ଗାଡ଼

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
ଅଵିଭକ୍ତ କୋରାପୁଟରେ ନଦୀକୁ ଗାଡ଼ କୁହାଯାଏ ସେହିପରି ଯେଉଁଠାରେ ଗଭୀର ଜଳ ଥାଏ ଵା ଗଭୀର ଜଳ ଧାରଣ କରୁଥିଵା ଗର୍ତ୍ତକୁ ମଧ୍ୟ ଏଠାକାର ଲୋକେ ଗାଡ଼ କହିଥାନ୍ତି । ନାରାୟଣପାଟଣା ଅଞ୍ଚଳରେ ଝଞ୍ଜାଵତୀଚମ୍ପାଵତୀ ନାମକ ଦୁଇଟି ନଦୀର ମିଳନ ସ୍ଥଳର ନାମକୁ ‘ଗୋରିଆ ଗାଡ଼’ କୁହାଯାଏ ।
କିମ୍ବଦନ୍ତୀ ଅନୁସାରେ ଜୟପୁର ରାଜ୍ୟର ମହାରାଜା ଵିଶ୍ବମ୍ବର ଦେଵ(ଦ୍ୱିତୀୟ)ଙ୍କ ପ୍ରଥମ ରାଣୀ ଝଞ୍ଜାବତୀ ଦେଵୀ ଏହି ଗୋରିଆ ଗାଡ଼ରେ ବା ନଦୀରେ ସ୍ନାନ କରୁଥିଵାଵେଳେ ଉପର ମୁଣ୍ଡରେ ହଠାତ୍ ପ୍ରଵଳ ଵର୍ଷା ହୋଇ ଵନ୍ୟା ଆସିଵାରୁ ସେ ଏଠାରେ ସଲିଳ ସମାଧି ନେଇଥିଲେ ଓ ତାଙ୍କ ନାମ ଅନୁସାରେ ଏହି ନଦୀଟିର ନାମ ରଖାଯାଇଥିଲା ଝଞ୍ଜାଵତୀ ।
ସେହିପରି ପଟାଙ୍ଗି ଅଞ୍ଚଳରେ ଅନ୍ୟ ଏକ ନଦୀର ନାମ ମେରୁଗାଡ଼ ରହିଥିଵା ବେଳେ କୁନ୍ଦ୍ରା ଅଞ୍ଚଳର ଏକ ନଦୀ ଵେଷ୍ଟିତ ଗ୍ରାମର ନାମ ରହିଛି ‘ଗାଡ଼ଗୁଣ୍ଡାଳ’ । ଏହି ଗ୍ରାମଟିକୁ ଚାରିଆଡୁ ନାଳ ଓ ନଦୀ ଗୁଡ଼େଇ ରଖିଥିଵାରୁ ଏହାକୁ ଗାଡ଼ଗୁଣ୍ଡାଳ ନାମରେ ନାମିତ କରାଯାଇଛି ।
କିନ୍ତୁ ଗାଡ଼ ଶବ୍ଦଟି ତ ପ୍ରଚଳିତ କଥିତ ଭାଷାରେ ଗର୍ତ୍ତ ଅର୍ଥରେ ବହୁଳ ଭାବେ ଵ୍ୟଵହୃତ ତାହେଲେ ଗାଡ଼ ଶବ୍ଦକୁ ନଦୀ ଅର୍ଥରେ କାହିଁକି ଵ୍ୟଵହାର କରାଗଲା ?
କାରଣ ଏହି ଅଞ୍ଚଳରେ ଲୋକମାନେ ପୂର୍ଵେ ଵିଶ୍ଵାସ କରୁଥିଲେ ଯେ ପ୍ରତିଟି ନଦୀ ଏକ ଗର୍ତ୍ତରୁ ଜନ୍ମ ନେଇଥାଏ । ପୁଣି ପ୍ରତିଟି ନଦୀର ଉତ୍ପତ୍ତିସ୍ଥଳ କୌଣସି ପାହାଡ଼ ଖୋଲରୁ ବାହାରିଥିଵା ନାଳ ଵା ଝରଣା ଏବଂ ଏହା ଉଚ୍ଚଭୂମିରୁ ନିମ୍ନଭୂମିକୁ ଗଡ଼ିଗଲା ବେଳେ ଗଭୀରଗାଡ଼ ସୃଷ୍ଟି କରି ଆଗକୁ ବହିଯାଇଥାଏ । ତେଣୁ ସ୍ଥାନୀୟ ଲୋକେ ଏହାକୁ ଆଧାରକରି ନଈକୁ ଗାଡ଼ ବୋଲି କହିଥାନ୍ତି । ସେହିପରି ଢେଙ୍କାନାଳରେ ନଦୀକୁ କେହି କେହି ଧାର କହିଥାନ୍ତି । ଓଡ଼ିଶାରେ ନଈ ଵା ନଦୀ ଶବ୍ଦର ଏହିପରି ଅନେକ ଦେଶଜ ପ୍ରତିଶବ୍ଦ ଚଳୁଥାଇପାରେ ।
(ତଥ୍ୟ ଉତ୍ସ: ଦେଶିଆ ଜ୍ଞାନକୋଷ, ଚିତ୍ର ଉତ୍ସ: ଅନ୍ତର୍ଜାଲ)

Leave a Comment

Your email address will not be published. Required fields are marked *

Scroll to Top