କନିକା

ଲେଖା: ଦେଵ ତ୍ରିପାଠୀ
ଉତ୍କଳ ଗଜପତିଙ୍କ ଶାସନାଧୀନ ଅଞ୍ଚଳ ହେଲେ ହେଁ #କନିକା ଥିଲା ସ୍ବତନ୍ତ୍ର ଗୁରୁତ୍ବର ଅଧିକାରୀ ! ଉତ୍କଳର ସାମରିକ ଇତିହାସରେ କନିକାର ଶହେ ଆହୁଲା ବିଶିଷ୍ଟ ରଣତରି ଯେ କିଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା, ତାହା ବ୍ରିଟିଶ ଐତିହାସିକ #ହାମିଲଟନଙ୍କ ପ୍ରଶଂସମୁଖରିତ ବିବରଣୀରୁ ଜଣାପଡ଼େ !
କନିକା ମାଟିର ବୀରତ୍ବର ଗାଥା ମଧ୍ୟ ଗାଏ ଆମ #ମାଦଳାପାଞ୍ଜି ! #କପିଳେନ୍ଦ୍ର ଦେଵ (୧୪୩୫ ୧୪୬୮) କନିକା, #କେରଡ଼ା, କୁଜଙ୍ଗ ରାଜ୍ୟତ୍ରୟକୁ ଜିଣିବା ସହ ଆଳିରେ ପୁତ୍ର #ମଧୁସୂଦନ_ରାୟ ଙ୍କୁ ରାଜା କରାଇଲେ ! କଥିତ ଅଛି, ରାଜବଂଶୀ ହୋଇ ନ ଥିବାରୁ ବହୁ ଗଡ଼ଜାତ ଓ ମୋଗଲବନ୍ଦୀର ସାମନ୍ତ ରାଜା ସୂର୍ଯ୍ୟବଂଶୀ ସମ୍ରାଟ କପିଳେନ୍ଦ୍ର ଦେଵଙ୍କୁ ଓଡ଼ିଶାର ଗଜପତି ଭାବେ ସ୍ଵୀକାର ନ କରି ନିଜକୁ ଜଣେ ଜଣେ ସ୍ବାଧୀନ ରାଜା ବୋଲି ଘୋଷଣା କରିଥିଲେ। ଯେଉଁଥିପାଇଁ କପିଳେନ୍ଦ୍ର ଦେଵ ଏହି ରାଜ୍ୟତ୍ରୟକୁ ଜୟ କରିବାକୁ ଯୁଦ୍ଧ ଅଭିଯାନ ଚଳାଇଲେ ! ଶୁଣାଯାଏ କପିଳେନ୍ଦ୍ର ଦେଵଙ୍କ ପ୍ରବଳ ପରାକ୍ରମୀ ସେନାଧ୍ୟକ୍ଷ କନିକା ସହିତ ସମ୍ମୁଖ ଯୁଦ୍ଧ ନ କରି ଛଦ୍ମବେଶରେ ରାଜ୍ୟରେ ପ୍ରବେଶ କରି ଅତର୍କିତ ଆକ୍ରମଣ ପୂର୍ବକ ରାଜାଙ୍କୁ ପରାସ୍ତ କରିଥିଲେ ! ଏଇଥିରୁ ଜଣାପଡ଼େ କନିକାର ଶକ୍ତି ଓ ସାମର୍ଥ୍ୟ ! କପିଳେନ୍ଦ୍ର ଦେଵ ହୁଏତ ଜାଣିଥିଲେ ଯେ କନିକା ରାଜାଙ୍କୁ ନୌଯୁଦ୍ଧରେ ପରାସ୍ତ କରିବା ସହଜସାଧ୍ୟ ନୁହେଁ ! ତେବେ ମଧୁସୂଦନଙ୍କ ପର ଠାରୁ ଆଳି ରାଜାମାନେ ଗଜପତି ବଂଶଧର ଭାବେ ସ୍ୱୀକୃତ ଓ ସମ୍ମାନିତ ହେଲେ ! ସେମାନଙ୍କ ନାମ ପୂର୍ବରୁ #ଶ୍ରୀବୀର_ଶ୍ରୀଗଜପତି ଓ ନାମ ପରେ #ମହାରାଜା ଉପାଧି ଲାଗେ !
କଥା ଏତିକିରେ ସରେନା ! ଓଡ଼ିଶାର ସମର ଇତିହାସରେ କନିକା ରାଜପୁରୁଷ ଏବଂ ପାଇକ ବାହିନୀର ଅତୁଳନୀୟ ବୀରତ୍ୱ ଓ ସାହସିକତାକୁ ଦେଖି ପ୍ରଶଂଶାରେ ଶତମୁଖ ହୋଇଛନ୍ତି #କବିବର_ରାଧାନାଥ !
“ନିମିଷେ ଉତ୍ତରକାଳେ ଗଲେ ସର୍ବେ ଦେବତା ଉଭି,
ବାଜିବାରୁ ଯହିଁ କଳାପାହାଡ଼ର ରଣଦୁନ୍ଦୁଭି ।
ନିମିଷେ ସରିଲା
ଯହିଁ ଉତ୍କଳର ଗୌରବ ଆଶା,
ଲକ୍ଷବୀର ରକ୍ତେ
ଉତ୍କଳର ହେଲା ଭାଗ୍ୟ ମୀମାଂସା ।
ଅପୂର୍ବ ବୀରତ୍ୱ ଆଉ ପରାକ୍ରମରେ ଆଫଗାନ ସହ ଲଢ଼ିବା ନିମନ୍ତେ #ବାରବାଟୀ ଦୁର୍ଗରେ ପ୍ରସ୍ତୁତ ହେଉଥିଲେ ସମ୍ରାଟ #ମୁକୁନ୍ଦଦେବ । ସେ ବେଳରେ ବହୁ ରାଜାଙ୍କ ମଧ୍ୟରେ କୁଜଙ୍ଗ, #ଆଳି#ମଧୁପୁର ଗଡ଼ର ରାଜାମାନଙ୍କ ସହିତ କନିକାର ୧୭ତମ ରାଜା ଦ୍ଵିତୀୟ #ପରମାନନ୍ଦ_ଭଞ୍ଜଦେବ ଚାରି ରାଜ୍ୟର ଚତୁରଙ୍ଗ ବଳ ନେଇ #କଟକରେ ପହଞ୍ଚିଥିଲେ ! #କବିଶେଖର ଚିନ୍ତାମଣି ମହାନ୍ତି ‘ମୁକୁନ୍ଦଦେବ’ କାବ୍ୟରେ ସୁନ୍ଦର ଭାବେ ଦର୍ଶାଇଛନ୍ତି ଏଇ ଶୌର୍ଯ୍ୟର ଗାଥାକୁ:
“ଦ୍ଵିତୀୟ ପରମାନନ୍ଦ ଭଞ୍ଜଦେବ ନାମେ
ସେ ରାଜ୍ୟର ଅଧିଶ୍ୱର, କଲେ ସୈନ୍ୟ ଠୁଳ।
*** *** ***
ଧାଇଁଲେ ଧାମରା ଧାମୁ କୈବର୍ତ୍ତବାହିନୀ
ଜଳଯୁଦ୍ଧ ବିଶାରଦ ପିନ୍ଧି ପକ୍ଷଟୋପି . . “
ଲଢ଼ି ଚାଲିଥିଲେ ମୁକୁନ୍ଦଦେବ, ଗୋହିରାଟିକିରି ଠାରେ ! ଦେଶଦ୍ରୋହୀଙ୍କ ଚକ୍ରାନ୍ତରେ ଓଡ଼ିଶାର ଦୁର୍ବାର ରଣସଂଗ୍ରାମ ବିପର୍ଯ୍ୟସ୍ତ ହେଲା, ଉତ୍କଳର #ଶେଷ_ସ୍ଵାଧୀନ_ସମ୍ରାଟ ମୁକୁନ୍ଦଦେବଙ୍କ ନିଧନ ପରେ ଉତ୍କଳର ଭାଗ୍ୟରବି ଅସ୍ତମିତ ହେଲେ ସିନା, ଓଡ଼ିଆ ଜାତିର ମାତୃଭୂମିର ସୁରକ୍ଷା ପାଇଁ ଓଡ଼ିଆ ଜାତିର ପ୍ରାଣପାତ ସଂଗ୍ରାମ କାଳକାଳକୁ ରହିଗଲା !
#ଗୋହିରାଟିକିରି ଯୁଦ୍ଧ ଶୌର୍ଯ୍ୟର ମର୍ଯ୍ୟାଦା ନେଇ ଆମ ଇତିହାସକୁ କଲା ସମୁନ୍ନତ ! ବୀରତ୍ବର ଅମରଗାଥା ଗାନ କରି ଉନ୍ମାଦିତ ହେଲା ବୀର ଓଡ଼ିଶା ଭୁଇଁ ! ସେହି ଯୁଦ୍ଧରେ ପ୍ରାଣବଳି ଦେଇଥିଲେ କନିକାର ଅସୁମାରୀ ବୀରସୈନ୍ୟ ! ମାତୃଭୂମିର ସୁରକ୍ଷା ପାଇଁ ସଦା ସଜାଗ ଥିଲେ କନିକାସେନା !
ମୁକୁନ୍ଦଦେବଙ୍କ ପରେ #ରମେଇ_ରାଉତରାୟ (#ରାମଚନ୍ଦ୍ର_ଦେବ) ୧୫୭୫ ମସିହାରେ #କୁଜଙ୍ଗଗଡ଼ ରୁ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମକୁ ଅଣାଇ ଶ୍ରୀମନ୍ଦିରରେ ନୂତନ ବିଗ୍ରହ ସ୍ଥାପନ କରିଥିଲେ ! ତେବେ ବୈଷ୍ଣବ ବେଶରେ ଭକ୍ତ #ବିଶର_ମହାନ୍ତି ଗଙ୍ଗାକୂଳରୁ ଜଗନ୍ନାଥଙ୍କ ବ୍ରହ୍ମ ଉଦ୍ଧାର କରି କୁଜଙ୍ଗରେ ରଖିବାର ନିର୍ଦ୍ଦିଷ୍ଟ କାରଣ ଜଣା ନ ଥିଲେ ମଧ୍ୟ #କୁଜଙ୍ଗ କିମ୍ବା କନିକା ପରି ପ୍ରବଳ ପରାକ୍ରମୀ ମିତ୍ର ରାଜ୍ୟଦ୍ବୟ ହିଁ ଜଗନ୍ନାଥଙ୍କ ବ୍ରହ୍ମକୁ ସୁରକ୍ଷାରେ ରଖିପାରିବା ଓ ଆବଶ୍ୟକ ପଡ଼ିଲେ କନିକା ରାଜା ତାଙ୍କୁ ସାହାଯ୍ୟ କରି ପରିବାର ଆଶା ରଖିଥିବେ !
କୁହାଯାଏ, କନିକା ରାଜ୍ୟର ସମୃଦ୍ଧିକୁ ଦେଖି ମାଡ଼ି ଆସିଥିଲା ଝାମ୍ପୁରା ସିଂହ ପରି ଜଣେ ପଶ୍ଚିମା ସର୍ଦ୍ଦାର ! ସ୍ୱପ୍ନାଦେଶ ଥିଲା ସନ୍ଧ୍ୟା ପୂର୍ବରୁ କନିକା ରାଜ୍ୟର ଯେତେ ଅଞ୍ଚଳ ପର୍ଯ୍ୟନ୍ତ ସେ ମାଡ଼ି ଯାଇଥିବ ସେ ସବୁ ଅଞ୍ଚଳ ତା’ର ! ଯାଜପୁର ଆଡୁ କନିକା ଯିବା ବାଟରେ କନିକା ସେନାଙ୍କ ଅତର୍କିତ ଆକ୍ରମଣ ! ସନ୍ଧ୍ୟା ପୂର୍ବରୁ ହିଁ ନିଧନ ହେଲା ଶତ୍ରୁ ! ଲୋକ ମୁଖରେ ରହିଗଲା କଥାଟିଏ . . ‘ଅଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼’ ପରି ରୋମାଞ୍ଚ ସୃଷ୍ଟି କରି କରି !
“ଝାମ୍ପୁରା ମାତିଲା କନିକା ତାତିଲା
ବୟାଙ୍ଗ ପଡିଲା ହୁରି,
ଆଉ ଯଦି ବେଳ ଓଳିଏ ଥା’ନ୍ତା
କନିକା ଯାଆନ୍ତା ଉଡ଼ି” !
ଆଧାର: ‘ଯୁଗେ ଯୁଗେ କନିକା’, ଅଧ୍ୟାପକ ଶାନ୍ତନୁ କୁମାର ମହାନ୍ତି, ସତ୍ୟବ୍ରତ ପ୍ରକାଶନୀ, କଟକ

Leave a Comment

Your email address will not be published. Required fields are marked *

Scroll to Top