ଲେଖା: ଶୁଭରଞ୍ଜନ ପୃଷ୍ଟି
~ କେଦାରେଶ୍ୱର ମନ୍ଦିର ~
ଆମ #ମାଦଳାପାଞ୍ଜି କହେ, ଶାସନର ପ୍ରାରମ୍ଭ କାଳରେ ରାଜା #ଅନଙ୍ଗଭୀମ ଦେବ ଚୌଦ୍ୱାର କଟକ ଠାରେ ଥିବା ପ୍ରସାଦ କିମ୍ବା ନହରରେ ଅବସ୍ଥାନ କରୁଥିଲେ । ତେବେ ପରବର୍ତ୍ତୀ ସମୟରେ ସୁରକ୍ଷା ଦୃଷ୍ଟିରୁ #ବାରଣାସୀ_କଟକ ରେ ନୂତନ ରାଜଧାନୀ ସ୍ଥାପନ କରିଥିଲେ । ମାଦଳାପାଞ୍ଜି ବ୍ୟତିରକେ ତାମ୍ରଫଳକରେ ନାଗରୀ ଭାଷାରେ ଲିଖିତ ତଥ୍ୟାବଳୀ ଏ କଥାକୁ ତୁଷ୍ଟି କରେ ।
ତେବେ ଏଇ ଚୌଦ୍ୱାରର ସୃଷ୍ଟି କେବେ ?
ପ୍ରତିଷ୍ଠାତା କିଏ ?
ମାଦଳାପାଞ୍ଜିରେ ଅନଙ୍ଗଭୀମ ଦେବଙ୍କର ବୃତ୍ତାନ୍ତରେ ଅଭିନବ #ଯଯାତିନଗର ନାମରେ ଏକ ରାଜଧାନୀ କଥା ଉଲ୍ଲେଖ ଅଛି । ଚୌଦ୍ୱାର କଣ ସେଇ #ଅଭିନବ_ଯଯାତିନଗର ?
ନା ଅଭିନବ ଯଯାତିନଗର ଆଜିର ଯାଜପୁର ?
କିମ୍ବା #ସୁବର୍ଣ୍ଣପୁର ?
ଅଥବା #ବୀନିତପୁର (ଆଧୁନିକ ବିନିକା) ହିଁ ସେଇ ଅଭିନବ ଯଯାତିନଗର ?
ମାଦଳାପାଞ୍ଜିର କଥା କେତେଦୂର ଗ୍ରହଣଯୋଗ୍ୟ ?
ମାଦଳାପାଞ୍ଜି ଆଧାରରେ #ରାଧାନାଥ ଙ୍କ ପ୍ରସିଦ୍ଧ #ନନ୍ଦିକେଶ୍ବରୀ ର ବର୍ଣ୍ଣନା ସତ୍ୟାଶ୍ରିତ କି ?
ଅସୁମାରୀ ପ୍ରଶ୍ନବାଚୀ ଏଇ ଚୌଦ୍ୱାରକୁ ନେଇ ! ଅହେତୁକ କୁହେଳିକାର ନାୟିକା ଏଇ #ଚୌଦ୍ୱାର ! ତେବେ #କବିବର ଙ୍କ ସେହି “ବହୁଦ୍ଵାର ଶୋଭିପୁର ଚଉଦ୍ୱାର” ଏବଂ “ଉତ୍ତର କୋଶଳାର ମୌଳି ଅଳଙ୍କାର” ସମ ଏଇ ପ୍ରାଚୀନ ନଗରୀ ଚୌଦ୍ୱାର ଯେ ସଗର୍ବେ ଆଦିକବିଙ୍କ #ଓଡ଼ିଆ_ମହାଭାରତ ସ୍ଵର୍ଗାରୋହଣ ପର୍ବର ପୃଷ୍ଠା ମଣ୍ଡନ କରେ !
“xxx xxx xxx xxx
ସୁହାଣୀ କନ୍ୟାକୁ ବିଭା ହେଲେ ଧର୍ମସୁତ,
ରହିଲେ ଯେ ପଞ୍ଚସ୍ତରୀ ବର୍ଷ ପରିଯନ୍ତ ।।
xxx xxx xxx xxx
ପଞ୍ଚକଟକ ମଧ୍ୟେ ଏକ ଅଧିକାରୀ,
xxx xxx xxx xxx . . “
ସାରଳାଙ୍କ ସେଇ #ପଞ୍ଚକଟକ ପ୍ରତି ପ୍ରଶଂସାରେ ଶତମୁଖ ହୁଅନ୍ତି ଆମ ମାଟିର ପ୍ରଥମ ଐତିହାସିକ #ପ୍ୟାରୀମୋହନ_ଆଚାର୍ଯ୍ୟ, ତାଙ୍କ #ଓଡିଶା_ଇତିହାସ ରେ ! “କଟକର ଅନତି ଦୂରବର୍ତ୍ତୀ ଡାଲିଯୋଡ଼ା ଅନ୍ତର୍ଗତ #ଆଗ୍ରାହାଟ ଗ୍ରାମରେ #ଜନ୍ମେଞ୍ଜୟ ରାଜା ଏକ ଯଜ୍ଞ କରି ନିକଟରେ ଚୌଦ୍ୱାର ନଗର ସ୍ଥାପନା କରିଥିଲେ । ସାଧାରଣ ଲେକଙ୍କ ଦ୍ୱାରା ଏହି ଯଜ୍ଞକାରୀ ରାଜା ଜନ୍ମେଞ୍ଜୟ ଯୁଧିଷ୍ଠିରଙ୍କ ପ୍ରପୌତ୍ର ପରୀକ୍ଷିତଙ୍କ ପୁତ୍ର ବୋଲି ନିର୍ଦ୍ଦିଷ୍ଟ ହୋଇଅଛନ୍ତି ! ମାତ୍ର ଆମ୍ଭେମାନେ ଅନୁମାନ କରୁ, ପ୍ରବାଦଘଟିତ ଜନ୍ମେଞ୍ଜୟ ତମ୍ବାପଟା ବର୍ଣ୍ଣିତ ଜନ୍ମେଞ୍ଜୟ ମଧ୍ୟ ! ଉକ୍ତ ତମ୍ବାପଟା ଲିଖିତ ଜନ୍ମେଞ୍ଜୟଙ୍କର ମହାନଦୀ ତୀରବର୍ତ୍ତୀ ରାଜଧାନୀର ସେ ରୂପବର୍ଣ୍ଣନା ଏକ ତମ୍ବାପଟାରେ ଦୃଷ୍ଟହୁଏ, ସେଥିରେ ସେ ରାଜଧାନୀ ବର୍ତ୍ତମାନ ଚୌଦ୍ୱାରସ୍ଥ #କପାଳେଶ୍ବର_ଦୁର୍ଗ ର ଭଗ୍ନାବଶେଷ ଉପଲବ୍ଧ ସ୍ଥାନରେ ଥିବାର ଅନାୟାସରେ ଅନୁମିତ ହୁଅଇ” । (୧୯୨୫ରୁ ୨ୟ ସଂସ୍କରଣ, ପୃଷ୍ଠା ୪୭)
୪ଟି ଦ୍ୱାର ବିଶିଷ୍ଟ ଏକ ବିଶାଳ ଦୁର୍ଗସ୍ଥାପନା ପରେ ଲୋକ ମୁଖରେ ଏହା #ଚଉଦ୍ୱାର ଅବା ଚୌଦ୍ୱାର ଭାବେ ନାମିତ ହୋଇଥିବା କଥାଟି ବହୁଳ ଭାବେ ଗୃହୀତ ! ତେବେ ଆଜି ଏ ସହରରେ ଶୋଭାପାଏ ଛୋଟବଡ କେତେ କେତେ ଐତିହାସିକ ସ୍ଥଳୀ ! ସହରର ମାଟିକଣିକାରେ ମିଳେ ବିଗତ ଅତୀତର ମହକ ! ଗୌରବ ଓ ଗାରିମାର ଗାଥା ! ଇତିହାସ ! ଲୋକକଥା !
ସେଇ ଗୌରବର ମହନୀୟତାରେ ମଜ୍ଜିଯିବା ପାଇଁ ଆମେ ବାଛିଥିଲୁ ଐତିହାସିକ #ବୁଢ଼ାଲିଙ୍ଗ ଦେଉଳକୁ ! ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରାର ପରବର୍ତ୍ତୀ ପର୍ବ ଭାବରେ ! ଗତ ରବିବାରର ରୌଦ୍ରକ୍ଳିଷ୍ଟ ସକାଳରେ ଏକାଧିକ ଏତିହ୍ୟପ୍ରେମୀ ବନ୍ଧୁଙ୍କ ଗହଣରେ ଆମେ କେଇଜଣ ପହଞ୍ଚିଥିଲୁ ଏପରି ଏକ ଧାର୍ମିକ ତଥା ଆଧ୍ୟାତ୍ମିକ ପୀଠରେ ।
ଚୌଦ୍ୱାର ନଗରୀର ଅନତିଦୂର ଆଗ୍ରାହାଟ ପଞ୍ଚାୟତ ଅନ୍ତର୍ଗତ କେଦାରେଶ୍ୱର ମନ୍ଦିର I ଏକାଦଶ (ପ୍ରକାରାନ୍ତରେ ଦ୍ୱାଦଶ) ଶତାବ୍ଦୀରୁ ଆଧ୍ୟାତ୍ମିକତାର ବାସ ଚହଟାଇବା ସହ ଗଙ୍ଗବଂଶୀ ଉତ୍କଳୀୟ ରାଜାଙ୍କ ଗାରିମାଧ୍ବଜା ଉଡାଇ ଚାଲିଥିବା ସତ୍ତ୍ୱେ ଏଇ ମହାନ ପୀଠ ଆଜି ଅନେକାଂଶରେ ଭଗ୍ନ, ରୁଗ୍ଣ ଓ ଅପାଙ୍କ୍ତେୟ ! ଐତିହାସିକ ଅବା ଗବେଷକମାନଙ୍କ ସଦୟ ଦୃଷ୍ଟିରୁ ବଞ୍ଚିତ !
ଗ୍ରାମର ଘନ ଜନବସତି ଭିତରେ ଅଧ ଏକର ଜମି ପରିମିତ ଅଞ୍ଚଳରେ ସୁଉଚ୍ଚ ପାଚେରୀବେଷ୍ଟିତ ସୁନ୍ଦର ଶାନ୍ତ ପରିବେଶରେ ଅବସ୍ଥିତ ଏଇ କେଦାରେଶ୍ୱର ମନ୍ଦିର ! ଚୌଦ୍ୱାର ସହର ଆଖପାଖରେ ଥିବା ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରମାନଙ୍କ ମଧ୍ୟରେ ଅନ୍ୟତମ ଏହି ପୂର୍ବମୁଖ ଶିବ ମନ୍ଦିରଟି ଅନ୍ୟାନ୍ୟ ମନ୍ଦିର ପରି ବାଲୁକାପଥରରେ ନିର୍ମିତ ନ ହୋଇ ମାଙ୍କଡ଼ା ପଥରରେ ନିର୍ମିତ l ପଞ୍ଚରଥ ଶୈଳୀର ଏଇ ଭଗ୍ନ ମନ୍ଦିର ଏବଂ ଜଗମୋହନର ଉପରି ଅଂଶ ନ ଥିବା କାରଣରୁ ଏହା ରେଖ କି ପୀଢ଼ଶୈଳୀର ସ୍ପଷ୍ଟ ଜଣା ପଡ଼େନାହିଁ ! ବିଶେଷ କାରୁକାର୍ଯ୍ୟ ନ ଥିଲେ ମଧ୍ୟ ଏଇ ସୁନ୍ଦର ଦେଉଳର ପାର୍ଶ୍ଵଦେବତା ଭାବେ ମାତା ପାର୍ବତୀ, ଗଣେଶ ଓ କାର୍ତ୍ତିକେୟ ବିରାଜମାନ ହୋଇଥିବାବେଳେ ଗର୍ଭଗୃହରେ କଳାମୁଗୁନି ପଥରରେ ନିର୍ମିତ ଶିବଲିଙ୍ଗ ଏକ ବୃତ୍ତାକାର ଯୋନିପୀଠରେ ପ୍ରତିଷ୍ଠିତ l ଆଧୁନିକ ସମୟରେ କିଛି ଭଗ୍ନ କଳାକୃତିକୁ ନୂତନ ରୂପ ଦେବାର ଚେଷ୍ଟା କରାଯାଇଛି ଅବଶ୍ୟ ! ନିକଟ ଅତୀତରେ ଜଗମୋହନ ଉପରେ ଆଧୁନିକ ଛାତର ବ୍ୟବସ୍ଥା କରାଯାଇଛି !
କେଦାରେଶ୍ୱର ମନ୍ଦିର ପରିସରରେ ରହିଛି ବିଶାଳ ନାଟମଣ୍ଡପ ! ଅନ୍ୟ ଏକ କ୍ଷୁଦ୍ର ଦେଉଳ ମଧ୍ୟ ଦୃଶ୍ୟମାନ ! ଉକ୍ତ ମନ୍ଦିରର ଅଁଳାବେଢା, ଦଧିନଉତି ସମେତ ମୁଖ୍ୟ ମନ୍ଦିରର ଭଗ୍ନାଂଶ, ଭଗ୍ନମୂର୍ତ୍ତି ଆଦି ପରିସରରେ ଦୃଶ୍ୟମାନ ! ଏଠାରେ ଉଲ୍ଲେଖନୀୟ ଯେ, ଦେଉଳର ପ୍ରବେଶ ପଥରେ ଦୃଶ୍ୟମାନ ବିଶାଳ ସିଂହ ମୂର୍ତ୍ତିଦ୍ଵୟକୁ ଦେଖିଲେ କେଦାରେଶ୍ୱର ଦେଉଳର ଭବ୍ୟତା ଓ ବିଶାଳତା ଅନୁମାନ କରିହୁଏ ! ନାଟମଣ୍ଡପ ବ୍ୟତୀତ ଅନ୍ୟ ଏକେ ବିଶାଳ ମଣ୍ଡପ ମଧ୍ୟ ଦେଉଳ ପରିସରରେ ଦୃଶ୍ୟ ହୁଏ ! ସିଂହଦ୍ୱାରକୁ ଲାଗି ରହିଛି ଦେଉଳର ବାମ୍ଫି ! ଅପାଙ୍କ୍ତେୟ ! ପରିତ୍ୟକ୍ତ ! ମନ୍ଦିରର ଅପର ଦିଗରେ ରହିଛି ଏକ ବିଶାଳ ଜଳାଶୟ !
କୁହାଯାଏ ଏହି ଅଞ୍ଚଳଟି #ବିରାଟ ରାଜାଙ୍କ ରାଜଧାନୀ ଥିଲା ଏବଂ ସେ ତାଙ୍କ ରାଜଧାନୀର ଚତୁଃପାର୍ଶ୍ୱରେ ଆଠଗୋଟି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ଏବଂ ତନ୍ମଧ୍ୟରୁ କେଦାରେଶ୍ୱର ମହାଦେବ ହେଉଛନ୍ତି ସର୍ବପ୍ରାଚୀନ ! ବରିଷ୍ଠ ହୋଇ ଥିବା କାରଣରୁ ଶ୍ରଦ୍ଧା ଓ ଭକ୍ତିରେ ଭକ୍ତ ଦିଅଁଙ୍କୁ କହନ୍ତି #ବୁଢ଼ାଲିଙ୍ଗ ବୋଲି ! ବର୍ଷର ଅଧିକାଂଶ ସମୟ ଜଳମଗ୍ନ ହୋଇ ରହୁଥିବା କାରଣରୁ କେହି କେହି #ବୁଡ଼ାଲିଙ୍ଗ ମଧ୍ୟ କହିଥାନ୍ତି !
ଏ କେଦାରେଶ୍ୱର ମନ୍ଦିର କଳାପାହାଡ଼ ଦ୍ୱାରା ଧ୍ୱସ୍ତବିଧ୍ୱସ୍ତ ହେବା ଅନୁମେୟ ! ମାତ୍ର ଆଧୁନିକ କଳାପାହାଡ଼ ମାନଙ୍କ ଅତ୍ୟାଚାର କିଛି କମ୍ ନୁହେଁ ! ଏଇ ଦେଉଳଟି ଉପରେ ! ଦୁଃଖ ଓ ପରିତାପର କଥା ଗ୍ରାମବାସୀଙ୍କ ଜନଜୀବନରେ କେଦାରେଶ୍ୱର ଦିଅଁଙ୍କ ମହିମା ପ୍ରଭାବଶାଳୀ ପ୍ରତୀୟ ହେଉଥିଲେ ମଧ୍ୟ ମନ୍ଦିର ପ୍ରତି ବିଶେଷ ଧ୍ୟାନ ଦେବାକୁ ସତେ ଅବା କେହି ନାହାଁନ୍ତି ! ଉପଯୁକ୍ତ ପ୍ରଚାର ପ୍ରସାର ତଥା ଆନୁସଙ୍ଗିକ ସୁବିଧା ସୁଯୋଗର ଆବଶ୍ୟକତା ପୂରଣ ହୋଇ ପାରିଲେ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଆନ୍ତା ଓ ହଜାର ବର୍ଷର ଏହି ପ୍ରାଚୀନକୀର୍ତ୍ତିକୁ ତାର ହୃତଗୌରବ ଯେ ମିଳିପାରନ୍ତା ଏଥିରେ ଦ୍ବିମତ ନାହିଁ l