ଖଣ୍ଡପଡ଼ାର ଯୋଗୀଯୋଗିଆଣି ବୌଦ୍ଧପୀଠ

ଲେଖା: ରବୀନ୍ଦ୍ର କୁମାର ରଣା

ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ କୋଶକା ପଞ୍ଚାୟତର ଅଁଳାପଟା ଗ୍ରାମରେ ରହିଛି ନବମ ଶତାବ୍ଦୀର ପ୍ରସିଦ୍ଧ ଯୋଗୀ  ଯୋଗିଆଣି ବୌଦ୍ଧପୀଠ

ପାହାଡ଼ ଜଙ୍ଗଲ ଘେରା ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶରେ ଏହି ବୌଦ୍ଧ ପୀଠଟି ଅବସ୍ଥିତ । ଗୋଟିଏ ଛୋଟିଆ ଆସ୍ଥାନ ଉପରେ ବିଭିନ୍ନ ମୁଦ୍ରାରେ ବସିଥିବା ଭଗବାନ ବୁଦ୍ଧଙ୍କର ଚାରୋଟି ସୁନ୍ଦର ମୂର୍ତ୍ତୀ ଦେଖିବାକୁ ମିଳେ ଏଠାରେ । କଳାମୁଗୁନି ପଥରରେ ଏହି ମୂର୍ତ୍ତିଗୁଡିକ ନିର୍ମିତ । ଗବେଷକମାନଙ୍କ ମତ ଯେ ଏହି ମୂର୍ତ୍ତୀଗୁଡିକ ଅଷ୍ଟମ କିମ୍ବା ନବମ ଶତାବ୍ଦୀର ହୋଇପାରେ । ପ୍ରାୟ ଅଢେଇ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତୀଗୁଡିକର ନିମ୍ନ ଭାଗରେ ସୁନ୍ଦର କାରୁକାର୍ଯ୍ୟ ମଧ୍ଯ ଖୋଦିତ ।


ଗ୍ରାମର ପୁରୁଖା ଲୋକଙ୍କ କହିବା କଥା ଯେ, ସେମାନଙ୍କ ବାପ ଜେଜେବାପଙ୍କ ଅମଳରୁ ଗୋଟିଏ ବଡ ଗଛ ମୂଳରେ ଏହି ପ୍ରାଚୀନ ମୂର୍ତ୍ତୀଗୁଡିକୁ ରଖି ପୂଜା କରାଯାଇ ଆସୁଥିଲା । ଏହି ଯୋଗୀ ଯୋଗିଆଣି ବୌଦ୍ଧପୀଠଟି ନୟାଗଡ଼ ଜିଲ୍ଲାର ଏକମାତ୍ର ବୌଦ୍ଧପୀଠ । ତେବେ ଏହି ପୀଠର ନିକଟରେ ଏମିତି କୌଣସି ବୌଦ୍ଧପୀଠ ନଥିବା ବେଳେ, ଘଞ୍ଛ ଜଙ୍ଗଲ ଓ ପାହାଡଘେରା ଏପରି ଏକ ସ୍ଥାନରେ କାହିଁ କେତେ କାଳରୁ କିଏ ଏହି ମୂର୍ତ୍ତୀଗୁଡିକ ସ୍ଥାପନ କରିଥିଲେ ତାହାର କୌଣସି ଐତିହାସିକ ପ୍ରମାଣ ନାହିଁ । ଖଣ୍ଡପଡାରୁ କୋଶକା ଯାଇଥିବା ରାସ୍ତାର ଅଁଳାପଟା ଗ୍ରାମଠାରୁ ବାମକୁ ଦୁଇ କିମି ଦୂରରେ ଘଞ୍ଛ ଜଙ୍ଗଲ ଓ ପାହାଡ ଘେରା ଅଞ୍ଚଳରେ ଏହା ଅବସ୍ଥିତ। ପୀଠକୁ ଲାଗି ସୁନ୍ଦର ଝରଣାଟିଏ ପାହାଡ଼ ଉପରୁ ବହିଆସୁଛି ।

କିମ୍ବଦନ୍ତୀ କହେ ପାଣ୍ଡବ ମାନେ ବନବାସ ସମୟରେ ଏହି ଠାରେ ରହିଥିଲେ ଓ ଭୀମ ଆଣ୍ଠୁମାଡ଼ି ଏହି ଝରଣାରୁ ପାଣି ପିଇଥିଲେ । ତେଣୁ ଏଠାରେ ପଥର ଉପରେ ଭୀମଙ୍କ ଆଣ୍ଠୁଚିହ୍ନ ଏବେ ବି ରହିଛି । କେବଳ ଖରା ତିନି ମାସ ଛାଡିଦେଲେ ବର୍ଷର ଅନ୍ୟ ସମୟରେ ଏହି ଝରଣାରେ ପାଣି ଥାଏ ।

ପ୍ରତିବର୍ଷ ଜାନୁଆରୀ ପହିଲାରେ ଏଠାରେ ବୁଦ୍ଧ ମହୋତ୍ସବ ଅନୁଷ୍ଠିତ ହେଉଛି । ଏହି ସମୟରେ ବହୁ ସଂଖ୍ୟାରେ ବୌଦ୍ଧ ସନ୍ୟାସୀ ଓ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । କିନ୍ତୁ ବଣଭୋଜି କରିବା ପାଇଁ ଏହି ସ୍ଥାନଟି ସର୍ବୋତ୍କୃଷ୍ଟ । ଯଦି କେହି ଖଣ୍ଡପଡ଼ା ଦେଇ କଣ୍ଟିଲୋ ନୀଳମାଧବଙ୍କ ପୀଠକୁ ଯାଉଛନ୍ତି ତେବେ ଖଣ୍ଡପଡ଼ାର ପ୍ରସିଦ୍ଧ ମୁଣ୍ଡିଆ ହନୁମାନ ପୀଠ ଓ ଏହି ଯୋଗୀ ଯୋଗିଆଣି ବୌଦ୍ଧ ପୀଠକୁ ବୁଲିବାକୁ ଯାଇପାରିବେ । ସହରର କୋଳାହଳଠାରୁ ଦୂରରେ ପାହାଡ଼ ଜଙ୍ଗଲ ଓ ଝରଣାର ମଜା ନେବା ସହିତ ବଣଭୋଜି ବି କରିପାରିବେ ।

Leave a Comment

Your email address will not be published. Required fields are marked *

Scroll to Top