ଲେଖା: ଅରବିନ୍ଦ ମହାନ୍ତି
ପ୍ରଥମ ମାତୃକା ବ୍ରହ୍ମାଣୀ
ଦେବୀ ଦୁର୍ଗାଙ୍କୁ ମହିଷାସୁର ସହ ଯୁଦ୍ଧେ ସାହାଯ୍ୟ କରିବା ପାଈଁ ବିଭିନ୍ନ ଦେବତାଙ୍କ ଅଙ୍ଗରୁ ତାଙ୍କ ଶକ୍ତି ସ୍ୱରୁପା ଦେବୀ ମାନେ ପ୍ରକଟିତ ହୋଇଥିଲେ। ସେଥି ମଧ୍ୟରୁ ବ୍ରହ୍ମାଣୀ ହେଲେ ଅନ୍ୟତମା। ବ୍ରହ୍ମାଙ୍କ ଶକ୍ତି ସ୍ୱରୁପା ହେଲେ ଦେବୀ ବ୍ରହ୍ମାଣୀ। ଦେବୀଙ୍କୁ ବ୍ରହ୍ମାଶକ୍ତି ସାବିତ୍ରୀ ରୁପେ ମଧ୍ୟ ଧାରଣା କରାଯାଏ। ବେଦପତି ବ୍ରହ୍ମାଙ୍କ ଭଳି ଏକ ପ୍ରକାରର ରୂପ ଦେବୀଙ୍କର। ଚତୁଃମୁଖ ସହ ଚତୁଃଭୂଜ ଦେବୀଙ୍କ ସ୍ୱରୂପ।ଦେବୀଙ୍କ ବାହାନ ହଂସ ଅଟେ। ହସ୍ତରେ କମଣ୍ଡଳୁ, ବେଦ, ଅକ୍ଷମାଳା ସହ ଅଭୟ ବରଦା ମୁଦ୍ରା ଦେବୀ ଧାରଣ କରିଥାନ୍ତି ଏବଂ କୋଳରେ ଶିଶୁ ସନ୍ତାନ ଧାରଣ କରିଥିବାରୁ ଦେବୀ ହେଲେ କରୁଣାମୟୀ ସ୍ୱରୁପା।
ଦେବୀଙ୍କ ଉପାସନା
ଦେବୀ ବ୍ରହ୍ମାଣୀଙ୍କ ସେପରି ନିଜସ୍ୱ ସ୍ବତନ୍ତ୍ର ମନ୍ଦିର ନାହିଁ। ଦେବୀ ମୁଖ୍ୟତଃ ସପ୍ତମାତୃକା ଓ ଅଷ୍ଟମାତୃକାଙ୍କ ସହ ପୂଜା ହୋଇଥାନ୍ତି। ସପ୍ତମାତୃକା ଉପାସନା ଉତ୍କଳରେ କିଛି ନୂଆ କଥା ନୁହେଁ। ଯାଜପୁରରେ ଦଶାଶ୍ୱମେଧ ଘାଟ ଠାରେ ଥିବା ସପ୍ତମାତୃକା ମନ୍ଦିରରେ ଦେବୀ ବୃଦ୍ଧା ରୂପେ ପୂଜିତା। ପୁରୀରେ ମଧ୍ୟ ମାର୍କଣ୍ଡେଶ୍ବରଙ୍କ ପାଖେ ଥିବା ସାତ ଭଉଣୀ ମନ୍ଦିରରେ ଦେବୀ ସପ୍ତମାତୃକା ଉପାସୀତା ଏବଂ ଏକାମ୍ରେ ପରଶୁରାମେଶ୍ବର ଦେଉଳରେ ସପ୍ତ ମାତୃକା ବିଗ୍ରହ ଦେଉଳର ଜଗମୋହନର ବାହାର କାନ୍ଥରେ ମଧ୍ୟ ଖୋଦିତ ହୋଇଅଛି ଏବଂ କପାଳୀ ଦେବୀ ସାହି ରେ ଥିବା ବୋଇତାଳ ଦେଉଳରେ ଦେବୀ ବ୍ରାହ୍ମଣୀ, କପାଳୀ ଓ ସପ୍ତମାତୃକା ଦେବୀ ମାନଙ୍କ ସହ ଉପାସିତା। ହୀରାପୁର ଓ ରାଣୀପୁର ଝରିଆଲରେ ୬୪ ଯୋଗିନୀ ମଧ୍ୟେ ବ୍ରାହ୍ମଣୀଙ୍କ ନିଜସ୍ୱ ସ୍ବତନ୍ତ୍ର ସ୍ଥାନ ରହିଅଛି। ବ୍ରାହ୍ମଣୀ ମନ୍ଦିର ନାମରେ ୧୦-୧୧ଶ ଶତକରେ ନିର୍ମିତ ବାଲେଶ୍ୱର ଜିଲ୍ଲାର ଅଭଣାଠାରେ ଅବସ୍ଥିତ ଏକ ହିନ୍ଦୁ ଓ ବୌଦ୍ଧ ଉପାସନା ପୀଠ ରହିଅଛି। ହେଲେ ସେଠି ଦେବୀ ବ୍ରାହ୍ମଣୀ ରୂପ ନହୋଇ ତ୍ରିମୁଖା ଚାମୁଣ୍ଡା ବିଗ୍ରହ ଓ ଅଷ୍ଟଭୂଜା ରୂପେ ପୂଜିତା।
ଉତ୍କଳରେ ନବଦୁର୍ଗା ଉପାସନା ବିଶେଷ ଭାବେ ଦେଖା ଯାଏନାହିଁ ଯେଉଁଭଳି ଭାବେ ସପ୍ତମାତୃକା ଓ ଅଷ୍ଟମାତୃକା ଉପାସନା ରହିଅଛି। ତେଣୁ ନବଦୁର୍ଗାଙ୍କଠାରୁ ମାତୃକା ଉପାସନା ଉତ୍କଳରେ ଅଧିକ ମହତ୍ତ୍ୱ ରଖେ।
ଦ୍ବିତୀୟ ମାତୃକା ନାରାୟଣୀ
ଦେବୀ ବ୍ରହ୍ମାଣୀଙ୍କ ପରି ନାରାୟଣୀ ମଧ୍ୟ ଦେବୀ ଦୁର୍ଗାଙ୍କୁ ସହାୟତା ନିମନ୍ତେ ନାରାୟଣଙ୍କ ଶକ୍ତି ରୂପେ ଉତ୍ପନ୍ନ ହୋଇଥିଲେ। ବିଷ୍ଣୁଙ୍କ ଓଜ, ତେଜ, ଶକ୍ତି ଧାରଣ କରି ଦେବୀ ନାରାୟଣୀ ପ୍ରକାଶିତ ହୋଇଥିଲେ। ଦେବୀ ଚତୁଃହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରି ଗରୁଡ଼ାସନରେ ଆସୀନା। ଦେବୀ ହେଉଛନ୍ତି ବୈଷ୍ଣବ ଶକ୍ତିଧାରିଣୀ ପରମା ବୈଷ୍ଣବୀ ମହାଲକ୍ଷ୍ମୀ ସ୍ୱରୁପା। ନାରାୟଣଙ୍କ ପରି ନାରାୟଣୀଙ୍କ ନୀଳ ମେଘ ସମ ବର୍ଣ୍ଣ ଅଟେ।
ଦେବୀଙ୍କ ଉପାସନା
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟରେ ନାରାୟଣୀ ଗ୍ରାମରେ ଦେବୀ ଦଶଭୂଜା ରୂପେ ପୂଜିତା। ଏହା ଏକ ପ୍ରସିଦ୍ଧ ତନ୍ତ୍ରପୀଠ ଅଟେ। ଦେଉଳର ଗଠନର ଖାକରା ଶୈଳୀର ଅଟେ। ଏହାର ନିର୍ମାଣ ଦ୍ୱାଦଶ ଶତାବ୍ଦୀ ପାଖା ପାଖି ମନେ ହୁଏ। ଏହାଛଡା ଯେଉଁ ଯେଉଁ ସ୍ଥାନରେ ସପ୍ତ ମାତୃକା ବିଗ୍ରହ ରହି ଅଛନ୍ତି ସେ ସବୁ ସ୍ଥାନରେ ଦେବୀ ନାରାୟଣୀଙ୍କ ଏକ ସ୍ବତନ୍ତ୍ର ସ୍ଥାନ ରହିଅଛି। ଏଥି ସହ ମଧୁକେଶ୍ୱର, ସଙ୍ଗମେଶ୍ୱର, ପାତାଳେଶ୍ୱର, ଜୟତୀ ଆଦି ମନ୍ଦିର ଯଥାକ୍ରମେ ଶ୍ରୀକାକୁଲମ, ବିଜୟ ନଗର, ରାୟଗଡ଼ା ଜିଲ୍ଲା ମାନଙ୍କରେ ସପ୍ତମାତୃକା ଅବସ୍ଥିତ। ସେଥିରେ ଉତ୍କଳୀୟ ଧାରା ଅନୁସାରେ ସପ୍ତମାତୃକା ବିଜେ ହୋଇଛନ୍ତି। ଚୌଷଠୀ ଯୋଗିନୀ ମଧ୍ୟେ ନାରାୟଣୀ ବୈଷ୍ଣବୀ ଶକ୍ତି ରୂପେ ଉପାସିତା।
ପୁରୁଣା ଭୁବନେଶ୍ୱରର ଭବାନୀ ଶଙ୍କର ଦେଉଳ ବେଢାର ପଛ ପଟେ ଏକ ଭଗ୍ନ ଦେଉଳ ଦୃଶ୍ୟମାନ ହୁଏ। ଗବେଷକଙ୍କ ମତରେ ଏହା ଏକ ପୁରାତନ ନାରାୟଣୀ ମନ୍ଦିର। ବର୍ତ୍ତମାନ ଯାଏ କେବଳ ଏହାର କିଛି ଅଂଶ ଆବିଷ୍କୁତ ହୋଇ ପାରିଛି। ଏହାଛଡା ଉତ୍କଳର ବହୁ ସ୍ଥାନରେ ଦୁର୍ଗା ନାରାୟଣୀ ରୂପେ ପୂଜା ପାଇ ଆସୁଛନ୍ତି। ପୀଠ ଦେବୀ ମାନଙ୍କର ଷୋଡ଼ଶ ପୂଜା ସମୟରେ ହେଉଥିବା ବେଶ ମଧ୍ୟରୁ ନାରାୟଣୀ ବେଶ ଅତୀବ ଆକର୍ଷଣୀୟ।।
ତୃତୀୟ ମାତୃକା ମାହେଶ୍ୱରୀ
ମହେଶ୍ୱର ଅଙ୍ଗ ସମ୍ଭୁତା ହେଲେ ଦେବୀ ମାହେଶ୍ୱରୀ। ଈଶ୍ୱରଙ୍କ ଶକ୍ତିଧାରିଣୀ ଦେବୀ ମହିଷାସୁର ସହ ସମରେ ଦେବୀ ଦୁର୍ଗାଙ୍କୁ ସହାୟତା ଦେଇଥିଲେ। ଚତୁଃଭୂଜା, ତ୍ରିନୟନା, ଜଟା ମୁକୁଟ ସହିତେ ହସ୍ତରେ ତ୍ରିଶୂଳ, ଅକ୍ଷମାଳା, ଅଭୟ ବରଦା ଧାରଣ କରି ଯୁଧ୍ୟରେ ଅବତୀର୍ଣ୍ଣ ହୋଇଥିଲେ। ଦେବୀଙ୍କ ବାହାନ ବୃଷଭ ଅଟେ। ଦେବୀ ମାହେଶ୍ୱରୀ ଶିବପ୍ରିୟା ପାର୍ବତୀ ସ୍ୱରୁପା।
ମାହେଶ୍ୱରୀ ମନ୍ଦିର ଓ ଉପାସନା
ଆଠମଲ୍ଲିକ ଠାରେ ଦେବୀ ମାହେଶ୍ୱରିଙ୍କ ଏକ ପ୍ରସିଦ୍ଧ ମନ୍ଦିର ରହିଅଛି। ଦେବୀ ଏକାଦଶ ଭୂଜା ରୂପେ ଉପାସିତା। ଦେବୀ ଏଠି ବୀରତ୍ୱ, ଶକ୍ତି, ଓ ବିଜୟର ପ୍ରତୀକ ରୂପେ ପ୍ରସିଦ୍ଧା। ହୀରାକୁଦ ଜଳଭଣ୍ଡାର ମଧ୍ୟରେ ମାହେଶ୍ୱରିଙ୍କ ଏକ ମନ୍ଦିର ବର୍ତ୍ତମାନେ ଲୁପ୍ତ। ସପ୍ତମାତୃକା ମଧ୍ୟେ ମା’ଙ୍କ ସ୍ଥାନ ତୃତୀୟା ଏହାସହ ଯୋଗିନୀ ଗଣ ମଧ୍ୟେ ଦେବୀଙ୍କ ଅନ୍ୟତମ ସ୍ଥାନ ରହିଅଛି। ଯାଜପୁର ଦଶାଶ୍ୱମେଧ ଘାଟେ ଦେବୀଙ୍କ ରୂପ ଅତି କମନୀୟା।
ଚତୁର୍ଥ ମାତୃକା ଇନ୍ଦ୍ରାଣୀ
ଦେବରାଜ ଇନ୍ଦ୍ରଙ୍କ ଶକ୍ତି ସ୍ୱରୁପା ହେଲେ ଦେବୀ ଇନ୍ଦ୍ରାଣୀ। ଉପର ଦୁଇ ହସ୍ତରେ ଇନ୍ଦ୍ରାସ୍ତ୍ର ବଜ୍ର ଓ ଅଙ୍କୁଶ ସହ ନିମ୍ନ ଦୁଇ ହସ୍ତରେ ବରାଭୟ ମୁଦ୍ରା। ଦେବୀଙ୍କ ବାହାନ ହସ୍ତୀ ରାଜ ଐରାବତ। ଇନ୍ଦ୍ରାଣୀଙ୍କୁ ଇନ୍ଦ୍ରନାରୀ ଶଚୀ ବୋଲି ଅବିହିତ କରାଯାଏ। ଦେବୀ ଅସୁର ଯୁଦ୍ଧେ ଦେବୀଙ୍କୁ ସାହାଯ୍ୟାର୍ଥେ ରଣାଙ୍ଗନକୁ ଇନ୍ଦ୍ରାଣୀ ବିଜେ କରିଥିଲେ। ଦେବୀଙ୍କୁ ଐନ୍ଦ୍ରୀଲା, ମହେନ୍ଦ୍ରି ଏବଂ ପୁଲୋମା ରାକ୍ଷସର କନ୍ୟା ହେତୁ ପୁଲୋମଜା ଓ ପୋୖଲୋମୀ ନାମରେ ମଧ୍ୟ ସ୍ତୁତି କରାଯାଏ। ଦେବୀଙ୍କ ନୟନ ଯୁଗଳ ଅପରିମିତ ସୁନ୍ଦର ଏବଂ ସେ ମଧ୍ୟ ସୌନ୍ଦର୍ଯ୍ୟର ପ୍ରତୀକ ଓ ସୌନ୍ଦର୍ଯ୍ୟର ଦେବୀ ମଧ୍ୟ ଅଟନ୍ତି ।
ଇନ୍ଦ୍ରାଣୀ ମନ୍ଦିର
ଶ୍ରୀମନ୍ଦିର ବେଢାରେ କଲ୍ପବଟ ପାଖେ ଏକ ଇନ୍ଦ୍ରାଣୀ ମନ୍ଦିର ରହିଅଛି। ଏଠାରେ ଦେବୀ ଦ୍ବିଭୂଜା ଓ ହସ୍ତୀ ବାହନା। ସପ୍ତମାତୃକା ମଧ୍ୟରେ ଓ ଯୋଗିନୀ ଗଣ ମଧ୍ୟରେ ଦେବୀଙ୍କ ସ୍ଥାନ ଅନ୍ୟତମ ଅଟେ। ଯେଉଁ ଯେଉଁ ସ୍ଥାନେ ସପ୍ତମାତୃକା ରହିଛନ୍ତି ସେ ସ୍ଥାନେ ଦେବୀ ମଧ୍ୟ ତାଙ୍କ ମଧ୍ୟରେ ରହିଛନ୍ତି। ଓଡିଶା ରାଜ୍ୟ ସଂଗ୍ରହାଳୟରେ ଦେବୀଙ୍କ ଏକ ଅତି କମନୀୟା ବିଗ୍ରହ ସରଂକ୍ଷଣ କରି ରଖାଯାଇଅଛି।
ପଞ୍ଚମ ମାତୃକା ବାରାହୀ
ବରାହଙ୍କ ଶକ୍ତି ସ୍ୱରୁପା ହେଲେ ଦେବୀ ବାରାହୀ। କିନ୍ତୁ ବରାହଙ୍କ ପରି ଦେବୀଙ୍କ ସାତ୍ୱିକ ରୂପ ଖୁବ୍ ବିରଳ। ହସ୍ତରେ ଶଙ୍ଖ ଚକ୍ର ଆୟୁଧ ଥାଇ ମୂର୍ତ୍ତି ଖୁବ୍ କ୍ଵଚିତ ଦେଖାଯାଏ। ଦେବୀଙ୍କୁ ବହୁଳଭାବେ ତନ୍ତ୍ରମତେ ପୂଜା କରାଯାଏ। ହସ୍ତରେ ମତ୍ସ୍ୟ ଓ ସୁରାପାତ୍ର ସହିତ କିଛି ସ୍ଥାନରେ ଜପାମାଳ ଓ ଅଭୟ ମୁଦ୍ରା ଧାରଣ କରିଥାନ୍ତି। ତେଣୁ ସ୍ଥାନ ବିଶେଷରେ ଦେବୀ ଦ୍ବିଭୂଜା ଓ ଚତୁଃ ଭୂଜା।
ଦେବୀଙ୍କ କେଶ ସଜ୍ୟ ନିଜସ୍ୱ ସ୍ବତନ୍ତ୍ରତା ବହନ କରେ। ଜଟାକୃତି କେଶ ସହ ରତ୍ନ କିରିଟ ଅତ୍ୟନ୍ତ ଶୋଭାବନ୍ତ ଦିଶେ। ଦେବୀ ଲଲିତାସନରେ ସିଂହାସନରେ ଆସୀନା।ବାରାହୀ ତନ୍ତ୍ର ଅନୁସାରେ ଦେବୀଙ୍କ ପାଞ୍ଚଟି ରୂପ ବିଷୟରେ ବର୍ଣ୍ଣନା ରହିଅଛି ଯେମିତିକି ସ୍ବପ୍ନ ବାରାହୀ, ଚଣ୍ଡ ବାରାହୀ, ମହି ବାରାହୀ (ଭୈରବୀ), କୃଚ୍ଛ ବାରାହୀ ଓ ମତ୍ସ୍ୟ ବାରାହୀ।
ଦେବୀଙ୍କ ବାହାନ ମହିଷ। ତେଣୁ କିଛି ଲୋକମାନେ ଭୁଲବଶତଃ ତାଙ୍କୁ ଯମରାଜା ବୋଲି ଭାବି ବସନ୍ତି। ଦେବୀଙ୍କ ପୂଜା କେବଳ ସନାତନ ଧର୍ମରେ ନାହିଁ ଏହାସହ ବୌଦ୍ଧ ଧର୍ମରେ ମଧ୍ୟ ଦେବୀଙ୍କୁ ପୂଜା କରାଯାଏ। ବୌଦ୍ଧଧର୍ମରେ ଦେବୀ ମାରିଚୀଙ୍କ ସଦା ସହଚରୀ ଭାବେ ବାରାହୀ ପ୍ରସିଦ୍ଧା।
ବାରାହୀଙ୍କ ପୂଜା ଓ ମନ୍ଦିର
ସବୁଠୁ ପ୍ରସିଦ୍ଧ ମନ୍ଦିର ହେଉଛି ନବମ ଶତାବ୍ଦୀର କୋଣାର୍କର ଚୌରାଶୀ ଠାରେ ଥିବା ବାରାହୀଙ୍କ ମନ୍ଦିର। ଏହି ମନ୍ଦିର ଖାକରା ଶୈଳୀର ଅଟେ। ବରାହୀଙ୍କ ପ୍ରତିମା କଳାମୁଗୁନି ପଥରରେ ନିର୍ମିତ। ପ୍ରତିମାଙ୍କର ଉଚ୍ଚତା ୬’୯”। କପାଳର ମଧ୍ୟଭାଗରେ ତୃତୀୟ ନୟନ ସହ ଦେବୀ ଡାହାଣ ହସ୍ତରେ ଏକ ମତ୍ସ୍ୟ ଏବଂ ବାମ ହସ୍ତରେ ଏକ ପାନପାତ୍ର ବା ଖପୁରୀ (ଖର୍ପର) ଧାରଣ କରିଛନ୍ତି ।ପାନପାତ୍ର ଥିବାରୁ ଦେବୀ ରକ୍ତ ବା ମଦ୍ୟପାନ କରୁଥିବା ଭଙ୍ଗୀରେ ରୂପାୟିତ। ଦେବୀଙ୍କ ପୃଥୁଳ ଉଦର ସହ ଗଭୀର ନାଭି ରହିଅଛି। ଏହି ପୃଥୁଳ ଉଦର ସମଗ୍ର ସୃଷ୍ଟି ଧାରଣର ପ୍ରତୀକ ଅଟେ।
ଶ୍ରୀକ୍ଷେତ୍ରରେ ବାଲିସାହିଠାରେ ଏକ ବାରାହୀଙ୍କ ମନ୍ଦିର ରହିଅଛି। ଦେବୀ ବାରାହୀ ଶ୍ରୀକ୍ଷେତ୍ରର ରକ୍ଷାକାରିଣୀ ଦେବୀମାନଙ୍କ ମଧ୍ୟେ ଅନ୍ୟତମା ଅଟନ୍ତି। ଦେବୀ ଏଠି ଚତୁଃ ଭୂଜା। ପ୍ରତ୍ୟହ ଦେବୀଙ୍କୁ ଆମିଷ ଭୋଗ ଲାଗି ହୋଇଥାଏ। ଦେବୀ ସୁଭଦ୍ରାଙ୍କ ରଥର ପାର୍ଶ୍ୱଦେବୀ ରୂପେ ବାରାହୀ ମଧ୍ୟ ରହିଛନ୍ତି। ଗୋପର ବୈଳାଶିବାଟିଠାରେ ଗଙ୍ଗେଶ୍ୱରୀ ମନ୍ଦିରର ପାର୍ଶ୍ୱଦେବୀ ରୂପେ ବାରାହୀ ରହିଛନ୍ତି।
ଏକାମ୍ରେ ତ୍ରିଭୁବନଦେବଙ୍କ ବେଢା ମଧ୍ୟରେ ସାବିତ୍ରୀ ଦେଉଳ ପାର୍ଶ୍ୱରେ ଏକ ଛୋଟ ବାରାହୀଙ୍କ ମନ୍ଦିର ରହିଅଛି। ଦେବୀ ଏଠାରେ ଦ୍ବିଭୂଜା। ଜଟା ମୁକୁଟ ସହ ଲଲିତାସନରେ ଦେବୀ ଆସୀନା। କଲ୍ୟାଣମୟୀ ରୂପେ କୋଳରେ ପୁତ୍ର ସନ୍ତାନକୁ ଧାରଣ କରିଅଛନ୍ତି। ସମ୍ମୁଖରେ ସଦାଶିବ ରୂପୀ ଶିବଲିଙ୍ଗ ବିଦ୍ୟମାନ। ଏଠାରେ ଦେବୀଙ୍କ ବାହାନ ମହିଷ ହେତୁ କିଛି ଲୋକଙ୍କ ଯମରାଜା ବୋଲି ଭ୍ରମ ଧାରଣା ସୃଷ୍ଟି ହୁଏ। ଏମିତିକି ମନ୍ଦିରର ପରିଚୟରେ ଯମରାଜା ମନ୍ଦିର ବୋଲି ଉଲ୍ଲେଖ କରାଯାଇଅଛି। ତେଣୁ ଦର୍ଶନାର୍ଥି ଆହୁରି ଭ୍ରମିତ ହେବା ସ୍ଵାଭାବିକ ଅଟେ। ଏହି ଦେଉଳ ପ୍ରାୟ ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀର ମନ୍ଦିର ବୋଲି ମନେହୁଏ। ତିନିମୁଣ୍ଡିଆ ଠାରେ କପାଳି ମନ୍ଦିରରେ ଦେବୀ ବାରାହୀଙ୍କ ବିଗ୍ରହ ମଧ୍ୟ ରହିଅଛି। ଏହାଛଡା ଚୌଷଠୀ ଯୋଗିନୀ ମଧ୍ୟେ ଦେବୀଙ୍କ ବିଗ୍ରହ ମଧ୍ୟ ବିଦ୍ୟମାନ। ରାଜ୍ୟ ସଂଗ୍ରହାଳୟରେ ମଧ୍ୟ ଦେବୀଙ୍କ ମୂର୍ତ୍ତି ରହିଅଛି।
ଯାଜପୁରର ଦଶଶ୍ୱମେଧ ଘାଟରେ ସପ୍ତମାତୃକା ମଧ୍ୟେ ବାରାହୀଙ୍କ ସ୍ବତନ୍ତ୍ର ସ୍ଥାନ ରହିଅଛି। ଏହାଛଡା ଅବିଭକ୍ତ କଟକର ସାତଭାୟା, କେଉଁଝରର ବଂଚୁଅ, ବାଲେଶ୍ୱରର ନରେନ୍ଦ୍ରପୁର ଠାରେ ଦେବୀଙ୍କ ମନ୍ଦିର ରହିଅଛି।
ଧର୍ମଶାଳା, ଅଯୋଧ୍ୟା, ଦାନଗଣ୍ଡର, କିଷନପୁର, ପଡାଗଡ଼ି, କଣ୍ଟିଲୋ, ଗରୁଡ଼ପାଞ୍ଚ, ଚାଟେଶ୍ବର ଓ ଜଗତସିଂହପୁର ଜିଲ୍ଲାର ତାରପୁର ଆଦି ସ୍ଥାନରେ ବାରାହୀଙ୍କ ବିଗ୍ରହ ମଧ୍ୟ ମିଳିଅଛି। ତାରପୁର ଠାରେ ମିଳିଥିବା ବାରାହୀଙ୍କ ବିଗ୍ରହ ବାନାମ୍ଵର ମହାଦେବଙ୍କ ବେଢାରେ ରହିଅଛି। ପ୍ରକୃତରେ ଏହା ବୌଦ୍ଧ ତନ୍ତ୍ରର ଦେବୀ ତାରା ଓ ମାରିଚୀଙ୍କ ସହଚରୀ ଅଟନ୍ତି। ଯାହା ବର୍ତ୍ତମାନେ ନାରାୟଣୀ ରୂପେ ପୂଜିତା।
ବାରାହୀଙ୍କ ବିଷୟରେ ଜାଣିବା ଅତ୍ୟନ୍ତ ଗବେଷଣା ସାପେକ୍ଷ। ଏହା ବିଷୟରେ ଗବେଷଣା କରାଗଲେ ବହୁ ଅନାଲୋଚିତ ବିଷୟର ଉଦ୍ଗମ ହେବା ନିଶ୍ଚୟ।
ଷଷ୍ଠ ମାତୃକା ନାରସିଂହୀ
ଶୁମ୍ଭ ନିଶୁମ୍ଭ ଦୈତ୍ୟଙ୍କ ବିନାଶ ପାଈଁ ଦେବୀଙ୍କୁ ସହାୟତା କରିବାକୁ ଆର୍ବିଭାବ ହୁଏ ମାତୃକା ମାନଙ୍କର। ବିଭିନ୍ନ ଦେବତାଙ୍କ ଶକ୍ତି ସ୍ୱରୁପା ଦେବୀ ମାନେ ଦୁର୍ଗାଙ୍କୁ ସହାୟତା ପାଈଁ ରଣକ୍ଷେତ୍ରରେ ବିଜେ ହୁଅନ୍ତି। ବିଷ୍ଣୁଙ୍କ ଅନ୍ୟତମ ଅବତାର ନରସିଂହଙ୍କ ଶକ୍ତି ସ୍ୱରୁପା ଦେବୀ ହେଉଛନ୍ତି ନାରସିଂହୀ। ହସ୍ତରେ ଶଙ୍ଖ, ଚକ୍ର, ବରାଭୟ ମୁଦ୍ରା ଧାରଣ କରି ଦେବୀ ନାରସିଂହୀ ମଧ୍ୟ ଯୁଧ୍ୟକୁ ବିଜେ ହୁଅନ୍ତି। ସିଂହୀର କେଶର ସହ ନାରୀର ଶରୀର ଅସୁର ପ୍ରତି ଭୀତି ସୃଷ୍ଟି କରେ।
ନାରସିଂହୀ ଉପାସନା
ନାରସିଂହୀ ଉପାସନା ପ୍ରାୟତଃ ଉତ୍କଳରେ ବହୁତ କମ ଦେଖିବାକୁ ମିଳେ। ଉତ୍କଳରେ ମୁଖ୍ୟତଃ ସପ୍ତମାତୃକା ଉପାସନା ବହୁଳ ଭାବେ ପ୍ରଚଳିତ ଯେଉଁଥିରେ ନାରସିଂହୀ ନଥାନ୍ତି। ଯାଜପୁରର ସପ୍ତ ମାତୃକା ମନ୍ଦିରରେ ଅପେକ୍ଷାକୃତ ଛୋଟ ନାରସିଂହୀ ମୂର୍ତ୍ତି ବିଦ୍ୟମାନ।
ସପ୍ତମ ମାତୃକା କୌମାରୀ
କୁମାର କାର୍ତ୍ତିକେୟଙ୍କ ଶକ୍ତି ସ୍ୱରୁପିଣୀ ହେଉଛନ୍ତି ଦେବୀ କୌମାରୀ । କାର୍ତ୍ତିକେୟଙ୍କ ପରି ସେ ମଧ୍ୟ ଅସୁମାରୀ ଶକ୍ତିର ଅଧିକାରିଣୀ ଅଟନ୍ତି। ଦେବୀଙ୍କୁ କୁମାରଙ୍କର ପତ୍ନୀ ଷଷ୍ଠୀ ବା ଦେବସେନା ଭାବରେ ମଧ୍ୟ ସ୍ତୁତି କରାଯାଏ। ଦେବୀ ଚତୁଃଭୂଜା। ହସ୍ତରେ ଭାଲ, ବର୍ଚ୍ଛା ଓ ଅଭୟ ଓ ବର ମୁଦ୍ରା ଧାରଣ କରିଥାନ୍ତି। କୁମାରଙ୍କ ପରି ତ୍ରିଜଟା କିରିଟିରେ ଦେବୀ ଭୂଷିତା। ଦେବୀଙ୍କ ବାହନ ମୟୁର। ଦେବୀ ଦୁର୍ଗାଙ୍କୁ ସହାୟତା ନିମନ୍ତେ ଯୁଦ୍ଧରେ ବହୁ ଅସୁରଙ୍କୁ ବିନାଶ କରିଥିଲେ।
ସପ୍ତମାତୃକା ମଧ୍ୟେ ଦେବୀଙ୍କ ସ୍ଥାନ ଅନ୍ୟତମା। ଦେବୀଙ୍କ ପରିଚୟ ଷଷ୍ଠୀ ନାମରେ ବେଶୀ ପ୍ରଚଳିତ। ପ୍ରତ୍ୟକ ପୁରପଲ୍ଲୀରେ ଷଷ୍ଠୀ ପୂଜା ଅତ୍ୟନ୍ତ ଭକ୍ତି ସହକାରେ ପାଳିତ ହୋଇଥାଏ। ଦେବୀ ସନ୍ତାନମାନଙ୍କୁ ଦୀର୍ଘାୟୁ ପ୍ରଦାନ କରନ୍ତି ବୋଲି ଶିଶୁ ଜନ୍ମ ପରେ ଷଷ୍ଠୀ ପୂଜା ପାଳିତ ହୁଏ।
ଅଷ୍ଟମ ମାତୃକା ଚାମୁଣ୍ଡା
ଚାମୁଣ୍ଡାଙ୍କ ବର୍ଣ୍ଣନା କରିବା ବଡ଼ ଦୁରୂହ କାର୍ଯ୍ୟ। ଭୟଙ୍କର ରୂପ ମଧ୍ୟେ ଯେଉଁ କରୁଣାମୟୀ ମାତୃତ୍ୱ ରୂପ ଦେଖିବାକୁ ମିଳେ ସେ ହିଁ ପ୍ରକୃତ ଚାମୁଣ୍ଡା। ଚଣ୍ଡ ମୁଣ୍ଡଙ୍କ ବିନାଶ ପାଈଁ ଦୁର୍ଗାଙ୍କ ଶରୀରରୁ ଆବିର୍ଭୁତ ହୁଅନ୍ତି ଦେବୀ ଚାମୁଣ୍ଡା। ଭୟଙ୍କର ରୂପ ଧାରଣ କରି ଶତ୍ରୁ ସଂହାର କରନ୍ତି ଦେବୀ। ଦେବୀ ଶବାରୁଢା ସହ ପ୍ରେତ ଗହଣରେ ସଦା ଶୋଭିତା। ସପ୍ତମାତୃକା, ଅଷ୍ଟମାତୃକା ଓ ଚୌଷଠୀ ଯୋଗିନୀ ମଧ୍ୟରେ ଦେବୀଙ୍କ ସ୍ଥାନ ରହିଅଛି।
ଚାମୁଣ୍ଡାଙ୍କ ରୂପ ବର୍ଣ୍ଣନା ବହୁ ପ୍ରକାରେ ଦେଖିବାକୁ ମିଳେ। କଙ୍କାଳସାର ଶରୀରକୁ ଗଳାରେ ମୁଣ୍ଡ ମାଳ ସହ ହସ୍ତରେ ଖଡ୍ଗ, ପାନ ପାତ୍ର, ଛେଦିତ ଅସୁର ମସ୍ତକ ଓ ଏକ ହାତ ଶବାସନ ଉପରେ ଧାରଣ କରିଥାନ୍ତି। ଏହି ଚତୁଃଭୂଜ ବିଗ୍ରହ ଚାମୁଣ୍ଡା ନାମେ ଖ୍ୟାତ।
ଅନ୍ୟ ଏକ ରୂପ ବର୍ଣ୍ଣନା ଅନୁସାରେ ହସ୍ତରେ ଖଡ୍ଗ, ତ୍ରିଶୂଳ, କପାଳର ପାନପାତ୍ର, ଛେଦିତ ଶିର, ଖଟ୍ବାଙ୍ଗ, ବଜ୍ର, କଟାରୀ, ଅକ୍ଷମାଳ, ଡମ୍ବରୁ, ଓ ଏକ ହସ୍ତର କାଣି ଅଙ୍ଗୁଳି ଦନ୍ତରେ ଦେଇଥାନ୍ତି। ଏହାଙ୍କୁ ଦନ୍ତଲଗ୍ନ କନିଷ୍ଠିକା ବା ଚର୍ଚ୍ଚିକା ବିଗ୍ରହ କୁହାଯାଏ। ଏହା ସଦା ଶାନ୍ତ ମୂର୍ତ୍ତି। ଦେବୀଙ୍କ ରୂପ ବିଭିନ୍ନ ସ୍ଥାନେ ବିଭିନ୍ନ ପ୍ରକାରେ ପରିଲକ୍ଷିତ ହୁଏ। କେଉଁଠି ଦ୍ଵିଭୁଜା, କେଉଁଠି ଚତୁଃଭୂଜା, କେଉଁଠି ଷଡଭୂଜା, ଅଷ୍ଟଭୂଜା, ଦଶଭୂଜା ଇତ୍ୟାଦି। ଦେବୀ ତ୍ରିଶକ୍ତି ସ୍ୱରୁପା। ଗୋଟିଏ ରୂପରେ ମହାସରସ୍ୱତୀ, ମହାଲକ୍ଷ୍ମୀ, ମହାକାଳୀ ରୂପ ସନ୍ନିହିତ।
ଭୁବନେଶ୍ୱରରେ ଦେବୀଙ୍କ ପୂଜା
ଲିଙ୍ଗରାଜ ମହାପ୍ରଭୁଙ୍କ ଅଷ୍ଟଚଣ୍ଡୀ ମଧ୍ୟରେ ତିନି ମୁଣ୍ଡିଆ ଦେଉଳର କପାଳି ଦେବୀ ଓ ବିନ୍ଦୁ ସାଗର ତୀରସ୍ତ ମୋହିନୀ ଦେବୀ ହେଉଛନ୍ତି ଚାମୁଣ୍ଡା ମୂର୍ତ୍ତି। ଏହା ସହ ଲିଙ୍ଗରାଜଙ୍କ ବେଢାର ଉତ୍ତର ପାର୍ଶ୍ୱରେ ଥିବା ଦେବୀ ଚିତ୍ରକାରିଣୀ ମଧ୍ୟ ଚାମୁଣ୍ଡା ମୂର୍ତ୍ତି ଅଟନ୍ତି।
କପାଳି ହେଉଛନ୍ତି ତ୍ରିଶକ୍ତି ସ୍ୱରୁପା। ଦେବୀ ଅଷ୍ଟଭୂଜା ଶବାରୁଢ଼ା ବିଗ୍ରହ। ସଙ୍ଗର ଅନ୍ୟ ଷଡମାତୃକା ସହ ବସୁଧରା, ଭଦ୍ର, ଗଣେଶ ଓ ଅନ୍ୟାନ୍ୟ ବିଗ୍ରହ ମଧ୍ୟ ବିରାଜମାନ। ହସ୍ତରେ ସର୍ପ, ଧନୁ, ଖର୍ପର, ଖଡ୍ଗ, ତ୍ରିଶୂଳ, ବଜ୍ର, ଧନୁ ଓ ଦନ୍ତଲଗ୍ନ କନିଷ୍ଠିକା ଧାରଣ କରି ଅଛନ୍ତି। ଦେବୀଙ୍କ କରୁଣାମୟୀ ରୂପ ନିଶ୍ଚେ ଅନୁଭବ କରିହୁଏ। ସତରେ ମମତାମୟୀ ମା’ ସିଏ। ଦେବୀ ଯେମିତି ସ୍ବତନ୍ତ୍ର ସେଇଭଳି ଦେବୀଙ୍କ ଦେଉଳ ମଧ୍ୟ। ଦେବୀଙ୍କ ଦେଉଳ ଖାକରା ଶୈଳୀର ଅଟେ। ତିନିଟି ଶିଖା ହେତୁ ଏହା ତିନିମୁଣ୍ଡିଆ ନାମେ ପରିଚିତ। ବୋଇତ ଭଳି ଆକୃତି ହେତୁ ଏହା ବୋଇତାଳ ଦେଉଳ ନାମେ ଖ୍ୟାତ।
ମୋହିନୀ ହେଉଛନ୍ତି ବିନ୍ଦୁସାଗର ଦକ୍ଷିଣ ପାର୍ଶ୍ୱରେ ଥିବା ଅନ୍ୟତମା ଅଷ୍ଟଚଣ୍ଡୀ। ଶବ ଉପରେ ନୃତ୍ୟରତା ଦେବୀ ହେଉଛନ୍ତି ଦଶଭୂଜା ଚାମୁଣ୍ଡା ବିଗ୍ରହ। ପୂର୍ବେ ଏହା ସିଦ୍ଧ ତନ୍ତ୍ର ପୀଠ ଥିଲା। ବର୍ତ୍ତମାନ ଏହାର ତନ୍ତ୍ରପୀଠର ପରିଚୟ ନିଶ୍ଚେ କମି ଯାଇଛି। ମା’ ଙ୍କ ମୁଖ ଶୋଭା ଅତୀବ ସୁନ୍ଦର। ବର୍ତ୍ତମାନ ଏହି ଦେଉଳର ପୁନଃରୁଦ୍ଧାର କରାଯାଇଅଛି। ଗର୍ଭ ଦେଉଳ ଓ ଜଗମୋହନ ଏହି ଭାବେ ଦୁଇ ଭାଗରେ ବିଭକ୍ତ।
ଚିତ୍ରକାରିଣୀ ହେଉଛନ୍ତି ଚିତ୍ରକର ମାନଙ୍କ ଇଷ୍ଟଦେବୀ। ଲିଙ୍ଗରାଜଙ୍କ ଦେଉଳ ନିର୍ମାଣ ସମୟରେ ରୂପକାର ମାନେ ଏଠାରେ ଦେବୀଙ୍କୁ ପାର୍ଥନା କରି ଦେଉଳ ନିର୍ମାଣ କରୁଥିଲେ। ଦେବୀଙ୍କ ଦେଉଳ ଗର୍ଭଗୃହ, ଜଗମୋହନ ଆଦି ଦୁଇ ଭାଗରେ ବିଭକ୍ତ। ପ୍ରତ୍ୟେକ ଅଂଶ ବିଭିନ୍ନ କାରୁକାର୍ଯ୍ୟରେ ବିମଣ୍ଡିତ।
ପୁରୀରେ ଚାମୁଣ୍ଡା
ଗଜପତି ମହାରାଜାଙ୍କ ଇଷ୍ଟ ହେଉଛନ୍ତି ଦେବୀ ଚର୍ଚ୍ଚିକା। ସେ ମଧ୍ୟ ଚାମୁଣ୍ଡା ବିଗ୍ରହ। ରୋଷଘର ଅଗ୍ନିକୁ ରକ୍ଷା କରିବା ଦେବୀଙ୍କ ଦାୟିତ୍ଵ ଅଟେ। ଏହା ସହ ଅନ୍ୟାନ୍ୟ ସ୍ଥାନରେ ପାର୍ଶ୍ୱ ଦେବୀ ରୂପେ ଚାମୁଣ୍ଡା ବିଗ୍ରହ ବିଦ୍ୟମାନ। ବିମଳାଙ୍କ ପାର୍ଶ୍ୱଦେବୀ ମଧ୍ୟ ଚାମୁଣ୍ଡା ଅଟନ୍ତି।
ବାଙ୍କୀର ଚର୍ଚ୍ଚିକା
ବାଙ୍କୀ ଗଡର ଇଷ୍ଟ ଦେବୀ ରୂପେ ଦେବୀ ଚର୍ଚ୍ଚିକା ବିଜେ କରିଅଛନ୍ତି। ଦେବୀ ଶବାରୁଢା ଅଷ୍ଟଭୂଜା ଦନ୍ତଲଗ୍ନ କନିଷ୍ଠିକା ବିଗ୍ରହ। ରେଣୁକା ନଦୀ ତୀରରେ ରୁଚିକ ପର୍ବତ ଉପରେ ଦେବୀଙ୍କ ଆସ୍ଥାନ।
ମୟୁରଭଞ୍ଜର କିଚକେଶ୍ୱରୀ
ମହାଭାରତ ସମୟର କୀଚକ ରାଜାଙ୍କ ଇଷ୍ଟଦେବୀ ଓ ମୟୁରଭଞ୍ଜର ଇଷ୍ଟଦେବୀ ରୂପେ ମା’ ପରିଚିତା। ଦଶଭୂଜା ଶବାରୁଢ଼ା ଚାମୁଣ୍ଡା ବିଗ୍ରହ ଦେବୀଙ୍କର ରୂପ ଅଟେ। ସମ୍ପୁର୍ଣ୍ଣ ଭାବେ କଳା ମୁଗୁନି ପଥରର ଦେଉଳ ଯୋଗୁଁ ଏହାର ସ୍ୱତନ୍ତ୍ର ପରିଚୟ ରହିଅଛି। ଏହାର ପ୍ରତିଟି କୋଣ ଅନୁକୋଣ ବିଭିନ୍ନ କୀର୍ତ୍ତି ରାଜିରେ ସୁଶୋଭିତା।