ଗାଈପାଳି

ଲେଖା: ଅକ୍ଷୟ ଓଝା

ସକାଳ ଆଠଟା ବାଜିଲେ ଗାଈଆଳ ଗାଁ ଦାଣ୍ଡରେ ଆବଜ ଲଗାଏ ଗାଈପାଳି ଦିଅ । ବାସ୍ ! ଖୁଣ୍ଟରେ ବନ୍ଧା ହୋଇଥିବା ଗାଈ ମାନେ ଉଠି ଛିଡ଼ା ହେଇପଡ଼ନ୍ତି । ହମ୍ବାରଡ଼ି ଛାଡ଼ନ୍ତି । ସମସ୍ତେ ନିଜ ନିଜ ଗାଈ ଖୋଲି ଦିଅନ୍ତି । ଏକ ଝୁଣ୍ଡରେ ଗାଈ ମାନେ ବାହାରି ପଡନ୍ତି ଗାଁ ମୁଣ୍ଡ ଗୋଚର ଆଡ଼େ । ଗାଈବାଛୁରୀ ବଳଦ ସବୁ ଏକତ୍ରିତ ହେଇ ଯାନ୍ତି ବିଲପଡ଼ିଆ ପାଖ ଗୋଚର ଭୂଇଁରେ । ପୁରା ଗାଁ ଗୋଟାକର ଗାଈମାନେ । ଗାଈଆଳ ବାଡ଼ିଖଣ୍ଡେ ଧରି ଗାଈ ମାନଙ୍କୁ ଏକାଠି କରି ବସିଯାଏ ବରଗଛ ମୂଳେ । ଗାଈମାନେ ଖୁବ୍ ମନଭରି ଘାସ ଚରନ୍ତି ସନ୍ଧ୍ୟା ଚାରିଟା ଯାଏ ।

କେତେବେଳେ ଗାଈପାଳିରୁ ବଇଁଶୀ ସ୍ଵନ ଭାସି ଆସେ ତ ବେଳେବେଳେ ଗାଈଆଳ କଣ୍ଠରେ ବେସୁରା ସ୍ଵରରେ ଗୀତଟିଏ ହାଲୁକା ପବନରେ ଗାଁ ଆଡ଼େ ଭାସିଆସେ । ଲାଗେ ଯେମିତି ମଥୁରାର କୃଷ୍ଣ ବଂଶୀବାଦନ କରୁଛନ୍ତି । ପୌରାଣିକ ଯୁଗର କିଛି ଭାରତୀୟ ହିନ୍ଦୁ ସଂସ୍କୃତିର ପରମ୍ପରା ଦୋହରାଇ ହେଇଯାଏ ଘଡ଼ିଏ । ଧାର୍ମିକ ଭାବଧାରାର ପ୍ରଭାବ ଛୁଟିଯାଏ ।

ପ୍ରତ୍ୟେକ ଓଡ଼ିଆ ଘରେ ଗାଈଟିଏ ରଖିବା ଏକ ଧାର୍ମିକ ଧାରଣା ଓ ଶୁଭ ବୋଲି ମାନିଥାଏ । କୁହାଯାଏ, କେହି ଯଦି ବିଭାଘର ପ୍ରସ୍ତାବ ନେଇ ବନ୍ଧୁ ବାନ୍ଧିବାକୁ ଆସେ ପ୍ରଥମେ ହଲୁଆ ତାଗଡ଼ା ବଳଦ ଦେଖି ବନ୍ଧୁ ବାନ୍ଧିଥାଏ । ବଡ଼ ବଡ଼ ବଳଦ । ଚାଷୀ ଘର। ଚଳାଚଳ ଭଲ । ଗାଈଗୋଠ ଦେଖି ଘର ଚଳାଚଳ ଜାଣୁଥିଲେ ସେ ସମୟରେ ।

ସକାଳୁ ଉଠି କୃଷକ ଭାଇ ଯୋଡ଼ିବଳଦ ଧରି କ୍ଷେତକୁ ବାହାରି ଯାଏ । ଦି ଘଡ଼ି କ୍ଷେତ ଚଷି ଘରକୁ ଫେରନ୍ତି । କୁଣ୍ଡାତୋରାଣି ଖାଇ ଆରାମ କରନ୍ତି ଗୁହାଳରେ। ସେତେବେଳେ ଘର ସାଙ୍ଗକୁ ଗୁହାଳ ବାଧ୍ୟତାମୂଳକ ହେଉଥିଲା । ଗୁହାଳରେ କୁଣ୍ଡା ତୋରାଣି ଭରା ମାଟିମାଣ୍ଡିଆ, ଖୁଣ୍ଟ, ପଘା ସବୁ ସରଞାମ ହେଉଥିଲା । ଭାରି ଯତ୍ନ ନିଆ ଯାଉଥିଲା ଗାଈବଳଦଙ୍କର । ପରିବାରର ସଦସ୍ୟ ଭଳି ସେମାନେ ଥିଲେ । ଗାଈବଳଦଙ୍କର ଦେହପା ହେଲେ ଡ଼ାକ୍ତର ଆସୁଥିଲେ ।

ବେଳେବେଳେ ଗାଈମାନେ କାହାରି ବାରିଘରେ ପଶି ଫସଲ ନଷ୍ଟ କରୁଥିଲେ । ସେ କଥା ନେଇ ଝଗଡ଼ା ହେଉଥିଲା ନିଜ ନିଜ ଭିତରେ । ସେପାଇଁ ପଞ୍ଚାୟତ ତରଫରୁ “କଞ୍ଜିଆହୁଦା” (ଗାଈ ମାନଙ୍କ ପାଇଁ ଜେଲଖାନା) ତିଆରି କରାଯାଇ ଥିଲା । ଯାହାର ଗାଈ ଅନ୍ୟର ଫସଲ ନଷ୍ଟ କରୁଥିଲା ତାକୁ ଧରି ଏଇ ଠାରେ ବନ୍ଦ କରାଯାଉଥିଲା । ଗାଈମାଲିକ ଜୋରିମାନା ଦେଇ ଗାଈ ଫେରେଇ ଆଣୁଥିଲା । ତେଣୁ ଗାଈ ମାଲିକେ ନିଜ ଗାଈକୁ ସାବଧାନରେ ରଖୁଥିଲେ ।

ସେତେବେଳ ଏହି ଗାଈବଳଦଙ୍କ ପ୍ରତି ଏକ ଶ୍ରଦ୍ଧା ଓ ଆଦର ଥିଲା । ଖୁଣ୍ଟରେ ଥରେ ବନ୍ଧା ହେଇଥିବା ଜୀବନ କାଳ ଭିତରେ ବିକନ୍ତିନି । ସେଇ ଘରେ ସେ ତା ଜୀବନକାଳ ପୁରା କରେ କିନ୍ତୁ କେହି କେହି ଦଶ ଖୁଣ୍ଟ ଦଶ ଗୁହାଳ କରେଇ ଶେଷରେ କଂସେଇକୁ ବିକନ୍ତି । ଗୋମାତା କହି ପୂଜା କରୁଥିବା ଏହି ଗାଈ କ୍ଷୀର, ଛେନା, ଦହି, ଘିଅ, ଗୋବରଖତ ଦେଇ ମଣିଷକୁ ତାର ମୂଲ୍ୟ ପ୍ରଦାନ କରେ । ଗହ୍ମାପୂର୍ଣ୍ଣମୀରେ ଗୋପୂଜା କରାଯାଏ । ଘରେ ଘରେ ଗାଈପୂଜା ପାଆନ୍ତି ।

ସମୟ କ୍ରମେ ଘରେ ଘରେ ଗାଈପାଳନ ଓ ହଳବଳଦ ବନ୍ଦ ହେଇ ଆସିଲାଣି । ଗାଈମାନଙ୍କ ପ୍ରତି ଆଉ ଆଦର ଶ୍ରଦ୍ଧା ସମ୍ମାନ ନାହିଁ । ଗାଆଁରେ ଗାଈ ପାଳି ପରମ୍ପରା ସରି ଗଲାଣି । ନା ଗାଈ ଗୋଠ କି ଗାଈଆଳ ଗୀତ ଶୁଣିବାକୁ ମିଳୁନି । କଂସେଇ ଗାଁ ଗାଁ ବୁଲି ଗାଈ କିଣୁଛନ୍ତି । ଛଡା ବଳଦଙ୍କୁ କଉଡ଼ି ଭାଉରେ ବିକି ଦେଉଛନ୍ତି । ପ୍ରତ୍ୟେକ ଦିନ ବେଆଇନ ଗୋଚାଲାଣ ଏକ ଦୁଃଖଦ ଖବର ହିନ୍ଦୁ ସମାଜ କାନରେ ପଡୁଛି । ଗାଈଙ୍କୁ ଅତି ନିର୍ଦ୍ଦୟ ଅବସ୍ଥାରେ ଗାଈ ଉପରେ ଗାଈ ଲଦି ଅତି ନିର୍ଦ୍ଦୟ ଭାବରେ ସହର ଚାଲାଣ କରାଯାଉଛି । କଂସେଇ ଖାନାକୁ ଯିବା ପୂର୍ବରୁ ଶହେ ଥର ମରୁଛି ।

ଏବେ ଆଉ ଗୋଠ, ଗୋଧୂଳି ସନ୍ଧ୍ୟା ନାହିଁ ! ଆଉ ସେ ଭଳି ପଶୁ ଶ୍ରଦ୍ଧା ନାହିଁ । ଅଧିକାଂଶ ଘରେ ଆଉ ଗାଈ ନାହାନ୍ତି ! ଯେଉଁମାନଙ୍କ ପାଖରେ ଅଛି ସେମାନେ କେବଳ ଗାଈ ବିକ୍ରି କରି ପେଟ ପାଳୁଛନ୍ତି । ଗାଁରେ ଗାଈଟିଏ ନାମମାତ୍ର କେଇଜଣ ଓଡ଼ିଆଙ୍କ ଘରେ ବନ୍ଧା ହେଇଛି । ତୋରାଣି ପିଉଛି । ଛ ମାସର ହେଉ ହେଉ କଂସେଇ ଆସି ମୁଲଚାଲ କରୁଛି । ପଇସା ପାଇ ମାଲିକ ପଘା ଖୋଲି ଦେଉଛି । ଇଙ୍ଗିତରେ ଗାଈ ବିକ୍ରି ହେଲା ବେଳେ କହିଯାଉଛି ମାଲିକକୁ,
“ଅନାମ ବୋଉ ତୋ ଗାଈ କାନ୍ଦୁଛି
ନିଜ କରମକୁ ନିଜେ ନିନ୍ଦୁଛି,
କ୍ଷୀର ଦହି ଘିଅ କରିଲା ଦାନ
ଋଣ ସୁଝି ଆଜି ଦେଲା ଜୀବନ ।” 

Leave a Comment

Your email address will not be published. Required fields are marked *

Scroll to Top