ଉପସ୍ଥାପନା: ଦେଵ ତ୍ରିପାଠୀ
ଓଡ଼ିଶାର ପ୍ରଥମ ବିଦ୍ୟାଳୟ ।
ଓଡ଼ିଶାକୁ ଇଷ୍ଟଇଣ୍ଡିଆ କମ୍ପାନୀ ୧୮୦୩ରେ ମରହଟ୍ଟାମାନଙ୍କ କବଳରୁ ଦଖଲ କଲା ମାତ୍ର ୩/୪ ଘଣ୍ଟାର ଲଢ଼େଇ ପରେ । ଇଂରେଜମାନଙ୍କ ନିକଟରୁ ପରାସ୍ତ ହୋଇ ମରହଟ୍ଟାମାନେ ଓଡ଼ିଶାର ରାଜଧାନୀ କଟକର ବାରବାଟୀ ଦୁର୍ଗରୁ ପଳାୟନ କରିଥିଲେ । ମାତ୍ର ଇଂରେଜମାନଙ୍କୁ କ୍ରମାଗତ ଭାବେ ଓଡ଼ିଶାର ସ୍ଥାନୀୟ ରାଜା, ଜମିଦାରମାନଙ୍କ ବିଦ୍ରୋହର ମୁକାବିଲା କରିବାକୁ ପଡ଼ିଥିଲା ।
ପ୍ରଥମେ ଜୟୀ ରାଜଗୁରୁ, ପରେ ବକ୍ସି ଜଗବନ୍ଧୁଙ୍କ ନେତ୍ରୁତ୍ୱରେ ଖୋର୍ଦ୍ଧାର ପାଇକ, ଘୁମୁସରର କନ୍ଧମେଳି, କନିକା ଓ କୁଜଙ୍ଗ ରାଜାଙ୍କ ବିଦ୍ରୋହ, ପରେ ପରେ କନ୍ଧମାଳର ଦୋରା ଓ ଚକରା ବିଷୋୟୀଙ୍କ ବିଦ୍ରୋହ ତଥା ଅନୁଗୁଳ ରାଜାଙ୍କ ବିଦ୍ରୋହ ଇଂରେଜମାନଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା । ତା ପରେ ଇଂରେଜ ମିଶନାରୀ (ଖ୍ରୀଷ୍ଟଧର୍ମ ପ୍ରଚାରକ) ମାନଙ୍କ ପ୍ରଚେଷ୍ଟାରେ ୟୁରୋପୀୟ ଢାଞ୍ଚାରେ ଓଡ଼ିଶାରେ ଶିକ୍ଷାର ପ୍ରଚାରପ୍ରସାର ଲାଗି ଇଂରାଜୀ-ଓଡ଼ିଆ ଭର୍ଣାକୁଲାର ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । କଟକଠାରେ ସର୍ବପ୍ରଥମେ ଇଂରାଜୀ-ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ୧୮୩୭ରେ । ତାହା ଥିଲା ଓଡ଼ିଶାର ପ୍ରଥମ ବିଦ୍ୟାଳୟ ।
ଆଜିବି ସେ ବିଦ୍ୟାଳୟ କଟକର ମଧୁସୂଦନ ମାର୍ଗରେ ଅଛି । ତାକୁ ଏବେ ଓଡ଼ିଶାର ଖ୍ରୀଷ୍ଟୀୟ ମିଶନାରୀମାନେ ସଫଳତାର ସହ ପରିଚାଳନା କରୁଛନ୍ତି । ଏବେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ।
ଶତପ୍ରଣାମ ସେହି ୧୮୨ ବର୍ଷ ପ୍ରାଚୀନ ବିଦ୍ୟାଳୟକୁ, ଯେଉଁଠାରୁ ଓଡ଼ିଶାରେ ଆଧୁନିକ ଶିକ୍ଷାବିସ୍ତାରର ଭିତ୍ତି ସ୍ଥାପିତ ହୋଇଥିଲା ।
ବଦେ ଉତ୍କଳ ଜନନୀ II ବନ୍ଦେ କଟକ II
ମୂଳ ଲେଖା ଓ ତଥ୍ୟ: Sri Hussain Rabi Gandhi, Cuttack