ଲେଖା: ଅର୍ଜୁନ ପୃଷ୍ଟି
କାଏମାର ଗୋଗଳ ପାହାଡ଼ରେ ଗୋଟିଏ ପଥର ନିର୍ମିତ ହାତୀମୂର୍ତି, ପ୍ରାୟ ଦୁଇହଜାର ବର୍ଷ ତଳର ଏକ ବୌଦ୍ଧସ୍ଥାପତ୍ୟ । ଲୋକ ବିଶ୍ବାସରେ ହାତୀଆଶୁଣି ଠାକୁରାଣୀ ଭାବେ ପୂଜା ପାଉଥିଲେ ସେ। ସମଗ୍ର ଭାରତରେ ବିରଳତମ ଏଭଳି ସ୍ଥାପତ୍ୟ କେବଳ ଡେରାଡୁନ୍’ର କାଲସି ଠାରେ ଉପଲବ୍ଧ । ହାତୀମୂର୍ତିର ନିକଟରେ ପାଲି ଭାଷାର ଅଂକିତ ଶିଳାଲିପି – ଗଜରାଜ ଏବଂ ସଦାଭୁ ତିସ୍’ସ । ତିଷ୍ୟ ବା ତିଷ୍ୟରକ୍ଷିତ ମଗଧର ପଳାତକ ରାଜପୁତ୍ର, ଅଶୋକଙ୍କର ଜଣେ ବୈମାତ୍ରେୟ ଭାଇ । ଜଣେ ଥେରାବାଦୀ ଭିକ୍ଷୁ ଭାବରେ ଏଇଠି ଥିଲା ତାଙ୍କର ସାଧନାପୀଠ ।
ରାଜ୍ୟ ପ୍ରତ୍ନତତ୍ତ୍ବବିଭାଗ ଦ୍ବାରା ଆବିଷ୍କୃତ ଏ ପୁରାତନ ସ୍ଥାପତ୍ୟ ଏବେ ସଂରକ୍ଷିତ ।
~ ହାତୀଆଶୁଣି ~
ଗୋଗଳ ପାହାଡ ମେଖଳା ଦେଶରେ
ଗତ ଗୌରବ ହୁଅ କି ଗୁଣି?
ସଦାଭୁ ତିସ୍ସ, ଗଜରାଜ ଲିପି
ଅଂକିତ ତୁମ ଚରଣ ପରେ,
ହଜାର ହଜାର ବର୍ଷ ତଳେ ।
ସିନ୍ଦୂରଲେପା ଦେବୀ ଆଶ୍ବାସେ,
ପିଢି ପରେ ପିଢି ଲୋକ ବିଶ୍ବାସେ,
ଗଜରାଜ ତୁମେ
କେବେଠାରୁ ହେଲ ହାତୀଆଶୁଣି,
ଲୋକ କାହାଣୀରୁ ଥିଲି ତ ଶୁଣି ।
ମାନଗୋବିଂଦର ସ୍ବର୍ଣ ସଂପଦ
ବାଉନ ଭାର,
ଗର୍ଭିତ କାଳେ ଏ ପାହାଡ କୋଳେ
ଜଗୁଆଳି ସାଜି ଜଗିଛ ଦ୍ବାର ।
କପିଳାବାସ୍ତୁ ମହାରାଣୀ ଦିନେ
ଦେଖିଲେ ଦିବ୍ୟସ୍ବପ୍ନ,
ଚପଳ, ଧବଳ ଗଜଶିଶୁ ତାଙ୍କ
ହେଉଚି ଗର୍ଭଲଗ୍ନ ।
ସ୍ବପ୍ନର ସେଇ ଫଳଶ୍ରୁତିରେ,
ମୂର୍ତ୍ତ ଯେ ହେଲେ ଏ ଧରିତ୍ରୀରେ
ତଥାଗତ, ସେତ ଵୁଦ୍ଧ,
ଜଗତର ଶୋକ, ଦୁଃଖ ହରଣେ
କାରୁଣିକ, ତପଶୁଦ୍ଧ ।
କିଏସେ ତିସ୍ସ-ତିଷ୍ୟରକ୍ଷିତ
ମଗଧର ସେକି ପଳାତକ ରାଜପୁତ୍ର,
ଥେରବାଦୀ ଏକ ଭିକ୍ଷୁ ରୂପରେ,
ଏ ସୁରଭଗିରି ମେଖଳା ଦେଶରେ
ରଚିଲା ସାଧନା କ୍ଷେତ୍ର?
ବୌଦ୍ଧବାଦର ପୂଜ୍ୟ ପ୍ରତୀକ
ମନୋରମ ତୁମ ମୂର୍ତି,
ଶିଳାରେ ଶିଳାରେ ଗଢିଲେ ତିଷ୍ୟ
କାଳର ଅମର କୀର୍ତି ।
ସ୍ବାର୍ଥ ନିବିଷ୍ଟ ନିର୍ବାଣ ନୁହଁ
ସେବାହିଁ ଜୀବନ ମନ୍ତ୍ର,
ତୁମ ପାଦତଳେ ଦିକ୍ଷା ଘେନିଲା
ସୁରଭଗିରିର ସନ୍ଥ ।
ଉତ୍ତରାପଥ ଏ ପାବନ ଭୂମେ
ସହସ୍ରାବ୍ଦୀର ସ୍ବାକ୍ଷର ତୁମେ
ଅମିତ ତୋଷଳ ନଗ୍ର ଗୌରବ,
ମୂକସାକ୍ଷୀ କୁଳବୃଦ୍ଧ,
ପ୍ରଣିପାତ କରେ ତୁମ ପାଦତଳେ
ଦୃଷ୍ଟି ମୋ ହେଉ ସିଦ୍ଧ ।