ଅବଳା

ଲେଖା: ନିରଞ୍ଜନ ସାହୁ

ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ଆମ ଓଡ଼ିଶାର ବରୀ ଅଞ୍ଚଳର ଅବଦାନ କୌଣସି ଗୁଣରେ କମ୍ ନୁହେଁ । ୧୯୪୨ ମସିହା ଅଗଷ୍ଟ ମାସରେ  ଗାନ୍ଧିଜୀଙ୍କ ଆହୂତ ‘ଭାରତଛାଡ଼’ ଆନ୍ଦୋଳନ ସାରା ଭାରତରେ ମୁଣ୍ଡ ଟେକି ଉଠିଥାଏ । ବିଦେଶୀ ଇଂରେଜଙ୍କୁ ଏ ଦେଶରୁ ହଟାଇବା ସହ ସ୍ଵରାଜ ପ୍ରତିଷ୍ଠା କରିବାର ସ୍ଵପ୍ନକୁ ସାକାର କରିବା ପାଇଁ ସ୍ଵାର୍ଥହୀନ ଭାବେ ସମାଜର ସମସ୍ତ ବର୍ଗର ଲୋକେ ଆଗେଇ ଆସିଥାନ୍ତି । ଓଡ଼ିଶା ତଥା ଭାରତର ଋଷିପ୍ରତିମ ଗାନ୍ଧୀମଣିଷ ଗୋପବନ୍ଧୁ ଚୌଧୁରୀ, ମା’ ରମାଦେବୀ ଆଶ୍ରମ ପ୍ରତିଷ୍ଠା କରି ସାରିଥାନ୍ତି ବରୀ ଅଞ୍ଚଳରେ ‘ସେବାଘର’ ନାମରେ । ତାଙ୍କ ସହ ସାମିଲ୍ ହୋଇଥାନ୍ତି ଓଡ଼ିଶା ମାଟିର ଚିରନମସ୍ୟା ଅନ୍ନପୂର୍ଣ୍ଣା ମହାରଣା, ଗୋଦାବରୀ ଦେବୀ, ସରଳା ଦେବୀ, ମାଳତୀ ଚୌଧୁରୀ, ରମ୍ଭାଦେବୀ, ପ୍ରଭାବତୀ ଦେବୀ, ପ୍ରିୟମ୍ବଦା ଦେବୀ ଓ ପୂଜ୍ୟ ନବକୃଷ୍ଣ ଚୌଧୁରୀ, ମନମୋହନ ଚୌଧୁରୀ, ଶରତ ମହାରଣା, ବାନରସେନା । ବରୀ ଅଞ୍ଚଳରେ ଗାଁ କୁ ଗାଁ ବୁଲି ପ୍ରଚାର କାର୍ଯ୍ୟ, ସ୍ଵରାଜବାର୍ତ୍ତା, ସେବାକାମ, ଖଦୀ ବୁଣିବା ଇତ୍ୟାଦି କରାଉଥିବା ହେତୁ ବରୀ ଓ ଯାଜପୁର ଅଂଚଳର ଜନସାଧାରଣ ପ୍ରତ୍ୟକ୍ଷ ଭାବେ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ତେଣୁ ବରୀ ହୋଇଥିଲା ‘ସ୍ଵାଧୀନତା ସଂଗ୍ରାମର ଏକ ଉର୍ବର ଭୂଖଣ୍ଡ’ ।

~ ପୃଷ୍ଠଭୂମି ~
୧୯୪୨ ମସିହା କାଇପଡ଼ା କଳାମାଟିଆ ଗୁଳିକାଣ୍ଡ ଘଟିଲା ଅଗଷ୍ଟ ମାସ ଛବିଶ ତାରିଖ ଗହ୍ମା ପୁନେଇଁ ଦିନ । ସେହି ଆନ୍ଦୋଳନ ଥିଲା ସ୍ଵାଧୀନତା ସଂଗ୍ରାମ ଓ ଇଂରେଜ ସରକାରଙ୍କ ଦ୍ଵାରା ଲାଗୁ ହୋଇଥିବା ପିଟୁଣି ଟିକସ ବିରୁଦ୍ଧରେ । ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ନେତୃତ୍ୱରେ ସଭା (ନୀରବ ଆନ୍ଦୋଳନ ) ହେଉଥିଲା କାଇପଡା଼ ହାଟ ପଡ଼ିଆରେ । ଏଥିରେ ଯୋଗ ଦେବାକୁ ହଜାର ହଜାର ଲୋକ ସ୍ଥାନୀୟ ଗାଁ ଧାରପୁର, ମନ୍ଦାରୀ, ଶେରପୁର, ବାଲିବିଲ, ଅରଙ୍ଗାବାଦ, ବାଲିଆ, ହଳଦୀ ବସନ୍ତ, ହାଟସାହି, ଶ୍ରୀରାମପୁର, ଅରୁଆଳ, କୃଷ୍ଣ ନଗର, ଅନ୍ୟାସପୁର ଓ ଅନ୍ୟାନ୍ୟ ଆଖପାଖ ଗାଁରୁ ଚାଲି ଚାଲି ଆସି ପହଁଞ୍ଚୁ ଥାଆନ୍ତି । ନେତୃତ୍ଵ ନେଉଥାନ୍ତି ବରୀ ଗାନ୍ଧୀ ବାସୁଦେବ ସାମଲ। ତାଙ୍କ ସହ ସହଯୋଗ କରୁଥାନ୍ତି ରାଧାକୃଷ୍ଣ ସାମଲ, ଋଷି ବେହେରା, ମଧୁସୂଦନ ନନ୍ଦ, ଭୁବନାନନ୍ଦ ସ୍ଵାଇଁ, କୃଷ୍ଣଚନ୍ଦ୍ର ସାହୁ, ପଦ୍ମନାଭ ମଲ୍ଲିକ, କିଶୋର ଜେନା ଇତ୍ୟାଦି ସଂଗ୍ରାମୀ ବୃନ୍ଦ । ତା ପୂର୍ବଦିନ ଅର୍ଥାତ୍ ପଚିଶ ତାରିଖ ଯାଜପୁର ଏସ୍. ଡି.ଓ. ଙ୍କ ନିର୍ଦ୍ଦେଶନାରେ ବିଂଝାରପୁର ଥାନା ଅଧିକାରୀ ନଵାବ ଖାଁ ଏକ ପ୍ଲାଟୁନ ଫୋର୍ସ ସହିତ ପହଞ୍ଚିଯାଇ ବିଭିନ୍ନ ଅଞ୍ଚଳରୁ ସତ୍ୟାଗ୍ରହୀ ଓ ତାଙ୍କ ସମର୍ଥକ (ସନ୍ଦେହ) ଲୋକମାନଙ୍କୁ ହାତକଡ଼ି ପକାଇ ଚାଲାଣ କରୁଥାନ୍ତି ଥାନାକୁ । ତେଣୁ ସବୁ ଗାଁ ର ଲୋକମାନେ ପୋଲିସର ଏହି ଦମନଲୀଳା କାର୍ଯ୍ୟକୁ ପ୍ରତିରୋଧ କରିବା ସହ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ  ଆଗେଇ ଆସୁଥାନ୍ତି । ଛବିଶ ତାରିଖ ସଭା ହେଉଥିବା ବେଳେ ସାଧାରଣ ଲୋକଙ୍କ ସହିତ ଧସ୍ତାଧସ୍ତି ଆରମ୍ଭ ହୋଇଗଲା ପୋଲିସର, ମଧ୍ୟସ୍ଥି ହାଡ଼ିବନ୍ଧୁ ପଣ୍ଡାଙ୍କୁ ମୁକ୍ତ କରିବା ପାଇଁ । ଏକଥା ପୋଲିସ କର୍ତ୍ତୃପକ୍ଷଙ୍କୁ ସୁହାଇଲା ନାହିଁ । ତେଣୁ ହାଡ଼ିବନ୍ଧୁ ପଣ୍ଡାଙ୍କୁ ବାୟନଟରେ ଜଣେ ପୋଲିସ କର୍ମଚାରୀ ଆକ୍ରମଣ କରି ଲହୁଲୁହାଣ କରିଦେଲେ । ଛାଡ଼ିବା ଲୋକ ନଥିଲେ ହାଡ଼ିବନ୍ଧୁ ପଣ୍ଡା ମହୋଦୟ। ତାଙ୍କ ହାତରେ ଥିବା ଠେଙ୍ଗା ଧରି ପ୍ରାୟ କୋଡ଼ିଏ ଜଣ ପୋଲିସ କର୍ମଚାରୀଙ୍କୁ ବାଡ଼େଇବା ଆରମ୍ଭ କରିଦେଲେ । ରକ୍ତମୁଖା ପୋଲିସ ଆରମ୍ଭ କରିଦେଲେ ଗୁଳି ବର୍ଷଣ । ସେଇଠି ଟଳି ପଡି଼ଲେ ସର୍ବଶ୍ରୀ ହାଡ଼ିବନ୍ଧୁ ପଣ୍ଡା, ସାଉଣ୍ଟି ମଲିକ, ମାୟାଧର ଭୂୟାଁସଦାନନ୍ଦ ସ୍ଵାଇଁ

ଏ ସଂଗ୍ରାମ ସୀମିତ ନଥିଲା . .

ଭାରତ ଛାଡ଼ ଆନ୍ଦୋଳନକୁ ଆବାଳବୃଦ୍ଧବନିତା ସ୍ଵାଗତ କରିଥିଲେ । ବହିବସ୍ତାନି ଫୋପାଡ଼ି ଦେଇ ଛାତ୍ରଛାତ୍ରୀ ଡେଇଁ ପଡ଼ିଥିଲେ ପ୍ରତ୍ୟକ୍ଷ ଓ ପରୋକ୍ଷରେ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦାନା ବାନ୍ଧିଥିଲା ଜନ ଅସନ୍ତୋଷ ଓ ପରାଧିନତାରୁ ମୁକ୍ତି ପାଇଁ ଆନ୍ଦୋଳନ। ବରୀ ଅଞ୍ଚଳର ସବୁ ଗାଁ ଲୋକେ ଆଗେଇ ଆସିଥିଲେ ଗୋପବନ୍ଧୁ ଚୌଧୁରୀଙ୍କ ଆହ୍ଵାନରେ । ଅଖ୍ୟାତ ପଲ୍ଲୀ ‘ଶେରପୁର’, ବରୀ ଠାରୁ ନଦୀ ପାର ହୋଇ ପାଞ୍ଚ ମାଇଲ୍ ଦୂରରେ । ସେହି ଗାଁରେ ଜନ୍ମ ନେଇଥିଲା ଝିଅଟିଏ । ନାଁ ଥିଲା ଅବଳା । ଗାଁର ପ୍ରତିଷ୍ଠିତ ମଣିଷ ଥିଲେ ଭାଗବତ ନାୟକ । ଝିଅଟିକୁ ପୋଷ୍ୟ କନ୍ୟା ଭାବେ ନେଇଗଲେ ମା’ ସୀତାଦେବୀଙ୍କ ପାଖରୁ । ପାଳିତ ମା’ ହେଲେ ଖୁସି ଦେବୀ। ବହୁତ ଯତ୍ନରେ ଲାଳନପାଳନ କଲେ ଅବଳାକୁ ।

~ ନାବାଳିକା ଶହୀଦ ~
ଅବଳା ଥିଲେ ଛ’ ବର୍ଷର ଅଲିଅଳି । ସେହି ସମୟରେ କାଇପଡ଼ା କଳାମାଟିଆ ଗୁଳିକାଣ୍ଡ ଘଟି ଯାଇଥିଲା । ଗୁଳିକାଣ୍ଡର ପରଦିନ ବେଳକୁ ଶାନ୍ତ ପଡ଼ିନଥିଲା ବରୀ ଅଞ୍ଚଳ । ଶହୀଦମାନଙ୍କ ପାଇଁ ଅଶ୍ରୁ ଢାଳୁଥିବା ବେଳେ ଲୋକେ ଆତଙ୍କିତ ହୋଇ ମଧ୍ୟ ପୋଲିସର ପ୍ରତିଶୋଧ ନେବାକୁ ପ୍ରୟାସ ଜାରି ରଖିଥିଲେ । ଅନ୍ୟ ପକ୍ଷରେ ପୋଲିସ ମଧ୍ୟ ଯାଇ ଗାଁ ଗାଁ ସଂଗ୍ରାମୀ ଲୋକମାନଙ୍କୁ ବନ୍ଦୀ କରି ଜେଲ୍ ଚାଲାଣ କରିବା ପାଇଁ ପଛାଉନଥିଲେ । ଶେରପୁର ଗାଁରେ ପହଞ୍ଚି ସେଠାକାର କିଛି ଜଣାଶୁଣା ଲୋକଙ୍କୁ ଧରି ବିଂଝାରପୁର ଥାନାକୁ ଚାଲାଣ କରିବା ଆରମ୍ଭ କରିଦେଲେ । ସେମାନଙ୍କ ମଧ୍ୟରେ ଥିଲେ ଭଗବାନ ନାୟକ, ଅବଳାଙ୍କ ବାପା । ତାଙ୍କ ହାତକଡ଼ି ଦେଖି ଛ’ ବର୍ଷର ଝିଅ ଅବଳା କେମିତି ବା ଧୈର୍ଯ୍ୟ ଧରି ରହିପାରେ । ତେଣୁ କାନ୍ଦି କାନ୍ଦି ବାପାଙ୍କ ପଛରେ ଧାଇଁ ଧାଇଁ ଚାଲିଲେ ଝିଅ । ପୋଲିସ ତାଙ୍କୁ ଧକ୍କା ମାରି ତଡ଼ିବାକୁ ଲାଗିଲା । ପୋଲିସ ଧକ୍କାକୁ ଖାତିରି ନକରି ଅବଳା ଝିଙ୍କି ପକାଇଲେ ପୋଲିସ ପୋଷାକ । ଝିଅଟାର ଏଭଳି ଆଚରଣ ଦେଖି ପୋଲିସ ହରେଇଲା ମଣିଷପଣିଆ। ନିଜକୁ ସମ୍ଭାଳି ନ ପାରି ଧକ୍କା ଉପରେ ଧକ୍କା ଦେଇ ଚାଲିଲା । ଆଗରେ ଥିଲା ନାଳ । ବର୍ଷା ଦିନ । ପାଣି ଭରପୂର । ଅବଳା ପଡ଼ି ଗଲେ ନାଳ ଭିତରେ। ବାପା ଭାବୁଥିଲେ ଝିଅ ପଛେ ପଛେ ଚାଲିଛି ।

କିନ୍ତୁ . .

“ମିଶିଯାଏ ଯଥା ପ୍ରଭାତୀ ତାରା ରବି କିରଣେ,
ମିଶିଯାଏ ଯଥା ଜୀବାତ୍ମା ବିଶ୍ଵ ଆତ୍ମା ଚରଣେ ।
ମିଶିଯାଏ ଯଥା ଚପଳା ନୀଳ ଜଳଦ ଅଙ୍ଗେ,
ମିଶିଗଲା ତଥା ଅବଳା ସେହି ନୀଳ ତରଙ୍ଗେ” ।
(ଚନ୍ଦ୍ରଭାଗା/କବିବର ରାଧାନାଥ)
               
ସବୁ ଶେଷ ହୋଇଯାଇଥିଲା ! !

ଓଡ଼ିଶାର ବୀରା କନ୍ୟାମାନଙ୍କ ମଧ୍ୟରେ ଅବଳାଙ୍କ ନାଁ ନାହିଁ । କେତେକ କହନ୍ତି, ଏତେ ଛୋଟ ଝିଅଟିଏ,  ହୁଏତ ବାପାଙ୍କ ପଛରେ ଧାଇଁ ଧାଇଁ ନାଳରେ ପଡ଼ି ଯାଇଥିବ । ସେ ଯାହାହେଉ ନା କାହିଁକି, ଅବଳା ଯେ ପୋଲିସକୁ ପ୍ରତିରୋଧ କରିଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଇଂରେଜ ପୁଲିସଠାରୁ ଛଡ଼ାଇ ଆଣିବା ପାଇଁ, ଏହାକୁ ତ ଅସ୍ବୀକାର କରି ପାରିବା ନାହିଁ । ତେଣୁ ସେ ତ ଆମ ଭୂଖଣ୍ଡର ଜଣେ ଯଶୋଦେହେ ଆୟୁଷ୍ମତୀ !

‘ଅନ୍ତରଙ୍ଗ କଳିଙ୍ଗ’ ସେହି ବୀରାକନ୍ୟାଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଉଛି ।

ଆଧାର: ଶେରପୁର ଗାଁର ଶ୍ରୀ ଅନନ୍ତ ନାୟକ; “ଆମେ ଓଡ଼ିଆ” ପୁସ୍ତକ, ନୃସିଂହ ଚରଣ ସାହୁ; ଐତିହାସିକ ଡ. ଜଗନ୍ନାଥ ପଟ୍ଟନାୟକ 

Leave a Comment

Your email address will not be published. Required fields are marked *

Scroll to Top