~ ଏକାମ୍ରକ୍ଷେତ୍ର ଓ ଉତ୍କଳଗୌରବ ମଧୁସୂଦନ ~
ଲେଖା: ଅମୃତେଶ ଖଟୁଆ
ସମୟର ବାଲୁକାରାଶିରେ ଅଙ୍କିତ ଅଗଣିତ ପଦଚିହ୍ନ– କେତେ ଜଣା, କେତେ ଅଜଣା ; କେତେ ପୁଣି ହୋଇଯାଆନ୍ତି ବିସ୍ମୃତ ଓ ବିଲୁପ୍ତ । କିନ୍ତୁ କିଛି ରହିଯାଇଥାନ୍ତି ନିଜ ଏକକ ଅସ୍ତିତ୍ବକୁ ଜାହିର କରିବାର ପଣ ନେଇ, ସମୟରୁ ସମୟାନ୍ତର ଯାଏଁ । ସେହିମାନେ ହିଁ ଅବଶ୍ୟ ଚିରସ୍ମରଣୀୟ, ସଦା ନମସ୍ୟ ଯୋଗଜନ୍ମା, ଯାହାଙ୍କ ସ୍ମରଣ ମାତ୍ରେ ଆମ ଶିର ଗୌରବରେ ଯେ କେବଳ ଉତ୍ତୁଙ୍ଗ ହୋଇନାହିଁ, ବରଂ ମନେ ପଡେ କରୁଣ ଅତୀତର ଜଡ଼ତାକୁ ଭଙ୍ଗ କରି କିପରି ଗୋଟିଏ ଜାତି ମୁଣ୍ଡ ଟେକି ଛିଡ଼ା ହୋଇଥିଲା ।
ଉତ୍କଳଗୌରବ ମଧୁସୂଦନ ଦାସ – ମଧୁବାବୁ, ମଧୁ ବାରିଷ୍ଟର, କୁଳବୃଦ୍ଧ, ପଗଡ଼ି ପୁରୁଷ । ଗୋଟିଏ ନାଆଁ, ଗୋଟିଏ ଶକ୍ତିପ୍ରବାହ, କିନ୍ତୁ ତା’ ପଛରେ ରହିଛି ଗୋଟିଏ ଜାତିର ଅସୁମାରି ବିଶ୍ବାସ, ଶ୍ରଦ୍ଧା, ସମ୍ମାନ ଓ ନିଚ୍ଛକ ଅନୁରାଗ । ଦିନେ ଆଗଙ୍ଗାଗୋଦାବରୀ ବିସ୍ତୃତ ବିଶାଳ ଓଡ଼ିଆ ଜନରାଜ୍ୟର ସାମୂହିକ ସଫଳତାର ଉତ୍ତୁଙ୍ଗ ସ୍ତରରେ ପହଞ୍ଚିଥିବା ଗର୍ବର ହୁଏତ ସମୟର କଷାଘାତରେ ହୋଇ ଯାଇଥିଲା ବିପର୍ଯ୍ୟସ୍ତ ଓ ପତିତ । କିନ୍ତୁ ସେହି ଦୁଃସହ ସମୟରେ ହିଁ ବଞ୍ଚି ରହିଥିବା ସ୍ବାଭିମାନର କ୍ଷୀଣ ସ୍ଫୁଲିଙ୍ଗକୁ ପୁନଃ ପ୍ରଖର କରି ପୁଣି ଓଡ଼ିଆ ଜାତିକୁ ଅଣ୍ଟା ସଳଖେଇ ଠିଆ କରାଇବାର ଗୁରୁ ଦାୟିତ୍ଵ ନ୍ୟସ୍ତ କରିଥିଲା ତା’ର ଏହି ସୁଯୋଗ୍ୟ ସନ୍ତାନ ଉପରେ ।
ଉତ୍କଳଗୌରବ ମଧୁସୂଦନ ଦାସ ସର୍ବଦା ଓଡ଼ିଆ ମାଟିର ଐତିହ୍ୟ ପ୍ରତି ସଚେତନ ଓ ଭୂତସ୍ମୃତିମାନଙ୍କୁ ନେଇ ସହାନୁଭୂତିଶୀଳ । ଓଡ଼ିଆ ଜାତି ଯେ ଅଳ୍ପବୁଦ୍ଧିସମ୍ପନ୍ନ ଓ ନିର୍ବୋଧ କହି ପ୍ରତିବେଶୀ ରାଜ୍ୟ ଲୋକେ ବରାବର ବିଦ୍ରୂପ କରିଲେ, ଏହାର ପ୍ରତ୍ୟୁତ୍ତରରେ ସେ ଆମ ଜାତିର କର୍ମକୌଶଳ ପ୍ରତି ଥିଲେ ଯଥେଷ୍ଟ ଆସ୍ଥାଭାଜନ । ସେ କହୁଥିଲେ, “ଓଡ଼ିଆ ଜାତିଟା କ’ଣ, ସେ କଥା ଅନେକେ ଜାଣନ୍ତି ନାହିଁ, ନିଜେ ଓଡ଼ିଆମାନେ ବି ସେ ଖବର ରଖିନାହାନ୍ତି । ଅଥଚ ଓଡ଼ିଆ ଶିଳ୍ପୀ କେତେ କୁଶଳୀ । ଓଡ଼ିଆ ଜାତିଟା ତ ପୁରା ଶିଳ୍ପୀ ଜାତି ! ଏ ଜାତି ସୁନା ରୂପାରେ ତାରକସି କରେ, ପଥରରେ ତାରକସି ଆଙ୍କେ, ଲୁଗାରେ ବି ତାରକସି ବୁଣେ । ଓଡ଼ିଆ ପରିବାରରେ ଶିଳ୍ପକଳା ମଜ୍ଜାଗତ । ଯେଉଁଠି ପଥରର ପ୍ରାଚୁର୍ଯ୍ୟ, ସେଇ ଏକାମ୍ର ରେ ଓଡ଼ିଶା ଏକାଦଶ ଶତାବ୍ଦୀରେ ଗଢ଼ିଥିଲା ଲକ୍ଷେ ମନ୍ଦିର । ଏକୁ ଆରେକ ବଳି ! ପ୍ରତିଟି ପଥର ଖଣ୍ଡରେ ଲେଖିଥିଲା ଶିଳ୍ପକଳାର କବିତା ।”
ମଧୁବାବୁ ନିଜ ସମଗ୍ର ଜୀବଦ୍ଦଶାରେ ସ୍ବତନ୍ତ୍ର ଉତ୍କଳର ଏହି ପରିଚୟକୁ ପ୍ରତିପାଦନ ପାଇଁ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ । କେବଳ ଓଡ଼ିଶା ବା ଭାରତରେ ନୁହେଁ, ଭାରତବର୍ଷ ବାହାରେ ସୁଦ୍ଧା । ତାଙ୍କ ଉଦ୍ଦେଶ୍ୟ ଥିଲା ଦୁନିଆ ଚିହ୍ନିଥାଉ ଓଡ଼ିଶାକୁ, ଓଡ଼ିଆ କାରିଗରର ଅନନ୍ୟ କଳାକୌଶଳକୁ । ଆମର ଶିଳ୍ପୀକୁ ଯେ ତାହାର ବାସ୍ତବ ଯଶ ଓ ମର୍ଯ୍ୟାଦା ପ୍ରାପ୍ୟସ୍ଵରୂପ ମିଳିବ । ଏହା ହିଁ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଓଡ଼ିଶାର ସ୍ବାବଲମ୍ବନ ସଂସ୍କୃତିକୁ ସଙ୍ଗଠିତ କରି ରଖିଛି, ତାହା ମଧ୍ୟ ସମସ୍ତ ସ୍ୱାଧୀନ ରାଷ୍ଟ୍ରର ପ୍ରଥମ ମହତ୍ତ୍ଵ ବୋଲି ତାଙ୍କର ଦୃଢ଼ ଅଭିମତ ଥିଲା ।
୧୮୮୭ ମସିହାରେ ପୁରୀ ଶ୍ରୀମନ୍ଦିର ପରିଚାଳନା ପାଇଁ ରାଣୀ ସୂର୍ଯ୍ୟମଣି ପାଟ ମହାଦେଈଙ୍କ ପକ୍ଷରୁ ମକଦ୍ଦମା ଲଢ଼ି ଦେଶ ଦେଶାନ୍ତରରେ ଚର୍ଚ୍ଚିତ ହେଲେ । ଜଗନ୍ନାଥଙ୍କ ପାଇଁ ତାଙ୍କ ଓକିଲାତି ଜୀବନର ପ୍ରଥମ ଲଢେଇରେ ଏପରି ଅଭୂତପୂର୍ବ ସଫଳତା କେବଳ ରାଜପଦବୀର ଗୌରବ ରକ୍ଷା କରିନଥିଲା ବରଂ ଓଡ଼ିଆ ଜାତିର ମାନ ରଖିଥିଲା । ଅଥଚ ସେତେବେଳେ ଉପଯୁକ୍ତ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ନ୍ୟୂନ ସଂଖ୍ୟା ଓ ଲବ୍ଧପ୍ରତିଷ୍ଠ ବ୍ୟକ୍ତିବିଶେଷ ଭିତରେ ସର୍ବସାଧାରଣଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ସ୍ଵାର୍ଥତ୍ଯାଗ ମନୋଭାବର ଅଭାବ ତାଙ୍କୁ ବ୍ୟଥିତ କରିଥିଲା ।
ଆଗାମୀ କେଇବର୍ଷ ପରେ କୃତିତ୍ବସମ୍ପନ୍ନ ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଶା ଛୋଟନାଗପୁର ମ୍ୟୁନିସିପାଲିଟିର ନିର୍ବାଚନ ମଣ୍ଡଳୀ ଠାରୁ ନିର୍ବାଚିତ ହେଇ ବଙ୍ଗୀୟ ବ୍ୟବସ୍ଥାପକ ସଭାକୁ ମନୋନୀତ । ୧୮୯୭ ମସିହା ଜାନୁଆରି ମାସ । ମାତ୍ର, ଓଡ଼ିଶାର ପ୍ରତିନିଧି ସଦସ୍ୟ ମଧୁସୂଦନ ଶାରୀରିକ ଅସୁସ୍ଥତା ଯୋଗୁ କଲିକତା ପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି । ଏକେ ତ ଶରୀର ଦୁର୍ବଳ, ତା ସାଙ୍ଗରେ ବିଲାତ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି । କଟକର ଯୋବ୍ରା ଘାଟରୁ ସେ ଲଞ୍ଚ୍’ରେ ଚାନ୍ଦବାଲି ହୋଇ ଯିବେ କଲିକତା । ସେଠାରେ ବ୍ୟବସ୍ଥାପକ ସଭାର କେତେକ ଗୁରୁକାର୍ଯ୍ୟ ସାରି ଲଣ୍ଡନ ଅଭିମୁଖେ ସଳଖ ପ୍ରସ୍ଥାନ କରିବେ । ସେଥିପାଇଁ ସେ ଓଡ଼ିଶାର ବିଭିନ୍ନ ସମସ୍ୟା ଉପରେ ଫାଇଲ୍ ଓ ପାମ୍ପ୍ଲେଟ୍ ପ୍ରସ୍ତୁତ କରିବା ସଙ୍ଗେ ସଂଗ୍ରହ କରୁଥାନ୍ତି କଟକରୁ ତାରକସିର ଏକରୁ ଆରେକ ବଳି ସାମଗ୍ରୀ । କୋଣାର୍କ ଚକ, ଅତର ଦାନି, ଚମ୍ଫା ଫୁଲ, ଫୁଲ ଦାନି, ଦିଆସିଲି ବାକ୍ସ ଓ ଆହୁରି ଅନେକ । ସେଦିନ ମଧୁସୂଦନଙ୍କୁ ବିଦାୟ ଅଭିବାଦନ ଜଣାଇବା ପାଇଁ ଜୋବ୍ରା ଘାଟରେ ବେଶ୍ ଭିଡ଼ । ଝିଅ ଶୈଳବାଳା ମଧ୍ୟ ଘାଟ ପର୍ଯ୍ୟନ୍ତ ଆସିଥାନ୍ତି । ସାଙ୍ଗରେ ତାଙ୍କର ଗୁଡାଏ ବାକ୍ସ ।
ସ୍ବତନ୍ତ୍ର କ୍ୟାବିନ୍ ଭିତରେ ବାକ୍ସତକ ଗୋଟି ଗୋଟି କରି ଗଣି ଦେଖିବା ବେଳେ ମଧୁସୂଦନ ପଚାରିଲେ, “ଶୈଳ, ଫିଲିଗ୍ରି ବାକ୍ସଟା ଦେଖା ଯାଉନାହିଁ ତ ! ଛାଡ଼ି ଆସିଥିଲେ ତ ମୁସ୍କିଲ୍ !” ଶୈଳ କହିଲେ, “ଏଇ ଯେ ବର୍ଥ ତଳେ ସେ ବାକ୍ସଟା ରହିଛି ।” ମଧୁସୂଦନ କହୁଥାନ୍ତି, “ଫିଲିଗ୍ରି ନେବି ନାହିଁ ତ ବିଲାତକୁ ଆଉ ନେବି କ’ଣ ? ଭୁବନେଶ୍ଵର ଦେଉଳକୁ ତ ଆଉ ବିଲାତକୁ ଉଠାଇ ନେଇପାରିବି ନାହିଁ । ଏଇ ତାରକସିରେ ତ ସେମାନେ ପାଇବେ ଓଡ଼ିଆ ଜାତିର ପରିଚୟ ।”
ସେତେବେଳେ ବିଲାତକୁ ମଧୁବାବୁ ଅନେକ ତାରକସି କାମ ଭିତରେ ତିଆରି କରେଇକି ସାଉଁଟିଥିଲେ ଭୁବନେଶ୍ୱର ଦେଉଳର ଏକ ନକଲ । ଓଡ଼ିଶା ବିଷୟରେ ତତ୍କାଳୀନ ଇଂଲଣ୍ଡରେ ପ୍ରାୟ ଅଧିକାଂଶ କିଛି ବି ଜାଣନ୍ତି ନାହିଁ । ଏହା ସେମାନଙ୍କ ପାଇଁ ଏକ ଅନାମଧେୟ ବନ୍ୟଭୂମି ମାତ୍ର । ତଦନୁରୂପେ ଏକାମ୍ର କ୍ଷେତ୍ର ମଧ୍ୟ । ମଧୁବାବୁଙ୍କ ଅନ୍ୟତର ଶିଷ୍ୟ ଆଇନଜୀବୀ ଚିନ୍ତାମଣି ଆଚାର୍ଯ୍ୟ ନିଜ ଯୁବାବସ୍ଥାରେ ଏକାମ୍ର କ୍ଷେତ୍ର ପର୍ଯ୍ୟଟନ କରି ଦେଖିଥିଲେ ସଂଖ୍ୟାତୀତ ଶୈବାଳୟ । ତନ୍ମଧ୍ୟରୁ କୌଣସିଟି ଅର୍ଦ୍ଧଭଗ୍ନ, କୌଣସିଟି ପତନୋନ୍ମୁଖ ବା କୌଣସିଟିର ଅସ୍ତିତ୍ବ ଲୁପ୍ତ ହୋଇଯାଇଛି ।
ତଥାପି, ଏକାମ୍ରକ୍ଷେତ୍ରର ସୁଯଶ ଓ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହିମା ଦ୍ବାରା ସର୍ବଦା ବିମଣ୍ଡିତ ଥିବାରୁ ଏହା ପରବର୍ତ୍ତୀ ସମୟରେ ଶାସକଙ୍କ ଦୃଷ୍ଟି ଉନ୍ମୀଳନରେ ସହାୟ ହୋଇଛି । ଭୁବନେଶ୍ବରର ଅନେକ ମନ୍ଦିର ସେପର୍ଯ୍ୟନ୍ତ ଇଂରେଜ ରାଜତ୍ଵର ଦୃଷ୍ଟି ଆଢୁଆଳରେ । ଖୋର୍ଦ୍ଧା ରାଜ୍ୟର ଗଜପତି ଶାସକଗଣ ବିଦେଶୀ ଆକ୍ରମଣକାରୀଙ୍କ ଦ୍ଵାରା ଉପଦ୍ରୁତ ହୋଇ ଦୀର୍ଘ ପନ୍ଦର ବର୍ଷ କାଳ ରଣଦ୍ରୋହରେ ରତ ଥାଆନ୍ତି । ଏଣୁ, ସ୍ଥାନୀୟ ଅବହେଳା ଓ ଭୂଲୁଣ୍ଠନରେ ଶ୍ରୀଭୁବନେଶ୍ଵରଙ୍କ ପୁଣ୍ୟପ୍ରଦ ଏକାମ୍ରକ୍ଷେତ୍ର ବିରାଟ ଶ୍ମଶାନ ସଦୃଶ ପ୍ରତୀୟମାନ ହୁଏ ।
ଚତୁର୍ଦ୍ଦିଗ ନିବିଡ଼ ଅରଣ୍ୟ ଓ ନିକାଞ୍ଚନ ଭୂମି ଦେଖିଲେ ଗୋଟିଏ ତୀର୍ଥର ଯେ ଇତିହାସ ମଧ୍ୟ ଠଉରେଇବା କଷ୍ଟକର । ସମୟ ସମୟରେ ପାଖ ସରଦେଈପୁର ଓ ଧଉଳି ଦେଇ ଜଗନ୍ନାଥ ସଡ଼କ ବାଟେ ଯାତ୍ରୀମାନେ ଏଠାକୁ ଆସୁଥିଲେ । ପଞ୍ଚକୋଶ ବ୍ୟାପ୍ତ କ୍ଷେତ୍ର ଯାକ ଅପନ୍ତରା ମରୁ ସଦୃଶ କ୍ବଚିତ୍ ମାନବସଙ୍କୁଳ । ପୁରାଣର ସରସ ବ୍ୟଞ୍ଜନା ଓ ମହିମା ବର୍ଣ୍ଣନର ମାତ୍ର ଯେଉଁ କିୟଦଂଶ ଆଭାସ ରହିଥିଲା, ସେଥିରୁ ଏହା ଯେ ଏକ ସମୟରେ ସମଗ୍ର ଜଗତର ଗୋଟିଏ ସର୍ବୈଶ୍ଵର୍ଯ୍ୟସମ୍ପନ୍ନ, ଷଡ଼ଋତୁ ପରିବେଷିତ ସୁରାସୁର ବାଞ୍ଛିତ ପରମାରାଧ୍ୟ ଶଙ୍କରଙ୍କ ଅନୁପମ ଲୀଳା କ୍ଷେତ୍ର ଭାବରେ ବିଶ୍ରୁତ, ତାହାର ଅଧିକ ପଟାନ୍ତର ଅନାବଶ୍ୟକ ।
ଉତ୍କଳଗୌରବ ମଧୁସୂଦନ ଦାସ ନିଜ ପରିଣତ କାର୍ଯ୍ୟକାଳରେ ଅନେକ ମକଦ୍ଦମା ଲଢ଼ି ଭୁବନେଶ୍ୱର ଆସିଥିଲେ । ତାଙ୍କ ସାମୟିକ ରହଣିରେ ସେ ଏହି ପ୍ରସଙ୍ଗ ପୁଙ୍ଖାନୁପୁଙ୍ଖ ବାରିପାରିଛନ୍ତି । ତାଙ୍କ ପାଇଁ ଏଥିରେ ଲେଶ ମାତ୍ର ଅବକାଶ ନଥିଲା, ଭୁବନେଶ୍ୱର ଦେଉଳ ଭଳି ଶିଳ୍ପୋନ୍ନତ ଓ ଦେବୋପମ ସ୍ଥାପତ୍ୟର ଦୃଷ୍ଟାନ୍ତ ବିରଳ । ତେଣୁ, ନିଜ ସଙ୍ଗରେ ସେ ବିଲାତ ନେଇଥିବା ଶିଳ୍ପ ସାମଗ୍ରୀର ଏକ ପ୍ରଦର୍ଶନୀ ଆୟୋଜନ କରିଥିଲେ । ଓଡ଼ିଶାର ହାତୀଦାନ୍ତ, ତାରକସି ଓ ଶିଙ୍ଗର କାମ ସହ ହାତକଟା ସୂତାର ସୂକ୍ଷ୍ମ ବସ୍ତ୍ରମାନ ପ୍ରଦର୍ଶିତ କରନ୍ତି ।
ନିଦର୍ଶନସ୍ବରୂପ କୋଣାର୍କର ଚକ୍ର ଓ ଶ୍ରୀଭୁବନେଶ୍ଵରଙ୍କ ବଡ଼ଦେଉଳର ତାରକସି ନକଲ ଥିଲା । ଓଡ଼ିଶାର ପ୍ରାଚୀନ ମନ୍ଦିରଶିଳ୍ପ ବିଭବ ସମ୍ବନ୍ଧରେ ଊନବିଂଶ ଶତାବ୍ଦୀରେ ଇଂରାଜୀ ଭାଷାରେ ଅନେକ ଗ୍ରନ୍ଥ ରଚିତ ହୋଇଥିବାରୁ ପୃଥିବୀର ବହୁସ୍ଥାନର ଲୋକେ ଏହା ଜାଣି ପାରିଥିଲେ । କିନ୍ତୁ ହସ୍ତଶିଳ୍ପର ଅନ୍ୟାନ୍ୟ ବିଭାଗରେ ଓଡ଼ିଶାରେ ପରମ୍ପରାଗତ ଶିଳ୍ପଚାତୁରୀ ଥିବା ଅଳ୍ପ ଲୋକ ଜାଣୁଥିଲେ । ଆଧୁନିକ ଯୁଗରେ ସର୍ବପ୍ରଥମେ ମଧୁବାବୁ ବିଦେଶରେ ଏହାର ବିଧିବଦ୍ଧ ପ୍ରଚାର କରିଥିଲେ । ଏଥିପାଇଁ ତାଙ୍କୁ ଲଣ୍ଡନରେ ସମ୍ବର୍ଦ୍ଧିତ କରାଯିବା ସଙ୍ଗେ କର୍ମବୀର ଗୌରୀଶଙ୍କର ରାୟଙ୍କ ‘ଉତ୍କଳ ଦୀପିକା’ରେ ଏକ ରୋମାଞ୍ଚକର ଚିଠି ଭାବରେ ତାହା ପ୍ରକାଶିତ ହୁଏ ।
ସେହି ବିବରଣ ଅନୁଯାୟୀ ମଧୁସୂଦନଙ୍କୁ ଭେଟିଥିଲେ ପ୍ରଥମ କରି ପରବର୍ତ୍ତୀ ଓଡ଼ିଶାର କମିଶନର୍ ଟି.ଇ. ରେଭେନ୍ସା । ଆଗରୁ କେବେ ଦେଖା ହେଇନି, ଯାହା ଚିଠିପତ୍ରର ବିନିମୟରେ କଥାବାର୍ତ୍ତା । ସେଠି ରେଭେନ୍ସା ସାହେବ ମଧୁସୂଦନଙ୍କ ଅଧ୍ୟବସାୟକୁ ଦେଖି ଗୋଟିଏ ପ୍ରଶ୍ନ କରିଥିଲେ, “ଏ ପ୍ରଶ୍ନ ପଚାରୁଥିବାରୁ ହଠାତ୍ ମୋତେ ଅନ୍ୟଥା ମନେ କରିବେନି । ଆପଣ କଣ ପ୍ରକୃତରେ ଓଡ଼ିଆ ?” ଘୋଡ଼ାଗାଡ଼ିରେ ବସି ଉଭୟ ଯାଉଥିବା ବେଳେ ମଧୁସୂଦନ କହିଲେ, “ମୋ ଦେହର ପ୍ରତ୍ୟେକ ରକ୍ତବିନ୍ଦୁ ଓଡ଼ିଆର” । ରେଭେନ୍ସା କହିଲେ, “ଓଡ଼ିଆ ଜାତିକୁ ମୁଁ ଖୁବ୍ ଶ୍ରଦ୍ଧା କରେ । ଜଣେ ଓଡ଼ିଆ ସହିତ ମୁଁ ଯେପରି ଅକୁଣ୍ଠିତ ଭାବରେ କଥାବାର୍ତ୍ତା ହୋଇପାରେ, ଅନ୍ୟ କାହାରି ସହିତ ସେପରି ପାରେ ନାହିଁ ।”
ସେଦିନ ରେଭେନ୍ସା ସାହେବ ସ୍ପଷ୍ଟ ଓଡ଼ିଆରେ କଥା ହେଉଥିଲେ । ଲଣ୍ଡନ ଭଳି ଅତିଦୂର ସହରରେ ଜଣେ ନିରୁତା ଇଂରେଜଙ୍କ ମୁହଁରୁ ଓଡ଼ିଆ ଶୁଣି ବିହ୍ବଳ ହେଇଥିଲେ ଉତ୍କଳଗୌରବ ମଧୁସୂଦନ ଦାସ । ତାଙ୍କୁ ନିଜ କଟକୀ ତାରକସି ବାକ୍ସଟି ଧରେଇ ଦେଇଥିଲେ । ଢେଙ୍କାନାଳ ରାଜା ଦେଇଥିବା ହାତୀ ଦାନ୍ତର କାମ ଓ କେନ୍ଦୁଝର ରାଜାଙ୍କ ଗଡ଼ଜାତିଆ ଅସ୍ତ୍ରଶସ୍ତ୍ର ଦେବା ସହ ଭୁବନେଶ୍ୱର ବଡ଼ଦେଉଳର କାମ ଦେଖାଇ ଥିଲେ । ଓଡ଼ିଶା ପ୍ରତ୍ୟାବର୍ତ୍ତନ ପରେ ମଧୁବାବୁଙ୍କ ପଦକ୍ଷେପ ଥିଲା ପ୍ରଣିଧାନଯୋଗ୍ୟ ।
ଓଡ଼ିଆମାନଙ୍କ ଶିଳ୍ପ ଓ ଶିଳ୍ପୀର ବାଣିଜ୍ୟିକ ଅବମୂଲ୍ୟାୟନକୁ ସହର୍ଷ ପହଞ୍ଚାଇବା ନିମନ୍ତେ ଓଡ଼ିଶା ଅଳଙ୍କାର କାରଖାନା ବା “Orissa Art Wares” କଟକ ଠାରେ ନିଜ ବାସଭବନ ଅଦୂରରେ ସ୍ଥାପନ କରନ୍ତି । କେବଳ ସେତିକି ନୁହେଁ ପଥର, ଅଳଙ୍କାର ଓ ନାନା ବୟନ ଆଦି ସୂକ୍ଷ୍ମ ଶିଳ୍ପକଳାର ପ୍ରଶିକ୍ଷଣ ପାଇଁ ଏକ ଶିଳ୍ପ ବିଦ୍ୟାଳୟ ମଧ୍ୟ ସଂଲଗ୍ନ ବସାଇଥିଲେ । ବିଲୁପ୍ତପ୍ରାୟ ନିଖୁଣ ଅଳଙ୍କାର ଓ ଶିଳ୍ପ ଶିକ୍ଷାର ପୁନରୁଦ୍ଧାର ପାଇଁ ଏହାର ଆଭିମୁଖ୍ୟ ସ୍ଥିର । ତେଣୁ, ସେମାନଙ୍କ ପର୍ଯ୍ୟାପ୍ତ ଚାହିଦାର ବିଶ୍ଳେଷଣ ଜନିତ ସୁଲଭ ବିକ୍ରୟର ବ୍ୟବସ୍ଥା ନିଜ ପକ୍ଷରୁ କରନ୍ତି । ଏକାଦିକ୍ରମେ ପ୍ରାୟ ଶହେ ଜଣ କାରିଗର ଶିକ୍ଷା ଲାଭ କରିବା ସଙ୍ଗେ ଅଳଙ୍କାର ଗଢୁଥିଲେ ।
ବ୍ୟବସାୟରେ ବ୍ୟକ୍ତିଗତ ଲାଭ ଅପେକ୍ଷା ବହୁ ଲୋକମାନଙ୍କ ଅନ୍ନସଂସ୍ଥାନ, ଦେଶର ସାଧାରଣ ଆର୍ଥିକ ଅବସ୍ଥାର ଉନ୍ନତି ତାଙ୍କର ଏହି ଉଦ୍ୟମର ନିହିତ ଅଭିପ୍ରାୟ ଥାଏ । ସଂସ୍ଥାକୁ ସ୍ଥାପନ କରିବାଠାରୁ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ସେ ପ୍ରତି କ୍ଷେତ୍ରର ଅତି ସୂକ୍ଷ୍ମ ବିଷୟକୁ ମଧ୍ୟ ଅନୁଧ୍ଯାନ କରୁଥିଲେ । ତତୋଽଧିକ ସୁନ୍ଦର ଓ ଚାରୁକଳାପୂର୍ଣ୍ଣ ହୋଇଥିବା ପଦାର୍ଥଗୁଡିକ ଦେଶ ନାଗରିକଙ୍କ ଆଦର ଭାଜନ ହେଲା । ତାହାର ଏକ ସୁନ୍ଦର ଦୃଷ୍ଟାନ୍ତ ହେଉଛି ଫଟୋଚିତ୍ରରେ ଥିବା ଏହି ରୌପ୍ୟ ଫଳକ । ଏଥିରେ ଉତ୍କୀର୍ଣ୍ଣ ଥିଲା ଏକ ଅଭ୍ରଙ୍କଷ ମନ୍ଦିର – ସ୍ଵୟଂ ଶ୍ରୀଲିଙ୍ଗରାଜଙ୍କ ବଡ଼ଦେଉଳ । ବର୍ତ୍ତମାନ ଏହା କଟକ ସ୍ଥିତ ମଧୁସୂଦନ ସଂଗ୍ରହାଳୟରେ ସଂରକ୍ଷିତ ରହିଛି ।
ବଙ୍ଗ ଲାଟ୍ ସାର୍ ଜନ୍ ଉଡବର୍ଣ୍ଣ ସେତେବେଳେ କଟକ ଆସିଥିଲେ । ମଧୁବାବୁ ତାଙ୍କୁ ନିମନ୍ତ୍ରଣ କରି ନିଜ କାରଖାନା ଦେଖାଇଥିଲେ । ସେଠି କାରିଗରମାନେ ତାଙ୍କୁ ଏକ ମାନପତ୍ର ତାଳପତ୍ରରେ ଛାପି ପ୍ରଦାନ କରନ୍ତି । ମଧୁବାବୁଙ୍କ ହତା ଭିତରେ ଟେନିସ୍ କୋର୍ଟର ଚାରି ପଟେ ଶିଳ୍ପୀ ଯୁବକମାନେ ଗୋଟିଏ ମଞ୍ଚ ଉପରେ ପୁନଶ୍ଚ ଶିଳ୍ପ ଓ ତଦୀୟ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖାଇଥିଲେ । ମଧୁବାବୁଙ୍କ ଏ ପ୍ରତିଷ୍ଠାନକୁ ଦେଖି ଉଡବର୍ଣ୍ଣ ଅତ୍ୟନ୍ତ ପ୍ରସନ୍ନ ହୋଇ ବହୁ ପ୍ରଶଂସା କରିଥିଲେ । ଗୋଟିଏ କାରୁକାର୍ଯ୍ୟ ଖଚିତ ରୂପା ତାରକସି ନିର୍ମିତ ବାକ୍ସରେ ତାଙ୍କୁ ଭୁବନେଶ୍ବର ବଡ଼ଦେଉଳର ପ୍ରତିମୂର୍ତ୍ତି ଉପଢ଼ୌକନ ସ୍ଵରୂପ ଭେଟି କରନ୍ତି ।
ଏହି ଉଡବର୍ଣ୍ଣ ସାହେବଙ୍କ ଦୃଷ୍ଟି ପରବର୍ତ୍ତୀ ସମୟରେ ଭୁବନେଶ୍ୱର ଦେଉଳ ଓ ଏହାର କୀର୍ତ୍ତିରାଜି ଉପରେ ପଡେ । ବଙ୍ଗଦେଶର ଛୋଟଲାଟ ୧୮୯୮ ମସିହାରେ ଭୁବନେଶ୍ୱରକୁ ଆସିଥିଲେ । ଭଗ୍ନ ଦଶାପନ୍ନ ମନ୍ଦିରଗୁଡ଼ିକର ପୁରାତତ୍ତ୍ଵ ହିସାବରେ କେଡ଼େ ଯେ ଦୁର୍ମୂଲ୍ୟ ତାହାର ଅନୁମାନ କରିବା ବେଳକୁ ତାଙ୍କ ମର୍ମ ବିଦୀର୍ଣ୍ଣ ହେଲା । ଘୋର ଗ୍ଳାନିରେ ସେ ଉତ୍କଳ ଭଳି ରାଷ୍ଟ୍ରର ପତିତାବସ୍ଥାକୁ ସମ୍ୟକ୍ ଉପଲବ୍ଧି କରି ତତ୍କାଳୀନ ବ୍ରିଟିଶ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ ଯତ୍ନ କରିଥିଲେ । ଓଡ଼ିଆ ଜାତିର ବିରାଟ ଇତିହାସ ଶ୍ରବଣ କରି ସେ ଓଡ଼ିଆମାନଙ୍କ ଉପକାର ସାଧନ ନିମିତ୍ତ ଭୁବନେଶ୍ୱରର ବହୁସଂଖ୍ୟକ ଦେଉଳମାନଙ୍କ ଜୀର୍ଣ୍ଣ ଉଦ୍ଧାର କରିଥିଲେ ।
ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କ ନାମର ସଶ୍ରଦ୍ଧ ସ୍ମରଣରେ ଭୁବନେଶ୍ବର ଗୌରବ ଅନୁଭବ କରେ । ପ୍ରଥମେ ବ୍ରହ୍ମେଶ୍ଵର, ରାଜରାଣୀ, ମୁକ୍ତେଶ୍ଵର ଓ ପରଶୁରାମେଶ୍ବର ଦେଉଳର ଜୀର୍ଣ୍ଣ ସଂସ୍କାର ପାଇଁ ପ୍ରାୟ ୧୬, ୦୧୯ ଟଙ୍କା ବ୍ୟୟ କରିଥିଲେ । ଜୀର୍ଣ୍ଣ ସଂସ୍କାରର ଆନୁମାନିକ ବ୍ୟୟ ଅଟକଳ ତାଙ୍କର ହସ୍ତଗତ ହେବା ପରେ ସ୍ଥାନୀୟ ଭଦ୍ର ବାସିନ୍ଦାମାନଙ୍କୁ ଅବଗତ କରନ୍ତି, ପ୍ରତିବର୍ଷ ୪ ହଜାର ଟଙ୍କା କରି ମରାମତି ଖର୍ଚ୍ଚରେ ସେ ନିଜ ପକ୍ଷରୁ ଅବଶ୍ୟ ପ୍ରଦାନ କରୁଥିବେ । ଏହା ପରେ ପରେ ମେଘେଶ୍ବର, ସିଦ୍ଧେଶ୍ବର, ଭାସ୍କରେଶ୍ଵର, ଚିତ୍ରକାରିଣୀ, ଶୁକସାରୀ, ଭବାନୀ ଶଙ୍କର ଓ ଦେବୀ ପାଦହରା ପୁଷ୍କରିଣୀ ପାଇଁ ବିପୁଳ ଅର୍ଥବ୍ୟୟ କରାଯାଇ ୧୮୯୯ ମସିହାରୁ ଏହି ସମସ୍ତ ଦେଉଳ ପରିସରଭୁକ୍ତ କୀର୍ତ୍ତିରାଜି ମରାମତି ହେଲା ।
ପୁଣି ୧୯୦୦ ଖ୍ରୀ.ରେ ଓଡ଼ିଶା ଆସିଥିବା ଉଡବର୍ଣ୍ଣ ପୂର୍ବ ଅର୍ଥ ଅଟକଳରୁ ଶ୍ରୀଲିଙ୍ଗରାଜଙ୍କ ବଡ଼ଦେଉଳ ପାଇଁ ବ୍ୟୟ କରିଥିଲେ । କିନ୍ତୁ ଏହାର ସାମଗ୍ରିକ ରକ୍ଷଣ ୧୯୧୫ ଖ୍ରୀ.ରୁ ହେଲା । ଉତ୍କଳର ଅନେକ କୃତବିଦ୍ୟ ସନ୍ତାନ ଯଥା ରତ୍ନାକର ଗର୍ଗବଟୁ, କଟକରୁ ବିଶିଷ୍ଟ ଇଞ୍ଜିନିୟର ଭୁବନାନନ୍ଦ ଦାସ, ବିଚିତ୍ରାନନ୍ଦ ଦାସ, ପ୍ରାଣକୃଷ୍ଣ ପରିଜା, ବିପିନ ବିହାରୀ ରାୟ ‘ମନ୍ଦିର ସଂସ୍କାର ସମିତି’ର ସଭ୍ୟ ରହି ଅନୁଦାନ ଦେଇଥିଲେ । ବାସ୍ତବରେ ସବୁ ଉଦ୍ଯମର ପୃଷ୍ଠପୋଷକତା ନିଜେ ଉତ୍କଳଗୌରବ ମଧୁସୂଦନ ଦାସ ନିର୍ବାହ କରି ଗୋଟିଏ ମହନୀୟ କ୍ଷେତ୍ରର ଧର୍ମ ପୁନଃ ସଂସ୍ଥାପନ କଲେ, ସେହି ଅବଦାନ ତୁଳନାତୀତ ।
ଯଥାର୍ଥରେ ତେଣୁ ମଧୁବାବୁ ‘ଉତ୍କଳ ସମ୍ମିଳନୀ’ (୧୯୦୩)ର ପ୍ରଥମ ଅଧିବେଶନର ବକ୍ତୃତାରେ କହନ୍ତି, “ଆଜି ଭୁବନେଶ୍ୱର ଓ ଖଣ୍ଡଗିରିର କାରିଗରି ଦେଖିବାକୁ ଦୂରଦେଶରୁ ଲୋକେ ଆସୁ ଅଛନ୍ତି । ପୂର୍ବେ ଆମ୍ଭମାନଙ୍କ ଦେଶର କାରିଗରଙ୍କ ଏପରି ହାତଯଶ ଥିଲା ଯେ ଏହା ଦେଖି ସାହେବମାନେ ସୁଦ୍ଧା ଆଜି ଆଶ୍ଚର୍ଯ୍ୟ ହେଉଛନ୍ତି । . . ପୂର୍ବେ ଆମ୍ଭମାନଙ୍କ ଦେଶର କାରିଗରମାନେ ଖିଲଣ କାମ ନ ଜାଣି ସୁଦ୍ଧା ଓଲଟ ନିଶୁଣି ପରି ପଥର ଉପରେ ପଥର ଥୋଇ ଶେଷକୁ ଖଣ୍ଡିଏ ଲେଖାଏଁ ଆଡେଣି ପଥର ଦେଇ ନହଡି ମୁଦ ଦ୍ବାରା ଅଠରନଳା ପୋଲ ଏପରି କୌଶଳରେ କରିଛନ୍ତି, ସେ ଯେ ବର୍ତ୍ତମାନ ଖିଲଣ କାମ ଠାରୁ ବେଶି ମଜଭୁତ ଓ ଶକ୍ତ ହୋଇଅଛି ।”
ଏଥିରେ ସସମ୍ମତ ହୋଇ ତତ୍କାଳୀନ ସଭାପତି ମୟୂରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମଧ୍ୟ ନିଜ ମନ୍ତବ୍ୟରେ ଏହାକୁ କିଞ୍ଚିତ୍ ପ୍ରାଞ୍ଜଳ କଲେ, “ସଭ୍ୟବୃନ୍ଦ ! ଭୁବନେଶ୍ବରର କୀର୍ତ୍ତିରାଜିର ଭଗ୍ନାବଶେଷ ଆପଣମାନେ ସମସ୍ତେ ଦେଖିବା ହୋଇଥିବେ । କେଶରୀ ବଂଶୀୟ ନରପତି ଲଲାଟେନ୍ଦ୍ର କେଶରୀଙ୍କ ଗୌରବ ସେଠାରେ ଦେଦୀପ୍ୟମାନ ହୋଇ ରହିଅଛି । ମହାଦେବଙ୍କ ଉଦ୍ଦେଶ୍ୟରେ ସେଠାରେ କେତେ କେତେ ଦେବାଳୟ ନିର୍ମିତ ହୋଇ ନଥିଲା ? ସେମାନଙ୍କର ଗଠନ ସୌଷ୍ଠବ ଓ ଚିତ୍ରମାନ ଦେଖି କାହାର ହୃଦୟ ବିସ୍ମୟାଭିଭୂତ ନ ହେବ ? ସେହି କୀର୍ତ୍ତି ସବୁ ଦେଖିଲେ ପ୍ରାଚୀନ କାଳରେ ଉତ୍କଳ ଦେଶ କେଡ଼େ ସମୃଦ୍ଧିଶାଳୀ ହୋଇ ଥିଲା ତାହା କେତେକ ପରିମାଣରେ ଉପଲବ୍ଧି ହୁଏ ।”
ଏଥି ସହ ୧୯୦୦ ମସିହାରେ ଓଡ଼ିଶା ଆସିଛନ୍ତି ଲର୍ଡ କର୍ଜନ । କାରଣ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ଏକ ଶାସନାଧୀନ ରଖିବା ପାଇଁଁ ଭାରତର ସେତେବେଳେ ବଡ଼ଲାଟ କର୍ଜନଙ୍କୁ ମଧୁବାବୁ ଦୀର୍ଘ ଏକ ଆବେଦନପତ୍ର ଲେଖିଥିଲେ । ସେତେବେଳେ ଗ୍ରୀଷ୍ମ ଋତୁ ଯୋଗୁ ଲର୍ଡ କର୍ଜନ ସିମଲାରେ ଅବସ୍ଥାନ କରୁଥାଆନ୍ତି । ବଡ଼ଲାଟ ଯେହେତୁ ନବାଗତ, ତେଣୁ ତାଙ୍କୁ ଓଡ଼ିଆ ବା ଓଡ଼ିଶା ଭଳି ଭାରତବର୍ଷର ଗଠନକାରୀ ପ୍ରଦେଶମାନଙ୍କ ସମ୍ପର୍କରେ କୌଣସି ମୂଳଭୂତ ଧାରଣା ନଥିବା କହିଥିଲେ ।
କିନ୍ତୁ ମାତୃଭୂମିର କ୍ଷୁଣ୍ଣ ଦୃଶ୍ୟକୁ ଆବେଗମୟୀ ଭାଷାରେ ଉତ୍କଳଗୌରବ ମଧୁସୂଦନ ଦାସ ଅନୁନୟ କରି ଲେଖିଲେ, “ଶାସନ କଳ ସମୁଦ୍ରରୂପକ ମାତା ଠାରୁ ଦୁହିତାମାନଙ୍କୁ ପୃଥକ୍ କରିଦେଇଥିବାରୁ ଓଡ଼ିଆ ଜାତି ଅକଥନୀୟ ଦୁଃଖ ଭୋଗ କରୁଛନ୍ତି ଓ ଅନୁନ୍ନତ ଅବସ୍ଥାରେ ପଡ଼ିରହିଛନ୍ତି ।” ମଧୁବାବୁଙ୍କ ମଞ୍ଜୁଳ ପ୍ରତିବେଦନରେ ଏକାବେଳକେ ମୁଗ୍ଧ ହୋଇ ଯାଇଥିଲେ । ମଧୁବାବୁଙ୍କ ଅନୁରୋଧ ରକ୍ଷା କରି ନିଜ ବ୍ୟକ୍ତିଗତ ସଚିବଙ୍କ ମାଧ୍ୟମରେ ଓଡ଼ିଶା ଓ ଏହାର ଚତୁଃପାର୍ଶ୍ଵସ୍ଥ ଅଞ୍ଚଳତକର ମାନଚିତ୍ର ସଙ୍ଗରେ ପ୍ରସ୍ତୁତ କରି ଆଣିବାକୁ ଆଦେଶ ଦେଲେ । ବଙ୍ଗ ସରକାରଙ୍କୁ ମଧ୍ୟ ଆଦେଶ ଦେଇ ନିଜ ଓଡ଼ିଶା ଗସ୍ତର ଆୟୋଜନ କଲେ ।
ଓଡ଼ିଶାରେ ଲର୍ଡ କର୍ଜନଙ୍କୁ ପହଞ୍ଚି ସ୍ଵାଗତ କରିଥିବା ମଧୁବାବୁ ତାଙ୍କୁ ଓଡ଼ିଆ ଜାତିର ସଂସ୍କୃତି, ଐତିହ୍ୟ ପ୍ରଭୃତି ସମ୍ପର୍କରେ ବିଶେଷ ତଥ୍ୟ ଦେଇଛନ୍ତି । ବଡ଼ଲାଟଙ୍କୁ ମଧୁବାବୁ ଜଣାଇଥିଲେ କିପରି ଓଡ଼ିଶା ବ୍ରିଟିଶ ଶାସନ ଦୃଷ୍ଟିରେ ବୈମାତୃକ ହେଇ ରହିଥିଲା । ବଡ଼ଲାଟ ତନ୍ମୟ ହୋଇ ମଧୁବାବୁଙ୍କୁ ଆମୂଳଚୂଳ କର୍ଣ୍ଣପାତ କରିଥିଲେ । ପରବର୍ତ୍ତୀ ସମୟରେ ଏକ ସ୍ପେଶାଲ ରେଳ ମାଧ୍ୟମରେ ମାନ୍ଦ୍ରାଜରୁ ପୁରୀ ଆସି ସେଠାରେ ଗୋଟିଏ ସଭାରେ ଯୋଗଦାନ ସହ ଶେଷରେ ଭୁବନେଶ୍ୱରରେ ପଦାର୍ପଣ କରନ୍ତି ବଡ଼ଲାଟ ଲର୍ଡ କର୍ଜନ ।
ଲର୍ଡ କର୍ଜନ ଭୁବନେଶ୍ଵରରେ କାରୁକାର୍ଯ୍ୟପୂର୍ଣ୍ଣ ରାଜରାଣୀ ଓ ମୁକ୍ତେଶ୍ଵର ମନ୍ଦିର ପ୍ରଭୃତି ଦେଖି ଅଭିଭୂତ ହୋଇ ଯାଇଥିଲେ । କିନ୍ତୁ ଓଡ଼ିଶାର ପ୍ରାଚୀନ କୀର୍ତ୍ତିର ପ୍ରଥମ ନିଦର୍ଶନ ଲର୍ଡ କର୍ଜନ ପାଇଥିଲେ ଶ୍ରୀଲିଙ୍ଗରାଜଙ୍କ ବଡ଼ଦେଉଳ ପରିଦର୍ଶନ ପରେ । ସେତେବେଳେ ଲିଙ୍ଗରାଜ ମନ୍ଦିର ପରିଚାଳନା ବୋର୍ଡ଼ ପକ୍ଷରୁ ଏକ ଅସ୍ଥାୟୀ କାଠ ମଞ୍ଚା ତିଆରି କରାଯାଇଥିଲା । ଉତ୍ତର ଦ୍ଵାରର ଆଜି କର୍ଜନ ମଣ୍ଡପ ତାହାର ସାକ୍ଷୀ । ମଧୁବାବୁ ବଡଲାଟଙ୍କୁ ମନ୍ଦିରର ବିଭିନ୍ନ ଅଂଶରେ ଥିବା ସୁନ୍ଦର କାରୁକାର୍ଯ୍ୟ ଦେଖାଇ ତାହାର ତାତ୍ପର୍ଯ୍ୟ ବୁଝାଇଥିଲେ । ଶ୍ରୀଲିଙ୍ଗରାଜଙ୍କ ବଡ଼ଦେଉଳ ଦର୍ଶନ ହିଁ ବ୍ରିଟିଶ ଶାସନର ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କଲା ।
ଲର୍ଡ କର୍ଜନ ହିଁ ବାସ୍ତବରେ ଓଡ଼ିଶାର ସମସ୍ୟାଗୁଡ଼ିକ ହୃଦୟଙ୍ଗମ କରିବା ସଙ୍ଗେ ତତ୍କାଳୀନ ମଧ୍ୟପ୍ରଦେଶଠାରୁ ସମ୍ବଲପୁରକୁ ମୁକ୍ତ କରି ପୁନର୍ବାର ଓଡ଼ିଶା ସହ ଅକ୍ଟୋବର ୧୬ରେ ମିଶାଇଥିଲେ । ଏହା ପୂର୍ବରୁ ଶ୍ରୀଲିଙ୍ଗରାଜଙ୍କ ବଡ଼ଦେଉଳର ପୁନରୁଦ୍ଧାର ପାଇଁ ଯଥେଷ୍ଟ ଯତ୍ନ କରି ସମୁଦାୟ ଉତ୍କଳର ପ୍ରାଚୀନ କୀର୍ତ୍ତି ସଂରକ୍ଷଣ ଦିଗରେ “Ancient Monument Protection Act” ପାରିତ କରିଥିଲେ । ଏହା ଦ୍ଵାରା ସରକାର ଭାରତର ପ୍ରାଚୀନ କୀର୍ତ୍ତିରାଜି ମାନଙ୍କର ସଂରକ୍ଷଣ ପାଇଁ ବାଧ୍ୟ ହେଲେ । ପରବର୍ତ୍ତୀ ବର୍ଷ ମଧୁବାବୁ ବଙ୍ଗ ବ୍ୟବସ୍ଥାପକ ସଭାରେ ମଧ୍ୟ ଓଡ଼ିଶାର ନାନା ସମସ୍ୟା ଇତ୍ୟବସରରେ ଉତ୍ଥାପିତ କରିବାରେ ସଫଳ ହୁଅନ୍ତି ।
ପରିଶେଷରେ ମଧୁବାବୁଙ୍କ ଏକ ସ୍ମରଣୀୟ କାର୍ଯ୍ୟ ଯାହା ପ୍ରାୟ ସମସ୍ତଙ୍କୁ ଅଜ୍ଞାତ । କଟକ ଜିଲ୍ଲାବୋର୍ଡର ଭାଇସ୍ ଚେୟାରମ୍ୟାନ୍ ଥିବା ବେଳେ ମଧୁସୂଦନ ଦାସ ଭୁବନେଶ୍ବରରେ ସାମୟିକ ରହଣି କରୁଥିଲେ । ସେଠି ମଧ୍ୟ ଲୋକମାନଙ୍କ ମକଦ୍ଦମା ବୁଝି ସେମାନଙ୍କୁ ସାହାଯ୍ୟ କରୁଥିଲେ । ତାଙ୍କ ବସା ସେତେବେଳେ ଏକାମ୍ର କ୍ଷେତ୍ରରେ । ବିନ୍ଦୁସାଗର ତୀର୍ଥର ପୂର୍ବ ତଟରେ ଥିବା ଦ୍ବାରବାସିନୀଙ୍କ ମନ୍ଦିର ଅଦୂରରେ ରହିଛି ଆଜି ବି ‘ମଧୁ ଭବନ’ ।
ଏହି ମଧୁ ଭବନ ସମ୍ମୁଖରେ ମଧ୍ଯ ବିନ୍ଦୁସାଗରର ଗୋଟିଏ ଅନତିବିସ୍ତୃତ ଘାଟ ନିର୍ମିତ । ଏହାର ନାମ ମଧୁବାବୁ ଘାଟ । କଥିତ ଯେ ଉତ୍କଳଗୌରବ ମଧୁସୂଦନ ଦାସ ନିଜ ରହଣି କାଳରେ ଶ୍ରୀଲିଙ୍ଗରାଜଙ୍କ ପାଇଁ ଚନ୍ଦନ ଯାତ୍ରାର ଏକ ପନ୍ତି ଭୋଗ ଏଇଠାରେ ବ୍ୟବସ୍ଥା କରିଥିଲେ । ଆଜି ବି ତେଣୁ, ପ୍ରତ୍ୟେକ ବର୍ଷ ବାଇଶି ଦିନ ପାଳନ କରାଯାଉଥିବା ଶ୍ରୀଲିଙ୍ଗରାଜଙ୍କ ଜଳକ୍ରୀଡ଼ା ଯାତ୍ରାର ଏକୋଇଶ ଦିନ, ଅର୍ଥ ଭଉଁରୀ ତିଥିରେ ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ବିନ୍ଦୁସାଗର ଚାପ ଖେଳିଥାଆନ୍ତି । ଚାପର ଅନ୍ତିମ ଭଉଁରୀ ଏହି ମଧୁବାବୁ ଘାଟରେ ସରିଲେ ପୂଜାପଣ୍ଡାଙ୍କ ଦ୍ଵାରା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପନ୍ତି କରାଯାଇଥାଏ ।
@ ମୋ ପ୍ରିୟତମ ପାଥେୟ: ଅମୃତେଶ (୨୮.୦୪.୨୦୨୪)
Madhubabu Madhu Bhaban Madhubabu Ghata
Utkala Gourab Madhusudan
Lingaraj Temple Ekamra Bhubaneswar
Utkal Sammilanee Lord Curzon BinduSagar
Orissa Art Wares Silver Filigree