ଚାରି ସୁନ୍ଦରୀ ଓ ମେଣ୍ଢା

ଉପସ୍ଥାପନା: ଦେବାଶିଷ ସେନାପତି
ଶୁଆଶାରୀ କଥା ପରି ଆମ ଲୋକ ସାହିତ୍ୟରେ ରହିଛି ଅନେକ କାହାଣୀ, ଯେମିତି ଚାରି ସୁନ୍ଦରୀ ଓ ମେଣ୍ଢା କଥା ଆମେ ହୁଏତ ସେ ସବୁକୁ ପୁସ୍ତକରେ ନ ପାଉ । ତେଣୁ ଏଠାରେ ଆମେ ପରଶିଦେଉଛୁ ସେଇ ଆଈମା’ କାହାଣୀ ଚାରି ସୁନ୍ଦରୀ ଓ ମେଣ୍ଢା କଥା ।
~ ଚାରି ସୁନ୍ଦରୀ ଓ ମେଣ୍ଢା କଥା ~
ଭାରତ ଦେଶରେ ଅବନ୍ତୀ ନଗ୍ର ନାମରେ ଗୋଟିଏ ଦେଶ ଥାଏ । ସେ ଦେଶରେ କନକ ବର୍ଦ୍ଧନ ନାମରେ ଜଣେ ରାଜା ରାଜତ୍ୱ କରୁ ଥାଆନ୍ତି । ରାଜାଙ୍କର ପୁଣି ଚାରି ପୁଅ । ସେ ଚାରି ପୁଅ ଯାକ ଯେମିତି ସୁନ୍ଦର ସେମିତି ବିଦ୍ୟାବନ୍ତ । ସେହି ପରି ଧନୁର୍ବିଦ୍ୟାରେ ଧନୁର୍ଦ୍ଧର । ଆଉ ଅଶ୍ୱ ଚାଳନାରେ ସେମାନେ ଏତେ ପାରଙ୍ଗମ ଯେ ତାଙ୍କ ତୁଲ୍ୟ ରାଜକୁମାର ଅନ୍ୟ କୌଣସି ଠାରେ ଦେଖିବାକୁ ମିଳିବ ନାହିଁ ।
ଦିନକର କଥା । ପାରିଧି କରିବାକୁ ରାଜା ପୁଅମାନଙ୍କର ଇଚ୍ଛା ହେଲା, ତହୁଁ ସେ ରାଜା ଓ ରାଣୀଙ୍କ ଠାରୁ ବିଦାୟ ନେଇ ପାରିଧିକୁ ବାହାରି ଗଲେ ।
ରାଜ୍ୟ ଜନବସତି ଏହା ମଧ୍ୟରେ ସରି ଯାଉଛି । ରାଜା ପୁଅ ମାନଙ୍କର ଅଶ୍ୱ ଗୁଡିକ ଏବେ ଅରଣ୍ୟ ରାସ୍ତାରେ ଚାଲିଲେ । ଅରଣ୍ୟ ମଧ୍ୟରେ କେଜାଣି ଦଶ କୋଷ ଚାଲି ଯିବା ପରେ ପଡିଲା ଖୁବ୍ ଘଂଚ ଅରଣ୍ୟ । ସେ ଏପରି ଅରଣ୍ୟ ଯେ ସତେ ଯେପରି ବାଛି ବାଛି ଭଗବାନ ସେହି ଅରଣ୍ୟକୁ ସମସ୍ତ ପଶୁ ମାନଙ୍କ ଲାଗି ବାଛି ଦେଇ ଥିଲେ ।
ହାତୀ ଠାରୁ ଯେତେ କ୍ଷୁଦ୍ର ପଶୁ, ସେହି ଅରଣ୍ୟରେ ଭରପୁର । କାରଣ ଏଭଳି ଭୟାତ୍ମକ ଅରଣ୍ୟରେ ପଶି ପଶୁ ଶିକାର କରିବାକୁ ସମସ୍ତଙ୍କ ମନରେ ଭୟ ଥାଏ । ଯୋଗକୁ ଏ ଚାରି ଜଣ ରାଜା ପୁଅ । ଚାରି ଭାଇ, ସବୁ ବିଦ୍ୟାରେ ପାରଙ୍ଗମ, ତେଣୁ ସେମାନଙ୍କର ଆଉ କାହାକୁ ଭୟ ନଥାଏ ।
ଯାଉ ଯାଉ ସେମାନେ ଅରଣ୍ୟ ମଧ୍ୟରେ ବହୁତ ଦୂରକୁ ଚାଲି ଗଲେ, କେତେ ବାଟ ଗଲା, ପରେ ସେମାନଙ୍କ ଆଗ ଦେଇ ଏକ ସୁନ୍ଦର ମୃଗ କୁଦା ମାରି ଚାଲି ଗଲା । ମୃଗଟିକୁ ଦେଖିବା ପରେ ରାଜା ପୁଅ ମାନେ କହିଲେ – ଯାହା ହେଉ ଆମ୍ଭ ମାନଙ୍କର ଆଜିର ଅନୁକୂଳଟା ଖୁବ୍ ଶୁଭରେ ହୋଇ ଥିଲା । ଏଥର ଆମକୁ ଦେଖା ଦେଇ ମୃଗଟି ଆଉ ଯିବ କୁଆଡେ ।
ଏହା ପରେ ଚାରି ଭାଇ ଚାରି ଦିଗରେ ଅଶ୍ୱ ଛୁଟାଇ ଦେଲେ । ମୃଗଟି କିନ୍ତୁ ଖୁବ୍ ଚାଲାଖ୍ । ସେ ଠିକ୍ ଜାଣି ପାରି ଥିଲା ଯେ ଏଇମାନେ ଅରଣ୍ୟ ମଧ୍ୟକୁ ଶିକାର କରିବାକୁ ଆସିଛନ୍ତି । ମୁଁ ଯେତେ ବେଳେ ଏମାନଙ୍କର ହାବୁଡରେ ଆଗ ପଡିଛି ଏମାନେ ମୋ ଉପରେ ନିଶ୍ଚୟ ନଜର ରଖି ଚାରି ଦିଗରେ ଗଲେଣି ।
ମୃଗଟିର ମନରେ ସେଥି ଲାଗି ଭୟ ସଂଚାର ହେଲା । ତେଣୁ ସେ ନିଜର ଜୀବନ ରକ୍ଷା କରିବା ଲାଗି ସେମାନଙ୍କର ଅଶ୍ୱ ଆଗରେ ଦୌଡିବାକୁ ଆରମ୍ଭ କରି ଦେଲା । 
ଏହି ପରି ଭାବରେ ରାଜା ପୁଅ ଚାରି ଭାଇଙ୍କ କବଳରୁ ରକ୍ଷା ପାଇବା ଲାଗି ମୃଗ ବହୁ ପରିଶ୍ରମ କରି ଏପରି ଦୌଡିଲା ଯେ ଏମାନଙ୍କର ଅଶ୍ୱ ମୃଗକୁ ଆଉ ଧରି ପାରିଲା ନାହିଁ । ମୃଗ ଏଣେ ତେଣେ ଦୌଡିବା ଦ୍ୱାରା ରାଜା ପୁଅ ମାନେ ବାଟ ବଣା ହୋଇ ଅରଣ୍ୟରେ ଦିଗ ହରା ହୋଇ ଗଲେ ।
ଚାରିଭାଇ ହାଲିଆ ହୋଇ ଯାଇ ଥାଆନ୍ତି । ମୃଗକୁ ତ ଧରି ପାରିଲେ ନାହିଁ । ଏହା ପରେ ମନ ବିରଷରେ ଆସି ଅରଣ୍ୟ ଶେଷରେ ଥିବା ଏକ ପତ୍ର ଗହଳି ବୃକ୍ଷ ତଳେ ବିଶ୍ରାମ ନେଲେ । ଅରଣ୍ୟ ମଧ୍ୟରେ ସୁଲୁସୁଲିଆ ପବନ, ତହିଁକି ବୃକ୍ଷର ଛାଇ, ସେମାନଙ୍କ ଆଖିରେ ନିଦ ଆସି ଗଲା । ସେଥି ଯୋଗୁଁ ସେମାନେ ନିଦରେ ଶୋଇ ପଡିଲେ ।
ସେ ଦିନ ଚାରି ଭାଇଙ୍କର ସେହି ଅରଣ୍ୟ ମଧ୍ୟରେ ହିଁ ରାତ୍ରି ପାହିଲା । ସକାଳ ହେଲା ତଥାପି ତାଙ୍କର ନିଦ ଭାଙ୍ଗିଲା ନାହିଁ । ଯେତେ ବେଳେ ଟାଣ ଖରା ଯାଇ ସେମାନଙ୍କ ଉପରେ ପଡିଲା । ସେତେ ବେଳେ ଯାଇ ଚାରିଭାଇଙ୍କ ନିଦ୍ରା ଭାଙ୍ଗିଲା । ନିଦ ଭାଙ୍ଗିବାରୁ ସେମାନେ ତର ବର ହୋଇ ଉଠିଲେ । ରାତ୍ରି ସାରା ଓ ଦିନଟା ଉପାସରେ କଟାଇ ଥିବା କାରଣରୁ ସେମାନଙ୍କୁ ଖୁବ୍ ଭୋକ ହେଉ ଥାଏ । ଶିକାର ତ କରି ପାରିଲେ ନାହିଁ । ଭୋକ ହେବାରୁ ସେମାନେ ବିଚାର କଲେ ଏବେ ଆମେ ରାଜ ଉଆସକୁ ଫେରି ଯିବା ।
ଏହା ପରେ ରାଜା ପୁଅ ଚାରି ଭାଇ ନିଜର ରାଜ ଉଆସକୁ ବାହୁଡି ଯିବା ଲାଗି ଅଶ୍ୱ ମାନଙ୍କୁ ଦୌଡାଇ ଦେଲେ । ସେମାନଙ୍କର ସେଦିନ ଦୁର୍ଯୋଗ ଥିଲା, ଅଶ୍ୱ କିମ୍ବା ରାଜାପୁଅମାନେ ନିଜ ରାଜ୍ୟକୁ ବାହୁଡିବା ରାସ୍ତା ଭୁଲିଯାଇ ଅନ୍ୟ ଏକ ରାସ୍ତାରେ ଚାଲିଗଲେ ।
ଅଶ୍ୱମାନେ ଯେ କେତେ ଦୂର ଚାଲି ଗଲେଣି ତାହା ରାଜା ପୁଅ ମାନଙ୍କୁ ଜଣାପଡିଲା ନାହିଁ । ସେମାନେ ଏଭଳି ଯାଉ ଯାଉ ଅନ୍ୟ ଏକ ରାଜ୍ୟରେ ପହଁଚି ଗଲେ । ଭୋକ ତ ଭୋକ ସେତେବେଳକୁ ଏତେ ଜୋର୍ରେ ଶୋଷ ହେଉଥିଲା ଯେ ସେମାନେ କେଉଁଠାରେ ପାଣି ମୁନ୍ଦେ ପାଇବେ ସେହି ଲକ୍ଷରେ ଥାଆନ୍ତି ।
ଯୋଗକୁ ଗୋଟିଏ ଗାଁ ମୁଣ୍ଡରେ ଏକ କୂଅ ଦେଖିଲେ । ହେଲେ କ’ଣ ହେବ କୂଅ ମୂଳରେ ଗାଁଟା ସାରା ମାଇପେ ହାଣ୍ଡିକୁଣ୍ଡେଇ ଧରି ବସିଛନ୍ତି । ଜଣଙ୍କ ପରେ ଜଣେ ସେ କୂଅରୁ ପାଣି ନେଉଛନ୍ତି । ଚାରି ଭାଇଙ୍କୁ ତ ଖୁବ୍ ଶୋଷ ହେଉ ଥାଏ, ସେମାନେ ମଧ୍ୟ ପାଣି ପିଇବା ଲାଗି ସେହି କୂଅ ପାଖକୁ ଯାଇ ପିଇବାକୁ ପାଣି ମାଗନ୍ତେ ସେଥିମଧ୍ୟରୁ ଜଣେ ସ୍ତ୍ରୀ ଲୋକ ମାଠିଆରେ ମାଠିଏ ପାଣି ଆଣି ସେମାନଙ୍କୁ ପିଇବାକୁ ଦେଲା ।
ରାଜାପୁଅମାନେ ପାଣି ପିଇ ସାରିବା ପରେ ପୁଣି ଅଶ୍ୱ ପୃଷ୍ଠରେ ବସି ଆଗକୁ ଚାଲିଲେ । ଯାଉ ଯାଉ ସେମାନେ ଗୋଟିଏ ନୂଆ ସହରରେ ପହଁଚି ଗଲେ । ସେହି ସହରରେ ଅନେକ ଗୁଣିଆ ଥିଲେ । ଏହା କିନ୍ତୁ ରାଜପୁଅମାନଙ୍କୁ ଅଜଣା ଥିଲା । ରାଜାପୁଅ ମାନେ ସହରଟିର ଶୋଭା ଦେଖି ଖୁବ୍ ଆନନ୍ଦ ହୋଇଯାଇ ସହର ବୁଲିଯିବାକୁ ଇଚ୍ଛା କରି ଅଶ୍ୱମାନଙ୍କୁ ସହରର ଆରମ୍ଭରେ ବାନ୍ଧି ଦେଇ ସହର ମଧ୍ୟରେ ବୁଲିବା ନିମନ୍ତେ ବାହାରିଗଲେ ।
ରାଜାପୁଅ ଚାରିଜଣ ଏହି ଭାବରେ ସହର ପରିଭ୍ରମଣ କରୁଥାଆନ୍ତି । ସହର ମଝିରେ ଗୋଟିଏ ସୁନ୍ଦର ଭୋଜନାଳୟ ଦେଖିଲେ । ସେତେବେଳକୁ ତାଙ୍କୁ ବହୁତ ଭୋକ ହେଉଥିଲା । ସେଥିଲାଗି ସେମାନେ ସେହି ଭୋଜନାଳୟ ଭିତରେ ପଶିଗଲେ । ଭୋଜନାଳୟ ଭିତରେ ରାଜାପୁଅ ମାନେ ପଶି ଯିବାପରେ ଯାହା ଦେଖିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ଯାହା ଦେଖିଲେ ସେଥିରୁ ସେ ଅନୁମାନ କରି ନେଇ ଥିଲେ । ଭୋଜନାଳୟଟି ଯାହାର ସେ ନିଶ୍ଚୟ ଜଣେ ଖୁବ୍ ଧନୀଲୋକ, ପୁଣି ଭୋଜନାଳୟ ମଧ୍ୟରେ ଖୁବ୍ ସୁନ୍ଦରୀ ଚାରି ଗୋଟି ଝିଅକୁ ଦେଖିଲେ । ସୁନ୍ଦର ପଣରେ ସମସ୍ତେ ସୁନ୍ଦରୀ, ସେମାନଙ୍କର ଖୁଣ ବାଛିବାର ନାହିଁ । ସେମାନେ ପୁଣି ସେହି ଭୋଜନାଳୟ ମଧ୍ୟରେ ଚାରିଜଣଙ୍କର ଚାରି ଗୋଟି କୋଠରି ମଧ୍ୟ ଥାଏ ।
ରାଜା ପୁଅମାନେ ଯେତେବେଳେ ଭୋଜନାଳୟ ମଧ୍ୟରେ ପ୍ରବେଶ କରିଲେ ସେହି ସୁନ୍ଦରୀ ଝିଅ ମାନେ ରାଜା ପୁଅ ମାନଙ୍କୁ ଦେଖି ଦେଲେ । ସେମାନେ ମନେ ମନେ ଭାବିଲେ ଏହି ଚାରି ଯୁବକ କେବଳ ସାଧାରଣ ଘର ପିଲା ପରି ଜଣା ଯାଉନାହାଁନ୍ତି । ଏମାନେ ନିଶ୍ଚୟ ଖୁବ୍ ଧନୀ ଘରର ପିଲା । କାରଣ ଏତେ ସୁନ୍ଦର ପଣର ଯୁବକ ସେମାନେ ଆଗରୁ କେବେ କେଉଁଠାରେ ଦେଖିବାକୁ ପାଇ ନଥିଲେ ।
ରାଜାପୁଅ ଚାରିଜଣ – ଭୋଜନାଳୟ ମଧ୍ୟରେ ବସିଥାଆନ୍ତି । ଏହା ମଧ୍ୟରେ ସାନଭଉଣୀ ଜଣଙ୍କ ଚାରିଭାଇଙ୍କର ସୁନ୍ଦର ଚେହେରା ଦେଖି ଆସକ୍ତ ହୋଇ ପଡିଲା । ଆଉ ମଧ୍ୟ ଅନ୍ୟ ତିନି ଭଉଣୀଙ୍କୁ କହିଲା – ତମେମାନେ ଭାବ ନା ଯେ ଏମାନେ ସାଧାରଣ ଘରର ପୁଅ । ଏମାନେ ନିଶ୍ଚୟ କୌଣସି ରାଜାଙ୍କର ପୁଅ । ପଥ ଭୁଲି ଏ ସହରକୁ ପଳାଇ ଆସିଛନ୍ତି ।
ସାନ ଭଉଣୀର କଥା ଶୁଣି ସମସ୍ତଙ୍କର ମଧ୍ୟ ସେହି ପରି ମନେ ହେଲା ସେମାନେ ତ ଗୁଣି, ଯନ୍ତ୍ର, ମନ୍ତ୍ର, ତନ୍ତ୍ର ବିଦ୍ୟାରେ ପାରଙ୍ଗମ, ତେଣୁ ବଡ ତିନି ରାଜା ପୁଅଙ୍କୁ ତିନି ବଡ ଭଉଣୀ ନିଜ କୋଠରିକୁ ମେଣ୍ଢା କରି ନେଇଗଲେ ।
ସେମାନେ ତିନି ରାଜା ପୁଅଙ୍କୁ ଦିନ ବେଳା କୋଠରି ମଧ୍ୟରେ ମେଣ୍ଢା କରି ରଖୁ ଥିଲେ ପୁଣି ରାତି ହେଲେ ମଣିଷ କରି ଦେଉ ଥିଲେ । ତା’ପରେ ଚାରି ଭାଇଙ୍କ ସହିତ କାମନା ବାସନାରେ ମାତି ଆନନ୍ଦ କରୁଥିଲେ । ସେହିପରି ସାନ ଭଉଣୀ ସାନା ରାଜା ପୁଅକୁ ନିଜର ଆୟତରେ ରଖି ନେଲା, ତାଙ୍କୁ ନିଜର ସ୍ୱାମୀ ଭାବେ ଖୁବ୍ ସେବା ଯତ୍ନ କରୁ ଥାଏ । ସାନ ଭଉଣୀର ଏପରି ବ୍ୟବହାର ଦେଖି ରାଜାଙ୍କର ସାନପୁଅ ମଧ୍ୟ ସେହି ଝିଅକୁ ଭଲ ପାଇ ବସିଲା । ସେ କିନ୍ତୁ ସାନ ପୁଅକୁ ମେଣ୍ଢା କରି ରଖିଲା ନାହିଁ । ସାଧାରଣତ ମନୁଷ୍ୟ ଭାବରେ ପାଖରେ ରଖି ଭଲ ପାଇଲା । ସେଥିଯୋଗୁଁ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ଏପରି ନିଗୂଢ ହୋଇଗଲା ଯେ ଏବେ କେହି କାହାକୁ ଛାଡି ରହି ପାରିଲେନାହିଁ ।
ଏହିଭଳି ଭାବରେ ଚାରି ସୁନ୍ଦରୀ ଓ ମେଣ୍ଢା ମାନଙ୍କ ଜୀବନ ଗଡ଼ିଚାଲିଲା । ଚାରି ଭାଇ ଚାରି ଭଉଣୀଙ୍କ ପାଖରେ ରହିଥାଆନ୍ତି । ଦିନେ ରାଜାଙ୍କର ସାନ ପୁଅର ପିତାମାତା ଓ ତାର ରାଜଉଆସ କଥା ମନେ ପଡିଲା । ସେ ସ୍ଥାନରେ ଆଉ ତାକୁ କିଛି ଭଲ ଲାଗିଲା ନାହିଁ । ସଦା ସର୍ବଦା ମନ ମାରି ଯେଉଁଠି ବସିଲା ସେଠାରେ ଆଖିରୁ ଲୁହ ଗଡିଲା ।
ଏକଥା ଦେଖି ସାନ ଭଉଣୀର ମନରେ ଖୁବ୍ ଦୁଃଖ ସନ୍ତାପ ଆସିଲା । ସେ ତହୁଁ ରାଜା ପୁଅର ମନରେ ଆନନ୍ଦ ଆଣିବା ଲାଗି ଗଳାରେ ଦୁଇ ବାହୁ ଛନ୍ଦି ଗଣ୍ଡ ଦେଶରେ ଚୁମ୍ବନଟିଏ ଦେଇ କହିଲା – ତମର ଏବେ କ’ଣ ହୋଇଛି, ଏପରି ବିଷାଦ ମନରେ ଯେଉଁଠି ପାରୁଛ ସେଠାରେ ବସି ଯାଉଛ କାହିଁକି?
ସାନଭଉଣୀ ଠାରୁ ରାଜା ପୁଅ ଏପରି କଥା ଶୁଣି କହିଲା – ପ୍ରିୟେ ତୁମକୁ ସତ କହିବିନି ତ ଆଉ କାହା ପାଖରେ ସତ କହିବି । ଏବେ ମୋର ମାତାପିତାଙ୍କ କଥା ଖୁବ୍ ମନେ ପଡୁଛି । ଚାରି ଭାଇ ଆମେ ସାଥି ହୋଇ ଆସିଥିଲୁ ଆଜି ଯାଏଁ କେହି ହେଲେ ଜଣେ ଘରକୁ ଫେରିଲୁ ନାହିଁ । ପିତାମାତା ବୃଦ୍ଧ ଅବସ୍ଥା ତାଙ୍କର ଆମ ଲାଗି ସେମାନେ ଖୁବ୍ ବ୍ୟସ୍ତ ହେଉଥିବେ । ତା’ପରେ ସେହି ତିନି ଭାଇ ଯାକ ବିବାହିତ, ଘରେ ସେମାନଙ୍କର ସ୍ତ୍ରୀମାନେ କେତେ ଯେ ଭାବୁଥିବେ । ସ୍ୱାମୀମାନଙ୍କ ଚିନ୍ତାରେ ସେମାନେ ହତଶିରୀ ହୋଇ ଯିବେଣି । ତୁମକୁ ମୋର ଅନୁରୋଧ, ତୁମେ ଏହାର କିଛି ବ୍ୟବସ୍ଥା କର । ଯେମିତି ହେଉ ସେମାନଙ୍କୁ ଉଦ୍ଧାର କରି ରାଜ୍ୟକୁ ପଠାଅ ।
ସାନ ରାଜାପୁଅ ଠାରୁ ଏକଥା ଶୁଣି ସାନଝିଅ ବଡ ଅଡୁଆରେ ପଡିଗଲା । ସେ କ’ଣ କରିବ କିଛି ବି ଭାବି ପାରିଲା ନାହିଁ । ଗୋଟେ ପଟେ ତିନି ଭାଇଙ୍କୁ ଉଦ୍ଧାର କରି ପଠାଇ ଦେଲେ ତିନି ଭଉଣୀଙ୍କ ମନରେ ଦୁଃଖ ହେବ । ଯଦି ତାହା କରି ନପାରିଲି ତାହା ହେଲେ ସ୍ୱାମୀଙ୍କ ମନକୁ ଦାରୁଣ ଦୁଃଖ ଆସିବ ।
ଏହା ପରେ ସାନ ଭଉଣୀ ମୁଣ୍ଡରେ ଗୋଟିଏ କଥା ତିନି ଭାଇଙ୍କୁ ଖସାଇଦେଲେ ଭଉଣୀମାନେ ଏବେ ଦୁଃଖରେ ଘାରିହେବେ । ଯଦି ଖସାଇ ନଦେବି ମୋର ଏହି ପ୍ରିୟ ପୁରୁଷ ମୋତେ ଭୁଲ୍ ବୁଝିବେ । ଏହି ଭଳି ଚିନ୍ତା କରି କରି ଶେଷରେ ସାନଭଉଣୀ ଚିନ୍ତା କଲା ଯେ କେବଳ ମୋର ପୁରୁଷଙ୍କ ପାଇଁ ଯାହା କରିବାର କଥା କରି ଦେବି ।
ସାନ ଭଉଣୀ ଏହା ଭାବି ସାରି ଚାରିଗୋଟି ବଇଁଚକୋଳି ଆଣି କହିଲା – ଏଥର ମୁଁ ତୁମର ମନରେ ଯେପରି ଦୁଃଖ ନହେବ ସେହି କଥା କରୁଛି । ନିଅ ଏହି ଚାରୋଟି ବଇଁଚ କୋଳି, ଏହା ଅମୃତ ପରି ମିଠା, ଚାରି ଭାଇ ଏହାକୁ କଳରେ ଚାପି ରଖିବ । ଦେଖିବ ତମକୁ ଆଉ ଏଠାକାର ଗୁଣି ଲାଗିବ ନାହିଁ । ଯିଏ ଯେତେ ଗୁଣି କଲେ ମଧ୍ୟ ତାହା କାର୍ଯ୍ୟ କରିବ ନାହିଁ । ଏହା ପରେ ତୁମେ ଚାରି ଭାଇ ନିର୍ଭୟାନନ୍ଦରେ ନିଜ ରାଜ୍ୟକୁ ଫେରି ଯିବ ।
ସାନଝିଅ ଠାରୁ କୋଳି ଚାରୋଟିକୁ ନେଲା ସାନଭାଇ । ତା’ର ମନ ମଧ୍ୟରେ ଗୋଟିଏ କଥା ନାରୀ, ନଦୀ, ନିଆଁ ଏ ସମସ୍ତଙ୍କୁ ଆଦୌ ବିଶ୍ୱାସ କରିବାର ନୁହଁ । ସାନ ଝିଅ ମୋତେ ଏତେ ଆପଣାର ମନେକରି ପୁଣି କିପରି ପାଖରୁ ଅଲଗା କରିବ କହୁଛି । ନାଁ ଏ କୋଳି ତିନୋଟିକୁ ଆଗ ତିନିଭାଇଙ୍କୁ ଦେଇ ପରୀକ୍ଷା କରିବି ।
ଏହା ପରେ ସାନ ଭାଇ କହିଲା – ଆହେ ପ୍ରିୟେ ମୋର ଏବେ ଚାରୋଟି କୋଳି କ’ଣ ହେବ । ମୁଁ କିନ୍ତୁ ତୁମକୁ ଛାଡି କିପରି ରହିବି । ବରଂ ତିନି ଜଣଙ୍କ ଲାଗି ତମେ କୋଳି ଦିଅ । ମୁଁ ସେମାନଙ୍କୁ ଦେଇ ଦେଲେ ସେମାନେ ଏଠାରୁ ମୁକ୍ତ ହୋଇ ରାଜ୍ୟକୁ ଫେରି ଯିବେ । ଆଉ ମଧ୍ୟ ତୁମେ ଯଦି ମୋ ସାଥିରେ ଯିବା ଲାଗି କହୁଛ ତାହା ହେଲେ ମୋତେ ମଧ୍ୟ ଗୋଟିଏ କୋଳି ଦିଅ । ସାନ ଭଉଣୀ କହିଲା – ନାଁ ମୁଁ ବର୍ତ୍ତମାନ ତୁମ ସାଥିରେ ଯାଇ ପାରିବି ନାହିଁ ।
ସାନ ଭାଇ କହିଲା – ତାହା ହେଲେ ଠିକ୍ ଅଛି, ତୁମେ ମୋତେ ତିନୋଟି କୋଳି ଦିଅ । ହେଲେ ଏକଥା ଭାବି କୋଳିଗୁଡିକ ଭାଇ ମାନଙ୍କ ପାଖକୁ ନେଇ ଗଲା ହେଲେ କୋଳିବା ଦେବ କିପରି । ଦିନରେ ସେମାନେ ତ ମେଣ୍ଢା ରୂପରେ ଅଛନ୍ତି । ରାତିରେ ପୁଣି ବଡ ଭଉଣୀମାନଙ୍କ ପାଖରେ ଥିବେ । ଏକଥା ଭାବି ଭାବି ପୁଣି ଯାଇ ସାନ ଭଉଣୀକୁ କହିଲା – ଏହାର ପୁଣି କି ଉପାୟ କରିବା କୁହ ।
ସାନ ଭାଇ ଯାହା କହୁଛନ୍ତି ତାହା ସତ୍ୟ କଥା – ସେଇଠୁ ସାନ ଭଉଣୀ କହିଲା, ଏମିତି ତ ଅନେକ ଦିନ ବିତି ଗଲାଣି । ଆଉ ମାତ୍ର କେତେ ଦିନ ଅମାବାସ୍ୟା, ଅମାବାସ୍ୟା ଦିନ ରାତିରେ ମୋର ଭଉଣୀ ମାନେ ମନ୍ତ୍ର ସିଦ୍ଧ କରିବା ନିମନ୍ତେ ଭୈରବୀ ମାତାଙ୍କ ମନ୍ଦିରକୁ ଯିବେ । ସେହି ଦିନ ରାତ୍ରିରେ ମନେ ରଖି ତୁମେ ଭାଇମାନଙ୍କୁ ନେଇ କୋଳି ଦେଇଦେବ । ବାସ୍ ସେଦିନ ଭାଇ ମାନେ ନିର୍ଭୟରେ ଏଠାରୁ ପଳାଇ ଯିବେ ।
ଆସିଲା ଦିପାବଳୀ ଅମାବାସ୍ୟା, ସଂଧ୍ୟା ହେବାରୁ ତିନି ଭଉଣୀ ଯାକ ଭୈରବୀ ମନ୍ଦିରକୁ ବାହାରି ଗଲେ । ସାନଭାଇ ଏହି ସୁବିଧା ଉଣ୍ଡି ସାନ ଭଉଣୀର କଥାନୁଯାୟୀ କୋଳି ତିନୋଟି ନେଇ ଭାଇମାନଙ୍କୁ କଳରେ ଯାକିବାକୁ କହିଲା – ଏହା ପରେ ତୁମକୁ ଏହି ସାନ ଭଉଣୀ ମାନଙ୍କର ଗୁଣି କାଟିବ ନାହିଁ ।
ତା’ପରେ ତିନିଭାଇ ଯାକ ପାଟିରେ କୋଳି ଯାକନ୍ତେ ସେମାନଙ୍କର ସଦ୍ବୁଦ୍ଧି ଫେରି ଆସିଲା । ଏବେ ଆଉ ସେଠାରେ ମୁହୂର୍ତେ ରହିବା ନିରାପଦ ନୁହଁ । ତେଣୁ ବିଳମ୍ବ ନକରି ସେ ସ୍ଥାନ ଛାଡି ପଳାଇଲେ ।
ଏଣେ ତିନି ଭଉଣୀ ଯାକ ଭୈରବୀ ମାତାଙ୍କ ମନ୍ଦିରରୁ ମନ୍ତ୍ର ସିଦ୍ଧ କରି ଫେରି ଆସିଲେ । ଆସି ନିଜ ନିଜ କୋଠରିରେ ଦେଖନ୍ତି ତ ସେମାନଙ୍କର ପ୍ରିୟ ପୁରୁଷମାନେ ନାହାଁନ୍ତି । ନିଜର ସମସ୍ତ ଜିନିଷ ପତ୍ର ଧରି ସେମାନେ ପଳାଇ ଯାଇଛନ୍ତି । ସେମାନେ ଆମକୁ ଠକି ଦେଇଛନ୍ତି । ଏଥର ସେମାନଙ୍କୁ ରକ୍ଷା ନାହିଁ, ଏହା ଭାବି ସେମାନେ ସେମାନଙ୍କର ବୀର ବେତାଳମାନଙ୍କୁ ରାସ୍ତାରୁ ସେ ତିନି ଭାଇଙ୍କୁ ବାନ୍ଧି ଆଣ ବୋଲି ଆଦେଶ ଦେଲେ ।
ବୀର ବେତାଳମାନେ ଆଦେଶ ପାଇବା ମାତ୍ରେ ପବନ ବେଗରେ ଧାଇଁ ଯାଇ ସେମାନଙ୍କ ପାଖରେ ପହଁଚି ଗଲେ ହେଲେ ସେମାନଙ୍କୁ ଧରି ଆଣିବାକୁ ଆଉ ସାହାସ ପାଇଲେ ନାହିଁ । ତହୁଁ ସେମାନେ ନିରାଶ ହୋଇ ନିରସ ବଦନରେ ତିନି ଭଉଣୀଙ୍କୁ କହିଲେ । ତମେ ମାନେ ଏବେ ସେମାନଙ୍କ ଆଶା ଛାଡି ଦିଅ । ସେମାନେ ନିଜ କଳରେ କୋଳି ଯାକିଛନ୍ତି ଆମର ସବୁ ବୁଦ୍ଧି ସେଥି ଲାଗି କାର୍ଯ୍ୟ କଲା ନାହିଁ ।
କ’ଣ କରିବେ । ଏବେ ତ ସବୁ ତାଙ୍କ ହାତରୁ ଚାଲି ଯାଇଛି । ତେଣୁ ମୁଣ୍ଡରେ ହାତ ଦେଇ ଭାବିଲେ ଯେ ଏସବୁ କାମ ସାନ ଭଉଣୀ କରିଛି । ଚାଲ ଦେଖିବା ସାନ ଭଉଣୀ ପାଖରେ ଯଦି ସାନ ଭାଇ ନଥିବ ତାହା ହେଲେ ଜାଣିବା ଯେ ସାନ ଭଉଣୀ ଦ୍ୱାରା ଏ କାର୍ଯ୍ୟ ହୋଇ ନାହିଁ । ତା’ହେଲେ ଭାବିବା ଯେ ଏ କାର୍ଯ୍ୟ କରିବା ଲୋକ ଗୋପରେ ବଢୁଛି ।
ଏହା ପରେ ସାଥି ହୋଇ ତିନି ଭଉଣୀ ଯାକ ସାନ ଭଉଣୀ ପାଖରେ ପହଁଚି ଦେଖିଲେ – ସେ ଦୁହେଁ ବସି ପାଲି ଖେଳୁଛନ୍ତି । ଅସ୍ଥି ତିନୋଟି ହଠାତ୍ ଜଳି ଉଠିବାରୁ ସାନ ଭଉଣୀ ଜାଣି ପାରିଲା ଯେ ମୋର ବଡ ଭଉଣୀ ମାନେ ମୋତେ ସନ୍ଦେହ କରି ମୋ ପାଖକୁ ଆସୁ ଛନ୍ତି ।
ସତକୁ ସତ ସାନଭଉଣୀ ଉପରେ ରାଗ ଶୁଝାଇବା ଲାଗି ବଡ ତିନି ଭଉଣୀ ମାନେ ସାନ ଭଉଣୀ ଉପରକୁ ବୀର ପେଷଣ କଲେ । ସାନ ଭଉଣୀ ତାହା ଜାଣି ପାରି ସାନ ଭାଇକୁ କହିଲା – ନିଅ ତମେ ମଧ୍ୟ ଏହି କୋଳିରୁ ଗୋଟିଏ କଳରେ ଯାକ । କାରଣ ଆମ ମାନଙ୍କର ଲଢେଇ ମଧ୍ୟରେ ତୁମର କୌଣସି କ୍ଷତି ହେବା ଉଚିତ୍ ନୁହେଁ ।
ସାନଭାଇକୁ କୋଳି ଗୋଟିଏ ଦେଇ ସାନଭଉଣୀ ସଙ୍ଗେ ସଙ୍ଗେ ନିଜର ବୀରବେତାଳଙ୍କୁ ପେଷଣ କରି ଦେଲା ବୀର ଓ ବେତାଳଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା ଶେଷରେ ବୀର ହାରି ଗଲା । ବେତାଳ ଜିତି ଗଲା । ତା’ପରେ ତିନି ଭଉଣୀ ତିନୋଟି ସାପ ପେଷଣ କଲେ । ସାପକୁ ଆଦେଶ ଦେଲେ ଯେ ତୁମେ ଯାଇ ସାନ ଭାଇର ପ୍ରାଣ ନେଇ ଯିବ । ସାପମାନେ ଆଦେଶ ନେଇ ସାନ ଭଉଣୀ ପାଖକୁ ଗଲାରୁ ସାନ ଭଉଣୀ ସଙ୍ଗେ ସଙ୍ଗେ ତା ପାଖରେ ଥିବା ତିନୋଟି ବିଷ ଧର ସାପଙ୍କୁ ପେଷଣ କଲା । ସାପ ସାପ ମାନଙ୍କ ମଧ୍ୟରେ ଲଢେଇ ହେଲା ଶେଷରେ ତିନି ଭଉଣୀଙ୍କର ସାପ ମାନେ ହାର ମାନି ସେଠାରୁ ଫେରି ଆସିଲେ । ଏହା ପରେ ତିନି ଭଉଣୀମାନେ ରାଗରେ ନିଆଁ ହୋଇଯାଇ ସାନଭଉଣୀ ପାଖକୁ ଆସି ଅନେକ ଗାଳିଗୁଲଜ କଲେ । ଏହା ଦେଖି ରାଜା ପୁଅ ଆଉ ସହ୍ୟ କରି ପାରିଲା ନାହିଁ । ଶେଷରେ ତିନି ଭଉଣୀଙ୍କୁ ଉପଯୁକ୍ତ ଶାସ୍ତି ଦେଇ ସେଠାରୁ ଫେରାଇ ଦେଲା ।
ଚାରି ସୁନ୍ଦରୀ ଓ ମେଣ୍ଢା କଥା ଏଇଠି ସରିନି !
ଏହା ମଧ୍ୟରେ ଦୁଇ ଚାରି ଦିନ ବିତି ଯାଇଛି । ରାଜା ପୁଅ ଦେଖିଲା ଯେ ଏଠାରେ ଆଉ ରହିଲେ ଶାନ୍ତି ମିଳିବ ନାହିଁ । ତହୁଁ ସେ ସାନ ଭଉଣୀକୁ କହିଲା – ଚାଲ ଆମେ ଏଠାରୁ ପଳାଇ ଯିବା । ଆମେ ଏଠାରେ ଯେତେ ଦିନ ରହୁ ଥିବା – ଆମ ସହିତ ତାଙ୍କର କଳି ସେତିକି ସେତିକି ବଢି ଚାଲି ଥିବ । ଶେଷକୁ ସାନଭଉଣୀ ସାନଭାଇ ସାଥିରେ ପଳାଇଯିବାକୁ ସ୍ଥିରକଲା । ଏହା ପରେ ଦୁହେଁ ନିଜର ଜିନିଷପତ୍ର ଧରି ଦିନେ ରାତିରେ ସେଠାରୁ ପଳାଇଗଲେ ।
ସେମାନେ ଦୁଇ ଦିନ ଦୁଇ ରାତି ରାସ୍ତାରେ ଚାଲିଲେ, ତା’ପରେ ଯାଇ ଗୋଟିଏ ବଡ ସହରରେ ପହଁଚିଲେ । ସେତେ ବେଳକୁ ରାତି ହୋଇ ଯାଇ ଥାଏ । ସାନଭାଇ କହିଲା ଏତେ ରାତିରେ ଆଉ ଆମେ କୁଆଡେ ଯିବା, ଆମେ ଆଜି ରାତିକ ବରଂ ସହରର କୌଣସି ଧର୍ମଶାଳାରେ ରହି ବିଶ୍ରାମ ନେବା, ରାତି ପାହିଲେ ଆମେ ଆମ ରାଜ୍ୟକୁ ପଳାଇ ଯିବା ।
ସେମାନେ ସେ ଦିନ ସହରର ଗୋଟିଏ ଧର୍ମଶାଳାରେ ବିଶ୍ରାମ ନେଲେ । ବହୁତ ପରିଶ୍ରମ ହୋଇଥାଏ । ସାନଭଉଣୀ ଚେତା ନଥିବା ପରି ନିଘୋଡ ନିଦରେ ଶୋଇ ପଡିଛି । ସେତିକି ବେଳେ ସାନଭାଇ ଭାବିଲା, ଏପରି ଗୁଣି ଗାରେଡି ଜାଣି ଥିବା ଝିଅକୁ ନେଇ ନିଜର ସ୍ତ୍ରୀ କରି ରଖିବ ସିନା, ହେଲେ ତା ପ୍ରତି, ତାର ଗୁଣିଗାରେଡି ପ୍ରତି ତ ଭୟ ରହିବ । ଆଜି ଭଲରେ ଭଲରେ ସମୟ ଅତିବାହିତ ହେବ । କାଲି ଯେତେ ବେଳେ କୌଣସି ଅସୁବିଧା ହେବ । ସେଦିନ ନିଶ୍ଚୟ ଏ ଗୁଣିଗାରେଡି ପେଶି ମୋତେ ହତ୍ୟା କରିବାକୁ ଭୁଲିବ ନାହିଁ । ତେଣୁ ୟାକୁ ଏହି ଠାରେ ଶେଷ କରି ଦେଲେ ମଣିଷର ଗୋଟାଏ କଂଟା ଯିବ । ସାନ ଭାଇ ସିନା ଏକଥା ସେହି ମୁହୁର୍ତରେ ଭାବିଲା । ହେଲେ ପର ମୁହୂର୍ତକୁ ସେ ଭାବିଲା ଯେ ଝିଅଟାର କି ଦୋଷ, ସେ ତ ମୋର ତିନି ଭାଇଙ୍କୁ ଏତେ ବଡ ବିପଦରୁ ମୁକୁଳାଇ ଦେଲା । ଏପରି ଅବସ୍ଥାରେ ମୁଁ କିପରି ତାକୁ ହତ୍ୟା କରିବି । ଏଥି ଲାଗି ସ୍ତ୍ରୀ ହତ୍ୟା ଦୋଷ ମୋତେ ଲାଗିବ । ନାଁ ତାହା କରିବା ଉଚିତ୍ ନୁହେଁ । ବରଂ ତା’ର ଜୀବନ ରହୁ, ମୁଁ ଏଠାରୁ ପଳାଇ ଯିବାଟା ଉଚିତ୍ ହେବ ।
ଏହା ପରେ ସାନଭାଇ ସେୟା କଲା, ସାନଭଉଣୀ ନିଦ୍ରାରେ ଶୋଇ ଥିବା ଅବସ୍ଥାରେ ସେ ସହର ଛାଡି ପଳାଇ ଗଲା । ରାତି ପାହି ସକାଳ ହେବାରୁ ସାନ ଝିଅ ଦେଖିଲା । ସାନଭାଇ ଆଉ ତା’ ପାଖରେ ନାହିଁ । ସେ ତାକୁ ଠକି ଦେଇ ପଳାଇଛି । ସେ ତା’ର ପ୍ରତିଶୋଧ ନେବାକୁ ଚାହିଁ ଥିଲେ । କ’ଣ କେବେ କରି ପାରି ଥାଆନ୍ତା । ହେଲେ ମନରେ ତା’ର ଭୟ, ଭକ୍ତି, ଆଦର ତା’ ପ୍ରତି ଥିଲା ସେ ଭାବିଲା ସ୍ୱାମୀ ସିନା ମୋ ପ୍ରତି ଭୁଲ୍ କରି ମୋତେ ଅଧା ରାସ୍ତାରେ ଛାଡି ଚାଲିଗଲେ । ଏଣିକି ମୋର ଦୁଃଖ ପଡିଲା ସେ ଦୁଃଖକୁ ତ ମୁଁ ଫେରାଇ ପାରିବି ନାହିଁ । ମୋତେ ହିଁ ଭୋଗିବାକୁ ହେବ । ତାଙ୍କ ଲାଗି ବିପଦ ଘଟାଇଲେ ସେଥିରେ ତ ମୋର କୌଣସି ଲାଭ ହେବ ନାହିଁ । ସେ ଗଲେ ଗଲେ, ଠାକୁରାଣୀଙ୍କ କୃପାରୁ ସେ ଯେଉଁଠି ଥାଆନ୍ତୁ ସେଠାରେ ସେ ସୁଖରେ ଥାଆନ୍ତୁ । ଏହା ଭାବି ସାନ ଝିଅ ଆଖିରୁ ଲୁହ ପୋଛି ନିଜେ ସନ୍ନ୍ୟାସିନୀ ବେଶ ଧାରଣ କରି ଜଙ୍ଗଲ ଆଡକୁ ପଳାଇଗଲା ।
ଚାରି ସୁନ୍ଦରୀ ଓ ମେଣ୍ଢା କଥାଟି ଏତିକି ।

Leave a Comment

Your email address will not be published. Required fields are marked *

Scroll to Top