ଲେଖା: ଦେଵ ତ୍ରିପାଠୀ ୧୯୦୩ ମସିହା । ମାନ୍ଦ୍ରାଜରେ କଂଗ୍ରେସ ଅଧିବେଶନରେ ଓଡ଼ିଆ ପ୍ରତିନିଧି ତଥା ସ୍ବାଭିମାନୀ ଓଡ଼ିଆ ମଧୁବାବୁ ଯୋଗଦେଇ ବିଭିନ୍ନ ପ୍ରଦେଶରେ ଥିବା ଓଡ଼ିଆମାନଙ୍କୁ ଏକ ଶାସନାଧୀନ କରାଇବାର ପ୍ରସ୍ତାବ ରଖିଥିଲେ । ତେଲୁଗୁ ପ୍ରତିନିଧିଗଣ ଏକଜୁଟ ହୋଇ ଗଞ୍ଜାମ ଜିଲ୍ଲା ଓ ମାନ୍ଦ୍ରାଜ ପ୍ରଦେଶର କୌଣସି ଅଂଶ ଓଡ଼ିଶା ସହ ମିଶିବ ନାହିଁ ବୋଲି ଦୃଢ଼ ଦାବିକୁ ଗ୍ରହଣ କରିନେଲେ କଂଗ୍ରେସ । ବଙ୍ଗକୁ ଏକତ୍ର କରିବା ପାଇଁ ପ୍ରସ୍ତାବକୁ କଂଗ୍ରେସ ସ୍ବାଗତ କରିଥିଲେ ମଧ୍ୟ ଓଡ଼ିଆଭାଷୀ ଅଞ୍ଚଳଗୁଡିକୁ ଏକତ୍ର କରିବା କ୍ଷେତ୍ରରେ କଂଗ୍ରେସର ଚଞ୍ଚକତା, ବିଶ୍ୱାସଘାତକତା ତଥା ପାତରଅନ୍ତର ନୀତିରେ ପ୍ରଚଣ୍ଡ ବ୍ୟତିବ୍ୟସ୍ତ ଓ କ୍ରୋଧାନ୍ୱିତ ହୋଇପଡ଼ିଲେ ମଧୁବାବୁ । ସେ ସଂସ୍ଥା ଦ୍ଵାରା ଯେ ଓଡ଼ିଆଙ୍କ ଉନ୍ନତି ହେବ ନାହିଁ ଏକଥା ହୃଦୟଙ୍ଗମ କରି କଂଗ୍ରେସ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କଲେ ସେ ! ତେବେ କଂଗ୍ରେସର ବିଶ୍ୱାସଘାତକତାରେ ହାରିଯିବାର ଲୋକ ନ ଥିଲେ ଜାତିଐରାବତ ! ନିଜକୁ ହିଁ କିଛି କରିବାକୁ ହେବ ! ଆଗେଇ ନେବାକୁ ହେବ ଉତ୍କଳ ସମ୍ମିଳନୀକୁ ! ଏ ବେଳରେ ପ୍ରଚୁର ସମର୍ଥନ ଓ ସହଯୋଗର ହାତ ବଢ଼ାଇଲେ ଉତ୍କଳପ୍ରାଣ କର୍ମବୀର ଗୌରୀଶଙ୍କରଙ୍କ ଉତ୍କଳଦୀପିକା ଓ ପ୍ରଜାବନ୍ଧୁ ପରି ପତ୍ରପତ୍ରିକା ! ଓଡ଼ିଆଙ୍କ ମଧ୍ୟରେ ପ୍ରବଳ ସଚେତନତା ସୃଷ୍ଟି କରିବାରେ ଲଗିପଡ଼ିଲେ ସେମାନେ ! ଉତ୍କଳ ଦୀପିକାର ବାର୍ତ୍ତା ଥିଲା “ଆମେ ଓଡ଼ିଆ, ଉତ୍କଳ ଆମର” ! ମଧୁବାବୁଙ୍କ ମରମଭେଦୀ ବାକ୍ୟ-ସମ୍ବଳିତ ଏଇ ଲେଖା ମାଧ୍ୟମରେ ଉତ୍କଳ ଦୀପିକାର ସିଂହରଡ଼ି ଶୋଇପଡ଼ିଥିବା ଜାତିଟିକୁ ଜଗାଇ ଦେବାକୁ ଥିଲା ଯଥେଷ୍ଟ ! ଜାତୀୟତାବୋଧର ଏ ଆହ୍ୱାନରେ ଚେତିଉଠିଲେ ବହୁ ରାଜାମହାରାଜା, ବିଜ୍ଞଜନ ! ତେବେ ମଧୁବାବୁଙ୍କ ହାତକୁ ଶକ୍ତ କରିବା ପାଇଁ ପ୍ରଥମେ ଆଗେଇ ଆସିଥିଲେ ତାଙ୍କର ପରମମିତ୍ର କନିକାର ମହାରାଜା ରାଜେନ୍ଦ୍ରନାରାୟଣ ଭଞ୍ଜଦେଓ । ମଧୁବାବୁଙ୍କ ଏତେ ବଡ଼ ଆୟୋଜନକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମେ ଯେ ସ୍ଥାନଟିଏ ଆବଶ୍ୟକ ସେ କଥା ହୃଦୟଙ୍ଗମ କରି ମଧୁବାବୁଙ୍କ ହାତରେ ହିଁ ଟେକି ଦେଇଥିଲେ କଟକରେ ଥିବା ନିଜର ପ୍ରିୟ ପ୍ରାସାଦଟିକୁ ! ଦୁଇ ବନ୍ଧୁ ଗଭୀର ଭାବେ ବିଚାରବିମର୍ଶ କରି ସ୍ଥିର କଲେ ସମଭାବାପନ୍ନ ଓଡ଼ିଆଙ୍କୁ ଏକତ୍ର କରି ଏ ସମ୍ପର୍କରେ ବିଶଦ ଆଲୋଚନା କରିବାକୁ । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଆୟୋଜନ ରେ ଲାଗିପଡ଼ିଲେ ମଧୁବାବୁ ଓ ମହାରାଜାଙ୍କ ସହିତ ଉତ୍କଳପ୍ରାଣ ଗୌରୀଶଙ୍କର, ଆଦିନେତା ବିଚିତ୍ରାନନ୍ଦଦାସ, ନାଟ୍ୟକାର ରାମଶଙ୍କର ରାୟ ପ୍ରମୁଖ ।
ସେଦିନ ଥିଲା ଅକ୍ଟୋବର ୧୫ ତାରିଖ । ଶତାଧିକ ସଂଖ୍ୟାରେ ରାଜାମହାରାଜା, ସାମନ୍ତ, ଜମିଦାର, ସାହିତ୍ୟିକ, ନେତା ସମ୍ମିଳିତ ହୋଇଥିଲେ ସେଇ କନିକା ରାଜପ୍ରାସାଦରେ । ଓଡ଼ିଶାର ଖଣ୍ଡବିଖଣ୍ଡିତ ଅଞ୍ଚଳକୁ ନେଇ ସ୍ବତନ୍ତ୍ର ଓଡ଼ିଶାକୁ ଗଢ଼ିବା ପାଇଁ ନେଇଥିଲେ ବଜ୍ରଶପଥ ! ମଧୁବାବୁ ଅତି ଗଭୀର ଭାବେ ଅନୁଶୀଳନ କରି କନିକା ମହାରାଜାଙ୍କୁ ବ୍ରିଟିଶ କର୍ମକର୍ତ୍ତାଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା, ଖଲ୍ଲିକୋଟ ମହାରାଜା ହରିହର ମର୍ଦ୍ଦରାଜ ଓ ରାମଚନ୍ଦ୍ର ମର୍ଦ୍ଦରାଜଙ୍କୁ ସଂଗଠନ, ପଣ୍ଡିତ ଗୋପବନ୍ଧୁଙ୍କୁ ସାମାଜିକ ଚେତନା ଓ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କୁ ରାଜନୀତିକ କାର୍ଯ୍ୟ ତୁଲାଇବାର ଦାୟିତ୍ଵ ଅର୍ପଣ କଲେ । ଡ଼ିସେମ୍ବର ୩୦ ଓ ୩୧ରେ କଟକର ଇଦଗାପଡ଼ିଆରେ ଯେଉଁ ମହାସମ୍ମିଳନୀ ଅନୁଷ୍ଠିତ ହେଲା, ତା’ର ସମ୍ପୂର୍ଣ୍ଣ ରୂପରେଖ କନିକା ରାଜପ୍ରାସାଦ (ଲୋକମୁଖରେ ‘କନିକା କୋଠି’ ଭାବେ ପରିଚିତ) ରେ ହିଁ ପ୍ରସ୍ତୁତ କରାଯାଇଥିଲା । କଟକର ଏହି ଐତିହାସିକ ପ୍ରାସାଦଟି କେବଳ ଉତ୍କଳ ସମ୍ମିଳନୀ ନୁହେଁ, ବରଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏନ୍ତୁଡ଼ିଶାଳ ଥିଲା ! ସୂଚନାଯୋଗ୍ୟ ଯେ, କନିକା ରାଜାଙ୍କ ପ୍ରାସାଦକୁ ମୂଳଭିତ୍ତି କରି ସହରର ଛକଟିର ନାମ କନିକାଛକ । ରୁଗ୍ଣ ଓ ଜରାଜୀର୍ଣ୍ଣ ଭାବେ କନିକା ରାଜାଙ୍କ ବଦାନ୍ୟତା ତଥା ମାତୃଭୂମିପ୍ରେମର ଗାଥା ଗାଇ ଚାଲିଛି କେବଳ ! ଇତିହାସ କହେ, ହେଟାବାଘ, ବିଲୁଆ ପରି ଜଙ୍ଗଲି ଜୀବଜନ୍ତୁଙ୍କ ଚରାଭୁଇଁ ଥିବା ଅଞ୍ଚଳଟିକୁ ବାସୋପଯୋଗୀ କରାଇ, ରାଜବାଟୀ ତିଆରି ଥିଲେ ମହାରାଜା ରାଜେନ୍ଦ୍ର ନାରାୟଣ ! ଆଧୁନିକ ସମୟରେ ମହାନଗରର ଏକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ଭାବେ ପରିଗଣିତ ହେଉଥିଲେ ହେଁ ରାଜବାଟୀ କିନ୍ତୁ ପଡ଼ିରହିଛି ଆହତ ଶକ୍ତିହୀନ ସୈନିକଟିଏ ପରି ! ପ୍ରଶାସନ କନିକା ରାଜବାଟୀ ଅବା କନିକା କୋଠି କୁ ଐତିହ୍ୟ କୋଠା ଭାବେ ଗ୍ରହଣ କରିପାରିନି ଏ ଯାଏଁ ! ଓଡ଼ିଶା ପ୍ରଦେଶ ଗଠନ ପାଇଁ ମହାରାଜାଙ୍କ ସର୍ବଶ୍ରେଷ୍ଠ ବଳିଦାନର ମୁକସାକ୍ଷୀ ଏଇ କନିକା କୋଠି ର ସୁରକ୍ଷା ଦିଗରେ ମହାନଗରର ବୁଦ୍ଧିଜୀବୀ କେବେ ଚେତିବେ ସେ କଥା ମା’ କଟକଚଣ୍ଡୀଙ୍କୁ ହିଁ ଜଣା !
|
|