କୁଆ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
~ କୁଆ ଓ ତତ୍ ସମ୍ବନ୍ଧୀୟ ଅନ୍ୟ ଓଡ଼ିଆ ଶବ୍ଦ ~
କାକ ଵା କାଉର ଆଉ ଏକ ଓଡ଼ିଆ ପ୍ରତିଶବ୍ଦ କୁଆ । ପୁଣି ଲକ୍ଷଣାର୍ଥ କୁଆ ପରି ଗୋଳମାଳ ଗଣ୍ଡଗୋଳ ହୋହଲ୍ଲା କରିଵା ଵ୍ୟକ୍ତିକୁ ମଧ୍ୟ କୁଆ କୁହାଯାଏ । ଯେଉଁମାନେ ଅଇଁଠା ଓ ଅମେଧ୍ଯ ଖାଆନ୍ତି ସେମାନଙ୍କୁ ମଧ୍ୟ ଲକ୍ଷଣାର୍ଥ କୁଆ କହିଥାନ୍ତି । ତେଲକୁମ୍ପା, ଚର୍ମନିର୍ମିତ ତୈଳପାତ୍ର ଵା ଚମପିମ୍ପାକୁ ଆମ ଭାଷାରେ କୁଆ କୁହାଯାଏ ଏଵଂ ଏହା ତତ୍ସମ କୂପ ଵା କୂପକ ସହିତ ସମୋଦ୍ଧୃତ ।
କୁଆ ସହିତ ସମ୍ବନ୍ଧିତ କିଛି ଓଡ଼ିଆ ଶବ୍ଦ ମଧ୍ୟ ରହିଛି । ଦକ୍ଷିଣ ଓଡ଼ିଶାରେ କୁଆଆଖି ଶବ୍ଦ ଚଳୁଅଛି ଏଵଂ ନିର୍ମଳର ପ୍ରତୀକ ଭାବେ ତଥା ସ୍ବଚ୍ଛ ଅର୍ଥରେ ଏହା ଵ୍ୟଵହୃତ ହୋଇଥାଏ । ହିନସ୍ତା ହେଵା ଵା ହଟହଟା ହେଵାକୁ କୁଆକୁଟା କୁହାଯାଏ ।
ଏକ ଜାତୀୟ ଗଛକୁ କୁଆକେନ୍ଦା (Curculigo) କୁହାଯାଏ । ଏ ଗଛ ବଡ଼ ଉଚ୍ଚ ହୁଏ ନାହିଁ। ଏହାର ଫୁଲ ହଳଦିଆ। କୁଆକେନ୍ଦୁ ନାମରେ ଆଉ ଏକ ଗଛ ମଧ୍ୟ ରହିଛି । କୁଆକେନ୍ଦୁ ଗଛର ତତ୍ସମ ନାମ କାକେନ୍ଦୁ, କାକପୀଳୁକ ଓ କାକତିନ୍ଦୁକ ଆଦି ମଧ୍ୟ ଅଛି । ଏହା ତମାଳ ବର୍ଣ୍ଣର ଧୁସରାକେନ୍ଦୁ ଏଵଂ ଏହାକୁ ମାକଡ଼ କେନ୍ଦୁ ମଧ୍ୟ କୁହାଯାଏ । କୁଆକେନ୍ଦୁ ଗଛର ଵୈଜ୍ଞାନିକ ନାମ Diospyros Tomentosa ଏଵଂ ଏହା କେନ୍ଦୁଜାତୀୟ ଗଛ। ଏହାର ମଞ୍ଜ ଗାଢ଼ କୃଷ୍ଣଵର୍ଣ୍ଣ ଓ ଏହା ନୀଵିଡ଼ପତ୍ର ଓ ଚିରଶ୍ୟାମଳ ଵୃକ୍ଷ। ଗ୍ରୀଷ୍ମ କାଳରେ ଏହାର ଫଳ ପାଚେ ଓ ମିଠା ଲାଗେ। କଞ୍ଚା ଫଳର ଅଠା ଚୁନ ମସଲାଆଦିରେ ଦିଆଯାଏ। କଞ୍ଚାଫଳର ସିଝାପାଣି ଜାଲରେ କଷ ଦିଆଯାଏ । ଵୈଦିକ ମତରେ ଏହା କଷାୟ- ମଧୁର, ଶ୍ଲେଷ୍ମବର୍ଦ୍ଧକ, ବାତପିତ୍ତଜ ଵ୍ୟାଧିନାଶକ, ଵମନ ନିଵାରକ ଓ ଶ୍ରାନ୍ତିହରକ ।
ବରଗଛ ଜାତୀୟ ଵୃହତ୍ ବୃକ୍ଷ ପ୍ଳକ୍ଷ ଵା ଜଟୀ ପାଦପକୁ ଆମ ଭାଷାରେ କୁଆଜରୀ କୁହାଯାଏ । ଏହାର ଵୈଜ୍ଞାନିକ ନାମ Ficus Infectoria (Haines) ଓ ସାଧାରଣ ଇଂରାଜୀ ନାମ Wavedleaf fig tree । ଏ ଗଛରୁ ବରଗଛ ପରି ଓହୋଳ ପଡ଼େ ଏଵଂ ଏହା ଅଶ୍ବତ୍ଥ ଗଛଠାରୁ ଛୋଟ ତଥା ଏହାର ଶାଖା କୋମଳ ଓ କ୍ଷୁଦ୍ର ଲୋମଯୁକ୍ତ ‌ । କୁଆଜରୀ ଗଛର ପତ୍ରରେ ଅଶ୍ବତ୍ଥ ପତ୍ର ପରି ଲାଞ୍ଜ ନଥାଏ । ଏହାର ଫଳ ମଟର ପରି ଛୋଟ ଓ ପାଚିଲେ ଧଳା ହୁଏ। ଵୈଦ୍ଯଶାସ୍ତ୍ର ଅନୁସାରେ ଏହା କଷାୟରସ, ଶୀତଵୀର୍ଯ୍ୟ ଏଵଂ ବ୍ରଣ, ଯୋନିରୋଗ, ଦାନ, ପିତ୍ତ, କଫ, ରକ୍ତଦୋଷ, ଶୋଥ ଓ ରକ୍ତପିତ୍ତନାଶକ। ଏହାର ଫଳକୁ କୁଆମାନେ ଖାଆନ୍ତି ବୋଲି ଏ ଗଛର ଏଭଳି ନାମକରଣ ହୋଇଥିଲା।
କୁଆ ଗାଧୋଇବା ପରି ସାମାନ୍ଯ ସ୍ନାନ କରିଵାକୁ କାକସ୍ନାନ କୁହାଯାଏ ।‌ ସେହିପରି ଅନ୍ୟ ଏକ ଶବ୍ଦ ରହିଛି କୁଆଗାଧୁଆ । ବାରମ୍ବାର ଭୀଷଣ ଆଘାତରେ ଵ୍ୟତିଵ୍ୟସ୍ତ ହେଵାକୁ କୁଆଛୁଆ କୁହାଯାଏ । ଏହି କୁଆଛୁଆ ଶବ୍ଦକୁ ନେଇ କୁଆଛୁଆ ଉଡ଼ାଇ ଦେଵା, କୁଆଛୁଆ ଉ଼ଡ଼ିଯିଵା ଓ କୁଆଛୁଆ କରିଵା ଭଳି ଓଡ଼ିଆ କ୍ରିୟା ମଧ୍ୟ ସୃଷ୍ଟି ହୋଇଅଛି । ବିଶେଷ ପରିମାଣରେ ବେକ୍ରାଦି ଦ୍ବାରା ଆଘାତ କରିଵାକୁ କୁଆଛୁଆ ଉଡ଼ାଇ ଦେଵା ଓ କୁଆଛୁଆ କରିଵା ତଥା ଭୀଷଣ ପ୍ରହାରକୁ କୁଆଛୁଆ ଉ଼ଡ଼ିଯିଵା କୁହାଯାଏ ।
ଦକ୍ଷିଣ ଓଡ଼ିଶାରେ ଅଯଥା କହିଵା, ବକବକ ହେଵା ଓ ବାରମ୍ବାର କହିଵା ଲୋକକୁ କୁଆତୁଣ୍ଡ କୁହାଯାଏ । ସେହିପରି ଏ ଅଞ୍ଚଳରେ ହୀନବୁଦ୍ଧି ତଥା ନିଜକୁ ଅତି ଚାଲାକ୍ ଭାବିଵା ଅର୍ଥରେ କୁଆବୁଦ୍ଧି ଶବ୍ଦର ମଧ୍ୟ ପ୍ରୟୋଗ ପ୍ରଚଳିତ । 
ହଟହଟା, ଵ୍ୟତିଵ୍ୟସ୍ତ, ଆଶ୍ରୟହୀନ, ଦୁଃଖଜର୍ଜରିତ, ଅତି ଦୁଃଖିତ ଓ ଅସ୍ଥିର ଅର୍ଥରେ ଆମ ଭାଷାରେ କୁଆବୁଆ ଶବ୍ଦ ମଧ୍ୟ ଚଳୁଅଛି । ଦୁଧିଆ ବୋଡା଼କୁ ହିନ୍ଦୋଳ ଓ ଏହାର ଆଖପାଖ ଅଞ୍ଚଳରେ କୁଆସାପ କୁହାଯାଏ ।
ଶ୍ରୀମନ୍ଦିର କୋଠଭୋଗ ତ୍ରିଛେକ ଆଗରେ ଯେଉଁ ରୋଷପାଇକ କୁଆମାନଙ୍କୁ ଅଡା଼ନ୍ତି ଵା ତଡ଼ନ୍ତି ତାଙ୍କୁ କୁଆଅଡା଼ ଵା କୁଆଅଡା଼ ସେଵକ କୁହାଯାଏ ।‌
ସେହିପରି କୁଆକୁ ନେଇ ଓଡ଼ିଆ ଭାଷାରେ ପ୍ରଚଳିତ ଶବ୍ଦ କୁଆ ଚିକ୍କଣ ମଧ୍ୟ ରହିଛି । କୁଆ ଚିକ୍କଣ ଏକ ନିଆରା ଓ ଲୁପ୍ତ ହେଵାକୁ ବସିଥିଵା ପରମ୍ପରା । କାର୍ତ୍ତିକ ଅମାଵାସ୍ୟା ପରଦିନ ମା’ମାନେ ନିଜର ପିଲାଛୁଆଙ୍କୁ ସଅଳ ଉଠାଇ ମୁଣ୍ଡ ଓ ଦିହରେ ତେଲ ଲଗାଇ ପରିଷ୍କାର କରି ଗାଧୋଇ ଦେଇଥାନ୍ତି । ନୂଆ ଵସ୍ତ୍ର ପିନ୍ଧାଇ ସୁନ୍ଦର ଓ ଚିକ୍କଣ କରି ସଜାଇ ଦିଅନ୍ତି । ଏହି କାର୍ଯ୍ୟଟି କାଉ କା’ କା’ କରିଵା ପୂର୍ଵରୁ ସମ୍ପାଦିତ ହୋଇଥାଏ ବୋଲି କାର୍ତ୍ତିକ ଅମାଵାସ୍ୟା ପରଦିନକୁ ଓ ଏହି ପରମ୍ପରାକୁ କୁଆ ଚିକ୍କଣ କୁହାଯାଏ । କାର୍ତ୍ତିକ ମାସରେ ଶୀତ ବଢ଼େ ଓ ମନୁଷ୍ୟର ଶରୀରରୁ ତୈଳ ଅଂଶ କମିଯାଏ କିନ୍ତୁ କାଉ ଦେହ ଚିକ୍କଣିଆ ଦେଖାଯାଏ । ସେଥିପାଇଁ ଶୀତ ଦିନେ ଟିକେ ଚିକ୍କଣିଆ ପଦାର୍ଥ ଦେହରେ ମାଲିସ କରାଯାଇଥାଏ । କାଳ ଆଗରେ ପରାଜିତ ହୋଇ ଆଜି ଏ ପରମ୍ପରା କେତେକ ଅଞ୍ଚଳରେ ମାତ୍ର ସୀମିତ ହୋଇ ରହିଯାଇଛି ।
(ତଥ୍ୟ: ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, କଥିତ ଓଡ଼ିଆ ଶବ୍ଦକୋଷ, ପୁରୀ ବୋଲୀ, ଅନ୍ତର୍ଜାଲ)

Leave a Comment

Your email address will not be published. Required fields are marked *

Scroll to Top