ଓଡ଼ିଆ ପତ୍ରପତ୍ରିକା

ଲେଖା: ଦେଵ ତ୍ରିପାଠୀ
ଉନବିଂଶ ଶତାବ୍ଦୀର ସତୁରୀ ଓ ଅଶୀ ଦଶକ ବାସ୍ତବିକ ଓଡ଼ିଆ ପତ୍ରପତ୍ରିକା ଜଗତ ନିମନ୍ତେ ଥିଲା ସଂଘାତ ଓ ସଂଘର୍ଷର ଯୁଗ ! କଟକ ମାଟିରେ #ଉତ୍କଳ_ଦୀପିକା ଭାଷାପ୍ରେମକୁ ନେଇ ଯେଉଁ ନବଉନ୍ମାଦନା ଓ ନବଚେତନାର ଉନ୍ମେଷ ସୃଷ୍ଟି କରିଥିଲା, ସେଥିରେ ଯୋଡ଼ି ହେଇଥିଲା ବହୁ ଐତିହାସିକ ଘଟଣା ! ସେ ସମସ୍ତ ଘଟଣାକୁ ଅବଲୋକନ ନ କଲେ, ଓଡ଼ିଆ ପତ୍ରପତ୍ରିକା ଜଗତ ଯେ ଓଡ଼ିଆଙ୍କ ଜନଜୀବନରେ କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା, ତାହା ଆକଳନ କରିହୁଏନା !
୧. ଲର୍ଡ୍ ହେଷ୍ଟିଙ୍ଗ୍ସଙ୍କ ଦ୍ଵାରା ୧୮୨୧ ମସିହାରେ ଦେଶରେ ଖ୍ରୀଷ୍ଟଧର୍ମ ପ୍ରଚାର ବିରୋଧ କଟକଣା ଉଠାଇଦେବା ଦିନଠାରୁ ପାଦ୍ରୀମାନଙ୍କର ଅବାଧ ଧର୍ମାନ୍ତରୀକରଣ ଯୋଗୁଁ ଦଶନ୍ଧି ଦଶନ୍ଧି ଧରି ଓଡ଼ିଆଏ ଆକ୍ତାମାକ୍ତା ହୋଇ ଆସିଲା ବେଳକୁ, ବଙ୍ଗାଳୀଙ୍କର ଓଡ଼ିଆ ଭାଷାମାରଣ ଚକ୍ରାନ୍ତ ତ୍ବରାନ୍ବିତ ହୋଇଥିଲା । ଓଡ଼ିଆ ଭାଷା, ଓଡ଼ିଆ ଲୋକସଂସ୍କୃତି ସମେତ ଓଡ଼ିଆ ପତ୍ରପତ୍ରିକା ଗୁଡ଼ିକର ମୂଳୋତ୍ପାଟନ ପାଇଁ ସୁଯୋଗ ଉଣ୍ଡୁଥିଲେ ସେମାନେ !
୨. ତେବେ ଓଡ଼ିଆ ଭାଷା ସୁରକ୍ଷା ନିମନ୍ତେ ମଙ୍ଗ ଧରିଥିଲେ #କର୍ମଵୀର ଏବଂ ତାଙ୍କ ଉତ୍କଳ ଦୀପିକାର ସିଂହରଡ଼ିରେ ଧୂଳିସାତ ହୋଇଯାଇଥିଲା ଚକ୍ରାନ୍ତକାରୀଙ୍କ ଦର୍ପ ! ସେଇ ଆନ୍ଦୋଳନର ନୂତନ ସେନାପତି ଥିଲେ #ବ୍ୟାସକବି_ଫକୀରମୋହନ ! କର୍ମଵୀରଙ୍କ ପ୍ରଚଣ୍ଡ ବ୍ୟକ୍ତିତ୍ଵ ଓ ଆହ୍ୱାନରେ ଅଭିପ୍ରେରିତ ବହୁ ଓଡ଼ିଆପ୍ରାଣ ପୁସ୍ତକ ଓ ପତ୍ରପତ୍ରିକା ପ୍ରକାଶନରେ ଲାଗିପଡ଼ିଥିଲା ବେଳେ ବ୍ୟାସକବିଙ୍କ ସାରସ୍ଵତ ନିର୍ଝରିଣୀ ପ୍ରବହମାନ ହେବା ସହିତ ତାଙ୍କ ପ୍ରେରଣାରେ ମସିଚାଳନା ନିମନ୍ତେ ଆଗେଇ ଆସିଥିଲେ କେତେ କେତେ ଓଡ଼ିଆ ଭାଷାପ୍ରେମୀ !
୩. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୮୨୨ ମସିହା ଫେବୃୟାରୀ ୧୨ ତାରିଖରେ କଟକରେ ମିଶନାରୀ ମାନଙ୍କ ଦ୍ଵାରା ଓଡ଼ିଶାର ପ୍ରଥମ ବିଦ୍ୟାଳୟ ପ୍ରତିଷ୍ଠା ହେବା ଫଳରେ ପାଶ୍ଚାତ୍ୟ ଶିକ୍ଷା ସଭ୍ୟତାର ମୂଳଦୁଆ ପଡ଼ିଥିଲା ସତ ! ତେବେ ୧୮୫୩ ମସିହା ପର୍ଯ୍ୟନ୍ତ ସମଗ୍ର କଟକ, ବାଲେଶ୍ଵର ଓ ପୁରୀ ଜିଲ୍ଲାରେ ୭ଟି ମାତ୍ର ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ! ୧୮୫୪ ମସିହାରେ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ୍ ଡେଲହାଉସିଙ୍କ ନୂତନ ଶିକ୍ଷାନୀତି ପ୍ରଣୟନ ଓଡ଼ିଶାରେ ଶିକ୍ଷାର ପ୍ରସାର ଓ ପରିବ୍ୟାପ୍ତି ନିମନ୍ତେ ଅନୁକୂଳ ହେଲା । ୧୮୬୯ ମସିହାରେ କଟକରେ ପ୍ରଥମ କରି ଶିକ୍ଷକ ତାଲିମ ବିଦ୍ୟାଳୟ କାର୍ଯ୍ୟକାରୀ ହେବା ସହିତ ସମୁଦାୟ ବିଦ୍ୟାଳୟ ସଂଖ୍ୟା ୫୮ରେ ପହଞ୍ଚିଲା ! ସୁଖର କଥା ଯେ, ୧୮୭୫ ବେଳକୁ ୫୩୯ ଏବଂ ୧୮୮୫ ସୁଦ୍ଧା ଓଡ଼ିଶାରେ ବିଦ୍ୟାଳୟ ସଂଖ୍ୟା ୧୭୩୬ରେ ପହଞ୍ଚିଲା । ଏପରିକି ୧୮୭୨ ମସିହାରେ ସାର୍ ଜର୍ଜ କାମ୍ପବେଲ୍’ଙ୍କ ନୂତନ ଶିକ୍ଷା ସଂସ୍କାର ପଦ୍ଧତି ଦ୍ଵାରା ବିଦ୍ୟାଳୟ ଗୁଡ଼ିକୁ ଆର୍ଥିକ ଅନୁଦାନର ପନ୍ଥା ଖୋଲିଗଲା । ଉକ୍ତ ଆର୍ଥିକ ଅନୁଦାନ ହିଁ ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ କ୍ରୟ ନିମନ୍ତେ ଉଦ୍ଦିଷ୍ଟ ଥିଲା ।
କହିବା ବାହୁଲ୍ୟ, ଓଡ଼ିଶା ମାଟିରେ ଶିକ୍ଷାର ପ୍ରଭୁତ ବିସ୍ତାର କେବଳ ବିଦ୍ୟାଳୟ ସ୍ତରରେ ସୀମିତ ନ ଥିଲା । ୧୮୭୫ ବେଳକୁ କଟକ ଇଂରାଜୀ ସ୍କୁଲ୍’ଟି ମହାବିଦ୍ୟାଳୟ ସ୍ତରକୁ ଉନ୍ନୀତ ହୋଇ ଓଡ଼ିଆଙ୍କ ପାଇଁ ଉଚ୍ଚ ଶିକ୍ଷାର ସୁଯୋଗ ସୃଷ୍ଟି କରିଥିଲା ।
୪. ଶିକ୍ଷାନୁଷ୍ଠାନ ସହିତ ଛାତ୍ରଛାତ୍ରୀଙ୍କ ସଂଖ୍ୟାବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ରିଟିଶ ସରକାର କର୍ମଵୀର ଗୌରୀଶଙ୍କରଙ୍କ ପ୍ରସ୍ତାବକୁ ଗ୍ରହଣ କରି ପ୍ରତିଷ୍ଠା କଲେ Orissa School Book Society । କଟକରେ ଏହାର ଏକ କାର୍ଯ୍ୟାଳୟ ସ୍ଥାପନା ସହିତ ପାଠ୍ୟପୁସ୍ତକ ମୁଦ୍ରଣ ନିମନ୍ତେ Cuttack School Books Co. ନାମକ କମ୍ପାନୀଟିଏ ସ୍ଥାପିତ ହେଲା । ପାଠ୍ୟପୁସ୍ତକ ଭାବେ ପ୍ରକାଶିତ ହୋଇଥିଲା କର୍ମଵୀରଙ୍କ ରଚିତ #ଭୁଗୋଳତତ୍ତ୍ଵ‘ର ଦୁଇଟି ଯାକ ଭାଗ ଏବଂ ପରେ ପରେ ‘ରଘୁବଂଶ’ର ସଂକ୍ଷିପ୍ତ ଅନୁବାଦ । ତାଙ୍କ ପଦାଙ୍କ ଅନୁସରଣ କରି ବହୁ ଲେଖକ ଅଣ୍ଟା ଭିଡ଼ିଥିଲେ, ଗଣିତ, ବ୍ୟାକରଣ, ସାମାଜିକ ଜ୍ଞାନ, ଭାରତ ଇତିହାସ ଇତ୍ୟାଦିକୁ ନେଇ ପାଠ୍ୟପୁସ୍ତକ ରଚନା ପାଇଁ । ପଣ୍ଡିତ #ବିଶ୍ୱନାଥ_ବିଦ୍ୟାଭୁଷଣ, ନବୀନ ଚନ୍ଦ୍ର ଷଡ଼ଙ୍ଗୀ, #ଭକ୍ତକବି_ମଧୁସୂଦ ଇତ୍ୟାଦିଙ୍କ ପରି ମହାମନିଷୀଙ୍କ ସାଧନାରୁ ପ୍ରସ୍ତୁତ ହୋଇଥିଲା ଅନେକାନେକ ପାଠ୍ୟପୁସ୍ତକ !
୫. କର୍ମଵୀର, ବ୍ୟାସକବି, ଭକ୍ତକବି, କବିବରଙ୍କ ପରି ପ୍ରଥିତଯଶା ସାହିତ୍ୟସାଧକଙ୍କ ପ୍ରେରଣାରେ ସାହିତ୍ୟ ସର୍ଜନାରେ ମନୋନିବେଶ କରିଥିଲେ ଅନେକ ନବ୍ୟଶିକ୍ଷିତ ଯୁବକ ! ବାମଣ୍ଡାଧୀପ #ବାସୁଦେବ_ସୁଢ଼ଳଦେବ, ବାଲେଶ୍ଵରର ରାଜା #ବୈକୁଣ୍ଠନାଥ_ଦେଙ୍କ ପରି ଗୁଣଗ୍ରାହୀ ରାଜାରାଜୁଡ଼ାମାନେ ସାହିତ୍ୟର ପୃଷ୍ଠପୋଷକତା ପାଇଁ ଥିଲେ ଆଗଭର ! ନୂତନ ସାହିତ୍ୟ ସୃଷ୍ଟିକୁ ଧ୍ୟାନରେ ରଖି କଟକରେ ସ୍ଥାପିତ ହୋଇଥିଲା ଏକାଧିକ ପ୍ରେସ୍ ! ପରେ ପରେ ବାଲେଶ୍ଵର, #ବାମଣ୍ଡା, ଖଡ଼ିଆଳ, ଜୟପୁର, ବାରିପଦା, ପୁରୀ ଆଦି ସ୍ଥାନରେ ପ୍ରକାଶନକୁ ବ୍ୟାପକ କରାଇବା ନିମନ୍ତେ ଆଗେଇ ଆସିଥିଲେ ଅନେକ । ତେବେ ନୂତନ ଲେଖକଗଣ ନିଜ ସୃଷ୍ଟି ସବୁକୁ ପୁସ୍ତକାକାରରେ ପ୍ରକାଶନ ଅପେକ୍ଷା ପାଠକଙ୍କ ନିକଟରେ ଅଚିରେ ପହଞ୍ଚିବା ପାଇଁ ଆବଶ୍ୟକ କରୁଥିଲେ ପତ୍ରିକାର ମାଧ୍ୟମ ! ଉତ୍କଳ ଦୀପିକା ପରି ପ୍ରତିଷ୍ଠିତ ପତ୍ରପତ୍ରିକା ମଧ୍ୟ ଏପରି ସୁଯୋଗ ପ୍ରଦାନ କରି ସୃଷ୍ଟି କରିପାରିଥିଲା ଅନେକ ସାହିତ୍ୟସ୍ରଷ୍ଟାଙ୍କୁ ।
୬. ନାଟକ, ଉପନ୍ୟାସ, ଭ୍ରମଣଗୀତିକା, ପ୍ରବନ୍ଧ ପରି ସାହିତ୍ୟର ଭିନ୍ନ ଭିନ୍ନ ବିଭାଗରେ ନୂତନ ସୃଷ୍ଟି ଆକର୍ଷିପାରିଲା ପାଠକବର୍ଗକୁ ! ଅଧିକନ୍ତୁ #ଭଞ୍ଜ, #ସାରଳା ତଥା ରୀତିଯୁଗୀୟ ସାହିତ୍ୟ, ଏବଂ ସଂସ୍କୃତ ଓ ଅଣମିଶନାରୀ ଶୁଦ୍ଧ ଇଂରାଜୀ ସାହିତ୍ୟର ଅନୁବାଦର ବ୍ୟାପକ ପ୍ରକାଶନ ଅବା ପତ୍ରପତ୍ରିକା ମାଧ୍ୟମରେ ଉପସ୍ଥାପନ ଯୋଗୁଁ ଶ୍ରଦ୍ଧାଶୀଳ ପାଠକଙ୍କ ନିକଟରେ ପଠନର ବିବିଧ ଓ ବ୍ୟାପକ ସୃଷ୍ଟି ହୋଇପାରିଲା । ଏପରିକି, ପାଠକଙ୍କର ଭଞ୍ଜ ସାହିତ୍ୟ ପ୍ରତି ଅନତିକ୍ରମଣୀୟ ଆକର୍ଷଣକୁ ଧ୍ୟାନରେ ରଖି ସେସବୁ ସୃଷ୍ଟିର ଆଲୋଚନା/ସମାଲୋଚନା ମଧ୍ୟ ସାଜିଥିଲା କିଛି ପତ୍ରିକାର ମୁଖ୍ୟ ଉପାଦାନ !
ତାଳପତ୍ର ଅବା ଭୁର୍ଜପତ୍ରର ଖୋଦେଇ ଭିତରର ମିଞ୍ଜି ମିଞ୍ଜି ଅକ୍ଷର ଭିତରେ ଅମୃତମୟ ବାଣୀ ଖୋଜୁଥିବା ଓଡ଼ିଆ ଜାତି ପାଇଁ ଛପା କାଗଜରେ ମିଳୁଥିଲା ନୂତନ ପୁଲକ ଏବଂ ପ୍ରତିଶ୍ରୁତି !
୭. #ଲୀଳା, ସୁଆଙ୍ଗ, ଯାତ୍ରା ଆଦି ଲୋକନୃତ୍ୟ/ଲୋକକଳାର ପ୍ରଦର୍ଶନ, ରଚନା ତଥା ପ୍ରକାଶନ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ରାଜ୍ୟରେ ସାଂସ୍କୃତିକ ଚେତନାର ଅଭ୍ୟୁଦୟ କରୁଥିଲା ବେଳେ, କଟକ ଏବଂ ଅନ୍ୟାନ୍ୟ ଗଡ଼ଜାତ ଅଞ୍ଚଳରେ ରାଜାରାଜୁଡ଼ା ପ୍ରୋତ୍ସାହନ କିମ୍ବା ଆତ୍ମପ୍ରେରିତ ଜନତାର ଉଦ୍ୟମରେ ଗଢ଼ି ଉଠୁଥିଲା ଅନେକ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ !
୮. ଓଡ଼ିଶା ମାଟିରେ ଶିକ୍ଷା, ସାହିତ୍ୟ, ସଂସ୍କୃତିର ଏକ ସମୃଦ୍ଧ ପରିଚୟ ସୃଷ୍ଟି ହେବା ବେଳକୁ ଗମନାଗମନରେ ଦେଖା ଦେଇଥିଲା ଉଲ୍ଲେଖନୀୟ ପ୍ରଗତି ! ସଡ଼କ ପରିବହନ ସହିତ ମୃତ #ଚାନ୍ଦବାଲି ବନ୍ଦରର ପୁନରୁତ୍ଥାନ ଆଣିଥିଲା ନୂତନ ସମ୍ଭାବନା ! କଟକ ଓ ବାଲେଶ୍ଵର ଜିଲ୍ଲାର ଲକ୍ଷ ଲକ୍ଷ ଜନତାଙ୍କ ଜୀବନର ଆର୍ଥନୀତିକ ମୋଡ଼ ବଦଳିବା ବେଳକୁ ଗମନାଗମନର ସୁଲଭ ସୁବିଧା ପତ୍ରପତ୍ରିକା ଓ ପୁସ୍ତକ ପ୍ରକାଶନ ନିମନ୍ତେ ଶୁଭଙ୍କରୀ ହେଲା । ଦୂର ଅଞ୍ଚଳର ଉଦ୍ୟମୀ ଆଶାୟୀ ପତ୍ରିକା ପ୍ରକାଶକମାନେ କଟକରୁ ପତ୍ରିକା ଛପାଇବା ପାଇଁ ଆଗଭର ହେଲେ ।
୯. ଏ ସମସ୍ତ ପ୍ରଗତି ହେତୁ ଏକ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ ଗଢ଼ି ଉଠୁଥିଲା ଓଡ଼ିଶା ଭୂଖଣ୍ଡରେ । ମାତ୍ର ପ୍ରାଚ୍ୟ ଓ ପାଶ୍ଚାତ୍ୟ ଶିକ୍ଷାର ସଂଘର୍ଷ ଯୋଗୁଁ ବଙ୍ଗଳାର ଯୁବଗୋଷ୍ଠୀ ଯେପରି ଚାରିତ୍ରିକ ସ୍ଖଳନର ଶିକାର ହୋଇ ଧ୍ବଂସାଭିମୁଖୀ ହୋଇଉଠୁଥିଲେ, ସେପରି ଅବସ୍ଥାର ତିଳେମାତ୍ର ଅବକାଶ ନ ଥିଲା ! ଆଧୁନିକ ଜୀବନ ପ୍ରଣାଳୀରେ ଜୀଇଁବା ଶିଖୁଥିବା ଓଡ଼ିଆ ଯୁବଗୋଷ୍ଠୀ ଥିଲେ ଅଧିକ ସଂଯତ, ସମ୍ବେଦନଶୀଳ ଓ ମୂଲ୍ୟବୋଧ ଯୁକ୍ତ ! କର୍ମଵୀରଙ୍କ ଉଦୀପ୍ତ ଆଭାର ଉଷ୍ଣ ସ୍ପର୍ଶରେ କଡ଼ ଲେଉଟାଇଥିଲା ଯେଉଁ ଜାତି, ସେ ଏବେ ଯୋଡ଼ି ହୋଇଥିଲା ସେଇ ମହାସ୍ରୋତରେ ! ଜୀବନରେ ନୂତନ ମୂଲ୍ୟବୋଧ ଲଭିଥିବା ସେଇ ଯୁବଗୋଷ୍ଠୀକୁ ଜାତୀୟତାବାଦ ଦେଶପ୍ରେମରେ ସିକ୍ତ କରିବାର ସୁଯୋଗ ଖୋଜୁଥିଲେ ବହୁ ପ୍ରତିଷ୍ଠିତ ଓ ନୂତନ ଓଡ଼ିଆ ପତ୍ରପତ୍ରିକା ! ଓଡ଼ିଶା ମାଟିର ରାଜନୈତିକ ଆଲୋଡ଼ନକୁ ସାହିତ୍ୟ ଅବା ସମ୍ବାଦର ଆବରଣରେ ସଞ୍ଚାରିତ କରିବାକୁ ଲାଗିପଡ଼ିଥିଲେ ସେମାନେ !
୧୦. ଓଡ଼ିଆଙ୍କ ହୃଦୟରୁ ବରଫ-ଶୀତଳ-ନିଶ୍ଚେତନା ହଟିଯାଇ ଶିକ୍ଷା, ସଂସ୍କୃତି, ସ୍ବାଭିମାନର ଫଲ୍ଗୁ ପ୍ରବାହିତ ହେଉଥିଲା, ମାତ୍ର ଆବଶ୍ୟକ ଥିଲା ଜଣେ ଅନମନୀୟ ଜନନେତାଙ୍କର ! ୧୮୮୧ ମସିହା ସେପ୍ଟେମ୍ବର ମାସରେ ଦୀର୍ଘ ୧୬ ବର୍ଷର ପ୍ରବାସୀ ଜୀବନ କାଟି ମାଟି ମା’ କୋଳକୁ ଫେରି ଆସିଥିଲେ #ଶତାବ୍ଦୀର_ସୂର୍ଯ୍ୟ ! ଓଡ଼ିଆଙ୍କୁ ଜୀବନର ନୂତନ ଆଲୋକ ଦେଖାଇବା ପାଇଁ ! ଓଡ଼ିଆଙ୍କ ହୃତଅସ୍ମିତାର ପୁନର୍ଜାଗରଣ ପାଇଁ !
୧୧. ଓଡ଼ିଶା ମାଟିରେ ଅର୍ଥନୀତି, ସଂସ୍କୃତି, ସାମାଜିକ ଚେତନା, ଶିକ୍ଷା, ପୁସ୍ତକ ପ୍ରଣୟନ ଓ ପ୍ରକାଶନ ତଥା ଓଡ଼ିଆ ପତ୍ରପତ୍ରିକା ଜଗତରେ ସମାନ୍ତରାଳ ପ୍ରଗତି ଥିଲା ଉଭୟ ବ୍ରିଟିଶ ସରକାର ଏବଂ ଭାଷାବିଦ୍ଵେଷୀ ବଙ୍ଗାଳୀମାନଙ୍କ ପାଇଁ ଇର୍ଷାର ବିଷୟ ! ପତ୍ରପତ୍ରିକା ପ୍ରକାଶନ ନିମନ୍ତେ ଓଡ଼ିଆଙ୍କ ନିକଟରେ ଏକାଧିକ ଅନୁକୂଳ କାରକ ଉପଲବ୍ଧ ଏବଂ ମିଶନାରୀ ସାହିତ୍ୟର ଚାହିଦା ହ୍ରାସ ନିମନ୍ତେ ଇର୍ଷାତୁର ଶତ୍ରୁଗଣ କଟକର ଛପାଖାନାଗୁଡ଼ିକୁ ପୁଲିସ ସହାୟତାରେ ବନ୍ଦ କରିବାକୁ ପଛାଇ ନ ଥିଲେ ! କଟକ ପରି ରାଜ୍ୟର ପ୍ରମୁଖ ସହର ସମେତ ପୁରୀ ପରି ଆଧ୍ୟାତ୍ମିକ କ୍ଷେତ୍ରରେ ବଳପୂର୍ବକ ଧର୍ମାନ୍ତରୀକରଣ ପାଇଁ ଲାଗିପଡ଼ିଥିଲେ ପାଦ୍ରୀମାନେ !
ଅନ୍ଧାରର ଗହୀରା ଭିତରକୁ ଗତି କରୁଥିଲା ଓଡ଼ିଆ ପତ୍ରପତ୍ରିକା ତଥା ପ୍ରକାଶନ ଜଗତ ! ଅଧିକାଂଶ ପତ୍ରପତ୍ରିକାର ପ୍ରକାଶନ ଓ ବିତରଣ ହେଲା ବାଧାପ୍ରାପ୍ତ ! ଓଡ଼ିଆ ଜାତି କିନ୍ତୁ ସହଜରେ ହାରି ନ ଥିଲା ! ବଙ୍ଗାଳୀମାନଙ୍କ ଓଡ଼ିଆ ଭାଷାକୁ ବିଲୋପ କରି ଦେବାର ନିରବଚ୍ଛିନ୍ନ ଷଡ଼ଯନ୍ତ୍ର ଓଡ଼ିଆଙ୍କ ଶିକ୍ଷା ବିସ୍ତାରକୁ ପ୍ରତିହତ ଏବଂ ଧାର୍ମିକ ଓ ସାଂସ୍କୃତିକ ଚେତନାକୁ ଖଣ୍ଡିତ କରିବା ନିମନ୍ତେ ବ୍ରିଟିଶ ସରକାରର ଯନ୍ତ୍ରଣା ଓଡ଼ିଆଙ୍କ ପ୍ରାଣରେ ଗଭୀର ରେଖାପାତ କରିଥିଲା ! ଏବେ ଅତ୍ୟାଚାରରେ ନିଷ୍ପେଷିତ ହୋଇ ସ୍ଥାଣୁ ବନିଯିବାର ସମୟ ନ ଥିଲା ! ଅଣ୍ଟାସଳଖି ଠିଆ ହେଇଥିଲା ଏଇ ଜାତି ! କେଇ ବର୍ଷର ସ୍ଥାଣୁତା ପରେ ପୁନଃ ପଲ୍ଲବିତ ହେବାକୁ ଲାଗିଲା ଓଡିଆ ପତ୍ରପତ୍ରିକା !
ତେବେ, ନିଜ ଭିତରେ ନିଜେ ବଞ୍ଚୁଥିବା ନିରୀହ ଜାତିଟି ପ୍ରତି ଶତ୍ରୁଙ୍କ ସଂଖ୍ୟା ଉଣା ନ ଥିଲା ! କଟକ ଓ ବାଲେଶ୍ଵର ମାଟିରୁ ବଙ୍ଗାଳୀଙ୍କ ଭାଷାମାରଣ ପ୍ରାଦୁର୍ଭାବ କମି କମି ଆସିଲା ବେଳକୁ ସମ୍ବଲପୁର, ଖଡ଼ିଆଳ ସମେତ ବିଶାଳ ଅଞ୍ଚଳରେ ମୁଣ୍ଡ ଟେକୁଥିଲେ ହିନ୍ଦୀଭାଷୀମାନେ ! ଓଡ଼ିଆ ଭାଷାକୁ ବିସ୍ତୃତିର ଅତଳ ଗର୍ଭକୁ ଠେଲି ଦେବା ପାଇଁ ! ଗଞ୍ଜାମ ତଥା ଆଖପାଖ ଅଞ୍ଚଳରେ ଭାଷାକୁ ରସାତଳକୁ ଠେଲିଦେବାର ସୁଯୋଗରେ ଥିଲେ ତେଲେଙ୍ଗାମାନେ !
ସବୁ ସତ୍ତ୍ୱେ ବିଖଣ୍ଡିତ ଓଡ଼ିଶା ମାଟିରେ ଓଡ଼ିଆ ପତ୍ରପତ୍ରିକା ଜଗତର ବିଜୟଧ୍ୱଜା ଉଡ଼ିବାକୁ ଯାଉଥିଲା !

Leave a Comment

Your email address will not be published. Required fields are marked *

Scroll to Top