ସୌରଭିତ ସୃଷ୍ଟି: ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
~ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡିଶା ~
ପ୍ରାଚୀନ ଯୁଗରୁ ଓଡ଼ିଶା ଭୂଖଣ୍ଡ ଓଡ୍ର, ଓଡ୍ରବିଷୟ, ଉଡ୍ର, କଳିଙ୍ଗ, ଉତ୍କଳିଙ୍ଗ, ତୋଷଳ, ଓଡ଼ିଶା ପ୍ରଭୃତି ବହୁ ନାମରେ ପରିଚିତ ଥିଲା। ଉତ୍ତରରେ ପୁଣ୍ୟତୋୟା ଗଙ୍ଗା, ଦକ୍ଷିଣରେ ପାପନାଶିନୀ ଗୋଦାଵରୀ, ପୂର୍ଵରେ ମହାତୀର୍ଥ ମହୋଦଧି ଏବଂ ପଶ୍ଚିମରେ ଗିରିତୀର୍ଥ ଅମରକଣ୍ଟକ ପ୍ରାଚୀନ ଓଡ଼ିଶାର ପରିସୀମା ରୂପେ ଚିହ୍ନିତ ଥିଲା। ବିଭିନ୍ନ ପରିସ୍ଥିତିରେ ଓଡ଼ିଶା ଭୂଖଣ୍ଡର ଉତ୍ତରାଂଶ, ପଶ୍ଚିମାଂଶ ଓ ଦକ୍ଷିମାଂଶର ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ବାଦ୍ ଦେଇ ଏକ ଖଣ୍ଡିତ ଓଡ଼ିଶାକୁ ୧୯୩୬ ଅପ୍ରେଲ ୧ ତାରିଖଠାରୁ ଓଡ଼ିଶା ପ୍ରଦେଶ ରୂପେ ପରିଚିହ୍ନିତ ହେଲା। ପ୍ରାଚୀନ ସାହିତ୍ୟ, ଶିଳାଲେଖ, ତାମ୍ରପତ୍ର ତଥା ବିଦେଶୀ ପରିବ୍ରାଜକଙ୍କ ବିବରଣୀରେ ଓଡ଼ିଶା ଏକ ସମୃଦ୍ଧିଶାଳୀ, ସାମରିକ ଶକ୍ତି ସମ୍ପନ୍ନ, ଐଶ୍ବର୍ଯ୍ୟ ପରିପୂର୍ଣ୍ଣ, ଉତ୍କୃଷ୍ଟ କଳାକୌଶଳ ଜ୍ଞାତ ତଥା ସାମୁଦ୍ରିକ ବାଣିଜ୍ୟ ସମୃଦ୍ଧ ରାଜ୍ୟ ରୂପେ ଚିତ୍ରିତ। ପ୍ରାଚୀନ କାଳରୁ ଓଡ଼ିଆମାନେ ସାମୁଦ୍ରିକ ବାଣିଜ୍ୟ ମାଧ୍ୟମରେ ଦୂରଦୂରାନ୍ତ ଦରିଆପାରି ଦେଶମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ସେହିସବୁ ଦେଶରୁ ପରିଵ୍ରାଜକମାନେ ଓଡ଼ିଶାର ପ୍ରାକୃତିକ ଶୋଭା ଓ କଳା କାରିଗରୀରେ ଆକୃଷ୍ଟ ହୋଇ ଆଗମନ କରିଥିଲେ। ଏହି ଦୃଷ୍ଟିକୋଣରୁ ପ୍ରମାଣିତ ହୁଏ, ଓଡ଼ିଶା ପ୍ରାଚୀନ କାଳରୁ ଵିଶ୍ଵର ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ଆସନ ଅଳଙ୍କୃତ କରିଥିଲା।
![](https://antarangakalinga.org/wp-content/uploads/2022/02/s12-300x225.jpg)
![](https://antarangakalinga.org/wp-content/uploads/2022/02/m3-1-300x135.jpg)
![](https://antarangakalinga.org/wp-content/uploads/2022/03/a23-300x169.jpg)
![](https://antarangakalinga.org/wp-content/uploads/2022/04/ctc-300x225.jpg)
ପ୍ରାକୃତିକ ରୂପଲାବଣ୍ୟଭରା ଓଡ଼ିଶାର ନୀଳାଚଳ, ମହେନ୍ଦ୍ରାଚଳ, ସ୍ଵର୍ଣ୍ଣାଚଳ, ବ୍ରହ୍ମାଦ୍ରି, କପିଳାସ, ଗନ୍ଧମାର୍ଦ୍ଦନ, ମାଲ୍ୟଗିରି, ରାମଗିରି, ଖଣ୍ଡଗିରି, ଉଦୟଗିରି, ଲଳିତଗିରି, ସୁରଭଗିରି, ମଣିନାଗ, ସପ୍ତଶଯ୍ୟା ଓ ମେଘାସନ ପ୍ରଭୃତି ଗିରିପର୍ଵତ, ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଚିତ୍ରୋତ୍ପଳା, ବିରୂପା, ପ୍ରାଚୀ, ଋଷିକୁଲ୍ୟା, ବଂଶଧାରା, ସୁଵର୍ଣ୍ଣରେଖା ଓ ବୁଢାବଳଙ୍ଗ ପ୍ରଭୃତି ନଦୀ, ଶ୍ରୀକ୍ଷେତ୍ର, ଏକାମ୍ରକ୍ଷେତ୍ର, ଅର୍କକ୍ଷେତ୍ର, ଗଦାକ୍ଷେତ୍ର, କପିଳାସ କ୍ଷେତ୍ର, ନୃସିଂହ କ୍ଷେତ୍ର, ତୁଳସୀ କ୍ଷେତ୍ର, ମହାଵିନାୟକ କ୍ଷେତ୍ର ପ୍ରଭୃତି ଦେଶୀଵିଦେଶୀ ପର୍ଯ୍ୟଟକଙ୍କର ଆକର୍ଷଣ ଥିଲା।
![](https://antarangakalinga.org/wp-content/uploads/2022/03/a1-135x300.jpg)
![](https://antarangakalinga.org/wp-content/uploads/2022/03/b6-135x300.jpg)
![](https://antarangakalinga.org/wp-content/uploads/2022/03/a17-135x300.jpg)
![](https://antarangakalinga.org/wp-content/uploads/2022/03/b16-135x300.jpg)
ପର୍ଯ୍ୟଟକମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିର୍ମିତ ମନ୍ଦିରର କାରୁକାର୍ଯ୍ୟ ଓ କଳାସ୍ଥାପତ୍ୟ ଦେଖି ଵିସ୍ମିତ ଓ ଵିମୋହିତ ହୋଇଯାଉଥିଲେ। ପରିଵ୍ରାଜକମାନଙ୍କର ଅନ୍ୟତମ ଆକର୍ଷଣ ଥିଲା ଓଡ଼ିଶାର ଖଣ୍ଡାଧାର, ପ୍ରଧାନପାଟ ଓ ବରେହିପାଣି ଜଳପ୍ରପାତ ତଥା ଅଟ୍ରି, ତପ୍ତପାଣି ଓ ଦେଉଳଝରୀ ପ୍ରଭୃତି ଉଷ୍ମପ୍ରସଵଣ। ପ୍ରାଚୀନ ଯୁଗରୁ ଓଡ଼ିଶାର ରତ୍ନଗିରି, ଉଦୟଗିରି, ଲଳିତଗିରି, ତାରାପୁର, ଷୋଳମ୍’ପୁର, ବାଣାସୁରନାସୀ, ଵ୍ରଜଗିରି, କାଏମା ପ୍ରଭୃତି ସ୍ଥାନରେ ଅନେକ ବୌଦ୍ଧବିହାର ଓ ଅସଂଖ୍ୟ ବୌଦ୍ଧକୀର୍ତ୍ତି ନିର୍ମିତ ହୋଇ ଓଡ଼ିଶା ବିଶ୍ଵ ଦରବାରରେ ବୌଦ୍ଧଭୂଖଣ୍ଡ ରୂପେ ପରିଚିତ ହୋଇଥିଲା। ଫଳରେ ଅଗଣିତ ବୌଦ୍ଧଭିକ୍ଷୁ ଓ ପର୍ଯ୍ୟଟକ ଚୀନ୍, ଜାପାନ, ଥାଇଲାଣ୍ଡ, ବ୍ରହ୍ମଦେଶ ଓ ସିଂହଳ ପ୍ରଭୃତି ଦେଶରୁ ଓଡ଼ିଶାକୁ ଆଗମନ କରିଥିଲେ।
![](https://antarangakalinga.org/wp-content/uploads/2022/01/j9-1-154x300.jpg)
![](https://antarangakalinga.org/wp-content/uploads/2022/01/l13-1-135x300.jpg)
![](https://antarangakalinga.org/wp-content/uploads/2022/02/k13-135x300.jpg)
![](https://antarangakalinga.org/wp-content/uploads/2022/01/j10-1-146x300.jpg)
ସଂକ୍ଷେପରେ ଉଲ୍ଲେଖ କଲେ ଓଡ଼ିଶାର ପୁରୀ, କୋଣାର୍କ, ଭୁବନେଶ୍ଵର, ଯାଜପୁର ଓ ବୌଦ୍ଧ କୀର୍ତ୍ତିରାଜି ଥିଲା ବିଦେଶୀ ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣ। ବିଦେଶୀ ପର୍ଯ୍ୟଟକଙ୍କ ଓଡ଼ିଶାକୁ ଅନାୟାସରେ ଯାତାୟାତ କରିବାର ପ୍ରବେଶ ଦ୍ବାର ଥିଲା ଅନେକ ପ୍ରାକୃତିକ ବନ୍ଦର। ଏହି ପ୍ରାଚୀନ ପ୍ରାକୃତିକ ବନ୍ଦର ମଧ୍ୟରେ ନନିଗେନ (ପୁରୀ), କଟିକର୍ଦ୍ଦମ (କଟକ), କୋଣଗର (କୋଣାର୍କ), କୋଳାମ୍ବ (ବାଲେଶ୍ୱର), ପୁଲୁର (ଜଳେଶ୍ୱର), ମନଦ(ମହାନଦୀ), ତିଳିସ୍ (ବ୍ରାହ୍ମଣୀ), ଦୋସରମ୍ (ବୈତରଣୀ), ଅଦମସ୍ (ସୁବର୍ଣ୍ଣରେଖା), ପକୁରା (ଗଞ୍ଜାମ) ଓ ପାଲୁର ପ୍ରଭୃତି ପ୍ରଧାନ। ପର୍ଯ୍ୟଟକମାନେ ଜଳଜାହାଜରେ ଆସି ଏହି ସବୁ ବନ୍ଦରମାନଙ୍କରେ ପହଞ୍ଚିଵା ପରେ ଵିଭିନ୍ନ ନଦୀ ପଥରେ ନୌକାଦ୍ବାରା ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳକୁ ଯାଇ ପାରୁଥିଲେ ତଥା ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାକୃତିକ ଶୋଭାରାଜି ସହିତ ନୌଯାତ୍ରାକୁ ବେଶ୍ ଉପଭୋଗ କରୁଥିଲେ। ଵିଭିନ୍ନ କାରୁକାର୍ଯ୍ୟପୂର୍ଣ୍ଣ କୀର୍ତ୍ତିରାଜି ଓ ପ୍ରାକୃତିକ ଶୋଭା ଦର୍ଶନ ପରେ ପର୍ଯ୍ୟଟକମାନେ ପ୍ରତ୍ୟାଵର୍ତ୍ତନ କାଳରେ ଓଡ଼ିଶାରେ ମିଳୁଥିଵା ହାତୀଦାନ୍ତ, ସୂକ୍ଷ୍ମଵସ୍ତ୍ର, ପଟ୍ଟଵସ୍ତ୍ର, ସୌଖୀନ ହସ୍ତଶିଳ୍ପ ସାମଗ୍ରୀ, ମୂଲ୍ୟଵାନ ରତ୍ନପଥର ଓ ଚାନ୍ଦୁଆ ତଥା ସୁନା ରୂପାର ତାରକସି ଗହଣା ସ୍ଵଦେଶକୁ ନେଉଥିଲେ। ଓଡ଼ିଆଙ୍କ ଆତିଥ୍ୟ ଵିଦେଶୀ ପର୍ଯ୍ୟଟକଙ୍କୁ ମୁଗ୍ଧ କରିଥିଲା। ଏହି କାରଣରୁ ପର୍ଯ୍ୟଟକମାନଙ୍କ ଦୃଷ୍ଟିରେ ଓଡ଼ିଶା ଥିଲା ‘ପର୍ଯ୍ୟଟକଙ୍କର ଭୂସ୍ୱର୍ଗ’। ଇଂରେଜମାନେ ଓଡ଼ିଶା ଅଧିକାର କରିଵା ପରେ ଓଡ଼ିଶାର ନୌଵାଣିଜ୍ୟ ବନ୍ଦ ହୋଇଯାଇଥିଲା ତଥା ଇଂରେଜ ସରକାରଙ୍କ କଟକଣା ଯୋଗୁଁ ଓଡ଼ିଶାକୁ ପର୍ଯ୍ୟଟକମାନଙ୍କ ଆଗମନ ପ୍ରାୟ ବନ୍ଦ ହୋଇଥିଲା ।
![](https://antarangakalinga.org/wp-content/uploads/2022/02/s1-1-300x225.jpg)
![](https://antarangakalinga.org/wp-content/uploads/2022/03/p5-300x298.jpg)
![](https://antarangakalinga.org/wp-content/uploads/2022/03/v28-300x135.jpg)
![](https://antarangakalinga.org/wp-content/uploads/2022/02/k2-2.jpg)
ଦେଶ ସ୍ଵାଧୀନ ହେଵା ପରେ ଓଡ଼ିଶା ସରକାର ପର୍ଯ୍ୟଟନ ଵିଭାଗ ଖୋଲିଲେ ଏବଂ ପର୍ଯ୍ୟଟନକୁ ଗୋଟିଏ ଅର୍ଥକରୀ ଶିଳ୍ପର ମାନ୍ୟତା ପ୍ରଦାନ କଲେ। ଓଡ଼ିଶାର ପର୍ଯ୍ୟଟନ ଵିଭାଗ ମଧ୍ୟ ପର୍ଯ୍ୟଟନର ଵିକାଶ ଘଟାଇ ହୃତଗୌରଵ ଫେରାଇ ଆଣିଵାକୁ ପଦକ୍ଷେପ ନେଲେ। ସେଥି ନିମିତ୍ତ ଓଡ଼ିଶାର କୋଣ ଅନୁକୋଣରେ ଥିଵା ଵିଭିନ୍ନ ପର୍ଯ୍ୟଟନସ୍ଥଳୀ ଚିହ୍ନଟ କରାଗଲା ଓ ସେହି ସବୁ ସ୍ଥାନକୁ ଯାତାୟାତର ସୁଵିଧା କରାଗଲା, ପର୍ଯ୍ୟଟକମାନଙ୍କ ରହିଵା ନିମିତ୍ତ ନିଵାସସ୍ଥଳୀ ନିର୍ମାଣ କରାଗଲା ଏଵଂ ଅନ୍ୟାନ୍ୟ ଆନୁଷଙ୍ଗିକ ଵିଧିଵ୍ୟଵସ୍ଥା ଗ୍ରହଣ କରାଗଲା। ଵର୍ତ୍ତମାନ ଵିଦେଶୀ ପର୍ଯ୍ୟଟକମାନେ ଜଳଜାହାଜ ପରିଵର୍ତ୍ତେ ଉଡାଜାହାଜରେ ଆସୁଥିଵାରୁ ଵିଭିନ୍ନ ଉଡାଜାହାଜ ଉଡାଣ କେନ୍ଦ୍ରରେ ପର୍ଯ୍ୟଟକମାନଙ୍କୁ ସ୍ବାଗତ କରାଯିଵା ନିମିତ୍ତ ଵିଧିଵ୍ୟଵସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀ, କୋଲକତା, ମୁମ୍ବାଇ ପ୍ରଭୃତି ସହରରେ ପର୍ଯ୍ୟଟକମାନଙ୍କ ଅଵଗତ ନିମିତ୍ତ ସୂଚନା କେନ୍ଦ୍ର ମାନ ଖୋଲାଯାଇଛି। ପର୍ଯ୍ୟଟକମାନଙ୍କୁ ଵିଭିନ୍ନ ସ୍ଥଳୀ ବୁଲାଇଵା ନିମିତ୍ତ ଗାଡି଼ ଓ ପଦାଧ୍ୟାକାରୀ ନିଯୁକ୍ତ ହୋଇଛନ୍ତି। ଅଧିକନ୍ତୁ ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳୀର ଇତିହାସ, ପରମ୍ପରା ଓ ମହାତ୍ମ୍ୟ ସମ୍ପର୍କରେ ପର୍ଯ୍ୟଟକମାନଙ୍କୁ ବୁଝାଇଵା ନିମିତ୍ତ ମାର୍ଗଦର୍ଶକ ନିଯୁକ୍ତ ହୋଇଛନ୍ତି। ଏହା ସତ୍ୟ ଯେ, ଭାରତର ଅନ୍ୟାନ୍ୟ ସ୍ଥାନ ଅପେକ୍ଷା ଓଡ଼ିଶାରେ ଅଧିକ ପର୍ଯ୍ୟଟନସ୍ଥଳୀ ରହିଛି ତଥା ଓଡ଼ିଶାର ଵିଭିନ୍ନ ପର୍ଯ୍ୟଟନସ୍ଥଳୀ ଦର୍ଶନ କରିଵାକୁ ଵିଦେଶୀ ପର୍ଯ୍ୟଟକମାନେ ଆଗ୍ରହ ପ୍ରକାଶ କରୁଅଛନ୍ତି।
![](https://antarangakalinga.org/wp-content/uploads/2022/03/ls103-240x300.jpg)
![](https://antarangakalinga.org/wp-content/uploads/2022/04/k15-214x300.jpg)
![](https://antarangakalinga.org/wp-content/uploads/2022/04/a13-1-189x300.jpg)
![](https://antarangakalinga.org/wp-content/uploads/2022/03/p3-169x300.jpg)
ଓଡ଼ିଶାର ପର୍ଯ୍ୟଟନ ଵିଭାଗ ବିଭିନ୍ନ ଜିଲ୍ଲାରେ ଅଵସ୍ଥିତ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ୩୪୦ ଗୋଟି ସ୍ଥଳୀକୁ ପର୍ଯ୍ୟଟନ କେନ୍ଦ୍ର ରୂପେ ଚିହ୍ନଟ କରିଛନ୍ତି। ସେହି ଚିହ୍ନଟ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ପୁରୀ, କୋଣାର୍କ, ଚିଲିକା, ଭୁବନେଶ୍ବର, କପିଳାସ, ଯାଜପୁର, ଟିକରପଡା଼, ଖଣ୍ଡାଧାର, ପ୍ରଧାନପାଟ, ନୃସିଂହନାଥ, ହରିଶଙ୍କର, ଚାନ୍ଦିପୁର, ପଞ୍ଚଲିଙ୍ଗେଶ୍ଵର, ରାଇବଣିଆ, ରେମୁଣା, ଆରଡି, ଚାନ୍ଦବାଲି, ଧାମରା, ଧଵଳେଶ୍ବର, ଭଟ୍ଟାରିକା, ସିଂହନାଥ, ନିଆଳୀ, ଯୋରନ୍ଦା, ସପ୍ତଶଯ୍ୟା, ମହେନ୍ଦ୍ରଗିରି, ଚନ୍ଦ୍ରଗିରି, ପାରାଦୀପ, ଲଳିତଗିରି, ରତ୍ନଗିରି, ଉଦୟଗିରି, ଯାଜପୁର, ଛତିଆ, ମହାଵିନାୟକ, କାଏମା, ରାଧାନଗର, ଵିକ୍ରମଖୋଲ, ଦାରିଙ୍ଗିବାଡି, ଦେଓଗାଁ କୁଶଳେଶ୍ବର, ଘଟଗାଁ, ଗୋନାସିକା, ଅଟ୍ରି, ଭୁଵନେଶ୍ୱର, ଧଉଳି, ଖଣ୍ଡଗିରି, ଉଦୟଗିରି, ନନ୍ଦନକାନନ, ହୀରାପୁର, କେନ୍ଦୁଲି, ଗୁପ୍ତେଶ୍ଵର, ନିନ୍ଦପୁର, ଖୁଙ୍ଗ, ସିମିଳିପାଳ, ଓଡଗାଁ, କଣ୍ଟିଲୋ, ଗନ୍ଧରାଡି, ଅସ୍ତରଙ୍ଗ, ଚୌରାଶୀ, କୁରମ, ମାଣିକପାଟଣା, ପିପିଲି, ରଘୁରାଜପୁର, ସାକ୍ଷୀଗୋପାଳ, ହୀରାକୁଦ, ହୁମା, ବିନିକା, ସୋନପୁର, ଉଷାକୋଠୀ ଓ ଵେଦଵ୍ୟାସ ପ୍ରଭୃତି ପ୍ରଧାନ। ଏତଦ୍ଭିନ୍ନ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ ରହିଛି।
![](https://antarangakalinga.org/wp-content/uploads/2022/05/g10-135x300.jpg)
![](https://antarangakalinga.org/wp-content/uploads/2022/05/g5-135x300.jpg)
![](https://antarangakalinga.org/wp-content/uploads/2022/04/g5-135x300.jpg)
![](https://antarangakalinga.org/wp-content/uploads/2022/03/b12-135x300.jpg)
ଅଦ୍ୟାଵଧି ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ରାସ୍ତା ନିର୍ମାଣ ହୋଇ ପାରିନାହିଁ। କେତେଗୋଟି ମୁଖ୍ୟ ସ୍ଥାନ ଵ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ପର୍ଯ୍ୟଟକମାନଙ୍କ ରହିଵା ନିମିତ୍ତ ଵିଶ୍ରାମସ୍ଥଳୀ ନିର୍ମାଣ ହୋଇ ପାରିନାହିଁ। ଅର୍ଥାଭାଵରୁ ଅନ୍ୟାନ୍ୟ ଆନୁଷଙ୍ଗିକ ସୁଵିଧା କରାଯାଇ ପାରି ନଥିଲେ ହେଁ ସେହି ସ୍ଥାନଗୁଡିକର ପ୍ରସିଦ୍ଧି ରହିଛି। ଦୁଃଖର ଵିଷୟ, ଯାଜପୁର ଜିଲ୍ଲାର ଜାରକା ନିକଟସ୍ଥ ତାରାପୁର ପାହାଡ଼ରେ ଵିଶ୍ବର ପ୍ରଥମ ବୌଦ୍ଧସ୍ତୂପ ଅର୍ଥାତ୍ ଭିକ୍ଷୁ ତପସୁଙ୍କ ଦ୍ବାରା ନିର୍ମିତ କେଶସ୍ତୁପ ରହିଥିଲେ ହେଁ ଅନେକ ଏ ଵିଷୟରେ ଜାଣନ୍ତି ନାହିଁ। ନିକଟ ଅତୀତରେ ଲକ୍ଷ୍ନୌରୁ ଭାରତୀୟ ପ୍ରତ୍ନତତ୍ତ୍ଵ ଵିଭାଗର ଉପନିର୍ଦ୍ଦେଶକ ଡକ୍ଟର ଜୟପ୍ରକାଶ ଆସି ଏହାର ଶିଳାଲେଖ ପାଠ କରିଥିଲେ। କିନ୍ତୁ ପ୍ରଚାର ପ୍ରସାର ଅଭାଵରୁ ଵିଶ୍ଵର ଏହି ପ୍ରଥମ ବୌଦ୍ଧସ୍ତୂପ ଲୋକଲୋଚନ ଅଗୋଚରରେ।
![](https://antarangakalinga.org/wp-content/uploads/2022/04/s7-1-165x300.jpg)
![](https://antarangakalinga.org/wp-content/uploads/2022/04/a19-132x300.jpg)
![](https://antarangakalinga.org/wp-content/uploads/2022/04/a27-135x300.jpg)
![](https://antarangakalinga.org/wp-content/uploads/2022/03/v10-139x300.jpg)
୨୦୧୩ ମସିହାରେ ଏହି ଲେଖକ ପତରାଜପୁରରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀରେ ବୌଦ୍ଧତନ୍ତ୍ର ଉପରେ ବକ୍ତବ୍ୟ ପ୍ରଦାନ କରିବାକୁ ଯାଇଥିଲା। ଏହି ଅବସରରେ କେତେକ ବୌଦ୍ଧ ଭିକ୍ଷୁ ଓ ଗବେଷକଙ୍କ ସହିତ ଆଲୋଚନାକ୍ରମରେ ଜାଣିବାକୁ ପାଇଲା ଯେ ଚୀନ୍ ଦେଶରେ କେତେକ ବୌଦ୍ଧସ୍ଥଳୀକୁ ସ୍ଥଳପଥ ଓ ଆକାଶ ପଥରେ ସଂଯୋଗ କରାଯାଇଛି। ତଦନୁରୂପ ରନ୍ଗିରି, ଉଦୟଗିରି, ଲଳିତଗିରି ପ୍ରଭୃତି ବୌଦ୍ଧପୀଠ ସହିତ ବିଶ୍ବର ପ୍ରଥମ ବୌଦ୍ଧସ୍ତୂପ ଥିବା ତାରାପୁର ପାହାଡକୁ ଯଦି ସ୍ଥଳପଥ ଓ ଆକାଶ ପଥରେ ସଂଯୁକ୍ତ କରାଯାଇ ପାରନ୍ତା ତେବେ ଏହି ପର୍ଯ୍ୟଟନ ସ୍ଥଳୀଟି ବିଶ୍ବର ଶ୍ରେଷ୍ଠ ଆକର୍ଷଣୀୟ ସ୍ଥଳୀରେ ପରିଣତ ହୋଇପାରନ୍ତା।
![](https://antarangakalinga.org/wp-content/uploads/2022/04/a11-161x300.jpg)
![](https://antarangakalinga.org/wp-content/uploads/2022/04/s1-1-169x300.jpg)
![](https://antarangakalinga.org/wp-content/uploads/2022/04/a2-1-157x300.jpg)
![](https://antarangakalinga.org/wp-content/uploads/2022/03/a13-1-169x300.jpg)
ଓଡ଼ିଶାର ଅନେକ ପ୍ରାଚୀନସ୍ଥଳୀ ଅଦ୍ୟାବଧି ପର୍ଯ୍ୟଟନ ସ୍ଥଳୀ ରୂପେ ଉଦ୍ଘୋଷିତ ହୋଇପାରିନାହିଁ। ତନ୍ମଧ୍ୟରେ ବାଲେଶ୍ଵର ଜିଲ୍ଲାର ଷଷ୍ଠ ଶତାବ୍ଦୀର ଜୟରାମପୁର ବୌଦ୍ଧବିହାର, ଭଦ୍ରଖ ଜିଲ୍ଲାର ଅଷ୍ଟମ ଶତାବ୍ଦୀର ଷୋଳପୁର ମହାବିହାର ଓ ସପ୍ତମ ଶତାବ୍ଦୀର ଅନ୍ନପୁର ସପ୍ତମାତୃକା ପୀଠ, ଯାଜପୁର ଜିଲ୍ଲାର ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର କେଶସ୍ତୁପ, ଢେଙ୍କାନାଳ ଜିଲ୍ଲାର ମାର୍ଥାପୁର ଶାସନରେ ଥିବା ପ୍ରାଚୀନ ବାଲୁଙ୍କେଶ୍ବର ପୀଠ, ପରଜଙ୍ଗ ଥାନାର ଦ୍ବିତୀୟ କପିଳାସ ପଥରଗଡ, ଗଁଦିଆ ଥାନାର ଦ୍ବାଦଶ ଶତାବ୍ଦୀର ନାଗନାଥେଶ୍ବର ପୀଠ, ନୟାଗଡର ଜଗନ୍ନାଥ ମନ୍ଦିର, ପ୍ରାଚୀନ ଭୀମନଗରୀର ରାମଚଣ୍ଡୀ ପୀଠ, ଜଗତ୍ସିଂହପୁର ଜିଲ୍ଲାର ସପ୍ତମ ଶତାବ୍ଦୀର କୁଣ୍ଡେଶ୍ଵର ସପ୍ତମାତୃକା ପୀଠ, କାମାକ୍ଷା ନଗର ସନ୍ନିକଟ ରାମେଶ୍ବର ଓ କପିଳେଶ୍ବର ପୀଠ, ଢେଙ୍କାନାଳ ଜିଲ୍ଲାର ଅଶ୍ୱଖୋଲ ଓ ଗଣେଶ ଖୋଲ ପ୍ରଭୃତି ଅନ୍ୟତମ। ଏତଦ୍ଭିନ୍ନ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ ରହିଛି।
![](https://antarangakalinga.org/wp-content/uploads/2022/04/k1-161x300.jpg)
![](https://antarangakalinga.org/wp-content/uploads/2022/03/a3-1-165x300.jpg)
![](https://antarangakalinga.org/wp-content/uploads/2022/03/a24-169x300.jpg)
![](https://antarangakalinga.org/wp-content/uploads/2022/03/b13-1-157x300.jpg)
ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀର ପରିଚୟ ଓ ଯାତାୟାତ ସମ୍ପର୍କୀୟ ପୁସ୍ତିକା ଅଦ୍ୟାବଧି ପ୍ରକାଶିତ ହୋଇନାହିଁ, ଯେଉଁ ପୁସ୍ତିକାରେ ସକଳ ତଥ୍ୟ, ରାସ୍ତା ଓ ବିବରଣ ଉପଲବ୍ଧ ହୋଇପାରିବ। ତେଣୁ ଉଦ୍ଘୋଷିତ ହୋଇଥିବା ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ମଧ୍ୟ ଅନେକ ବ୍ୟକ୍ତି ଜାଣି ପାରୁନାହାନ୍ତି। ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକ କେଉଁଥି ପାଇଁ ପ୍ରସିଦ୍ଧ ଓ ସେସବୁ ସ୍ଥାନକୁ ଯାତାୟାତ ସମ୍ପର୍କୀୟ ପୁସ୍ତିକା ଅଦ୍ୟାବଧି ପ୍ରକାଶିତ ହୋଇନାହିଁ, ଯେଉଁ ପୁସ୍ତିକାରେ ସକଳ ତଥ୍ୟ, ରାସ୍ତା ଓ ବିବରଣ ଉପଲବ୍ଧ ହୋଇପାରିବ। ତେଣୁ ଉଦ୍ଘୋଷିତ ହୋଇଥିବା ସ୍ଥଳୀ ସମ୍ପର୍କରେ ମଧ୍ୟ ଅନେକ ବ୍ୟକ୍ତି ଜାଣି ପାରୁ ନାହାନ୍ତି। ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକ କେଉଁଥି ପାଇଁ ପ୍ରସିଦ୍ଧ ସେ ବିଷୟରେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି।
![](https://antarangakalinga.org/wp-content/uploads/2022/03/j5-135x300.jpg)
![](https://antarangakalinga.org/wp-content/uploads/2022/03/b37-135x300.jpg)
![](https://antarangakalinga.org/wp-content/uploads/2022/04/s4-135x300.jpg)
![](https://antarangakalinga.org/wp-content/uploads/2022/03/j13-135x300.jpg)
ବିଦେଶରୁ ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକମାନେ କେବଳ ପୁରୀ, କୋଣାର୍କ, ଭୁବନେଶ୍ଵର ତଥା ଉପକୂଳ ଅଞ୍ଚଳରେ ଥିବା ବୌଦ୍ଧକୀର୍ତ୍ତି ଦର୍ଶନ କରୁଛନ୍ତି ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳୀ ଦର୍ଶନ କରିବାରୁ ବଂଚିତ ହେଉଛନ୍ତି। ସେମାନେ ଓଡ଼ିଶାର ସକଳ ପର୍ଯ୍ୟଟନ ସ୍ଥଳୀ ଦର୍ଶନ କରିବାର ବିଧିବ୍ୟବସ୍ଥା କରାଯାଇ ପାରିଲେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ସୁଦୃଢ ହୋଇପାରିବ। ଓଡ଼ିଶାର ପର୍ଯ୍ୟଟନ ବିଭାଗ ଦେଶୀବିଦେଶୀ ପର୍ଯ୍ୟଟକଙ୍କ ନିମିତ୍ତ ବହୁବିଧ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ପର୍ଯ୍ୟଟନମାନଙ୍କୁ ଆକର୍ଷଣ କରିବା ନିମିତ୍ତ ଓଡ଼ିଶା ଭିତରେ କୋଣାର୍କ ମହୋତ୍ସବ, ମୁକ୍ତେଶ୍ଵର ମହୋତ୍ସବ, ରାଜାରାଣୀ ସଂଗୀତ ଉତ୍ସବ ଆୟୋଜନ କରିବା ସହିତ ବିଭିନ୍ନ ଘରୋଇ ଅନୁଷ୍ଠାନକୁ ଅନୁଦାନ ପ୍ରଦାନ ପୂର୍ବକ ବ୍ୟାପକ ମହୋତ୍ସବର ବ୍ୟବସ୍ଥା ପର୍ଯ୍ୟଟନ ବିଭାଗର ଆନୁକୂଲ୍ୟରେ ହୋଇ ପାରିଛି। ପର୍ଯ୍ୟଟନ ବିଭାଗ ଦ୍ବାରା ଓଡ଼ିଶା ବାହାରେ କୋଲକତା, ଦିଲ୍ଲୀ, ଚେନାଇ, ମୁମ୍ବାଇ ପ୍ରଭୃତି ସ୍ଥାନରେ ଏବଂ ଭାରତ ବାହାରେ ସିଙ୍ଗାପୁର ପ୍ରଭୃତି ସ୍ଥାନରେ ମହୋତ୍ସବ ଅନୁଷ୍ଠିତ ହୋଇ ବିଶେଷ ଆଦୃତି ଲାଭ କରିଛି।
![](https://antarangakalinga.org/wp-content/uploads/2022/04/b7-300x135.jpg)
![](https://antarangakalinga.org/wp-content/uploads/2022/04/k1-2-300x170.jpg)
![](https://antarangakalinga.org/wp-content/uploads/2022/04/a7-300x135.jpg)
![](https://antarangakalinga.org/wp-content/uploads/2022/04/k11-300x135.jpg)
ରଥଯାତ୍ରା ଓ ବିଭିନ୍ନ ମହୋତ୍ସବ ସମୟରେ ପର୍ଯ୍ୟଟକମାନଙ୍କ ନିମିତ୍ତ ସ୍ବତନ୍ତ୍ର ବସର ବ୍ୟବସ୍ଥା କରି ଓଡ଼ିଶାର ପର୍ଯ୍ୟଟନ ବିଭାଗ ପ୍ରଶଂସିତ ହୋଇଛି। ଅଧିକରୁ ଅଧିକ କାର୍ଯ୍ୟକ୍ରମ କରିବାକୁ ପର୍ଯ୍ୟଟନ ବିଭାଗ ଯୋଜନାୟିତ ପ୍ରଚେଷ୍ଟା ଜାରି ରଖୁଛି। ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶା ବିଶ୍ବର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ସ୍ୱରୂପରେ ସୁବିଖ୍ୟାତ। ଓଡ଼ିଶାର ଶିଳ୍ପ, କଳା, ସ୍ଥାପତ୍ୟ, ସଙ୍ଗୀତ ଓ ନୃତ୍ୟ ଦୀର୍ଘକାଳଧରି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଛି। ବିଶେଷତଃ ସ୍ଵାଧୀନତା ପରେ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବିବିଧ କାର୍ଯ୍ୟକ୍ରମ, ମହୋତ୍ସବ, ସମ୍ମିଳନୀ ପ୍ରଭୃତି ଅନୁଷ୍ଠିତ ହୋଇ ବିଶ୍ଵ ଦରବାରରେ ଓଡ଼ିଶାର ପର୍ଯ୍ୟଟନ ଏକ ସ୍ବତନ୍ତ୍ର ଆସନରେ ଅଧିଷ୍ଠିତ ତଥା ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ପର୍ଯ୍ୟଟକମାନଙ୍କ ଭୂସ୍ୱର୍ଗ ସ୍ଵରୂପରେ ପରିଚିହ୍ନିତ।
![](https://antarangakalinga.org/wp-content/uploads/2022/03/b23-135x300.jpg)
© #ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
Courtesy: Biswajit Baral