୋଷ୍ଟ ଅଫିସ, ଚିଠିପତ୍ର ଏକ ଅବ୍ୟବହୃତ ମାଧ୍ୟମରେ  ପରିଣତ ହେଇଯାଇଛି । ସମୟ କ୍ରମେ ଏହାର ବ୍ୟବହାର ସମ୍ପୂର୍ଣ ରୂପେ ଅନ୍ତ ହେଇଯିବ କାରଣ ଆଜିର ଫୋନ ମୋବାଇଲ ଯୁଗରେ ଏ ସବୁ ନିରର୍ଥକ । ସମୟ କ୍ରମେ ଏହା ଇତିହାସ ହେଇଯିବ । କିନ୍ତୁ ଏହା ବି ଇତିହାସରେ ଲେଖାଯିବ ଏକ ସମୟରେ ଚିଠିପତ୍ର ମଣିଷ ସମାଜରେ ଭାବ ବିନିମୟରେ ଏକ ମାତ୍ର ଜୀବନ ସୂତ୍ର ଥିଲା । 

Leave a Comment

Your email address will not be published. Required fields are marked *

Scroll to Top