ଲେଖା: ଶ୍ରୀକାନ୍ତ ସିଂହ
ବିଚିତ୍ରବର୍ଣ୍ଣା ଧରଣୀ ଓ ତାର ଅପରୂପ ସୌନ୍ଦର୍ଯ୍ୟ ମଣିଷ ମନରେ କେତେବେଳେ ଆନନ୍ଦ ସୃଷ୍ଟି କରେ ତ କେତେବେଳେ ତାର ଉଗ୍ର ରୂପ ମନରେ ଭିତ୍ତି ସଂଚାର କରେ, ଆଉ କେତେବେଳେ ଅବା ଅସୁମାରୀ ପ୍ରଶ୍ନବାଚୀ l ମାତ୍ର ପ୍ରକୃତି ଓ ପୁରୁଷ ସବୁବେଳେ ଅଙ୍ଗାଙ୍ଗୀ ଭାବେ ଜଡିତ ଆଉ ସେଇ ସୃଷ୍ଟି ସମ୍ଭାର ମଣିଷ ଜୀବନକୁ ସଦା ସର୍ବଦା ପ୍ରଭାବିତ କରିଥାଏ l ସେଇ ପ୍ରକୃତିର ଏକ ଅନନ୍ୟ ସୃଜନ ହେଉଛି ରଞ୍ଜନା ଏବଂ ତା’ର ପାଷାଣ ଚଟାଣ l
ସ୍ରୋତସ୍ୱିନୀ ଝରଣାର ନିରବଛିନ୍ନ ଜଳଧାରା ପ୍ରବାହରେ ପାଷାଣ ଚଟାଣର ଏପରି ବିଗଳିତ ରୂପ, ଯେ କୌଣସି ଦର୍ଶକ ପାଇଁ ଯେତିକି ବିଚିତ୍ର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ l ପ୍ରଥମ ଦୃଷ୍ଟିପାତରେ ହିଁ ମଣିଷ ମନରେ ସୃଷ୍ଟି ହୁଏ ଏକ ଅପୂର୍ବ ଶିହରଣ ଓ ଭିନ୍ନ ଏକ ଭାବାବେଗ l
ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ସହରଠାରୁ ମାତ୍ର ଚାରି-ପାଞ୍ଚ କିଲୋମିଟର ଦୂରରେ ଜଙ୍ଗଲ ମଝିରେ ରହିଛି ଏହି ଐତିହାସିକ ସ୍ଥଳ ରଞ୍ଜନା l
ଜଙ୍ଗଲ ପରିବେଶରେ ପ୍ରକୃତିର ଏହି ସୁନ୍ଦର ସଂରଚନା ପଛରେ ଥିବା ଐତିହାସିକ ତଥ୍ୟକୁ ଖୋଜି ବସିଲେ ଜଣାପଡେ ଯେ, ଦ୍ୱାପର ଯୁଗରେ ପାଣ୍ଡଵମାନେ ଅଜ୍ଞାତବାସ ସମୟରେ ଏହି ଅଞ୍ଚଳରେ କିଛି କାଳ ପାଇଁ ଅବସ୍ଥାନ କରିଥିଲେ l ଆଉ ଘୋଡ଼ା ପିଠିରେ ବସି ଶତ୍ରୁର ପଶ୍ଚାତଧାବନ କଲାବେଳେ ଭୀମ ଏହି ରଞ୍ଜନା ନାଳ ବା ଝରଣାକୁ ପାର କରିଥିଲେ l ଆଉ ସେହି ଘୋଡ଼ାଟାପୁର ଆଘାତରେ ହିଁ ପାଷାଣ ଚଟାଣ ଉପରେ ଘୋଡ଼ାଟାପୁ ଆକୃତିର ଚିହ୍ନସବୁ ସୃଷ୍ଟି ହୋଇଥିଲା l
କିମ୍ବଦନ୍ତୀର ଏହି ଉପାଖ୍ୟାନଟିର ସତ୍ୟତା ଯାହାବି ହେଉନା କାହିଁକି, ରଞ୍ଜନା ଯେ ପ୍ରକୃତିର ଏକ ସୁନ୍ଦର ସୃଜନ ଏଥିରେ ଦ୍ବିମତ ନାହିଁ l