ଆମ ଗାଁ ନଈ ଘାଟ   

ଲେଖା: ଅକ୍ଷୟ ଓଝା

ଆମ ପିଲାବେଳେ ଆମ ଅଞ୍ଚଳର ବ୍ରାହ୍ମଣୀ ନଦୀରେ ପୋଲ ନଥିଲା । ଆମେ ଘାଟ ପାର ହୋଇ ଆମ ପାଖ ବଜାର ପଟ୍ଟାମୁଣ୍ଡାଇ ଯାଇଥିଲୁ ।

ଛୋଟ ବେଳେ ପାଦରେ ଚାଲି ଚାଲି ଯାଇଥିଲୁ କାହାରି ସହିତ । ଛୋଟ ପିଲା ବୋଲି ଏକୁଟିଆ ଯିବା ମନା ଥିଲା। ଘରଠୁ ତିନି କିଲୋ ମିଟର ଦୂର ନୁଆଡ଼ିଆ ଘାଟ ପାଖରେ ପହଞ୍ଚୁ ଥିଲୁ । ଘାଟ କୂଳରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା । ଖରା ଦିନ ପାଖ ଚାକୁଣ୍ଡା ମୂଳରେ ଖରାରୁ ବଞ୍ଚିବା ପାଇଁ ବସି ରହି ଅପେକ୍ଷା କରିବାକୁ ପଡୁ ଥିଲା ।

ଆରପାରିରୁ ଡଙ୍ଗା ଆସେ । ବଳିଆ ତରେଇ ଘାଟରେ ସବୁଠୁ ଦକ୍ଷ ଡଙ୍ଗା ଚାଳକ । ବଳିଆ ଉପରେ ସମସ୍ତଙ୍କ ଭାରି ଭରସା । ଭାରି ନାଁ ବଳିଆ ଭାଇର । ପ୍ରବଳ ସୁଅ ମୁହଁରୁ ଡଙ୍ଗାର ଗତିକୁ ସୁରକ୍ଷିତ ଭାବରେ ମୋଡ଼ି ଆଣିବା ବଳିଆ ତରେଇ ହିଁ ଜାଣିଥାଏ । ରାତି ଅଧରେ କିଏ ବେମାର ପଡ଼ିଲେ ହସ୍ପିଟାଲ ନେଇ ଯିବାକୁ ଅଛି ରୋଗୀକୁ, ବଳିଆ ଭାଇକୁ ଆଗେ ତା’ ଘରୁ ଡକା ଯାଏ । ନିଦରୁ ଉଠି ପଡେ ବଳିଆ ଭାଇ । ଆଗପଛ ଦେଖେନା । କିଏ କ’ଣ ଦେଖେନା । ଡ଼ଙ୍ଗା ଖୋଲେ ଘାଟରୁ । ସହଳ ଆର ପାରିରେ ପହଞ୍ଚାଇଥାଏ ।


ପୁଣି ଅପେକ୍ଷା କରିଥିବା ଯାତ୍ରୀମାନଙ୍କ ଦ୍ଵାରା ଡଙ୍ଗା ବୋଝେଇ ହୁଏ । କିଏ ସାଇକଲ ଚଢ଼ାଉ ଥାଏ କିଏ ଛୋଟ ପିଲାଙ୍କ ହାତ ଧରି ଡଙ୍ଗା ଉପରକୁ ନିଏ । ପଟାଟିଏ ପକେଇ ମାଇପିଏ ଡ଼ଙ୍ଗାରେ ଚଢ଼ନ୍ତି । ସାମାନ୍ୟ ସମୟରେ ବୋଝେଇ ଡ଼ଙ୍ଗା ସିଧା ପାରହୁଏ । ପ୍ରବଳ ବନ୍ୟାରେ ନଈ ଉଛୁଳି ପଡି଼ଥିବା ବେଳେ ଡ଼ଙ୍ଗା ଚଳେଇବା ଏତେ ସହଜ ହୁଏନା । ଭରାନଈରେ ଡ଼ଙ୍ଗା କିଛି ସମୟ ଉପର ମୁହାଁ ହେଇ ଚାଲିଲା ପରେ ପୁଣି ସ୍ରୋତ ଧାରରେ କୌଶଳରେ ଡ଼ଙ୍ଗାକୁ ପାଣିସ୍ରୋତରେ ଛାଡ଼ି ଦିଆଯାଏ । ଆହୁଲା ଓ କାତ ମାଧ୍ୟମରେ ନିୟନ୍ତ୍ରଣ କରି ଆରପାରିରେ ପହଞ୍ଚେ ଡ଼ଙ୍ଗା । ଛାତିରୁ ଅତଡ଼ା ଖସିପଡ଼େ ଭରାନଈରେ ପାର ହେଲାବେଳେ । ମା’ ମଙ୍ଗଳାଙ୍କୁ ଜୁହାର ହେଇ ପଡ଼ନ୍ତି କେହି କେହି ।

ଏମିତି ଚାଲିଥାଏ ଏପାରି ସେପାରି । ଜୀବନର ରଙ୍ଗକୁ ଯିବା ଆସିବାରେ ସଜେଇ ତ କେତେବେଳେ ମଜେଇ । ଶୀତରେ କୁହୁଡ଼ି ଘେରକୁ ପାରକରି ଡ଼ଙ୍ଗା ଚାଲେ । ଥଣ୍ଡାପାଣିରେ ଗୋଡ଼ କମ୍ପିଯାଏ । ଚାଦର ଘୋଡେଇ ହେଇ ବଳିଆ ଭାଇ ବିଡ଼ିଟାକୁ ମୁହଁରେ ଲଗେଇ କୌଶଳରେ ପାର କରିଦିଏ ବାଟୋଇଙ୍କୁ । ଯାତ୍ରୀମାନେ ଚାଦର ଭିତରେ କୁଙ୍କୁରି କାଙ୍କୁରି ହେଇ ଘଡ଼ିଏ ବସି ପଡ଼ନ୍ତି ଡଙ୍ଗା ପଟା ଉପରେ ।

ବର୍ଷାରେ ଡଙ୍ଗା ଚାଲେ ଭିଜି ଭିଜି । କେତେ ବେଳେ ଧାରା ଶ୍ରାବଣରେ କେତେ ବେଳେ ଝିପି ଝିପି ଅଳସ ବର୍ଷାରେ । କେତେ ବେଳେ କୋହଲା ପବନରେ ଛତା ଉଡି ଯାଏ ବାଟୋଇର ନାଆ ରେ । ସବୁ କିଛି ସମ୍ଭାଳି ଆମେ ନଈ ପାରହେଉ । ପୁଣି ଫେରୁ ଆମ ଗାଁ ନଈ ଘାଟ ଦେଇ ସେପାରିରୁ ।
       
ଡ଼ଙ୍ଗା ଯାତ୍ରୀରେ ବୋଝେଇ ହେଲା ପରେ କୁଳ ଛାଡୁ଼ଥିଲା ଓ ପୁଣି ସେକୁଳରେ ଲୋକେ ଜମା ହେଇ ଯାଉଥିଲେ ଏ କୁଳକୁ ଆସିବା ପାଇଁ । ପିଲା ବେଳେ ବର୍ଷରେ ଚାରି ପାଞ୍ଚ ଥର ଯିବାକୁ ସୁଯୋଗ ମିଳୁଥିଲା ପଟ୍ଟାମୁଣ୍ଡାଇ  ଆମ ନିର୍ଭର ଯୋଗ୍ୟ ବଜାର। ଆଉ ସେତେବେଳେ ତୀର୍ଥ ବୁଲିବା ଭଳି ଆନନ୍ଦ ଅନୁଭୂତ ହେଉଥିଲା ।
   
ଘାଟ ପାରି ହେଲେ ରିକ୍ସା ଧରିବାକୁ ହେଉଥିଲା ଆଗକୁ ୫କି.ମି. ପର୍ଯ୍ୟନ୍ତ । ଆଉ ବେଳେ ବେଳେ ସିଧା ଗାଁରୁ ସାଇକେଲରେ । ଦଶହରା ମେଳାରେ, ପଟ୍ଟାମୁଣ୍ଡାଇ ଯଜ୍ଞରେ, କୁଞ୍ଜରେ କେବେ କେବେ ହାଟ ବାରିରେ କିମ୍ବା ଦେହ ବେଶି ଖରାପ ହେଲେ ଡ଼ାକ୍ତର ପାଖକୁ ଯିବା ଅର୍ଥରେ ପଟ୍ଟାମୁଣ୍ଡାଇ ଯାଇଥିଲୁ ।  
ସିନେମା ହଲରେ ମୋର ପ୍ରଥମ ସିନେମା ପଟ୍ଟାମୁଣ୍ଡାଇର ଲକ୍ଷ୍ମୀ ଟକିଜରେ ଓଡ଼ିଆ ସିନେମା ପ୍ରଶାନ୍ତ ନନ୍ଦ ଓ ମହେଶ୍ୱତା ରାୟ ଅଭିନୀତ ଗୌରୀ ଦେଖିଥିଲି । “ଆମ ଗାଆଁର ମଉଡ଼ମଣି ଗୋ ଆମ ଗୋୖରୀ ନାନୀ . . ।”

ଯେଉଁଦିନ ସିନେମା ଦେଖିବାକୁ ବାହାରିଥିଲୁୂ ପ୍ରାୟ ସାତ ଆଠ ଜଣ ପିଲା ସକାଳ ନ ଟାରୁ ବାହାରି ପଡିଥିଲୁ କାରଣ ନଈ ଡଙ୍ଗା କଥା କାଳେ ଡେରି ହେଇଯିବ ଟିକେଟ ମିଳିବନି । ସିନେମା ତିନି ଟାରେ ଆରମ୍ଭ ହେବ । ସନ୍ଧ୍ୟା ଛଅଟାରେ ସିନେମା ସାରି ନଈଘାଟରେ ପହଞ୍ଚିଲା ବେଳକୁ ରାତି ଆଠଟା । ରାତିରେ ଘାଟ ପାରିହେବା ଆଉ ଏକ ନୂଆ ଅନୁଭୂତି ଥିଲା । ପୁଣି କେତେ ନିକାଞ୍ଚନ ଜାଗା, ଶ୍ମଶାନ କେଳା ପଡ଼ିଆ, ଗୋଖାନାଳ ଦେଇ ଘରେ ପହଞ୍ଚିବା ଏକ   ରୋମାଞ୍ଚକର ଅନୁଭୂତି ଥିଲା
 
ଟିକେ ବଡ଼ ହେଲା ପରେ ନିଜେ ସାଇକଲ ଚଲେଇ ଶିଖିଗଲା ପରେ ନିଜେ ସାଇକଲ ନେଇ ଡ଼ଙ୍ଗାରେ ଚଢ଼େଇବା ଓ ଓହ୍ଲାଇବା ବହୁତ ନୂଆ ସାହସର ଅନୁଭୂତି ଥିଲା ।
               
ଡ଼ଙ୍ଗାରେ ପଚିଶ ଲୋକ ଥିଲାବେଳେ ସାଇକଲ ପ୍ରାୟ କୋଡ଼ିଏ ଖଣ୍ଡ ପାର ହେଉଥିଲା। ଖରାଦିନେ ଅଳ୍ପ ସମୟରେ ଶୁଖିଲା ନଈର ଘାଟ ଅଳ୍ପ ଟିକେ ଚୁବି ଚୁବି ପାଣିରେ ଚାଲି ଡ଼ଙ୍ଗା ଧରିବାକୁ ପଡୁଥିଲା । ଶୀତ ଦିନେ ନିର୍ଦ୍ଧାରିତ କୂଳରେ ଡ଼ଙ୍ଗା ଲାଗୁଥିଲା । ଡ଼ଙ୍ଗା ଚଢିବା ଓ ଓହ୍ଲେଇବା ପ୍ରାୟ ଏକ ପ୍ରକାର ଥିଲା, କିନ୍ତୁ ବର୍ଷା ଦିନେ ବିଶେଷ କରି ବନ୍ୟା ବେଳେ ଡ଼ଙ୍ଗା ପାରି ହେବା ଅତି ବିପଦ ସଙ୍କୁଳ ପରିସ୍ଥିତିରେ କୁଶଳୀ ନାଉରିଆମାନେ ମଙ୍ଗ ସମ୍ଭାଳି ଘାଟ ପାର କରୁଥିଲେ ।
   
ଆମ ଅଞ୍ଚଳ ଗୋଟାକର ରାଜନୀତି ଚର୍ଚ୍ଚାର ପେଣ୍ଠ ଆମ ଗାଁ ନଈ ଘାଟ । ବ୍ରାହ୍ମଣୀ କଲେଜ ଖୋଲିବାକୁ ନେଇ ବିଜୁବାବୁ ହଁ କରି ସାରିଛନ୍ତି । କେଉଁ ସ୍କୁଲରେ କେଉଁ ସ୍କୁଲର ସେଣ୍ଟର ପଡ଼ିଛି । ଏଥର ଅମୃତ ମଣୋହୀ ଦୁର୍ଗାପୂଜାରେ କେଉଁ ଯାତ୍ରା ପାର୍ଟି ଆସିବ । ପଶୁ ଡାକ୍ତର ଖୁଣ୍ଟିଆ ବାବୁ କେମିତି ମୂମୁର୍ଷୁ ଥିବା ଗାଈଟିକୁ ବଞ୍ଚେଇ ଦେଲେ । ପଟ୍ଟାମୁଣ୍ଡାଇ କଲେଜରେ ନୂଆ ପ୍ରିନସିପାଲ୍ ଭାରି ଷ୍ଟିକ୍ଟ । ଅମୃତ ମଣୋହୀ ଛକରେ ଦୋକାନ ବଜାର ବଢିବାକୁ ନେଇ ସମସ୍ତେ ଆଶାବାନ ଅଛନ୍ତି । ଔଷଧ ଦୋକାନ ଓ ଡାକ୍ତରଙ୍କର ନିହାତି ଆବଶ୍ୟକ ଏ ପାଇଁ ଖବର କାଗଜ ପୃଷ୍ଠାରେ ଅମୃତ ମଣୋହୀ । ଅଞ୍ଚଳକୁ ସରକାରୀ ଅଣଦେଖା ଇତ୍ୟାଦି ଇତ୍ୟାଦି । ସବୁ ଚର୍ଚ୍ଚା ଏଇଠି ହେଉଥିଲା ।
    
ଆଜି ନୂଆଡିଆ ଘାଟରେ ସେ ଭିଡ ନାହିଁ । ନା ! ସେ ସମୟର ନବରଙ୍ଗ ଦେଖିବାକୁ ମିଳୁନାହିଁ । ସମସ୍ତଙ୍କ ସହର ଯିବା ରାସ୍ତା ଯେମିତି ପତ୍ରପୁର ପୋଲ ଓ ଦାଣ୍ଡିସାହି ପୋଲ ଆଡକୁ ମୋଡ଼ି ହୋଇଯାଇଛି । ଆଉ ସେ ଚାକୁଣ୍ଡା ଗଛ ତଳର ଭିଡ଼ ନାହିଁ ଡ଼ଙ୍ଗାକୁ ଅପେକ୍ଷା କରି ଆରପାରି ସାହୁ ଦୋକାନରେ ଚା’ ପାଇଁ ଭିଡ଼ ନାହିଁ । ସବୁ କାଳଗର୍ଭରେ ଇତିହାସ ହେଇଯାଉଛି ।

ନଈ ଅଛି । ଡଙ୍ଗା ଅଛି, କିନ୍ତୁ ଯାତ୍ରୀ ନାହାନ୍ତି । ଦୁଇଦୁଇଟା ପୋଲ ହେଇ ଯାଇଛି ଆମ ଅଞ୍ଚଳରେ ପଟାମୁଣ୍ଡାଇକୁ ଯୋଗାଯୋଗ କରିବା ପାଇଁ । ପତ୍ରପୁର ପୋଲ ଦାଣ୍ଡିସାହି ପୋଲ । ଗାଆଁରେ ସାଇକେଲ କମି ଆସିଲାଣି । ମଟର ସାଇକେଲ ଘରେ ଘରେ । ତା ଛଡା ଅପେକ୍ଷା କରିବାକୁ କାହାରି ପାଖରେ ଆଉ ସମୟ ନାହିଁ କି ଧୈର୍ଯ୍ୟ ନାହିଁ ।
             
ବାସ୍ ! ମୋ ପାଇଁ  ଆମ ଗାଁ ନଈ ଘାଟ ସ୍ମୃତି ହେଇ ରହିଯାଇଛି ଯାହା !

Leave a Comment

Your email address will not be published. Required fields are marked *

Scroll to Top