ଖଟ୍ବାଙ୍ଗପୁରାଣ

ଉପସ୍ଥାପନା:  ଶିଶିର ସାହୁ ମନୋଜ

ଜଣେ ରାଜା ଥିଲେ । ସେ ଦିନେ ଦେଶଯାକରେ ଘୋଷଣା କରିଦେଲେ ଯେ ‛ମୋ ଦେଶରେ ଯେତେ ପଣ୍ଡିତ ଅଛନ୍ତି ସଭିଏଁ ଗୋଟିଏ ଗୋଟିଏ ପୁରାଣ ବର୍ଷକ ମଧ୍ୟରେ ସଂସ୍କୃତଭାଷାରେ ଲେଖି କି ଦେବେ ଯାହା ରାଜକୋଷରେ ଜମାହେବ । ଯେଉଁମାନେ ପୁରାଣ ରଚନା କରି କି ଦେବେ ସେ ପଣ୍ଡିତ ମାନେ ଆଜୀବନ ରାଜାଙ୍କ ଠାରୁ ଅର୍ଥଲାଭ କରିବେ ଆଉ ଯୋଉମାନେ ଏ ଆଦେଶକୁ ଅମାନ୍ୟ କରିବେ ତାଙ୍କୁ ଶୁଳୀଦଣ୍ଡ ଦିଆଯିବ ।

ସେ ଦେଶରେ ଜଣେ ସଂସ୍କୃତ ଜ୍ଞାନଶୂନ୍ୟ କିନ୍ତୁ ବୁଦ୍ଧିଆ ବ୍ରାହ୍ମଣ ଥାନ୍ତି । ସେ ବହୁତ ଭାବିଲେ । କିନ୍ତୁ ଏ ବିପତ୍ତିରୁ ବର୍ତ୍ତିପାରିଲା ଭଳି କୌଣସି ବାଟ ମିଳୁ ନଥାଏ । ଦିନେ ସେ ପୋଖରୀପାଣି ଯାଇଥାନ୍ତି । କିଛି ଲୋକ ଏକ ମୃତକକୁ ଖଟ ଉପରେ ମଶାଣି ଆଡେ଼ ବୋହି ନେଇଯାଉଥିବା ଦୃଶ୍ୟ ଦେଖି ତାଙ୍କ ମୁଣ୍ଡକୁ ଉପାୟଟିଏ ଜୁଟିଲା । ବ୍ରାହ୍ମଣ ଜଣକ ଘରକୁ ଯାଇ ଖଟର ଖୁରାକୁ ଭାଙ୍ଗି ତାକୁ ଗୁଡା଼ଏ କନା ଏବଂ କନାଧଡ଼ିରେ ଗୁଡ଼ାଇ ଗୁଡ଼ାଇ ଏକ ବିଶାଳ ବସ୍ତୁ କରି ରାଜାଙ୍କ ନିକଟରେ ଭେଟିଲେ ଓ କହିଲେ ଏହି ପୁରାଣର ନାମ ଖଟ୍ବାଙ୍ଗପୁରାଣ ।

ରାଜ ଆଦେଶରେ ସେହି ବିଶାଳକାୟ ବସ୍ତୁ ରାଜକୋଷରେ ରହିଲା । ଖଟ୍ବାଙ୍ଗପୁରାଣ ରଚୟିତା ପଣ୍ଡିତଙ୍କୁ ଶତ ସହସ୍ର ସ୍ବର୍ଣ୍ଣମୁଦ୍ରା ତଥା ବିଶିଷ୍ଟ ରାଜସମ୍ମାନ ପ୍ରଦାନ କରାଗଲା । ସମ୍ମାନ ଗ୍ରହଣ ସମୟରେ ପଣ୍ଡିତେ ବୋଇଲେ ମଣିମା ମୁଣ୍ଡ ରକ୍ଷା ବଚନ ଦେଲେ କିଛି କୁହନ୍ତି । ରାଜା ସ୍ବୀକୃତି ପାଇ ପଣ୍ଡିତେ କହିଲେ ଏ ଖଟ୍ବାଙ୍ଗପୁରାଣ ଆମ୍ଭେ ବ୍ରହ୍ମ ଆଜ୍ଞାରେ ଲେଖିଅଛୁ ! ବ୍ରହ୍ମା ଆମ୍ଭଙ୍କୁ ଚେତାବନୀ ଦେଇଅଛନ୍ତି ଯେ ଯଦି ଏହା ମୋ ଜୀବଦ୍ଦଶାରେ ପାଠ କରାଯାଏ ତେବେ ମୋର ଅକାଳ ମୃତ୍ୟୁ ଘଟିବ ! ତେଣୁ ଦୟାକରି ମୋ ଅନ୍ତେ ଏହି ପୁରାଣକୁ ପଠନ ପାଠନ କରିବେ !

ରାଜା ପଣ୍ଡିତଙ୍କ ଏତାଦୃଶ ବଚନ ଶୁଣି ଆଶ୍ଚର୍ଯ୍ୟ ଚକିତ ମନରେ ଏ କଥାକୁ ଗ୍ରହଣ କରନ୍ତେ ପଣ୍ଡିତେ ମହା ଆନନ୍ଦରେ ସ୍ଵଗୃହକୁ ବାହୁଡି଼ ଗଲେ । କିଛି ବର୍ଷ ପରେ ବ୍ରାହ୍ମଣଙ୍କ ମୃତ୍ୟୁ ହୋଇଗଲା । ରାଜା କୋଷାଧ୍ୟକ୍ଷକୁ ଖବର ଦେଇ କୋଷାଗାରରୁ ସେହି ଖଟ୍ବାଙ୍ଗପୁରାଣ ମଗାଇ ଅଣାଇଲେ । ରାଜ-ଆଦେଶରେ ସେ କନାଗୁଡି଼ଆ ପୁରାଣରୁ ଆବରଣ ସ୍ତରମାନ ଖୋଲା ହୋଇ ଦେଖାଗଲା ଯେ ତାହା ମଧ୍ୟରେ କେବଳ ମାତ୍ର ଏକ ଖଟଖୁରା ବିଦ୍ୟମାନ । ରାଜା ରାଗି ଖଣ୍ଡାରେ ସେ ଖଟ ଖୁରାକୁ କାଟି ଟିକ୍ ଟିକ୍ କରିପକେଇଲେ ! ଆଉ ବା କଣ୍ କରି ପାରନ୍ତେ ଯେ !

(ସେଇ ଦିନ ଠାରୁ ଯଦି କେହି କୌଣସି ଅଘଟନ ଅଶ୍ରୁତପୂର୍ବ କଥା କହି ବସେ ଲୋକେ କହିଲେ ଏଟା ଖଟ୍ବାଙ୍ଗପୁରାଣ କହୁଛି ।) 

Leave a Comment

Your email address will not be published. Required fields are marked *

Scroll to Top