ଲେଖା: ଶିବାଶିଷ ମହାପାତ୍ର
ତତ୍କାଳୀନ ସମ୍ବଲପୁର ଜିଲ୍ଲାର ଏକ ଅନାମଧେୟ ଗ୍ରାମରେ ଜନ୍ମଗ୍ରହଣ କରି ପାଲଟି ଯାଇଛନ୍ତି ମଦର ଟେରେସାଙ୍କ ଭଳି ଜଣେ ସମାଜସେବୀକା । ୧୯ ଜାନୁଆରୀ ୧୯୨୬ ମସିହାରେ ତତ୍କାଳୀନ ସମ୍ବଲପୁର ଜିଲ୍ଲା ତଥା ବର୍ତ୍ତମାନର ବରଗଡ଼ ଜିଲ୍ଲାର ବିଜେପୁର ନିକଟସ୍ଥ ସମଲାଇପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀମତୀ ପାର୍ବତୀ ଗିରି । ତୃତୀୟ ଶ୍ରେଣୀରୁ ପାଠ ପଢ଼ାରେ ଡେ଼ାରି ବାନ୍ଧି ଯୋଗ ଦେଇଥିଲେ ସେ ଭାରତର ସ୍ବାଧୀନତା ଆନ୍ଦୋଳନରେ । ସହଯୋଗ କରିଥିଲେ ବାପା ଦୟାନିଧି ଗିରି, କାକା ରାମଚନ୍ଦ୍ର ଗିରି ତଥା ପରିବାରର ଅନ୍ୟାନ୍ୟ ବନ୍ଧୁ ବାନ୍ଧବ ।
କାକା ରାମଚନ୍ଦ୍ର ଗିରି ଥିଲେ ଜଣେ କଂଗ୍ରେସ କର୍ମୀ । ବାପାଙ୍କ ପ୍ରୋତ୍ସାହନ ତଥା କାକାଙ୍କ ଦିଗଦର୍ଶନ ଗଢ଼ିତୋଳିଥିଲା ଜଣେ ସଫଳ ନେତ୍ରୀ ଭାବରେ ଛୋଟ ବେଳୁ । ପିଲା ସମୟରେ ଗାଁ ଗାଁ ବୁଲି ଲୋକଙ୍କୁ ସଭା ସମିତି ପାଇଁ ଡ଼ାକିବା ତଥା ବିଭିନ୍ନ ସଭା ସମିତିରେ ଯୋଗଦାନ କରିବା ଥିଲା ତାଙ୍କର ନିତିଦିନିଆ କାର୍ଯ୍ୟ ଏବଂ ନଥିଲା ଏଥିପ୍ରତି ନିଜ ପରିବାରର ରୋକ୍ । ଛୋଟବେଳେ ଭେଟ ହୋଇଥିଲା ଓଡ଼ିଶାର ବିଶିଷ୍ଟ କଂଗ୍ରେସ କର୍ମୀ ମାଳତୀ ଚୌଧୁରୀ ଏବଂ ନବକୃଷ୍ଣ ଚୌଧୁରୀଙ୍କ ସହିତ । ତାଙ୍କଠାରୁ ପ୍ରେରିତ ଏବଂ ପ୍ରୋତ୍ସାହିତ ହୋଇଉଠିଥିଲେ । ପରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁରୋଧ ତଥା ଉପଦେଶ ମାନି ଯୋଗ ଦେଇଥିଲେ ରମା ଦେବୀଙ୍କ ବରି ଆଶ୍ରମରେ ୧୯୩୮ ମସିହାରେ ଏବଂ ସାଥିରେ ଥିଲେ ପିଲିଦିନର ଜଣେ ବିଧବା ସାଙ୍ଗ । ବିଭିନ୍ନ ପ୍ରକାରର ତାଲିମ ପାଇଥିଲେ ସେବିକା ହେବାର ଯାହା ତାଙ୍କୁ ପରବର୍ତ୍ତୀ ସମୟରେ ବିଭିନ୍ନ ସାହାଯ୍ୟ ସହଯୋଗ କରିଥିଲା ।
ପରବର୍ତ୍ତୀ ସମୟରେ ଗାଁକୁ ଆସି ଯୋଗଦେଇଥିଲେ ପ୍ରତ୍ୟକ୍ଷ ଭାବେ ସ୍ବାଧୀନତା ସଂଗ୍ରାମରେ । ବିଭିନ୍ନ ସମୟରେ ଛୋଟ ଛୋଟ ପିଲାଙ୍କୁ ଧରି କରୁଥିଲେ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ତଥା ଆନ୍ଦୋଳନ ଇଂରେଜ ସରକାରଙ୍କ ବିରୁଦ୍ଧରେ । ଅନେକ ସମୟରେ ଧରା ପଡ଼ିଥିଲେ ମଧ୍ୟ ଛାଡ଼ ପାଉଥିଲେ ନାବାଳିକା ହିସାବରେ । ଥରେ ସମ୍ବଲପୁର ଜିଲ୍ଲା ବରଗଡ଼ କଚେରି ପାଖରେ ଏସଡ଼ିଓ ମୁଖାର୍ଜୀଙ୍କୁ ବାନ୍ଧି ପକାଇ ଚହଳ ସୃଷ୍ଟି କରିଥିଲେ ସେ ସମୟରେ । ଏଥିପାଇଁ ତାଙ୍କୁ ଦଣ୍ଡାଦେଶ ମିଳିଥିଲା ସମ୍ବଲପୁର ଜେଲରେ ଦୁଇବର୍ଷ ପାଇଁ । ଜେଲରୁ ମୁକ୍ତ ହୋଇ ପୁଣିଥରେ ସାମିଲ କରିଥିଲେ ନିଜକୁ ଭାରତ ଛାଡ଼ ଆନ୍ଦୋଳନରେ ଏବଂ ପାଇଥିଲେ କାରାଦଣ୍ଡ ।
ଭାରତର ସ୍ବାଧୀନତା ପରେ ଯୋଗଦେଇଥିଲେ ଆଲାହାବାଦ ସ୍ଥିତ “ପ୍ରୟାଗ ମହିଳା ବିଦ୍ୟାପିଠ”ରେ । ୧୯୫୦ ମସିହାରେ ଏଠାରୁ ବାହାରି ଗାଁରେ ପୁଣିଥରେ କରିଥିଲେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ । ଏହା ପରେ ପୁଣିଥରେ ଯୋଗ ଦେଇଥିଲେ ରମା ଦେବୀଙ୍କୁ ଏବଂ ସାହାଯ୍ୟ କରିଥିଲେ ବିଭିନ୍ନ ସେବା କାର୍ଯ୍ୟରେ । ୧୯୬୦ ମସିହା ସମୟରେ ଯୋଗ ଦେଇଥିଲେ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ । ଭାରତର ବିଭିନ୍ନ ରାଜ୍ୟ ସବୁକୁ ଯାଇ ଭୂମିହୀନଙ୍କୁ ଜମି ଯୋଗାଇବା ପାଇଁ କରିଥିଲେ ଅନନ୍ୟ ପ୍ରୟାସ । ଅନେକ ଜମିଦାର ଗୈାନ୍ତିଆମାନଙ୍କୁ ବୁଝାଇ ତାଙ୍କ ଜମିକୁ ନେଇ ଭୂମିହୀନଙ୍କ ମଧ୍ୟରେ କରିଥିଲେ ବଣ୍ଟନ ।
ଏହା ପରେ ଆରମ୍ଭ ହୋଇଥିଲା ତାଙ୍କର ଆଶ୍ରମ ସମୟ । ପ୍ରଥମେ ଆରମ୍ଭ କରିଥିଲେ ବରଗଡ଼ ଜିଲ୍ଲାର ବିଶିଷ୍ଟ ପାବନ କ୍ଷେତ୍ର ପାଇକମାଲ ନିକଟସ୍ଥ ନୃସିଂହନାଥ ଅଞ୍ଚଳରୁ “କସ୍ତୁରବା ଗାନ୍ଧୀ ମାତୃନିକେତନ” ଭାବରେ । ପରେ ପରେ ସେ ଆରମ୍ଭ କରିଥିଲେ ସମ୍ବଲପୁର ଜିଲ୍ଲାର ଯୁଯୋମରା ନିକଟସ୍ଥ ବୀରସିଂହଗଡ଼ରେ “ଡ଼ଃ ସାନ୍ତରା ବାଳ ନିକେତନ” । ପରେ ପରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନକୁ ବ୍ୟାପିଥିଲା ଏହି ଆଶ୍ରମ ।
ଆଶ୍ରମ କାର୍ଯରୁ ସମୟ ବାହାର କରି ନିଜକୁ ନିୟୋଜିତ କରିଥିଲେ ବିଭିନ୍ନ ସମାଜ ସଂସ୍କାରକ କାମରେ । ଜେଲ ସଂସ୍କାର ତଥା କୁଷ୍ଠ ନିରାକରଣ ପାଇଁ କରିଥିଲେ ଅନେକ ପ୍ରୟାସ । ୧୯୫୫ ମସିହାରେ ଆମେରିକାର ଏକ ସଂସ୍ଥା ଦ୍ବାରା ତତ୍କାଳୀନ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସ୍ବଚ୍ଛତା ପାଇଁ କରିଥିଲେ ଅନେକ ପ୍ରଚେଷ୍ଟା । ଏହି ସମୟରେ ଅନେକ ଗାଁ ସବୁକୁ ବୁଲି ସ୍ବଚ୍ଛତା ବିଷୟରେ ଲୋକଙ୍କ ମଧ୍ୟରେ ସୃଷ୍ଟି କରିପାରିଥିଲେ ଏକ ସ୍ବତନ୍ତ୍ର ପରିଚୟ ।
୧୯୯୫ ମସିହା ଅଗଷ୍ଟ ୧୭ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ଏହି ମହିୟସୀ ମହିଳା। ସୃଷ୍ଟି କରିଥିଲେ ଏକ ସ୍ବତନ୍ତ୍ର ପରିଚୟ ଓଡ଼ିଶାର ଆଶ୍ରମ ଇତିହାସରେ । ୨୦୧୬ ମସିହାରେ ଓଡ଼ିଶା ସରକାରଙ୍କ ଦ୍ଵାରା ଏକ ଜଳସେଚନ ପ୍ରକଳ୍ପ ନାମିତ କରାଯାଇଛି ତାଙ୍କ ନାମ ଅନୁସାରେ । ତାଙ୍କର ଅବଦାନ ପାଇଁ ୧୯୯୮ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଦାନ କରାଯାଇଛି ସମ୍ମାନଜନକ ଡ଼କ୍ଟରେଟ ଉପାଧି । ୧୯୮୪ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ସମାଜସେବାରେ ଅତୁଳନୀୟ ଅବଦାନ ପାଇଁ ।
ଆଜି ଶ୍ରୀମତୀ ଗିରି ନାହାନ୍ତି ଆମ ଗହଣରେ କିନ୍ତୁ ଛାଡ଼ି ଯାଇଛନ୍ତି ଅନେକ ବାଳାଶ୍ରମ ତଥା ଜରା ନିବାସ । ତାଙ୍କ ସ୍ନେହ-ଶ୍ରଦ୍ଧା-ଭଲପାଇବା ପାଇ ଅନେକ ଅନାଥ ଆଜି ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଅନେକ ବୃଦ୍ଧ ବୃଦ୍ଧା ତାଙ୍କ ହାତର ସଂସ୍ପର୍ଶରେ ଭୁଲି ଯାଇଥିଲେ ନିଜ ପରିବାରକୁ । ଅନ୍ତରଙ୍ଗ କଳିଙ୍ଗର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଏଇ ଅମର ଆତ୍ମାକୁ ।