ଯୋଡ଼ା ଝୁଲଣର କଥା: ମାଳତୀ ଝୁଲଣ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ

ଆମ ଉତ୍କଳରେ ବାରମାସେ ତେର ପର୍ବ। ଏହା ସଭିଙ୍କୁ ଗୋଚର। ମହାପ୍ରଭୁ ଲୀଳାମୟ ଜଗନ୍ନାଥଙ୍କ ଅନେକ ପର୍ବ ମଧ୍ୟରୁ ତ୍ରିରାସ ଅନ୍ୟତମ । ତନ୍ମଧ୍ୟରୁ ଝୁଲଣ ଉତ୍ସବଟି ପ୍ରଧାନ। ବର୍ଷକରେ ଥରେ ଏହା ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ ପ୍ରତିପଦା ଯାଏଁ ପାଳନ ହୁଏ। ଏଥିରେ ସୁନ୍ଦର ଯୁଗଳ ବିଗ୍ରହମାନେ ଅପୂର୍ବ କୁଞ୍ଜରେ ଶୋଭାପାଆନ୍ତି।

ସମଗ୍ର ଓଡ଼ିଶାର ବୈଷ୍ଣବ ମଠ ଓ ମନ୍ଦିରାଦିରେ ଏହା ଅଳ୍ପ ବହୁତେ ପାଳନ କରାଯାଏ। ତେବେ ଏ ମାଳତୀ ଝୁଲଣ କଣ ? ଦକ୍ଷିଣ ଓଡ଼ିଶାର ବୃନ୍ଦାବନ ରୂପେ ପରିଚିତ ପାରଳାରେ ବର୍ଷକରେ ଦୁଇଥର ଝୁଲଣ ଯାତ୍ରା ହୁଏ, ଗୋଟିକ ପାଞ୍ଚ ଦିନ ଅନ୍ୟଟି ସାତ ଦିନ।

ଏହା ମଲ୍ଲୀ ଓ ମାଳତୀ ଝୁଲଣ ରୂପେ ଖ୍ୟାତ। ମଲ୍ଲୀ ଝୁଲଣଟି ଚୈତ୍ର ମାସ ଶୁକ୍ଳପକ୍ଷ ଦଶମୀରୁ ପୂର୍ଣ୍ଣିମା ଯାଏଁ ପାଳନ ହେଲା ବେଳେ, ମାଳତୀ ଝୁଲଣଟି ଶ୍ରାବଣ ଶୁଳ୍କ ଏକାଦଶୀରୁ ପ୍ରତିପଦା ଯାଏଁ ସାତ ଦିନ ହୁଏ। ଚଇତ ମାସରେ ମଲ୍ଲୀଟି ଅନିର୍ବାର୍ଯ୍ୟ ପୁଷ୍ପ ଥିଲାବେଳେ ଶ୍ରାବଣ ଝୁଲଣ ରେ ମାଳତୀଫୁଲ ବ୍ୟବହାର ହୋଇଥାଏ। ମଲ୍ଲୀ ଝୁଲଣରେ ଚନ୍ଦନର ବ୍ୟବହାର ଅଧିକା ହୋଇଥାଏ। ମାଳତୀରେ ରୌପ୍ୟ ବାସନ ଓ ଅଳଙ୍କାର ଅଧିକା ଲାଗି ହୋଇଥାଏ ।

ପାରଳାଖେମୁଣ୍ଡିର ବଡ଼ ରାଧକାନ୍ତ ମଠ, ସାନ ରାଧକାନ୍ତ ମଠ, ନନା ମଠ ବା ଶ୍ୟାମସୁନ୍ଦର ମଠ, ଚୈତନ୍ୟ ମଠ, ରାମସ୍ୱାମୀ ମନ୍ଦିର ଓ ଆନନ୍ଦ ମଠ ବା ରସିକରାଜ ମଠର ଝୁଲଣ ସର୍ବ ପ୍ରାଚୀନ। ପାରଳାର ଅନ୍ୟ ୩୦ ମଠ ମାନଙ୍କରେ ଏହା ବିଧିଚଳନ ରୂପେ ପାଳନ ହେଲେ ମଧ୍ୟ ନୃସିଂହ ମଠର ଝୁଲଣ ଯାତ୍ରା ଏଯାବତ ପୂର୍ବବତ ଚାଲି ଆସୁଅଛି।

ଏପରି ମଲ୍ଲୀ ଓ ମାଳତୀ ଝୁଲଣ ଅନ୍ୟତ୍ର ବିରଳ। ଏହି ଉତ୍ସବରେ ପ୍ରତ୍ୟେକ ସନ୍ଧ୍ୟାରେ ଝୁଲଣ ସଙ୍ଗୀତ ଆସର ଜମିଥାଏ। ତାହା ପ୍ରକୃତରେ ଦର୍ଶନୀୟ। ନିଚ୍ଛକ ଓଡିଶୀ ସଂଗୀତ ବିଶେଷ କରି କବି ଗୋପାଳକୃଷ୍ଣ, ଗୌରହରି, କବିସୂର୍ଯ୍ୟ, କବିଚନ୍ଦ୍ର ରଘୁନାଥ, କିଶୋରଚନ୍ଦ୍ର ଓ କବି ପଦ୍ମନାଭଙ୍କ ରଚନା ଭାଷି ହୋଇ ଆସେ। ରାଧା କୃଷ୍ଣଙ୍କ ଅପୂର୍ବ ପ୍ରେମଲୀଳାର ଅମୃତ ଯେପରି ବିଛୁରିତ ହୁଏ ମାଳତୀ ଫୁଲର ବାସ୍ନା ପରି।

ପୂର୍ବେ ଏହି ଝୁଲଣ ଉତ୍ସବରେ ମହାରାଜାମାନେ ସମ୍ଭ୍ରାନ୍ତ ମଠ ମାନଙ୍କରେ ବିଜେ ହେବା ପରମ୍ପରା ରହିଥିଲା। ଉକ୍ତ ଦିନ ଏକ ଉଚ୍ଚାଙ୍ଗ ପୌରାଣିକ ନାଟକ ଅଥବା ଉତ୍କଳ ସଙ୍ଗୀତ ଗାୟନ ବ୍ୟବସ୍ଥା ରହିଥାଏ। ମହାରଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମୟ ପର୍ଯ୍ୟନ୍ତ ଏହି ପରମ୍ପରାଟି ଅକ୍ଷୁର୍ଣ୍ଣ ଥିଲା। ଏବେ ଆଉ କିନ୍ତୁ ସେ ରାଜ ପରମ୍ପରାର ଦିନ ନାହିଁ। ଖାଲି କର୍ପୂର ଉଡି କନା ଖଣ୍ଡେ ପଡିଛି।

ବର୍ତ୍ତମାନ ମଧ୍ୟ ଏହି ମଲ୍ଲୀ ମାଳତୀରେ ଦାସକାଠିଆ, ପାଲା, ଗୀତିନାଟ୍ୟ, ପ୍ରେମଲୀଳା ଆଦିର ଆୟୋଜନ ହେଉଛି। ପରିବେଷଣ ଶେଷରେ ପ୍ରସାଦ ସଭିଏ ପାଇଥାନ୍ତି।


ପୁଣ୍ୟପୀଠ ପାରଳାର ବର୍ଣ୍ଣାଢ୍ୟ ଝୁଲଣର ଗୁଣ ଗାନ କରି ଝଟତ କବି ନୀଳମଣି ରଥଶର୍ମା ଲେଖିଗଲେ,ପାରଳାର ମଲ୍ଲୀ ମାଳତୀ
ଝୁଲଣ ଜାତ ଶୋଭା ଦିଶେ ଅତି,
ଅନ୍ୟ ଠାରେ ଏହି ଶୋଭା ଦିଶେ ନାହିଁ
ଦିଶେ ବୃନ୍ଦାବନେ କଲେ ବସତି।।ପାର।।ଚଇତ ଶ୍ରାବଣ ମାସେ ଏ ସୁମ
ଫୁଟେ ଯେତେ ନାହିଁ ତା ପରିଣାମ,
ଏବାସ କୁସୁମେ ଦୋଳା କୁଞ୍ଜ ପ୍ରେମେ
ଗଢାଇ ଜଗଦୀଶଙ୍କୁ ଝୁଲାନ୍ତି।।୧।।ବିବିଧ ବସ୍ତ୍ରରେ ବିଚିତ୍ର ତର
ମଣ୍ଡଣି କରି ଦେବତା ମନ୍ଦିର,
ବାଜେ ବହୁବିଧ ବାଦ୍ୟଯନ୍ତ୍ର ନାଦ
ସଙ୍ଗୀତକାରୀଏ ଗାନ କରନ୍ତି।।୨।।କାହିଁ ରାଧାକୃଷ୍ଣ ରାଧାମୋହନ
କାହିଁ ରାଧାଶାମ ରାଧାରମଣ
ଶ୍ରୀ ରାଧାଗୋବିନ୍ଦ କାହିଁ ମନ୍ଦ ମନ୍ଦ
ଝୁଲିବାର କି ସୁନ୍ଦର ଦିଶନ୍ତି।।୩।।

ବୀରଶ୍ରୀ କୃଷ୍ଣଚନ୍ଦ୍ର ଗଜପତି
ଝୁଲଣରେ ଯେବେ ବିଜେ ହୁଅନ୍ତି
ସେ ଦିନ ଶୋଭା ବ6ର୍ଣ୍ଣ କେ ଅବା
ଦିଶେ ଯା ତାହାଙ୍କ ପ୍ରେମ ଭଗତି।।୪।।

Spread the love

Leave a Reply

Your email address will not be published. Required fields are marked *