ଆମ ଲୋକସାହିତ୍ୟ

ଲେଖା: ଦେଵ ତ୍ରିପାଠୀ
~ ଆମ ଲୋକସାହିତ୍ୟ ~
“ଧର୍ମରୁ ଜୟ କେବଳ ଅଧର୍ମରୁ କ୍ଷୟ
ଧର୍ମ ଥିଲା ପ୍ରାଣୀକୁ ନ ପଡେ ଅପ୍ରମେୟ।
ଧର୍ମ ହିଁ କାଳେ କାଳେ ପଦାର୍ଥ କେତେ କାଳେ
ସର୍ବେସିନା ଚଳିଯିବା ରହି କାଳବଳେ II
*** *** *** ***
ସତ୍ୟ ଲାଗି ହରିଶ୍ଚନ୍ଦ୍ର ଶ୍ମଶାନ ଜଗିଲେ,
ସତ୍ୟ ଲାଗି କର୍ଣ୍ଣରାଜା ପୁତ୍ରଦାନ ଦେଲେ ।
ସତ୍ୟ ଧର୍ମ ପଦ ସିନା ମହତପଣିଆ,
ଆଉ ସବୁ କଥା ଦେଖ ଅଢେଇ ଦିନିଆ II”
ଇଏ ଦାନର ମାହାତ୍ମ୍ୟର ଗାନ ! ଧର୍ମର ଗାନ ! ସତ୍ୟ ଓ ମର୍ଯ୍ୟାଦାର ଗାନ ! ପୁଣ୍ୟ ଓ ଯଶର ଗାନ ! ଇଏ ଆମର ଅନନ୍ୟ ଲୋକଗୀତ ! ଆମ ଲୋକସାହିତ୍ୟ !
ଦିନ ଥିଲା ! ବୈଶାଖର ଉତ୍ତପ୍ତ ଆକାଶ, ସୂର୍ଯ୍ୟରୁ ଝରୁଥିବ ତରଳା ତମ୍ବାର ସୁଅ । ଗାଁ ଦାଣ୍ଡର ଧୂଳି ତତଲା ଡହଡ଼ହ ! କୁଣ୍ଠିତ ବସନ୍ତରେ କଅଁଳିଥିବା ନବକିଶଳୟ ଅଚାନକ ବାର୍ଦ୍ଧକ୍ୟପ୍ରାପ୍ତି ପରି କୁଞ୍ଚିତ, ମ୍ଳାନ; ଜଳି ଜଳି ଯାଉଛି ପୁଷ୍ପିତ ବିତାନ ! କାଉ କି କୋଇଲିର ସୋରଶବ୍ଦ ନ ଥିବ ! ଚାରିଆଡ଼େ ଶୂନଶାନ, ଖାଁ ଖାଁ ! ଝାଞ୍ଜି ବହୁଥିବ, ମଝିରେ ମଝିରେ ଉଠୁଥିବ ଖଣ୍ଡିଆଭୂତ ! ବିଲମାଳ, ତୋଟାଗହନ, ପୋଖରୀତୁଠ, ମନ୍ଦିରବେଢ଼ା, ଘରବାହାର ସବୁଠି ବିରାଜୁଥିଵ ଯେମିତି ଛମ୍ ଛମ୍ ନିରବତା ! ଗାଈର ପାକୁଳି ଓ କୁକୁରର ଜିଭ ଲହ ଲହ ଭିତରେ ସମୟ ଅତିକ୍ରମ କରୁଥିବ ତୃଷିତ ମଧ୍ୟାହ୍ନ !
ଏତିକି ବେଳେ ଅବିଭକ୍ତ ପୁରୀ ଓ କଟକ ଜିଲ୍ଲାର ଗାଁଦାଣ୍ଡରେ ଶୁଭେ ଏକ ଗମ୍ଭୀରା-ଥରା, #ଧ୍ୱନିମୟ_ଚିତ୍କାର ! ସାଙ୍ଗିତିକତାବିହୀନ ଅଥଚ ଉଦାତ୍ତ ଆହ୍ୱାନରେ ଭରା ! ସେ ଉଦାତ୍ତ କଣ୍ଠସ୍ୱର ଭାସି ଆସୁଥିବ ବହୁଦୂରରୁ, ପଲ୍ଲୀର ନିଘଞ୍ଚ ନିରବତାକୁ ବିଦୀର୍ଣ୍ଣ କରି, ବନ୍ଦ ହୋଇଯାଇଥିବା ଯାଉଁଳି କବାଟକୁ ଭେଦ କରି ମଧ୍ୟାହ୍ନର ଅଳସତନ୍ଦ୍ରାକୁ ଅପସାରି ଆସୁଥିବ ସେ ଶବ୍ଦ ! କୂଳବଧୂମାନେ ହୋଇଉଠିବେ ସଚେତନ ! ଚାଉଳ, ଡ଼ାଲି, ପରିବାପତ୍ରର ଭିକ୍ଷାପାତ୍ର ଧରି ସେମାନେ ଗୃହ ସାମ୍ନା ତୁଳସୀଚଉରା ମୂଳରେ ଅପେକ୍ଷା କରିଥିବେ ! ତୁଳସୀଚଉରା ଉପରେ ବସିଥାଏ ବୈଶାଖର ଜଳପୂର୍ଣ୍ଣ #ବସନ୍ତରା ଠେକି – ପୂଣ୍ୟର ଅନ୍ୟତମ ପ୍ରତୀକ ! ପାଦତଳର ମାଟିରୁ ନିଆଁ ହୁଳା ଉଠୁଥିବ, ଆକାଶରୁ ଛିଣ୍ଡୁଥିବ ନିଆଁଝୁଲ – ତଥାପି କୁଳବଧୁ ଅପେକ୍ଷା କରିବ ! ଦୁଆର ମୁହଁରେ ଭିକ୍ଷାର୍ଥୀ ! ତାଙ୍କୁ ଫେରାଇ ଦେବନି କୂଳବଧୁ ! କୁଳ, ବଂଶର ସୁରକ୍ଷା ପାଇଁ ପୂଣ୍ୟ ଅର୍ଜନର କଥା ! ଭିକ୍ଷାର୍ଥୀଙ୍କୁ ଶ୍ରଦ୍ଧାରେ ଟେକିଦେଇ ପରିପୂର୍ଣ୍ଣ କରିବ ଭିକ୍ଷାପାତ୍ର, କଲ୍ୟାଣ ନେବ !
“ଧାନ ଚାଉଳ ବିରି ମୁଗ ଆବର ପରିବା
ହିରଣ୍ୟ ବସ୍ର ହାଣ୍ଡି ଆଦି କରି ଦେବା ।।
*** *** ***
ବେନି ଚକ୍ର‌ ପୁରାଇ ଯେବେ ଦିଅଇ ଅନ୍ନ
ଜନ୍ମେ ଜନ୍ମେ ଅନ୍ନକଷ୍ଟ ସେ ନ ପାବନ୍ତି ଜନ” ।।
ଘାଗଡା କଣ୍ଠରେ ଯିଏ ଏହି ବାର୍ତ୍ତା ଧ୍ୱନିତ କରୁଥାନ୍ତି ସେ କେଉଁ ସାଧାରଣ ଭିକ୍ଷାର୍ଥୀ ନୁହଁନ୍ତି ! ମୁଣ୍ଡରେ ଥିବ ତାଙ୍କର ତାଳପତ୍ରର ଛତା, ବେକରେ ରୁଦ୍ରାକ୍ଷ, କାନ୍ଧରେ ଉପବୀତ, ଅଣ୍ଟାରେ ଗୁଡ଼ା ହେଇଥିବ ଦଉଡ଼ି ମୋଡ଼ା ପରି ଆଉ ପରସ୍ତେ ବସ୍ତ୍ର, ଚିତାଚୈତନ୍ୟ ସମନ୍ୱିତ, ହାତରେ କାଂସ୍ୟ ଭିକ୍ଷାପାତ୍ର ଓ କାନ୍ଧରେ ବୁଜୁଳା ! ରୂପ ଦେଖିଲେ ମନରେ ସ୍ବତଃ ଆଙ୍କି ହୋଇଯାଏ ଦାନବୀର ରାଜା ବଳିଙ୍କ ସମ୍ମୁଖରେ ଭଗବାନ ବିଷ୍ଣୁଙ୍କ ବାମନ ଅବତାରର ଛବି !
“ସେ ବ୍ରାହ୍ମଣଙ୍କୁ ଦେଖିଲେ ଦିନକର ପାପ ହରି
ୟେହାଙ୍କୁ ନମସ୍କାର କଲେ ଅଷ୍ଟୋତ୍ତର ଶତେ ବିପ୍ର ସରି” ।।
(ଆଦିପର୍ବ/ସାରଳା ମହାଭାରତ)
ସେଇ ଛବି ଆମ ସ୍ଫର୍ଦ୍ଧିତ ପରମ୍ପରାର ଅନ୍ୟତମ ଗାଥାକାର, ସତ୍ୟ ଓ ପୂଣ୍ୟର ବାର୍ତ୍ତାବହ – #ଚକୁଳିଆ_ପଣ୍ଡା ! ସମସ୍ତ ପଲ୍ଲୀ ଯେତେବେଳେ ତନ୍ଦ୍ରାଛନ୍ନ ସେ ଗାଉଥିବେ ଦାନବୀରମାନଙ୍କ ପୂଣ୍ୟମୟ ଗାଥା ଓ ସମଗ୍ର ପରିବେଶ ଯେତେବେଳେ ସ୍ତବ୍ଧ, ସେ ନିର୍ଘୋଷ କରୁଥିବେ ଚେତାବନୀ ! ବୈଶାଖର ଝାଞ୍ଜି ଭିତରେ ସେ ବରଷୁଥିବେ ଧର୍ମର ଗାଥା, ଦାରିଦ୍ର୍ୟକୁ ଶଙ୍କା ନ କରି, ଦାନକୁ ଲୋଭ ନ କରି ! ବର୍ଷକେ ଦୁଇମାସ ସେମାନେ ଆସିବେ, ଗୋଟିଏ ଭୋଜନ ପାଇଁ ଭିକ୍ଷା ମିଳିଗଲେ ସେ ଫେରିଯିବେ ଧର୍ମର ଜୟଗାନ କରି କରି !
ଏ ଥିଲା ଆମର ପରମ୍ପରା । ବସ୍ତୁବାଦୀ ସଭ୍ୟତାର ସ୍ପର୍ଶରେ ଦିନେ ମରିଗଲା ଇଏ ! ଆଧୁନିକ ମଣିଷର ମାର୍କସୀୟ ଦୃଷ୍ଟିରେ ଭିକ୍ଷାଦାନ ଓ ଗ୍ରହଣ ଏକ ଅପରାଧ, ଏକ ପରାଙ୍ଗପୁଷ୍ଟ ବୃତ୍ତି । ମାତ୍ର ଏକଦା ଏହା ବୃତ୍ତି ବା ଜୀବିକା ନ ଥିଲା ଏ ଗୋଷ୍ଠୀର, ବରଂ ଅଧିକ ମହତ୍ତର ଥିଲା ଧର୍ମର ଜୟଗାନ । #ଆଦିକବି ସାରଳା ଦାସ ପରା ଗାଇଗଲେ ସେ ମହତ୍ତ୍ଵ ବୃତ୍ତିରେ ଜୟଗାନ !
“*** *** ଚକ୍ର ବୋଲ ୟେକ ଭିକ୍ଷା,
ସମସ୍ତେ କରେ ଦିଅନ୍ତି ସେ ନିରଞ୍ଜନ ଦୀକ୍ଷା” ।।
ଚକୁଳିଆ ପଣ୍ଡା କାହାରି ଘରେ ଭିକ୍ଷା ପାଇଁ କଟାଳ କରନ୍ତି ନାହିଁ, ମୁହଁ ଖୋଲି ମାଗନ୍ତି ନାହିଁ, କୌଣସି ଦ୍ଵାରରେ ଦଣ୍ଡେ ଅଟକି ରହନ୍ତି ନାହିଁ ।
“*** *** ଚକ୍ର ବୋଲ ୟେକ ଭିକ୍ଷା,
ସମସ୍ତେ କରେ ଦିଅନ୍ତି ସେ ନିରଞ୍ଜନ ଦୀକ୍ଷା” ।।
ଚକୁଳିଆ ପଣ୍ଡା । ଏମାନଙ୍କ ରୂପରୁ ପ୍ରାକ୍-ଐତିହାସିକ ଯୁଗରୁ ସେମାନଙ୍କ ସୃଷ୍ଟି ହୋଇଥିବା ଅନୁମେୟ । ପୁନଶ୍ଚ ଆର୍ଯ୍ୟମାନଙ୍କ ଗୁରୁକୂଳ ଆଶ୍ରମକୁ ଯିବା ପୂର୍ବରୁ ବ୍ରତୋପନୟନ କର୍ମପରେ ଭିକ୍ଷୁକବେଶ ଧାରଣ ଏବଂ ଭିକ୍ଷାଲବ୍ଧ ଦ୍ରବ୍ୟକୁ ଗୁରୁଙ୍କୁ ଅର୍ପଣ କରିବା ବିଧିରେ ଏଇ ଚକୁଳିଆ ପଣ୍ଡା ଚିତ୍ର ଆମ ଆଖିଆଗରେ ନାଚିଉଠେ । ବୈଦିକଯୁଗୀୟ ଏଇ ଗୋଷ୍ଠୀକୁ ନେଇ ପରିପୁଷ୍ଟ ହୋଇଛି ଆମ ଲୋକସାହିତ୍ୟ ! ଆମ ସମାଜରେ ସୃଷ୍ଟି ହୋଇଛି ଅସୁମାରୀ ଲୋକକଥା, ଚକୁଳିଆ ପଣ୍ଡା କଥା, #ପଣ୍ଡାପଣ୍ଡିଆଣୀ ଗଳ୍ପ, ପଲ୍ଲୀଗୀତ, କିମ୍ବଦନ୍ତୀ, ପ୍ରବଚନ ଓ ଉପକଥା । ଉତ୍କଳୀୟ ଜନମାନସରେ ଚିରସ୍ପନ୍ଦିତ ଏଇ ଚକୁଳିଆ ପଣ୍ଡା ।
ତେବେ ଯେଉଁ ଚାରଣଗୀତିକାର ଗାନ କରନ୍ତି ଚକୁଳିଆ ପଣ୍ଡା, ସେସବୁର ସ୍ରଷ୍ଟା କିଏ ? ଚିରକାଳ ଇଏ ଏକ ପ୍ରଶ୍ନବାଚୀ ! କିଛି ଗୀତିକା ପ୍ରାଚୀନ ମହାନ ସାହିତ୍ୟସାଧକଙ୍କ ସୃଷ୍ଟି, କିଛି ଗୀତିକା କିନ୍ତୁ ପରମ୍ପରା ଗତ ଭାବେ ପିଢ଼ି ପରେ ପିଢ଼ିକୁ ସମର୍ପିତ ହୋଇଆସିଛି ! ଆମ ସଂସ୍କୃତିର ଧାରା ଭିତରେ ପୁଣ୍ୟ ଓ ଧର୍ମର କି ସୁନ୍ଦର ବାର୍ତ୍ତା ଦିଏ ଆମ ଲୋକସାହିତ୍ୟ !
ସମୟକ୍ରମେ ଆଗ କାଳର ଅନେକ କଥା ଆଜି ବଦଳି ଯାଇଛି ! ଆଜି ଆଉ ପଣ୍ଡାଏ ସମାଜର ଦାନ ଗ୍ରହଣ କରି ସମାଜକୁ ପୂଣ୍ୟ ଓ ଧର୍ମର ବାର୍ତ୍ତା ପ୍ରଚାରିବା ପାଇଁ ମନ ବଳାଉନାହାଁନ୍ତି !
ଓଡ଼ିଆଙ୍କ #ଧର୍ମମାସ ଭାବରେ ପରିଚିତ #ବୈଶାଖ#କାର୍ତ୍ତିକ ମାସରେ ଦାନଧର୍ମର ମହତ୍ତ୍ଵ ଗାନ କରି ଗ୍ରାମେ ଗ୍ରାମେ ବୁଲିବାର ଦୃଶ୍ୟ ଏବେ ଆଉ ନାହିଁ ! ତଥାପି ୨୦୧୮ ମସିହା ପର୍ଯ୍ୟନ୍ତ ଆମ କଟକରେ ମଧ୍ୟ ଦେଖିବାକୁ ମିଳୁଥିଲା ଏଇ ପଣ୍ଡାଙ୍କୁ ! ଉଚ୍ଚ ସ୍ବରରେ ଚାରଣଗୀତିକାର ପଦମାନ ଗାଇ ଗାଇ, ଦାନର ମହିମା ବଖାଣି, ସହରୀ ଚଳମାନ ଜୀବନର ଚିରାଚରିତ ଧାରାରେ ତରଙ୍ଗଟିଏ ସୃଷ୍ଟି କରି ! ସେ ବେଳରେ ଶୁଣିବାକୁ ମିଳୁଥିଲା:
“ବୈଶାଖ ମାସରେ ଦାନ ପୁଣ୍ୟ କରିଥିବ,
ମା’ ମାଉସୀମାନେ କୁଣ୍ଠିତ ନୋ‌ହିବ ।
ଦେଇଥିଲେ ପାଇ, ବୁଣୁଥିଲେ ଦାଇ,
ପଡ଼ିଆ ବାରିରେ ଗୋଧନ ଚରାଇ ।
ବଳି, କର୍ଣ୍ଣ ମାନଧାତା ଚକ୍ରବର୍ତ୍ତୀ,
ଏମାନେ ତରିଗଲେ ରହିଅଛି କୀର୍ତ୍ତି ।”
ତଥ୍ୟ ଆଧାର: ଚକୁଳିଆ ପଣ୍ଡା ଗବେଷକ ଡ. ଶ୍ରୀବତ୍ସ ପ୍ରସାଦ ନାଥ

Leave a Comment

Your email address will not be published. Required fields are marked *

Scroll to Top