ଲେଖା: ଅମ୍ବିକା ପଟ୍ଟନାୟକ
~ ବିଲୁପ୍ତଐତିହ୍ୟ: ଶିଶୁପାଳଗଡ଼ ~
“ତକୀ ଖାଁର ଲସ୍କର ମାନେ ଶିଶୁପାଳଗଡ଼ ସୀମା ମାଡିବାକୁ ପ୍ରଥମେ ଭରସୁ ନ ଥିଲେ l ଅତୀତରେ ବହୁ ଦନ୍ତା ଦନ୍ତା ଫୌଜଦାର ଶିଶୁପାଳଗଡ଼ର ପାଇକମାନଙ୍କ ମାଡ଼ରେ ମୁହଁ ମାଡ଼ି ପଡ଼ିଛନ୍ତି l କଳାପାହାଡ଼ ସୁଦ୍ଧା ଶିଶୁପାଳଗଡ଼ ଯୋଗୁଁ ଲିଙ୍ଗରାଜ ମନ୍ଦିରରେ ଟିପ ଦେଇ ପାରି ନଥିଲା l”
(ନୀଳଶୈଳ, ପୃ -168, ଶ୍ରୀ ସୁରେନ୍ଦ୍ର ମହାନ୍ତି)
“ଏ ମହାରାଜାଙ୍କ ଅ 8ଙ୍କ ଧନୁ ଦି 22ନେ କଟକ ସୁବା ସୁଜା ଖାଁ ପୁଅ ମହମ୍ମଦ ତକୀ ଖାଁ ନସକର ଘେନି ଶିଶୁପାଳଗଡ଼ ଖେଳାଇ (ଖୋଳାଇ) ଦେଲା l”
(Image: Dharitri)
ଓଡ଼ିଶାର ଶେଷ ସ୍ୱାଧୀନ ଗଜପତି ମୁକୁନ୍ଦ ଦେବଙ୍କ ନିଧନ ପରେ ଭୋଇ ରାମଚନ୍ଦ୍ର ଦେବ ପ୍ରଥମ ବରୁଣେଇ ପର୍ବତ ତଳେ ଜଗନ୍ନାଥ କଟକ ପ୍ରତିଷ୍ଠା କରି ଅର୍ଦ୍ଧସ୍ୱାଧୀନ ଖୋର୍ଦ୍ଧା ରାଜ୍ୟ ଖ୍ରୀ.1576 ବେଳେ ପ୍ରତିଷ୍ଠା କରିଥିଲେ l ତାଙ୍କ ଅଧୀନରେ 71ଟି ଗଡ଼ ଆଉ 29 ଟି କିଲ୍ଲା ବା ଜମିଦାରୀ ଥିଲା l ମୋଗଲ ଦସ୍ତାବିଜ ଅନୁସାରେ 71ଟି ଗଡ଼ର ବର୍ଣ୍ଣନାରୁ ଆମେ ଚତୁର୍ଥ ଗଡ଼ “ଶିଶୁପାଳଗଡ଼” ବୋଲି ଜାଣିବାକୁ ପାଉ l
ଶିଶୁପାଳ ଶ୍ରୀକୃଷ୍ଣଙ୍କ ମାଉସୀ ପୁଅ ଭାଇ l ଚେଦି ରାଜ ଦମଘୋଷଙ୍କ ପୁଅ l “ଚେଦି ” ଶବ୍ଦ ଆମକୁ ସ୍ମରଣ କରେଇ ଦିଏ କଳିଙ୍ଗର ପ୍ରଥମ ଦିଗବିଜୟୀ ସମ୍ରାଟ ଚେଦିବଂଶାବତଂସ ମହାମେଘବାହନ ଐର ଖାରବେଳଙ୍କ କଥା l ସେଇ ଅନାଲୋଚିତ ସମ୍ରାଟ, ଯଶ, ଖ୍ୟାତି, କୀର୍ତ୍ତିର ତୁଙ୍ଗ ସୀମାରେ ଥିବା ବେଳେ ମାତ୍ର 39 ବର୍ଷରେ ସମସ୍ତ ତ୍ୟାଗ କରି ସନ୍ୟାସୀ ହୋଇ ଯାଇଥିଲେ l ଅଦ୍ୟାପି ଖଣ୍ଡଗିରି ଓ ଉଦୟଗିରି ତାଙ୍କ କୀର୍ତ୍ତିର ସାକ୍ଷୀ l ଶିଶୁପାଳଗଡ଼ ଓ ସମ୍ରାଟ ଖାରବେଳଙ୍କ କିଛି ସମ୍ପର୍କ ଅଛି କି ?
ଭୁବନେଶ୍ୱରର ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ଦୁଇ କିଲୋମିଟର ଦୂରରେ ଗନ୍ଧବତୀ ନଦୀ ବା ଗଙ୍ଗୁଆ ନାଳରେ ଦିନେ ଶୋଭା ପାଉଥିଲା ବିଶାଳ ଶିଶୁପାଳଗଡ଼ ଦୁର୍ଗ l ହୁଏତ ସମ୍ରାଟ ଖାରବେଳଙ୍କ ରାଜଧାନୀ କଳିଙ୍ଗନଗର ବା କେଶରୀ ବଂଶୀୟ ରାଜା ଶିଶୁପାଳ କେଶରୀ ପ୍ରତିଷ୍ଠିତ ଦୁର୍ଗ l
ଯଥାର୍ଥରେ ଏ ଦୁର୍ଗ ଥିଲା ବିଶାଳ l ଉତ୍ତର ଓ ପଶ୍ଚିମ ଦିଗରେ ଗଙ୍ଗୁଆ ନାଳ ପ୍ରାକୃତିକ ପରିଖା ପରି ରହିଥିଲା l ଆୟତାକାର ଏହି ଦୁର୍ଗର ଆୟତନ ଥିଲା ପ୍ରାୟ 3700*3600 ଫୁଟ, ତିନିଶହ ଚାଳିଶ ଏକର ପରିମିତ ଜାଗା l ଏଠାରେ ସ୍ମରଣଯୋଗ୍ୟ ପ୍ରସିଦ୍ଧ ବାରବାଟୀ ଦୁର୍ଗର ଆୟତନ ଥିଲା 2100*1800 ଫୁଟ ପ୍ରାୟ ନବେ ଏକର l ରଥିପୁର, ରାଇବଣିଆ କୋଉ ଦୁର୍ଗ ବି ଏତେ ବିଶାଳ ନଥିଲା l ଶିଶୁପାଳଗଡ଼ ଚତୁର୍ଦିଗରେ କୋଡ଼ିଏ ପଚିଶ ଫୁଟ ଉଚ୍ଚ ଓ ବାର ଫୁଟ ଓସାରର ସୁଉଚ୍ଚ ମାଟି ପାଚିରୀ ଥିଲା l ଭିତରେ ଓ ବାହାରେ କଣ୍ଟା ବାଉଁଶ ଝାଡ଼ ଅନ୍ୟତମ ପ୍ରତିରକ୍ଷା ପ୍ରଣାଳୀ ଭାବେ ଥିଲା l ପ୍ରତ୍ୟେକ ପାର୍ଶ୍ୱରେ ଦୁଇଟି କରି ପ୍ରବେଶ ଦ୍ଵାର ଥିଲା l ଦୁର୍ଭାଗ୍ୟର ବିଷୟ 2.12.1731 ରେ କଟକ ନାଏବ ନାଜିମ ମହମ୍ମଦ ତକୀ ଖାଁର ଆକ୍ରମଣରେ ଏ ଦୁର୍ଗ ଧ୍ବଂସ ପାଇଁ ସମ୍ପୂର୍ଣ୍ଣ ପରିତ୍ୟକ୍ତ ହୋଇଗଲା l ଶିଶୁପାଳଗଡ଼ ସହ ତକୀ ଖାଁ ସେ ସମୟରେ ରଥିପୁର ଗଡ଼ ଓ ଧଉଳି ଗଡ଼ର ମଧ୍ୟ ଧ୍ବଂସ ସାଧନ କରିଥିଲା l
ଦୀର୍ଘଦିନ ପରିତ୍ୟକ୍ତ ରହିବା ପରେ 1948ରେ ପ୍ରସିଦ୍ଧ ପ୍ରତ୍ନତତ୍ତ୍ୱବିଦ ଡକ୍ଟର ବି.ବି. ଲାଲ ଭାରତୀୟ ପୁରାତତ୍ତ୍ୱ ସଂସ୍ଥା ପକ୍ଷରୁ ଶିଶୁପାଳ ଗଡ଼ର ଉତଖନନ ଆରମ୍ଭ କରିଥିଲେ l ସେ ସମୟରେ କିଛି ମାଟିପାତ୍ର, ମୁଦ୍ରା, ମାଟି ଅଳଙ୍କାର ଯଥା ଚୁଡ଼ି, ହାର ଅନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଥିଲା l ବର୍ତମାନ ସେ ସବୁର ସ୍ଥିତି ଅନ୍ଧକାର ମଧ୍ୟରେ l ଏ ସମୟରେ ଲୋକ ଲୋଚନକୁ ଆସିଥିଲା ଦୁର୍ଗର ମାଙ୍କଡ଼ା ପଥର ନିର୍ମିତ ବିଶାଳ ମୁଖ୍ୟ ପ୍ରବେଶ ଦ୍ଵାର, ଏକ ଭବନର ଅବଶିଷ୍ଟାଂଶ ମାଙ୍କଡ଼ା ପଥରର ଅଠର ଗୋଟି କୋଡ଼ିଏ ଫୁଟ ଉଚ୍ଚ ସ୍ତମ୍ଭ ଇତ୍ୟାଦି l ଶ୍ରୀ ଲାଲଙ୍କ ମତରେ ମୋଟା ମୋଟି ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ଖ୍ରୀଷ୍ଟପର ପଞ୍ଚମ ଶତାବ୍ଦୀ ମଧ୍ୟରେ ଚାରୋଟି ନଗର ସଭ୍ୟତାର ନିଦର୍ଶନ ଶିଶୁପାଳଗଡ଼ରୁ ମିଳେ l
2001 ରେ ଡକ୍ଟର ଆର. କେ. ମହାନ୍ତି ଓ ମନିକା ସ୍ମିଥ ପୁଣି ଖନନ ଆରମ୍ଭ କରିଥିଲେ ଏବଂ ସେଇ ଅଠର ଖମ୍ବ ଅଞ୍ଚଳରୁ ଏକ ପ୍ରାଚୀନ ପଥର କୂପର ସନ୍ଧାନ ପାଇଥିଲେ l ଡକ୍ଟର ଆର କେ ମହାନ୍ତିଙ୍କ ମତରେ ପ୍ରାୟ 562 ଏକର ପରିମିତ ସ୍ଥାନରେ 25000 ବ୍ୟକ୍ତିଙ୍କ ଆବାସସ୍ଥଳ ଥିଲା ଶିଶୁପାଳଗଡ଼ l ପ୍ରାଚୀନ ଯୁଗରେ ଏଭଳି ବଡ଼ ନଗର କୈନ୍ଦ୍ରିକ ସଭ୍ୟତା ଅତ୍ୟନ୍ତ ବିରଳ l
ବର୍ତମାନ ଶିଶୁପାଳଗଡ଼ ଅବସ୍ଥା ଅତ୍ୟନ୍ତ ଶୋଚନୀୟ l ସମୁଦାୟ 562 ଏକର ଅଞ୍ଚଳ, ଗଡ଼ ଭିତର ଓ ବାହାର ନେଇ କିନ୍ତୁ ASI ଅଧୀନରେ ମାତ୍ର 0.77 ଏକର l ସଂରକ୍ଷିତ ଅଞ୍ଚଳ ହୋଇଥିଲେ ମଧ୍ୟ ଅବାଧ ଗୃହ ନିର୍ମାଣ ଦ୍ଵାରା ବହୁଳାଂଶ ବ୍ୟକ୍ତିଗତ ମାଲିକାନା ହାତକୁ ଚାଲି ଯାଇଛି l ଆସ୍ତେ ଆସ୍ତେ ବିଲୁପ୍ତ ହୋଇ ଯାଉଛି ପ୍ରାଚୀନ ଭିତ୍ତିପ୍ରସ୍ତର କିମ୍ବା କୂପ l ଏମିତିକି ଡକ୍ଟର ଲାଲ ପ୍ରାସାଦ ଅବଶିଷ୍ଟାଂଶ ଭାବେ ଅଠର ଗୋଟି ଉଚ୍ଚ ସ୍ତମ୍ଭର ସୂଚନା ଦେଇଥିଲେ, ବର୍ତମାନ ସେ ସ୍ଥାନର ନାମ “ଷୋଳଖମ୍ବ”, କିନ୍ତୁ ମାତ୍ର ତେର ଗୋଟି ସ୍ତମ୍ଭ ଦେଖାଯାଏ l ଶୁଣାଶୁଣିରେ ଲୋକ ମାନେ ତିନୋଟି ଖମ୍ବ ଭାଙ୍ଗି ଦେଇଛନ୍ତି l 2001ରେ ଡକ୍ଟର ମହାନ୍ତି ଯେଉଁ ପ୍ରାଚୀନ କୂପ ଉଦ୍ଧାର କରିଥିଲେ ବର୍ତମାନ ତାହା ଅନାବନା ଗଛରେ ପରିପୂର୍ଣ୍ଣ l ସେ ଅଞ୍ଚଳ ଜନସାଧାରଣଙ୍କ ଉନ୍ମୁକ୍ତ ଶୌଚାଳୟ l ସେ ସ୍ତମ୍ଭ ଦେଖିବାକୁ ହେଲେ ମୁହଁରେ ରୁମାଲ ଓ ତଳକୁ ସତର୍କ ଦୃଷ୍ଟି ନିହାତି ଆବଶ୍ୟକ l ପାଖରେ “ଛେଦା ପୋଖରୀ” ବା “ରାଣୀ ଗାଧୁଆ ପୋଖରୀ” l
ତେବେ ମୋଟାମୋଟି ମାଟି ପ୍ରାଚୀର ସବୁ ବହୁଳାଂଶରେ ଅକ୍ଷୁର୍ଣ୍ଣ l ସଂରକ୍ଷିତ ହେଲେ ହେଁ ଉତ୍ତର ପାଚିରୀ ଉପରେ ଘର ତିଆରି ହୋଇଛି l ASI କେବଳ କେତୋଟି ସ୍ଥାନରେ “ସଂରକ୍ଷିତ ଅଞ୍ଚଳ” ଫଳକ ମାରିଦେଇ ଚୁପ l ଏପରିକି “ଶିଶୁପାଳଗଡ଼” ନାମ ମଧ୍ୟ କୋଉଠି ଉଲ୍ଲେଖ ନାହିଁ l ରାଜ୍ୟ ସରକାର ଦକ୍ଷିଣପଟେ ଏକ ଦୁର୍ଗ ପ୍ରବେଶ ଦ୍ଵାର କରିଦେଇ ନିଶ୍ଚିନ୍ତ l
ଗଡ଼ ମଧ୍ୟରେ ଗଡ଼ଚଣ୍ଡୀ ମନ୍ଦିର, ମନ୍ଦିର ଓ ବିଗ୍ରହ ନୂତନ l କିନ୍ତୁ ପଶ୍ଚିମ ଦିଗରେ ଗଙ୍ଗୁଆ ନାଳ ପାଖରେ ଗଡ଼ ମହାବୀର ମନ୍ଦିର l ମନ୍ଦିର ନୂତନ ମାତ୍ର ଚାରିଫୁଟ ଉଚ୍ଚ ବିଗ୍ରହ ଅତି ପ୍ରାଚୀନ l ପୂଜକ କହିବାରେ ନବମ ଶତାବ୍ଦୀ ସମୟର l
ଜର୍ମାନୀର ହିଡେଲବର୍ଗ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପଲ ୟୁଲ କହିଥିଲେ “We have One Sisupalgarh in the entire world and we have to preserve it… ଆମେ ମାନେ ବୋଧେ “ନିତି ମଳୁକୁ ବଇଦ କାହିଁ” ନୀତିରେ ବିଶ୍ୱାସୀ l ଧୀରେ ଧୀରେ ଆମ ଆଖି ଆଗରେ ଲୋପ ପାଇଯିବ 2500 ବର୍ଷର ଇତିହାସ !