ଲେଖା: ବନ୍ଧନ ଦଳେଇ
~ ଆମ ଲୋକସାହିତ୍ୟ ~
ଇଏ ଆମ ଗାଁ ଗହଳିର ଅସିଆ କାଳର ମସିଆ କଥା ! ବେଳବୁଡ଼ି ଆସିଲା ବେଳକୁ ବଳଦ ଆଡ଼େଇ ଶଗଡ଼କୁ ଘରମୁହାଁ କରାଉଥିବ ଚଷାପୁଅ ! ଲହରା ସୁର ତା’ର ଭାସି ଆସୁଥିବ କାଇଁ କେତେ ଦୂରରୁ !
“ଦୂରକୁ ସୁନ୍ଦର ତ ପରବତମାଳ
ଗାଆଁକୁ ସୁନ୍ଦର ତ ନଡ଼ିଆ ଗୁଆ ତାଳ
ବନ୍ଧୁକୁ ସୁନ୍ଦର ତ ଦିଶଇ ଦୂରବାଟ
ସିନ୍ଧୁକୁ ସୁନ୍ଦର ତ ଲହଡ଼ା ଭଙ୍ଗାଘାଟ ।
ସଭାକୁ ସୁନ୍ଦର ତ ପଧାନ ସାନଭାଇ
ଗୋଠକୁ ସୁନ୍ଦର ତ ଦୁହାଁଳିଆ ଗାଈ
ଘରକୁ ସୁନ୍ଦର ଯେବେ ଲୋ ଘରଣୀ
ନ ଯିବୁ ବାହାଘର ଲୋ . . “
ଏବକୁ ଏ ଦୃଶ୍ୟ ତ ସାତସପନ ! ଆଜିକା 5G ଇଣ୍ଟରନେଟ ଯୁଗର ଛୁଆ ଅବା କେଉଁଠୁ ପାଇବେ #ଶଗଡ଼ ଅବା ଶଗଡ଼ିଆର ଗୀତ ! ସତୁରୀ ଅଶୀ ଦଶକରେ ମାଟିରେ ପାଦ ଦେଇଥିବା ଦରପାକଲା ମଣିଷ କେତୁଟା କିନ୍ତୁ ଦିନେ ପରିଚିତ ଥିଲେ ଏଁତି କେତେ #ଗାଉଁଲି_ଜୀବନର_ଗୀତ ସହିତ ! ଆମ ଲୋକସାହିତ୍ୟ ସହିତ ଯୋଡ଼ି ହେଇଥିଲା ଜୀବନର ଛନ୍ଦ !
ଦିନ ଥିଲା, ସେସବୁ ଗୀତ ଅବା କବିତା ଜନତାର ମୁଖେ ମୁଖେ ପ୍ରଚଳିତ ଥିଲା ! ତାଳପତ୍ର, #ଭୁର୍ଜପତ୍ର ଅବା ଛପା କାଗଜର ଗ୍ରନ୍ଥ ରୂପେ ପରିଚିତ ହେବାର ସୁଯୋଗ ଲଭୁ ବା ନ ଲଭୁ, କେଉଁ ଅଜ୍ଞାତ କୋଣରେ ସୃଷ୍ଟି ଲଭି ବିଚକ୍ଷଣ ମହକରେ ଜନମାନସର କୋଣେ କୋଣେ ପ୍ରଚାରିତ ହୋଇ ଆମ ଲୋକସାହିତ୍ୟ ସାର୍ବଜନୀନ ହୋଇ ପାରିଥିଲା ନିଶ୍ଚୟ ! ମହାପଣ୍ଡିତଙ୍କଠୁ ଅପାଠୁଆ ମୂର୍ଖ ଯାଏଁ ସଭିଏଁ ବୁଝି ପାରୁଥିବା, ମନେ ରଖିପାରୁଥିବା ସେଇ #ଜନସାହିତ୍ୟ ସିନା ଥିଲା ବିଦଗ୍ଧ ସାହିତ୍ୟର ଜନକ, ମାତ୍ର ଏବକୁ ବିବାକ ମଳିନ !
ଓଡ଼ିଆଙ୍କ ଜନଜୀବନରେ ଥିଲା କେତେ କେତେ ଲାଳିତ୍ୟପୁର୍ଣ୍ଣ #ଲୋକଗୀତ ! ନିଜର କର୍ମବହୁଳ ଜୀବନରୁ ସ୍ବାଦ ପାଉଥିଲା ଓଡ଼ିଆ ! ଆମ ଗାଁ ଗାଉଁଲି ଚଷାଭାଇ ଚାଷଜମିରେ ଅବା ଶଗଡ଼ ଚଳାଇବାରେ ବ୍ୟସ୍ତ ଥିଲାବେଳେ କ୍ଳାନ୍ତିଜନିତ ଆଳସ୍ୟକୁ ଦୂର କରି ମନକୁ ସତେଜ ତଥା ପ୍ରଫୁଲ୍ଲ ରଖିବା ନିମନ୍ତେ ବିଭିନ୍ନ ପ୍ରକାର ଗୀତ ଗାଉଥିଲେ । ସେସବୁ ଗୀତରେ ସେମାନଙ୍କ ଜୀବନର ସୁଖଦୁଃଖ ଓ ବିଭିନ୍ନ ଅନୁଭୂତି ପ୍ରକଟିତ ଥିଲା । ପ୍ରାୟ ଏ ଧରଣର ଅଧିକାଂଶ ଲୋକଗୀତ ସରଳ ଓଡ଼ିଆ ଚଷାପୁଅର ଜୀବନକୁ ଉପଜୀବ୍ୟ କରିଥିଲା । ହାତଗଣତି କିଛି ଥିଲା ଶାସ୍ତ୍ରପୁରାଣ ଆଧାରିତ । ସରଳ ଚଷାପୁଅର କଣ୍ଠରୁ ଝରି ଆସୁଥିବା ମନଫୁଲାଣିଆ ଗୀତ ବାସ୍ତବରେ ଥିଲା ଅତି ଚିତ୍ତାକର୍ଷକ । ରାମାୟଣକୁ ନେଇ ଏଁତି ଏକ #ଚଷାଗୀତ:
”ରାମ ବିଭାଘରେ ହୋ ଲକ୍ଷ୍ମଣ ବରଜାତି
କନକ ବେଦୀ ତଳେ ହୋ କଳାଧଳା ଛତି,
କଳାଧଳା ଛତି ତ ସୁବର୍ଣ୍ଣ ଛାଏଣି
ମୁକୁତା ପେନ୍ଥି ପେନ୍ଥି ଯେ ହୀରା ତ ଖୋସଣି,
ଜିଲ୍ଲା ସମ୍ଭରବେ ତ ତ୍ରିଶାଖା ମୁକୁଟ
ବେଗେ ସଜ କର ସୀତାଙ୍କୁ ଯେ
ଲକ୍ଷ୍ମଣ ବାହୁ ରଥ ହୋ… !”
ଆମ ଚଷାପୁଅ ଚାଷ କରିବା ସମୟରେ ଯେପରି ମନମତାଣିଆ ସଂଗୀତ ଗାଇ ଗାଇ କ୍ଳାନ୍ତି ଭୁଲିଯାଉଥିଲା ଶଗଡ଼ ଚଳାଇବା ବେଳେ ମଧ୍ୟ ସେହିପରି ମନଭୁଲା #ଶଗଡ଼ିଆ_ଗୀତ ଗାଉଥିଲା । ତା’ର ଚାଷକାର୍ଯ୍ୟ ସମୟର ଗୀତଠାରୁ ଶଗଡ଼ ଚଳାଇବା ସମୟର ଗୀତ ଥିଲା କିଛିଟା ସ୍ବତନ୍ତ୍ର । ଏହାର ଲହର ସ୍ବତନ୍ତ୍ର ଏବଂ ଏହା ନିର୍ଜନ ଭୂମିରେ ପ୍ରଲୁବ୍ଧତା ଆଣିବାରେ ଥିଲା ସମର୍ଥ । ବଳଦ ଅଡ଼େଇ ଶଗଡ଼କୁ ଆଗକୁ ଆଗକୁ ଗଡ଼େଇନେବା ସମୟରେ ତା କଣ୍ଠରୁ ଯେଉଁ ସଙ୍ଗୀତର ଲହର ଛୁଟୁଥିଲା, ସେଥିରେ ପ୍ରତିଧ୍ୱନିତ ହେଉଥିଲା ନିର୍ଜନ ପରିବେଶ !
ହେଲେ ଏବେ କାଇଁ ସେ ପ୍ରବଣତା ! ସମୟ ବଦଳି ଯାଇଛି ! ସତରେ, ଆମ ଚଷାପୁଅ ହରାଇବସିଛି ସେ ଉଚ୍ଛଳ ଜୀବନକୁ ! ଆମ ଜୀବନ ଯେମିତି ଆଧୁନିକତା ରାକ୍ଷସର ଆଁ ଭିତରେ ଆମ ଲୋକସାହିତ୍ୟ ମଧ୍ୟ ସେମିତି ଆଜି ଅଲୋଡ଼ା ପ୍ରାୟ !