କାଇପଡା କଳାମାଟିଆ ଗୁଳିକାଣ୍ଡ 

 ଉପସ୍ଥାପନା: ନିରଞ୍ଜନ ସାହୁ

ଇଂରେଜ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ନଛୋଡବନ୍ଧା ନୀତିକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀ ୧୯୪୨ ମସିହା ଅଗଷ୍ଟ ମାସ ୮ ତାରିଖରେ ‘କର ବା ମର’ ସ୍ଲୋଗାନ ଦେଇ ସ୍ଵାଧୀନତା ସଂଗ୍ରାମ ଚାଲୁ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ସାରା ଦେଶରେ ଏ କଥା ବିଦ୍ୟୁତ ବେଗରେ ବ୍ଯାପିଗଲା ଓ ପ୍ରବଳ ଉତ୍ତେଜନା ସୃଷ୍ଟି ହେଲା। ତା’ର ଯୋରଦାର ପ୍ରଭାବ ଓଡ଼ିଶାରେ ଅନୁଭୂତ ହେବା ବେଳେ କଟକ ଜିଲ୍ଲାର (ଅଧୁନା ଯାଜପୁର) ବରୀ ଅଞ୍ଚଳରେ ଅହେତୁକ ଭାବପ୍ରବଣତା ଦେଖିବାକୁ ମିଳିଲା। ଅହିଂସାମାର୍ଗରେ ଏହି ଆନ୍ଦୋଳନ ଚାଲୁ ରଖି ଦେଶର ସ୍ଵାଧୀନତା ପାଇଁ ବରୀବାସୀ ସ୍ଵତଃପ୍ରବୃତ୍ତ ଭାବେ ଅଙ୍ଗୀକାରବଦ୍ଧ ହେଲେ।

ସେତେବେଳେ ଚିର ବନ୍ୟାପ୍ରଭାବିତ ବରୀ ଅଞ୍ଚଳରେ ଗମନାଗମନ ସୁବିଧା ନଥିଲା। ବନ୍ୟାଜଳରେ ସାରା ବରୀ ଅଞ୍ଚଳ ଭରପୁର ହୋଇ ରହିଥାଏ। ଘରୁ ବାହାରିଲେ କେବଳ ଜଳ ଛଡ଼ା ଆଉ କିଛି ଦେଖିବାକୁ ମିଳେନାହିଁ। ଡଙ୍ଗା ସାହାଯ୍ୟରେ ବାହାରକୁ ଯିବା ବ୍ୟତୀତ ଆଉ କିଛି ଗମନାଗମନର ସୁବିଧା ନଥିଲା ସେବେ। ସେହିପରି ଏକ ସ୍ଥାନରେ ଦେଶପ୍ରାଣ ଗୋପବନ୍ଧୁ ଚୌଧୁରୀ ସ୍ଥାପନ କରିଥିଲେ ଏକ ଆଶ୍ରମ, ଯାହା ‘ସେବାଘର’ ନାମରେ ସାରା ଦେଶରେ ଆଦର୍ଶ ହୋଇଉଠିଥିଲା। ସେଠାରେ ଗୋପବନ୍ଧୁ ଚୌଧୁରୀଙ୍କ ସହ ମା’ ରମାଦେବୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ମନମୋହନ ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରଣା ଓ ଶରତ ମହାରଣାଙ୍କ ନେତୃତ୍ୱରେ ସ୍ଵରାଜ୍ୟର ବାର୍ତ୍ତା ପ୍ରଚାରିତ ହେଉଥିଲା।

ଗାନ୍ଧୀଙ୍କ ଆହ୍ବାନକ୍ରମେ ବହୁ ସାଧାରଣ ନାଗରିକ ଏହି ସ୍ଵାଧୀନତା ଯଜ୍ଞରେ ଝାସ ଦେଇଥିଲେ। ସେମାନଙ୍କୁ ରଚନାତ୍ମକ କାର୍ଯ୍ୟକ୍ରମରେ ତାଲିମ ଦେବା କାମ ବିଶେଷ ଭାବରେ ଥିଲା ଏହି ସେବାଘର ବା ସେବାଶ୍ରମର। ତେଣୁ ନିକଟସ୍ଥ କାଇପଡା, ରାମଚନ୍ଦ୍ରପୁର, ଅଣକିଆଅନ୍ୟାସପୁର ଠାରେ ଗୋଟିଏ ଲେଖାଏଁ ଶାଖା ପ୍ରତିଷ୍ଠା କରାଯାଇଥିଲା। ସରକାରୀ ଅଫିସ, ପୋଷ୍ଟ ଅଫିସ, ଥାନା ଓ ବ୍ରିଟିଶ ଶାସନର ଅନ୍ୟାନ୍ୟ ଅଫିସ ମାନଙ୍କୁ ଅଚଳ କରେଇବା ଥିଲା ଏହି ଶାଖାମାନଙ୍କରେ ତାଲିମ ନେଉଥିବା ବାନରସେନାଙ୍କ ଆଭିମୁଖ୍ୟ। କୃଷ୍ଣନଗର ନାମକ ଏକ ଗାଁ, ଯେଉଁଠାରେ ବାନରସେନାଙ୍କ ସଂଖ୍ୟା ଥିଲା ସବୁଠୁ ଅଧିକ।

ଇତିମଧ୍ୟରେ ଭାରତଛାଡ ଆନ୍ଦୋଳନ ଆହୁରି ତୀବ୍ରତର ହେଉଥାଏ। ବିଂଝାରପୁର ଥାନା ଅଧୀନରେ ଥିବା ଗାଁ ଗୁଡ଼ିକରେ ପୋଲିସ ଦମନ ମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥାଏ। ଏହା ପ୍ରବଳ ବିରୋଧ ହେଉଥାଏ ଲୋକ ମାନଙ୍କ ଦ୍ଵାରା। ଅଗଷ୍ଟ ମାସ ସତର ତାରିଖ ଦିନ ଅପରାହ୍ନରେ କେତେକ ବାନରସେନା କର୍ମୀ ଯାଇ ପୋଷ୍ଟ ଅଫିସରେ ରେକର୍ଡ ଓ ପୋଷ୍ଟ କାର୍ଡରେ ଅଗ୍ନି ସଂଯୋଗ କଲେ ଓ ନିକଟରେ ଥିବା ସ୍ଵାସ୍ଥ୍ୟ କେନ୍ଦ୍ରରେ ପଶି ବସନ୍ତଟିକାଦାନର କାଗଜପତ୍ର ପୋଡ଼ି ଦେଲେ। ଏହି କାର୍ଯ୍ୟକଳାପକୁ ସଙ୍ଗେ ସଙ୍ଗେ ବିଂଝାରପୁର ଥାନା ଅଧିକାରୀ ଯାଜପୁର ଠାରେ ଅବସ୍ଥାପିତ ପ୍ରଶାସନିକ ମୁଖ୍ୟ SDO ଓ ପୋଲିସ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଗଷ୍ଟ ଅଠର ତାରିଖରେ ସଶସ୍ତ୍ର ପୋଲିସ ବାହିନୀ ଆସି ପହଞ୍ଚିଲେ। ଏପାଖରେ ଯାଜପୁର ସବଡିଭିଜନାଲ୍ ମାଜିଷ୍ଟ୍ରେଟ ଏପରି କାଣ୍ଡ ପାଇଁ ସତ୍ୟାଗ୍ରହୀମାନଙ୍କୁ ପାଞ୍ଚହଜାର ଲେଖାଏଁ ଜୋରିମାନା ଆଦେଶ ଦେଲେ, ସରକାରୀ କାଗଜପତ୍ର ନଷ୍ଟ କରିବାର କ୍ଷତିପୂରଣ ଦାବିରେ। ପାଞ୍ଚଦିନ ମଧ୍ୟରେ କାହାକୁ ଗିରଫ କରିନଥିଲେ ପୋଲିସ।

ତେବେ ଅଗଷ୍ଟ ପଚିଶ ତାରିଖରେ ବିଂଝାରପୁର ଥାନା ଅଧିକାରୀ ନଵାବ ଖାଁ ଏକ ପ୍ଲାଟୁନ ଫୋର୍ସ ସହିତ କାଇପଡାରେ ପହଞ୍ଚି ଘରେ ଘରେ ଚଢ଼ାଉ ଆରମ୍ଭ କଲେ।ଏ ଖବର ପ୍ରଚାରିତ ହେବା ପରେ ସତ୍ୟାଗ୍ରହୀ ଏବଂ ସାଧାରଣ ଲୋକେ ଏକତ୍ର ହୋଇ ତା’ର ପରଦିନ ଅର୍ଥାତ ଛବିଶ ତାରିଖରେ ଏକ ସଭାର ଆୟୋଜନ କରି ଗୋପବନ୍ଧୁ ଚୌଧୁରୀଙ୍କ କନ୍ୟା ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ସଭାପତିତ୍ବରେ କାଇପଡା ହାଟରେ ନୀରବ ଆନ୍ଦୋଳନ ଆରମ୍ଭ କଲେ। ଏହି ସଭାରେ ଯୋଗ ଦେବାପାଇଁ ଧାରପୁର, ମନ୍ଦାରୀ, ବାଲିବିଲ, ଅରଙ୍ଗାବାଦ, ବାଲିଆ, ହଳଦିବସନ୍ତ, ହାଟସାହି, ଶ୍ରୀରାମପୁର, କୃଷ୍ଣ ନଗର, ଅନ୍ୟାସପୁରର ସଂଗ୍ରାମୀମାନଙ୍କ ନେତୃତ୍ୱରେ ଛ’ଟି ଶୋଭାଯାତ୍ରାରେ ହଜାର ହଜାର ଲୋକ ପହଞ୍ଚି ପିଟୁଣି ଟିକସ ଦେବେ ନାହିଁ କି ସରକାରଙ୍କ ଆଦେଶ ମାନିବେ ନାହିଁ ବୋଲି ଜଣାଇଦେଲେ । ଥାନାବାବୁ ସଦଳବଳେ ଘୋଷଣା କରିଥିଲେ ଯେ, ସମସ୍ତେ ସଭାସ୍ଥଳ ଛାଡ଼ି ଚାଲିଯାଆନ୍ତୁ। କିନ୍ତୁ କେହି ଏକଥା ଶୁଣିଲେ ନାହିଁ। ସେତେବେଳେ ଏହି ଆନ୍ଦୋଳନର ନେତୃତ୍ଵ ନେଇଥାନ୍ତି ବରୀ ଗାନ୍ଧୀ ବସୁଦେବ ସାମଲ । ତାଙ୍କ ସହିତ ଥାଆନ୍ତି ରାଧାକୃଷ୍ଣ ସାମଲ, ଋଷି ବେହେରା, ମଧୁସୂଦନ ନନ୍ଦ, ଭୁବନାନନ୍ଦ ସ୍ଵାଇଁ, କୃଷ୍ଣଚନ୍ଦ୍ର ସାହୁ, ପଦ୍ମନାଭ ମଲ୍ଲିକ, ନନ୍ଦକିଶୋର ଜେନା ଇତ୍ୟାଦି ସଂଗ୍ରାମୀଗଣ । ସେମାନଙ୍କ ନେତୃତ୍ୱରେ ସାଧାରଣ ଜନତା ସ୍ଲୋଗାନ ଦେଉଥାଆନ୍ତି ‘ଭାରତ ମାତା କି ଜୟ, ବନ୍ଦେ ମାତରଂ, ମହାତ୍ମାଗାନ୍ଧୀ କି ଜୟ।’ ପୋଲିସ ଏହି ସମୟରେ କିଛି ସୁଯୋଗ ଦେଖି ସଭାସ୍ଥଳରୁ କେତେ ଜଣ ନେତାଙ୍କୁ ଗିରଫ କରିନେଲେ। ସେମାନଙ୍କ ଅଣ୍ଟାରେ ଦଉଡି ବାନ୍ଧି ସେମାନଙ୍କୁ ଚଲାଇ ଚଲାଇ ନେବା ଆରମ୍ଭ କରିଦେଲେ ଅ। ଫଳରେ ଘଟଣାସ୍ଥଳରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସ୍ବରୂପ ପୋଲିସ ସହ ଗଣ୍ଡଗୋଳ ଆରମ୍ଭ ହେଲା। ସେମାନଙ୍କୁ ଛାଡ଼ି ଦେବାକୁ ଲୋକ ମାନେ ଜିଦ୍ ଧରିଲେ। ଏହାକୁ ପ୍ରଶମିତ କରିବା ପାଇଁ ପୋଲିସ ପକ୍ଷରୁ ଫାଙ୍କା ଗୁଳି ଚାଳନା ଆରମ୍ଭ ହେଲା ଓ ଏହି ନେତାମାନଙ୍କୁ ସେବାଶ୍ରମକୁ ନେଇ ଚାଲିଗଲେ ପୋଲିସ ଅଧିକାରୀ।

ସେବାଶ୍ରମ ସାମ୍ନାରେ ବସିରହିଥିଲେ ବହୁ ସଂଖ୍ୟାରେ ଲୋକେ। ତାପରେ ଗିରଫ ହୋଇଥିବା ନେତାମାନଙ୍କୁ ଖଲାସ ଦାବିରେ ସେହି ଉପସ୍ଥିତ ଜନସାଧାରଣ ପୋଲିସକୁ ଅନୁରୋଧ କରିବା ପାଇଁ ସେମାନେ ଶ୍ରୀ ହାଡିବନ୍ଧୁ ପଣ୍ଡା ନାମକ ଜଣେ ଯୁବକଙ୍କୁ ମନୋନୀତ କରି ପୋଲିସ ଅଧିକାରୀଙ୍କ ପାଖକୁ ପଠାଇଲେ। ତାଙ୍କ କଥା ଶୁଣିବା ଦୂରେ ଥାଉ, ପୋଲିସ ଅମାନୁଷିକ ଭାବେ ତାଙ୍କୁ ଲାଠିରେ ପ୍ରହାର କଲେ ଓ ବହିଷ୍କାର କରିଥିଲେ। ଏହି ଲାଠି ମାଡ଼ ଖାଇ ଶ୍ରୀ ପଣ୍ଡାଙ୍କ କ୍ରୋଧ ବଢିଲା ଏବଂ ଏହାର ଉତ୍ତରରେ ସେ ନିଜର ଲାଠି ଚାଳନା କରି ପ୍ରାୟ ତିରିଶ ଜଣ ପୋଲିସ କର୍ମଚାରୀଙ୍କୁ କ୍ଷତବିକ୍ଷତ କରିପକାଇଲେ। ଜଣେ ପୋଲିସ ବନ୍ଧୁକର ବାୟୋନେଟ୍’ରେ ତାଙ୍କର ଛାତିକୁ ଭୁଷି ଦେଲେ । ସେଇଠି ଟଳି ପଡିଲେ ବୀର ସଂଗ୍ରାମୀ ଶ୍ରୀ ହାଡିବନ୍ଧୁ ପଣ୍ଡା

କାଇପଡା କଳାମାଟିଆ ଗୁଳିକାଣ୍ଡ ଖବର ପ୍ରଚାରିତ ହୋଇଥିଲା ତତକ୍ଷଣାତ୍। ଲୋକେ ଉତ୍ୟକ୍ତ ହୋଇ ଅନୁରୂପ ଭାବେ ଠେଙ୍ଗା ଧରି ପୋଲିସ ପ୍ଲାଟୁନ ଫୋର୍ସ ସହିତ ମୁହାଁମୁହିଁ ହେଲେ । ପୋଲିସର ଅମାନୁଷିକ କାଣ୍ଡ କିନ୍ତୁ ବନ୍ଦ ହେଲା ନାହିଁ। ରକ୍ତମୁଖା ପୋଲିସ ଆରମ୍ଭ କଲେ ଗୁଳି ଚାଳନା। ଟଳି ପଡ଼ିଲେ ଆଉ ତିନି ଜଣ – ଶ୍ରୀ ମାୟାଧର ଭୁୟାଁ, ଶ୍ରୀ ସାଉଣ୍ଟି ମଲିକ, ଶ୍ରୀ ସଦାନନ୍ଦ ସ୍ଵାଇଁ। ପ୍ରାୟ ଏକଶତ ସଙ୍ଗ୍ରାମୀ ଆହତ ହେଲେ। କଳାମାଟିଆ ମାଟି ସହିଦମାନଙ୍କ ଉଷ୍ଣ ରକ୍ତରେ ଲାଲ୍ ହୋଇଗଲା। ଏହା ଥିଲା ଗହ୍ମା ପୂର୍ଣ୍ଣିମା, ଅଗଷ୍ଟ ମାସ ଛବିଶ ତାରିଖ। ଏ ଭଳି ଏକ ପବିତ୍ରଦିନରେ ଘଟିଥିବା ଏହି ସ୍ଵାଧୀନତା ସଂଗ୍ରାମ ସେତେବେଳେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ଏଯାବତ୍ ବରୀ ଅଞ୍ଚଳରୁ କାଇପଡା କଳାମାଟିଆ ଗୁଳିକାଣ୍ଡ ଦୁଃଖର ଶିଖା ଲିଭିନାହିଁ। ଗୁଣୁଗୁଣୁ ହୋଇ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ଗାଉଛନ୍ତି ଓ ଏବେ ବି ଗୁଞ୍ଜରିତ ହେଉଛି —

“ସାଉଣ୍ଟି, ସାନନ୍ଦ, ହାଡିବନ୍ଧୁ, ମାୟାଧର ଯେ ମିଳି,
ଦେଶ ପାଇଁ ଦେଲେ ଆତମବଳୀ।”

ଆଧାର/ଶ୍ରୀ ବୈଷ୍ଣବ ଜେନା, ସାମ୍ବାଦିକ, ପର୍ଯ୍ୟବେକ୍ଷକ;
ଡଃ ଜଗନ୍ନାଥ ପଟ୍ଟନାୟକ, କାଇପଡା କଳାମାଟିଆ ଗୁଳିକାଣ୍ଡ, “ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅମର ସହିଦ” ପୁସ୍ତକ

Leave a Comment

Your email address will not be published. Required fields are marked *

Scroll to Top