କଵି ଯଦୁମଣି

ଉପସ୍ଥାପନା: ଶିଶିର ସାହୁ ମନୋଜ

ସେତେବେଳେ ଶ୍ରୀଯୁକ୍ତ ଭାଗୀରଥି ମହେନ୍ଦ୍ର ବାହାଦୁର ଢେଙ୍କାନାଳଗଡ଼ର ଶାସକ ଥାଆନ୍ତି । ସେ ଥରେ ଗୋଟିଏ ପଣ୍ଡିତ ସଭାର ଆୟୋଜନ କରାଇଥିଵାରୁ ଉତ୍କଳଘଣ୍ଟ କଵି ଯଦୁମଣି ସେଠାକୁ ଯାଇଥିଲେ । ରାଜା ସ୍ଵୟଂ ପଣ୍ଡିତମାନଙ୍କର ଅଭ୍ୟର୍ଥନା କରୁଥାଆନ୍ତି । ଯେତେ ଉହୁଙ୍କିଲେ ବି ଯଦୁମଣିଙ୍କୁ ଦ୍ଵାରରକ୍ଷକମାନେ ଭିତରକୁ ଯିଵାକୁ ଦେଲେ ନାହିଁ । ରାଜା ଯଦୁମଣିଙ୍କୁ ଚିହ୍ନି ନପାରି କ୍ୟେତୁ କ୍ୟୈତୁ ବୋଲି ବାରମ୍ବାର କହି ତାଙ୍କୁ ସଭା ମଧ୍ଯକୁ ଯିଵାକୁ ଅନୁମତି ଦେଲେନି ।


କଵି ଯଦୁମଣି ଲେଉଟି ଆସନ୍ତେ ମାତ୍ର ସେ ବି ସହଜେ ଛାଡି଼ଵା ଲୋକ ନୁହନ୍ତି । ସେଇଠି ତତ୍କ୍ଷଣାତ୍ ସେ ଏକ ଆଶୁ କଵିତା ଗାଇଲେ . .

“ମନସୀ କାଳୀ ମନ୍ଦିର ଅହିତ
ଶୋଭାଗ୍ର ଅଗ୍ରଫଳ ସଙ୍ଗେ ମିତ
ଚତୁର ଭଜନରେ ବଳଵନ୍ତ
ସମାପ୍ତ ଋକ୍ଷକନ୍ୟାର ଵରତ
ସେ ଦେଵଙ୍କ ଅନୁଗ୍ରହେ
ଶ୍ରୀଦେଉ ଶ୍ରୀମୁଖେ ବାନ୍ଧି ଦେଇଛନ୍ତି
ନଵଗ୍ରହୁ ଏକ ଗ୍ରହେ”

ଏ କଵିତାର ଭାଵାର୍ଥ ଏମନ୍ତ !

ଯେ କାଳୀ ମନ୍ଦିର କି(ଯମୁନାର) ଅହିତ ମନାସୀ ଥିଲେ ଅର୍ଥାତ୍ କାଳନ୍ଦୀ ଭେଦନ !

ଯେ ଶୋଭାଗ୍ର ଵା ତାଳ ଗଛର ଅଗ୍ରରେ ଥିଵା ତାଳଫଳ ସହ ମିତ ଅଟନ୍ତି ଅର୍ଥାତ୍ ତାଳଗଛର ଫଳ ଧ୍ଵଜରେ ଥିଵାରୁ ସେ ତାଳଧ୍ଵଜ ଵା ତାଳାଙ୍କ ନାମରେ ଵିଦିତ !

ଯେଉଁ ମୂର୍ତ୍ତିମାନ ତନ୍ମଧ୍ୟରେ ଯେ ବଳଵନ୍ତ ଵା ବଳରାମ ନାମରେ ଵିଖ୍ୟାତ ଅଟନ୍ତି !

ପୁନଶ୍ଚ ସମାପ୍ତଋକ୍ଷ ଅର୍ଥାତ୍ ଶେଷ ନକ୍ଷତ୍ର ଯେ ରେଵତୀ ଉକ୍ତ ନାମଯୁକ୍ତା କନ୍ୟାର ଵର ଅଟନ୍ତି !

ଯେ ବଳଦେଵ ଜୀଉ ତାଙ୍କର ଅନୁଗ୍ରହରୁ ଶ୍ରୀଯୁକ୍ତ ରାଜା ବାହାଦୁରଙ୍କ ଶ୍ରୀମୁଖରେ ନଵଗ୍ରହରୁ ଏକ ଗ୍ରହ କେତୁ ଯେ କି ଚାଣ୍ଡାଳ ଗ୍ରହ ତାକୁ ବାନ୍ଧି ଦେଇଛନ୍ତି । ଯେଉଁ ଚାଣ୍ଡାଳ ଗ୍ରହ କେତୁ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଗ୍ରାସ କରିଥାଏ, ସେହି ଗ୍ରହକୁ ରାଜା ଆପଣା ମୁଖରେ ଧାରଣ କରିଛନ୍ତି ।

ପ୍ରକୃତରେ ଢେଙ୍କାନାଳର ରାଜା କ୍ଯେତୁ କ୍ୟେତୁ ଅର୍ଥାତ୍ କିଏ ତୁ; କେ’ ତୁ ଉଚ୍ଚାରଣ କରି ଉତ୍କଳଘଣ୍ଟଙ୍କୁ କହିଥିଲେ ଯାହା କି କେତୁ ଵିଶେଷ୍ଯ ଶବ୍ଦ ସହ ଵାହ୍ୟ ସାମ୍ୟ ଥିଵାରୁ କଵି ଯଦୁମଣି ଏମନ୍ତ ଏକ ଆଶୁ କଵିତା ରଚିଥିଲେ ।

ଅଵଶ୍ୟ ରାଜା ଆଶୁକଵିତାର ଅର୍ଥ ବୁଝିପାରି ଅତ୍ୟନ୍ତ ଲଜ୍ଜିତ ହେଲେ ଏଵଂ ଉତ୍କଳଘଣ୍ଟ କଵି ଯଦୁମଣିଙ୍କୁ ବାରମ୍ବାର କ୍ଷମାପ୍ରାର୍ଥନା ତଥା ଅତ୍ୟଧିକ ସମ୍ନାନ ଦେଖାଇ ନିଜ ପାର୍ଶ୍ଵରେ ଆସନ ଦେଇଥିଲେ । ସବୁ ପଣ୍ଡିତଙ୍କ ପରି ଯଦୁମଣିଙ୍କୁ ମଧ୍ୟ ସମାନ ଵିଦାକୀ ଓ ମର୍ଯ୍ୟାଦା ପ୍ରଦାନ କରାଗଲା । ସେଦିନ ଯଦୁମଣିଙ୍କ ଆଶୁ କଵିତାଟି ଶୁଣିଲାପରେ ସେଠାରେ ଉପସ୍ଥିତ ଅହଙ୍କାରୀ ପଣ୍ଡିତମାନଙ୍କ ସବୁ  ଗର୍ଵ ଗଞ୍ଜନ ହୋଇଥିଲା ।

କୋଶାଗ୍ର = ତାଳଗଛ
ଚତୁର = ଚତୁର୍ଦ୍ଧାମୂର୍ତ୍ତି
ଋକ୍ଷ = ନକ୍ଷତ୍ର
ସମାପ୍ତଋକ୍ଷ = ୨୭ ନକ୍ଷତ୍ର ମଧ୍ୟରେ ଶେଷ ନକ୍ଷତ୍ର ରେଵତୀ
ଅନୁଗ୍ରହେ = ଅନୁଗ୍ରହ କରି
ଶ୍ରୀ ଦେଉ = ସେ ରାଜାଙ୍କ
ଵରତ = ଵର ଅଟନ୍ତି
ଶ୍ରୀମୁଖେ ବାନ୍ଧି ଦେଇଛନ୍ତି = ମୁଖରେ ସ୍ଥାନ ଦେଇଛନ୍ତି ଵା ମୁଖରେ ନାମ ନେଉଛନ୍ତି ଵା କହୁଛନ୍ତି

(ସୌଜନ୍ୟ = ଯଦୁମଣି ଗ୍ରନ୍ଥାବଳୀ)

Leave a Comment

Your email address will not be published. Required fields are marked *

Scroll to Top